Unknown

 

 

 

 

 

 

 

 

 

 

 

 

କାଶ୍ମୀରରୁ କନ୍ୟାକୁମାରୀ

ସାତକଡ଼ି ହୋତା, ଗୀତା ହୋତା

 

ଉତ୍ସର୍ଗ

 

ଭାରତର ବିଶିଷ୍ଟ ପଶୁଚିକିତ୍ସକ ଓ ବୈଜ୍ଞାନିକ ଅଗ୍ରଜ ଡଃ ଶିବକୁମାର ମିଶ୍ର ଓ ସ୍ନେହମୟୀ ଭାଉଜ ଶ୍ରୀମତୀ ଶାନ୍ତିମୟୀ ମିଶ୍ରଙ୍କ ହାତରେ ଶ୍ରଦ୍ଧା ଓ ଭକ୍ତିର ନିଦର୍ଶନ ସ୍ୱରୂପ–

 

ଆମର ବକ୍ତବ୍ୟ

 

ଇଏ ଆମର ପ୍ରଥମ ଭ୍ରମଣ କାହାଣୀ । ଅଧିକାଂଶ ସ୍ଥାନକୁ ସାଙ୍ଗହୋଇ ଯାଇଥିଲୁ ଏବଂ ସବୁ ସ୍ଥାନର ମାହାତ୍ମ୍ୟ ସହିତ ପରିଚିତ ହେବାର ସୌଭାଗ୍ୟ ମଧ୍ୟ ପାଇଥିଲୁ । ଏଥିପାଇଁ ଆମର ଅନୁଭାବ ସବୁକୁ ଲିପିବଦ୍ଧ କରିବା ପାଇଁ ଇଚ୍ଛା ହେଲା ଏବଂ ପ୍ରଥମେ ‘ଅମୃତାୟନ’ ସାହିତ୍ୟ ପତ୍ରିକାରେ ଏସବୁ ରଚନା ପ୍ରକାଶିତ ହେଲା । ପାଠକମାନଙ୍କ ଦ୍ଵାରା ଆଦୃତ ହେବାରୁ ଏବଂ ପୁସ୍ତକ ଆକାରରେ ସେସବୁ ରଚନା ପ୍ରକାଶ କରିବା ପାଇଁ ସେମାନେ ବାରମ୍ବାର ଅନୁରୋଧ କରିବାରୁ ପ୍ରଥମ ପର୍ଯ୍ୟାୟରେ କେତେକ ରଚନାକୁ ନେଇ ‘କାଶ୍ମୀରରୁ କନ୍ୟାକୁମାରୀ’ ପ୍ରକାଶିତ ହେଉଛି । ପୁସ୍ତକର କଳେବରକୁ ସୀମିତ ରଖିବା ପାଇଁ ଏଥିରେ ସବୁ ରଚନା ପ୍ରକାଶ କରାଯାଇ ନାହିଁ । ଅନ୍ୟସବୁ ରଚନା ଆଉ ଗୋଟିଏ ପୁସ୍ତକରେ ପ୍ରକାଶ କରିବାର ବାସନା ରହିଛି ।

 

ଭ୍ରମଣ କାହାଣୀରେ ଆମ ନିଜର ଅନୁଭୂତି ଓ ସୁଖଦୁଃଖ ସମ୍ପର୍କରେ ଯତ୍‌କିଞ୍ଚିତ କହି, ଯେଉଁସବୁ ସ୍ଥାନକୁ ଯାଇଛୁ ସେସବୁର ସ୍ଥାନ ମାହାତ୍ମ୍ୟ ସହିତ ଜଡ଼ିତ ସଂସ୍କୃତି, ଜୀବନଧାରା, ପ୍ରବାଦ ଓ କିମ୍ବଦନ୍ତୀ, ଐତିହ୍ୟ ଓ ଇତିହାସ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା ଦେଇଛୁ । ଭ୍ରମଣ କାହାଣୀର ଲେଖକମାନଙ୍କ ଅପେକ୍ଷା ଭ୍ରମଣର ଉପଯୋଗିତା, ଏ ଦେଶର ସଂସ୍କୃତି, ଇତିହାସ ଓ କୀର୍ତ୍ତି ସହିତ ପାଠକମାନଙ୍କୁ ପରିଚିତ କରିବା ପାଇଁ । ଏଇ ଭାରତ ଏତେ ବିରାଟ, ଏହାର ସଭ୍ୟତା ଓ ସଂସ୍କୃତି ଏତେ ମହାନ ଯେ ସେସବୁ ନ ଜାଣିଲେ ଭାରତର ଆତ୍ମା ଅଚିହ୍ନା ରହିଯାଏ । ସବୁ ଉତ୍‌ଥାନ ପତନ ଏବଂ ଧର୍ମ, ଭାଷା, ବିଶ୍ୱାସ, ପରିଧାନ ଓ ଚଳଣିର ପାର୍ଥକ୍ୟ ସତ୍ତ୍ୱେ ଭାରତୀୟ ଜୀବନଧାରାରେ ସମନ୍ଵୟ ଓ ଐକ୍ୟର ସ୍ଵର ଯୁଗ ଯୁଗ ଧରି ଝଂକୃତ ହୋଇ ଆସିଛି । ସେହି ଐକ୍ୟତାନ ଏଡ଼େ ମଧୁର ଓ ପ୍ରୀତିକର ବୋଲି ଭାରତଭୂମିରେ ସହାବସ୍ଥାନ ସହିତ ଗଢ଼ିଉଠିଛି ଏକ ବର୍ଣ୍ଣାଢ଼୍ୟ ସମନ୍ୱିତ ସଂସ୍କୃତି । କବି ରବୀନ୍ଦ୍ରନାଥଙ୍କ ଭାଷାରେ–

 

‘‘ବହୁ ଭାଷା, ବହୁ ଜାତି, ବହୁ ପରିଧାନ,

ବିଭେଦର ମାଝେ ଦେଖି ମିଳନ ମହାନ ।’’

 

ଏହାହିଁ ସୁନ୍ଦର ଓ ମହାନ୍‌ ଭାରତବର୍ଷର ଆତ୍ମା । ସେଇ ଆତ୍ମା ସହିତ ପାଠକମାନଙ୍କୁ ପରିଚିତ କରିବାର ଆଗ୍ରହର ପରିଣତି ‘କାଶ୍ମୀରରୁ କନ୍ୟାକୁମାରୀ’ ।

 

ତଥାପି ଏସବୁ ରଚନା ସ୍ଥାନ ମାହାତ୍ମ୍ୟ ସମ୍ପର୍କରେ ଯେ ସ୍ଵୟଂସମ୍ପୂର୍ଣ୍ଣ ନୁହେଁ ଏବଂ ଆହୁରି ବହୁ ପ୍ରାସଙ୍ଗିକ ଜ୍ଞାତବ୍ୟ ତଥ୍ୟ ଯେ ଏହା ବାହାରେ ରହିଯାଇଥିବ ସେ ସମ୍ବନ୍ଧରେ ଆମେ ସଚେତନ-। ଓଡ଼ିଆରେ ଭ୍ରମଣ ସାହିତ୍ୟ ବେଶୀ ନ ହେଲେ ମଧ୍ୟ ବଢ଼ିବାରେ ଲାଗିଛି । ପାଠକମାନଙ୍କୁ ଏଇ ବିରାଟ ଦେଶର କେତେ ମହାନ୍‌ ସ୍ଥାନ ସମ୍ପର୍କରେ କିଛି ଜାଣିବାର ସୁଯୋଗ ଦବା ଏ ଗ୍ରନ୍ଥ ପ୍ରକାଶ କରିବାର ଉଦ୍ଦେଶ୍ୟ ହୋଇଥିବାରୁ, ଏ ବିଷୟରେ ପାଠକମାନଙ୍କର ମତାମତ ଜାଣିବାର ଆଗ୍ରହ ରହିବା ସ୍ଵାଭାବିକ ।

 

ଉତ୍କର୍ଷତାର ଅନୁସନ୍ଧାନରେ ଯୁଗ ଯୁଗ ଧରି ମଣିଷ ଯେଉଁ ଉଦ୍ୟମ ଅବ୍ୟାହତ ରଖିଚି ମାନବ ସଭ୍ୟତା ତାହାରି ପରିଣତି । ତେଣୁ ଏହାର ଆରମ୍ଭ ଥିଲା; କିନ୍ତୁ ଶେଷ ନାହିଁ । ଅନନ୍ତ ସମ୍ଭାବନା ପଡ଼ିରହିଚି ମଣିଷ ଆଗରେ । ସେଇ ସମ୍ଭାବନା ରୂପାନ୍ତରିତ ହେବ ଅତିମାନସ ଶକ୍ତି ବଳରେ । ବ୍ୟକ୍ତିଗତ ତଥା ସମବେତ ଇଚ୍ଛାଶକ୍ତି ଓ ସାଧନା ଦ୍ଵାରା ତାହା ଯେ ବାସ୍ତବରେ ପରିଣତ ହେବ ଏହି ପ୍ରତିଶ୍ରୁତି ଫଳଶ୍ରୁତିରେ ପରିଣତ ହେବାକୁ ଆରମ୍ଭ କରିଛି.... ।

 

ଏତିକି–

 

ତା ୧୫ । ୮ । ୯୩

ସାତକଡ଼ି ହୋତା

ଭୁବନେଶ୍ଵର

ଗୀତା ହୋତା

☆☆☆

 

ସୂଚୀପତ୍ର

 

୧.

ବଦ୍ରିନାଥ ଯାତ୍ରା

୨.

ମାତା ବୈଷ୍ଣୋଦେବୀ

୩.

ଭୂସ୍ଵର୍ଗ କାଶ୍ମୀର

୪.

ଶୋଭାମୟୀ ହାସ୍ୟମୟୀ କେରଳ

୫.

ପୂଣ୍ୟଭୂମି ଅଯୋଧ୍ୟା

୬.

ଲକ୍ଷ୍ନୌ

☆☆☆

 

ବଦ୍ରିନାଥ ଯାତ୍ରା

।।ଏକ।।

 

‘‘ସକଳ ତୀର୍ଥ ତୋ ଚରଣେ

ବଦ୍ରିକା ଯିବି କି କାରଣେ ।’’ –ଭାଗବତ ।

 

ତଥାପି ବଦ୍ରିକା ଯିବାପାଇଁ ଉଦ୍ଧବଙ୍କୁ ଉପଦେଶ ଦେଇଥିଲେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ । ମନୁଷ୍ୟ ଜୀବନର ଚରମ ଆକାଂକ୍ଷା ପୂର୍ଣ୍ଣ କରିବା ପାଇଁ ଅନନ୍ତ କାଳରୁ ବଦ୍ରିକାଶ୍ରମ ଅଭିମୁଖେ ଯାତ୍ରା ଚାଲିଛି । ଦେବଭୂମି ହିମାଳୟର ବରଫାବୃତ୍ତ ଅଞ୍ଚଳରେ ଅବସ୍ଥିତ ଏହି ଦେବଭୂମି ଯୁଗ ଯୁଗ ଧରି ଧର୍ମପିପାସୁ ତଥା ଦର୍ଶକମାନଙ୍କର ମନୋହରଣ କରି ଆସୁଛି । ବଦ୍ରିକା ଧାମରେ ପଦାର୍ପଣ କରି ସଂସାରର ଦୁଃଖଶୋକ ଭୁଲିଯାଇ ପତିତ ମନର ପାବନ ହୁଏ । ଅଷ୍ଟମ ବୈକୁଣ୍ଠ ଭାବରେ ପରିଚିତ ବଦ୍ରିକାଶ୍ରମର ଅଧିପତି ପରମାତ୍ମା ପରମେଶ୍ଵର ସ୍ଵୟଂ ଭଗବାନ ବିଷ୍ଣୁଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରି ମନୁଷ୍ୟ ତରିଯାଏ ମୋହମାୟା ବିଜଡ଼ିତ ଏଇ ନଶ୍ଵର ସଂସାରରୁ ।

 

ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଯେ–

 

ଅନାଦିସିଦ୍ଧମେତସ୍ତୁ ଯଥାବେଦାଃ ହରେସ୍ତନୁ ।

ଅଧିଷ୍ଠାତା ହରିଃ ସାକ୍ଷାତ୍‌ ନାରଦାଦ୍‌ଯେନି ସେବିତମ୍‌ ।।

 

ଚାରିଯୁଗରେ ଚାରିଧାମ ସ୍ଥାପିତ ହୋଇଥିବାର ପ୍ରମାଣ ରହିଛି । ସତ୍ୟଯୁଗର ବଦରୀ, ତ୍ରେତାରେ ରାମେଶ୍ଵରମ୍‌, ଦ୍ଵାପରରେ ଦ୍ଵାରିକା ଏବଂ କଳିଯୁଗରେ ଜଗନ୍ନାଥ ଧାମ ପ୍ରତିଷ୍ଠିତ । ବଦ୍ରିକାଶ୍ରମ ସମ୍ବନ୍ଧରେ ପୁରାଣରୁ ଯେଉଁ ଇତିହାସ ମିଳୁଛି, ତା’ର ବର୍ଣ୍ଣନା ଏହିପରି–

 

ପୂରା କୃତଯୁଗସ୍ୟାଦୋ ସର୍ବଭୂତ ହିତାୟ ଚ ।

ମୂର୍ତ୍ତିମାନ୍‍ ଭଗବାନସ୍ତତ୍ର ତପୋଯୋଗ ସମାଶ୍ରିତାଃ ।।

ତ୍ରେୟାଯୁଗେ ଋଷିଗଣୈଃ ଯୋଗାଭ୍ୟାସେକ ତତ୍ପରେଃ ।

ଦ୍ଵାପରେ ସମନୁପ୍ରାପ୍ତେ ଜ୍ଞାନନିଷ୍ଠୋ ହି ଦୁର୍ଲଭଃ ।।

 

(ସ୍କନ୍ଦ ପୁରାଣ)

 

ଅର୍ଥାତ୍‌ ପୂର୍ବେ ସତ୍ୟଯୁଗର ପ୍ରାରମ୍ଭରେ ଜଗତର କଲ୍ୟାଣ କାମନା କରି ଭଗବାନ ପ୍ରତ୍ୟକ୍ଷ ରୂପରେ ମୂର୍ତ୍ତିମାନ ହୋଇ ଏଠାରେ ତପସ୍ୟା କରିଥିଲେ । ତ୍ରେତାଯୁଗରେ ଯୋଗ କରୁଥିବା ମୁନିଋଷିମାନଙ୍କୁ ଏଠାରେ ଭଗବାନଙ୍କର ଦର୍ଶନ ମିଳୁଥିଲା; ପରନ୍ତୁ ଦ୍ଵାପରଯୁଗ ଆସିବା ପରେ ଜ୍ଞାନନିଷ୍ଠ ମୁନିମାନଙ୍କୁ ମଧ୍ୟ ଏଠାରେ ଭଗବାନଙ୍କ ଦର୍ଶନ ଦୁର୍ଲଭ ହୋଇଗଲା ।

 

ଏଠାରେ ସତ୍ୟଯୁଗରେ ଯେଉଁ ଭଗବତ୍‌ ଦର୍ଶନ ସୁଲଭ ଥିଲା, ତ୍ରେତାରେ ତାହା କେବଳ ଯୋଗୀମାନଙ୍କୁ ପ୍ରାପ୍ତହେଲା ଏବଂ ଦ୍ଵାପରରେ ଭଗବାନଙ୍କ ଦର୍ଶନ ଦୁର୍ଲଭ ହୋଇଉଠିଲା । ଏଠାରେ ସତ୍ୟଯୁଗରେ ଭଗବାନ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଉଥିଲେ ବୋଲି ଏହାର ଅନ୍ୟନାମ ‘ମୁକ୍ତିପ୍ରଦା’ । ତ୍ରେତାଯୁଗରେ ଯୋଗାଭ୍ୟାସ କରୁଥିବା ଯୋଗୀମାନଙ୍କୁ କେବେ କେବେ ଭଗବାନ ଦର୍ଶନ ଦେଉଥିଲେ ବୋଲି ଏହାର ନାମ ‘ଯୋଗସିଦ୍ଧଦା’ ଏବଂ ଦ୍ଵାପରଯୁଗରେ ଭଗବାନଙ୍କର ଦର୍ଶନ ଆଶାରେ ବହୁତ ଲୋକ ଏଠାକୁ ଆସୁଥିବାରୁ ‘ବିଶାଳ’ ନାମରେ ସେ ପରିଚିତ ହେଲେ ଏବଂ କଳିଯୁଗରେ ବଦ୍ରିକାଶ୍ରମ ବା ବଦ୍ରିନାଥ ନାମରେ ବିଖ୍ୟାତ ହେଲେ ।

 

ତ୍ୟଜେତ୍‌ ସର୍ବାଣି ତୀର୍ଥାନି କାଳେ କାଳେ ଯୁଗେ ଯୁଗେ ।

ବଦରୀ ଭଗବାନ ବିଷ୍ଣୁ ନମୁଚ୍ୟତି କଦାଚନ ।।

 

–ସ୍କନ୍ଦ ପୁରାଣ

 

ଅନ୍ୟ ସ୍ଥାନମାନଙ୍କରେ ଭଗବାନଙ୍କର ଆବିର୍ଭାବ କଥା ସହିତ ତିରୋଭାବ ପ୍ରସଙ୍ଗ ମଧ୍ୟ ମିଳେ, କିନ୍ତୁ ବଦରିକାଶ୍ରମରୁ ଭଗବାନ କେବେ ମଧ୍ୟ ଅନ୍ତର୍ହିତ ହୁଅନ୍ତି ନାହିଁ । ଏହାହିଁ ଏହି ଧାମର ବିଶେଷତ୍ଵ ଓ ଏଥିପାଇଁ ଧର୍ମପିପାସୁ ଯୋଗୀ ଓ ତପସ୍ଵୀମାନଙ୍କ ମଧ୍ୟରେ ଏହି ପ୍ରାଧାନ୍ୟ ।

 

ଭାଗବତରେ ଉଲ୍ଲେଖ ଅଛି ଯେ–

 

‘‘ୟୋଦ୍‌ୟାପି ଚାସ୍ତ ଋଷିବର୍ଯ ନିଷେବିତାଧ୍ରିଃ ।’’

 

ଅର୍ଥାତ୍‌ ବଦ୍ରିକାଶ୍ରମରେ ଆଜି ମଧ୍ୟ କୌଣସି ଏକ ବୃକ୍ଷ ଶାଖାରେ ତାଙ୍କୁ ତପ କରିବା ଦେଖାଯାଏ । ବଦ୍ରିନାଥ ଧାମରେ ସତ୍ୟ ଓ ନେତା ପର୍ଯ୍ୟନ୍ତ ଭଗବାନଙ୍କୁ କୌଣସି ନା କୌଣସି ରୂପରେ ଦର୍ଶନ କରାଯାଇ ପାରୁଥିଲା, ଏହାପରେ ଦ୍ଵାପରରେ ଭଗବାନ ନରନାରାୟଣ ରୂପରେ ଅର୍ଜ୍ଜୁନ ସଖା ଶ୍ରୀକୃଷ୍ଣ ରୂପରେ ଅବତୀର୍ଣ୍ଣ ହେଲେ । ତେଣୁ ତାଙ୍କୁ ସ୍ଵର୍ଗରେ ନିତ୍ୟ ଦର୍ଶନ କରୁଥିବା ବ୍ରହ୍ମା ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇ ଏହାର କାରଣ ଜାଣିବାକୁ ଇଚ୍ଛା କଲେ । ବ୍ରହ୍ମା, ଦେବତାଗଣ, ମୁନିଋଷିମାନେ କ୍ଷୀରସାଗର ତଟରେ ବିବିଧ ସ୍ତୋତ୍ରପାଠ କରି ଭଗବାନ ବିଷ୍ଣୁଙ୍କ ସ୍ତୁତି କରିବାରୁ ଆକାଶବାଣୀ ହେଲା ଏବଂ ବ୍ରହ୍ମା ଦେବତାମାନଙ୍କୁ ସନ୍ଦେଶ ଦେଲେ ଯେ ଆସୁଥିବା ଯୁଗ ହେଉଛି କଳିଯୁଗ ଏବଂ ଭାବହୀନ, ଭକ୍ତିହୀନ ମନୁଷ୍ୟମାନେ ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନର ଅଧିକାରୀ ନୁହଁନ୍ତି ।

 

ତେଣୁ କଳିଯୁଗରେ ଭଗବାନଙ୍କ ପ୍ରତ୍ୟକ୍ଷ ସାକ୍ଷାତ ଦୁର୍ଲଭ । କିନ୍ତୁ ଭଗବାନ ପରମ ଦୟାଳୁ, ସେ ଭକ୍ତର ଭଗବାନ–ଭକ୍ତକୁ କେବେ ନିରାଶ କରନ୍ତି ନାହିଁ । ତେଣୁ କଳିଯୁଗରେ ତାଙ୍କର ସାକ୍ଷାତ କାହାକୁ ମିଳେ, ସେ ସମ୍ପର୍କରେ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଯେ–

 

ୟଦି ୟୋ ଦର୍ଶନେ ଶ୍ରଦ୍ଧା ମଣ୍ଡପସ୍ୟ ସୁରେଶ୍ଵରାଃ ।

ଗୃହ୍ମୀଧ୍ୱଂ ମାମାକୀଂ ମୂର୍ତ୍ତି ଶୈଲୀଂ ନାରଦ କୁଣ୍ଡଗାମ୍‌ ।।

 

ଅର୍ଥାତ୍‌–ଆତ୍ମୋଦ୍ଧାର ପାଇଁ ମୋ’ଠାରେ ନିଷ୍ଠା ରଖୁଥ‌ିବା ବ୍ରହ୍ମା ନାରଦ-କୁଣ୍ଡରୁ ମୋର ଦିବ୍ୟ ବିଶାଳ ମୂର୍ତ୍ତିକୁ ଗ୍ରହଣ କରି ସ୍ଥାପନ କରନ୍ତୁ । କଳିକାଳରେ ମୋର ପ୍ରତ୍ୟକ୍ଷ ଦର୍ଶନର ଫଳ ମୋର ଏହି ଦିବ୍ୟମୂର୍ତ୍ତି ଦର୍ଶନ କଲେ ପ୍ରାପ୍ତ ହେବ ।

 

ଭଗବାନଙ୍କର ଏହି ଆଜ୍ଞା ଅନୁସାରେ ବ୍ରହ୍ମାଦି ଦେବତାମାନେ ବଡ଼ ଉତ୍ସାହର ସହିତ ବଦ୍ରିକାଶ୍ରମରେ ଆସି ପହଞ୍ଚିଲେ ଏବଂ ଉତ୍ସବ କରି ନାରଦକୁଣ୍ଡରୁ ଭଗବାନଙ୍କ ମୂର୍ତ୍ତି ଆଣି ସ୍ଥାପନ କଲେ । କିଛିକାଳ ଅନ୍ତେ ବ୍ରହ୍ମା ଦେବତା ଏବଂ ମନୁଷ୍ୟମାନଙ୍କ ଦ୍ଵାରା ସେଠାରେ ପୂଜାର୍ଚ୍ଚନା କରିବା ନିମନ୍ତେ କାଳ ନିର୍ଣ୍ଣୟ କରି ନିୟମ କଲେ ଯେ–

 

ବୈଶାଖେ ମାସି ତେ ଦେବା, ଗଚ୍ଛନ୍ତି ନିଜ ମନ୍ଦିରମ୍‌ ।

କାର୍ତ୍ତିକେତୁ ସମାଗତ୍ୟ ପୁନରର୍ଚ୍ଚିରନ୍ତିତେ ॥

ତତୋ ବୈଶାଖମାରାତ୍ମ୍ୟ ମାନୁଷାହିମସଂକ୍ଷୟାତ୍‌ ।

ଲଭନ୍ତେ ଦର୍ଶନଂ ପୁଣ୍ୟଂ ପାପକର୍ମ ବିବର୍ଜିତଃ ।।

ଷଣମାସଂଦେବତେପୂଜ୍ୟା ଷଣ୍‌ମାସଂମାନବେସ୍ତଥା ।।

 

–ସ୍କନ୍ଦ ପୁରାଣ

 

ଅର୍ଥାତ୍‌–ଦେବତାମାନେ ବୈଶାଖ ମାସର ଶୁଭାରମ୍ଭ ପରେ ମନୁଷ୍ୟମାନଙ୍କୁ ପୂଜା କରିବାର ଦାୟିତ୍ଵ ସମର୍ପଣ କରି ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ପୁନର୍ବାର କାର୍ତ୍ତିକ ମାସରେ ମନୁଷ୍ୟଠାରୁ ପୂଜାର ଦାୟିତ୍ଵ ଗ୍ରହଣ କରନ୍ତି । ଏହିପ୍ରଥା ଅନୁସାରେ ବୈଶାଖ ଠାରୁ କାର୍ତ୍ତିକ ମାସସୁଦ୍ଧା ମନୁଷ୍ୟମାନେ ପୂଜା କରନ୍ତି ଏବଂ ମାର୍ଗଶୀର ଠାରୁ ଚୈତ୍ର ଶେଷ ପର୍ଯ୍ୟନ୍ତ ଦେବତାମାନେ ନାରାୟଣଙ୍କର ପୂଜା କରନ୍ତି । ଏହି ପ୍ରଥା ଏବେ ମଧ୍ୟ ବଦ୍ରିକାଶ୍ରମରେ ପ୍ରଚଳିତ । ମାର୍ଗଶୀର ମାସଠାରୁ ଚୈତ୍ର ଶେଷ ପର୍ଯ୍ୟନ୍ତ ଏହି ସ୍ଥାନ ବରଫାବୃତ୍ତ ରହୁଥିବାରୁ ମନ୍ଦିରରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭିତ ପ୍ରଧାନ ନାରାୟଣ ମୂର୍ତ୍ତିଙ୍କର ପୂଜା ଦାୟିତ୍ଵ ନାରଦଙ୍କଠାରେ ଅର୍ପିତ ହୁଏ ଏବଂ ଚଳନ୍ତି ମୂର୍ତ୍ତିଙ୍କୁ ଯୋଶୀମଠକୁ ସ୍ଥାନାନ୍ତର କରି ଛଅମାସ ସେଠାରେ ପୂଜାର୍ଚ୍ଚନା କରାଯାଏ ।

 

କାଳକ୍ରମେ ଏଥିରେ ମଧ୍ୟ ବାଧା ସୃଷ୍ଟି ହେଲା । ବୌଦ୍ଧଧର୍ମର ହୀନଯାନ ଏବଂ ମହାଯାନ ପନ୍ଥୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ବଦ୍ରିକାଶ୍ରମ ମଧ୍ୟ ତହିଁର ପ୍ରଭାବରୁ ବାଦ୍‌ଗଲା ନାହିଁ ଏବଂ ପୂଜକମାନେ ବିଷ୍ଣୁଙ୍କର ମୂର୍ତ୍ତିକୁ ପୂଜାର୍ଚ୍ଚନା କରିବାରେ ଅସମର୍ଥ ହୋଇ ତାଙ୍କୁ ନାରଦ-କୁଣ୍ଡରେ ଲୁଚାଇ ରଖି ପଳାଇଗଲେ । ଏଣୁ ଆଉ ନାରାୟଣଙ୍କ ଦର୍ଶନ ନ ପାଇ ଦେବତା ଓ ମାନବଗଣ ଭଗବାନ ଶିବଙ୍କୁ ତପସ୍ୟା କଲେ ଏବଂ ତାଙ୍କୁ ଏହାର କାରଣ ପଚାରନ୍ତେ ସେ କହିଲେ ଯେ–ହେ ଦେବଗଣ, ମୂର୍ତ୍ତି କାହିଁ ଯାଇନାହିଁ, ନାରଦ-କୁଣ୍ଡରେ ରହିଛି । କିନ୍ତୁ ତୁମ୍ଭେମାନେ ଶକ୍ତିହୀନ ଥିବାରୁ ତାଙ୍କୁ ଉଦ୍ଧାର କରିପାରୁନାହଁ । ନାରାୟଣ ମୋର ମଧ୍ୟ ଆରାଧ୍ୟ, ତେଣୁ ମୁଁ ସ୍ଵୟଂ ଅବତାର ଗ୍ରହଣ କରି ନାରାୟଣଙ୍କ ସେହି ମୂର୍ତ୍ତି ଉଦ୍ଧାର କରି ଜଗତର କଲ୍ୟାଣ କରିବା ନିମନ୍ତେ ତାହା ସ୍ଥାପନ କରିବି ।

 

କାଳକ୍ରମେ ଶିବଙ୍କର ସେହି ବାଣୀ ସତ୍ୟରେ ପରିଣତ ହେଲା ଏବଂ ଶଙ୍କରଙ୍କର ସାକ୍ଷାତ ଅବତାର ଶଙ୍କରାଚାର୍ଯ୍ୟ କେରଳ ରାଜ୍ୟରୁ ଆସି ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର କରି ପୁନର୍ବାର ସେଠାରେ ପ୍ରତିଷ୍ଠା କଲେ । ‘ଶିବ ରହସ୍ୟ’ରେ ଏ ସମ୍ପର୍କରେ ଉଲ୍ଲେଖ ଅଛି ଯେ–

 

ବିପ୍ରଭୈରବଦତ୍ତସ୍ୟଗୈହେଗତ୍ଵା ସର୍ବେଶିବଃ ।

ତତ୍‌ପୁତ୍ରେ ଭୂରଭୂଲ୍ଲୋକ୍ଳେଶଂକର ନାମ ବିଶ୍ରୂତଃ ।।

 

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା କେବଳ ବଦ୍ରିକାଶ୍ରମରେ ନୁହେଁ, ଅନ୍ୟ ତୀର୍ଥସ୍ଥାନମାନଙ୍କରେ ମଧ୍ୟ ପବିତ୍ରତା ଓ ପୂଜାର୍ଚ୍ଚନା ପୁଣି ପ୍ରଚଳିତ ହୋଇଥିଲା । ସେ ବୌଦ୍ଧମାନଙ୍କର ମତ ଖଣ୍ଡନ କରି ସନାତନ ହିନ୍ଦୁଧର୍ମର ମହିମା ପ୍ରଚାର କରିଥିଲେ । କଥିତ ଅଛି ଯେ ଶଙ୍କରାଚାର୍ଯ୍ୟ ଏଗାର ବର୍ଷ ବୟସରେ ବଦ୍ରିକାଶ୍ରମରେ ପଦାର୍ପଣ କରିଥିଲେ ଏବଂ ନାରଦ-କୁଣ୍ଡରୁ ଭଗବାନଙ୍କ ମୂର୍ତ୍ତିକୁ ଉଦ୍ଧାର କରି ବିଧିପୂର୍ବକ ସ୍ଥାପିତ କରିଥିଲେ । ସେହିଦିନୁ ଆଜି ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କ ବଂଶଧର ଦକ୍ଷିଣ ଭାରତର କେରଳ ରାଜ୍ୟ ନିବାସୀ ନାମ୍ବୁଦ୍ରି ବ୍ରାହ୍ମଣମାନଙ୍କ ଦ୍ଵାରା ବଦ୍ରିନାଥଜୀଙ୍କର ପୂଜାର୍ଚ୍ଚନା ପରମ୍ପରା ଓ ନିୟମ ଅନୁସାରେ ଚଳିଆସୁଛି ।

 

ବଦ୍ରିନାଥ ଧାମର ଅନ୍ୟନାମ ‘ମୁକ୍ତିପ୍ରଦା’ ଏବଂ ଏହିଠାରେ ବେଦର ବିଭାଗୀକରଣ କରିଥିବାର ଶାସ୍ତ୍ରୀୟ ପ୍ରମାଣ ରହିଛି । ଅଷ୍ଟାଦଶ ପୁରାଣ ଏବଂ ‘ମହାଭାରତ’ର ରଚନା ଏହି ସ୍ଥାନରେ ବ୍ୟାସଦେବ କରିଥିଲେ । ତେଣୁ ସେହି ପ୍ରାଚୀନକାଳରୁ ଏଠାରେ ପଦାର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ଵାରା ବ୍ରହ୍ମହତ୍ୟା ପାପରୁ ମଧ୍ୟ ମୁକ୍ତି ମିଳେ । ଶଙ୍କରାଚାର୍ଯ୍ୟ ଏଠାରେ ଭଗବାନ ଶଙ୍କର ରୂପରେ ଆବିର୍ଭାବ ହୋଇଥିଲେ । ରାମଚନ୍ଦ୍ର ଓ ଇନ୍ଦ୍ର ମଧ୍ୟ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ବଦ୍ରିକାଶ୍ରମକୁ ଆସିଥିଲେ ।

 

ତେଣୁ ଶାସ୍ତ୍ର କହିଛି ଯେ–ଏହା କ୍ଷେତ୍ର ଦର୍ଶନ ମାତ୍ରେ ପ୍ରାଣୀମାନଙ୍କର ପାପ ଧୋଇ ହୋଇଯାଏ । ‘‘କ୍ଷେତ୍ର ଦର୍ଶନ ମାତ୍ରେଣ ପ୍ରାଣୀନାଂ ନାସ୍ତି ପାତକମ୍‌ ।’’ ଏହି ପୁଣ୍ୟକ୍ଷେତ୍ର ଦର୍ଶନ କରି ପୁଣ୍ୟତୋୟା ଅଳକାନନ୍ଦା ଓ ତପ୍ତକୁଣ୍ଡରେ ସ୍ନାନ କରି ଯିଏ ବିଶାଳ ବଦ୍ରିଙ୍କ ଦର୍ଶନ କରେ ଓ ମନ୍ଦିର ପରିକ୍ରମା କରେ ସେ ଅଶେଷ ପୁଣ୍ୟ ଅର୍ଜନ କରେ ଏବଂ ବିଷ୍ଣୁଲୋକ ପ୍ରାପ୍ତ ହୁଏ । ବଦ୍ରିବିଶାଳଙ୍କୁ ଦର୍ଶନ କରିବା ପୂର୍ବରୁ ସମର୍ଥ ତୀର୍ଥଯାତ୍ରୀମାନେ କେଦାରନାଥଙ୍କୁ ଦର୍ଶନ କରିବା ପରମ୍ପରା ଚଳି ଆସୁଛି ।

 

ପୁରାଣ ଓ ଶାସ୍ତ୍ର ବର୍ଣ୍ଣିତ ଏହି ପୁଣ୍ୟଭୂମିରେ ପାଦ ରଖି ଈଶ୍ଵରଙ୍କ ଅନାସ୍ଵାଦିତ ଅଖଣ୍ଡ ବିଭୂତି ଲାଭ କରିବାପାଇଁ ମନ ହେଲା; କିନ୍ତୁ ମୋ ଶ୍ଵଶୁର ପଣ୍ଡିତ ମହାଶୟ (ବାରିପଦାର ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ର) ସେତେବେଳକୁ ବାର୍ଦ୍ଧକ୍ୟର ଶୀର୍ଷଦେଶରେ ଚଉରାଶି ବର୍ଷର ସଂଲଗ୍ନରେ ଦଣ୍ଡାୟମାନ । ମନ ଅଛି କିନ୍ତୁ ଭରସା ହେଉନାହିଁ, ପ୍ରାଣ ଆକୁଳ ହେଉଛି ସେହି ପତିତପାବନୀ ଗଙ୍ଗାରେ ସ୍ନାନ କରି ସବୁଯୁଗର ଶ୍ରେଷ୍ଠ ଧାମ ବଦ୍ରିକାଶ୍ରମରେ ପହଁଞ୍ଚିବା ପାଇଁ । ଦିନେ ଗୁରୁଜୀ ପରମହଂସ ଯୋଗୀ ଶୈବାନନ୍ଦଜୀଙ୍କ ସମ୍ମୁଖରେ ସେ ଏହି ଆଶା ବ୍ୟକ୍ତ କରିବାରୁ ସେ ହଠାତ୍‌ ଆଶୀର୍ବାଦ ଦେବାପରି କହିଲେ, “ସମୟ ଏବେ ବି ଅଛି, ତୁ ଜ୍ଵାଇଁକୁ ସାଙ୍ଗରେ ନେଇ ଆଗାମୀ ଋତୁରେ ଚାଲିଯା.... ସବୁ ଠିକ୍‌ ହୋଇଯିବ ।’’

 

ଗୋଟିଏ ପାରିବାରିକ ଅନୁଷ୍ଠାନରେ ଯୋଗ ଦେବାପାଇଁ ମୁଁ ଗାଁକୁ ଯାଇଥାଏ । ଜାନୁଆରୀ ୨୬ ତାରିଖ ପ୍ରଜାତନ୍ତ୍ର ଦିବସ । ଏହା ପୂର୍ବରୁ ମୋ ସ୍ତ୍ରୀ ଗୀତାଦେବୀ ଅନେକଥର କହିଥାନ୍ତି ଯେ ତାଙ୍କ ପିତାମାତାଙ୍କୁ ବଦ୍ରିନାଥ ଦର୍ଶନ କରେଇ ଆଣିବା ପାଇଁ । ମୋର ପୁଣ୍ୟବଳ ନାହିଁ ଯେ ମୁଁ ସେଇ ପୁଣ୍ୟସ୍ଥାନକୁ ଯିବି, କିନ୍ତୁ ଧର୍ମକୁ ଆଶ୍ରୟ କରି ସେଇ ପରମଙ୍କୁ ଅନ୍ୱେଷଣ କରୁଥିବା ପିତାମାତା ଓ ସ୍ଵଜନଙ୍କ ସହିତ ଯିବାର ଗୋଟିଏ ଦୈବପ୍ରେରିତ ଅପୂର୍ବ ସୁଯୋଗ ପାଇ ଆଜିପର୍ଯ୍ୟନ୍ତ ନାହିଁ ନାହିଁ କରୁଥିବା ମୁଁ ହଠାତ ରାଜି ହୋଇଗଲି । ମନରେ ସାହସ ହେଲା–କିଛି ନ ହେଲେ ମଧ୍ୟ କୁସୁମ ସଙ୍ଗରେ ପଟୁ ନିସ୍ତାର ପାଇବା ଭଳି କଥା ହେବ । ଥଣ୍ଡା ମୋ ଦେହରେ ଯାଏନାହିଁ । ପୁଣି ଦୁର୍ଗମ ଦୁଃସାଧ୍ୟ ବିପଦସଙ୍କୁଳ ସେଇ ଗିରିପଥ ଲଙ୍ଘିବାକୁ ଯାଇ ପ୍ରତିବର୍ଷ ଅନେକ ଯାତ୍ରୀ ମୃତ୍ୟୁମୁଖରେ ପଡ଼ୁଥିବାର ଅନେକ ସମ୍ବାଦ ମୋତେ ଜଣାଥିବାରୁ ମନରୁ ସଂଶୟ ଯାଏ ନାହିଁ–କାଳେ ଯଦି ବଦ୍ରିକା ଯାଉଁ ଯାଉଁ ଅନ୍ତିମ ଯାତ୍ରା ହୋଇଯାଏ । ମନର ଆଶଙ୍କା ଗୋପନ କରି ବଳ ବାନ୍ଧିଲି, ସବୁ ଯୋଗାଡ଼ କରିବା ପାଇଁ ଡେରାଡ଼ୁନ୍‌ର ବନ୍ଧୁ ଜଗଦୀଶ ଚନ୍ଦ୍ର ବର୍ମାଙ୍କୁ ପତ୍ର ଲେଖିଲି । ସେଆଡ଼ୁ ସବୁ ଆୟୋଜନ ସମ୍ପୂର୍ଣ୍ଣ ବୋଲି ଆହୁରି ଶୀଘ୍ର ଉତ୍ତର ଆସିଲା ।

 

ପୂର୍ବେ କେଦାରନାଥ ଓ ବଦ୍ରିନାଥ ଯିବାପାଇଁ ଯାନବାହନ ନଥିଲା, ଦୀର୍ଘପଥ ପାଦରେ ଚାଲିଯିବାକୁ ପଡ଼ୁଥିଲା । ଏବେ ଋଷିକେଶଠାରୁ ବଦ୍ରିନାଥ ଧାମ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରୁଛି । ବାଟ ଭାଙ୍ଗି କେଦାରନାଥ ପଥରେ ଗୌରୀକୁଣ୍ଡ ପର୍ଯ୍ୟନ୍ତ ବସ୍‌ ଯାଉଛି; କିନ୍ତୁ ସେଠାରୁ ପ୍ରାୟ ନଅ ମାଇଲ ପଥ ପାଦରେ ଚାଲିବାକୁ ହୁଏ । ଅସମର୍ଥ, ବୃଦ୍ଧ ବା ଅପାରଗମାନେ ଘୋଡ଼ା ବା ଖଚ୍ଚର ଉପରେ ବା ଡୋଲିରେ ବସି ଯାଆନ୍ତି । ଆଜି ଯାନବାହନ ହେଲାଣି, ରାସ୍ତା ସୁନ୍ଦର ହେଲାଣି । ପର୍ବତ ଭିତର ଦେଇ ଋଷିକେଶଠାରୁ ବଦ୍ରିନାଥ ପର୍ଯ୍ୟନ୍ତ ଏଇ ତିନିଶହ କିଲୋମିଟର ବା ଦୁଇଶହ ମାଇଲରୁ ସାମାନ୍ୟ କମ୍‌ ପଥ ସର୍ପିଳ ଗତିରେ ଗତି କରିଛି । ଋଷିକେଶରୁ କେଦାରନାଥର ଦୂରତ୍ଵ ୨୨୩ କିଲୋମିଟର । ବଦ୍ରିନାଥ ସମୁଦ୍ର ପତ୍ତନଠାରୁ ୧୦୩୫୦ ଫୁଟ ଉପରେ ଏବଂ କେଦାରନାଥ ୧୧୭୫୦ ଫୁଟ ଉପରେ ଅବସ୍ଥିତ । କେଦାର-ବଦରି ଯାତ୍ରା ସମ୍ପର୍କରେ ଚିନ୍ତା ଓ ବ୍ୟବସ୍ଥା କରୁଥିବାବେଳେ ଖବର ମିଳିଲା ଯେ ଏପ୍ରିଲ ପଚିଶ ତାରିଖରେ ମନ୍ଦିର ଖୋଲିବ । କୁମ୍ଭମେଳାରେ ଦଳାଚକଟାରୁ ଅନେକ ମୂଲ୍ୟବାନ ଜୀବନ ନଷ୍ଟ ହେବାର ଖବର ହରିଦ୍ଵାରରୁ ମିଳିବା ପରେ ପରେ ଏପ୍ରିଲ ସତେଇଶ କି ଅଠେଇଶ ତାରିଖ ଦିନ ପୁନାର ଦଳେ ତୀର୍ଥଯାତ୍ରୀ ଗୋଟିଏ ବସ୍‌ରେ କେଦାରନାଥ ଯାତ୍ରା କରୁଥିବା ସମୟରେ ବାଟରେ ବସ୍‌ ଦୁର୍ଘଟଣାରେ ପଇଁଚାଳିଶ ଜଣ ଇହଧାମ ତ୍ୟାଗ କରିବାର ଖବର ପହଞ୍ଚିବାରୁ ମୁଁ ଶଙ୍କିଗଲି । ମୃତ୍ୟୁଭୟ କାହାର ବା ନାହିଁ; କିନ୍ତୁ ବାପାଙ୍କୁ ମନା କରିବାର ସାହସ ହେଉ ନଥାଏ । ପ୍ରକାରାନ୍ତରେ ଏହିସବୁ ଘଟଣା ବୁଝାଇବା ପରେ ବି ସେ ଅଟଳ ରହିବାରୁ ଅଣ୍ଟାଭିଡ଼ି ବାହାରିପଡ଼ିଲୁ । ସାଙ୍ଗରେ ବାପା, ମା’, ସାନଭାଇ ଶିଶିର, ଭିଣୋଇ ଲକ୍ଷ୍ମୀଧରବାବୁ, ସମ୍ପର୍କୀୟ ପାଣି ମହାଶୟ, ଭୁବନେଶ୍ୱରର ଶ୍ରୀକାନ୍ତ ପୂଜାପଣ୍ଡା, ଋଷିକେଶର ଡାକ୍ତର ସୁଧାଂଶୁ ମୁଖାର୍ଜୀ ଓ ମୀନାକ୍ଷୀ ଶ୍ରୀବାସ୍ତବ ଏବଂ ଡେରାଡ଼ୁନ୍‌ର ଶ୍ରୀ ଜଗଦୀଶ ଚନ୍ଦ୍ର ବର୍ମାଙ୍କ ସହିତ ବାହାରି ପଡ଼ିଲୁ । ଦୁଇଜଣ ଆତ୍ମୀୟ ଏବଂ ଡାକ୍ତର ମୁଖାର୍ଜୀ ସେମାନଙ୍କର ବନ୍ଧୁ । ବୟସ୍କମାନଙ୍କୁ ନେଇ ଯାଉଥିବାରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଥିଲେ ବର୍ମା ସାହେବ । ଆମ୍ଭମାନଙ୍କ ମଧ୍ୟରୁ ଜଣେ ଚଉରାଶି ବର୍ଷର, ଜଣେ ପଞ୍ଚାଅଶି, ଜଣେ ଅଠସ୍ତରୀ, ଅନ୍ୟଜଣେ ବାସ୍ତରୀ ବର୍ଷର । ଏଣୁ ସାହସ ହେଉ ନଥାଏ, ଆଶଙ୍କା ଜାଗୁଥାଏ ମନରେ । ଶକ୍ତିସ୍ଵରୂପିଣୀ ମୀନାକ୍ଷୀଦେବୀ କେବଳ କହୁଥାଆନ୍ତି–‘‘ଭାଇସାହେବ, ଥରେ ବଦରି ଗଲେ ମନ ଓ ପ୍ରାଣ ଅପୂର୍ବ ଶାନ୍ତିରେ ଭରିଉଠିବ । ଭୟ ନାହିଁ ।’’

 

ମେ ସାତ ତାରିଖ, କଲିକତାରୁ ଶୁଭଯାତ୍ରା ଆରମ୍ଭ ହେଲା ଡୁନ୍‌ ଏକ୍‌ସପ୍ରେସ୍‌ରେ । ସ୍ଥାନ ସଂରକ୍ଷଣ କି କଷ୍ଟସାଧ୍ୟ ତାହା ଭୁକ୍ତଭୋଗୀମାନେ ଜାଣନ୍ତି । ଅନେକ ଯାତ୍ରୀ କିନ୍ତୁ ସ୍ଥାନ କମ୍‌ । ତେଣୁ କେତେକ ନିରାଶ ହୁଅନ୍ତି ସ୍ଥାନ ନପାଇ । ଭାଗ୍ୟକୁ ସ୍ଥାନ ମିଳିଗଲା ସମସ୍ତଙ୍କୁ କଲିକତାର ଅଶୋକ ଦେବଙ୍କ ତତ୍ପରତାରୁ । ହାଓଡ଼ାରୁ ହରିଦ୍ଵାର ପର୍ଯ୍ୟର ପଥ ଅତିକ୍ରମ କରିବାକୁ ଲାଗେ ପ୍ରାୟ ଚଉତିରିଶ ଘଣ୍ଟା; କିନ୍ତୁ ରାସ୍ତାରେ ଇଞ୍ଜିନ ଖରାପ ହେବାରୁ ହରିଦ୍ଵାରରେ ଚାରିଘଣ୍ଟା ବିଳମ୍ବରେ ପହଞ୍ଚିଲୁ । କିନ୍ତୁ ଭୋର୍‌ ପାଞ୍ଚଟାରେ ଆମ୍ଭମାନଙ୍କୁ ସଙ୍ଖୋଳିବା ପାଇଁ ଆସି ବର୍ମା ସାହେବ, ବନ୍ଧୁପତ୍ନୀ ସୁପଣ୍ଡିତା ଓ ଶକ୍ତିସାଧିକା ଶ୍ରୀମତୀ ଅନସୂୟା ବର୍ମା ଏବଂ ଶ୍ରୀ ଶ୍ରୀପାଦ ପ୍ରସାଦ ଶ୍ରୀବାସ୍ତବ ଷ୍ଟେସନରେ ଅଟକିଗଲେ ନଅଟା ପର୍ଯ୍ୟନ୍ତ । ଏଇ ସୁଯୋଗରେ ଅନୁସୂୟାଦେବୀ ହରିଦ୍ଵାରର ହରିକିପୌରିଠାରେ ସ୍ନାନ କରି ମା’ ଗଙ୍ଗା, ଶିବ, ନାରାୟଣ ଏବଂ ଅନ୍ୟାନ୍ୟ ଦେବତାଙ୍କର ପୂଜାର୍ଚ୍ଚନା ଶେଷ କରିନେଲେ । ଆମ ସହିତ ଦେଖାହେବା ବେଳକୁ ତାଙ୍କ ତୁଣ୍ଡରୁ ମନ୍ତ୍ର ଉଚ୍ଚାରିତ ହେଉଥାଏ ।

 

ହରିଙ୍କ ସ୍ଥାନର ଦ୍ଵାରଦେଶରେ ଅବସ୍ଥିତ ବୋଲି ଏହାର ନାମ ହରିଦ୍ଵାର, ପୁଣି ହରିଙ୍କ ସ୍ଥାନ (କେଦାରନାଥ)ର ଦ୍ଵାରଦେଶରେ ଅବସ୍ଥିତ ବୋଲି କେହି କେହି ଏହାକୁ ହରଦ୍ଵାର ବୋଲି ମଧ୍ୟ କହିଥାଆନ୍ତି । କିନ୍ତୁ ହରଦ୍ଵାର ବା ହରିଦ୍ଵାର ଯାହା କୁହାଯାଉନା କାହିଁକି ଏହା ଯେ ପୁଣ୍ୟସ୍ଥାନ, ତା’ର ଭୂରି ଭୂରି ପ୍ରମାଣ ରହିଛି ଶାସ୍ତ୍ରରେ । ଦେବ ଓ ଦାନବଙ୍କ ମଧ୍ୟରେ ସେ ଅମୃତଭାଣ୍ଡ ଅଧିକାର କରିବା ସକାଶେ ଯୁଦ୍ଧ ହେବା ସମୟରେ ଏଠାରେ ସେଥିରୁ କିଛି ଅମୃତ ଛିଟିକି ପଡ଼ିଥିଲା ବୋଲି ବାରବର୍ଷରେ ଥରେ ହରିଦ୍ଵାରରେ ପୂର୍ଣ୍ଣ କୁମ୍ଭମେଳା ହୁଏ । ଏ ବର୍ଷ ପୂର୍ଣ୍ଣକୁମ୍ଭକୁ ଲକ୍ଷ ଲକ୍ଷ ଲୋକ ଆସିଥିଲେ ଭାରତବର୍ଷର ଚତୁର୍ଦ୍ଦିଗରୁ । କାର୍‌ରେ ହରକିପୌରୀ ହୋଇ ଋଷିକେଶ ଯିବା ରାସ୍ତାରେ ସବୁ ଦେଖାଇ ଦେଉଥାଆନ୍ତି ବର୍ମା ସାହେବ ଓ ତାଙ୍କ ପତ୍ନୀ ।

 

ଋଷିକେଶଠାରୁ ପ୍ରାୟ ତିନିମାଇଲ ଦୂରରେ ବୀରଭଦ୍ରଠାରେ ଇଣ୍ଡିଆନ୍‌ ଡ୍ରଗ୍‌ସ ଆଣ୍ଡ ଫରମାସିଉଟିକାଲ୍‌ସ ଲିମିଟେଡ଼୍‌ର ଔଷଧ ତିଆରି କାରଖାନା ଏବଂ କଲୋନୀ । ସେଠାରେ ପ୍ରୋଡ଼ାକ୍‌ସନ ଇଞ୍ଜିନିଅର ଭାବରେ କାମ କରନ୍ତି ଡକ୍ଟର ଶ୍ରୀବାସ୍ତବ । ତାଙ୍କ ଘରେ ଚର୍ଚ୍ଚିତ ହେବାପରେ ଆମେ ରହିଲୁ ଆଇ.ଡି.ପି.ଏଲ୍‌. ଗେଷ୍ଟ ହାଉସ୍‌ରେ ଏବଂ ବାପା ମା’ ରହିଲେ ଶ୍ରୀବାସ୍ତବଜୀଙ୍କ ଓ ମୀନାକ୍ଷୀ ଦେବୀଙ୍କ ଘରେ । ଶ୍ରୀବାସ୍ତବଙ୍କ ସ୍ତ୍ରୀ ମୀନାକ୍ଷୀ କେରଳର କନ୍ୟା ଏବଂ ଆଇ.ଡି.ପି.ଏଲ୍‌. ର ବୈଜ୍ଞାନିକ ଗବେଷଣା ଅଫିସର । ତାଙ୍କର କର୍ମତତ୍ପରତା, ସ୍ଵଭାବସୁଲଭ ବନ୍ଧୁବତ୍ସଳତା ଓ ଅତିଥିପରାୟଣତା ଅତି ଅଳ୍ପସମୟ ମଧ୍ୟରେ ସମସ୍ତଙ୍କୁ ମୁଗ୍‌ଧ ମୋହିତ କରିଦେଲା ।

 

ବୀରଭଦ୍ରର ପରିବେଶ ଶାନ୍ତି ଓ ସୌନ୍ଦର୍ଯ୍ୟ, ମନ ମୁଗ୍‌ଧକର । ହିମାଳୟର ପାଦଦେଶରେ ଅବସ୍ଥିତ ଔଷଧ ଉତ୍ପାଦନକାରୀ ସଂସ୍ଥାରେ ଦୁଇଜଣ ଓଡ଼ିଆଙ୍କୁ ଠାବ କଲୁ । ଜଣେ ଉଚ୍ଚପଦାଧିକାରୀ ସ୍ଵର୍ଗତ ଗୌରୀପଦ ତ୍ରିପାଠୀଙ୍କ ସୁଯୋଗ୍ୟ ପୁତ୍ର ତାରକ କୁମାର ତ୍ରିପାଠୀ ଏବଂ ଅନ୍ୟଜଣେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଏଲ ସିକ୍ୟୁରିଟି ଫୋର୍ସର ଇନିସ୍‌ପେକ୍ଟର ଶ୍ରୀ ରାୟ । ଋଷିକେଶରେ ଦିନେ ବିଶ୍ରାମ କରି ମୀନାକ୍ଷୀ ଦେବୀଙ୍କ ଘରେ ଚା’ ପାନ କରି ବାହାରିବାବେଳକୁ ସୂର୍ଯ୍ୟଦେବ ଉଠି ନଥାନ୍ତି ପୂର୍ବ ଦିଗରେ । ସକାଳର ଶୀତଳ ପବନ ବାଜି ଉଲୁସି ଉଠୁଥାଏ ମନ ଓ ଶରୀର । ସମ୍ମୁଖରେ ହିମାଳୟ ପର୍ବତମାଳାର ପାଦଦେଶ । ଚାହିଁଲେ ଆଖି ପାଏନି । ଏଇ ବିଶାଳ ବିଶ୍ଵବ୍ରହ୍ମାଣ୍ଡରେ ନିଜକୁ ଅତି ଅକିଞ୍ଚନ, କ୍ଷୁଦ୍ରାଦପିକ୍ଷୁଦ୍ର ମନେହୋଇ ଏକ ଅସହାୟ ଭାବ ଜାଗ୍ରତ ହୁଏ ମନରେ । ଗାଡ଼ି ଗିରିମାର୍ଗର ପାଦଦେଶରେ ମୋଡ଼ ଭାଙ୍ଗିବାବେଳକୁ ଆମ ତୁଣ୍ଡରୁ ବାହାରିଗଲା ବଦ୍ରିବିଶାଳ କୀ ଜୟ । ଗଙ୍ଗା ଏହି ଋଷିକେଶଠାରେ ହିମାଳୟ କୋଳ ପରିତ୍ୟାଗ କରି ଓହ୍ଲେଇ ଆସିଛନ୍ତି ସମତଳ ଭୂମିକୁ । ପୁଣ୍ୟତୋୟା ଗଙ୍ଗାନଦୀର ଦୁଇ ପାଖରେ ଅନେକ ଆଶ୍ରମ ଓ ସାଧନା କେନ୍ଦ୍ର । ଶିବାନନ୍ଦ ଆଶ୍ରମ, ଗୀତା ଭବନ, କାଳୀକମଳି ଆଶ୍ରମ ପ୍ରଭୃତି ଅନେକ ସାଧନାକେନ୍ଦ୍ର, ଲକ୍ଷ୍ମଣ ଝୁଲା ଓ ନୂତନ ଭାବରେ ନିର୍ମିତ ହୋଇଥିବା ଶିବାନନ୍ଦ ଝୁଲାକୁ ପଛରେ ପକେଇ ଦୁଇଟି ଆମ୍ବାସାଡ଼ର ଗାଡ଼ି ପର୍ବତ ଉପରକୁ ଉଠିଲେ । ମନର ଆଶଙ୍କା ଓ ସଂଶୟ ଦୂର କରିବାପାଇଁ ପୁନର୍ବାର ଉଚ୍ଚାରଣ କଲି–ବଦ୍ରିବିଶାଳ କୀ ଜୟ...... ।

 

।। ଦୁଇ ।।

ଗଙ୍ଗାବତରଣ

 

ଋଷିକେଶ ଏକ ପୁଣ୍ୟପୀଠ । ଏଠାରେ ଗଙ୍ଗା ହିମାଳୟର କୋଳ ପରିତ୍ୟାଗ କରି ସମତଳଭୂମିକୁ ଲମ୍ଫ ପ୍ରଦାନ କରିଛି । ଋଷିକେଶଠାରୁ ବଦ୍ରିନାଥ ଯାତ୍ରା କରିବାକୁ ହୁଏ । ଏଠାରେ ବହୁ ମଠ, ଧର୍ମାନୁଷ୍ଠାନ, ଆଶ୍ରମ, ହୋଟେଲ ଓ ବଜାର ରହିଛି । ଋଷିକେଶରୁ ଦେବଭୂମି ହିମାଳୟର ବିଭିନ୍ନ ତୀର୍ଥ ଓ ଦର୍ଶନୀୟ ସ୍ଥାନକୁ ଯିବାପାଇଁ ବସ୍‌ ବା ଟ୍ୟାକ୍‌ସି ମିଳେ । ଏଠାରୁ ପଦଯାତ୍ରୀମାନେ ମଧ୍ୟ ଚଲାପଥରେ ବିଭିନ୍ନ ସ୍ଥାନ ଦର୍ଶନ କରିବା ପାଇଁ ଯାତ୍ରା ଆରମ୍ଭ କରିଥାଆନ୍ତି-। ଋଷିକେଶର ପ୍ରଧାନ ଆକର୍ଷଣ ଲକ୍ଷ୍ମଣ ଝୁଲା ଏବଂ ନବନିର୍ମିତ ଶିବାନନ୍ଦ ଝୁଲା । ଗଙ୍ଗା ନଦୀ ଉପରେ ଏଇ ଦୁଇଟି ଝୁଲା ପୋଲ ଉପର ଦେଇ ଲୋକମାନେ ଗୋଟିଏ ପାଖରୁ ଅନ୍ୟ ପାଖକୁ ଯାଆନ୍ତି । ଆମେ ଋଷିକେଶରୁ ଯାତ୍ରା ଆରମ୍ଭ କଲାବେଳକୁ ପ୍ରଭାତର ଶୀତଳ ପବନ ଦେହ ଓ ମନକୁ ଉଲ୍ଲସିତ କରୁଥାଏ । ହିମାଳୟର ପାଦଦେଶରେ ଅବସ୍ଥିତ ଏହି ପୁଣ୍ୟଭୂମିରୁ ଯାତ୍ରା ଆରମ୍ଭ କଲାବେଳେ ମନ ଓ ପ୍ରାଣ ଏକ ଅନାସ୍ଵାଦିତ ଆନନ୍ଦ ଓ ଉତ୍କଣ୍ଠାରେ ପୂର୍ଣ୍ଣ ହୋଇଯାଏ ।

 

ହିମାଳୟ ଅନନ୍ତକାଳରୁ ଏ ଦେଶର ସଂସ୍କୃତି, ଶାସ୍ତ୍ର, ପୁରାଣ ଓ ପରମ୍ପରା ସହିତ ଜଡ଼ିତ-। ଏହା ଦେବତାମାନଙ୍କର ବାସସ୍ଥଳ ଏବଂ ପତିତପାବନୀ ଗଙ୍ଗା, ଯମୁନା ଏବଂ ଅନ୍ୟାନ୍ୟ ବହୁ ସ୍ରୋତସ୍ଵିନୀର ଜନ୍ମସ୍ଥଳ । ହିମାଳୟର ନାମୋଚ୍ଚାରଣ କଲେ ଯେପରି ଆଖି ଆଗରେ ଝଲସିଯାଏ ଅପୂର୍ବ ଶୋଭା ଏବଂ ପ୍ରଶାନ୍ତିମଣ୍ଡିତ ଦେବତାମାନଙ୍କର ଲୀଳାଭୂମିର ଅନୁପମ ଚିତ୍ର; ସେହିପରି ଯାତ୍ରା ଆରମ୍ଭରେ ପତିତପାବନୀ ପୁଣ୍ୟତୋୟା ଗଙ୍ଗା ନଦୀର ଦର୍ଶନ ଦ୍ଵାରା ଦେହ ଓ ମନ ଆନନ୍ଦରେ ପୂର୍ଣ୍ଣ ହୋଇଯାଏ । ଗଙ୍ଗା କେବଳ ଏକ ନଦୀ ନୁହେଁ ଏହା ଆମର ଧର୍ମ, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ଇତିହାସ ଏବଂ ପରମ୍ପରା ସହିତ ଏପରି ନିବିଡ଼ ଭାବରେ ଜଡ଼ିତ ଯେ ଗଙ୍ଗା ନଦୀର ନାମୋଚ୍ଚାରଣ କଲେ ପୂଣ୍ୟ ଅର୍ଜନ କରାଯାଏ ବୋଲି କଥିତ ଅଛି । ଗଙ୍ଗା ଭାରତୀୟ ଧର୍ମ ଧାରଣା ସହିତ ଏପରି ମିଶି ରହିଛି ଯେ ଏହାକୁ ବାଦ ଦେଇ ସେ ବିଷୟରେ କିଛି ଚିନ୍ତା ମଧ୍ୟ କରାଯାଇପାରେ ନାହିଁ ।

 

ସଡ଼କପଥରେ ଋଷିକେଶ ଠାରୁ ବଦ୍ରିନାଥର ଦୂରତ୍ଵ ୩୨୨ କିଲୋମିଟର ବା ଦୁଇଶହ ମାଇଲ । ଏଇ ଦୀର୍ଘପଥ ହିମାଳୟ ପର୍ବତମାଳା ଭିତର ଦେଇ ଗତି କରିଛି । ଋଷିକେଶ ଠାରୁ ଘାଟି ଅତିକ୍ରମ କଲାବେଳେ ଡାହାଣ ପାଖରେ ସବୁଜ ପର୍ବତମାଳା ଏବଂ ନିମ୍ନଦେଶରେ ହିମାଳୟର କୋଳ ପରିତ୍ୟାଗ କରି ଅବତରଣ କରୁଥିବା ଗଙ୍ଗା ନଦୀର ସୁନ୍ଦର ଦୃଶ୍ୟ ଆଖି ଆଗରେ ପଡ଼େ । ହିମାଳୟର–ପାଦଦେଶର ଅରଣ୍ୟ ଶାଳ, ପିଆଶାଳ ବା ସେହି ଜାତୀୟ ବନସ୍ପତିମାନଙ୍କ ଦ୍ଵାରା ପୂର୍ଣ୍ଣ । କିନ୍ତୁ ମଣିଷର ସର୍ବଗ୍ରାସୀ କ୍ଷୁଧା ଚରିତାର୍ଥ କରିବା ପାଇଁ ଜଙ୍ଗଲ କିପରି ନଷ୍ଟ ହବାରେ ଲାଗିଛି ତା’ର ଭୁରି ଭୁରି ପ୍ରମାଣ ଏଇ ପାଦଦେଶରୁ ଦେଖିବାକୁ ମିଳେ ।

 

ଆମେ ଆଗକୁ ଯେତିକି ଅଗ୍ରସର ହେଉଥାଉଁ, ଗଙ୍ଗାନଦୀ ସେତିକି ଆମକୁ ସଙ୍ଗୀତ ଶୁଣାଉଥାଏ । ବିଶାଳ ବଦ୍ରିଙ୍କର ଜୟଧ୍ଵନି କରି ଗଙ୍ଗାଙ୍କ ବିଷୟରେ ଜାଣିବା ପାଇଁ ଉଦ୍‌ଗ୍ରୀବ ହୋଇ ପଡ଼ିଲୁ । ଗଙ୍ଗାନଦୀ ସମ୍ପର୍କରେ ପୁରାଣରେ ବହୁ ରୋମାଞ୍ଚକର କାହାଣୀ ଲିପିବଦ୍ଧ ହୋଇ ରହିଛି । ଗଙ୍ଗାନଦୀର କିପରି ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ସହିତ ସମ୍ପର୍କ ରହିଛି ତା’ର ବର୍ଣ୍ଣନା ପୁରାଣମାନଙ୍କରେ ରହିଛି । ରାମାୟଣ ଅନୁସାରେ ଗଙ୍ଗା ହିମାଳୟ ଓ ମେନକାଙ୍କର ଜ୍ୟେଷ୍ଠା କନ୍ୟା । ଯେଉଁ ସାତଟି ଗଙ୍ଗା ଅଛନ୍ତି ସେମାନଙ୍କର ନାମ ଯଥାକ୍ରମେ ହ୍ଲାଦିନୀ, ପାବନୀ, ନନ୍ଦିନୀ, ସୀତା, ସିନ୍ଧୁ, କୁଳାସୁ ଏବଂ ଭାଗୀରଥୀ । ଗଙ୍ଗା ଭାଗୀରଥୀ ଭାବରେ ସ୍ଵର୍ଗରୁ ମର୍ତ୍ତ୍ୟରେ ଅବତରଣ କରିଛନ୍ତି । ସ୍ଵର୍ଗର ସେହି ପବିତ୍ର ଜଳଧାରର ନାମ ସ୍ଵର୍ଗଗଙ୍ଗା, ଅଳକାନନ୍ଦା ବା ମନ୍ଦାକିନୀ । ତାଙ୍କର ଅନ୍ୟନାମ ହେଲା ବିଷ୍ଣୁପଦୀ, ଜହ୍ନତନୟା ଜାହ୍ନବୀ, ସୁରନିମ୍ନଗା, ତ୍ରିପଥଗା, ଋଷିକୂଲ୍ୟା, ହୈମବତୀ, ନନ୍ଦିନୀ ପ୍ରଭୃତି ।

 

ବାଲ୍ମୀକି ରାମାୟଣରେ ଗଙ୍ଗା ଉପାଖ୍ୟାନ ଓ କାର୍ତ୍ତିକେୟଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି ।

 

ଜାହ୍ନବୀତଟରେ ତ୍ରିପଥଗା ଗଙ୍ଗା କିପରି ତ୍ରିଲୋକ ଅତିକ୍ରମ କରି ସମୁଦ୍ରରେ ପଡ଼ିଛନ୍ତି ତାହା ଜାଣିବାକୁ ଚାହିଁବାରୁ ବିଶ୍ଵାମିତ୍ର କହିଲେ ଯେ ହିମାଳୟର ପତ୍ନୀ ସୁମେରୁ ଦୁହିତା ମେନାଙ୍କ ଗର୍ଭରୁ ଦୁଇ କନ୍ୟା ଜନ୍ମଗ୍ରହଣ କଲେ । ଜ୍ୟେଷ୍ଠା ଗଙ୍ଗା ଏବଂ କନିଷ୍ଠା ଉମା । ଦେବତାମାନଙ୍କର କୌଣସି ଏକ କାର୍ଯ୍ୟସାଧନ ନିମନ୍ତେ ହିମାଳୟ ଗଙ୍ଗାଙ୍କୁ ସୁରଲୋକଙ୍କୁ ପଠାଇଥିଲେ, ଉମା କଠୋର ତପସ୍ୟା କରି ଶିବଙ୍କୁ ପତିରୂପେ ଲାଭ କଲେ ।

 

ମହାଦେବ ଶତବର୍ଷ ଉମାଙ୍କ ସହିତ ସହବାସ କରିବା ପରେ ମଧ୍ୟ କୌଣସି ପୁତ୍ର ନ ହେବାରୁ ଦେବତାମାନେ ତାଙ୍କୁ କହିଲେ–ହେ ମହାଦେବ, ତ୍ରିଲୋକ ଆପଣଙ୍କର ତେଜ ଧାରଣ କରିବାକୁ ଅକ୍ଷମ, ଆପଣ ନିଜେ ହିଁ ତାହା ଧାରଣ କରନ୍ତୁ । ମହାଦେବ ସମ୍ମତ ହୋଇ କହିଲେ–ମୁଁ ଉମାଙ୍କ ସହିତ ସେହି ତେଜ ଧାରଣ କରିବି; କିନ୍ତୁ ମୋର ଯେଉଁ ତେଜ ବିଗଳିତ ହୋଇଛି ତାହା କିଏ ଧାରଣ କରିବ ? ଦେବତାମାନେ କହିଲେ–ଧରା ତାହା ଧାରଣ କରିବେ । ଏହା ଶୁଣି ମହାଦେବ ତେଜ ମୋଚନ କରିବାରୁ ତାହାଦ୍ୱାରା ପୃଥୀ ବ୍ୟାପ୍ତ ହେଲା । ତା’ପରେ ଦେବତାମାନଙ୍କ ଅନୁରୋଧରେ ବାୟୁ ଓ ଅଗ୍ନି, ସେଇ ତେଜରେ ପ୍ରବେଶ କଲେ ଏବଂ ଏହା ଫଳରେ ଶ୍ଵେତ ପର୍ବତ ଓ ଦିବ୍ୟ ଶରବଣ ଉତ୍ପନ୍ନ ହେଲା । ସେଇ ଶରବଣରେ କାର୍ତ୍ତିକେୟ ଜନ୍ମ ଗ୍ରହଣ କଲେ ।

 

ଶୈଳସୁତା ଉମା କ୍ରୁଦ୍ଧା ହୋଇ ଦେବତାମାନଙ୍କୁ ଅଭିଶାପ ଦେଲେ ଏବଂ କହିଲେ–ପୁତ୍ର କାମନା କରି ମୁଁ ସ୍ଵାମୀଙ୍କ ସହିତ ସହବାସ କରୁଥିଲାବେଳେ ତୁମ୍ଭେମାନେ ଆସି ସେଥିରେ ବ୍ୟାଘାତ ସୃଷ୍ଟି କରିଛ, ଅତଏବ ଏହାପରେ ତୁମ୍ଭମାନଙ୍କର ପତ୍ନୀମାନେ ବନ୍ଧ୍ୟା ହେବେ । ସେ ପୁଣି ପୃଥିବୀକୁ କହିଲେ–ତୁମେ ମଧ୍ୟ ବହୁରୂପା ଓ ବହୁଭୋଗ୍ୟା ହେବ । ତୁମେ ଚାହଁ ନା ଯେ ମୋର ପୁତ୍ର ହେଉ, ତେଣୁ ତୁମେ ମଧ୍ୟ ପୁତ୍ରବତୀର ଆନନ୍ଦ ପାଇବ ନାହିଁ । ତା’ପରେ ହରପାର୍ବତୀ ହିମାଳୟର ଏକ ଉତ୍ତରବର୍ତ୍ତୀ ଶୃଙ୍ଗରେ ତପସ୍ୟା କରିବାକୁ ଲାଗିଲେ ।

 

ଦେବତାମାନେ ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ–ଆମ୍ଭମାନଙ୍କର ସେନାପତିଙ୍କୁ ଯିଏ ଜନ୍ମ ଦେବେ ସେହି ଶିବ ପାର୍ବତୀ ବର୍ତ୍ତମାନ ତପସ୍ୟାରତ । ବର୍ତ୍ତମାନ ଲୋକହିତ ପାଇଁ ଯାହା କର୍ତ୍ତବ୍ୟ ତାହା କରନ୍ତୁ । ବ୍ରହ୍ମା ଆଶ୍ୱାସନା ଦେଇ କହିଲେ–ଅଗ୍ନିଙ୍କ ଠାରୁ ଆକାଶଗଙ୍ଗା ମନ୍ଦାକିନୀରେ ଯେଉଁ ପୁତ୍ର ପ୍ରସବ କରିବେ ସେ ତୁମ୍ଭମାନଙ୍କ ସେନାପତି ହେବେ । ତା’ପରେ ଦେବତାମାନେ କୈଳାସ ପର୍ବତକୁ ଯାଇ ଅଗ୍ନିଙ୍କୁ ଅନୁରୋଧ କଲେ–ତୁମେ ଶିବ ତେଜ ଗଙ୍ଗାରେ ନିକ୍ଷେପ କର । ସେମାନେ ଗଙ୍ଗାଙ୍କୁ ମଧ୍ୟ କହିଲେ–ଦେବୀ ତୁମେ ଗର୍ଭଧାରଣ କରି ଦେବତାମାନଙ୍କର ପ୍ରିୟ କାର୍ଯ୍ୟ ସାଧନ କର ।

 

ଶିବ ତେଜ ନିକ୍ଷିପ୍ତ ହେବାରୁ ଗଙ୍ଗା କହିଲେ–ମୁଁ ଦଗ୍‌ଧ ହେଇଛି, ଏହି ତେଜ ମୋର ଅସହ୍ୟ ।

 

ତା’ପରେ ଅଗ୍ନିଙ୍କ ଉପଦେଶ ଅନୁସାରେ ଗଙ୍ଗା ହିମାଳୟ ପାଖରେ ତେଜ ପରିତ୍ୟାଗ କଲେ ଏବଂ ସେଇ ତେଜର ପ୍ରଭାବରୁ ସୁବର୍ଣ୍ଣ, ରୂପା, ତମ୍ବା, ଲୁହା, ସୀସା ପ୍ରଭୃତି ଧାତୁ ଏବଂ ଗୋଟିଏ କୁମାର ଉତ୍ପନ୍ନ ହେଲେ ।

 

ଦେବତାମାନଙ୍କ ଅନୁରୋଧରେ କୃତ୍ରିମ ନକ୍ଷତ୍ରଗଣ ସେହି କୁମାରଙ୍କୁ ପାଳନ କଲେ–ସେଥ‌ିପାଇଁ ତାଙ୍କ ନାମ କାର୍ତ୍ତିକେୟ ହେଲା । ସେ ମଧ୍ୟ ମୁହଁ ଦେଇ ଷଟ୍‌କୃତ୍ତିକାର ସ୍ତନ୍ୟପାନ କରିବାକୁ ଲାଗିଲେ । ଗଙ୍ଗାଙ୍କ ଗର୍ଭରୁ ସ୍କନ୍ମ ବା ଚ୍ୟୁତ ହୋଇଥିଲେ ବୋଲି ତାଙ୍କର ଅନ୍ୟ ଏକ ନାମ ସ୍କନ୍ଦ । ଏହି କାର୍ତ୍ତିକେୟ ପରେ ଦେବତାମାନଙ୍କର ସେନାପତି ହୋଇ ଦୈତ୍ୟସେନାକୁ ପରାସ୍ତ କରିଥିଲେ ।

 

ଏହାପରେ ବିଶ୍ୱାମିତ୍ର ସଗର ରାଜବଂଶର ଇତିହାସ ବର୍ଣ୍ଣନା କରିବାକୁ ଲାଗିଲେ–

 

ପ୍ରାଚୀନ କାଳରେ ଅଯୋଧ୍ୟାରେ ସଗର ନାମରେ ଜଣେ ଧର୍ମାତ୍ମା ରାଜା ଥିଲେ । ତାଙ୍କ ଜ୍ୟେଷ୍ଠା ମହିଷୀଙ୍କ ନାମ କେଶିନୀ ଏବଂ କନିଷ୍ଠା ମହିଷୀଙ୍କ ନାମ ସୁମତି ଥିଲା । ପୁତ୍ର କାମନା କରି ଦୁଇ ପତ୍ନୀଙ୍କ ସହିତ ସଗର ରାଜା ହିମାଳୟରେ କଠୋର ତପସ୍ୟା କଲେ । ଶତବର୍ଷ ପରେ ମହର୍ଷି ଭୃଗୁ ପ୍ରସନ୍ନ ହୋଇ ବର ଦେଲେ–ତୁମର ଜଣେ ମାତ୍ର କୀର୍ତ୍ତିମାନ ପୁତ୍ର ଜାତ ହେବ ଓ ଅନ୍ୟ ଜଣକ ଗର୍ଭରୁ ଷାଠିଏ ହଜାର ପୁତ୍ର ଜାତ ହେବେ ।

 

ଯଥା ସମୟରେ କେଶିନୀଙ୍କ ଗର୍ଭରୁ ଅସମଞ୍ଜ ନାମରେ ଗୋଟିଏ ପୁତ୍ର ହେଲା । ସୁମତି ଷାଠିଏ ହଜାର ପୁତ୍ରଙ୍କର ଜନନୀ ହେଲେ । ଅସମଞ୍ଜ ଅନ୍ୟ ଭାଇମାନେ ବାଳକ ଥିବା ସମୟରେ କେତେକଙ୍କୁ ପ୍ରତିଦିନ ସରଯୂ ନଦୀରେ ଫିଙ୍ଗି ଦେବାକୁ ଲାଗିଲେ । କ୍ରମେ ଅସମଞ୍ଜ ଦୁର୍ବୃତ୍ତ ଓ ଅତ୍ୟାଚାରୀ ହୋଇ ଉଠିଲେ । ତେଣୁ ସଗର ରାଜା ତାଙ୍କୁ ନିର୍ବାସିତ କଲେ । ତାଙ୍କର ଅଂଶୁମାନ ନାମରେ ପ୍ରିୟଭାଷୀ ଶକ୍ତିଶାଳୀ ପୁତ୍ର ଥିଲା ।

 

ବହୁକାଳ ଗତ ହେବାପରେ ସଗର ଅଶ୍ଵମେଧ ଯଜ୍ଞ କଲେ । ଅଂଶୁମାନ ଯଜ୍ଞ ଅଶ୍ୱର ଅନୁଗମନ କାର୍ଯ୍ୟରେ ନିଯୁକ୍ତ ହେଲେ । କିନ୍ତୁ ଇନ୍ଦ୍ର, ରାକ୍ଷସ ବେଶ ଧାରଣ କରି ସେଇ ଅଶ୍ଵ ଅପହରଣ କଲେ । ସଗର ତାଙ୍କର ଷାଠିଏ ହଜାର ପୁତ୍ରଙ୍କୁ ଆଦେଶ ଦେଲେ–ପୃଥିବୀର ସର୍ବତ୍ର ଅନୁସନ୍ଧାନ କରି ଯଜ୍ଞ ଅଶ୍ୱକୁ ନେଇ ଆସ । ଯେ ପର୍ଯ୍ୟନ୍ତ ଅଶ୍ୱ ନ ମିଳିଛି ସେ ପର୍ଯ୍ୟନ୍ତ ଅଶ୍ୱର ଅନୁସନ୍ଧାନ ପାଇଁ ପୃଥିବୀକୁ ଖୋଳି ଚାଲ–ମୁଁ ଏଠାରେ ଯଜ୍ଞ ଅଶ୍ୱ ଏବଂ ଅଂଶୁମାନଙ୍କୁ ଅପେକ୍ଷା କରିବି ।

 

ରାଜପୁତ୍ରମାନେ କିନ୍ତୁ ସର୍ବତ୍ର ଅନୁସନ୍ଧାନ କରି ମଧ୍ୟ ଅଶ୍ୱ ପାଇଲେ ନାହିଁ । ତା’ପରେ ପ୍ରତ୍ୟେକ ପୃଥିବୀକୁ ଖୋଳିବାକୁ ଲାଗିଲେ । ଏଥିରେ ଆତଙ୍କିତ ହୋଇ ବସୁମତୀ ଆର୍ତ୍ତନାଦ କଲେ ଏବଂ ନାଗ ରାକ୍ଷସ ଓ ଅସୁରଗଣ ପ୍ରାଣ ଭୟରେ ଚିତ୍କାର କରିବାକୁ ଲାଗିଲେ । ତା’ପରେ ଦେବତା ଓ ଗନ୍ଧର୍ବ ପ୍ରଭୃତି ବ୍ରହ୍ମାଙ୍କର ଶରଣାପନ୍ନ ହେଲେ ଏବଂ କହିଲେ ଯେ ସଗର ପୁତ୍ରଗଣ ପୃଥିବୀ ଖନନ କରୁଥିବାରୁ ବହୁ ପ୍ରାଣୀ ନଷ୍ଟ ହେଉଛନ୍ତି । ବ୍ରହ୍ମା କହିଲେ–ବାସୁଦେବ ଏହି ବସୁଧାର ସ୍ୱାମୀ ଅଟନ୍ତି ଏବଂ ସେ ବର୍ତ୍ତମାନ କପିଳ ରୂପ ଗ୍ରହଣ କରିଛନ୍ତି । ତାଙ୍କର କୋପାଗ୍ନିରେ ସଗର ପୁତ୍ରଗଣ ଧ୍ୱଂସ ହେବେ ।

 

ସଗର ପୁତ୍ରମାନେ ଫେରିଯାଇ ଅଶ୍ୱକୁ କାହିଁ ନପାଇବାର ବୃତ୍ତାନ୍ତ ରାଜାଙ୍କୁ କହିବାରୁ ସେ ବିରକ୍ତ ହୋଇ କହିଲେ–ତୁମ୍ଭେମାନେ ପାତାଳ ଖନନ କର, ତୁମ୍ଭମାନଙ୍କୁ ଯେପରି ହେଲେ ଯଜ୍ଞ ଅଶ୍ଵକୁ ଖୋଜି ବାହାର କରିବାକୁ ହେବ । ରାଜପୁତ୍ରଗଣ ପୁନର୍ବାର ଖନନ କାର୍ଯ୍ୟ ଆରମ୍ଭ କଲେ । ବହୁ ପଥ ଅତିକ୍ରମ କଲାପରେ କପିଳରୂପୀ ବାସୁଦେବଙ୍କ ନିକଟରେ ଉପସ୍ଥିତ ହେଲେ । ତାଙ୍କ ନିକଟରେ ଯଜ୍ଞ ଅଶ୍ୱ ଛିଡ଼ା ହୋଇଥିବାର ଦେଖିଲେ ।

 

ତାଙ୍କୁ ଯଜ୍ଞଦ୍ରୋହୀ ‍ଭାବି ସଗର ପୁତ୍ରମାନେ ଆକ୍ରମଣ କରନ୍ତେ କପିଳ ଅଭିଶାପ ଦେବାରୁ ସେମାନେ ସମସ୍ତେ ଭସ୍ମରାଶିରେ ପରିଣତ ହେଲେ ।

 

ପୁତ୍ରମାନେ ଫେରିବାରେ ବିଳମ୍ବ ହେବାରୁ ସଗର ରାଜା ନାତି ଅଂଶୁମାନଙ୍କୁ କହିଲେ–ତୁମେ ବୀର ଓ କୃତବିଦ୍ୟ, ବର୍ତ୍ତମାନ ପିତୃବ୍ୟ ଓ ଅଶ୍ଵ ଅପହରଣକାରୀର ସନ୍ଧାନ କର । ତୁମେ କୃତକାର୍ଯ୍ୟ ହୋଇ ଫେରି ଆସିଲେ ଯଜ୍ଞ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

 

ଅଂଶୁମାନ ବାଟରେ ପିତୃବ୍ୟମାନଙ୍କ ଦ୍ୱାରା ଖୋଳାଯାଇଥିବା ଏକ ବିବର ଦେଖିବାକୁ ପାଇଲେ ଏବଂ ସେଇ ପଥରେ ଯାଇ ସେ କପିଳଙ୍କ ଆଶ୍ରମରେ ଉପସ୍ଥିତ ହୋଇ ପିତୃବ୍ୟଗଣ ଭସ୍ମରାଶିରେ ପରିଣତ ହୋଇଥିବାର ଏବଂ ପାଖରେ ଅଶ୍ୱ ଛିଡ଼ା ହୋଇଥିବାର ଦେଖିଲେ । ସେତେବେଳେ ତାଙ୍କ ପିତୃବ୍ୟମାନଙ୍କର ମାତୁଳ ଗରୁଡ଼ ଆସି ଆଶ୍ୱାସନା ଦେଇ କହିଲେ ବୀର ! ଶୋକ କରନାହିଁ, ତୁମର ପିତୃବ୍ୟଗଣ କପିଳଙ୍କ ଅଭିଶାପରେ ଭସ୍ମ ହୋଇଛନ୍ତି; କିନ୍ତୁ ସେମାନଙ୍କ ମୃତ୍ୟୁ ଜଗତର କଲ୍ୟାଣକର ଅଟେ । ଏମାନଙ୍କର ଲୌକିକ ତର୍ପଣ ଉଚିତ ହେବନାହିଁ, ତୁମେ ହିମାଳୟର ଜ୍ୟେଷ୍ଠାକନ୍ୟା ଗଙ୍ଗା ଜଳରେ ଏମାନଙ୍କର ପ୍ରେତକୃତ୍ୟ ସମ୍ପାଦନ କର । ଗଙ୍ଗା ଏହି ଭସ୍ମରାଶି ପ୍ଳାବିତ କଲେ ସଗର ତନୟମାନେ ସ୍ୱର୍ଗ ଲୋକକୁ ଗମନ କରିବେ । ଅଶ୍ୱ ସହିତ ଅଂଶୁମାନ ଫେରି ଆସି ପିତାମହଙ୍କୁ ଶୋକ ସମ୍ବାଦ ଜଣାଇଲେ ଏବଂ ଗରୁଡ଼ଙ୍କ ଉପଦେଶ ମଧ୍ୟ ଜଣାଇଲେ । ସଗର ଯଥାବିଧି ଯଜ୍ଞ ସମାପ୍ତ କରି ଗଙ୍ଗାଙ୍କୁ ଆଣିବା ବିଷୟ ନିରନ୍ତର ଚିନ୍ତା କରିବାକୁ ଲାଗିଲେ କିନ୍ତୁ କୌଣସି ଉପାୟ ସ୍ଥିର କରିପାରିଲେ ନାହିଁ । ଅବଶେଷରେ ତିରିଶ ହଜାର ବର୍ଷ ରାଜତ୍ୱ କରି ସେ ଇହଲୀଳା ସାଙ୍ଗ କରି ସ୍ୱର୍ଗକୁ ଗମନ କଲେ ।

 

ସଗର ରାଜାଙ୍କର ମୃତ୍ୟୁ ପରେ ଅଂଶୁମାନ ରାଜା ହେଲେ । କିଛିକାଳ ପରେ ସେ ପୁତ୍ର ଦିଲୀପଙ୍କୁ ରାଜ୍ୟଭାର ଦେଇ ହିମାଳୟକୁ ତପସ୍ୟା କରିବା ପାଇଁ ଚାଲିଗଲେ ଏବଂ ସେଠାରେ ବତିଶ ହଜାର ବର୍ଷ ତପସ୍ୟା କରି ସ୍ୱର୍ଗବାସ କଲେ । ଦିଲ୍ଲୀପ ପିତାମହମାନଙ୍କୁ ଉଦ୍ଧାର କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ ଏବଂ ସେହି ଚିନ୍ତାରେ ବ୍ୟାଧିଗ୍ରସ୍ତ ହୋଇ ପୁତ୍ର ଭଗୀରଥଙ୍କୁ ରାଜପଦ ଦେଇ ଇନ୍ଦ୍ରଲୋକକୁ ଗଲେ ।

 

ଧର୍ମାତ୍ମା ଭଗୀରଥ ନିଃସନ୍ତାନ ଥିଲେ । ସେ ମନ୍ତ୍ରୀମାନଙ୍କ ଉପରେ ରାଜ୍ୟ-ଶାସନ ଦାୟିତ୍ୱ ଅର୍ପଣ କରି ଗୋକର୍ଣ୍ଣ ପ୍ରଦେଶକୁ ଯାଇ ଗଙ୍ଗାବତରଣ ନିମନ୍ତେ କଠୋର ତପସ୍ୟା କରିବାକୁ ଲାଗିଲେ । ସହସ୍ର ବର୍ଷ ଅତିବାହିତ ହେବାପରେ ବ୍ରହ୍ମା ଦେବତାମାନଙ୍କ ସହିତ ଆସି ତାଙ୍କୁ କହିଲେ–ମହାରାଜ ଭଗୀରଥ, ତୁମର ତପସ୍ୟାରେ ମୁଁ ପ୍ରସନ୍ନ; ବର ପ୍ରାର୍ଥନା କର ।

 

ଭଗୀରଥ କହିଲେ–ଭଗବାନ, ଯଦି ଆପଣ ସନ୍ତୁଷ୍ଟ ହୋଇଥାଆନ୍ତି ଏହି ବର ଦିଅନ୍ତୁ ଯେପରି ମୁଁ ପିତାମହମାନଙ୍କ ଭସ୍ମରାଶିକୁ ଗଙ୍ଗାଜଳ ଦ୍ଵାରା ସିକ୍ତ କରି ସେମାନଙ୍କୁ ସ୍ୱର୍ଗଲାଭ କରାଇପାରିବି । ମୁଁ ଆଉ ଗୋଟିଏ ବର ମଧ୍ୟ ଚାହେଁ–ତାହା ଏହି ଯେ ମୋର ଯେପରି ସନ୍ତାନ ହୁଏ ଏବଂ ଈକ୍ଷାକୁ କୁଳ ଯେପରି ଲୋପ ପାଇ ନଯାଏ । ବ୍ରହ୍ମା କହିଲେ–ତୁମର ମନୋରଥ ପୂର୍ଣ୍ଣ ହେବ; କିନ୍ତୁ ଗଙ୍ଗାଙ୍କର ପତନ ପୃଥିବୀ ସହ୍ୟ କରିପାରିବ କାହିଁ । ତୁମେ ତାକୁ ଧାରଣ କରିବାପାଇଁ ମହାଦେବଙ୍କୁ ପ୍ରାର୍ଥନା କର ।

 

ବ୍ରହ୍ମା ଚାଲିଯିବା ପରେ ଭଗୀରଥ ଅଙ୍ଗୁଷ୍ଠାଗ୍ର ଧରାତଳ ଉପରେ ରଖି କଠୋର ତପସ୍ୟା କଲେ । ଏଥ‌ିରେ ପ୍ରୀତ ହୋଇ ମହାଦେବ ଗଙ୍ଗାଙ୍କୁ ମସ୍ତକରେ ଗ୍ରହଣ କରିବା ପାଇଁ ସମ୍ମତ ହେଲେ-। ଏହାପରେ ଆକାଶରୁ ଗଙ୍ଗା ମହାଦେବଙ୍କ ମସ୍ତକ ଉପରେ ପ୍ରଚଣ୍ଡ ବେଗରେ ଅବତରଣ କଲେ-। ସେ ପ୍ରଚଣ୍ଡ ସ୍ରୋତରେ ଶିବଙ୍କୁ ପାତାଳକୁ ନେଇଯିବା ପାଇଁ ଗଙ୍ଗାଙ୍କର ଇଚ୍ଛା ହେଲା । ତାଙ୍କର ମନରେ ଏପରି ଗର୍ବ ହୋଇଥିବା ଜାଣି ମହାଦେବ ରୁଷ୍ଟ ହୋଇ ନିଜ ମସ୍ତକର ଜଟାମଣ୍ଡଳ ମଧ୍ୟରେ ଗଙ୍ଗାଙ୍କୁ ଅବରୁଦ୍ଧ କଲେ । ତା’ପରେ ଭଗୀରଥ ଆଉଥରେ ତପସ୍ୟା କଲେ ଏବଂ ସେଥିରେ ସନ୍ତୁଷ୍ଟ ହୋଇ ଶିବ ଗଙ୍ଗାଙ୍କୁ ବିନ୍ଦୁସରୋବର ଆଡ଼କୁ ପରିତ୍ୟାଗ କଲେ । ଗଙ୍ଗା ସପ୍ତସ୍ରୋତରେ ପ୍ରବାହିତ ହେଲେ–ପଶ୍ଚିମରେ ହ୍ଲାଦିନୀ, ପାବନୀ ଓ ନନ୍ଦିନୀ, ପୂର୍ବରେ ସ୍ଵଚକ୍ଷୁ, ସୀତା ଓ ସିନ୍ଧୁ, ଏବଂ ସପ୍ତମ ସ୍ରୋତ ଭଗୀରଥଙ୍କ ପଛେ ପଛେ ପ୍ରବାହିତ ହେଲା । ଏହି ଦୃଶ୍ୟ ଦର୍ଶନ କରିବାଲାଗି ଦେବ ଓ ଗନ୍ଧର୍ବଗଣ ଉପସ୍ଥିତ ହେଲେ ।

 

ରାମାୟଣରେ ଗଙ୍ଗାବତରଣର ଅପୂର୍ବ ବର୍ଣ୍ଣନା କରି ବାଲ୍ମୀକି ଲେଖିଛନ୍ତି–

 

ତଦଭୂତମିମଂ ଲୋକେ ଗଙ୍ଗାବତରମୁତ୍ତମମ୍‌ ।।

ଦିଦୃକ୍ଷବୋ ଦେବଗଣାଃ ସମୀୟୂରମିତୌଜସଃ ।

ସମ୍ପଦ୍‌ଭିଃ ସୁରଗଣୈସ୍ତେଷାଂ ଚାଭରନୌଜସା ।।

ଶତାଦିତ୍ୟମିବାଭାତି ଗଗନଂ ଗତତୋୟଦମ୍‌ ।

ଶିଶୁମାରୋରଗଗନୈମନେରପି ଚ ଚଞ୍ଚଲୈଃ ।।

ବିଦ୍ୟୁତ୍‌ଭିରିବ ବିକ୍ଷିପ୍ତେରୋକାଶମବତ୍‌ ତଦା

ପାଣ୍ଡରୈଃ ସଲିଲୋତ୍‌ପୀଡ଼ୈଃ କୀର୍ଷମାନେ ସହସ୍ରଧା ।।

ଶାରଦାତ୍ତୈରିବାକୀନାଂ ଗଗନଂ ହଂସ ସଂପ୍ଳବୈଃ ।

କ୍ୱଚିତ୍‌ ଦୃତତରଂ ଯାତି କୁଟିଳଂ କ୍ଳଚିଦାୟତମ୍‌ ।

ବିନତଂ କ୍ଳଚିଭୂତଂ କ୍ୱଚିଦ୍‌ ଯାତି ଶନୈଃ ଶନୈଃ ।

ସଲିଳେନୈବ ସଲିଳଂ କ୍ଳଚିଦଭ୍ୟାହତଂ ପୁନଃ ।।

ମୁହୁଚାଧର୍ବପଥଂ ଗତ୍ୱା ପପାତ ବସୁଧାଂ ପୁନଃ ।।

 

ପୃଥିବୀପୃଷ୍ଠରେ ଗଙ୍ଗାଙ୍କର ସେହି ଆଶ୍ଚର୍ଯ୍ୟ ଅବତରଣ ଦେଖିବାପାଇଁ ଯେଉଁ ଦେବଗଣ ଆସିଥିଲେ ସେମାନଙ୍କର ଉଜ୍ଜ୍ୱଳ କାନ୍ତି ଏବଂ ଆଭରଣର ପ୍ରଭାବ ମେଘଶୂନ୍ୟ ଆକାଶ ଶତସୂର୍ଯ୍ୟ ପ୍ରକାଶ ପରି ଶୋଭା ପାଇଲା । ଚଞ୍ଚଳ ଶିଶୁକୁମାର, ସର୍ପ ଓ ମତ୍ସ୍ୟମାନେ ଉତ୍‌କ୍ଷିପ୍ତ ହେବାରୁ ଆକାଶରେ ଯେପରି ବିଦ୍ୟୁତ୍‌ ଖଚିତ ହେଲା । ପାଣ୍ଡୁବର୍ଣ୍ଣ ଫେଣଯୁକ୍ତ ସହସ୍ରଖଣ୍ଡରେ ବିକୀର୍ଣ୍ଣ ହେବାରୁ ବୋଧହେଲା ଯେପରି ହଂସ ସମୀକୀର୍ଣ୍ଣ ଶାରଦୀୟ ମେଘରେ ଆକାଶ ପରିବ୍ୟାପ୍ତ ହୋଇଅଛି । ଗଙ୍ଗାର ପ୍ରବାହ କେଉଁଠାରେ ଦ୍ରୁତ ବେଗରେ ତ ଆଉ କେଉଁଠାରେ ଅଙ୍କାବଙ୍କା ପଥରେ କୁଟିଳ ଗତିରେ ଏବଂ ଅନ୍ୟ କାହିଁ ପ୍ରସାରିତ ବା ସଙ୍କୁଚିତ ହୋଇ କିମ୍ବା ଅନ୍ୟ କାହିଁ ଧୀରେ ଧୀରେ ବହିବାକୁ ଲାଗିଲା । କୌଣସିଠାରେ ଜଳ ସହିତ ଜଳର ସଂଘର୍ଷ ହେଲା ତ ଆଉ କେଉଁଠାରେ ଜଳପ୍ରବାହ ଊର୍ଦ୍ଧ୍ୱକୁ ଯାଇ ପୁଣି ଧରା ଉପରେ ଖସିପଡ଼ିଲା ।

 

ମହାଦେବଙ୍କର ମସ୍ତକ ନିଃସୃତ ସେହି ପବିତ୍ର ଜଳାଧାରାରେ ସ୍ନାନ କରି ଧରାତଳବାସୀ ସମସ୍ତେ ତୃପ୍ତ ଏବଂ ପାପମୁକ୍ତ ହେଲେ । ଗଙ୍ଗାଙ୍କ ଗମନ ପଥରେ ଗୋଟିଏ ସ୍ଥାନରେ ଜହ୍ନୁମୁନି ଯଜ୍ଞ କରୁଥିଲେ । ଯଜ୍ଞସ୍ଥାନ ପ୍ଳାବିତ ହେବାରୁ ସେ କ୍ରୁଦ୍ଧ ହୋଇ ଗଙ୍ଗାଙ୍କର ସମସ୍ତ ଜଳ ପାନକଲାରୁ ଦେବତା, ଗନ୍ଧର୍ବ ଏବଂ ଋଷିମାନେ ସ୍ତବକର ଜହ୍ନୁଙ୍କୁ କହିଲେ ଯେ ଗଙ୍ଗା ତାଙ୍କରି ଦୁହିତା । ତାହାପରେ ଜହ୍ନୁ ତାଙ୍କର କାନର ରନ୍ଧ୍ର ପଥ ଦେଇ ଗଙ୍ଗାକୁ ମୁକ୍ତ କଲେ । ଏଥିପାଇଁ ଗଙ୍ଗାଙ୍କର ଅନ୍ୟନାମ ଜାହ୍ନବୀ ।

 

ଗଙ୍ଗା ପୁନର୍ବାର ଭଗୀରଥଙ୍କର ଅନୁଗମନ କଲେ ଏବଂ ସାଗରରେ ପହଞ୍ଚି ରସାତଳରେ ପ୍ରବେଶ କଲେ । ଯେଉଁଠାରେ ସଗର ବଂଶର ଷାଠିଏ ହଜାର ସନ୍ତାନଙ୍କର ଭସ୍ମରାଶି ପଡ଼ିଥିଲା, ଭଗୀରଥ ଗଙ୍ଗାକୁ ସେଠାକୁ ନେଇଗଲେ । ସେହି ଭସ୍ମ ପବିତ୍ର ଗଙ୍ଗାଜଳରେ ପ୍ଳାବିତ ହେବା ଦ୍ୱାରା ସଗର ସନ୍ତାନମାନେ ପାପମୁକ୍ତ ହୋଇ ସ୍ଵର୍ଗକୁ ଗଲେ ।

 

ଏହାପରେ ବ୍ରହ୍ମା ଭଗୀରଥଙ୍କୁ କହିଲେ ଯେ ସେ ଷାଠିଏ ହଜାର ସଗର–ପୁତ୍ରଙ୍କୁ ପରିତ୍ରାଣ କରିଥିବାରୁ ଯେତେକାଳ ସମୁଦ୍ରରେ ଜଳ ଥିବ ସେ ପର୍ଯ୍ୟନ୍ତ ସେମାନେ ସ୍ଵର୍ଗରେ ଅବସ୍ଥାନ କରିବେ । ଏହି ଗଙ୍ଗା ତୁମର ଜ୍ୟେଷ୍ଠା ଦୁହିତା ହୋଇ ଭାଗୀରଥୀ ନାମରେ ବିଖ୍ୟାତ ହେବେ । ଗଙ୍ଗା ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରକୁ ଯାଇଥିବାରୁ ତାଙ୍କର ଅନ୍ୟ ଏକ ନାମ ତ୍ରିପଥଗା-

 

ବ୍ରହ୍ମାଙ୍କ ପ୍ରସ୍ଥାନ ପରେ ଭଗୀରଥ ଗଙ୍ଗାଜଳରେ ସ୍ନାନସାରି ପିତୃପିତାମହମାନଙ୍କ ତର୍ପଣ ଶେଷକରି ନିଜ ରାଜ୍ୟକୁ ପ୍ରତ୍ୟାଗମନ କଲେ ।

 

ଭାଗବତରେ ଗଙ୍ଗାଙ୍କ ସମ୍ପର୍କରେ ଭିନ୍ନପ୍ରକାର ବର୍ଣ୍ଣନା ରହିଛି । ଯେତେବେଳେ ବିଷ୍ଣୁ ବାମନାବତାର ହୋଇ ବାଳୀକୁ ତିନିପୁରରୁ ବଞ୍ଚିତ କଲେ, ସେତେବେଳେ ବ୍ରହ୍ମାଙ୍କ ନାମ ବୃଦ୍ଧାଙ୍ଗୁଳିରୁ ଏବଂ ଜଳଧାର ଉତ୍ପନ୍ନ ହେଲା । ଏହି ଜଳଧାର ସ୍ଵର୍ଗରୁ ଆସି ସୁମେରୁ ପର୍ବତରେ ପଡ଼ିଲା ଏବଂ ସେଠାରୁ ଚାରିଭାଗରେ ବିଭକ୍ତ ହେଲା ସୀତା, ଅଳକାନନ୍ଦା, ଭଂକ୍‌ଶୁ ଏବଂ ଭଦ୍ରା । ଏଥିମଧ୍ୟରୁ ଅଳକାନନ୍ଦା ବହୁ ଶୃଙ୍ଗ ଅତିକ୍ରମ କରି ଦକ୍ଷିଣଆଡ଼କୁ ଗତିକରି ସମୁଦ୍ର ସହିତ ମିଳିତ ହେଲା । ଏହା ଗଙ୍ଗା ନାମରେ ବିଖ୍ୟାତ ।

 

ଏହା ବ୍ୟତୀତ ଆହୁରି ମଧ୍ୟ ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣିତ ଅଛି ଯେ ଲକ୍ଷ୍ମୀ, ସରସ୍ଵତୀ ଏବଂ ଗଙ୍ଗା ବିଷ୍ଣୁଙ୍କର ତିନି ପତ୍ନୀ ଥିଲେ । ବିଷ୍ଣୁ ଗଙ୍ଗାଙ୍କ ପ୍ରତି ଅଧିକ ଆସକ୍ତ ଥିବାରୁ ସରସ୍ୱତୀ ତାଙ୍କୁ ଅଭିଶାପ ଦେଇ କହିଲେ ମର୍ତ୍ତ୍ୟରେ ନଦୀ ହୋଇ ପ୍ରବାହିତ ହେବାପାଇଁ । ତା’ପରେ ଗଙ୍ଗା ନଦୀ ରୂପରେ ମର୍ତ୍ତ୍ୟରେ ପ୍ରବାହିତା ହେଲେ ।

 

ମାର୍କେଣ୍ଡେୟ ପୁରାଣ ଅନୁସାରେ ଗଙ୍ଗା ବିଷ୍ଣୁଙ୍କର ପାଦନଖରୁ ଜାତ ହୋଇ ଚନ୍ଦ୍ରକୁ ଯାଇ ସେଠାରୁ ମେରୁପର୍ବତ ଉପରେ ଅବତରଣ କଲେ ଏବଂ ତା’ପରେ ହିମାଳୟକୁ ଆସିଲେ ।

 

ଏହିପରି ଭାବରେ ଗଙ୍ଗାଙ୍କ ଜନ୍ମବୃତ୍ତାନ୍ତ ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ବୃତ୍ତାନ୍ତ ପୁରାଣମାନଙ୍କରେ ଲିପିବଦ୍ଧ ହୋଇଥିଲେ ସୁଦ୍ଧା ଗଙ୍ଗା ଯେ ଏ ଜାତିର ଆଶା ଆକାଙ୍‌କ୍ଷା, ସଂସ୍କୃତି, ସାହିତ୍ୟ, ଐତିହ୍ୟ ଓ ପରମ୍ପରା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ଓ ଦୈନନ୍ଦିନ ଜୀବନଯାତ୍ରା ସହଜ ନିବିଡ଼ ଭାବରେ ଜଡ଼ିତ ତାହା ଗଙ୍ଗା ସମ୍ପର୍କରେ ଜବାହରଲାଲ ନେହେରୁଙ୍କ ‘ଭାରତ ଆବିଷ୍କାର’ ପୁସ୍ତକରେ ଅତି ସୁନ୍ଦର ଭାବେ ଲିପିବଦ୍ଧ ହୋଇଛି ।

 

ସେହି ପତିତପାବନୀ ଗଙ୍ଗା କୂଳେ କୂଳେ ଗଢ଼ି ଉଠିଛି କେତେ ନଗର ଓ ଜନପଦ, ଶସ୍ୟଶ୍ୟାମଳା ଶସ୍ୟକ୍ଷେତ ଏବଂ ସବୁଜ ପ୍ରାନ୍ତର ବନାନୀ ।

 

ଗଙ୍ଗାର ପ୍ରଧାନ ଦୁଇ ଜଳଧାରା ଅଳକାନନ୍ଦା ଏବଂ ଭାଗିରଥୀର ଅନେକ ଗୁଡ଼ିଏ ଉପନଦୀ ରହିଛି । ବିଷ୍ଣୁ ଗଙ୍ଗା ବା ଅଳକାନନ୍ଦାର ଉତ୍ପତ୍ତି ସ୍ଥଳ ତିନୋଟି ଯଥା ସତୋପନ୍ଥ ଗ୍ଳେସିଆର, ସ୍ୱର୍ଗାରୋହିଣୀ ଗ୍ଳେସିଆର ଏବଂ ବସୁଧ୍ରା । ହିମାଳୟରେ ଏହାର ଉପନଦୀମାନଙ୍କର ସଂଖ୍ୟା କୋଡ଼ିଏ । ଯଥା ସରସ୍ଵତୀ, ଋଷିଗଙ୍ଗା, କ୍ଷୀରଗଙ୍ଗା, ଧଉଳିଗଙ୍ଗା, ଗଣେଶଗଙ୍ଗା, ଅମୃତଗଙ୍ଗା, ଗିରତୀଗଙ୍ଗା, ଋଷିଗଙ୍ଗା, ପାତାଳଗଙ୍ଗା, ବିରହିଗଙ୍ଗା, ଦୁଧଗଙ୍ଗା, ଗରୁଡ଼ଗଙ୍ଗା, ନନ୍ଦାକିନୀ, ପିଣ୍ଡାରଗଙ୍ଗା, ଗେରୀ ଗଙ୍ଗା, ମୋତି ଗଙ୍ଗା, କାଳିଗଙ୍ଗା, ଧର୍ମଗଙ୍ଗା, ମନ୍ଦାକିନୀ ଏବଂ ଲକ୍ଷ୍ମଣ ଗଙ୍ଗା । ଏସବୁ ଉପନଦୀର ଉତ୍ପତ୍ତିସ୍ଥଳ ମଧ୍ୟ ହିମାଳୟର ବିଭିନ୍ନ ସ୍ଥାନ ଏବଂ ଯାତ୍ରାପଥରେ ସେଥିମଧ୍ୟରୁ କେତୋଟି ଆମ୍ଭମାନଙ୍କର ଦୃଷ୍ଟି ପଥାରୂଢ଼ ହେଲା ।

 

ଭଗିରଥୀର ଉତ୍ପତ୍ତିସ୍ଥଳ ଗୋମୁଖ ଏବଂ ଏହାର ଉପନଦୀର ସଂଖ୍ୟା ବାଆର ଯଥା–ଅମରଗଙ୍ଗା, ଆକାଶଗଙ୍ଗା, ଭାଗିରଥୀ, କେଦାରଗଙ୍ଗା, ଜତ୍‌ଗଙ୍ଗା, ଦୁଧଗଙ୍ଗା, ହରିଗଙ୍ଗା, ନୀଳଗଙ୍ଗା, ଗୁପ୍ତଗଙ୍ଗା, ଅଶିଗଙ୍ଗା, ଧର୍ମଗଙ୍ଗା ଏବଂ ବାଳଗଙ୍ଗା ।

 

ଗଙ୍ଗାର ଉତ୍ପତ୍ତି ସମ୍ପର୍କରେ ଭାବୁ ଭାବୁ ଆମେ ଆସି ଯେତେବେଳେ ଅଳକାନନ୍ଦା ଓ ଭଗୀରଥୀ ଯେଉଁଠାରେ ମିଳିତ ହୋଇଛନ୍ତି ସେଠାରେ ପହଞ୍ଚିଲା ବେଳକୁ ଆଠଟା । ଏହି ସ୍ଥାନର ନାମ ଦେବପ୍ରୟାଗ । ହରିଦ୍ୱାର ଓ ଋଷିକେଶରୁ କେଦାରନାଥ ଏବଂ ବଦ୍ରିନାଥ ଯିବା ପଥରେ ଋଷିକେଶଠାରୁ ସତୁରୀ କିଲୋମିଟର ଦୂରରେ ଏହି ସହର ଅବସ୍ଥିତ । ଅଳକାନନ୍ଦା ଏବଂ ଭଗୀରଥୀର ସଙ୍ଗମ ଏହିଠାରେ ଘଟି ଏଠାରୁ ଗଙ୍ଗା ପ୍ରବାହିତ ହୋଇଥିବାରୁ ଏହି ସ୍ଥାନର ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ସ୍କନ୍ଦ ପୁରାଣରେ କେଦାର ଖଣ୍ଡରେ ଏହାର ବର୍ଣ୍ଣନା ରହିଛି । ସେଥିରୁ ଜଣାଯାଏ ଯେ ଦେବଶର୍ମା ନାମକ ଜଣେ ବ୍ରାହ୍ମଣ ସତ୍ୟଯୁଗରେ ନିରାହାର ରହି ଗୋଟିଏ ଗଛମୂଳରେ ଛିଡ଼ାହୋଇ ହଜାରେ ଦିବ୍ୟବର୍ଷ ତପସ୍ୟା କରି ଭଗବାନ ବିଷ୍ଣୁଙ୍କର ଦର୍ଶନ ଲାଭ କରିଥିଲେ । ଦେବଶର୍ମା ଏହି ସ୍ଥାନକୁ ପବିତ୍ର ଓ ଫଳଦାୟକ କରିବା ସକାଶେ ପ୍ରାର୍ଥନା କଲାରୁ ବିଷ୍ଣୁ ତାଙ୍କୁ ବରଦାନ ପୂର୍ବକ କହିଲେ–ତ୍ରେତାଯୁଗରେ ରାମ ଅବତାର ସମୟରେ ଲଙ୍କା ବିଜୟ ପରେ ଭଗବାନ ରାମ ଏଠାକୁ ଆସିବେ, ତୁମେ ସେ ପର୍ଯ୍ୟନ୍ତ ତପସ୍ୟା କର ।

 

ତତୋ ଦେବପ୍ରାଗେତି ତ୍ୱନ୍ନାମଲକ୍ଷ୍ମଣ ନ୍ୱିତମ୍‌ ।।

ଖ୍ୟାତିମେତନ୍ମହତୀର୍ଥ ଗମିଷ୍ୟତି ଦ୍ୱିଜୋତ୍ତମ ।।

ତସ୍ମାତ୍ୱୟା ତପସ୍ତତ୍ପମସ୍ମି କ୍ଷେତ୍ରୈ ମହାମତେ ।।

ତସ୍ମାତ୍‌ପୂଣ୍ୟତମଂ ତୀର୍ଥ ଭବିଷ୍ୟତି ନିରନ୍ତରମ୍‌ ।।

 

(କେଦାର ଖଣ୍ଡ)

 

ଏଠାରେ ଭାଗୀରଥୀ ଓ ଅଳକାନନ୍ଦାରେ ନାନା କୁଣ୍ଡ ଏବଂ ଦିବ୍ୟ ଶିଳା ଦେଖିବାକୁ ମିଳେ । ଭଗବାନ ଶିବ ମଧ୍ୟ ଏହାର ଚତୁର୍ଦ୍ଦିଗରେ ବିରାଜିତ । ବ୍ରହ୍ମ କୁଣ୍ଡରେ ପିଣ୍ଡଦାନ ଓ ଶ୍ରାଦ୍ଧର ମହତ୍ତ୍ଵ ଅନେକ । ଏଠାରେ ରଘୁନାଥଜୀଉଙ୍କର ସୁନ୍ଦର ମନ୍ଦିର ଅଛି ।

 

ଆଉ ବେଶୀ ସମୟ ନଥିଲା ହାତରେ । ସେତେବେଳକୁ ଭୋକ ବି କଲାଣି । ଗାଡ଼ି ରହିବାକ୍ଷଣି ମୀନାକ୍ଷୀଦେବୀ କହିଲେ ଭାଇ ସାହେବ ନାସ୍ତା ପ୍ରସ୍ତୁତ ହୈ ।

 

ଜଗଦୀଶ ବର୍ମାଜୀ ସେତେବେଳକୁ ଗୋଟିଏ ମିଷ୍ଟାନ୍ନ ଭଣ୍ଡାରରେ ପ୍ରବେଶକରି କିଛି ମିଷ୍ଟାନ୍ନ ଏବଂ ଆଳୁଚପ୍‌ କିଣିବାରେ ବ୍ୟସ୍ତ । ସେ କହିଲେ ଜଳଖିଆ ପାଖରେ ଅଛି ସତ ; କିନ୍ତୁ ପ୍ରତ୍ୟେକ ସ୍ଥାନରୁ କିଛି ସ୍ୱାଦିଷ୍ଟ ମିଷ୍ଟାନ୍ନ ମଧ୍ୟ ଖାଇବା ଦରକାର ।

 

ଲକ୍ଷ୍ମୀଧରବାବୁ କାଳେ ପେଟ ଖରାପ ହେବ ବୋଲି କମଳା ଓ କଦଳୀ ଖାଇ ଜଳପାନ ଶେଷକଲେ । ମିଷ୍ଟାନ୍ନ ସହିତ ପାଉଁରୁଟି ଓ ଲହୁଣୀ ଆଳୁଚପ୍‌, ଦାଲମୁଟ ଖାଇ ଅତି ଚମତ୍କାର ଚା’ ପିଇ ବାହାରିବାବେଳକୁ ଦେହ ଓ ମନରେ ଅପୂର୍ବ ପ୍ରଫୁଲ୍ଲତା । ତୁଣ୍ଡରେ ପୁଣି ବାପା ଉଚ୍ଚାରଣ କଲେ ବଦ୍ରି ବିଶାଳ କୀ ଜୟ । ଡ୍ରାଇଭର ହାତଯୋଡ଼ି ପ୍ରଣାମ ଜଣାଇଲା ତାଙ୍କରି ଉଦ୍ଦେଶ୍ୟରେ ।

 

।। ତିନି ।।

 

ଦେବପ୍ରୟାଗର ମିଳନ ପୀଠରୁ ଗାଡ଼ି ଛାଡ଼ିବା ବେଳକୁ ମନ ଓ ପ୍ରାଣରେ ଅପୂର୍ବ ପ୍ରସନ୍ନତା ଆମ ସମସ୍ତଙ୍କୁ ସତେଜ ଓ ସଚେତନ କରି ଦେଇଥିଲା । ମୀନାକ୍ଷୀ ଦେବୀଙ୍କ ଅମାୟିକ ବ୍ୟବହାର ଏବଂ ଜଗଦୀଶ ଚନ୍ଦ୍ର ବର୍ମାଙ୍କର ନିର୍ମଳ ସୌଜନ୍ୟତାରୁ କାହାରି କିଛି ଅସୁବିଧା ନାହିଁ । ମୁଖାର୍ଜୀ ସାହେବ ତ ସ୍ୱୟଂ ପାଦରେ ପ୍ରଦକ୍ଷିଣ କରିଛନ୍ତି ହିମାଳୟର ତୀର୍ଥ ସବୁ । ସେମାନଙ୍କ ସହିତ ଗଳ୍ପ ଆରମ୍ଭ ହୋଇଗଲା ପୁଣି । ବାପାଙ୍କର କ୍ଳାନ୍ତି ନାହିଁ, ହିମାଳୟର ପାଦଦେଶରୁ ବିପଦ ସଙ୍କୁଳ ଦୁର୍ଗମ, ଦୁସ୍ତର ଗିରିପଥ ଦେଇ ଉଠିବା ବେଳର ନୟନାଭିରାମ ଦୃଶ୍ୟ ତାଙ୍କୁ ଅଭିଭୂତ କରୁଥାଏ । ମା’ ପଚାରି ଚାଲିଥାଆନ୍ତି ସ୍ଥାନମାନଙ୍କର ମହିମା ସମ୍ପର୍କରେ ।

 

ଅନାଦି କାଳରୁ ଉତ୍ତରର ହିମ ପ୍ରବାହରୁ ଏବଂ ବାହ୍ୟ ଆକ୍ରମଣରୁ ଭାରତକୁ ରକ୍ଷା କରୁଛି ହିମାଳୟ । କେତେ ନଦୀ ଓ ନିର୍ଝରିଣୀ ଏହାର ବିଭିନ୍ନ ସ୍ଥାନରୁ ସ୍ୱଚ୍ଛ ଶୀତଳ ଜଳଧରି ପ୍ରବାହିତ ହେଉଛନ୍ତି ପାହାଡ଼ ଅତିକ୍ରମ କରି ସମତଳ ଭୂମିକୁ ।

 

କେତେ ତୀର୍ଥଯାତ୍ରୀ, ପରିବ୍ରାଜକ, ଯୋଗୀଋଷି ସାଧକ ଓ ସାଧୁ ସନ୍ଥଙ୍କର ପ୍ରିୟ ଭୂମି ଏଇ ହିମାଳୟ । କେତେ ଦର୍ଶନ, କେତେ ଉନ୍ମେଷଶୀଳ ଚେତନାର ଉତ୍ସ ଏହି ଦେବ ଭୂମି । ପୁଣି ଯୁଗ ଯୁଗ ଧରି ଦେଶର ଐକ୍ୟ ଓ ଅଖଣ୍ଡତାକୁ ସମ୍ପୂର୍ଣ୍ଣ କରି ସମନ୍ୱୟର ସୂତ୍ରକୁ ହିମାଳୟ ଦେଇଛି ଶକ୍ତି ଓ ଦୃଢ଼ତା ।

 

ପ୍ରାୟ ଦେଢ଼ ହଜାର ବର୍ଷ ତଳର କଥା । ସମ୍ରାଟ ହର୍ଷବର୍ଦ୍ଧନ ଚୀନ୍‌ ଦେଶର ପରିବ୍ରାଜକ ହୁଏନସାଂଙ୍କୁ ସମ୍ବର୍ଦ୍ଧନା ଜଣାଇ ପଚାରିଲେ–ମହାତ୍ମନ୍‌ ! ବିଦାୟ ନେବା ପୂର୍ବରୁ ଏହି ମହାନ୍‌ ଦେଶ ଭାରତବର୍ଷ ଆପଣଙ୍କର ଆର୍ଶୀବାଦ କାମନା କରେ ।

 

ହୁଏନସାଂ ଅବନତ ହୋଇ ବିନମ୍ର କଣ୍ଠରେ କହିଲେ–ଏହି ଧ୍ୟାନମଗ୍ନ ପ୍ରାଚୀନ ତଥା ପୂଣ୍ୟଭୂମି ଭାରତବର୍ଷର ଆଶୀର୍ବାଦ ମୁଁ ସାଙ୍ଗରେ ନେଇଯିବା ପାଇଁ ଚାହେଁ ସମ୍ରାଟ ! ଏଇ ଭାରତ ହିଁ ଭୂସ୍ୱର୍ଗ ।

 

ସେଦିନ ପରିବ୍ରାଜକ ହୁଏନ୍‌ସାଂ ହର୍ଷବର୍ଦ୍ଧନଙ୍କୁ ଏକଥା କହିଲାବେଳେ ତାଙ୍କର ମନେ ପଡ଼ୁଥିଲା ଛାଡ଼ି ଆସିଥିବା ବ୍ରହ୍ମପୁରାର କଥା । ଆଜି ଲୋକମୁଖରେ ବ୍ରହ୍ମପୁରା ଗଡ଼ଓ୍ୱାଲ ନାମରେ ଖ୍ୟାତ । ସାହାରାନପୁର ଜିଲ୍ଲା ଅନ୍ତର୍ଗତ ଋଷିକେଶ ଓ ହରିଦ୍ଵାର, ଏହାପରେ ହିମାଳୟ ଉପରକୁ ଉଠିଲେ ଆରମ୍ଭ ହୁଏ ଗଡ଼ଓ୍ୱାଲ ବା ଉତ୍ତରାଖଣ୍ଡ ।

 

ଏହି ଗଡ଼ଓ୍ୱାଲ ନାମ କିପରି ହେଲା ତାହା ବର୍ଣ୍ଣନାକରି ମୁଖାର୍ଜୀ ସାହେବ କହିଲେ–ପ୍ରାୟ ଚାରିଶହ ବର୍ଷ ପୂର୍ବେ ରାଜା ଅଜୟ ପାଳ ସମଗ୍ର ବ୍ରହ୍ମପୁରାର ବାବନଟି ଦୁର୍ଗ ଏକତ୍ର କରି ଏହି ନାମକରଣ କରିଥିଲେ ଗଡ଼ଓ୍ୱାଲ ଅର୍ଥାତ ଦୁର୍ଗ ପ୍ରଧାନ ।

 

ଆଜି ଗଡ଼ଓ୍ୱାଲର ଗିରିପଥ ଦେଇ ଯେଉଁ ବିପଦସଙ୍କୁଳ ସର୍ପିଳ ପିଚୁରାସ୍ତା ଉପରକୁ ଉଠିଛି, ମଣିଷ ଚିରନ୍ତନ ଊର୍ଦ୍ଧ୍ୱମୁଖୀ ଚେତନାର ଅନ୍ୱେଷଣ କଲାପରି ତାହା ନଥିଲା ପୂର୍ବକାଳରେ । ଭଗୀରଥୀ ବା ଅଳକାନନ୍ଦା ଓ ଅନ୍ୟାନ୍ୟ ନଦୀ କୂଳେ କୂଳେ ଦୁର୍ଗମ ଗିରି ପାଦରେ ଅତିକ୍ରମ କରୁଥିଲେ ସାଧୁସନ୍ଥ, ଯୋଗୀମୁନି ପରିବ୍ରାଜକ ମାନେ । ସେତେବେଳେ ଆଜି ପରି ମୋଟର ଚାଲିବାର ଶବ୍ଦ ବା ଠାଏ ଠାଏ ଯାତ୍ରୀମାନଙ୍କ ସୁଖ ସୁବିଧା ପାଇଁ ଗଢ଼ି ଉଠିଥିବା ବଜାର ଓ ଦୋକାନରୁ ଶୁଣା ଯାଉଥିବା ସିନେମା ସଙ୍ଗୀତ ଶୁଣାଯାଉ ନଥିଲା ସେମାନଙ୍କୁ । କେବଳ ନାନା ଜାତିର ପକ୍ଷୀମାନଙ୍କର କାକଳି ବେଳେବେଳେ ଶ୍ୱାପଦମାନଙ୍କର ଗର୍ଜନ ବା ନଦୀର କଳକଳ ସଙ୍ଗୀତମୟ ଧ୍ୱନି ନିର୍ଜନତା ଭାଙ୍ଗି ପଥଚାରୀକୁ ସଚେତନ କରି ଦେଉଥିଲା । ହିମାଳୟର ପ୍ରବାହିତ ପ୍ରତ୍ୟେକ ନିର୍ଝରିଣୀର କଳ କଳ ନାଦରୁ ଶୁଣାଯାଉଥିଲା ମନୁଷ୍ୟର ଅପ୍ରତିହତ ଜୟଯାତ୍ରାର ଶଙ୍ଖଧ୍ୱନି ।

 

ମଧ୍ୟେ ମଧ୍ୟେ ଦୃଷ୍ଟି ପଥାରୂଢ଼ ହେଉଥାନ୍ତି ସ୍ୱଳ୍ପାଚ୍ଛାଦିତ ସାଧୁ ସନ୍ନ୍ୟାସୀ । ଏହି ଉଲଗ୍ନ ଦରିଦ୍ର ସର୍ବତ୍ୟାଗୀ ମାୟାମୋହ ମୁକ୍ତ ଅଦ୍ୱୈତବାଦୀମାନଙ୍କୁ ଦେଖି ସେମାନଙ୍କର ଊର୍ଦ୍ଧ୍ୱମୁଖୀ ବ୍ୟକ୍ତିବାଦୀ ଜୀବନ ଚେତନା ଆଚ୍ଛନ୍ନ କରେ ମନକୁ । ସେମାନଙ୍କର ବିଶ୍ଵାସ, ଅଦୃଷ୍ଟକୁ ଦେଖିବାର ପ୍ରୟାସ ଓ ଅଜ୍ଞାତକୁ ଜାଣିବାର ସଂକଳ୍ପ ଚିରିଦିନ ସେମାନଙ୍କୁ ଟାଣି ଆଣେ ଏଇ ପଥରେ । ସେଥ‌ିପାଇଁ ଯୌବନର ପ୍ରାରମ୍ଭରେ ସବୁ ସ୍ନେହ ମୋହ ତ୍ୟାଗ କରି ଦେଶାନ୍ତରୀ ହୋଇ ଏଇ ପଥରେ ଦକ୍ଷିଣର ଶେଷ ସୀମା କେରଳ ରାଜ୍ୟରୁ ଚାଲି ଆସିଥିଲେ ଯୁଗସ୍ରଷ୍ଟା ଅଦ୍ୱୈତବାଦର ପ୍ରଧାନ ପ୍ରବକ୍ତା ଭଗବାନ ଶଙ୍କର । ଜନପଦରୁ ଜନପଦ, ତୀର୍ଥରୁ ତୀର୍ଥ ଅତିକ୍ରମ କଲାବେଳେ ସେ ଚମକି ପଡ଼ିଥିଲେ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓ ବିଭିନ୍ନ ଭାଷା କହୁଥିବା ଭାରତବାସୀଙ୍କର ବିଭିନ୍ନତା ମଧ୍ୟରେ ସାଂସ୍କୃତିକ ଐକ୍ୟ ଓ ଜୀବନଧାରାର ସମନ୍ୱୟ ଦେଖି । ଆଜି ହିମାଳୟର ବୁକୁ ଫଟେଇ ପଥର ଖଣ୍ଡ ବୋହିନେଇ ଗଙ୍ଗାକୂଳେ କିମ୍ବା ସୁଦୂର ଦିଲ୍ଲୀ ସହରରେ ନିର୍ମାଣ କରାଯାଉଛି ନୂତନ ଭାରତ । ଆଜି ହିମାଳୟର ବୁକୁ ବିଦୀର୍ଣ୍ଣ କରି ବିଚ୍ଛିନ୍ନତାବାଦୀ ବା ମୌଳିକତାବାଦୀଙ୍କର କାର୍ଯ୍ୟ ଦେଖି ବାହାରି ଆସୁଛି ଦୀର୍ଘଶ୍ଵାସ ।

 

ଗାଡ଼ି ଉଠୁଥାଏ ଉପରକୁ । ସୂର୍ଯ୍ୟାଲୋକରେ ସେତେବେଳକୁ ଝଲକି ଉଠୁଥାଏ ହିମାଳୟର ଗିରିଶୃଙ୍ଗ, ବନଲତା ଓ ପାହାଡ଼ ପର୍ବତ । ଦେବପ୍ରୟାଗରୁ ଭାଗୀରଥୀ କୂଳେ କୂଳେ ଉତ୍ତରକାଶୀ ଯାଇ ହୁଏ । ସିଧା ଉତ୍ତରକୁ ଗଲେ ଯମୁନୋତ୍ରୀ, ଆଉ ପୂର୍ବକୁ ଗଲେ ଗଙ୍ଗୋତ୍ରୀ । ଆହୁରି ଆଗକୁ ଗଲେ ତୁଷାରମଣ୍ଡିତ ଗିରିଚୂଡ଼ା ଓ ହିମପ୍ରବାହ ଦୃଷ୍ଟିରେ ପଡ଼େ ଓ କ୍ଷଣକ ପାଇଁ ହିମାଳୟର ରହସ୍ୟାବୃତ୍ତ ଛବି ପ୍ରକଟିତ ହୋଇ ପୁଣି ଆହୁରି ରହସ୍ୟମୟ ହୋଇଉଠେ ।

 

ଏହି ଦେବପ୍ରୟାଗର ମହିମା ସ୍କନ୍ଦପୁରାଣ ଓ କେଦାର ଖଣ୍ଡରେ ବର୍ଣ୍ଣିତ । ଦେବଶର୍ମା ନାମରେ ଜଣେ ବ୍ରାହ୍ମଣ ସତ୍ୟଯୁଗରେ ନିରାହାର ଶୁଖିଲା ପତ୍ର ଖାଇ ଏବଂ ଗୋଟିଏ ପାଦରେ ଛିଡ଼ାହୋଇ ହଜାରେ ଦିବ୍ୟବର୍ଷ ତପସ୍ୟା କରିଥିଲେ । ଭଗବାନ ବିଷ୍ଣୁ ସେଥିରେ ସନ୍ତୁଷ୍ଟ ହୋଇ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ ବରଦାନ କରିବା କଥା ସ୍କନ୍ଦ ପୁରାଣର କେଦାର ଖଣ୍ଡରେ ଲିପିବଦ୍ଧ ହୋଇଛି । ଦେବଶର୍ମାଙ୍କୁ ବିଷ୍ଣୁ ବରଦାନ କରି କହିଥିଲେ ଯେ ତ୍ରେତା ଯୁଗରେ ରାମଚନ୍ଦ୍ର ଲଙ୍କା ବିଜୟ କରି ସାରିବା ପରେ ଅଳକାନନ୍ଦା ଓ ଭଗୀରଥୀର ସଂଗମରେ ସ୍ନାନକରି ରାବଣକୁ ହତ୍ୟା କରିଥିବା ପାପରୁ ଉଦ୍ଧାର ପାଇବେ ।

 

ତତୋ ଦେବପ୍ରୟାଗେତି ତ୍ୱନ୍ନାମଲକ୍ଷ୍ମଣାନ୍ୱିତମ୍‌ ।

ଖ୍ୟାତିମେତନ୍ମହତୀର୍ଥ ଗମିଷ୍ଠ୍ୟତି ଦ୍ୱିଜୋତ୍ତମ ।

ତସ୍ମାତ୍ୱୟା ତପସ୍ତତ୍ପମସ୍ମିନ୍‌କ୍ଷେତ୍ରେ ମହାମତେ ।

ତସ୍ମାତ୍‌ପୁଷ୍ୟତମଂ ତୀର୍ଥ ଭବିଷ୍ୟତି ନିରନ୍ତରମ୍‌ ।

 

(କେଦାରଖଣ୍ଡ)

 

ଏଥିରେ ଭାଗୀରଥୀ ଏବଂ ଅଳକାନନ୍ଦା ଓ ନାନା କୁଣ୍ଡର ଏବଂ କେତେକ ଦିବ୍ୟ ଶିଳାର ବର୍ଣ୍ଣନା ଅଛି । ଭଗବାନ ଶିବଙ୍କର ମଧ୍ୟ ଏଠାରେ ଚାରି ଦିଗରେ ଚାରି ସ୍ଥାନ ଅଛି । ବ୍ରହ୍ମକୁଣ୍ଡରେ ପିଣ୍ଡଦାନ ଏବଂ ଶ୍ରାଦ୍ଧ କରିବାର ମହତ୍ତ୍ୱ ଅନେକ । ଶ୍ରୀରାମଚନ୍ଦ୍ର ପିତୃଲୋକ ଉଦ୍ଦେଶ୍ୟରେ ଦେବ ପ୍ରୟାଗରେ ପିଣ୍ଡଦାନ କରିଥିଲେ । ଲକ୍ଷ୍ମଣ ଝୁଲା ନିକଟରେ ବସି ଚାରିଭାଇ ମହାଦେବଙ୍କ ନିକଟରେ ପୂଜା ନିବେଦନ କରିଥିଲେ । ତେଣୁ ଏ ପାଖରେ ବିଶ୍ୱେଶ୍ୱର ଅନ୍ୟ ପାଖରେ ନୀଳକଣ୍ଠ ଏବଂ ଚାରି ଭାଇଙ୍କୁ କେନ୍ଦ୍ର କରି ସ୍ମୃତି ଫଳକ ଏବଂ ତା’ଉପରେ ପ୍ରତିଷ୍ଠିତ ଚାରିଟି ମନ୍ଦିର; କିନ୍ତୁ ରାମଚନ୍ଦ୍ରଙ୍କ ମନ୍ଦିରଟି ସ୍ଥାପିତ ହୋଇଛି ଦେବପ୍ରୟାଗରେ ।

 

ଦୁର୍ଗମ ଦୁରାରୋହ ଗିରିପଥ ଉପରକୁ ଆମ୍ଭମାନଙ୍କର ଗାଡ଼ି ଗର୍ଜନ କରି ଯେତିକି ଉଠିବାକୁ ଲାଗିଲା ମନରୁ ସବୁ ଆଶଙ୍କା, ଅନିନୃୟତା ଅପସରି ଯାଇ ଅଲଭ୍ୟକୁ ଲାଭ କରିବା ପାଇଁ ମନପ୍ରାଣ ସେତିକି ଆକୁଳ ହେବାକୁ ଲାଗିଲା ।

 

ବ୍ରହ୍ମପୁରା କଥା କହୁଥିଲେ ମୁଖାର୍ଜୀ ସାହେବ । ଆଧୁନିକ ପ୍ରସ୍ତାବର ଏକାଂଶ, ସମଗ୍ର ଗଡ଼ଓ୍ୱାଲ ଓ ସାହାରାନପୁରର ଏକାଂଶ, ଦ୍ରୋଣାଚାର୍ଯ୍ୟଭୂମି (ଆଧୁନିକ ଡେରାଡ଼ୁନ) କୁର୍ମାଞ୍ଚଳ (ଆଧୁନିକ କୁମାୟୁନ), ସମଗ୍ର ପଶ୍ଚିମ ତିବ୍ଦତ ଏବଂ ପଶ୍ଚିମ ନେପାଳକୁ ନେଇ ଗଠିତ ହୋଇଥିଲା ପ୍ରାଚୀନ ବ୍ରହ୍ମପୁରା । ଇତିହାସରେ କୌଣସି ତାରିଖ କେହି ଲେଖିରଖିନି, ସବୁ ସ୍ମୃତିର ମଧ୍ୟ ଅତୀତ-। କିନ୍ତୁ କେବଳ ତ୍ରେତାର ରାମଚନ୍ଦ୍ର ନୁହଁନ୍ତି ଦ୍ଵାପରର ପାଣ୍ଡବମାନେ ମଧ୍ୟ ଆସିଥିଲେ ଏଇ ବାଟେ, ସ୍ନାନ କରିଥିଲେ ଏଇ ପୂଣ୍ୟତୋୟା ଦେବପ୍ରୟାଗର ସଙ୍ଗମସ୍ଥଳରେ । ଆଜି କେହି ହୁଏତ ଜାଣନ୍ତି ନାହିଁ ଯେ ଏହି ବ୍ରହ୍ମପୁରାର କୌଣସି ଗୁହା ଭିତରେ ବା ନଦୀକୂଳରେ ବସି ମହାକବି ବେଦବ୍ୟାସ ସମଗ୍ର ବେଦଶାସ୍ତ୍ରକୁ ଚାରିଭାଗରେ ବିଭକ୍ତ କରିଥିଲେ । ତେଣୁ ସମଗ୍ର ବ୍ରହ୍ମପୁରରେ ରାମାୟଣ ଓ ମହାଭାରତରେ ସଂସ୍କୃତି ବିଦ୍ୟମାନ । ରାମପୁର, ରାମଓୟାଡ଼ା, ରାମଗଙ୍ଗା, ହନୁମାନଚଟିର ରାମ ମନ୍ଦିର, ଅଗସ୍ତ୍ୟ ମୁନି, ରାମନଗର, ଲଛମନ ଝୁଲା ସହିତ ଭରତ ଓ ଶତ୍ରୁଘ୍ନ ମନ୍ଦିର ତା’ର ପ୍ରମାଣ-। ସେହିପରି ମହାଭାରତ ଯୁଗରେ ହରିଦ୍ଵାରର ଭୀମଗୋଡ଼ାଠାରୁ ତା’ର ଆରମ୍ଭ । ଦ୍ରୋଣଭୂମି (ଡେରାଡ଼ୁନ) ନିକଟରେ । ଆଉ ଆଗକୁ ଗଲେ ବ୍ୟାସ ଗୁହା ଓ ଗଙ୍ଗା । ମନ୍ଦାକିନୀର ତୀରରେ ଭୀମସେନ ଓ ବଳରାମ ଏବଂ ଉଖୀମଠ । ବିଷ୍ଣୁପ୍ରୟାଗ ପରେ ପାଣ୍ଡୁକେଶ୍ୱର-। ପିଣ୍ଡାର ଓ ଅଳକାନନ୍ଦା ଧାରରେ କର୍ଣ୍ଣପ୍ରୟାଗ । ତା’ପରେ ବଦ୍ରିନାଥ ଛାଡ଼ି ସ୍ଵର୍ଗାରୋହିଣୀ ପଥ । ଏହିପଥ ସେଦିନ ପବିତ୍ର ହୋଇଥିଲା ଯୁଧୁଷ୍ଠିରଙ୍କ ପଦସ୍ପର୍ଶ ପାଇ ।

 

ଏହା ପୂର୍ବରୁ ସତ୍ୟଯୁଗରୁ ବିଦ୍ୟମାନ ବଦ୍ରିନାଥ । କେହି କେହି ପଣ୍ଡିତ ବଦ୍ରିନାଥଙ୍କୁ ବୌଦ୍ଧପୀଠ ଥିଲା ବୋଲି ମଧ୍ୟ କହନ୍ତି ।

 

ପଥର ଦୁଇ ପାର୍ଶ୍ଵରେ ନାନାଦି ବୃକ୍ଷଲତା । ଗୋଟିଏ ଦୁଇଟି ପୁଷ୍ପବତୀ । ସେଇ ଦୁର୍ଗମ ପଥ ଅତିକ୍ରମ କରିବାବେଳେ ମନହୁଏ ଉର୍ଦ୍ଧ୍ୱମୁଖୀ, ପଛରେ ପଡ଼ିରହେ ସ୍ତ୍ରୀ, ପୁତ୍ର, କନ୍ୟାର ସଂସାରର ମୋହ ।

 

ଶ୍ରୀନଗର ବା ଶ୍ରୀକ୍ଷେତ୍ରରେ ପହଞ୍ଚିବାବେଳକୁ ଏଗାରଟାକୁ, ଦେବପ୍ରୟାଗଠାରୁ ଶ୍ରୀନଗରର ଦୂର ବି ପ୍ରାୟ ପଇଁତିରିଶି କିଲୋମିଟର ବାଟରେ ମଲେଠା ଏବଂ କୀର୍ତ୍ତିନଗର ନାମକ ଦୁଇଟି ଛୋଟ ସ୍ଥାନ, ଚାହା ଓ ଜଳଖିଆ ଦୋକାନ ବି ଅଛି । ସମୁଦ୍ରପତ୍ତନଠାରୁ ଶ୍ରୀନଗରର ଉଚ୍ଚତା ୫୭୯ ମିଟର ଏବଂ ଋଷିକେଶ ଠାରୁ ଦୂରତ୍ୱ ୧୦୫ କିଲୋମିଟର ।

 

କୀର୍ତ୍ତିନଗର ସହର ତେହରୀ ଗଡ଼ଓ୍ୱାଲର ପୂର୍ବତନ ମହାରାଜା କୀର୍ତ୍ତିଶାହାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହିଠାରେ ଦେବପ୍ରୟାଗ ଠାରୁ ଆସୁଥିବା ସଡ଼କ ଅଳକାନନ୍ଦାକୁ ଅତିକ୍ରମ କରି ଏହାର ବାମଆଡ଼କୁ ଗତି କରିଛି । ଶ୍ରୀନଗର କେଦାରନାଥଠାରୁ ୧୧୮ କିଲୋମିଟର ଦୂର ।

ଦେବପ୍ରୟାଗ ଠାରୁ ଶ୍ରୀନଗର ଯିବା ବାଟ ବେଶି ବିପଦସଙ୍କୁଳ ନ ହେଲେ ମଧ୍ୟ ଦୁଇପାଖରେ ମନୋରମ ପର୍ବତମାଳା ଏବଂ ବାମ ପାଖରେ ସ୍ରୋତସ୍ୱିନୀ ଅଳକାନନ୍ଦାର ଦୃଶ୍ୟ ଅତ୍ୟନ୍ତ ମନୋରମ । ଠାଏ ଠାଏ ରୋଡ଼ ଡ୍ରେନ୍‌ଡ଼୍ରନ ଫୁଲ ଗୁଡ଼ିକୁ ଚିହ୍ନାଇ ଦେଉଥାଆନ୍ତି ବର୍ମା ସାହେବ ।

ଶ୍ରୀନଗର ସହରର ନୈସର୍ଗିକ ଶୋଭା ଅତ୍ୟନ୍ତ ମନୋମୁଗ୍‌ଧକର । ପାହାଡ଼ କାଟି ଘର ତିଆରି ହୋଇଛି ଅନେକ । ପାହାଡ଼ର ପ୍ରତ୍ୟେକ ଥାକରେ ବସ୍ତି । ବ୍ୟାଙ୍କ, ହୋଟେଲ, ଦୋକାନ ବଜାର, ସ୍କୁଲ, ସେନାଛାଉଣୀ ଓ ସରକାରୀ ଏବଂ ବେସରକାରୀ ଘରଗୁଡ଼ିକର ଶୋଭା ପରିବେଶକୁ ଚାହଁ । ଏଠାରୁ ୧୯ କିଲୋମିଟର ଦୂରରେ ପଉରୀ ଶୈଳନିବାସ ଅବସ୍ଥିତ ।

ଏହି ଶ୍ରୀନଗର କାଶ୍ମୀର ରାଜ୍ୟର ଶ୍ରୀନଗର ଠାରୁ ଅନେକ ଛୋଟ ହେଲେ ମଧ୍ୟ ଏହାର ଶୋଭା ଅନିର୍ବଚନୀୟ । ଦେବଦାରୁ, ପାଇନ ପ୍ରଭୃତି ବନସ୍ପତିମାନଙ୍କର ଶୋଭା ଏବଂ ଦୁଇ ପାଖରେ ପ୍ରହରୀ ସଦୃଶ ଦଣ୍ଡାୟମାନ ପାର୍ବତ୍ୟମାଳା ଦେଖି ମନପ୍ରାଣ ଆନନ୍ଦରେ ପୂର୍ଣ୍ଣ ହୋଇଥାଏ-

ଶ୍ରୀନଗରରେ କିଛି ସମୟ ବିଶ୍ରାମ କରିବା ପାଇଁ ଇଚ୍ଛା ଥିଲେ ବି ଗାଡ଼ି ଚଳେଇବା ଲାଗି ହୁକୁମ ଦେଲେ ମୁର୍ଖାଜୀ ସାହେବ । ଆଗରେ ରୁଦ୍ରପ୍ରୟାଗ । ଶ୍ରୀନଗରଠାରୁ ରୁଦ୍ରପ୍ରୟାଗ ଯିବା ବାଟରେ ଆଖିରେ ପଡ଼ୁଥାଆନ୍ତି ଅନେକ ପାହାଡ଼ୀ ମହିଳା । ସେମାନଙ୍କ ପିଠି ଉପରେ ସଂଗୃହୀତ ଜାଳେଣି କାଠର ବୋଝ । ଦେଖିବାକୁ ମଙ୍ଗୋଲୀୟଙ୍କ ପରି ଦେହର ରଙ୍ଗ ସଫା ଏବଂ କେତେକ ତରୁଣୀଙ୍କ. ଦେହରେ ଶକ୍ତି ଓ ସୌନ୍ଦର୍ଯ୍ୟର ଅପୂର୍ବ ସମାବେଶ । ରୁଦ୍ରପ୍ରୟାଗଠାରେ ଅଳକାନନ୍ଦା ସହିତ ମିଳିତ ହୋଇଛି କେଦାରନାଥ ଆଡ଼ୁ ପ୍ରବାହିତ ହୋଇ ଆସୁଥିବା ମନ୍ଦାକିନୀ । ଏଠାରେ ରୁଦ୍ରନାଥଙ୍କର ପ୍ରାଚୀନ ମନ୍ଦିର ଅବସ୍ଥିତ । ପୁରାଣରେ ରୁଦ୍ରପ୍ରୟାଗକୁ ପୁଣ୍ୟତୀର୍ଥ ଭାବରେ ବର୍ଣ୍ଣନା କରାଯାଇଛି । ଏଠାରେ ବ୍ରହ୍ମାଙ୍କ ଆଜ୍ଞା ପାଇ ଦେବର୍ଷି ନାରଦ ହଜାରେ ବର୍ଷ ତପସ୍ୟା କରି ଭଗବାନ ଶଙ୍କରଙ୍କର ସାକ୍ଷାତ ପାଇ ଗାନ୍ଧର୍ବ ଶାସ୍ତ୍ର ଶିକ୍ଷା କରିଥିଲେ । ଏହି ପୁଣ୍ୟଭୂମିରେ ମହାଦେବ ରୁଦ୍ର ନାରଦଙ୍କୁ ‘ମହତୀ’ ନାମକ ବୀଣା ପ୍ରଦାନ କରିଥିଲେ । ମନ୍ଦିରରେ ଶଙ୍କରଙ୍କର ‘ରୁଦ୍ରେଶ୍ଚର’ ଲିଙ୍ଗ ପ୍ରତିଷ୍ଠିତ । ଏହି ଶିବଲିଙ୍ଗ ଦର୍ଶନ ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ବୋଲି ବିବେଚିତ ହୁଏ ।

ଯେଉଁ ତୀର୍ଥଯାତ୍ରୀ, ସାଧୁସନ୍ଥ କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଚାହାନ୍ତି, ସେମାନେ ଏଠାରୁ ବାଟ ଭାଙ୍ଗି ଉଖୀମଠ, ଚୋପତା ମଣ୍ଡଳ, ଗୋପେଶ୍ୱର ହୋଇ ଚମୋଲୀଠାରେ ବଦ୍ରିନାଥ ରାସ୍ତାରେ ଆସି ପୁନର୍ବାର ମିଳିତ ହୁଅନ୍ତି । ରୁଦ୍ରପ୍ରୟାଗ ସମୁଦ୍ରପତ୍ତନ ଠାରୁ ୬୧୦ ମିଟର ଉପରେ ଅବସ୍ଥିତ ।

ରୁଦ୍ରପ୍ରୟାଗ ପରେ କର୍ଣ୍ଣପ୍ରୟାଗ ୩୨ କିଲୋମିଟର ଦୂରରେ । କର୍ଣ୍ଣପ୍ରୟାଗ ପିଣ୍ଡାର ନଦୀ ଓ ଅଳକାନନ୍ଦାର ସଙ୍ଗମସ୍ଥଳ । ଏଥିପାଇଁ କର୍ଣ୍ଣପ୍ରୟାଗ ଏକ ତୀର୍ଥସ୍ଥାନ । ସଙ୍ଗମଠାରୁ କିଛି ଦୂରରେ ପଶ୍ଚିମରେ ଶିଳାଖଣ୍ଡ ପାଖରେ ମହାଭାରତର ପ୍ରଥିତ-ଯଶା ଦାନବୀର କର୍ଣ୍ଣଙ୍କର ତପସ୍ଥଳୀ ଏବଂ ମନ୍ଦିର । ଏଠାରେ ଭଗବତୀ ଉମାଙ୍କର ଅତି ପ୍ରାଚୀନ ମନ୍ଦିର ବିଦ୍ୟମାନ । ଏଠାରେ ମହାବୀର କର୍ଣ୍ଣ ସୂର୍ଯ୍ୟଙ୍କୁ ଆରଧନା କରି ଅଭୟ କବଚକୁଣ୍ଡଳ ପାଇଥିଲେ । ସେଥିପାଇଁ ଏହି ସ୍ଥାନ କର୍ଣ୍ଣପ୍ରୟାଗ ନାମରେ ପ୍ରସିଦ୍ଧ । ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଏହି ସ୍ଥାନ ପ୍ରସିଦ୍ଧ । ଏଠାରୁ ଗୋଟିଏ ପଥ ରାଣୀ ଖେତ, ଅଲମୋଡ଼ା, କାଠଗୋଦାମ, ହ୍ଲାଦିନୀ ପର୍ଯ୍ୟନ୍ତ ଯାଇଛି ଏବଂ ଅନ୍ୟଟି ଯାଇଛି ବଦ୍ରିକାଶ୍ରମ ଆଡ଼କୁ । ରୁଦ୍ରପ୍ରୟାଗଠାରୁ କର୍ଣ୍ଣପ୍ରୟାଗ ଏବଂ ତା’ପରେ ନନ୍ଦପ୍ରୟାଗ, ଚାମୋଲୀ, ପିପିଲକୋଠି ଓ ଯଶୀମଠ ପର୍ଯ୍ୟନ୍ତ ପଥ ଅତ୍ୟନ୍ତ ଦୂରୁହ, ଦୁର୍ଗମ ଓ ବିପଦସଙ୍କୁଳ । ଅନେକ ସ୍ଥାନରେ ସଡ଼କ ଅପ୍ରଶସ୍ତ ଏବଂ ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବାବେଳେ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ହୁଏ । ଅଳ୍ପ ବାଙ୍କ ବା ହେଆରପିନ୍‌ ବେଣ୍ଡରେ ପଥପୂର୍ଣ୍ଣ ।

କର୍ଣ୍ଣପ୍ରୟାଗ ଠାରୁ ଉତ୍ତର ବଦ୍ରିନାଥ ମାର୍ଗର ୨୧ କିଲୋମିଟର ଦୂରରେ ନନ୍ଦାକିନୀ ଏବଂ ଅଳକାନନ୍ଦାର ପବିତ୍ର ସଙ୍ଗମ । ପୁରାଣ ଅନୁସାରେ ଏଠାରେ ନନ୍ଦ ମହାରାଜ ଭଗବାନ ନାରାୟଣଙ୍କୁ ପୁତ୍ରରୂପେ ପାଇବାଲାଗି ତପସ୍ୟା କରିଥିଲେ । ଏଠାରେ ନନ୍ଦାଦେବୀଙ୍କର ମନୋହର ମନ୍ଦିର ଅଛି । ନନ୍ଦାଙ୍କର ମନ୍ଦିର ମହାରାଜ ନନ୍ଦଙ୍କର ତପସ୍ଥଳୀ ଏବଂ ମନ୍ଦାକିନୀ ଓ ଅଳକାନନ୍ଦାର ସଙ୍ଗମସ୍ଥଳ ହୋଇଥିବାରୁ ଏହି ସ୍ଥାନର ନାମ ନନ୍ଦପ୍ରୟାଗ । ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ମଧ୍ୟ ଏଠାରେ ଅବସ୍ଥିତ ।

ରୁଦ୍ରପ୍ରୟାଗ ଠାରୁ ଯିବା ବାଟରେ ହିମାଳୟର ଅନେକ ବରଫାବୃତ୍ତ ଶୃଙ୍ଗ ଦୃଷ୍ଟିଗୋଚର ହୁଏ । ମଧ୍ୟାହ୍ନର ସୂର୍ଯ୍ୟକିରଣ ପଡ଼ି ତୁଷାରାବୃତ୍ତ ପର୍ବତ ଶିଖର ସବୁ ଆହୁରି ଉଜ୍ଜ୍ୱଳ ଏବଂ ଆକର୍ଷଣୀୟ ହୋଇଉଠନ୍ତି । ସେଇ ଅନିର୍ବଚନୀୟ ଦୃଶ୍ୟ ଦେଖୁ ଦେଖୁ ଦୁର୍ଗମ ପଥ ପାରି ହେବାର ଶଙ୍କା ଓ କ୍ଳାନ୍ତି ଦୂର ହୋଇଯାଏ ମନରୁ ।

ନନ୍ଦପ୍ରୟାଗ ପରେ ଅଳକାନନ୍ଦା ତୀରରେ ଚମୋଲୀ ସହର । ଏଠାରୁ କେଦାରନାଥର ଉଖୀମଠ, ଗୋପେଶ୍ୱର ହୋଇ ଆସିଥିବା ରାସ୍ତା ପ୍ରଧାନ ରାସ୍ତା ସହିତ ମିଳିତ ହୋଇଛି । ଏଠାରୁ ୧୦ କିଲୋମିଟର ଦୂରରେ ଗୋପେଶ୍ୱରଠାରେ ଗୋପୀନାଥଙ୍କର ମନ୍ଦିର ଗୋପେଶ୍ୱର ନିକଟରେ ଅନୁସୂୟା ଦେବୀଙ୍କ ସ୍ଥାନ ଏବଂ ରୁଦ୍ରନାଥକୁ ଯିବାପାଇଁ ରାସ୍ତା । ରୁଦ୍ରନାଥ ପଞ୍ଚକେଦାର ଅନ୍ତର୍ଗତ ଚତୁର୍ଥ କେଦାର ଅଟେ । ଏଠାରେ ଜିଲ୍ଲା ହେଡ଼୍‌କ୍ୱାଟର ଅବସ୍ଥିତ ।

ଚାମୋଲୀର ଏକ ହୋଟେଲରେ ଶାକାହାରୀ ଭୋଜନ କଲୁ ଆମେ । ରୋଟି, ଭାତ, ଡାଲି, ସାଦା ତରକାରୀ, ସାଲାଡ଼ । ଭୋକ ଲାଗୁଥିଲା । ପରିବେଷଣ କରାଯାଇଥିବା ଗରମ ଖାଦ୍ୟ ଅତି ସୁସ୍ୱାଦୁ ମନେହେଲା ।

ଏହାପରେ ୨୦ କିଲୋମିଟରେ ଦୂରରେ ବଦରୀନାଥ ଯିବା ରାସ୍ତାରେ ପିପଳକୋଠୀ । ଏଠାରୁ ଶୈଳଶୃଙ୍ଗ ପାରହୋଇ ଯୋଶୀମଠ ଯିବାକୁ ହୁଏ । ଯୋଶୀମଠ ଯିବା ରାସ୍ତାରେ ‘ହେଲଙ୍ଗ’’ ନାମକ ଚଟୀରେ ଅଳକାନନ୍ଦା ନଦୀ ଉପରେ ପୋଲ ପାର ହୋଇ ଉର୍ଗମ ହୋଇ କଳ୍ପନାଥ ଯିବାକୁ ହୁଏ । କଳ୍ପନାଥ ପଞ୍ଚକେଦାର ମଧ୍ୟରେ ଅନ୍ୟତମ ।

ଏହାପରେ ଯୋଶୀମଠ ବା ଜ୍ୟୋର୍ତିମଠ । ଏହା ସମୁଦ୍ରପତ୍ତନ ଠାରୁ ୧୮୯୦ ମିଟର ଉଚ୍ଚରେ ଅବସ୍ଥିତ ଓ ଋଷିକେଶ ଠାରୁ ୨୭୫ କିଲୋମିଟର ଦୂରରେ ଜ୍ୟୋର୍ତିମଠରେ ଅଦ୍ଵୈତବାଦର ପ୍ରଧାନ ପ୍ରବକ୍ତା ଆଦି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନ କରିଥିଲେ । ଏହି ସ୍ଥାନ ପୁରାଣ ପ୍ରସିଦ୍ଧ । ଶୀତ ଦିନରେ ବଦରୀ ବିଶାଳଜୀଙ୍କୁ ଜ୍ୟୋର୍ତିମଠକୁ ଆଣି ପୂଜାର୍ଚ୍ଚନା କରାଯାଏ । ଏହି ସ୍ଥାନ ପୌରାଣିକ, ଐତିହାସିକ ଓ ଭୌଗାଳିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ଅତୀତରେ ଏହି ସ୍ଥାନ କତ୍ୟୁରୀ ରାଜାଙ୍କ ରାଜଧାନୀ ଥିବାରୁ କାର୍ତ୍ତିକେୟପୁର ନାମରେ ମଧ୍ୟ ଖ୍ୟାତ । ଏହିଠାରେ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ତପସ୍ୟା କରି ଦିବ୍ୟଜ୍ଞାନ ଅର୍ଜନ କରିଥିଲେ । ସେ ଯେଉଁଠାରେ ତପସ୍ୟା କରୁଥିଲେ ତାହା ଶଙ୍କରାଚାର୍ଯ୍ୟ ଗୁମ୍ଫା ଏବଂ ଅନାଦି । ଶହତୁତ ବୃକ୍ଷମୂଳରେ ପ୍ରତିଷ୍ଠିତ ଜ୍ୟୋତିରୀଶ୍ୱର ମହାଦେବଙ୍କୁ ଦେଖି ପ୍ରମାଣିତ ହୁଏ । ସ୍ଫଟିକ ଶିବଲିଙ୍ଗଙ୍କୁ ଦର୍ଶନ କଲାବେଳେ ଅତୀତର ସେହି ଚିତ୍ର ଉଦ୍ଭାସିତ ହୋଇ ଉଠୁଥାଏ ମନ ଓ ପ୍ରାଣରେ । ଆଦିଶଙ୍କର ଏହିଠାରେ ପ୍ରସ୍ଥାନତ୍ରୟୀର ଭାଷ୍ୟ ରଚନା କରିଥିଲେ । ଏଠାରେ ଭଗବାନ ନୃସିଂହଜୀଙ୍କର ଶାଳଗ୍ରାମ ଶିଳାରେ ସ୍ୱୟମ୍ଭୂ ମୂର୍ତ୍ତି ବୀରାସଜରେ ବିରାଜମାନ । ପୁରାଣର ବର୍ଣ୍ଣନା ଅନୁସାରେ ହିରଣ୍ୟକଶିପୁ ଭଗବାନ ନୃସିଂହଙ୍କ ଦ୍ୱାରା ବଧ ହେବାପରେ ଭଗବାନଙ୍କର କ୍ରୋଧ ଶାନ୍ତ ହେଲା ନାହିଁ ଏବଂ ଏହି ପବିତ୍ର ଦିବ୍ୟଧାମରେ ପହଞ୍ଚିବାପରେ ହିଁ ସେ ଶାନ୍ତ ହେଲେ । ପୁରାଣ ଅନୁସାରେ ଭକ୍ତରତ ପ୍ରହ୍ଲାଦ ଏଠାରେ ନିତ୍ୟ ବିରାଜିତ । ଏଠାରେ ସବୁ ପ୍ରକାର ସିଦ୍ଧି ମିଳେ ବୋଲି ଏହା ପ୍ରସିଦ୍ଧ । ଏଠାରେ ଯାତ୍ରୀମାନେ ମନରେ, ବଚନରେ ବା କର୍ମରେ କରୁଥିବା ସବୁ ପାପ ମୋଚନ କରିବା ପାଇଁ ସଂକଳ୍ପ କରି ବଦରିକାଶ୍ରମକୁ ଯାତ୍ରା କରିବାର ପ୍ରଥା ପ୍ରଚଳିତ ଅଛି ।

ଜ୍ୟୋର୍ତିମଠ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଚାରି ମଠ ମଧ୍ୟରୁ ପ୍ରଥମ; ତଥାପି ଏହା ଅଥର୍ବବେଦୀୟ ମଠ ହୋଇଥିବାରୁ କ୍ରମାନୁସାରେ ଚତୁର୍ଥ ସ୍ଥାନ ପାଇଛି । ଜ୍ୟୋର୍ତିମଠର ଅଧ୍ୟଷ୍ଠାତ୍ରୀ ଦେବୀ ପୂର୍ଣ୍ଣଗିରି ଅଟନ୍ତି । ଏହି ମନ୍ଦିର ଏବେ ନବ ଦୁର୍ଗା ମନ୍ଦିର ନାମରେ ପ୍ରଖ୍ୟାତ । ଏହା ବ୍ୟତୀତ ଭଗବାନ ବାସୁଦେବ ଓ ସଂକର୍ଷଣଙ୍କର ଚତୁର୍ଭୁଜ ମୂର୍ତ୍ତି ମଧ୍ୟ ବାସୁଦେବ ମନ୍ଦିରର ଶୋଭାବର୍ଦ୍ଧିତ କରୁଛି । ଏଠାରେ ନୃତ୍ୟ କରୁଥିବା ଅଷ୍ଟଭୁଜ ଗଣେଶଙ୍କର ସୁନ୍ଦର ମୂର୍ତ୍ତି ସ୍ଥାପିତ ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ତାଟକାଚାର୍ଯ୍ୟଙ୍କ ସାଧନାପୀଠ ବୋଲି ମଧ୍ୟ ଏହା ବିଖ୍ୟାତ ।

ହଜାରେ ବର୍ଷରୁ ଅଧିକ ପୂର୍ବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏଠାକୁ କିଭଳି ପଦଯାତ୍ରାରେ ଆସିଲେ ତାହା ଭାବିଲେ ମନ ବିସ୍ମୟରେ ଅଭିର୍ଭୂତ ହୁଏ । ସେହିଦିନୁ ହିନ୍ଦୁଜଗତରେ ଅନେକ ଆଚାର୍ଯ୍ୟ, ସାଧକ ଓ ସାଧୁସନ୍ଥ ଏବଂ ସାଧାରଣ ଧର୍ମପିପାସୁ ବ୍ୟକ୍ତି ପାଦରେ ଏବଂ ମୋଟର ଗାଡ଼ିରେ ବଦରିକାଶ୍ରମ ଯିବା ପାଇଁ ଏଠାରେ ରାତ୍ରିଯାପନ କରି ପୁନର୍ବାର ଯାତ୍ରା ଆରମ୍ଭ କରନ୍ତି । ଆମେ ମଧ୍ୟ ସନ୍ଧ୍ୟା ପୂର୍ବରୁ ଯୋଶୀମଠରେ ପହଞ୍ଚି ହୋଟେଲରେ ଜିନିଷପତ୍ର ରଖି ଶଙ୍କରାଚାର୍ଯ୍ୟଙ୍କ ମଠ ଓ ମନ୍ଦିର ଦର୍ଶନ କରି ନିଜକୁ କୃତାର୍ଥ ମନେକଲୁ ।

ସେହି ଜ୍ୟୋର୍ତିମଠରେ ପହଞ୍ଚି ସ୍ଫଟିକ ମହାଦେବଙ୍କୁ ପ୍ରଣାମ କରି ଅସ୍ତରାଗର ଅବିରବୋଳା ବରଫାବୃତ୍ତ ପର୍ବତ ଶୃଙ୍ଗମାନଙ୍କର ଚିତ୍ତାକର୍ଷକ ମହିମାମୟ ଅଭିରାମ ରୂପ ଦର୍ଶନ କରିବା ପରମ ସୌଭାଗ୍ୟ । ସେତେବେଳକୁ କ୍ଳାନ୍ତ ଲାଗିଲେ ବି ମୀନାକ୍ଷୀଦେବୀଙ୍କ ତତ୍ପରତାରୁ ଆମ ସମସ୍ତଙ୍କୁ ଗରମ ଚା’ ମିଳିଗଲା । ପରେ ସାନ୍ଧ୍ୟକୃତ୍ୟ ସମାପ୍ତ କରି ପ୍ରବଳ ଶୀତରୁ ନିଜକୁ ରକ୍ଷା କରିବା ପାଇଁ ଶୀଘ୍ର ରାତ୍ରି ଭୋଜନ ଶେଷ କରି ହୋଟେଲ ଭିତରେ କମ୍ବଳ ଘୋଡ଼େଇ ଶୋଇପଡ଼ିଲୁ । ସେହି ଅନାଦିକାଳରୁ କିଭଳି ଭାରତର ବିଭିନ୍ନ ପ୍ରାନ୍ତରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମ୍ପ୍ରଦାୟ, ପ୍ରାନ୍ତ ଓ ଭାଷାର ଲୋକ ବିଶାଳ ବଦ୍ରିଙ୍କୁ ଦର୍ଶନ କରି ଦୁର୍ଲଭ ପୁଣ୍ୟ ଅର୍ଜନ କରିବା ପାଇଁ ଦୂରୁହ ଦୁର୍ଗମ ପଥ ଅତିକ୍ରମ କରନ୍ତି ଓ ପ୍ରବଳ ଶୀତ କଷ୍ଟ ସହ୍ୟ କରନ୍ତି ତାହା ନ ଦେଖିଲେ ଭାରତର ଅନେକ ବିଭିନ୍ନତା ମଧ୍ୟରେ ଏକତା କିପରି ଅନ୍ତଃସଳିଲା ଫଲଗୁ ପରି ଏ ଜାତିର ମହାସ୍ରୋତକୁ ସମୃଦ୍ଧ ଓ ସ୍ରୋତସ୍ୱିନୀ କରିଛି ତାହା ବୁଝି ହେବନାହିଁ । ଆଉଥରେ ସେଇ ସନାତନ ଭାରତର ରୂପଦର୍ଶନ କରି ଗାଇବାକୁ ଇଚ୍ଛାହୁଏ–

 

ତତଃ କୋଶ ଦ୍ୱୟେ ପୁଣ୍ୟ ଜ୍ୟୋର୍ତିଧାମ ଶୁଭପ୍ରଦମ୍‌ ।

ନୃସିଂହ ରୂପୀ ଭଗବାନ୍‌ ଯତ୍ରସ୍ତେ ମୁକ୍ତିଦାୟକଃ ।।

ଯଃ ପ୍ରହ୍ଲାଦ ଯୋଗୀନ୍ଦ୍ରୋ ହରିଭକ୍ତି ପରାୟଣଃ ।

ଏତତୀର୍ଥ ସମଂ ନାସ୍ତି ବିଷ୍ଣୋ ପ୍ରୀତିକରଂ ପରଂ ।।

ଏତତ୍ପୀଠ ସମଂ ନାସ୍ତି ସିଦ୍ଧିଦଂ ସର୍ବକାମଦମ୍‌ ।

ତସ୍ମାତ୍‌ ସର୍ବ ପ୍ରୟତ୍ୟେନ ନାସ୍ତିପାପଂ ସମାଚରେତ୍‌ ।।

ନୃସିଂହ ପୂଜୟେତ୍‌ ଭକ୍ତ୍ୟା ୟଦିଚ୍ଛେତ୍‌ ବିଷ୍ଣୁତାଂ ବରଃ ।

 

(ସ୍କନ୍ଦ ପୁରାଣ)

 

ପ୍ରତ୍ୟୁଷରୁ ଉଠି ପ୍ରାତକୃତ୍ୟ ଶେଷ କରି ସୂର୍ଯ୍ୟୋଦୟ ହେବାବେଳକୁ ରାସ୍ତା ଉପରକୁ ବାହାରି ଆସିବା ପରେ ହିମାଳୟର ବରଫାବୃତ୍ତ ପର୍ବତ ଓ ଶୃଙ୍ଗମାନଙ୍କର ଯେଉଁ ଅନିର୍ବଚନୀୟ ଶୋଭା ଦୃଷ୍ଟିଗୋଚର ହେଲା ତାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଯୁଗ ଯୁଗ ଧରି ଯୋଗାଧିରାଜ ହିମାଳୟର ଏହି ରୂପ ସାଧକର ପ୍ରସନ୍ନତା, ସିଦ୍ଧିର ଶାନ୍ତି ଓ ସାଧାରଣର ଅନ୍ୱେଷା ବୃଦ୍ଧି କରୁଛି । ସେହି ପ୍ରଶାନ୍ତ, ଐଶ୍ୱର୍ଯ୍ୟମଣ୍ଡିତ ଦେବାତ୍ମା ହିମାଦ୍ରିକୁ ନମସ୍କାର କରି ପୁନର୍ବାର ଯାତ୍ରା ଆରମ୍ଭ କଲୁ । ସେତେବେଳେ ଆମର ପରିଚୟ କେବଳ ତୀର୍ଥଯାତ୍ରୀ । ଓଡ଼ିଆ, ବଙ୍ଗାଳି, ଗୁଜୁରାଟୀ, ତେଲଗୁ; ତାମିଲ, ହିନ୍ଦୁସ୍ଥାନୀ ପରିଚୟ ଲୁପ୍ତ ସେଠାରେ । କେବଳ ଗୋଟିଏ ପରିଚୟ ଏବଂ ଗୋଟିଏ ଚେତନା ମନକୁ ପ୍ରଭାବିତ କରୁଥାଏ–ତାହାହେଲା ଆମେ ଏଇ ଆର୍ଯ୍ୟାବର୍ତ୍ତ ଭାରତବର୍ଷର ଅଧିବାସୀ ଏବଂ ପୃଥିବୀର ଏକ ମହାନ୍‌ ଊର୍ଦ୍ଧ୍ୱମୁଖୀ ପ୍ରାଚୀନ ସଂସ୍କୃତିର ଅଧିକାରୀ ।

 

ଏହି ଚେତନା ହିଁ ଭାରତୀୟ ଜାତୀୟତାର ଉତ୍ସଭୂମି ।

 

।। ଚାରି ।।

 

ପ୍ରବଳ ଶୀତ ସତ୍ତ୍ୱେ ମେ’ ବାଆର ତାରିଖ ସୋମବାର ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ଶେଷ କରି ହୋଟେଲ ଭିତରୁ ବାହାରିବା ବେଳକୁ ରାତି ପାହିଥିଲେ ବି ସୂର୍ଯ୍ୟୋଦୟ ହୋଇ ନଥାଏ-। ଠିକ୍‌ ଛଅଟା ବେଳକୁ ଗାଡ଼ି ଚୌକୀରୁ ଛାଡ଼ିବା କଥା । ଆମେ ଯାଇ ଧାଡ଼ିରେ ଛିଡ଼ା ହେଲାବେଳକୁ ଆଉ କେତୋଟି କାର୍‌ ଏବଂ ବସ୍‌ ସେତେବେଳକୁ ଧାଡ଼ିରେ ଛିଡ଼ା ହୋଇଥିବାର ଦେଖି ଅନୁଭବ କଲି ବଦ୍ରିବିଶାଳଙ୍କୁ ଦର୍ଶନ କରିବା ପାଇଁ କିପରି ଯାତ୍ରୀମାନଙ୍କର ଆଗ୍ରହ ଓ ପ୍ରୟାସ-

 

ସୂର୍ଯୋଦୟର ହୋଇ ନଥାଏ ସେତେବେଳକୁ । ଲକ୍ଷ୍ମୀଧର ବାବୁ, ବାପା, ମା’ ଶୀତରେ କାତର ହେଲେ ବି ପ୍ରଭାତର ସୂର୍ଯ୍ୟୋଦୟ ଦେଖିବାପାଇଁ ଛିଡ଼ାହୋଇ ଥାଆନ୍ତି ବାହାରେ । ଜ୍ୟୋତିମଠର ଚତୁର୍ଦ୍ଦିଗରେ ସେତେବେଳକୁ ଖେଳିଗଲାଣି ପ୍ରଭାତର ଆଲୋକ । ଚତୁର୍ଦ୍ଦିଗରେ ବରଫାବୃତ୍ତ ପାହାଡ଼ର ଶୀର୍ଷଦେଶ ଆକର୍ଷଣ କରୁଥାଏ ଆଖିକୁ । ଟିକିଏ ପରେ ବାଳସୂର୍ଯ୍ୟଙ୍କର ଲାଲ କିରଣ ପଡ଼ି ଚହଟି ଉଠିଲା ବରଫାବୃତ୍ତ ଗିରିଶିଖର । ଅନିର୍ବଚନୀୟ ଶୋଭା ଦେଖି ମନ ଓ ଦେହ ଏକ ଅନନୁଭୂତ ପ୍ରଶାନ୍ତିରେ ପୂର୍ଣ୍ଣ ହୋଇ ଉଠିଲା । ଏଇ କିଛିଦିନ ହେବ ବରଫାବୃତ୍ତ ରାସ୍ତା ଉପରୁ ବରଫ ନିଷ୍କାସନ କରି ଗମନାଗମନ ପାଇଁ ପରିଷ୍କାର କରାଯାଇଛି ରାସ୍ତା । ସୈନ୍ୟବାହିନୀର ନିୟନ୍ତ୍ରଣରେ ଏହି ରା‍ସ୍ତା ଅଛି ବୋଲି ଏହାର ରକ୍ଷଣାବେକ୍ଷଣ ଉତ୍ତମ ଏବଂ ବରଫ ପଡ଼ିବାକ୍ଷଣି ବା ବରଫ ଧସି ରାସ୍ତା ଅବରୋଧ କଲାକ୍ଷଣି ଆରମ୍ଭ ହୋଇଯାଏ ବରଫ କାଟି ରାସ୍ତା ସଫା କରିବା କାମ ।

 

ଆମେ ଛିଡ଼ାହୋଇ ଅବିରବୋଳା ବରଫାବୃତ୍ତ ପାହାଡ଼ମାନଙ୍କର ଶୋଭା ଦର୍ଶନ କରି ଆଗକୁ ଯିବାପାଇଁ ସବୁଜ ସଙ୍କେତର ଅପେକ୍ଷା କରୁଥିଲା ବେଳେ ନାରଙ୍ଗୀ ଏବଂ ତା’ପରେ ଉଜ୍ଜ୍ୱଳ ଦିଶିଲା ପର୍ବତ ଶିଖର । ରଙ୍ଗ ବଦଳିବାର ଏହି ଦୃଶ୍ୟ ନ ଦେଖିଲେ ପ୍ରକୃତିର ନୈସର୍ଗିକ ରୂପ ବର୍ଣ୍ଣନା ଦ୍ୱାରା ଅନୁଭବ କରି ହେବନାହିଁ । ଲାଲରୁ ନାରଙ୍ଗୀ ଏବଂ ତା’ପରେ ବରଫ ପରି ଧଳା ଆଲୋକରେ ଧରଣୀ ଉଦ୍ଭାସିତ ହେବାର ଦୃଶ୍ୟ ରଙ୍ଗମଞ୍ଚର ଦୃଶ୍ୟପରି ।

 

ଛଅଟା ବାଜିବାକ୍ଷଣି ରାସ୍ତା ଖୋଲିଗଲା, ଆଗରେ କେତୋଟି ଯାନକୁ ଅନୁସରଣ କରି ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଲକ୍ଷ୍ମୀଧରବାବୁ, ଜଗଦୀଶବାବୁ, ପୂର୍ଣ୍ଣବାବୁ, ସୁଧାଂଶୁବାବୁ, ବାପା ଓ ମା’ ସମସ୍ତଙ୍କ ମୁହଁ ଉପରେ ସକାଳର ସଂକଳ୍ପ ଓ ଦୀପ୍ତି । ସମସ୍ତେ ‘‘ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ’’ଙ୍କୁ ପ୍ରଣାମ କରି ଆଗକୁ ଯାତ୍ରା କରିବାକ୍ଷଣି ମୁହଁରୁ ଉଚ୍ଚାରିତ ହେଲା ‘ବଦ୍ରି ବିଶାଳକୀ ଜୟ’ ।

 

ଜୋଶୀମଠ ବା ଜ୍ୟୋତିର୍ମଠଠାରୁ ବିଷ୍ଣୁପ୍ରୟାଗର ଦୂରତ୍ୱ ମାତ୍ର ଦଶ କିଲୋମିଟର । ଏଠାରେ ଅଳକାନନ୍ଦାର ନୃତ୍ୟାୟିତ ଜଳାଧାର ସହଜ ଧଉଳି ଗଙ୍ଗାର ଜଳାଧାର ଏକତ୍ର ହୋଇଥିବାରୁ ଏହା ଏକ ପବିତ୍ର ସଙ୍ଗମ ଓ ପ୍ରୟାଗ ।

 

ବିଷ୍ଣୁପ୍ରୟାଗ ଠାରୁ ଦଶ କିଲୋମିଟର ଦୂରରେ ଗୋବିନ୍ଦଘାଟ । ଏଠାରୁ ପ୍ରାୟ ପନ୍ଦର କିଲୋମିଟର ପରେ ପଡ଼େ ଘଙ୍ଗରିଆ ବା ଗୋବିନ୍ଦଧାମ । ସେହି ଗୋବିନ୍ଦ ଧାମରୁ ଆଗକୁ ଅନ୍ୟ ବାଟରେ ଗଲେ ପଡ଼େ ପୁଷ୍ପ ଉପତ୍ୟକା ବା ଭେଲି ଅଫ୍‌ ଫ୍ଲାଓ୍ୱାରସ୍‌ଏବଂ ଶିଖମାନଙ୍କର ପରମ ପବିତ୍ର ତୀର୍ଥସ୍ଥାନ ଶ୍ରୀ ହେମକୁଣ୍ଡ ସାହେବ ।

 

ଗୋବିନ୍ଦଘାଟ ସମୁଦ୍ର ପତ୍ତନଠାରୁ ନଅ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ପୁଷ୍ପ ଉପତ୍ୟକା ସମୁଦ୍ରପତ୍ତନଠାରୁ ଏଗାର ହଜାର ଫୁଟ ଉଚ୍ଚରେ ଏବଂ ହେମକୁଣ୍ଡ ସାହେବ ଚଉଦ ହଜାର ଦୁଇଶହ ଫୁଟ ଉଚ୍ଚରେ । ହେମକୁଣ୍ଡ ସାହେବଠାରେ ଶିଖଗୁରୁ ଶ୍ରୀ ଗୁରୁଗୋବିନ୍ଦ ସିଂ ତପସ୍ୟା କରିଥିଲେ ବୋଲି ଏହି ସ୍ଥାନ ଶିଖ ଓ ହିନ୍ଦୁ ଉଭୟଙ୍କର ଏକ ପବିତ୍ର ପୀଠ ଏବଂ ଏହା ଦୁର୍ଗମ ସ୍ଥାନରେ ଅବସ୍ଥିତ ହେଲେ ମଧ୍ୟ ବହୁ ତୀର୍ଥଯାତ୍ରୀ ପ୍ରତିବର୍ଷ ଦର୍ଶନ ପାଇଁ ଆସନ୍ତି ।

 

ଗୋବିନ୍ଦଘାଟଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ପାଣ୍ଡୁକେଶ୍ୱର । ଏହା କଥିତ ଅଛି ଯେ ମହାଭାରତର ପ୍ରସିଦ୍ଧ ରାଜା ପାଣ୍ଡୁ ତାଙ୍କର ଶେଷ ଜୀବନରେ ନିର୍ବାଣ ଲାଭ କରିବା ପାଇଁ ଏଠାରେ ଅବସ୍ଥାନ ଓ ତପସ୍ୟା କରିଥିଲେ ।

 

ହିମାଳୟ କେବଳ ଦେବଭୂମି ନୁହେଁ ତପୋଭୂମି ମଧ୍ୟ । ଏଠାରେ ଅବସ୍ଥିତ ବିଭିନ୍ନ ତୀର୍ଥ ସ୍ଥାନର ଅପାର ମହିମା ଶାସ୍ତ୍ର ଓ ପୁରାଣର ବର୍ଣ୍ଣିତ ବିଷୟ । ଶ୍ରୀମଦ୍‌ଭାଗବତ ପ୍ରଥମ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ ବିଦୁର ତାଙ୍କର ଜ୍ୟେଷ୍ଠଭ୍ରାତା ଅନ୍ଧରାଜା ଧୃତରାଷ୍ଟ୍ରଙ୍କୁ ଉପଦେଶ ଛଳରେ ପାପ କ୍ଷାଳନ କରି ମୋକ୍ଷଲାଭ କରିବା ଉଦ୍ଦେଶ୍ୟରେ ତପସ୍ୟା କରିବା ଲାଗି ପ୍ରବର୍ତ୍ତାଇବାର ପ୍ରମାଣ ରହିଛି । ବିଦୁର କହିଲେ ‘‘ଏହାପରେ (ଦ୍ୱାପର ଯୁଗ ପରେ) ଯେଉଁ ସମୟ ଆସିବ ସେତେବେଳେ ମନୁଷ୍ୟର ଗୁଣ ହ୍ରାସ ପାଇବ, ଏଥିପାଇଁ ଆପଣ ଜ୍ଞାତିକୁଟୁମ୍ବଙ୍କଠାରୁ ଅଜ୍ଞାତରେ ଉତ୍ତରାଖଣ୍ଡ ଚାଲିଯାଆନ୍ତୁ ।’’ ଏହି ଉତ୍ତରାଖଣ୍ଡ ହିଁ ତପୋଭୂମି ହିମାଳୟର ପରିବ୍ୟାପ୍ତ ଅଞ୍ଚଳ । ବିଦୁରଙ୍କର ଏହି ଉପଦେଶ ଗ୍ରହଣ କରି ଧୃତରାଷ୍ଟ୍ର ହିମାଳୟ ଅଭିମୁଖରେ ଯାତ୍ରା କଲେ । ଏହା ଦେଖି ସତୀସାଧ୍ୱୀ ଗାନ୍ଧାରୀ ମଧ୍ୟ ପତିଙ୍କର ଅନୁସରଣ କଲେ ।

 

‘‘ପତିଂ ପ୍ରୟାନ୍ତଂ ସୁବଲସ୍ୟ ପୂତ୍ରୀ

ପତିବ୍ରତା ଚାନୁଜଗାମ ସାଧ୍ୱୀ ।

ହିମାଳୟଂ ନ୍ୟସ୍ତୟଦଣ୍ଡସ୍ରହର୍ଷ

ମନସ୍ୱି ନାମିବ ସତ୍‌ସଂପ୍ରହାର ।’’

 

(୨୯ ଶ୍ଳୋକ)

 

ଅର୍ଥାତ୍‌–ଯେତେବେଳେ ପରମ ପତିବ୍ରତା ସୁବଳନନ୍ଦିନୀ ଗାନ୍ଧାରୀ ଦେଖିଲେ ଯେ ମୋର ପତିଦେବ ସେହି ହିମାଳୟ ଅଭିମୁଖରେ ଯାତ୍ରା କରୁଛନ୍ତି, ଯେଉଁଠାରେ ସନ୍ନ୍ୟାସୀମାନଙ୍କୁ ଏପରି ସୁଖ ମିଳେ ଯାହାକି ପୁରୁଷମାନଙ୍କୁ ରଣକ୍ଷେତ୍ରରେ ଶତ୍ରୁଦ୍ୱାରା ନ୍ୟାୟୋଚିତ ପ୍ରହାର ସଦୃଶ ଅଟେ ସେତେବେଳେ ସେ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ ।

 

ମହାଭାରତର ମହାପ୍ରସ୍ଥାନ ପର୍ବରେ ଏହି ପଥରେ ଆସି ଉତ୍ତରାଖଣ୍ଡ ତଥା ବଦ୍ରିକାଧାମ ଦର୍ଶନ କରିଥିବା ବିଷୟ ଉଲ୍ଲେଖ ରହିଛି । ଯୁଧିଷ୍ଠିର ସମେତ ପଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହିତ ଏକ କୂଳରେ ମଧ୍ୟ ଯାଇଥିଲେ ।

 

ଜୋଶୀମଠରୁ ବଦ୍ରିକାର ଦୂରତ୍ୱ ମାତ୍ର ପଚାଶ କିଲୋମିଟର । ସେହି ପଚାଶ କିଲୋମିଟର ପଥ ଅତିକ୍ରମ କଲାବେଳେ ଦୃଷ୍ଟିରେ ପଡ଼ିଲା ଅଳକାନନ୍ଦା ଓ ଅନେକ ଜଳଧାର ଏବଂ ବରଫ କାଟି ମଝିରେ ରାସ୍ତା ସଫା କରାଯାଇଥିବାର ଦୃଶ୍ୟ । ଠାଏ ଠାଏ ବରଫ ସ୍ତୂପ, ବୈଶାଖ ମାସର ସୂର୍ଯ୍ୟରଶ୍ମିରେ ଉତ୍ତାପ ପାଇ ମଧ୍ୟ ତରଳି ନ ଯିବାର ରୂପ ।

 

ପ୍ରାୟ ଆଠଟା ବେଳକୁ ଆମେ ସମସ୍ତେ ପହଞ୍ଚିଗଲୁ ପୁଣ୍ୟଭୂମି ବଦରିକା ଧାମରେ । ସେତେବେଳକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କର କୋଳାହଳ ଓ ମନ୍ତ୍ରଧ୍ୱନିରେ ମୁଖର ହୋଇଉଠିଥାଏ ଛୋଟ ବଦ୍ରିନାଥ ସହର ।

 

ବଦରିକାଶ୍ରମ ଅଷ୍ଟମ ବୈକୁଣ୍ଠ ଭାବରେ ପରିଚିତ । ଏହା ଅନାଦିକ୍ଷେତ୍ର ଏବଂ ଏହାର ଅଧିଷ୍ଠାତା ସ୍ୱୟଂ ଭଗବାନ ବିଷ୍ଣୁ ଓ ନାରଦାଦି ମୁନିଙ୍କଦ୍ୱାରା ଏହି ସ୍ଥାନ ନିରନ୍ତର ସେବିତ । ସ୍କନ୍ଦପୁରାଣରେ ବର୍ଣ୍ଣିତ ଅଛି ଯେ–

 

ଅନାଦିସିଦ୍ଧମେତସ୍ତୁ ଯଥାବେଦା ହରେସ୍ତନୁ ।

ଅଧିଷ୍ଠାତା ହରିଃ ସାକ୍ଷାତ ନାରଦାଦ୍‌ୟେର୍ନିସେବିତମ୍‌ ।।

 

ଶ୍ରୀ ବଦ୍ରିନାଥ ଧାମରେ ପାଦ ପଡ଼ିବାକ୍ଷଣି ଶରୀର ଓ ମନ ପୁଲକିତ ହେଲା ଏବଂ ଏକ ଦିବ୍ୟ ଅନିର୍ବଚନୀୟ ପ୍ରସନ୍ନତା ସର୍ବାଙ୍ଗକୁ ଉଚ୍ଚକିତ କରିଦେଲା ।

 

ଆମେ ସମସ୍ତେ କାର୍‌ରୁ ସୁଟ୍‌କେଶ ଓ ବିଛଣାପତ୍ର ନେଇ ବିରଳା ଅତିଥି ଶାଳାରେ ପହଞ୍ଚିଲୁ । ବିରଳା ଟ୍ରଷ୍ଟ ପକ୍ଷରୁ ଅଳକାନନ୍ଦା ତୀରରେ ଏବଂ ବଦ୍ରିନାଥଜୀଙ୍କ ମନ୍ଦିରର ଅନତିଦୂରରେ ଏହି ଅତିଥିଶାଳା ଅବସ୍ଥିତ । ଆଗରୁ ସ୍ଥାନ ସଂରକ୍ଷଣ କରାଯାଇଥିଲା ଏବଂ ପହଞ୍ଚିବାକ୍ଷଣି ଆମ୍ଭମାନଙ୍କୁ ତିନୋଟି କୋଠରୀ ମିଳିଗଲା । ମୁଁ ରହୁଥବା କୋଠ‍ରୀଟି ସ୍ନାନାଗାର ଶୌଚାଳୟ ସହିତ ସଂଯୁକ୍ତ ଥିବାରୁ ମୋ ସହିତ ମୋ ସାନଭାଇ ଶିଶିର, ଲକ୍ଷ୍ମୀଧରବାବୁ, ପୂର୍ଣ୍ଣବାବୁ, ଜଗଦୀଶବାବୁ ପ୍ରଭୃତି ରହିଲେ । ଅନ୍ୟ ଗୋଟିକରେ ବାପା, ମା’, ମନ୍ଦାକିନୀଦେବୀ ଏବଂ ଆଉ ଗୋଟିକରେ ସୁଧାଂଶୁବାବୁ ଓ ଅନ୍ୟମାନେ । ଅତିଥିଶାଳାର ଅଗଣାରେ ତରଳି ନଥିବା ବରଫସ୍ତୂପ ଦେଖି ଆଶ୍ଚର୍ଯ୍ୟ ହେଲି । ଅତିଥିଶାଳା ଏକ ଉଚ୍ଚସ୍ଥାନରେ ଅବସ୍ଥିତ ଥିବାରୁ ଝରକା ଖୋଲିଦେଲେ ବରଫାବୃତ୍ତ ନରନାରାୟଣ ଓ ନୀଳକଣ୍ଠ ପର୍ବତ ଏବଂ ବଦ୍ରି ବିଶାଳଙ୍କର ମନ୍ଦିର ଦୃଷ୍ଟିରେ ପଡ଼େ । ଜିନିଷପତ୍ର ରଖି ଆମେ ସମସ୍ତେ ବାହାରିଲୁ ବଦ୍ରି ବିଶାଳଙ୍କୁ ଦର୍ଶନ କରିବା ପାଇଁ ।

 

ବଦ୍ରିନାଥ ଧାମ ସମୁଦ୍ରପତ୍ତନ ଠାରୁ ୧୦,୨୪୮ ଫୁଟ ଉଚ୍ଚରେ ଏବଂ ଋଷିକେଶଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଓ ଚିରସ୍ରୋତା ପବିତ୍ର ଅଳକାନନ୍ଦା କୂଳରେ ଅବସ୍ଥିତ । ଅଳକାନନ୍ଦା ବଦ୍ରି ବିଶାଳଙ୍କ ଚରଣ ଧୋଇ ଯେପରି ବହିଯାଉଛି ଆଗକୁ ।

 

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ତପ୍ତକୁଣ୍ଡରେ ସ୍ନାନ କରିବା ବିଧି । ଏହି ତପ୍ତକୁଣ୍ଡ ଉଷ୍ଣପ୍ରସ୍ରବଣ ଉଷ୍ଣ ଜଳରେ ସ୍ନାନ ନକଲେ ତାହା କେତେ ସୁଖକର ଅନୁଭବ କରିହୁଏ ନାହିଁ । ସ୍ତ୍ରୀ ଓ ପୁରୁଷମାନଙ୍କର ସ୍ନାନ ଓ ବସ୍ତ୍ର ପରିବର୍ତ୍ତନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି । ସେଠାରେ ସ୍ନାନସାରି ଆମେ ମନ୍ଦିରର ପ୍ରଥମ ପାହାଚ ଉପରେ ପାଦ ଦେବାବେଳକୁ ପ୍ରାୟ ସାଢ଼େ ନଅ । ପୂଜାର୍ଚ୍ଚନା ଆରମ୍ଭ ହୋଇ ସାରିଥାଏ ଅନେକ ପୂର୍ବରୁ ।

 

ମନ୍ଦିରର ଆକୃତି ବୌଦ୍ଧମାନଙ୍କର ପାଗୋଡ଼ା ପରି । ମନ୍ଦିରରେ ପ୍ରତିଷ୍ଠିତ ଶାଳଗ୍ରାମ କୃଷ୍ଣଶିଳାରେ ନିର୍ମିତ ପଦ୍ମାସନରେ ବଦ୍ରି ବିଶାଳଙ୍କ ମୂର୍ତ୍ତି । ଏହା କୁହାଯାଏ ଯେ ସତ୍ୟଯୁଗର ଏହି ପବିତ୍ର ହିନ୍ଦୁତୀର୍ଥ ବୌଦ୍ଧ ଧର୍ମାବଲମ୍ବିମାନଙ୍କର ଉତ୍ପାତ ଓ ଆକ୍ରମଣ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା । କେତେକ ମତ ଦିଅନ୍ତି ଯେ ଏହି ମନ୍ଦିର ଅଧିକାର କରି ବୌଦ୍ଧମାନେ ଏହାକୁ ବୌଦ୍ଧ ମନ୍ଦିରରେ ପରିଣତ କରିଥିଲେ ଏବଂ ବଦ୍ରି ବିଶାଳଙ୍କ ମୂର୍ତ୍ତିକୁ ନାରଦ-କୁଣ୍ଡରେ ଫିଙ୍ଗି ଦେଇଥିଲେ । କେତେକ ମଧ୍ୟ କହନ୍ତି ଯେ ଏହାପରେ ବୌଦ୍ଧମାନେ ସେଠାରେ ଭଗବାନ ବୃଦ୍ଧଙ୍କର ମୂର୍ତ୍ତି ସ୍ଥାପନ କରି ପୂଜା ଉପାସନା କରୁଥିଲେ । ସପ୍ତମ ଶତାବ୍ଦୀରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହି ମୂର୍ତ୍ତି ଉଦ୍ଧାର କରାଯାଇ ପୁର୍ନବାର ଅଧିଷ୍ଠିତ ହୋଇଥିଲେ । ପଦ୍ମାସନରେ ବସିଥିବା ବୁଦ୍ଧଙ୍କୁ ବୋଧିସତ୍ତ୍ୱ କୁହାଯାଏ । ହିନ୍ଦୁ ପୁରାଣ ଅନୁସାରେ ବୁଦ୍ଧ ନବମ ଅବତାର ଭାବରେ ପରିଚିତ । ତେଣୁ ପଦ୍ମାସନରେ ବସିଥିବା ଭଗବାନ ବୁଦ୍ଧ, ଭଗବାନ ବିଷ୍ଣୁ, ବଦ୍ରିନାଥଙ୍କର ଅନ୍ୟ ଏକ ରୂପ ହେବା ବିଚିତ୍ର ନୁହେଁ ।

 

ମନ୍ଦିରଟି ତିନିଭାଗରେ ବିଭକ୍ତ–ଗର୍ଭଗୃହ, ଦର୍ଶନମଣ୍ଡପ ଏବଂ ସଭାମଣ୍ଡପ । ଗର୍ଭଗୃହରେ ଭଗବାନ ବଦ୍ରି ବିଶାଳ ଅଧିଷ୍ଠିତ । ମନ୍ଦିର ଚୂଡ଼ା ସୁବର୍ଣ୍ଣ ଦ୍ୱାରା ଆବୃତ ଏବଂ ରାଣୀ ଅହଲ୍ୟାଙ୍କ ଦାନରେ ଏହା ହୋଇଥିବାର ପ୍ରମାଣ ଇତିହାସରେ ରହିଛି । ଦର୍ଶନ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ । ଏହା ବାହାରେ ସଭାମଣ୍ଡପ । ଏହି ମଣ୍ଡପରେ ବସି ଯାତ୍ରାମାନେ ପୂଜାର୍ଚ୍ଚନା କରନ୍ତି ଯଦିବା ଦର୍ଶନ–ମଣ୍ଡପରେ ବସି ବା ଛିଡ଼ାହୋଇ ଦର୍ଶନ କରିବାରେ ବାଧା ନାହିଁ ।

 

ମହାଯାନ ଓ ହୀନଯାନ ଦୁଇ ଶାଖାରେ ବିଭକ୍ତ ହୋଇଥିବା ବୌଦ୍ଧମାନଙ୍କର ପରସ୍ପର ମଧ୍ୟରେ ବାଦ-ବିସମ୍ବାଦ ଲାଗିବାରୁ ବଦରିକାଶ୍ରମ ମଧ୍ୟ ଷଷ୍ଠ ଓ ସପ୍ତମ ଶତାବ୍ଦୀରେ କ୍ଷତିଗ୍ରସ୍ତ ହୋଇଥିବାର ପ୍ରମାଣ ମିଳେ । ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଦରିକାଶ୍ରମକୁ ଆସି ପୁନର୍ବାର ବିଷ୍ଣୁଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା ଓ ଆଚାର ବିଚାରର ସଂସ୍କାର କରିଥିଲେ । ଏହି କ୍ଷେତ୍ରରେ ଅବସ୍ଥାନ କରିବା କାଳରେ ବେଦବ୍ୟାସ ବେଦର ବିଭାଗୀକରଣ ସମ୍ପୂର୍ଣ୍ଣ କରିଥିଲେ । ଅଷ୍ଟାଦଶ ପୁରାଣ ଏବଂ ମହାଭାରତ ରଚନା ବ୍ୟାସଦେବ ଏହିଠାରେ ସମ୍ପୂର୍ଣ୍ଣ କରିଥିଲେ । ରାମାୟଣ ବର୍ଣ୍ଣିତ ରାମ ରାବଣ ଯୁଦ୍ଧରେ ରାବଣ ଓ ଅନ୍ୟମାନଙ୍କୁ ହତ୍ୟା କରିବା ଯୋଗୁ ଯେଉଁ ପାପ ସ୍ପର୍ଶ କରିଥିଲା । ସେ ବଦରିକାଶ୍ରମକୁ ଆସି ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଥିଲେ । ସେହିପରି ଦେବରାଜ ଇନ୍ଦ୍ର ମଧ୍ୟ ବ୍ରହ୍ମହତ୍ୟା ଦୋଷରୁ ଏଠାରେ ମୁକ୍ତି ପାଇବାର ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଏଣୁ ଯୁଗ ଯୁଗ ଧରି ବଦରିକାଶ୍ରମ ସାଧୁସନ୍ଥ, ଆଚାର୍ଯ୍ୟ ଏବଂ ଏପରିକି ଅବତାରମାନଙ୍କର ପୁଣ୍ୟପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।

 

ସେଥିପାଇଁ କୁହାଯାଏ ସେ–“କ୍ଷେତ୍ରଦର୍ଶନ ମାତ୍ରେଣ ପ୍ରାଣିନାଂ ନାସ୍ତି ପାତକମ୍‌’’ । ଅର୍ଥାତ୍‌ ଏହି ପୁଣ୍ୟକ୍ଷେତ୍ର ଦର୍ଶନ କରିବା ଦ୍ୱାରା ପ୍ରାଣୀମାନେ ପାପମୁକ୍ତ ହୁଅନ୍ତି । ବଦରିକାଶ୍ରମରେ ପ‍ଞ୍ଚତୀର୍ଥର ମହତ୍ତ୍ୱ ମଧ୍ୟ ଅତୀବ ମହନୀୟ । ବଦରି ବିଶାଳଙ୍କୁ ଦର୍ଶନ କରି ଅଳକାନନ୍ଦାରେ ସ୍ନାନ ମାର୍ଜନ, ତପକୁଣ୍ଡରେ ସ୍ନାନ, କେଦାରେଶ୍ୱର ଦର୍ଶନ କରି ଯେଉଁ ଭକ୍ତ ମନ୍ଦିର ପରିକ୍ରମା କରେ ସେ ସବୁ ପାପରୁ ମୁକ୍ତିପାଇଁ ବିଷ୍ଣୁଲୋକ ପ୍ରାପ୍ତ ହୁଏ ।

 

ଶ୍ରୀବଦ୍ରିନାଥଜୀଙ୍କୁ ଦର୍ଶନ କରିବାରେ ବାଧା ନାହିଁ, ବରଂ ଏହା ସାର୍ବଜନୀନ । କିନ୍ତୁ ପୂଜାର୍ଚ୍ଚନା କରିବାର ନାନା ବିଧି ରହିଛି । ପ୍ରଧାନ ପୁରୋହିତ କେରଳର ନମ୍ବୁଦ୍ରୀ ବ୍ରାହ୍ମଣ ଯିଏ ମହାରାଉଳ ଭାବରେ ପରିଚିତ । ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଏହି ମନ୍ଦିରର ପୂଜାର୍ଚ୍ଚନା କେରଳ ବ୍ରାହ୍ମଣମାନଙ୍କ ଦ୍ୱାରା ହୋଇଆସୁଛି ।

 

ବଦରିକାଶ୍ରମର ପଞ୍ଚତୀର୍ଥ ହେଲା–୧। ଋଷିଗଙ୍ଗା, ୨। କୁର୍ମଧାରା, ୩ । ପ୍ରହ୍ଲାଦ ଧାରା, ୪ । ତପ୍ତକୁଣ୍ଡ ବା ବହ୍ନିତୀର୍ଥ ଏବଂ ୫ । ନାରଦ କୁଣ୍ଡ ।

 

ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ଧର୍ମପରାୟଣ ତୀର୍ଥଯାତ୍ରୀଗଣ ପଞ୍ଚତୀର୍ଥରେ ସ୍ନାନ ଅବଗାହନ କରିବା ପରମ୍ପରା ପ୍ରଚଳିତ । ଏହାପରେ ପଞ୍ଚଶିଳା ଦର୍ଶନ କରିବା ମଧ୍ୟ ଅନ୍ୟ ଏକ ପରମ୍ପରା । ପଞ୍ଚଶିଳାଙ୍କ ବର୍ଣ୍ଣନା ସ୍କନ୍ଦପୁରାଣରେ ନିମ୍ନୋକ୍ତ ମତେ ଦିଆଯାଇଛି–

 

ଗରୁଡ଼ ଶିଳା–

 

ବଦର୍ଯା ଦକ୍ଷିଣେଭାଗେ ଗନ୍ଧମାର୍ଦ୍ଦନ ପର୍ବତେ ।

ଗରୁଡ଼ ସ୍ତୁପ ଆତେପେ ହରିବାହନ କାମ୍ୟୟା ।।

 

ଏହା ଦିବ୍ୟ ଶିଳାରେ ଭଗବାନଙ୍କ ବାହନ ଗରୁଡ଼ ତିରିଶ ହଜାର ଦିବ୍ୟବର୍ଷ ତପ କରି ତାଙ୍କର ଦର୍ଶନ ପାଇ ଭଗବାନଙ୍କର ବାହନ ଭାବରେ ସେବା କରିବାର ଅଧିକାର ପାଇଥିଲେ ।

 

ନାରଦ ଶିଳା–

 

ନାରଦୋ ଭଗବାସ୍ତେପେ ତପଃ ପରମ ଦାରୁଣମ୍‌ ।

ଦର୍ଶନାର୍ଥ ମହାବିଷ୍ଣୋ ଶିଲାୟାଂ ବାୟୁଭୋଜନ ।।

 

ଏହି ଦିବ୍ୟଶିଳାରେ ସ୍ଥିତ ହୋଇ ନାରଦମୁନି ଷାଠିଏ ହଜାର ଦିବ୍ୟବର୍ଷ ତପସ୍ୟା କରିଥିଲେ । ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇଁ ନାରଦଜୀ ଭଗବାନଙ୍କର ନିତ୍ୟନିରନ୍ତର ଦର୍ଶନ ଓ ସାନ୍ନିଧ୍ୟ ପାଇବା ପାଇଁ ବର ମାଗିଥଲେ । ନାରଦ ଶିଳା ତଳେ ନାରଦ କୁଣ୍ଡ ଅବସ୍ଥିତ, ଯେଉଁଠାରେ ଭଗବାନଙ୍କର ନିତ୍ୟ ସାନ୍ନିଧ୍ୟ ମିଳେ ।

 

ନୃସିଂହ ଶିଳା–

 

ନୃସିଂହୋଽପି ଶିଳାରୂପୀ ଜଳକ୍ରୀଡ଼ା ପରୋଃଭବତ୍‌ ।

 

ହିରଣ୍ୟକଶିପୁକୁ ବଧ କରିବା ପରେ ଉଗ୍ରରୂପ ଏହି ଶିଳା ଶାନ୍ତ ହୋଇଥିଲା । ବଦରିକାଶ୍ରମରେ ରହୁଥିବା ମୁନିମାନଙ୍କର ଅନୁରୋଧ ଯୋଗୁ ଭଗବାନ ବଦରୀ ଭୂମିରେ ତପସ୍ୟାର ଅବରୋଧକ ତତ୍ତ୍ୱର ଉନ୍ମୂଳନ କରି ସେଠାରେ ଶିଳା ରୂପରେ ରହିବା ପାଇଁ ସ୍ଵୀକାର କଲେ । ଭଗବାନ ନୃସିଂହଙ୍କର ପ୍ରଭାବରୁ ବଦରୀବନ ସେହି ସମୟରୁ ତପସୀମାନଙ୍କ ତପସ୍ୟା ନିର୍ବିଘ୍ନ ହେଲା । ଏହି ଶିଳା ଦର୍ଶନ କଲେ ପାପକ୍ଷୟ ଓ ପୁଣ୍ୟ ବୃଦ୍ଧି ପାଏ ।

 

ବରାହ ଶିଳା–

 

ରସାତଳାତ୍‌ ସମୁଦ୍‌ଧୂତ୍ୟ ମହୀ ଦୈବବୈରିଣମ୍‌ ।

ହିରଣ୍ୟାକ୍ଷ ରଣେହତ୍ୱା ବଦରୀ ସମୁପାଗତାଃ ।।

 

ହିରଣ୍ୟକ୍ଷକୁ ବଧ କରିବାପରେ ବରାହରୂପୀ ଭଗବାନ ବଦରିକାଶ୍ରମରେ ପହଞ୍ଚି ଅଳକାନନ୍ଦାରେ ଶିଳାରୂପରେ ଅବସ୍ଥାନ କଲେ । ଏହି ଶିଳା ନାରଦ-କୁଣ୍ଡ ନିକଟରେ ଅଳକାନନ୍ଦାର ଜଳରେ ବରାହ ରୂପରେ ସ୍ପଷ୍ଟ ଦେଖାଯାଏ ।

 

ମାର୍କଣ୍ଡେୟ ଶିଳା–

 

କିମିତିକ୍ଳିଶ୍ୟତେ ସାଧୋ । ତୀର୍ଥାଟନ ପରିଶ୍ରମୈଃ ।

ବଦୟସ୍ୱିୟଂ ମହାକ୍ଷେତ୍ରଂ ସାନ୍ନିଧ୍ୟ ନିତ୍ୟଦାହରେ ।।

 

ମଧୁପୁରୀ (ମଥୁରା) ତୀର୍ଥଯାତ୍ରା ପରେ ମାର୍କଣ୍ଡେୟ ମୁନି ନାରଦଜୀଙ୍କ ସହିତ ଭେଟ ହେବାରୁ ନାରଦଜୀ କହିଲେ ବୃଥା ତୀର୍ଥ ପର୍ଯ୍ୟଟନ କରି କୌଣସି ଲାଭନାହିଁ, ବଦରିକାଶ୍ରମ କ୍ଷେତ୍ରକୁ ଆସିବା ଦ୍ୱାରା ତୁମର ସବୁପ୍ରକାର ମନୋରଥ ପୂର୍ଣ୍ଣ ହେବ । ନାରଦଜୀଙ୍କର ଆଜ୍ଞାରୁ ତପ୍ତକୁଣ୍ଡ ସମୀପରେ ଏକ ଶିଳାରେ ସ୍ଥିତ ହୋଇ ମାର୍କଣ୍ଡେୟ ମୁନି ଭଗବାନଙ୍କୁ ପ୍ରାପ୍ତ ହେଲେ । ଏହି ଶିଳା ମାର୍କଣ୍ଡେୟ ଶିଳା ନାମରେ ପ୍ରସିଦ୍ଧ ।

 

ତପ୍ତକୁଣ୍ଡ ବା ବହ୍ନିତୀର୍ଥର ବିଶେଷତ୍ୱ ସମ୍ପର୍କରେ ସ୍କନ୍ଦପୁରାଣରେ ବର୍ଣ୍ଣିତ ଅଛି ଯେ–

 

ଚାନ୍ଦ୍ରାୟଣ ସହସ୍ରେସ୍ତୁକୃଚ୍ଛୈ କୋଟିଭିରେବ ଚ ।

ୟତଫଳଂ ଲଭତେ ମର୍ତ୍ତ୍ୟସ୍ତତସ୍ମାନାଦ୍‌ବହ୍ନି ତୀର୍ଥତଃ ।।

 

ହଜାର ହଜାର ଚାନ୍ଦ୍ରାୟଣ ବ୍ରତ, କୋଟି କୋଟି କୁଚ୍ଛ୍ର ସାଧନ କରି ଯେଉଁ ପୁଣ୍ୟ ମିଳେ ତପ୍ତକୁଣ୍ଡରେ ସ୍ନାନ କରିବା ଦ୍ୱାରା ସେହି ପୁଣ୍ୟ ମିଳିଥାଏ । ପୁରାଣରେ ବର୍ଣ୍ଣିତ ଅଛି ଯେ ଅଗ୍ନିଦେବ ସର୍ବଭାଷୀ ଦୋଷରୁ ମୁକ୍ତି ପାଇବା ପାଇଁ ଏଠାରେ ତପସ୍ୟା କରି ଭଗବାନଙ୍କଠାରୁ ବରପ୍ରାପ୍ତ ହୋଇଥିଲେ ଯେ ନିରନ୍ତର ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସୁଥ‌ିବା ଯାତ୍ରୀଗଣ ଏହା ଉଷ୍ଣ ଜଳରେ ସ୍ନାନ କରିବେ ।

 

ଆହୁରି ଗୋଟିଏ ପ୍ରସିଦ୍ଧ ଓ ପବିତ୍ର ସ୍ଥାନ ହେଉଛି ଆଦିକେଶ୍ୱର ମନ୍ଦିର । ପ୍ରବାଦ ଅଛି ଯେ ଏହା ପୂର୍ବେ ଶଙ୍କର ଓ ପାର୍ବତୀଙ୍କର ଲୀଳାକ୍ଷେତ୍ର ଥିଲା । କିନ୍ତୁ ଭଗବାନ ବିଷ୍ଣୁ ଏହି ସ୍ଥାନରେ ମନୋରମ ମୋହନୀୟ ସ୍ଥିତିରେ ମୁଗ୍‌ଧ ହୋଇ ଏଠାରେ ନିବାସ କରିବା ଲାଗି ମାୟାରେ ବାଳକ ରୂପରେ କ୍ରନ୍ଦନ କରୁଥିବା ବେଳେ ଶିବ ପାର୍ବତୀଙ୍କ ସହିତ ସେହି ବାଟ ଦେଇ ଯାଉଥିଲେ । ପାର୍ବତୀ ମାଆର ମମତାବଶତଃ ସେହି ବାଳକକୁ ସାଙ୍ଗରେ ନେଲେ ଏବଂ ନାରାୟଣ ପରେ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ପ୍ରକାଶିତ ହେଲେ । ଏହାପରେ ଶିବ ଓ ପାର୍ବତୀ ସେହି ସ୍ଥାନ ପରିତ୍ୟାଗ କରି ଅନ୍ୟ ସ୍ଥାନକୁ ଚାଲିଗଲେ ଏବଂ ତାଙ୍କର ପ୍ରତୀକ ଆଉ କେଦାରେଶ୍ୱର ଏବେ ମଧ୍ୟ ପୂଜିତ । ସ୍କନ୍ଦପୁରାଣରେ ବର୍ଣ୍ଣିତ ଅଛି–

 

ତତ୍ର କେଦାର ରୂପେଣ ମମ ଲିଙ୍ଗ ପ୍ରତିଷ୍ଠିତମ୍‌ ।

କେଦାର ଦର୍ଶନାତ୍‌ ସ୍ପର୍ଶାତ୍‌ନର ବୈ ଭକ୍ତିଭାବତଃ ।।

କୋଟି ଜନ୍ମ କୃତଂ ପାପଂ ଭସ୍ମୀଭବତି ତତ୍‌କ୍ଷଣାତ୍‌ ।

କଳାମାତ୍ରେଣ ତିଷ୍ଠାମି ତତ୍ର କ୍ଷେତ୍ରେ ବିଶେଷତଃ ।।

 

ଅର୍ଥାତ୍‌ ଆଜି ମଧ୍ୟ ବଦରିକାଶ୍ରମରେ ଆଦି କେଦାରଙ୍କ ରୂପରେ ମୋର ଲିଙ୍ଗ ପ୍ରତିଷ୍ଠିତ, ଆହାର ଦର୍ଶନ ଏବଂ ସ୍ପର୍ଶନ ଭକ୍ତିପୂର୍ବକ କଲେ ପ୍ରାଣୀର କୋଟି ଜନ୍ମର ପାପ ଭସ୍ମ ହୋଇଯାଏ ।

 

ତୀର୍ଥ ପରମ୍ପରା ଅନୁସାରେ ମଧ୍ୟ ବଦ୍ରି ବିଶାଳଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରିବାର ପରମ୍ପରା ପ୍ରଚଳିତ ଅଛି ।

 

ଆଦି କେଦାରେଶ୍ଵର ସମକ୍ଷରେ ଶଙ୍କରାଚାର୍ଯ୍ୟଙ୍କର ଦିବ୍ୟ ମୂର୍ତ୍ତି ଅଛି ଯାହା ଶିବ ରହସ୍ୟ ଅନୁସାରେ–

 

କଳୌଗତେତ୍ରି ସାହସ୍ତ୍ରୈ ବର୍ଷାଣାଂ ଶଂକରୋ ଯତିଃ ।

ବୌଦ୍ଧ ମୀମାଂସକ ମତଂ ଜେତୁମାବିର୍ବଭୂବହ ।।

 

ଅର୍ଥାତ୍‌ କଳିଯୁଗରେ ତିନି ହଜାର ବର୍ଷ ବ୍ୟତୀତ ହବାପରେ ବୌଦ୍ଧ ମୀମାଂସା ମତ ଉପରେ ବିଜୟପ୍ରାପ୍ତ କରିବାପାଇଁ ଶଙ୍କରାଚାର୍ଯ୍ୟଙ୍କ ରୂପରେ ଆବିର୍ଭୂତ ହୋଇଥିଲେ । ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରି ବଦ୍ରି ବିଶାଳଙ୍କୁ ଦର୍ଶନ କରିବା ପ୍ରଚଳିତ ପରମ୍ପରା ।

 

ଏହାପରେ ଘଣ୍ଟାକର୍ଣ୍ଣ ବଦରୀ କ୍ଷେତ୍ରର କ୍ଷେତ୍ରପାଳ ଭାବରେ ବିଖ୍ୟାତ ମୁଖ୍ୟ ମନ୍ଦିରର ବାମ ପାଖରେ ଅବସ୍ଥିତ । ହରିବଂଶ ପୁରାଣରେ ଘଣ୍ଟାକର୍ଣ୍ଣ ବଦରୀ କ୍ଷେତ୍ରକୁ କିପରି ଆସିଲେ ତାହା ବର୍ଣ୍ଣିତ ହୋଇଛି । ଏହାଛଡ଼ା ମନ୍ଦିରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଅଳକାନନ୍ଦାର ଦକ୍ଷିଣ ତଟରେ ଅବସ୍ଥିତ ବ୍ରହ୍ମ କପାଳ ।

 

ସୁରାସୁର ବନ୍ଦିତ ଏହି ତୀର୍ଥକୁ ଅତ୍ୟନ୍ତ ଗୋପନୀୟ କୁହାଯାଏ । ବ୍ରହ୍ମଘାତୀ ମଧ୍ୟ ଏହି ତୀର୍ଥରେ ସ୍ନାନ କରିବା ମାତ୍ରେ ପବିତ୍ର ହୋଇଯାଆନ୍ତି । ଏଠାରେ ପିତା–ମାତା ଓ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ପୁରାଣରେ ବର୍ଣ୍ଣିତ ଅଛି ଯେ ବ୍ରହ୍ମାଙ୍କର କପାଳମୋଚନ ଶଙ୍କର ଏହିଠାରେ କରିଥିଲେ । ସ୍କନ୍ଦପୁରାଣରେ କୁହାଯାଇଛି ଯେ ବ୍ରହ୍ମା ନିଜର କନ୍ୟା ସରସ୍ୱତୀଙ୍କ ପ୍ରତି ଆକୃଷ୍ଟ ହେବାରୁ ଭଗବାନ ଶିବ ନିଜର ତ୍ରିଶୂଳ ଦ୍ୱାରା ତାଙ୍କର ଶିରଚ୍ଛେଦନ କଲେ ଏବଂ ସେହି ଶିର ଶିବଙ୍କ ହାତରେ ଲାଗିରହିଲା । ସେଥିରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କର ଚଉଦଭୁବନ ଭ୍ରମଣ କଲେ; ପରନ୍ତୁ ବ୍ରହ୍ମହତ୍ୟା ଓ ବ୍ରହ୍ମାଙ୍କ ଶିର ହାତରେ ଲାଖିରହିଥିବାରୁ ତହିଁରୁ ରକ୍ଷା ପାଇଲେ ନାହିଁ । ପବିତ୍ର ବଦ୍ରିକାଶ୍ରମରେ ପହଞ୍ଚିବା ପରେ ସେହି ଶିର ସହସା ହାତରୁ ଖସିପଡ଼ିଲା । ଏହା ବ୍ରହ୍ମଶିର ବଦ୍ରିକାଶ୍ରମରେ ବ୍ରହ୍ମଶିଳା ନାମରେ ବିଖ୍ୟାତ । ଏହି ବ୍ରହ୍ମ କପାଳ ତୀର୍ଥରେ ପିଣ୍ଡଦାନ କରିବା ବିଧି ଥିବାରୁ ଆମ୍ଭେମାନେ ଜଣେ ପୁରୋହିତଙ୍କ ସହାୟତାରେ ବ୍ରହ୍ମକପାଳରେ ପିତୃପିତାମହଙ୍କର ଶ୍ରାଦ୍ଧ ତର୍ପଣ ଶେଷ କଲୁ । କୁହାଯାଏ ଯେ ଏଠାରେ ଶ୍ରାଦ୍ଧ କରିବାର ଫଳ ଗୟାତୀର୍ଥରେ ଶ୍ରାଦ୍ଧ କରିବା ଫଳଠାରୁ ଆଠଗୁଣ ଅଧିକ ।

 

ପିଣ୍ଡଂବିଧାୟବିଧିବତ୍‌ ନରକାତ୍ତାରୟୈତ୍‌ପିତ୍ତୂନ୍‌ ।

ପିତୃ ତୀର୍ଥମିଦଂ ପ୍ରୋକ୍ତଂ ଗୟାତୋଷ୍ଟ ଗୁଣାଧିକମ୍‌ ।।

 

(ସ୍କନ୍ଦପୁରାଣ)

 

ଏହାଛଡ଼ା ସନ୍ନିକଟରେ ମାତାମୂର୍ତ୍ତି ମନ୍ଦିର, ଧର୍ମକ୍ଷେତ୍ର ଓ ଲକ୍ଷ୍ମୀବନ, ଶମ୍ପାପ୍ରାସ ବା କେଶବ ପ୍ରୟୋଗ, ବସୁଧାରା, ଉର୍ବଶୀକୁଣ୍ଡ ଏବଂ ଚରଣାପାଦୁକା, ଲୋକପାଳ (ଦଣ୍ଡପୁଷ୍କରିଣୀ) ପ୍ରଭୃତି ପବିତ୍ର ତୀର୍ଥସ୍ଥଳ ବିରାଜମାନ ।

 

ଶ୍ରାଦ୍ଧାଦି କର୍ମ ସମାପ୍ତ କରି ଅଳକାନନ୍ଦାର ପବିତ୍ର ଶୀତଳ ଜଳ ସ୍ପର୍ଶ କଲାବେଳେ ଦେହ ଓ ମନରେ ଯେଉଁ ପ୍ରସନ୍ନତା ଜାତ ହୁଏ ତାହା ଅନୁଭବୀ ମାତ୍ରେ କହିପାରିବେ । ସେତେବେଳକୁ ମନ୍ଦିର ପଛରେ ଥିବା ସେ ନରନାରାୟଣ ପର୍ବତ ଉପରେ ଆଲୋକର ଜୁଆର ଓ ଉପରେ ସୁନିର୍ମଳ ଆକାଶ ।

 

ତା’ ପରଦିନ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟର ଅଭିରାମ ରୂପ ଦେଖି ଅଭିଭୂତ ହେଲି । ନରନାରାୟଣ ଓ ନୀଳକଣ୍ଠ ପର୍ବତର ଉପରିଭାଗ ବରଫାବୃତ୍ତ । ପ୍ରଥମ ସୁନେଲି ସୂର୍ଯ୍ୟକିରଣ ବରଫାବୃତ୍ତ ପର୍ବତ ଶିଖର ଉପରେ ପଡ଼ିବାକ୍ଷଣି ଚତୁର୍ଦ୍ଦିଗ ଏକ ଅପୂର୍ବ କମନୀୟତାରେ ପୂରିଉଠିଲା । ରକ୍ତାଭକରଣ କିଛିସମୟ ପରେ ନାରଙ୍ଗୀ ଏବଂ ତା’ପରେ ଧଳାରଙ୍ଗରେ ପରିଣତ ହେବାର ଦୃଶ୍ୟ ଓ ରଙ୍ଗ ବଦଳିବାର ଏହି ଲୋଭନୀୟ ଦୃଶ୍ୟ ଅତ୍ୟନ୍ତ ଚିତ୍ତପ୍ରସନ୍ନକାରୀ ।

 

ପୂର୍ବରୁ କହିଛି ଯେ ବୈଶାଖ ମାସରୁ କାର୍ତ୍ତିକ ପର୍ଯ୍ୟନ୍ତ ଛଅମାସ ମନ୍ଦିର ଓ ବଦ୍ରିକାଶ୍ରମ ଯିବା ଆସିବା ପାଇଁ ଉନ୍ମୁକ୍ତ ରହେ । ଅନ୍ୟ ଛଅମାସ ଏହି ସ୍ଥାନ ବରଫାବୃତ୍ତ ଓ ଦୁର୍ଗମ ରହୁଥିବାରୁ ଯୋଶୀମଠକୁ ଚଳନ୍ତି ପ୍ରତିମା ସହିତ ପୁରୋହିତଗଣ ଚାଲିଯାଆନ୍ତି । ମନ୍ଦିରର ପୂଜାବିଧି ଓ ମହିମା ସମ୍ପର୍କରେ ଅଧିକ ତଥ୍ୟ ଜାଣିବାପାଇଁ ମନ୍ଦାକିନୀଦେବୀ ଆମ୍ଭମାନଙ୍କୁ ମହାରାଉଳଙ୍କ ନିକଟକୁ ନେଇଗଲେ । ମନ୍ଦିର ବେଢ଼ା ମଧ୍ୟରେ ଅନ୍ୟ ଏକ କୋଠରୀରେ ତାଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଥିଲା । ଦେଖିଲି ଯେ ଅନେକ ତୀର୍ଥଯାତ୍ରୀ ତାଙ୍କୁ ଦର୍ଶନ କରନ୍ତି ଓ ପ୍ରଣାମୀ ଦିଅନ୍ତି ।

 

ବଦ୍ରିନାଥଙ୍କ ମନ୍ଦିର ପ୍ରତିଦିନ ପ୍ରାତଃକାଳ ଚାରିଟା ତିରିଶି ମିନିଟ୍‌ରେ ଖୋଲାଯାଏ । ସାତଟା ପର୍ଯ୍ୟନ୍ତ ଭଗବାନଙ୍କର ଅଭିଷେକ ଓ ମହାଭିଷେକ ପୂଜା ସମ୍ପାଦିତ ହୁଏ । ସାଧାରଣ ଯାତ୍ରୀଙ୍କ ଦର୍ଶନ ନିମନ୍ତେ ମନ୍ଦିର ବାଆରଟା ପର୍ଯ୍ୟନ୍ତ ଖୋଲାରହେ ଏବଂ ପୁନର୍ବାର ଅପରାହ୍ନ ତିନିଟାରୁ ସନ୍ଧ୍ୟା ନଅଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ପାଇଁ ମନ୍ଦିର ଖୋଲାରହେ । ଏଠାରେ ଶୁଖିଲା ପ୍ରସାଦ ମଧ୍ୟରେ ମୁଢ଼ି, ମିଶ୍ରି ପ୍ରଭୃତି ଯେପରି ପ୍ରସିଦ୍ଧ, ଖେଚୁଡ଼ି ଓ ଅନ୍ନ ମଧ୍ୟ ସେହିପରି ପ୍ରସିଦ୍ଧ । ପୁରୀର ଶଙ୍କରାଚାର୍ଯ୍ୟ ଏଠାକୁ ଆସିଥିବାରୁ ଶ୍ରୀକ୍ଷେତ୍ରର ଅନ୍ତବ୍ୟଞ୍ଜନ ମହାପ୍ରସାଦ ବ୍ୟବସ୍ଥା ମଧ୍ୟ ଏଠାରେ ପ୍ରଚଳିତ କରିଥିବାର ଅନୁମାନ କରାଯାଏ । ମନ୍ଦିର ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଓ ସାଧାରଣ ଦର୍ଶନ ବ୍ୟତୀତ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା ଓ ଦେୟ ନିର୍ଦ୍ଦିଷ୍ଟ କରାଯାଇଛି । ପଣ୍ଡାମାନଙ୍କର ଉତ୍ପାତ ବା ଅତ୍ୟାଚାର ମଧ୍ୟ ନାହିଁ । ବଦ୍ରିନାଥ ଧାମକୁ ଭାରତର ବିଭିନ୍ନ ଅଞ୍ଚଳରୁ ତୀର୍ଥଯାତ୍ରୀମାନେ ଆସୁଥିବାରୁ ସେମାନଙ୍କର ରହିବା ନିମନ୍ତେ ଧର୍ମଶାଳା, ଅତିଥିଭବନ, ହୋଟେଲ ପ୍ରଭୃତି ରହିଛି । ଏହାହିଁ ଭାରତର ଶେଷ ସହର ଏବଂ ଏଠାରୁ ଚୀନ୍‌ ଦେଶର ସୀମା ପଚିଶି ତିରିଶ ମାଇଲରୁ ବେଶି ହେବନାହିଁ । ଶୀତଋତୁରେ ସହର ବରଫାବୃତ୍ତ ରହୁଥିବାରୁ ଜଣେ ଦୁଇଜଣ ସାଧୁ ସନ୍ନ୍ୟାସୀ ଓ ସେନାବାହିନୀର ଜବାନ୍‌ କେତେଜଣ ବ୍ୟତୀତ ସହରରେ ଅନ୍ୟ କେହି ରହନ୍ତି ନାହିଁ । ସହର ଓ ମନ୍ଦିର ମଝିରେ ପ୍ରବାହିତ ଅଳକାନନ୍ଦା ଉପରେ ଯିବାଆସିବା କରିବାପାଇଁ ଏକ ପୋଲ ନିର୍ମିତ ହୋଇଛି ।

 

ଅଳକାନନ୍ଦାର ତୀର୍ଥଜଳ ସଂଗ୍ରହ କଲେ ବାପା, ଶିଶିର, ଲକ୍ଷ୍ମୀଧରବାବୁ, ପାଣି ମହାଶୟ ଓ ଅନ୍ୟମାନେ । ଆଉ ଆସିବାକୁ ସୁଯୋଗ ମିଳିବ ନାହିଁ, ତୀର୍ଥଜଳ କିନ୍ତୁ ରହିବ ପୂଜାର୍ଚ୍ଚନା ପାଇଁ । ଗଙ୍ଗାଜଳ ବିଭିନ୍ନ ଧାତୁ, ବନସ୍ପତି ଓ ମୃତ୍ତିକା ସହିତ ମିଶି ଏପରି ବିଶୁଦ୍ଧ ଯେ ଶିଶି ଭିତରେ ଗଙ୍ଗାଜଳ ଦୀର୍ଘଦିନ ରଖିଲେ ମଧ୍ୟ କୀଟ ଜନ୍ମେ ନାହିଁ ।

 

ବଦ୍ରିକାଶ୍ରମ ପୂର୍ବ ବ୍ରହ୍ମପୁରାର ଅଂଶବିଶେଷ । ତିବ୍ଦତ ଓ ବ୍ରହ୍ମପୁରା ଏକ ଅଞ୍ଚଳ ଥିଲା ପୂର୍ବକାଳରେ । ତିବ୍ବତ ଏବଂ ହିମାଳୟର ସକଳ ତୀର୍ଥସ୍ଥାନ, ଘରଓ୍ୱାଲ ଅଞ୍ଚଳର ସଂସ୍କୃତି ଓ ପରମ୍ପରାର ଏକ ଓ ଅଭିନ୍ନ । କେଦାରନାଥ ଓ ବଦ୍ରିନାଥର ପଛରେ ଥିବା ତିନୋଟି ଗିରିଶିଖର ଦଣ୍ଡାୟମାନ–ଶ୍ଵେତବରୁଣ, ଶିବଲିଙ୍ଗ ଓ ସୁମେରୁ । ଏହି ପର୍ବତମାନଙ୍କର ଚୂଡ଼ାଦେଶରୁ ଗଙ୍ଗା ଓ ଅନ୍ୟାନ୍ୟ ଜଳଧାରାର ଉତ୍ପତ୍ତି । ଶିବଙ୍କର ଜଟାଜୂଟ ପରି ହିମାଳୟର ଶୀର୍ଷଦେଶ ଅସଂଖ୍ୟ ଗିରିଶିଖରରେ ପୂର୍ଣ୍ଣ । ଏପରି ଏକ ସ୍ଥାନ ହିଁ ଗଙ୍ଗାବତରଣ ପାଇଁ ଉପଯୁକ୍ତ; ନହେଲେ ଭଗୀରଥ ସଗର ବଂଶକୁ ଉଦ୍ଧାର କରିବାପାଇଁ ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କରି ନ ଥାନ୍ତେ । ପ୍ରତୀକ ବା ଅନ୍ୟଭାବରେ ଯେଉଁ ଭାବରେ ଗ୍ରହଣ କଲେ ମଧ୍ୟ ଜନକଲ୍ୟାଣ ପାଇଁ ଗଙ୍ଗାବତରଣ ଓ ସାଗରରେ ବିସର୍ଜନ ସହିତ ସଗର ବଂଶର ଉଦ୍ଧାର ଅତି ରୋମାଞ୍ଚକର କାହାଣୀ । ଗଙ୍ଗା ଯିଏ ମର୍ତ୍ତ୍ୟଗାମିନୀ ଓ ଗତିଶୀଳ । ଗତିହିତ ଜୀବନ ।

 

ଭାରତର ଶାସ୍ତ୍ର, ପୁରାଣ, ରାମାୟଣ, ମହାଭାରତ ସବୁଠାରେ ଦେବଭୂମି ହିମାଳୟର ଗୁଣକୀର୍ତ୍ତନ କରାଯାଇଛି । ଏହାହିଁ ଥିଲା ଆର୍ଯ୍ୟଭୂମି ଏବଂ ଏହାର ଗିରିଗୁମ୍ଫାର ମୁନିଋଷିଙ୍କ ଠାରୁ ଉଚ୍ଚାରିତ ହୋଇଥିଲା ପ୍ରଣବ ମନ୍ତ୍ର, ଯାହା ଆଜିଯାଏ ଜାତିର ଶକ୍ତିର ଉତ୍ସ ହୋଇ ରହିଆସିଛି । ଅତୀତକୁ ସ୍ମରଣ କରିବାକ୍ଷଣି ଦେହରେ ସେଥିପାଇଁ ହୁଏ ରୋମାଞ୍ଚ, ପ୍ରାଣ ହୁଏ ପୁଲକିତ ଏବଂ କାଳାନ୍ତର ମଧ୍ୟରେ ଶାଶ୍ୱତ ସନାତନ ଧର୍ମ କିପରି ହିମାଳୟର ଗିରିଶୃଙ୍ଗ ଅତିକ୍ରମ କରି ଗଙ୍ଗା, ଯମୁନା ପରି ପ୍ରବାହିତ ହୋଇଛି, ଭାରତବର୍ଷକୁ ଧନ୍ୟ ଓ ଏହାର ଅଗଣିତ ଜନସାଧାରଣଙ୍କୁ ପୂର୍ଣ୍ଣ କରିଛି ତା’ର ପଟ୍ଟାନ୍ତର ଯାହା ବିଶ୍ୱ ଇତିହାସରେ ଦୁର୍ଲଭ ।

 

ମେ ୧୩ ତାରିଖ ମଙ୍ଗଳବାର ଫେରିବା ବାଟରେ ଏଇକଥା ଖାଲି ମନେ ପଡ଼ୁଥିଲା, ବେଦ ଉପନିଷଦର ଅର୍ଯ୍ୟାବର୍ତ୍ତ କଥା, ବାଲ୍ମୀକି ଓ ବ୍ୟାସଙ୍କର ଭାରତବର୍ଷ କଥା । ହଠାତ୍‌ ମା’ ଅସୁସ୍ଥ ହୋଇ ନଥିଲେ ଆଉଦିନେ ରହିଥାନ୍ତୁ । କିନ୍ତୁ ଫେରିବାକୁ ହେବ ଆଜି ବା କାଲି ହେଉ । ମର୍ତ୍ତ୍ୟର ମୋହ ଯେ ଅସୀମ ।

 

ଆରମ୍ଭ ହେଲା ପ୍ରତ୍ୟାବର୍ତ୍ତନ । ଚତୁର୍ଦ୍ଦିଗରେ ପୁଣ୍ୟଭୂମି ଭାରତର ବିସ୍ତୃତ ଦୀପ୍ତିମାନ ବିସ୍ତାରିତ ପବିତ୍ର ରୂପ । ଏହି ବରଫାବୃତ୍ତ ଗିରିଦେଶରେ ଯେଉଁମାନେ ଯୁଗ ଯୁଗ ଧରି ରହିଆସିଛନ୍ତି ସେମାନଙ୍କ ଶିରାପ୍ରଶିରାରେ ଅତୀତର ଶୌର୍ଯ୍ୟ ବୀର୍ଯ୍ୟ ପ୍ରବାହିତ । ଏପରି ଦୁର୍ଗମ, ଦୁସ୍ତର ଅଞ୍ଚଳରେ ବସବାସ କରିବା ଅତି କଷ୍ଟସାଧ୍ୟ ହେଲେ ସୁଦ୍ଧା ପାହାଡ଼ୀ ଘଡ଼ଓ୍ୱାଲୀମାନଙ୍କର ମୁଖଶ୍ରୀରେ ଜୀବନର ଅଲିଭା ଆଲୋକ ସଦା ପ୍ରଜ୍ୱଳିତ ।

 

ବଦରିକାଶ୍ରମ ଛାଡ଼ିବା ପୂର୍ବରୁ ପୁନର୍ବାର ପ୍ରଣାମ କଲି ସେଇ ପରାତ୍ପର ପରମେଶ୍ୱରଙ୍କୁ-। ଶ୍ରଦ୍ଧା ଜଣାଇଲି ସେଇ ମହାନ୍‌ ଅତୀତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଏବଂ ନମସ୍କାର କଲି ଭଗୀରଥଙ୍କୁ–ଯିଏ ଲୋକକଲ୍ୟାଣ ପାଇଁ ଗଙ୍ଗାବତରଣ କରାଇ ବାଟ କଢ଼େଇ ନେଇ ଆସିଥିଲେ ବଙ୍ଗୋପସାଗର ପର୍ଯ୍ୟନ୍ତ । ସେଥିପାଇଁ ଗୋଟିଏ ଭଗୀରଥ ଥିବାଯାଏ ଭାରତର ମୃତ୍ୟୁ ନାହିଁ–ଏହାର ଅବିନାଶୀ ଶାଶ୍ୱତ ଆତ୍ମାର ବିଜୟ ଚିରନ୍ତନ I

 

ଭଗୀରଥ ଏକ ପ୍ରତୀକ ମାତ୍ର, ତଥାପି ଭଗୀରଥ ବାରମ୍ୱାର ଏଇ ପୁଣ୍ୟ ମାଟିରେ ଜନ୍ମଗ୍ରହଣ କରନ୍ତୁ.....ତାଙ୍କରି ସାଧନା ଓ ସିଦ୍ଧି ହିଁ ଭାରତର ଶକ୍ତି, କୋଟି କୋଟି ଭାରତବାସୀଙ୍କର ତାହାହିଁ ଶକ୍ତିର ଉତ୍ସ ।

 

ସମସ୍ତେ ସମସ୍ୱରରେ କହିଲେ–ଜୟ ବଦ୍ରି ବିଶାଳ କୀ ଜୟ.....

 

Unknown

ମାତା ବୈଷ୍ଣୋଦେବୀ

 

କାଶ୍ମୀରର ଅନିନ୍ଦ୍ୟ, ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଭୂସ୍ୱର୍ଗ ଭାବରେ ସାରା ପୃଥିବୀରେ ପରିଚିତ । ଏହାର ସୁଉଚ୍ଚ ବରଫାବୃତ୍ତ ପର୍ବତମାଳା, ବିଶାଳ ହିମପ୍ରବାହ, ସ୍ୱଚ୍ଛ ସୁନୀଳ ହ୍ରଦ, କଳ କଳ ନାଦିନୀ ନିର୍ଝରଣୀ ଓ ନଦୀ, ଅସଂଖ୍ୟ ଫଳଫୁଲର ଉଦ୍ୟାନ ଏବଂ ଚମତ୍କାର କୁଟୀର ଶିଳ୍ପ, ସରଳ ଓ ଅମାୟିକ ପ୍ରକୃତିର ଲୋକ ଭୂସ୍ୱର୍ଗ କାଶ୍ମୀରର ସମ୍ପଦ । ପ୍ରକୃତିର ବର୍ଣ୍ଣାଢ଼୍ୟ ଶୋଭା ଏଠାରେ କବିର କଲମରେ ମଧ୍ୟ ଅବର୍ଣ୍ଣନୀୟ । ଏହି କାଶ୍ମୀରରେ କହ୍ଲଣ ରଚନା କରିଥିଲେ ତାଙ୍କର ବିଶ୍ୱବିଖ୍ୟାତ ରାଜତରଙ୍ଗିଣୀ । ଏହି ନୈସର୍ଗିକ ନିର୍ମଳ ସୌନ୍ଦର୍ଯ୍ୟ ଦେଖି ଦେହ ଓ ମନକୁ ସତେଜ କରିବାପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସନ୍ତି କାଶ୍ମୀରକୁ । ଆମେ ମଧ୍ୟ ସେହି ଉଦ୍ଦେଶ୍ୟରେ ଯାତ୍ରା କରିଥିଲୁ ; କିନ୍ତୁ ଭଗବାନଙ୍କର କି ବିଚିତ୍ର ଲୀଳା, ଆମେ ଯେତିକି ଜାମ୍ମୁ ଅଭିମୁଖରେ ଅଗ୍ରସର ହେଲୁ, ସେତିକି ଶୁଣିବାକୁ ପାଇଲୁ ଦେବଭୂମି ଜାମ୍ମୁ ଓ କାଶ୍ମୀରର ଅଲୌକିକ କାହାଣୀ । ଏହି ଭୂମି ଯେ ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟରେ କେବଳ ପରିପୂର୍ଣ୍ଣ ତାହା ନୁହେଁ, ଏହା ଆର୍ଯ୍ୟମାନଙ୍କର ଲୀଳାଭୂମି ଏବଂ ସମଗ୍ର ଜାମ୍ମୁ ଓ କାଶ୍ମୀର ପ୍ରସିଦ୍ଧ ଶୈବ ଓ ଶାକ୍ତ କ୍ଷେତ୍ର । ଏହା ଜାଣିବା ପରେ ଆମର ଭ୍ରମଣ ସୂଚୀ ପରିବର୍ତ୍ତନ କରି କେତେକ ତୀର୍ଥସ୍ଥାନକୁ ଯିବା ପାଇଁ ସିଦ୍ଧାନ୍ତ କଲୁ । ଏହି ତୀର୍ଥ ସ୍ଥାନମାନଙ୍କରୁ ବୈଷ୍ଣୋଦେବୀ ଭାରତ ପ୍ରସିଦ୍ଧ । ଯଦିବା ଆମ ଯାତ୍ରାର ଶେଷପାଦରେ ଆମେ ଜଗତଜନନୀ ବୈଷ୍ଣାଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲୁ, ତାଙ୍କର ମହିମା ଓ ପୀଠ ସମ୍ପର୍କରେ ପାଠକମାନଙ୍କୁ ଅବହିତ କରାଇବା ପ୍ରଥମ କର୍ତ୍ତବ୍ୟ ବୋଲି ବିଚାର କଲୁ-

 

କଲିକତାରୁ ହିମଗିରି ଏକ୍‌ସପ୍ରେସ୍‌ରେ ଯାତ୍ରାରମ୍ଭ । ଶୁଭ ଶୁକ୍ରବାର ଜୁନମାସ ୧୨ ତାରିଖ ଆମ୍ଭେ ଦୁହେଁ ମୋର ବଡ଼ପୁଅ ସଞ୍ଜୀବ (ମୁନା) ଏବଂ ପୁତୁରା ଗିରିଶ । ଦୁହେଁ ଯୁବକ ଏବଂ ସେମାନଙ୍କର ଉତ୍ସାହ ଅଦମ୍ୟ । ଶୀତତାପ ନିୟନ୍ତ୍ରିତ କୋଠରୀରେ ଯିବା ବାଟରେ ବେଶୀ ଆଖିରେ ପଡ଼ିଲେ ବଙ୍ଗାଳୀ ଯାତ୍ରୀ । ବଙ୍ଗାଳୀମାନେ ପର୍ଯ୍ୟଟକ.ଭାବରେ ଦେଶ ସାରା ପ୍ରସିଦ୍ଧ । ଟିକେ ସମୟ ଓ ସୁଯୋଗ ପାଇଲେ ଚାଲିଯାଆନ୍ତି, ପାହାଡ଼, ପର୍ବତ, ସମୁଦ୍ର ବା ହ୍ରଦ ବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ । ଓଡ଼ିଆ ଛୁଟିନେଲେ ଗାଆଁକୁ, ବେଶୀ ହେଲେ ମାମୁଁ ବା ଶ୍ୱଶୁର ଘରକୁ । ଆଜି ଇତିହାସ ପୃଷ୍ଠା ଓଲଟାଇବାବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ଏଇ ଓଡ଼ିଆମାନଙ୍କର ପୂର୍ବପୁରୁଷମାନେ ଶହ ଶହ ବର୍ଷ ଧରି ଉତ୍ତାଳ, ଉଦ୍ଦାମ, ଭୟଙ୍କର ସାତସମୁଦ୍ର ଅତିକ୍ରମ କରି ବାଣିଜ୍ୟ କରୁଥିଲେ ପୂର୍ବ ଏସିଆର ଦ୍ଵୀପପୁଞ୍ଜମାନଙ୍କରେ, ଲଢ଼େଇ କରୁଥିଲେ ଜଳଦସ୍ୟୁମାନଙ୍କ ସହିତ ଏବଂ କଳିଙ୍ଗର ଧର୍ମଧାରା ଓ ସଂସ୍କୃତି ପ୍ରସାର କରିଥିଲେ ଅନ୍ୟଭୂମିର ଲୋକମାନଙ୍କ ମଧ୍ୟରେ, ସେ ଯୁଗ ଆଉ ନାହିଁ । କର୍ପୂର ଉଡ଼ିଯାଇଛି, କନା ଖଣ୍ଡିକ ବି ଉଡ଼ିଯିବା ଉପରେ ।

 

ଅନେକ ଲୋକଙ୍କ ସହିତ ଏକତ୍ର ଯିବାରେ ଆନନ୍ଦ ଅପରିସୀମ । ଟ୍ରେନ୍‌ ଏପରି ଏକ ଯାନ ଯେ, ଯାତ୍ରା କାଳରେ ଚିହ୍ନା ପରିଚୟ ହେବାର ସୁଯୋଗ ଏଥିରେ ସର୍ବାଧିକ । ଅଳ୍ପ ସମୟ ମଧ୍ୟରେ ଚିହ୍ନା ପରିଚୟ ହୋଇଗଲା ଅନେକ ସହଯାତ୍ରୀଙ୍କ ସହିତ ଏବଂ କେବଳ ଗଳ୍ପ ଜମି ଉଠିଲା ନାହିଁ, ଖିଆପିଆର ଆଦାନ ପ୍ରଦାନ ମଧ୍ୟ ଆରମ୍ଭ ହୋଇଗଲା । ରେଳବାଇର ଆଲୁମିନିୟମ କାଗଜ ପ୍ୟାକେଟରେ ଭର୍ତ୍ତି କରାଯାଇଥିବା ଭୋଜନ ପ୍ରଥମେ ଭଲ ଲାଗିଲେ ମଧ୍ୟ ସବୁବେଳେ ପ୍ରାୟ ସେଇ ଏକ ପ୍ରକାର ମେନୁ ଦେଖି ମୁନା ଓ ଗିରୀଶ ବାହାରୁ କିଣିଆଣିଲେ ଆଳୁଦମ୍‌, ପକୋଡ଼ି, ସୁସ୍ୱାଦୁ ଲଙ୍ଗଡ଼ା ଓ ଦଶେରୀ ଆମ୍ବ । ଲୋକେ କହନ୍ତି ଆମ୍ବ ଖାଇବ ତ ଉତ୍ତର ଭାରତରେ-!

 

ଜାମ୍ମୁ ଷ୍ଟେସନରେ ଗାଡ଼ି ପହଞ୍ଚିଲାବେଳକୁ ମଧ୍ୟାହ୍ନ । ସେଦିନ ଆଉ ଯିବାର ସମୟ ନଥିଲା ।

 

ତା’ ପରଦିନ ଯାତ୍ରାରମ୍ଭ ।

 

ଜାମ୍ମୁ ଷ୍ଟେସନରୁ କାଟରାର ଦୂରତ୍ୱ ଏକତିରିଶ ମାଇଲ ବା ପଚାଶ କିଲୋମିଟର । କାଟରା ଏକ ଛୋଟ ସହର ଏବଂ ଏଠାରେ ଯାତ୍ରୀମାନଙ୍କ ରହିବା ପାଇଁ ହୋଟେଲ, ଧର୍ମଶାଳା, ପର୍ଯ୍ୟଟନ ଗୃହ ରହିଛି । କାଟରାରେ ପହଞ୍ଚିବା ପରେ ଜାମ୍ମୁ ଷ୍ଟେସନ ସୁପରିଟେଣ୍ଡେଣ୍ଟ ପଠାଇଥିବା ବ୍ୟକ୍ତି ଆମକୁ ଏକ ଦୋକାନୀ ସହିତ ପରିଚୟ କରାଇଦେଲା । ପୂଜା ସାମଗ୍ରୀ ବିକ୍ରୟ ହୁଏ ଦୋକାନରେ । ଆମେ ପୂଜାର୍ଚ୍ଚନା ପାଇଁ ସାମଗ୍ରୀ କିଣି ନିଜ ନିଜର ଜୋତା ରଖି ଭଡ଼ା ଦେଇ କେନଭିସ୍‌ ଜୋତା ଲଗାଇଲୁ ଏବଂ ହାତରେ ଗୋଟିଏ ଗୋଟିଏ ବାଉଁଶ ବାଡ଼ି ଧରି ଦିନ ଏଗାରଟା ସମୟରେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ପାଇଁ ପଦଯାତ୍ରା ଆରମ୍ଭ କଲୁ । କାଟରାଠାରୁ ବୈଷ୍ଣୋଦେବୀଙ୍କ ମନ୍ଦିରର ଦୂରତ୍ୱ ଚଉଦ କିଲୋମିଟର । ଉତ୍ତର ଭାରତର ଏହି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଏକ ପାହାଡ଼ ଗୁମ୍ଫାରେ ଅବସ୍ଥିତ । କାଟରାରୁ ବୈଷ୍ଣୋଦେବୀ ଯିବା ପାଇଁ ଛଅହଜାର ଫୁଟରୁ କିଛି ଅଧିକ ଉଚ୍ଚ ପାହାଡ଼ ଉପର ଦେଇ ଯିବାକୁ ହୁଏ । ଏହି ଯାହା କଷ୍ଟସାଧ୍ୟ ହେଉଥିବାରୁ ଜିନିଷପତ୍ର ବୋହିବା ପାଇଁ ପଇଁତିରିଶି ଟଙ୍କାରେ କୁଲି ମିଳିଯାଆନ୍ତି । ଏମାନଙ୍କୁ ‘ପିଠୁ’ କୁହାଯାଏ, ପିଠି ଉପରେ ବୋଝ ବୋହୁଥିବାରୁ । ଏହା ବ୍ୟତୀତ କାଟରା ସହର ବା ଯାତ୍ରା ପଥରେ ପର୍ବତ ଆରୋହଣ କରିବା ଲାଗି ଭଡ଼ାରେ ତଟୁଘୋଡ଼ା ମିଳନ୍ତି । ଯିବା ଆସିବା ମାତ୍ର ସତୁରୀ ଟଙ୍କା । ତଟୁ ଘୋଡ଼ାମାନେ ଇମିତି ଚତୁର ଯେ ଠିକ୍‌ ବାଟରେ ଚାଲନ୍ତି ଏବଂ ପଡ଼ିଯିବାର ଭୟ ନଥାଏ ? ବୃଦ୍ଧ ବା ବୁଦ୍ଧାମାନଙ୍କ ପାଇଁ ଡୋଲି ମଧ୍ୟ ମିଳେ । ପ୍ରାୟ ତିନିଶହରୁ ଚାରିଶହ ଟଙ୍କା ଭଡ଼ା ଲାଗେ ଏଥିପାଇଁ । ବୈଷ୍ଣୋଦେବୀ ଏକ ଧର୍ମସ୍ଥାନ, ଟ୍ରଷ୍ଟ ବୋର୍ଡ଼ ଦ୍ୱାରା ପରିଚାଳିତ ହେଉଥିଲା । କାଶ୍ମୀରର ମହାରାଜା ଡକ୍ଟର କରଣ ସିଂ ଥିଲେ ଏହାର ଚେଆରମ୍ୟାନ । କିନ୍ତୁ ଏହି ତୀର୍ଥ କ୍ଷେତ୍ରକୁ ଭାରତର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଯାତ୍ରୀ ଆସୁଥିବାରୁ ଏହାର ରକ୍ଷଣାବେକ୍ଷଣର ଉନ୍ନତି ସାଧନ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶାସନ ଚାଲିଥିବା ସମୟରେ ରାଜ୍ୟପାଳ ଜଗମୋହନ ପୂର୍ବ ଟ୍ରଷ୍ଟବୋର୍ଡ଼କୁ ଭାଙ୍ଗି, ଦେବ ସ୍ଥାନର ସମସ୍ତ କାର୍ଯ୍ୟ ସରକାର ହାତକୁ ନେଇ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ କରି ତାହାରି ହାତରେ ସବୁ ଦାୟିତ୍ୱ ଦେଲେ । ଏହା ପରେ ଏହି ତୀର୍ଥର ପ୍ରଭୂତ ଉନ୍ନତି କରାହୋଇଛି ଏବଂ ଅନେକ ବିକାଶମୂଳକ କାମ ହାତକୁ ନିଆଯାଇଛି ।

 

କାଟରା ସହର ଉପକଣ୍ଠରେ ବନ ଗଙ୍ଗା ନଦୀ ପ୍ରବାହିତ । ଏହି ନଦୀ ବୈଷ୍ଣୋଦେବୀଙ୍କ ପାଦଧୌତ କରି ଗୁମ୍ଫା ଭିତର ଦେଇ ପାହାଡ଼ ତଳକୁ ବହି ଆସିଛି । କାଳେ ପର୍ବତ ପଥ ଉଠିବା ପାଇଁ ଅତ୍ୟଧିକ କଷ୍ଟ ହୋଇପାରେ; ତେଣୁ ବୃଦ୍ଧ, ଅସମର୍ଥମାନଙ୍କ ପାଇଁ ତଟୁଘୋଡ଼ା ଛଡ଼ା ଡୋଲି ମଧ୍ୟ ଭଡ଼ାରେ ମିଳେ । ଏଥିପାଇଁ ଯିବା ଆସିବା ଖର୍ଚ୍ଚ ପ୍ରାୟ ତିନିଶହରୁ ଚାରିଶହ ଟଙ୍କା ।

 

ଆମେ ବନଗଙ୍ଗା ଉପରେ ପୋଲ ପାର ହେବାବେଳେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଫେରୁଥିବା ଯାତ୍ରୀମାନଙ୍କୁ ଦେଖିଲୁ । ସମସ୍ତଙ୍କ ମୁହଁରେ ‘ଜୟ ମାତା ଦି’ ପ୍ରଥା ଅନୁସାରେ ଆମେ ବି ଉଚ୍ଚାରଣ କଲୁ ଜୟମାତା ଦି । କାଟରା ଠାରୁ ମନ୍ଦିର ପର୍ଯ୍ୟନ୍ତ ଚଉଦ କିଲୋମିଟର ପଥ କଂକ୍ରିଟ କରାଯାଇଛି ଏବଂ ରାସ୍ତାର ଦୁଇ କଡ଼ରେ ବିଜୁଳି ଆଲୁଅ, ପ୍ରତ୍ୟେକ କେତେଶହ ଗଜ ବ୍ୟବଧାନରେ ପିଇବା ପାଇଁ ପାଣିକଳ, ମଧ୍ୟେ ମଧ୍ୟେ ଜଳଖିଆ ସରବୃତ ଓ ଚା ଦୋକାନ ଏବଂ ଶୌଚାଳୟ । ସ୍ୱାସ୍ଥ୍ୟରକ୍ଷା ପାଇଁ ସଯତ୍ନ ପଦକ୍ଷେପ ସର୍ବତ୍ର ଦୃଷ୍ଟ ହେଉଥାଏ ।

 

ଆମେ ପର୍ବତର ପାଦଦେଶରେ ପାଦ ଦେବାବେଳକୁ ଦୁଇ ତିନିଜଣଙ୍କୁ ବାଜା ବଜାଇ ଯାତ୍ରୀମାନଙ୍କୁ ସ୍ୱାଗତ କରିବାର ଦେଖିଲୁ । ପରେ ପରେ ଏପରି ବାଦକଦଳ ଅନେକ ସ୍ଥାନରେ ଆମକୁ ଭେଟିଲେ । ସେମାନେ ବାଜା ବଜାଇ ଯାତ୍ରୀମାନଙ୍କୁ ଉତ୍ସାହିତ କରନ୍ତି ପଥ ଅତିକ୍ରମ କରିବାକୁ । ଏଠାରେ କହି ରଖିବା ଉଚିତ ହେବ ଯେ କାଟରା ଠାରୁ ବୈଷ୍ଣୋଦେବୀ ପର୍ଯ୍ୟନ୍ତ ଚଉଦ କିଲୋମିଟର ପାର୍ବତ୍ୟ ପଥ ପାଦରେ ଚାଲିଯିବାକୁ ହୁଏ, ମୋଟର ଗାଡ଼ି ଯିବାର କୌଣସି ବ୍ୟବସ୍ଥା ନାହିଁ । ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ହେଲିକେପଟରରେ ଯାଇ ପାହାଡ଼ ଉପରେ ଓହ୍ଲେଇ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିଥିଲେ । ଏହି ତୀର୍ଥର ପ୍ରସିଦ୍ଧି ଅସମ୍ଭବ ଭାବରେ ବଢ଼ୁଥିବାରୁ ଚଳିତ ନଭେମ୍ବର ପହିଲା ଠାରୁ କାଟରା ଓ ବୈଷ୍ଣୋଦେବୀ ମଧ୍ୟରେ ଭଡ଼ାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସର୍ଭିସ ଆରମ୍ଭ ହୋଇଛି ।

 

ପାହାଡ଼ ଉଠିବା ଯେ ଆମପକ୍ଷରେ ସହଜ ହେବ ନାହିଁ, ଏହା ଅଳ୍ପ ବାଟ ଯିବା ପରେ ବୁଝିପାରିଲୁ । କିନ୍ତୁ ଅନ୍ୟ ଉପାୟ ବି ନାହିଁ । ଡୋଲି ଆଣିବା ପାଇଁ ଭାବିଥିଲୁ ; କିନ୍ତୁ ସେହି ପ୍ରସ୍ତାବ ବନ୍ଦ ହେଲା । ଘୋଡ଼ା ଉପରେ ଚଢ଼ିଯିବାର ଅଭ୍ୟାସ ନ ଥିବାରୁ ଭୟ ବି ହେଲା । ଧୀରେ ଧୀରେ ଉଠିଲୁ ଉପରକୁ, ମଝିରେ ମଝିରେ ଦୁଇ ମିନିଟ୍‌ ବିଶ୍ରାମ ଏବଂ ତା’ପରେ ପୁଣି ଯାତ୍ରା । ଜୁନ ମାସର ଟାଣୁଆ ଖରାରେ ଝାଳେଇ ଯାଇଥାଏ ଆପାଦମସ୍ତକ । କିନ୍ତୁ ଏଭଳି ପଥ ଅତିକ୍ରମ କରିବା କିପରି କଷ୍ଟସାଧ୍ୟ ତାହା ସହଜରେ ଅନୁମେୟ । ଆମ ଓଡ଼ିଶାରେ ଶିମିଳିପାଳର ଉଚ୍ଚତା ମଧ୍ୟ ଛଅହଜାର ଫୁଟ ନୁହେଁ । କିନ୍ତୁ ଏହି ଶ୍ରମସାଧ୍ୟ ପଥ ନଗ୍ନ ପାଦରେ ଅତିକ୍ରମ କରନ୍ତି ଉତ୍ତର ଭାରତର ଅନେକ ଭକ୍ତ ମନସ୍କାମନା ପୂର୍ଣ୍ଣ କରିବାପାଇଁ । ସେମାନଙ୍କ ମଧ୍ୟରୁ ଲକ୍ଷପତିଙ୍କ ସଂଖ୍ୟା ନଗଣ୍ୟ ନୁହେଁ ।

 

କିନ୍ତୁ ରାସ୍ତା କଡ଼ ଦୋକାନରୁ ଲେମ୍ବୁ ସରବତ ପିଇ, ପାଣିକଳର ଥଣ୍ଡା ପାଣିରେ ମୁହଁ ହାତ ଧୋଇ, ମଝିରେ ମଝିରେ ବାଦ୍ୟଗୀତ ଶୁଣି ଶୁଣି ଚାଲିଲାବେଳେ ଉତ୍ସାହ ଆସୁଥାଏ ଏବଂ ଆମେ ଅନ୍ୟ ଯାତ୍ରୀମାନଙ୍କ ପରି ମାଆଙ୍କର ଜୟଧ୍ୱନି ‘‘ଜୟ ମାତା ଦି’’ କରି ଆଗେଇ ଚାଲିଥାଉଁ । ପ୍ରାୟ ଅଧ ବାଟରେ ଅର୍ଦ୍ଧକୁମାରୀଙ୍କ ମନ୍ଦିର ଅବସ୍ଥିତ । ଏହା ଏବର କୀର୍ତ୍ତି । ଯେଉଁମାନେ ଶ୍ରାନ୍ତ, କ୍ଳାନ୍ତ ଓ ଅକ୍ଷମ ସେମାନଙ୍କର ଦର୍ଶନ ପାଇଁ ଏଠାରେ ମାଆକୁ ପ୍ରତିଷ୍ଠା କରାଯାଇଛି । ଏଠାରେ ଦୋକାନ ବଜାର ଓ ଧର୍ମଶାଳା ପ୍ରଭୃତି ରହିଛି ।

 

ଏହି ପଥ ଅତିକ୍ରମ କଲାବେଳେକୁ ଆମେ ପ୍ରାୟ ଚାରିହଜାର ଫୁଟ ଉପରକୁ ଚାଲି ଆସିଥାଉ । ସେତେବେଳକୁ ଆମେ ସମ୍ପୂର୍ଣ୍ଣ କ୍ଳାନ୍ତ; କିନ୍ତୁ ମାଆଙ୍କୁ ଦର୍ଶନ କରିବାର ଦୁର୍ବାର ଅଭିଳାଷ ଆମକୁ ଟାଣି ନେଉଥାଏ ଆଗକୁ । କିନ୍ତୁ ଆଠ କିଲୋମିଟର ପଥ ଅତିକ୍ରମ କଲାପରେ ଆହୁରି ଉପରକୁ ଉଠିବା ଅତ୍ୟନ୍ତ କଷ୍ଟସାଧ୍ୟ ମନେ ହେବାରୁ ଦୁଇଟି ତଟୁ ଘୋଡ଼ା ଉପରେ ଆମେ ଦୁହେଁ ଚଢ଼ିଲୁ । ମୁନା ଓ ଗିରୀଶ ପାଦରେ ଉଠୁ ଥାଆନ୍ତି ସହଜରେ । ମୁନା ପାହାଡ଼ି ଓ ପୂର୍ବେ ତୀର୍ଥ ଯାତ୍ରୀମାନେ ବ୍ୟବହାର କରୁଥିବା ପଥରେ ଗଲେ ଶୀଘ୍ର ପହଞ୍ଚିବ ବୋଲି ଯାଉଥିଲାବେଳେ ଖସରି ପଡ଼ି ବିପଦର ସମ୍ମୁଖୀନ ହୋଇଥିଲା । କିନ୍ତୁ ତଥାପି ଏହି ପଥରେ ଅନେକ ଅଳ୍ପ ବୟସ୍କ ଓ ତରୁଣଙ୍କୁ ଯିବା ଆସିବା କରିବାର ଦେଖିଲୁ ।

 

ଦିନ ଏଗାରଟାରେ ଯାତ୍ରା ଆରମ୍ଭ କରି ବୈଷ୍ଣୋଦେବୀଙ୍କ ନିକଟରେ ପହଞ୍ଚିବା ପାଇଁ ସାତ ଘଣ୍ଟା ଲାଗିଗଲା । ମୁନା ପାଦରେ ଆମ ପହଞ୍ଚିବାର ଦୁଇଘଣ୍ଟା ଆଗରୁ ପହଞ୍ଚି ସାରିଥାଏ । ଏଠାକୁ ଆସିବା ପୂର୍ବରୁ ଯାତ୍ରୀମାନଙ୍କୁ କାଟରାର ଟୁରିଜିମ ଅଫିସରୁ ପ୍ରବେଶପତ୍ର ବା ପରଛା ଆଣିବାକୁ ହୁଏ, ସେଇ ପରଛା ନଥିଲେ ଉପରକୁ ଆସିବାକୁ ଦିଆଯାଏ ନାହିଁ । କାଳେ ବୈଷ୍ଣୋଦେବୀଙ୍କ ପୀଠରେ ଦର୍ଶନ ପାଇଁ ସମୟ ଲାଗିପାରେ ସେଥିପାଇଁ କାଟରାର ଥାନା ଅଫିସରଙ୍କୁ ଅନୁରୋଧ କରିଥିଲୁ ସାହାଯ୍ୟ କରିବା ପାଇଁ । ସେ କହିଲେ ଭିଡ଼ ନାହିଁ ଚାଲିଯାଅ । ଆମେ ସାଙ୍ଗରେ ସାମାନ୍ୟ କେଇଖଣ୍ଡ ଲୁଗା ବ୍ୟତୀତ ଅନ୍ୟ କିଛି ଆଣି ନଥିଲୁ । ସେଠାରେ ପହଞ୍ଚି ଯେତେବେଳେ ଶୁଣିଲୁ ଯେ ପ୍ରାୟ ପାଞ୍ଚହଜାର ଯାତ୍ରୀ ଦୁଇ ତିନିଦିନ ଧରି ଅପେକ୍ଷା କରି ମଧ୍ୟ ଦର୍ଶନ ନପାଇ ଅପେକ୍ଷା କରି ରହିଛନ୍ତି, ଆମର ସମସ୍ତ ଉତ୍ସାହ କମିଗଲା ଟିକେ । ବହୁ ଚେଷ୍ଟା କରି ମଧ୍ୟ ରହିବା ପାଇଁ ଟୁରିଷ୍ଟ ଲଜ୍‌ ବା ଧର୍ମଶାଳାରେ ସ୍ଥାନ ମିଳିଲା ନାହିଁ ଏବଂ କ୍ରମଶଃ ସନ୍ଧ୍ୟା ହୋଇ ଆସୁଥ‌ିବା ଦେଖି ରାତି କଟାଇବା ଓ ପାହାଡ଼ ଉପରର ପ୍ରବଳ ଶୀତରୁ ନିଜକୁ ରକ୍ଷା କରିବାର କୌଣସି ଉପାୟ ନପାଇ ବିମର୍ଷ ହୋଇ ବସିଥିଲାବେଳେ ଗୀତାଦେବୀ ଖୋଜି ବାହାର କଲେ ଦୁଇଟି କୋଠା ମଝିରେ ପାରାପିଟ ତଳେ ଥିବା ଦୁଇଜଣ ବସି ପାରିବା ଭଳି ସାମାନ୍ୟ ସ୍ଥାନ-। ତା’ ପଛରେ ସଫେଇବାଲାର ଝାଡ଼ୁ, ଫିନାଇଲ, ବ୍ଲିଚିଂ ପାଉଡ଼ର ଇତ୍ୟାଦି । ସେଇ ସ୍ଥାନ ପରିଷ୍କାର କରି ଆମେ ବସିଗଲୁ ରାତିର ପ୍ରତୀକ୍ଷାରେ । ବେଶୀ ଥଣ୍ଡା ପଡ଼ିବା ପୂର୍ବରୁ ପୁରି ଓ ତରକାରୀ ଖାଇନେଲୁ । ସବୁଠାରୁ ଆନନ୍ଦର କଥା ଯେ ପାହାଡ଼ ଉପରେ ଅତି ଅଳ୍ପ ସ୍ଥାନରେ ଏତେ ଲୋକ ଥାଇ ମଧ୍ୟ ସେମାନଙ୍କର ସୁବିଧା ପାଇଁ ଟ୍ରଷ୍ଟବୋର୍ଡ଼ର ଯତ୍ନରୁ ବେଶୀ ଅସୁବିଧା ହେଉ ନଥାଏ । ଯେଉଁ କେତେଜଣ ଭାଗ୍ୟବାନ ଟୁରିଷ୍ଟ ଲଜ୍‌ ବା ହୋଟେଲରେ ରହୁଥିଲେ, ସେମାନଙ୍କୁ ବାଦ୍‌ଦେଇ ଅନ୍ୟମାନଙ୍କ ପାଇଁ ସ୍ନାନ, ପ୍ରସାଧନ ଓ ଶୌଚ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି-। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଅଧିକ ଲୋକଙ୍କ ବ୍ୟବହାର ସତ୍ତ୍ଵେ ପରିଷ୍କାର ପରିଚ୍ଛନ୍ନ-। ସଫା କରିବା ପାଇଁ ବ୍ଲିଚିଂ ପାଉଡ଼ର ଓ ଫିନାଇଲ ଢାଳିବା ପାଇଁ ସଫାଇବାଲାମାନେ ଜଗି ବସିଥାଆନ୍ତି ଏଇ ସ୍ଥାନଗୁଡ଼ିକରେ ।

 

ଛଅ ହଜାର ଫୁଟ ଉପରେ ଜୁନ୍‌ ମାସର ମଧ୍ୟଭାଗରେ ବି ପ୍ରବଳ ଥଣ୍ଡା । ଭାଗ୍ୟକୁ ଦେବସ୍ଥାନ ଟ୍ରଷ୍ଟିବୋର୍ଡ଼ ପକ୍ଷରୁ ବିନା ମୂଲ୍ୟରେ କମ୍ବଳ ‍ଦିଆହୁଏ ବୋଲି ଅସୁବିଧା ହେଲାନାହିଁ । ଶହେଟଙ୍କା ଜମାରଖି ପାଞ୍ଚୋଟି କମ୍ବଳ ଆଣିଲୁ ଏବଂ ଯିବାବେଳେ କମ୍ବଳ ଫେରାଇଦେଇ ଟଙ୍କା ଫେରିପାଇଲୁ । ହଜାର ହଜାର ଯାତ୍ରୀଙ୍କ ପାଇଁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ କମ୍ବଳ ଯୋଗାଇ ଦେବାର ସନ୍ତୋଷଜନକ ଓ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ।

ରାତିରେ ପାରାପିଟ ତଳେ ଅତି ଅଳ୍ପ ସ୍ଥାନରେ ନିଦ ହେଲାନାହିଁ କି ବିଶ୍ରାମ ହେଲାନାହିଁ-। ଦିନରାତି ଚବିଶ ଘଣ୍ଟା ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ହୁଏ, ଏଥିପାଇଁ ପ୍ରତ୍ୟେକ ଦଳ ପ୍ରାୟ ପଇଁଚାଳିଶି ମିନିଟ୍‌ ନିଅନ୍ତି । ପ୍ରତି ଦଳରେ ଶହେରୁ ଦୁଇଶହ ପର୍ଯ୍ୟନ୍ତ ଯାତ୍ରୀ ଯିବାର ବ୍ୟବସ୍ଥା ଅଛି-। କାଟରାରୁ, ଟୁରିଷ୍ଟ ଅଫିସରୁ ଆଣିଥିବା ପରଛା ଦେଖାଇବାକ୍ଷଣି ବ୍ୟାଚ ନମ୍ବର ଦିଆଯାଏ ଏବଂ ଆମେ ଏକଚାଳିଶି ବ୍ୟାଚ୍‌ ନମ୍ବର ପାଇ ବସିଲାବେଳକୁ ଶୁଣିଲୁ ଯେ ଏକାନବେ ବ୍ୟାଚ୍‌ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ବ୍ୟାଚ୍‌ ନମ୍ବର ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲାକ୍ଷଣି ସେହି ବ୍ୟାଚ୍‌ର ତୀର୍ଥଯାତ୍ରୀ ବନଗଙ୍ଗାର ପବିତ୍ର ଶୀତଳ ଜଳରେ ସ୍ନାନକରି ନୂତନ ବା ସଫା ବସ୍ତ୍ର ପରିଧାନ କରି ଦର୍ଶନ କରିବାପାଇଁ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହେବାକ୍ଷଣି ବୈଷ୍ଣୋଦେବୀଙ୍କ ଜୟଗୀତି ଆରମ୍ଭ ହୋଇଯାଏ । ସେହିଦଳ ଆଗେଇବାକ୍ଷଣି ତା’ପଛ ଦଳକୁ ପ୍ରସ୍ତୁତ ରହିବା ପାଇଁ ସୂଚନା ଦିଆହୁଏ । ଯେଉଁ ଦଳର ପାଳି ପଡ଼େ ସେହି ଦଳର ସମସ୍ତେ ଭଜନ ଗାଇ ଗାଇ ପ୍ରଥମେ ଗୋଟିଏ ଛୋଟ ହଲ୍‌କୁ ଯାଆନ୍ତି ଏବଂ ସେଠାରେ ସେମାନଙ୍କୁ ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ ପ୍ରବଚନ ଦିଆହୁଏ । ତା’ପରେ ସେଠାରୁ ଗୁମ୍ଫା ନିକଟସ୍ଥ ଆଉ ଗୋଟିଏ ସ୍ଥାନକୁ ନି‍ଆହୁଏ । ତାହା ବୈଷ୍ଣୋଦେବୀଙ୍କ ପୀଠ ଥିବା ଗୁମ୍ଫାର ପ୍ରବେଶଦ୍ୱାରରେ ଅବସ୍ଥିତ । ସେଠାରେ ବସିବା ପରେ ପୁରୋହିତ ମାଆଙ୍କ ମହିମା ଓ ଶାସ୍ତ୍ରବର୍ଣ୍ଣିତ ଗୁଣାବଳୀ ବର୍ଣ୍ଣନା କରିବା ପରେ ଭକ୍ତମାନଙ୍କୁ କହନ୍ତି, ମାଆଙ୍କୁ ନିର୍ମଳ ମନରେ ଦର୍ଶନ କର, ଯଦି କେହି ପ୍ରଣାମି ଦେବାକୁ ଚାହାନ୍ତି ଦେଇପାରନ୍ତି । ପୀଠରେ ବା ବାହାରେ ବିଭିନ୍ନ ସ୍ଥାନରେ ରଖାଯାଇଥିବା ଜଉମୁଦ ଦିଆ ବାକ୍‌ସମାନଙ୍କରେ କିନ୍ତୁ ପ୍ରଣାମି ଦବା ମଧ୍ୟ ଇଚ୍ଛାଧୀନ, ଏଥିରେ ବାଧ୍ୟବାଧକତା ନାହିଁ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଲା ଏବଂ ଆମ ଶ୍ରୀକ୍ଷେତ୍ରରେ ହେଉଥିବା ପଣ୍ଡାମାନଙ୍କର ବଳାତ୍କାର ଓ ବେଳେ ବେଳେ ଅତ୍ୟାଚାର ମନେ ପଡ଼ିଗଲା । ବୈଷ୍ଣୋଦେବୀଙ୍କ ପୀଠରେ ସବୁ ଶ୍ରେଣୀବର୍ଗ ଓ ଅଞ୍ଚଳର ତୀର୍ଥଯାତ୍ରୀ ସମସ୍ତଙ୍କ ପ୍ରାଣରେ ମାଆଙ୍କ ଚରଣ ଦର୍ଶନ ପାଇଁ ଅସୀମ ବ୍ୟାକୁଳତା । ଆମର ସୌଭାଗ୍ୟ, ସନ୍ଧ୍ୟା ଆରତୀ ସମୟକୁ ଆମର ପାଳି ପଡ଼ିଲା ଏବଂ ସନ୍ଧ୍ୟା ଆରତୀ ଦେଖି ଆମେ ଧନ୍ୟ ମନେକଲୁ ।

ଅନୁମତି ମିଳିବାକ୍ଷଣି ଆମ ଦଳର ସର୍ବାଗ୍ରେ ମୁନା, ତା’ ପଛେ ପଛେ ଆମେ ଦୁହେଁ ଏବଂ ଆମ ପଛେ ପଛେ ଗିରୀଶ ସୁଡ଼ଙ୍ଗ ଭିତରେ ପ୍ରବେଶ କଲୁ । ପ୍ରବେଶଦ୍ୱାରରୁ ପୀଠସ୍ଥଳ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଭିତରଦେଇ ଯିବାକୁ ହୁଏ । ଏହାର ଲମ୍ବ ପ୍ରାୟ ତିନିଶହ ଫୁଟ ହେବ ଏବଂ ଅନେକ ସ୍ଥାନରେ ଏହି ସୁଡ଼ଙ୍ଗ ଏତେ ଅନୁଚ୍ଚ ଓ ଅପ୍ରଶସ୍ତ ଯେ ଏହାରି ଭିତର ଦେଇ ପ୍ରବାହିତ ହେଉଥିବା ଗଙ୍ଗାର ଜଳଧାରରେ ଯିବାକୁ ହୁଏ ଏବଂ ଗୋଟିଏ ସ୍ଥାନରେ ସୁଡ଼ଙ୍ଗ ଏତେ ଅପ୍ରଶସ୍ତ ଯେ ଶୋଇ ଶୋଇ ପାର୍‌ହେବାକୁ ହୁଏ । ଏହି ସମୟର ଅଭିଜ୍ଞତା ଚମତ୍କାର ଓ ଚିତ୍ତାକର୍ଷକ ଏବଂ ସେହି ପବିତ୍ର ଜଳଧାରାରେ ପହଁରିବା ପରି ଯିବାବେଳେ ମନପ୍ରାଣ ଏକ ଅଲୌକିକ ନୈସର୍ଗିକ ଆନନ୍ଦରେ ପୂରି ଉଠୁଥାଏ ।

ବୈଷ୍ଣୋଦେବୀଙ୍କ ପୀଠକୁ ସାରାବର୍ଷ ଯାତ୍ରୀଙ୍କ ସୁଅ ଛୁଟେ । କିନ୍ତୁ ନବରାତ୍ରି (ଦୁର୍ଗାପୂଜା) ସମୟରେ ଏଠାରେ ପ୍ରବଳ ଜନଗହଳି ହୁଏ ଏବଂ ଦର୍ଶନ ପ୍ରାର୍ଥୀମାନଙ୍କୁ ଦିନ ଦିନ କାଟରାଠାରେ ଅପେକ୍ଷା କରିବାକୁ ପଡ଼ିଥାଏ ।

 

ଆମର ପାଳି ପଡ଼ିଲା ପୂରା ଚବିଶ ଘଣ୍ଟା ଅପେକ୍ଷା କଲାପରେ । ତା’ ଆଗରୁ ସ୍ନାନ ଶେଷ କରି ପୂଜାସାମଗ୍ରୀ ଧରି ଆମେ ଅପେକ୍ଷା କରି ରହିଥିଲୁ । କହିବା ବାହୁଲ୍ୟ ଯେ ପର ସନ୍ଧ୍ୟାରେ ବାରନ୍ଦାରେ ଆଶ୍ରୟ ନେଇଥିବା ଦଳେ ତୀର୍ଥଯାତ୍ରୀ ଚାଲିଯିବାରୁ ପାରାପିଟ ତଳୁ ବାରନ୍ଦାର କିୟଂଦଶ ଆମ୍ଭମାନଙ୍କୁ ମିଳି ସାରିଥିଲା ଏବଂ ଆମେ ଅପେକ୍ଷାକୃତ ସୌଭାଗ୍ୟବାନ ମନେ କରୁଥିଲୁ, କାରଣ ଦ୍ୱିତୀୟ ରାତିରେ ବର୍ଷା ହେଲା ଏବଂ ଯେଉଁମାନେ ରାସ୍ତା ଉପରେ ଛାତ ଉପରେ ବା ଖୋଲା ସ୍ଥାନରେ ରହୁଥିଲେ ସେମାନଙ୍କୁ ଅନେକ କଷ୍ଟ ଭୋଗ କରିବାକୁ ପଡ଼ିଥିଲା ।

 

ବୈଷ୍ଣୋଦେବୀଙ୍କ ଉତ୍ପତ୍ତି ଓ ମହିମା

 

ମା ବୈଷ୍ଣୋଦେବୀଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ଵତୀ ତିନି ରୂପରେ ପୂଜା କରାଯାଏ । ମାତାଙ୍କର ମହିମା ସମ୍ପର୍କରେ ଏହା ଉଲ୍ଲିଖିତ ଅଛି ଯେ ସହସ୍ର ବର୍ଷ ପୂର୍ବେ ଯେତେବେଳେ ଦେବଲୋକ ଓ ପୃଥିବୀ ଉପରେ ରାକ୍ଷସ ମାନଙ୍କର ପୂର୍ଣ୍ଣ ଅଧିକାର ଥିଲା, ଦେବତା ଓ ମନୁଷ୍ୟମାନେ ସେମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ଚତୁର୍ଦ୍ଦିଗରେ ତ୍ରାହି ତ୍ରାହି ଡାକ ଶୁଣା ଯାଉଥିଲା । ଏହି ସମୟରେ ରମ୍ଭ ଏବଂ କର୍ମ ନାମରେ ଦୁଇ ରାକ୍ଷସ ଜନ୍ମ ହେଲେ । ସେମାନେ ଦୁଇଭାଇ ଥିଲେ । ସେ ଦୁହେଁ ରାଜ୍ୟ ଜୟ ଓ ଶକ୍ତି ହାସଲ କରିବା ପାଇଁ ତପସ୍ୟା କରିବାକୁ ଲାଗିଲେ । ସେମାନଙ୍କର ଘୋର ତପସ୍ୟା ଦେଖି ବ୍ରହ୍ମା ତପସ୍ୟା ଭଙ୍ଗ କରିବା ଲାଗି ଇନ୍ଦ୍ରଙ୍କୁ ପଠାଇଲେ । ଇନ୍ଦ୍ର ଏକ ବ୍ରାହ୍ମଣ ରୂପରେ ସେମାନଙ୍କ ଆଗରେ ଅବତୀର୍ଣ୍ଣ ହେଲେ । ସେତେବେଳକୁ ରମ୍ଭ ଓ କର୍ମ ଦୁଇ ରାକ୍ଷସଙ୍କର ତପସ୍ୟା ପୂର୍ଣ୍ଣ ହେବାକୁ ମାତ୍ର ଗୋଟିଏ ଦିନ ବାକିଥାଏ । ସେମାନେ ତପସ୍ୟାରେ ସିଦ୍ଧି ଲାଭ କଲେ ଅଜେୟ ହୋଇ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳର ଅଧୀଶ୍ୱର ହୋଇଯିବେ, ଏଥିପାଇଁ ଅନ୍ୟ ରାକ୍ଷସମାନେ ବଡ଼ ଆନନ୍ଦିତ ଥିଲେ । ଇନ୍ଦ୍ର ଭୟଭୀତ ହୋଇ ବ୍ରହ୍ମାଙ୍କୁ ସ୍ମରଣ କଲେ ଏବଂ ସେମାନଙ୍କୁ ସଂହାର କରିବା ପାଇଁ ସୁଦର୍ଶନ ଚକ୍ର ପ୍ରୟୋଗ କଲେ । ସୁଦର୍ଶନ ଚକ୍ରଦ୍ୱାରା କର୍ମର ଶିରଚ୍ଛେଦ ହେଲା ଏବଂ ତାହା ଯାଇ ଯଜ୍ଞକୁଣ୍ଡରେ ପଡ଼ିଲା । ଏହାପରେ ରମ୍ଭର ତପସ୍ୟା ଭଙ୍ଗ ହେଲା । କର୍ମ ରାକ୍ଷସପୂର୍ଣ୍ଣ ପ୍ରକୃତିର ଥିଲା ; କିନ୍ତୁ ରମ୍ଭଠାରେ ଅନେକ ଭଲଗୁଣ ମଧ୍ୟ ଥିଲା । ସେ ଭାଇର ମୃତ୍ୟୁ ହେବାର ଦେଖି ସେହି ଦୁଃଖରେ ଯଜ୍ଞକୁଣ୍ଡରେ ଜୀବନ ବିସର୍ଜନ କରିବାପାଇଁ ସ୍ଥିର କଲା । ସେତେବେଳକୁ କର୍ମ ଅଗ୍ନିକୁଣ୍ଡରେ ଧ୍ୱଂସ ହୋଇ ସାରିଥାଏ ଏବଂ ରମ୍ଭ ମଧ୍ୟ ସେହିପରି ଅଗ୍ନିକୁଣ୍ଡରେ ଧ୍ୱଂସ ହୋଇ ସ୍ଵର୍ଗକୁ ଯାଇ କାଳେ ଦୁଇଭାଇ ମିଶି ପୁଣି ସ୍ୱର୍ଗରେ ଅତ୍ୟାଚାର କରିବେ ଏହା ଆଶଙ୍କା କରି ଅଗ୍ନି ଦେବ ଆବିର୍ଭାବ ହୋଇ ତାକୁ କହିଲେ–ମୂର୍ଖ ତୁ ଏ କଅଣ କରୁଛୁ ‘ଆତ୍ମହତ୍ୟା କରିବା ମହାପାପ ।’

ରମ୍ଭ କହିଲା, ‘‘ମୋର ଭାଇ ମୃତ, ମୋର ପୁତ୍ରସନ୍ତାନ କିଛି ନାହାନ୍ତି, ମୁଁ ସଂସାରରେ ରହିବି କାହିଁକି ?’’

ଅଗ୍ନିଦେବ କହିଲେ–‘‘ଠିକ୍‌ ଆଜିଠାରୁ ନଅ ମାସ ପରେ ତୁ ଏକ ପୁତ୍ର ପ୍ରାପ୍ତ ହେବୁ । ସେ ତୋର ଏହି ଦୁଃଖ ନିବାରଣ କରିବ ।’’ ଏହାପରେ ରମ୍ଭ ବିଦାୟ ନେଲା ଏବଂ .ପୁଣି ଦେବତାମାନେ ନିଶଙ୍କ ହେଲେ । ଅଗ୍ନିଦେବଙ୍କ ଠାରୁ ଏହି ବରପାଇ ରମ୍ଭ ଭାଇର ମୃତ୍ୟୁଜନିତ ଦୁଃଖ ଭୁଲିଗଲା । ଠିକ୍‌ ନଅମାସ ପରେ ରମ୍ଭ ଏକ ପୁତ୍ରର ପିତା ହେଲା । ସେ ତା’ର ନାମ ରଖିଲା–ମହିଷାସୁର ।

ରାକ୍ଷସ ପୁତ୍ର ମହିଷାସୁର ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ବଡ଼ ହେବାକୁ ଲାଗିଲା ଏବଂ ତା’ଠାରେ କ୍ରୂରତା, ଅମନୁଷ୍ୟତା, ରାକ୍ଷସ ପ୍ରବୃତ୍ତି ପ୍ରକାଶ ପାଇବାକୁ ଲାଗିଲା । ପରନ୍ତୁ ସେ ଅତ୍ୟନ୍ତ ଭକ୍ତିବାନ ମଧ୍ୟ ଥିଲା । ତା’ ମନରେ ମଧ୍ୟ ତା’ର ପିତାପରି ତିନିଲୋକ ଜୟ କରିବା ପାଇଁ ଇଚ୍ଛା ଜାତ ହେଲା ଏବଂ ସେଇ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେ ତପସ୍ୟା କରିବା ଲାଗି ଚାଲିଗଲା । ବ୍ରହ୍ମା ତା’ର ନିରନ୍ତର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ବର ମାଗିବା ପାଇଁ କହିଲେ । ବ୍ରହ୍ମାଙ୍କ ମୁହଁରୁ ଏହା ଶୁଣି ମହିଷାସୁର ଖୁସି ହେଲା ଏବଂ କହିଲା–‘‘ଭଗବାନ ! ଆପଣଙ୍କର ଯଦି ଇଚ୍ଛା ତା’ହେଲେ ମୋତେ ଏପରି ଶକ୍ତି ଦିଅନ୍ତୁ ଯେ ମୁଁ ଇଚ୍ଛାନୁସାରେ ନିଜର ଶରୀରକୁ ବିସ୍ତାର ବା ସୂକ୍ଷ୍ମ କରି ପାରିବି ଏବଂ ରୂପ ବଦଳାଇ ପାରିବି; ଯେପରି ମୋତେ କେହି ମାରି ନ ପାରନ୍ତି ।’’

କିନ୍ତୁ ବ୍ରହ୍ମା କହିଲେ–ସଂସାରରେ ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ, ତେଣୁ ଅନ୍ୟ ବର ପ୍ରାର୍ଥନା କର ।

ମହିଷାସୁର କହିଲା–ଯଦି ମୃତ୍ୟୁ ଅନିର୍ବାର୍ଯ୍ୟ ତା’ହେଲେ କୌଣସି କୁମାରୀ ହାତରେ ଯେଭଳି ମୃତ୍ୟୁହୁଏ ଏହି ବର ଦିଅନ୍ତୁ ।

‘ତଥାସ୍ତୁ’ କହି ବ୍ରହ୍ମା ଅନ୍ତର୍ଦ୍ଧାନ ହେଲେ । ମହିଷାସୁର ଭାବି ନେଇଥିଲା ଯେ ଦେବତାମାନେ ଯେତେବେଳେ ଏତେ ଦୁର୍ବଳ, ଜଣେ କୁମାରୀ କନ୍ୟା ବା କଅଣ କରିପାରିବ । ଏହାପରେ ସେ ଦେବତା ଓ ମନୁଷ୍ୟମାନଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲା । ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଇନ୍ଦ୍ର ବହୁକାଳ ଯୁଦ୍ଧ କରି ମଧ୍ୟ ମହିଷାସୁରକୁ ବଧ କରିପାରିଲେ ନାହିଁ । ଏହା ପରେ ଇନ୍ଦ୍ର ସମସ୍ତ ଦେବତାଙ୍କ ସହିତ ବ୍ରହ୍ମାଙ୍କ ନିକଟକୁ ଗଲେ ଏବଂ ମହିଷାସୁରକୁ ବଧ କରିବାର ଉପାୟ କହିଦେବା ପାଇଁ ପ୍ରାର୍ଥନା କଲେ । ବ୍ରହ୍ମା ସବୁ ଶୁଣିସାରି କହିଲେ, ମୁଁ କିଛି କରିପାରିବି ନାହିଁ, ସମସ୍ତେ ଚାଲ ଶଙ୍କରଙ୍କ ପାଖକୁ ଯାଇ ଏହାର ଉପାୟ ନିର୍ଣ୍ଣୟ କରିବା ପାଇଁ ପ୍ରାର୍ଥନା କରିବା । ଏହାପରେ ସମସ୍ତେ ମିଶି ମହାଦେବଙ୍କୁ ପ୍ରାର୍ଥନା କଲେ । ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଶଙ୍କର ଏହାର ଉପାୟ କହିଲେ ଏବଂ ଦେବତାମାନଙ୍କର ତେଜରୁ ମହାଶକ୍ତି ଜନ୍ମଗ୍ରହଣ କଲେ ।

ମହାଶକ୍ତିଙ୍କ ଜନ୍ମ

ଶଙ୍କର

ମୁଖ

ପୃଥ୍ୱୀ

ନିତମ୍ବ

ଯମରାଜ

କେଶ

ବ୍ରହ୍ମା

ଚରଣ

ବିଷ୍ଣୁ

ଭୂଜ

ସୂର୍ଯ୍ୟ

ପାଦ ଆଙ୍ଗୁଳି

ଚନ୍ଦ୍ରମା

ସ୍ତନ

ବସୁ

ହାତ ଆଙ୍ଗୁଳି

ଇନ୍ଦ୍ର

କଟି

ପ୍ରଜାପତି

ଦାନ୍ତ

ବରୁଣ

ଜାନୁ

ଅଗ୍ନି

ନେତ୍ର

ସନ୍ଧ୍ୟା

ଭୃ

ବାୟୁ

କାନ

 

ଏହିପରି ବିଭିନ୍ନ ଦେବତାଙ୍କର ଶକ୍ତି ଧାରଣ କରି ମହାଶକ୍ତିଙ୍କର ବିଭିନ୍ନ ଅଙ୍ଗ ସୃଷ୍ଟି ହେଲା । ସେହି ମହାଶକ୍ତିଙ୍କର ଅନିନ୍ଦ୍ୟ ରୂପ ଦର୍ଶନ କରି ଦେବଗଣ ବାରମ୍ବାର ନମସ୍କାର କରି ତାକୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ ।

 

ଶିବ

ତ୍ରିଶୂଳ

ଯମ

କାଳଦଣ୍ଡ

ବିଷ୍ଣୁ

ଚକ୍ର

ପ୍ରଜାପତି

ସ୍ପଟିକମଣିର ମାଳ

ବରୁଣ

ଦିବ୍ୟଶଙ୍ଖ ଏବଂ ପାଶ

ବ୍ରହ୍ମା

କମଣ୍ଡଳୁ

ଅଗ୍ନି

ଶକ୍ତି ଏବଂ ବାଣ

ସୂର୍ଯ୍ୟ

ରୋମ କୂପର କିରଣ

ଇନ୍ଦ୍ର

ବଜ୍ର

ସମୁଦ୍ର

ଉଜ୍ଜ୍ୱଳ ହାର, ବସ୍ତ୍ର, ଚୂଡ଼ାମଣି, କୁଣ୍ଡଳ ଓ ଅନ୍ୟାନ୍ୟ ଅଳଙ୍କାର

 

ଏହିପରି ଭାବରେ ଦେବତାମାନେ ଦେବୀଙ୍କୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କଲେ ଏବଂ ତାଙ୍କୁ ପ୍ରାର୍ଥନା କଲେ । ମା’ ଦୁର୍ଗା ସେମାନଙ୍କର ପ୍ରାର୍ଥନା ଶୁଣି ଅସୁରମାନଙ୍କ ବିରୁଦ୍ଧରେ ରୋଷ ପ୍ରକଟ କଲେ । ଦେବୀ ମହିଷାସୁରର ସମ୍ମୁଖକୁ ଆସି କହିଲେ–ରେ ମୂର୍ଖ, ତୋର ମୃତ୍ୟୁ ଆସନ୍ନ ।

 

କିନ୍ତୁ ମହିଷାସୁର ସେଥିରେ କର୍ଣ୍ଣପାତ ନକରି କହିଲା–ସବୁ ଦେବତା ମିଶି ଯାହା କରିବାକୁ ଅକ୍ଷମ, ଜଣେ ଅବଳା ତାହା କରିବା ଅସମ୍ଭବ । ମହିଷାସୁର ଚତୁରଙ୍ଗ ସେନାରେ ଅନେକ ହାତୀ ଏବଂ ପାଞ୍ଚକୋଟି ରାକ୍ଷସ ଥିଲେ । ଏହି ସେନା ପଛରେ ସିଂହାସନ ଉପରେ ବସି ମହିଷାସୁର ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହୋଇ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲା । ପ୍ରଥମେ ମହାଶକ୍ତି ତ୍ରିଶୂଳ ଦ୍ୱାରା ମହିଷାସୁରର ସେନାପତି ଚିକ୍ଷୂରକୁ ବଧ କଲେ । ଏହା ଦେଖି ମହିଷାସୁର ରୂପ ପରିବର୍ତ୍ତନ କରି ମହିଷ ରୂପ ଧାରଣ କରି ଯୁଦ୍ଧ କରିବା ପାଇଁ ଆସିଲା । ଦେବୀ କହିଲେ, ‘‘ମୂର୍ଖ, ବର୍ତ୍ତମାନ ତୋର ମୃତ୍ୟୁ ଆସନ୍ନ ।’’

 

ମହିଷାସୁର ଗର୍ଜନ କରି କହିଲା, ମୁଁ ବ୍ରହ୍ମାଙ୍କ ଦ୍ୱାରା ଅମର । କିନ୍ତୁ ଦେବୀ ତାଙ୍କୁ ସ୍ମରଣ କରାଇଦେଇ କହିଲେ ଜଣେ ସ୍ତ୍ରୀ ହାତରେ ହିଁ ସେ ମରିବା ସୁନିଶ୍ଚିତ । ଏହା ଶୁଣି ମହିଷାସୁର ବ୍ରହ୍ମାଙ୍କ କଥା ସ୍ମରଣ କରି ଭୟଭୀତ ହୋଇଗଲା । ଯୁଦ୍ଧରେ ମହିଷାସୁର ନିହତ ହେଲା ଏବଂ ଅନ୍ୟ ଅସୁରମାନେ ଭୟଭୀତ ହୋଇ ପଳାୟନ କଲେ । ଏହାପରେ ଦେବୀଙ୍କୁ ତୁଷ୍ଟ କରିବା ପାଇଁ ଦେବତାମାନେ ତାଙ୍କର ସ୍ତୁତି କଲେ । ଏଥିରେ ସନ୍ତୁଷ୍ଟ ହୋଇ ଦେବୀ କହିଲେ ଯେ ଦୁଃଖ ସଙ୍କଟରୁ ତ୍ରାହି ପାଇବାଲାଗି ତାଙ୍କୁ ପ୍ରାର୍ଥନା କଲାକ୍ଷଣି ସେ ଆବିର୍ଭୂତା ହେବେ । ଏହାପରେ ପୁଣି ଶୁମ୍ଭ ଓ ନିଶୁମ୍ଭ ନାମରେ ଦୁଇଜଣ ମହା ପରାକ୍ରମଶାଳୀ ଅସୁର ଜନ୍ମ ଗ୍ରହଣ କରି ଦେବତାମାନଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ । ଦେବତାମାନଙ୍କ ଠାରୁ ଏହା ଶ୍ରବଣ କରି ଦେବୀ ତପସ୍ୟା କରିବା ପାଇଁ ହିମାଳୟ ଚାଲିଗଲେ । ଦିନେ ଶୁମ୍ଭ ଓ ନିଶୁମ୍ଭର ଦୂତ ଚଣ୍ଡ ଓ ମୁଣ୍ଡ ବୁଲି ବୁଲି ଆସି ହିମାଳୟରେ ପହଞ୍ଚିଲେ ଏବଂ ଦେବୀଙ୍କ ସୌନ୍ଦର୍ଯ୍ୟ ଦେଖି ମୁଗ୍‌ଧ ମୋହିତ ହୋଇଗଲେ ଏବଂ ଶୁମ୍ଭ ଓ ନିଶୁମ୍ଭକୁ ଯାଇ ସେହି ଖବର ଜଣାଇଲେ । ଏହା ଶୁଣି ଶୁମ୍ଭ ସେଇ ପରମାସୁନ୍ଦରୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ପଠାଇଲା । ଦେବୀ ଏହି ପ୍ରସ୍ତାବ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ । ଏହାପରେ ଜଣ ଜଣ କରି ଧୂମ୍ରନୟନ, ଚଣ୍ଡମୁଣ୍ଡ, ରକ୍ତବୀଜ, ନିଶୁମ୍ଭ ଓ ଶୁମ୍ଭଙ୍କୁ ଦେବୀ ବଧ କଲେ ।

 

ଏହି ଅନନ୍ତବୀର୍ଯ୍ୟା, ପରମବୈଷ୍ଣବୀ ମହାଶକ୍ତି ମନୁଷ୍ୟମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ମଧ୍ୟେ ମଧ୍ୟେ ଅବତୀର୍ଣ୍ଣା ହୁଅନ୍ତି । ଦେବତାମାନଙ୍କ ଏକତ୍ରିତ ତେଜରୁ ସମ୍ଭୂତ ମହାଶକ୍ତି କାଳାନ୍ତରରେ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପ ଧାରଣ କରି ଅବତୀର୍ଣ୍ଣା ହେଲେ । ଏହି ତିନି ରୂପ ରଜ, ତମ ଏବଂ ସାତ୍ତ୍ୱିକ ଗୁଣର ପ୍ରତୀକ ଅଟେ ।

 

ତ୍ରେତା ଯୁଗରେ ରାବଣ ପ୍ରଭୃତି ରାକ୍ଷସମାନେ ମହା ଉତ୍ପାତ ଓ ଅତ୍ୟାଚାର କରିବାରୁ ତିନିଶକ୍ତି ଧର୍ମ ରକ୍ଷା କରିବା ଲାଗି ଏକ ଦିବ୍ୟଶକ୍ତି କନ୍ୟାରୂପରେ ପ୍ରକଟ ହେଲେ । ମହାଶକ୍ତିଙ୍କ ଆଜ୍ଞାନୁସାରେ ସେହି ଦିବ୍ୟ କନ୍ୟା ରତ୍ନାକର ସାଗରର ଘରେ ଜନ୍ମଗ୍ରହଣ କଲେ । କନ୍ୟାର ନାମ ତ୍ରିକୂଟା । ପରେ ଏହି କନ୍ୟା ଭଗବାନ ବିଷ୍ଣୁଙ୍କ ଅଂଶରୁ ଜାତ ହୋଇଥିବାରୁ ‘ବୈଷ୍ଣବୀ’ ନାମରେ ପରିଚିତା ହେଲେ । ଏହି ବୈଷ୍ଣବୀର ଅପଭ୍ରଂଶ ବୈଷ୍ଣୋଦେବୀ ।

 

ତ୍ରେତାରେ ସେହି କନ୍ୟା ତ୍ରିକୂଟା ସମୁଦ୍ର କୂଳକୁ ଯାଇ ଭଗବାନ ରାମଙ୍କୁ ସ୍ମରଣ କରି ପ୍ରତୀକ୍ଷା କରିବାକୁ ଲାଗିଲେ । ରାମଚନ୍ଦ୍ର ତାଙ୍କୁ ଦର୍ଶନ ଦେଇ କହିଲେ ଯେ ସେ ବିବାହିତ ଏଣୁ ଦ୍ୱିତୀୟ ବାର ଗ୍ରହଣ କରିପାରିବେ ନାହିଁ । କିନ୍ତୁ ତ୍ରିକୂଟା ନିଜର ସିଦ୍ଧାନ୍ତରେ ଅଟଳ ରହିବାରୁ ରାମଚନ୍ଦ୍ର କହିଲେ ଯେ ସେ ବେଶ ବଦଳାଇ ଦିନେ ତ୍ରିକୂଟାଙ୍କ କୁଟୀରକୁ ଯିବେ ଏବଂ ସେ ଯଦି ତାଙ୍କୁ ଚିହ୍ନିପାରିବେ ତା’ହେଲେ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବେ । ଦିନେ ରାମ ବୃଦ୍ଧ ସାଧୁବେଶରେ ଆସିଲେ, କିନ୍ତୁ ତ୍ରିକୂଟା ତାଙ୍କୁ ଚିହ୍ନି ପାରିଲେ ନାହିଁ । ରାମ କିନ୍ତୁ ତାଙ୍କୁ ଆଶ୍ୱାସନା ଦେଇ କହିଲେ କଳିଯୁଗରେ ମୁଁ ଯେତେବେଳେ କଳିକୀ ରୂପରେ ଅବତୀର୍ଣ୍ଣ ହେବି, ତୁମ୍ଭଙ୍କୁ ଶକ୍ତି ରୂପରେ ଗ୍ରହଣ କରିବି । ସେ ପର୍ଯ୍ୟନ୍ତ ତୁମେ ଉତ୍ତର ଭାରତର ମଣିକ ପର୍ବତର ତିନି ଶିଖାର ଥିବା ତ୍ରିକୂଟ ପର୍ବତର ଗୁମ୍ଫାରେ ରୁହ । ସେଠାରେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଓ ପାଣ୍ଡବମାନେ ତିନୋଟି ପିଣ୍ଡ ସ୍ଥାପନ କରିବେ, ଯେଉଁଠାରେ ତିନି ମହାଶକ୍ତି ନିବାସ କରିବେ । ଏହି ତିନି ମହାଶକ୍ତିଙ୍କର ନାମ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ । ତୁମେ ଯାଇ ଶୀତଳ ସ୍ଵଚ୍ଛ ନିର୍ଝରିଣୀ ପ୍ରବାହିତ ହେଉଥିବା ସେହି ତ୍ରିକୂଟ ପର୍ବତରେ ଲୀନ ହୋଇଯାଅ । ତୁମେ ସେଠାରେ ଅମର ହୋଇଯିବ । ସମସ୍ତ ଭାରତରେ ତୁମର ମହିମା ପ୍ରଚାରିତ ହେବ ।

 

ବିଶ୍ଵାସ କରାଯାଉଛି ଯେ ସେହିଦିନଠାରୁ (ତ୍ରେତାଯୁଗରୁ) ଆଜି ପର୍ଯ୍ୟନ୍ତ ସେହି କନ୍ୟା ତପସ୍ୟାରେ ମଗ୍ନ । ମାଆଙ୍କ ଅଖଣ୍ଡ କୀର୍ତ୍ତି ଯୁଗ ଯୁଗ ଧରି ଲୋକଙ୍କୁ ଆକର୍ଷିତ କରୁଛି । ଯୁଦ୍ଧ ଓ ସଙ୍କଟ ସମୟରେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଆଜି ବି ଜବାନମାନେ ଯୁଦ୍ଧକୁ ଯାଆନ୍ତି । ପାକିସ୍ଥାନ ସୀମାନ୍ତର ଅଳ୍ପ ଦୂରରେ ଅବସ୍ଥିତ ଏହି ପୀଠ ଯବାନମାନଙ୍କର ପବିତ୍ର ତୀର୍ଥଭୂମି ଏବଂ ସଦାସର୍ବଦା ଶତ୍ରୁ ଓ ସନ୍ତ୍ରାସବାଦୀମାନଙ୍କ ଆକ୍ରମଣରୁ ମନ୍ଦିରକୁ ରକ୍ଷା କରିବା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଚାରି ଦିଗରେ ପହରା ଦିଅନ୍ତି । ମନ୍ଦିର ଚାରିପାଖରେ ସଶସ୍ତ୍ର ପୋଲିସ ମୁତୟନ । ଦର୍ଶନ କରିବା ପାଇଁ ମଧ୍ୟ ସୈନ୍ୟବାହିନୀର ଲୋକଙ୍କୁ ଅଗ୍ରାଧିକାର ଦିଆଯାଏ ।

 

କଥିତ ଅଛି ଯେ କନ୍ୟାରୂପୀ ମହାଶକ୍ତି ସମୁଦ୍ରକୂଳରୁ ଅନ୍ତର୍ଦ୍ଧାନ ହେବାବେଳେ ତାଙ୍କ ସହିତ ବୀର ବାନରଟିଏ ଥିଲା । ଚାଲୁ ଚାଲୁ ତାକୁ ଶୋଷ ଲାଗିବାରୁ ଦେବୀ ବାଣ ମାରି ପଥରରୁ ଗଙ୍ଗା ପ୍ରବାହିତ କରି ବାନରର ଶୋଷ ନିବାରଣ କରିଥିଲେ । ଏଥିପାଇଁ ନିର୍ଝରିଣୀର ନାମ ବାଣ ଗଙ୍ଗା । ଏହା ବ୍ୟତୀତ ପାଦୁକା, ଆଦି କୁମାର ମନ୍ଦିର ଓ ଗର୍ଭାଜଳ ଗୁମ୍ଫା, ହାତୀମଥା, ସାଂଝୀଛତ୍ର, ଭୈରବ ମନ୍ଦିର ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି ।

 

ଗୁମ୍ଫା ଉପରେ ଛଅ କିଲୋମିଟର ଦୂରରେ ସୂର୍ଯ୍ୟକୁଣ୍ଡ ଅବସ୍ଥିତ । ଏଠାରେ ସୂର୍ଯ୍ୟୋଦୟର ଦୃଶ୍ୟ ଅତ୍ୟନ୍ତ ମନୋରମ । ଗୁମ୍ଫାରୁ ଯେଉଁ ଗଙ୍ଗା ପ୍ରବାହିତ ତାହା ଚରଣ ଗଙ୍ଗା ନାମରେ ଖ୍ୟାତ । ଏବେ ଯାତ୍ରୀ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇବାରୁ ଯାତ୍ରୀମାନଙ୍କୁ ଆସିବା ପଥରେ ପୁଣି ପ୍ରତ୍ୟାବର୍ତ୍ତନ କରିବାକୁ ଦିଆ ନଯାଇ ଆଉ ଏକ ସୁଡ଼ଙ୍ଗ ପଥ ନିର୍ମିତ ହୋଇଛି ।

 

ଆମେ ସମସ୍ତେ ଜଗତଜନନୀ ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ପୂଜାରୀଙ୍କ ପ୍ରଦତ୍ତ ପ୍ରତ୍ୟେକ ଖଜଣା (ଦେବୀଙ୍କ ନିକଟରେ ପୂଜା ପାଇଥିବା ମୁଦ୍ରା) କିଛି କିଛି ଆଶୀର୍ବାଦ ସ୍ଵରୂପ ଗ୍ରହଣ କରି ତାଙ୍କର ଅପାର କରୁଣା ଚିରକାଳ ମନୁଷ୍ୟ ପାଉ ଥାଉ ଏହା ପ୍ରାର୍ଥନା କରି ଫେରିବାବେଳେ ମନେ ପଡ଼ୁଥିଲା–

 

ତ୍ଵଂ ବୈଷ୍ଣବୀ ଶକ୍ତିରନନ୍ତ ବୀର୍ଯ୍ୟା

ବିଶ୍ଵସ୍ୟ ବୀଜଂ ପରମାସି ମାୟା ।

ସମ୍ମୋହିତଂ ଦେବି ସମସ୍ତମେତଂ

ତ୍ଵବୈ ପ୍ରସନ୍ନା ଭୁବି ମୁକ୍ତିହେତୁ ।

 

‘‘ଜୟ ମାତା ଦି’’ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଆମେ ମହାଶକ୍ତିଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲୁ ଅବତରଣ । ବଡ଼ ହାଲୁକା ଲାଗୁଥାଏ ଦେହ ଓ ମନ ।

 

ଭୂସ୍ୱର୍ଗ କାଶ୍ମୀର

।। ଏକ ।।

 

କବିବର ରାଧାନାଥ ଚିଲିକା ଦର୍ଶନ କରି ମୁଗ୍‌ଧ ହୋଇ ଗାଇଥିଲେ–ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଯାହା ସୁନ୍ଦର, ତାହା ସଦାବେଳେ ତୃପ୍ତିକର-। ପୁଣି ସେଇ ସୌନ୍ଦର୍ଯ୍ୟ ଯଦି ନୈସର୍ଗିକ ଓ ପ୍ରକୃତିର ତାହାର ଶୋଭା ମନ ଓ ନୟନକୁ ମୁଗ୍‌ଧ କରେ, ପ୍ରାଣକୁ ଉଲ୍ଲସିତ କରେ, ଶରୀରକୁ କରେ ପୁଲକିତ । ଦେହ ଓ ମନର କ୍ଳାନ୍ତି, ଅବସାଦ ଓ ଉଦାସ ଭାବକୁ ହରଣ କରିବାର ଅଦ୍ଭୁତ ଶକ୍ତି ଅଛି ସୌନ୍ଦର୍ଯ୍ୟର । ସେଥିପାଇଁ ଇଂରେଜ କବି କହିଥିଲେ, A thing of beauty in joy for ever. ମନଙ୍କୁ ସତେଜ ଓ ନିର୍ମଳ କରିବା ପାଇଁ, ପ୍ରକୃତିର ଗନ୍ତାଘରେ ଗଚ୍ଛିତ ଥିବା ଅଫୁରନ୍ତ ଶକ୍ତିରୁ ଟିକିଏ ସଂଗ୍ରହ କରିବାପାଇଁ ମଣିଷ ଚାଲିଯାଏ ସେହି ସ୍ଥାନକୁ; ଯେଉଁଠାରେ ପ୍ରକୃତି କୁଣ୍ଠା ନକରି ମେଲାଇ ଦେଇଛି ନିଜକୁ । ସେଠାରେ ସବୁ ନିର୍ମଳ ଓ ସରଳ, ସତେଜ ଓ ସୁଶ୍ରୀ ।

 

ହାଉଡ଼ାରୁ ଜାମ୍ମୁତାୱୀରେ ପହଞ୍ଚିବାରେ ବିଳମ୍ବ ହେବାରୁ ସେଦିନ ଆଉ ଶ୍ରୀନଗର ବସ୍‌ ଧରିପାରିଲୁ ନାହିଁ । ୧୯୮୬ ଜୁନ୍‌ ମାସର ୧୫ ତାରିଖ । ପର୍ଯ୍ୟଟକମାନଙ୍କୁ ନେଇ ହିମଗିରି ଏକ୍‌ସପ୍ରେସ ଜାମ୍ମୁତାୱୀରେ ପହଞ୍ଚିବା କ୍ଷଣି ପ୍ଳାଟଫର୍ମ, ୱେଟିଂରୁମ, ରିଟାୟାରିଂ ରୁମ୍ ପୂର୍ଣ୍ଣ ହୋଇଗଲା ପର୍ଯ୍ୟଟକମାନଙ୍କ ଦ୍ୱାରା । ମୁଁ ଆଗରୁ ଚିଠି ଲେଖିଥିଲି ଗେଷ୍ଟହାଉସ ବା ରିଟାୟାରିଂ ରୁମ୍‌ ପାଇଁ । କିନ୍ତୁ ସଙ୍ଗେ ସଙ୍ଗେ କିଛି ମିଳିଲା ନାହିଁ । ଆମ ବଡ଼ପୁଅ ସଞ୍ଜୀବ (ମୁନା) ଓ ତା’ ସାଙ୍ଗ ଗିରୀଶ ଦୌଡ଼ାଦୌଡ଼ି କଲେ ଏବଂ ଅଳ୍ପ ସମୟ ପରେ ଷ୍ଟେସନ ସୁପରିଟେଣ୍ଡଣ୍ଟଙ୍କ ଜରିଆରେ ଏରିଆ ମ୍ୟାନେଜରଙ୍କ ସହିତ ଯୋଗାଯୋଗ ହୋଇଗଲା । ସେଦିନ ଥିଲା ରବିବାର, ଅଫିସ ଛୁଟି-। ତଥାପି ସେ ମହାଶୟ ତୁରନ୍ତ ଗେଷ୍ଟହାଉସ ଖୋଲି ଆମ୍ଭମାନଙ୍କୁ ରଖିବାର ବ୍ୟବସ୍ଥା କରିଦେଲେ-। ଆମେ ଆସ୍ଥାନ ମାଡ଼ି ବସିଲୁ ସଙ୍ଗେ ସଙ୍ଗେ । ତା’ପରେ ମଧ୍ୟାହ୍ନ ଭୋଜନ । ସେତେବେଳକୁ କ୍ୟାଣ୍ଟିନ୍‌ରେ ମିଲ ଦବା ବନ୍ଦ ହୋଇଯାଇଥିଲେ ବି ଆମେ ଯାହା ମିଳିଲା ଖାଇ କ୍ଷୁଧା ନିବାରଣ କରି କିଛି ସମୟ ବିଶ୍ରାମ କରି ବାହାରିଗଲୁ ଜାମ୍ମୁ ସହରର ଦର୍ଶନୀୟସ୍ଥାନ ବୁଲି ଆସିବା ପାଇଁ ।

 

ଜାମ୍ମୁ କାଶ୍ମୀରର ପ୍ରବେଶ ପଥରେ ଅବସ୍ଥିତ । ଜାମ୍ମୁ ଏବଂ କାଶ୍ମୀର ଦୁଇଟି ସୁନିର୍ଦ୍ଦିଷ୍ଟ ରାଜ୍ୟର ରାଜଧାନୀ ଶ୍ରୀନଗର । କିନ୍ତୁ ଶୀତ ଦିନରେ ରାଜଧାନୀ ଉଠିଆସେ ଜାମ୍ମୁକୁ ଶ୍ରୀନଗରରେ ପ୍ରବଳ ଥଣ୍ଡା ଓ ପ୍ରଚୁର ବରଫ ପଡ଼େ ବୋଲି । ତେଣୁ ଜାମ୍ମୁ ସହରର ସଂପ୍ରସାରଣ ବେଶ୍‌ ଦ୍ରୁତ ଗତିରେ ଚାଲିଛି । ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଶ୍ରୀନଗର ଉପତ୍ୟକାର ଧର୍ମ, ସଂସ୍କୃତି, ଭାଷା ମୁସଲମାନ ବହୁଳ ଏବଂ ଜାମ୍ମୁ ଅଞ୍ଚଳ ହିନ୍ଦୁ ବହୁଳ ଏବଂ ସେଠାରେ ହିନ୍ଦୁ ସଂସ୍କୃତି, ହିନ୍ଦୀ ତଥା କାଶ୍ମୀର ଭାଷା ଓ ସଂସ୍କୃତିର ପ୍ରାଧାନ୍ୟ । କିନ୍ତୁ ବିଭିନ୍ନତା ମଧ୍ୟରେ ସଂହତି, ସମନ୍ୱୟ ଓ ଐକ୍ୟର ସ୍ୱର ଏତେ ପ୍ରବଳ ଯେ ଜାମ୍ମୁ କାଶ୍ମୀରରେ ସାତଦିନ ରହି ମଧ୍ୟ କୌଣସିଠାରେ ବିଭିନ୍ନତା ବା ବିଚ୍ଛିନ୍ନତା ବାଦ ଦେଖିଲୁ ନାହିଁ । ବରଂ ପାଇଲୁ ଅଯାଚିତ ସ୍ୱାଗତ ଓ ଆତିଥ୍ୟ । ସମଗ୍ର ବିଶ୍ୱକୁ ସ୍ୱାଗତ କରାଇବା ଲାଗି ଯେପରି ଅନାଇ ରହିଛି କାଶ୍ମୀର ।

 

ଜାମ୍ମୁ ସହର ତାୱୀ ନଦୀକୂଳରେ ଅବସ୍ଥିତ ବୋଲି ଏହାକୁ କୁହାଯାଏ ଜାମ୍ମୁତାୱୀ । ସହରଟି ଗୋଟିଏ ପାହାଡ଼ ଉପରେ ଅବସ୍ଥିତ ଏବଂ ପାହାଡ଼, ନଦୀ ଓ ହ୍ରଦ ଦ୍ଵାରା ପରିବେଷ୍ଟିତ । ଜାମ୍ମୁର ଐଶ୍ଵର୍ଯ୍ୟପୂର୍ଣ୍ଣ ସଂସ୍କୃତିର ଚିହ୍ନ ଦେଖିବାକୁ ମିଳେ, ଏହାର ପାହାଡ଼ି ଚିତ୍ରକଳାରେ ଏବଂ ମନ୍ଦିରମାନଙ୍କରେ । ଏଇ ଜାମ୍ମୁଠାରେ ରେଳପଥ ଶେଷ ହୋଇଛି । ଏଠାରୁ ବସ୍‌ରେ ବା ଉଡ଼ାଜାହାଜରେ ଶ୍ରୀନଗର ଯିବାକୁ ହୁଏ । ଏବେ ଜାମ୍ମୁଠାରୁ ଉଧମପୁର ପର୍ଯ୍ୟନ୍ତ ରେଳପଥ ସଂପ୍ରସାରିତ କରିବା କାର୍ଯ୍ୟ ମଞ୍ଜୁର ହୋଇ କାର୍ଯ୍ୟାରମ୍ଭ ହୋଇଛି ଏବଂ ଆଉ ତିନି ଚାରିବର୍ଷ ପରେ ଉଧମପୁର ପର୍ଯ୍ୟନ୍ତ ରେଳପଥ ପଡ଼ିଯିବାର ସମ୍ଭାବନା ଉଜ୍ଜ୍ୱଳ ।

 

ଅଷ୍ଟମ ଶତାବ୍ଦୀ ପୂର୍ବରୁ ଜାମ୍ମୁ ଅଞ୍ଚଳର ଲିପିବଦ୍ଧ ଇତିହାସ ଅସ୍ପଷ୍ଟ । କିମ୍ବଦନ୍ତୀ ଅନୁସାରେ ଜାମ୍ମୁ ସହର ରାଜା ଜାମ୍ବୁଲୋଚନଙ୍କ ଦ୍ୱାରା ନବମ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ତା’ ପରର ଇତିହାସ ଅତି ଅସ୍ପଷ୍ଟ । ୧୭୩୦ ଖ୍ରୀଷ୍ଟାବ୍ଦରେ ଡୋଗ୍ରାଧିପତି ରାଜା ଧ୍ରୁବଦେବଙ୍କ ପୁତ୍ର ରାଜା ରଣଜିତ୍‌ ଦେବ ନିଜକୁ ଜାମ୍ମୁରେ ଶାସକ ଭାବରେ ଘୋଷଣା କରିଥିବାର ପ୍ରମାଣ ମିଳେ-। ପଞ୍ଜାବର ରାଜା ରଣଜିତ୍‌ ସିଂ ପରେ ପଞ୍ଜାବର ସିଂହାସନ ଆରୋହଣ କଲେ । ଜାମ୍ମୁ ରାଜପରିବାରର ନୟନ କିଶୋର ସିଂ, ରଣଜିତ୍‌ ସିଂଙ୍କ ଦରବାରରେ ଜଣେ ପ୍ରଧାନ ପରାମର୍ଶଦାତା ଥିଲେ । ତାଙ୍କ ପୁତ୍ର ଗୁଲାବ ସିଂ ମହାରାଜା ରଣଜିତ୍‌ ସିଂଙ୍କୁ ପ୍ରୀତ କରି ୧୮୨୦ରେ ଜାମ୍ମୁ ଅଞ୍ଚଳର ରାଜତ୍ଵ ପାଇ ରାଜା ଉପାଧିରେ ଭୂଷିତ ହୋଇଥିଲେ । ୧୮୩୨ ଖ୍ରୀଷ୍ଟାବ୍ଦରେ କାଶ୍ମୀର ଓ ଜାମ୍ମୁ ଅଞ୍ଚଳକୁ ରାଜା ଗୁଲାବ ସିଂ ଡୋଗ୍ରା ରାଜତ୍ଵ ଅଧୀନରେ ଏକ ଶାସନାଧୀନ କରିଥିଲେ । ୧୯୪୭ ଖ୍ରୀଷ୍ଟାବ୍ଦରେ କାଶ୍ମୀରର ଭାରତ ସହିତ ମିଶ୍ରଣ ହେଇଥିଲା ।

 

ସହର ବୁଲି ଦେଖିବା ପାଇଁ ଟାକ୍‌ସି, ଟାଙ୍ଗା, ଅଟୋରିକ୍‌ସାର ଅଭାବ ହୁଏ ନାହିଁ ; କିନ୍ତୁ କେତେକ ମିଟର ଅନୁସାରେ ଭଡ଼ା ନେଉଥିବାବେଳେ ଅନ୍ୟ କେତେକ ଦର କଷାକଷି କରନ୍ତି । ତେଣୁ ଯାତ୍ରାରମ୍ଭରୁ ଏ ବିଷୟ ଷ୍ଟେସନରେ ଥିବା ଟାକ୍‌ସି ଆସୋସିଏସନର ଅଫିସରେ ତୁଟାଇନବା ବୁଦ୍ଧିମାନର କାର୍ଯ୍ୟ ହେବ ।

 

ଜାମ୍ମୁ ସହରର ପ୍ରଧାନ ଦର୍ଶନୀୟ ସ୍ଥାନ ହେଲା–ରଣବୀରେଶ୍ୱର ମନ୍ଦିର, ରଘୁନାଥ ମନ୍ଦିର, ରଣବୀର କେନାଲ, ବହୁ ଦୁର୍ଗ, ମିଉଜିୟମ ଇତ୍ୟାଦି । ଏ ମଧ୍ୟରୁ ରଘୁନାଥ ମନ୍ଦିର ଦର୍ଶନୀୟ ସ୍ଥାନ ଭାବରେ ପ୍ରସିଦ୍ଧ । ମନ୍ଦିର ବେଢ଼ା ମଧ୍ୟରେ ଅନେକଗୁଡ଼ିଏ ମନ୍ଦିର ଥିଲେ ବି ପ୍ରଧାନ ମନ୍ଦିରର ଶୋଭା ଓ ସ୍ଥାପତ୍ୟ ଆକର୍ଷଣୀୟ । ରଘୁନାଥ ମନ୍ଦିର ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଜାମ୍ମୁ ସହରର ପ୍ରତିଷ୍ଠାତା ମହାରାଜା ଗୁଲାବ ସିଂ ୧୮୩୫ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୮୬୦ ଖ୍ରୀଷ୍ଟାବ୍ଦରେ ତାଙ୍କ ଯୋଗ୍ୟପୁତ୍ର ମହାରାଜା ରଣବୀର ସିଂ ଏହା ସମ୍ପୂର୍ଣ୍ଣ କରିଥିଲେ ।

 

ପ୍ରଧାନ ମନ୍ଦିରର ଶୀର୍ଷଦେଶ ଓ ଅଭ୍ୟନ୍ତର ସ୍ଵର୍ଣ୍ଣ ଆବୃତ । ଏଠାରେ ମନ୍ଦିରମାନଙ୍କରେ ଲକ୍ଷାଧିକ ଶାଳଗ୍ରାମ ପ୍ରତିଷ୍ଠିତ ହୋଇ ପୂଜା ପାଉଛନ୍ତି । ଏତେ ସଂଖ୍ୟାରେ ଭାରତର ଅନ୍ୟ କେଉଁଠାରେ ଶାଳଗ୍ରାମ ପୂଜା ପାଇବା ଦେଖାଯାଏ ନାହିଁ । ମୁନା ଏହିଠାରୁ ଏକ ଶାଳଗ୍ରାମ ସଂଗ୍ରହ କଲା । ସେହି ଶାଳଗ୍ରାମ ଆଜି ଆମ ଘରେ ନିତ୍ତ୍ୟ ପୂଜିତ ।

 

ଏହି ମନ୍ଦିର ବ୍ୟତୀତ ପୁରୁଣାମଣ୍ଡିଠାରେ ଆଉ ଏକ ରଘୁନାଥ ମନ୍ଦିର ଅଛି; ଯାହା ମହାରାଜ ରଣବୀର ସିଂଙ୍କ ରାଣୀ ବନ୍ଦ୍ରଲ ୧୮୮୮ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଏହି ମନ୍ଦିର ଗାତ୍ରରେ ରାମଲୀଳା ଓ କୃଷ୍ଣଲୀଳାର ଚିତ୍ର ଅତ୍ୟନ୍ତ ଆକର୍ଷଣୀୟ । ରଘୁନାଥ ମନ୍ଦିରର ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଶ୍ଵେତ ମାର୍ବଲରେ ନିର୍ମିତ ମୂର୍ତ୍ତି ଅତ୍ୟନ୍ତ ମନୋରମ । ଜାମ୍ମୁରେ ଅନ୍ୟ ଏକ ଦର୍ଶନୀୟ ସ୍ଥାନ ବହୁ ଦୁର୍ଗ ତାୱୀ ନଦୀର ବାମ ପାର୍ଶ୍ଵରେ ପର୍ବତ ସଂଲଗ୍ନ ସ୍ଥାନରେ ଅବସ୍ଥିତ । ଏହା ସବୁଠାରୁ ପ୍ରାଚୀନ ଦୁର୍ଗ ଏବଂ ପ୍ରାୟ ତିନିହଜାର ବର୍ଷ ପୂର୍ବେ ରାଜା ବହୁଲୋଚନଙ୍କ ଦ୍ଵାରା ନିର୍ମିତ ହୋଇଥିବା ପ୍ରମାଣ ମିଳେ । ପରେ ବିଭିନ୍ନ ସମୟରେ ଏହା ସଂପ୍ରସାରିତ ବା ପୁନନିର୍ମିତ ହୋଇଛି । ଦୁର୍ଗ ମଧ୍ୟରେ ଗୋଟିଏ କାଳୀ ମନ୍ଦିର ଅଛି ଏବଂ ସେ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ । ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବା ଲାଗି ଏଠାରେ ଗୋଟିଏ ସୁନ୍ଦର ବଗିଚା ଓ କାଫ୍‌ଟେରିଆ ରହିଛି । ଏହା ବ୍ୟତୀତ ୧୮୮୩ରେ ମହାରାଜା ରଣବୀର ସିଂଙ୍କ ଦ୍ଵାରା ନିର୍ମିତ ରଣବୀରେଶ୍ଵର ମନ୍ଦିର ମଧ୍ୟ ଏକ ଦର୍ଶନୀୟ ସ୍ଥାନ । ଏହି ମନ୍ଦିରରେ ମହାଦେବ ଅଧିଷ୍ଠିତ ଓ ପୂଜିତ । ଏଠାରେ ବାରଟି ସ୍ଫଟିକ ଲିଙ୍ଗ (୧୫ କ୍ୟୁବିକ୍‌ ମିଟରରୁ ୩୮ କ୍ୟୁବିକ୍‌ ମିଟର ଆୟତନ) ପ୍ରତିଷ୍ଠିତ ଏବଂ ଗ୍ୟାଲେରୀରେ ସହସ୍ର ଶିବଲିଙ୍ଗ ଶୋଭା ବର୍ଦ୍ଧନ କରନ୍ତି । ଡୋଗ୍ରୀଆର୍ଟ ଗ୍ୟାଲେରୀରେ ବାଶୋଳି ଓ କାଙ୍ଗରା ସ୍କଲର ଛଅଶହ ଚିତ୍ରକଳା ରହିଛି ।

 

ଜାମ୍ମୁରେ ଦର୍ଶନୀୟ ସ୍ଥାନ ଦେଖି ସେଦିନ ସେଠାରେ ରାତ୍ରିଯାପନ କରି ଜାମ୍ମୁ ଓ କାଶ୍ମୀର ସରକାର ବସ୍‌ରେ ସକାଳ ସାତଟାରେ ଯିବା ପାଇଁ ବହୁଚେଷ୍ଟା ପରେ ବ୍ୟବସ୍ଥା ହେଲା । କିନ୍ତୁ ସକାଳ ସାଢ଼େ ଛଅରେ ଷ୍ଟେସନସ୍ଥିତ ବସ୍‌ଷ୍ଟାଣ୍ଡରେ ପହଞ୍ଚି ମଧ୍ୟ ବସ ମିଳିଲା ନାହିଁ । ଯେଉଁ ବସ୍‌ ଯିବା କଥା ଯାନ୍ତ୍ରିକ ଗଣ୍ଡଗୋଳ ଯୋଗୁ ତାହା ଆଉ ଗଲାନାହିଁ । ଅନ୍ୟ ବସଗୁଡ଼ିକରେ ପର୍ଯ୍ୟଟକମାନଙ୍କ ଭିଡ଼ଯୋଗୁ ଆମେ ଯାଇପାରିଲୁ ନାହିଁ । ସାଧାରଣ ବସ୍‌ରେ ନ ଯାଇ ଏଇ ଦୀର୍ଘ ପଥ ଡିଲକ୍‌ସ ବସରେ ଯିବା ପାଇଁ ଅପେକ୍ଷା କଲୁ । ଶେଷରେ ଦିଲ୍ଲୀ–ଶ୍ରୀନଗର ବସରେ ଚାରୋଟି ସିଟ୍‌ ଆମକୁ ମିଳିଗଲା । ଏହା ଏକ ଡିଲକ୍‌ସ ବସ୍‌ ଏବଂ ଏଥିରେ ମାତ୍ର ଚଉତିରିଶ ଜଣଙ୍କ ପାଇଁ ଆରାମଦାୟକ ବସିବା ବ୍ୟବସ୍ଥା ଅଛି । ଭିଡ଼ିଓ ଏହାର ଅନ୍ୟ ଏକ ଆକର୍ଷଣ । ନଅଟାବେଳେ ଏଇ ବସ ଛାଡ଼ିବା କଥା; କିନ୍ତୁ ଯାନ୍ତ୍ରିକ ତ୍ରୁଟି ସୁଧାରିବାକୁ ଆହୁରି ଦୁଇଘଣ୍ଟା ବିଳମ୍ବ ହୋଇଗଲା । ଟୁରିଷ୍ଟ ଅଫିସରେ ଅପେକ୍ଷା କରିବା ସମୟରେ କେତେକ ପର୍ଯ୍ୟଟକଙ୍କ ସହିତ ଆଳାପ ମଧ୍ୟ ହେଲା । ଶେଷରେ ଏଗାରଟାରେ ଡିଲକ୍‌ସ ବସ୍‌ ଜାମ୍ମୁ ଛାଡ଼ି ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କଲା । ଟୁରିଷ୍ଟ ଅଫିସରେ ବସିଥିବାବେଳେ ଜାମ୍ମୁ ଓ କାଶ୍ମୀର ପୋଲିସର ସୁନ୍ଦର ପୋଷାକ ଲାଲ ପଗଡ଼ି ଓ ସ୍ମାର୍ଟନେସ ଆଖିରେ ପଡ଼ିଲା । ଭାରତର କୌଣସି ପୋଲିସ ପୋଷାକ ଏପରି ସୁନ୍ଦର ନୁହେଁ ।

 

ଜାମ୍ମୁ ସହର ଛାଡ଼ି ପାହାଡ଼ିଆ ରାସ୍ତାରେ ଅଗ୍ରସର ହେଲା ଡିଲକ୍‌ସ ବସ୍‌ । ଦିଲ୍ଲୀଠାରୁ ଜାତୀୟ ରାଜପଥରେ ଜାମ୍ମୁ ପର୍ଯ୍ୟନ୍ତ ଦୂରତ୍ଵ ୫୮୭ କିଲୋମିଟର ଏବଂ ଜାମ୍ମୁଠାରୁ ଶ୍ରୀନଗରର ଦୂରତ୍ଵ ୩୦୫ କିଲୋମିଟର । ଜାମ୍ମୁ ଠାରୁ ଦେବୀନଦୀ କୂଳରେ ଅବସ୍ଥିତ ଉଧମପୁରର ଦୂରତ୍ଵ ୬୧ କିଲୋମିଟର । ଏଠାରେ ବସ୍‌ ରହିଲା ଟୁରିଷ୍ଟି ଲଜ୍‌ ସାମ୍ନାରେ ଯାତ୍ରୀମାନଙ୍କର ମଧ୍ୟାହ୍ନଭୋଜନ ପାଇଁ । ମୁନା ଓ ଗିରିଶ ତତ୍ପର ହୋଇ ରୋଟି, ରାଜମା ନେଇ ଆସିଲେ ଏବଂ ଆମେ ସମସ୍ତେ କ୍ୟାଣ୍ଟିନରେ ବସି ମଧ୍ୟାହ୍ନଭୋଜନ ଶେଷ କଲୁ । ଏଠାରେ କହି ରଖିବା ଉଚିତ ହେବ ଯେ ଉଧମପୁର ଜିଲ୍ଲା ମହକୁମା ଦେବଦାରୁ, ପାଇନ, ଫିର ପରିବେଷ୍ଟିତ ଏକ ମନୋରମ ସହର । ଏଠାରେ ସୈନ୍ୟବାହିନୀର ପ୍ରଧାନ ଛାଉଣୀ ମଧ୍ୟ ଅବସ୍ଥିତ ଏବଂ ଜାତୀୟ ରାଜପଥରେ ଯିବାବେଳେ ଶହ ଶହ ସେନାବାହିନୀର ଟ୍ରକ୍‌ ଓ ସେନା ଚଳାଚଳ ଦୃଷ୍ଟିରେ ପଡ଼େ । ପାକିସ୍ଥାନ ଓ ଭାରତ ମଧ୍ୟରେ ଘଟି ଯାଇଥିବା ତିନୋଟି ଯୁଦ୍ଧ ଦ୍ଵାରା କ୍ଷତିଗ୍ରସ୍ତ ହୋଇ ହଜାର ହଜାର ଲୋକ ସୀମାନ୍ତ ଅଞ୍ଚଳ ପରିତ୍ୟାଗ କରି ଉଧମପୁରରେ ରହିଯାଇଛନ୍ତି । ଉଧମପୁର ଯିବା ରାସ୍ତାରେ ଚେନାବ ନଦୀ କୂଳରେ ଅନ୍ୟ ଏକ ମନୋରମ ସ୍ଥାନ ହେଉଛି ଅଖନୂର ।

 

ରାସ୍ତାରେ ଯିବାବେଳେ କିଛି ସମୟ ବ୍ୟବଧାନରେ ଯାତ୍ରୀମାନଙ୍କ ମନରୁ ଦୀର୍ଘପଥ ଅତିକ୍ରମ କରିବାର କ୍ଳାନ୍ତି ଅପନୋଦନ କରି ସେମାନଙ୍କର ମନୋରଞ୍ଜନ ପାଇଁ ଦୁଇଟି ଚଳଚ୍ଚିତ୍ର ଭିଡ଼ିଓରେ ପ୍ରଦର୍ଶନ କରାଗଲା । ଯିବା ରାସ୍ତାରେ ବେତୋଟ ଆଉ ଏକ ରମଣୀୟ ସ୍ଥାନ । ଏହା ସମୁଦ୍ରଠାରୁ ୧୫୬୦ ମିଟର ଉଚ୍ଚରେ ଜାମ୍ମୁଠାରୁ ୧୧୩ ମିଟର ଦୂରରେ ଅବସ୍ଥିତ । ଏହା ଏକ ସ୍ଵାସ୍ଥ୍ୟନିବାସ ଏବଂ ଏଠାରେ ପର୍ଯ୍ୟଟକମାନଙ୍କ ରହିବା ଲାଗି ବଙ୍ଗଳା, କୁଟୀର ଓ ବିଶ୍ରାମାଳୟମାନ ରହିଛି । କୁଦ୍‌ ମଧ୍ୟ ଅନ୍ୟ ଏକ ପର୍ଯ୍ୟଟନ କେନ୍ଦ୍ର । ଏହା ଜାତୀୟ ରାଜପଥରେ ୧୦୫ କିଲୋମିଟର ଦୂରରେ ୧୭୩୮ ମିଟର ଉଚ୍ଚରେ ଅବସ୍ଥିତ । ଜାମ୍ମୁଠାରୁ ମନସାର ହ୍ରଦ ୮୦ କିଲୋମିଟର ଦୂରରେ ଏବଂ ପୁରମଣ୍ଡଳ ୩୯ କିଲୋମିଟର ଦୂରରେ । ଏହା ହିନ୍ଦୁମାନଙ୍କର ଏକ ତୀର୍ଥସ୍ଥଳ ଓ ଏହା ଛୋଟକାଶୀ ନାମରେ ମଧ୍ୟ ପ୍ରସିଦ୍ଧ । ଶିବ ଅଧିଷ୍ଠିତ ଦେବତା ।

 

ସନସର ୨୦୭୯ ମିଟର ଉଚ୍ଚରେ ୧୨୯ କିଲୋମିଟର ଦୂରରେ ଅବସ୍ଥିତ । ଏହା ପାଟନିଟପ୍‌ଠାରୁ ୧୯ କିଲୋମିଟର ଦୂର । ପାଟନିଟପ୍‌ରେ ରାସ୍ତାକଡ଼ରେ ଛିଡ଼ା ହେଲେ ତଳକୁ ତଳକୁ ପାହାଚ ପରି ପ୍ରସାରିତ ପର୍ବତମାଳାର ଦୃଶ୍ୟ ମନକୁ ମୁଗଧ କରେ । ଦେବଦାରୁ, ପାଇନ, ଫିର, ଚିନାର ଓ ଅନ୍ୟାନ୍ୟ ଚିରହରିତ୍‌ ବନସ୍ପତିରେ ପୂର୍ଣ୍ଣ ପାଟନିଟପ୍‌ରେ ବହୁ ପ୍ରକାର ଫଳ ରାସ୍ତାକଡ଼ରେ କିଣିବାକୁ ମିଳିଲା । ଫଳ ଖାଇ ପେଟଭର୍ତ୍ତି । ଦୃଶ୍ୟ ଦେଖି ମନ ଉଲ୍ଲସିତ । ଚତୁର୍ଦ୍ଦିଗରେ କେବଳ ବିସ୍ତାରିତ ପର୍ବତମାଳା । ଗୋଟିକ ପରେ ଗୋଟିଏ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ଅନନ୍ତ କାଳରୁ । ସେଇ ପର୍ବତଶ୍ରେଣୀର ଶୋଭା, ନିର୍ମଳ ପରିବେଶ ଓ ଉପରେ ସୁନୀଳ ଆକାଶ ଏବଂ ସତେଜ ଶୀତଳ ପବନ ଦେହ ଓ ମନକୁ ପ୍ରଫୁଲ୍ଲ, ପ୍ରସନ୍ନ କରିବା ଲାଗି ଯଥେଷ୍ଟ । ରାସ୍ତା କଡ଼ରେ ଅନେକ ପ୍ରକାର ଫୁଲ ଗଛ । କିନ୍ତୁ ଶରତ ଆସିଲେ ପ୍ରଚୁର ଫୁଲ ଓ ଫଳ ଦେଖିବାକୁ ମିଳେ । କାଶ୍ମୀର ଉପତ୍ୟକାରେ ଷ୍ଟ୍ରବେରୀ, ନାସପାତି, ଅଖରୋଟ, ବାଦାମ, ଖୁର୍ମାନୀ, ନାକ, ବଗ୍‌ଗୁଗୋସ, ଆଳୁବୁଖାରା, ତରବୁଜ, ଖରବୁଜ, ଅଙ୍ଗୁର, ଆପେଲ ପ୍ରଚୁର ପରିମାଣରେ ଉତ୍ପନ୍ନ ହୁଏ ।

 

ପାର୍ବତ୍ୟପଥ ଅତିକ୍ରମ କରି କାଶ୍ମୀର ଉପତ୍ୟକାରେ ପହଞ୍ଚିବା ପୂର୍ବରୁ କାଶ୍ମୀରର ଭୌଗୋଳିକ ଅବସ୍ଥିତି ଏବଂ ଐତିହାସିକ ତଥା ସାଂସ୍କୃତିକ ବୈଶିଷ୍ଟ ବିଷୟରେ ପାଠକମାନଙ୍କୁ ଅବହିତ କରାଇବା ଉଚିତ ହେବ ।

 

କାଶ୍ମୀର ଭାରତର ତୁଷାରମଣ୍ଡିତ ମସ୍ତକ ପରି । ଏହାର ଶୋଭା ଅନିନ୍ଦ୍ୟ ଓ ଅନନ୍ୟ । ଏହାର ହିମାଚ୍ଛାଦିତ ଗଗନଶ୍ଚୁମ୍ବୀ ପର୍ବତମାଳା, କଳକଳ ନାଦିନୀ ବେଗବତୀ ନଦୀ ଓ ଜଳପ୍ରପାତ, ସ୍ଵଚ୍ଛନୀରା ହ୍ରଦ ଓ ମଧୁର ଜଳ, ନିର୍ମଳ ପ୍ରଦୂଷଣମୁକ୍ତ ପରିବେଶ, ସୁନୀଳ ଆକାଶ ଓ ସତେଜ ଶୀତଳ ପବନ ନୟନ ମନକୁ କେବଳ ପ୍ରସନ୍ନ କରେନାହିଁ, ପ୍ରାଣକୁ ଉନ୍ମୀଳିତ ଓ ଊର୍ଦ୍ଧ୍ଵମୁଖୀ କରାଏ-। ଦର୍ଶକ ସେଥ‌ିପାଇଁ କାଶ୍ମୀରର ପ୍ରାକୃତିକ ଦୃଶ୍ୟ ଦେଖି ମନ୍ତ୍ରମୁଗ୍‌ଧ ହୋଇଯାଏ । ଦେବଦାରୁ, ଚୀନାର, ଫିର, ପାଇନ ପ୍ରଭୃତି ବନସ୍ପତିରେ ପୂର୍ଣ୍ଣ ଏହାର ଅରଣ୍ୟାନୀ । କାଶ୍ମୀର ଉପତ୍ୟକା ସବୁଜ ଶସ୍ୟକ୍ଷେତ୍ରରେ ପୂର୍ଣ୍ଣ । ଚତୁର୍ଦ୍ଦିଗରେ ପ୍ରକୃତିର ଅକୃପଣ ପ୍ରାଚୁର୍ଯ୍ୟ । ମଧ୍ୟେ ମଧ୍ୟେ ପ୍ରକୃତିର ଅକୁଣ୍ଠିତ ଶୋଭା ଦେହରେ ବୋଳି ଆଖି ଆଗରେ ଉଭାହୁଏ ସୁନ୍ଦରୀ, ସୁଶ୍ରୀ, ମଧୁମୟୀ କାଶ୍ମୀର ତରୁଣୀ-

 

ମୋଗଲ ସମ୍ରାଟ ଜାହାଙ୍ଗୀର କାଶ୍ମୀରର ସୌନ୍ଦର୍ଯ୍ୟ ଦେଖି କହିଥିଲେ–

 

ଆଜ ଶାହେ ଜହାଁଗୀର ଦମେ ନଜା ଚୂଁ ଜୁସ୍ତବନ୍ଦ

ୱା ସ୍ଵାହିଶେ ଦିଲ ଗୁପ୍ତ କି କାଶ୍ମୀର ଦିଗର ହୈଃ ।

 

ଅର୍ଥାତ୍‌–ମରିବା ପରେ କେହି ସ୍ଵର୍ଗ ଦର୍ଶନ କରେ; କିନ୍ତୁ ବଞ୍ଚିଥିବାବେଳେ ଯିଏ କାଶ୍ମୀରର ସ୍ଵର୍ଗୀୟ ରୂପ ଦେଖିଛି ସେ ସେଠାକୁ ବାରମ୍ବାର କାହିଁକି ଯିବାପାଇଁ ନ ଚାହିଁବ ?

 

କାଶ୍ମୀର ହିମାଳୟ ପର୍ବତଶ୍ରେଣୀର ଚଟାଣରେ ହୃଦୟପରି ଜଡ଼ି ରହିଛି । କାଶ୍ମୀର ଉପତ୍ୟକା ୮୪ ମାଇଲ ବା ୧୩୪ କିଲୋମିଟର ଲମ୍ବା ଏବଂ ଅଠେଇଶ ମାଇଲ ବା ୪୦ କିଲୋମିଟର ଚୌଡ଼ା । ପୂର୍ବରେ ପର୍ବତଶ୍ରେଣୀର ଶିରୋଭାଗରେ ଶ୍ଵାସଭ୍ରାରୀ (୧୬୬୬୧) ଫୁଟ ଏବଂ ନୁନଖୁନ୍‌ (୧୪୪୦୦ ଫୁଟ) । ଉତ୍ତରରେ ନବମ ପର୍ବତଶ୍ରେଣୀର ପଶ୍ଚାଦ୍‌ଭାଗରେ ଅତ୍ୟୁଚ୍ଚ ନଂଗା ପର୍ବତଶ୍ରେଣୀ (ଶିଖର ୨୬୬୪୩ ଫୁଟ) । ଦକ୍ଷିଣ ପଶ୍ଚିମରେ ପାଞ୍ଚାଳ ପର୍ବତଶ୍ରେଣୀ ଯାହାର ଶିଖର ୧୮୦୦ ଫୁଟ ଉଚ୍ଚ । ଶୀତକାଳରେ ପୂର୍ବ ଓ ଉତ୍ତର ପର୍ବତଶ୍ରେଣୀ ଘନ ବରଫଦ୍ଵାରା ଆବୃତ୍ତ, ଅନ୍ୟ ଋତୁରେ ସୁଉଚ୍ଚ ପର୍ବତଶ୍ରେଣୀ ଏବଂ ଗିରିଶୃଙ୍ଗ ମଧ୍ୟ ବରଫାବୃତ୍ତ ରହେ-

 

ପୌରାଣିକ ଓ ଐତିହାସିକମାନଙ୍କ ମତରେ କାଶ୍ମୀର ଏକ ବଡ଼ ହ୍ରଦ ଥିଲା । ଦକ୍ଷ କନ୍ୟା ସତୀଙ୍କ ନାମ ଅନୁସାରେ ଏହାର ନାମ ସତୀସର ଥିଲା । ଏହି ହ୍ରଦରେ ହରମୁଖ ନାମରେ ଏକ ପର୍ବତ ଥିଲା ; ଯାହା ଉପରେ ଶିବ ତପସ୍ୟା କରୁଥିଲେ । ସେଇ ହ୍ରଦରେ ଜଳଦେବ ନାମରେ ଏକ ରାକ୍ଷସ ରହୁଥିଲା; ଯିଏ ଆଖ ପାଖରେ ରହୁଥିବା ଋଷିମାନଙ୍କୁ ବହୁ କଷ୍ଟ ଦେଉଥିଲା । କାଳକ୍ରମେ ବ୍ରହ୍ମାଙ୍କ ପୌତ୍ର କାଶ୍ୟପ ଋଷି ସେହି ପଥରେ ଆସିଲେ । ସେହି ଦୁଷ୍ଟ ରାକ୍ଷସକୁ ଧ୍ଵଂସ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ । ତାଙ୍କର ପ୍ରାର୍ଥନାରେ ଭଗବାନ ପ୍ରୀତ ହେଲେ ଏବଂ ବାରମୂଳା ପାଖରେ ପର୍ବତ ଫାଟିଗଲା ଓ ଭିତରୁ ଜଳ ନିର୍ଗତ ହେଲା । ଉଚିତ ସମୟ ଉପସ୍ଥିତ ଜାଣି କାଶ୍ୟପ ଋଷି ରାକ୍ଷସକୁ ସଂହାର କଲେ । ଏହାପରେ ସେ ଆର୍ଯ୍ୟାବର୍ତ୍ତରୁ ବ୍ରାହ୍ମଣମାନଙ୍କୁ ଆଣି ବସବାସ କରାଇଲେ । ଏଥିପାଇଁ ଏହି ଭୂଭାଗର ନାମ ତାଙ୍କରି ନାମାନୁସାରେ କାଶ୍ୟପମରୁ ହେଲା ଯାହାର ଅପ୍ରଭଂଶ କାଶ୍ମୀର । ଜାମ୍ମୁ ପ୍ରଦେଶ ସମ୍ପର୍କରେ ମଧ୍ୟ ଏହିପରି ଏକ କଥା ପ୍ରଚଳିତ ଅଛି । କଥିତ ଅଛି ଯେ କୌଣସି ସମୟରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ବଂଶଜ ମହାରାଜା ଜମ୍ବୁଲୋଚନ ଶିକାର କରିବା ପାଇଁ ବା ଭ୍ରମଣ କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଥିଲେ । ସେଠାରେ ଗୋଟିଏ ପୁଷ୍କରିଣୀରେ ଗୋଟିଏ ସିଂହ ଏବଂ ଗୋଟିଏ ଛେଳି ପାଖାପାଖି ଏକତ୍ର ପାଣି ପିଉଥିବାର ଦେଖିଲେ । ଏହି ବିଚିତ୍ର ଦୃଶ୍ୟ ଦେଖି ଏହାଦ୍ଵାରା ସେ ଅତ୍ୟନ୍ତ ପ୍ରଭାବିତ ହୋଇ ଏହି ସ୍ଥାନ ଅତି ପବିତ୍ର ହୋଇଥିବ ମନେକରି ସେଠାରେ ଏକ ସହର ନିର୍ମାଣ କଲେ । ସେଥିପାଇଁ ତାଙ୍କ ନାମ ଅନୁସାରେ ସେହି ସ୍ଥାନର ନାମ ହେଲା ଜମ୍ବୁ ଏବଂ ଅପ୍ରଭଂଶ ହୋଇ ଯାହାର ନାମ ପରେ ହେଲା ଜାମ୍ମୁ ।

 

ଇତିହାସରେ କାଶ୍ମୀର ବହୁ ଉତ୍‌ଥାନ ପତନର ସମ୍ମୁଖୀନ ହୋଇଛି । ସର୍ବପ୍ରଥମ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ କାଶ୍ମୀର ଅଧିକାର କଲେ ଏବଂ ସେଠାରେ ବୌଦ୍ଧ ଧର୍ମର ପ୍ରଚାର କଲେ । ଏହାପରେ ତାତାରମାନେ କାଶ୍ମୀର ଅଧିକାର କଲେ ଏବଂ ତା’ପରେ ଆସିଲେ ସମ୍ରାଟ କନିଷ୍କ । କୁହାଯାଏ ଯେ କନିଷ୍କ ଚତୁର୍ଥ ବୌଦ୍ଧ ସଭା କନିଷ୍ଟପୁର ବା କାଶ୍ମୀରରେ ଡାକିଥିଲେ । ସେହି ସମୟର ପ୍ରସିଦ୍ଧ ବୌଦ୍ଧ ପଣ୍ଡିତ ନାଗାର୍ଜୁନ କାଶ୍ମୀରରେ ହାରବନ ନାମକ ଗ୍ରାମରେ ରହୁଥିଲେ । କନିଷ୍କଙ୍କ ପତନ ପରେ ହୁଣମାନେ କାଶ୍ମୀର ଆକ୍ରମଣ କରି ବହୁ ଅନିଷ୍ଟ ସାଧନ କରିଥିଲେ । ଏହାପରେ କାଶ୍ମୀର ପୁଣି ହିନ୍ଦୁ ରାଜ୍ୟରେ ପରିଣତ ହୋଇଥିଲା ଏବଂ ସପ୍ତମ ଶତାବ୍ଦୀ (୬୨୮–୮୨)ରେ ଲତିତାଦିତ୍ୟ ନାମକ ଏକ ପ୍ରବଳ ପରାକ୍ରମୀ ହିନ୍ଦୁରାଜା ଶାସନ କଲେ-। ସେ ଉତ୍ତର ଭାରତର ବହୁ ରାଜାଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରି ବଙ୍ଗଦେଶ ପର୍ଯ୍ୟନ୍ତ ମାଡ଼ି ଆସିଥିଲେ ଏବଂ ମଧ୍ୟ ଏସିଆର କେତେକ ରାଜ୍ୟ ମଧ୍ୟ ଜୟ କରିଥିଲେ । ତାଙ୍କ ରାଜତ୍ଵ କାଳରେ ସଂସ୍କୃତି, କଳା ଓ ଅନ୍ୟ କ୍ଷେତ୍ରରେ କାଶ୍ମୀର ଅନେକ ଉନ୍ନତି କରିଥିଲା । କାଶ୍ମୀରଠାରୁ ପହଲଗାଁ ଯିବା ରାସ୍ତାରେ ମାର୍ତଣ୍ଡରେ ମାର୍ତଣ୍ଡ (ସୂର୍ଯ୍ୟ)ଙ୍କର ପଥର ମୂର୍ତ୍ତି ଭାଙ୍ଗି ଯାଇଥିଲେ ବି ତା’ର ଚମତ୍କାର ଶୋଭା ଏବେ ବି ଦର୍ଶକମାନଙ୍କୁ ଆକର୍ଷଣ କଲେ । ରାଜା ଲଳିତାଦିତ୍ୟ ଏହି ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଥିଲେ । ନବମ ଶତାବ୍ଦୀରେ ଅବନ୍ତିବେନ ନାମକ ଆଉ ଜଣେ ହିନ୍ଦୁରାଜା କାଶ୍ମୀରକୁ ଶାସନ କଲେ (୮୨୩–୮୮) । ହିନ୍ଦୁ ଶାସନର ଶେଷ ଶକ୍ତିଶାଳୀ ରାଜା ଥିଲେ ରାଣୀ ବିଦ୍ୟା (୯୮୦–୧୦୦୩) । ଏହି ବଂଶର ଶେଷ ଶାସକ ସିନ୍ଧୁଦେବଙ୍କ ରାଜତ୍ଵ କାଳରେ ତାତାରମାନେ ପୁଣି କାଶ୍ମୀର ଆକ୍ରମଣ କରି ବହୁ ଅନିଷ୍ଟ ସାଧନ କରିଥିଲେ । ସିନ୍ଧୁଦେବଙ୍କ ମୃତ୍ୟୁ ପରେ ତାଙ୍କ ସେନାପତି ରାମଚନ୍ଦ୍ର କାଶ୍ମୀରର ଶାସକ ହୋଇଗଲେ ଏବଂ ରାଙ୍କ ସେନାପତି ତିବ୍ଦତର ରେଁଚନ ଶାହା ତାଙ୍କୁ ହତ୍ୟାକରି ତାଙ୍କ କନ୍ୟାକୁ ବିବାହ କଲେ । ତା’ପରେ ହିନ୍ଦୁ ହବାପାଇଁ ତାଙ୍କର ପ୍ରାର୍ଥନା ସ୍ଵୀକୃତ ନ ହେବାରୁ ସେ ବୁଲବୁଲ ଶାହା ନାମକ ଜଣେ ମୁସଲମାନ ଫକୀରଙ୍କ ଦ୍ଵାରା ଦୀକ୍ଷିତ ହେଲେ । ଏହାପରେ ସୁଲତାନ ଯଇନୁଲ ଆବେଦିନ ୧୪୨୦ରେ ନିଜର ଲୋକପ୍ରିୟତା ଓ ସଦ୍‌ଗୁଣ ଦ୍ଵାରା କାଶ୍ମୀରର ମହାନ୍‌ ସମ୍ରାଟ ଭାବରେ ବହୁ ବର୍ଷ ଶାସନ କଲେ-

 

୧୫୭୬ ଖ୍ରୀଷ୍ଟାବ୍ଦରେ ସମ୍ରାଟ ଆକବର ୟାକୁବ ଶାହାଙ୍କୁ ପରାସ୍ତ କରି କାଶ୍ମୀରକୁ ମୋଗଲ ଶାସନାଧୀନ କଲେ । ୧୫୮୬ ମସିହା ସୁଦ୍ଧା କାଶ୍ମୀର ମୋଗଲ ସାମ୍ରାଜ୍ୟରେ ବି ଲୀନ ହୋଇଗଲା । ତାଙ୍କ ପରେ ଜାହାଙ୍ଗୀର ଏବଂ ତାଙ୍କ ପୁତ୍ର ଶାଜାହାନ କାଶ୍ମୀରର ଶାସନଭାର ସମ୍ଭାଳି ଥିଲେ । ଉଭୟ ପିତା ଓ ପୁତ୍ରଙ୍କ ସମୟରେ କାଶ୍ମୀରର ପ୍ରଭୂତ ଉନ୍ନତି ସାଧିତ ହୋଇଥିଲା ଏବଂ ତାଙ୍କରି ସମୟରେ ଶାଲିମାର, ନସୀମ ତଥା ନିଶାତ୍‌ ବାଗ ପ୍ରଭୃତି ଅନେକ ସୁନ୍ଦର ଉଦ୍ୟାନ ଓ ଭବନ ନିର୍ମାଣ କରାଇଥିଲେ । ମୋଗଲ ଶାସନ କାଳରେ କାଶ୍ମୀରରେ ଅଶାନ୍ତି ପ୍ରବଳ ହେଲା ଏବଂ ବହୁ ହିନ୍ଦୁଙ୍କୁ ବଳପୂର୍ବକ ମୁସଲମାନ କରାଇ ଦିଆଗଲା । ୧୭୫୧ ମସିହାରେ କାଶ୍ମୀର ଆଫାଗାନିସ୍ଥାନର ଅହମଦଶାହା ଦୁରାନୀଙ୍କ ଦ୍ଵାରା ଅଧିକୃତ ହୋଇଥିଲା; କିନ୍ତୁ ୧୮୧୯ରେ ମହାରାଜା ରଣଜିତ୍‌ ସିଂ କାଶ୍ମୀର ଅଧିକାର କରିଥିଲେ । ଏହି ସଂକ୍ରାନ୍ତରେ ପଞ୍ଜାବ କେଶରୀ ମହାରାଜା ରଣଜିତ୍‌ ସିଂଙ୍କ ସେନାପତି ଦିବାନ ଚନ୍ଦ୍ର ମିଶ୍ର ଜାମ୍ମୁର ଡୋଗ୍ରା ସରଦାର ଗୁଲାବ ସିଂଙ୍କ ସହାୟତାରେ ଆଫଗାନମାନଙ୍କୁ ପରାସ୍ତ କରିଥିଲେ ଏବଂ କାଶ୍ମୀର ରଣଜିତ୍‌ ସିଂଙ୍କ ଶାସନାଧୀନ ହୋଇ ଯାଇଥିଲା । ପ୍ରଥମ ଇଂରେଜ ଓ ଶିଖ ଯୁଦ୍ଧ ପରେ ଇଂରେଜମାନେ ପ୍ରସିଦ୍ଧ ଡୋଗ୍ରା ମହାରାଜ ଗୁଲାବ ସିଂଙ୍କୁ କାଶ୍ମୀରରୁ ୩୮ ଲକ୍ଷ ଟଙ୍କାରେ ବିକ୍ରୟ କରି ଦେଇଥିଲେ । ୧୮୪୬ରେ ହୋଇଥିବା ଅମୃତାର ସନ୍ଧି ଅନୁସାରେ କାଶ୍ମୀର ଉପରେ ମହାରାଜ ଗୁଲାବ ସିଂଙ୍କର ଅଧିକାର ସାବ୍ୟସ୍ତ ହେଲା । ଏହା ପରେ ଲଦାଖ, କାରଗିଲ, ଗିଲଗିଟ୍‌, ଚିତ୍ରାଲ ପ୍ରଭୃତି ପାର୍ବତ୍ୟ କ୍ଷେତ୍ର ମଧ୍ୟ ତାଙ୍କ ଅଧୀନକୁ ଆସିଗଲା । ମହାରାଜା ଗୁଲାବ ସିଂଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ମହାରାଜା ରଣବୀର ସିଂ ରାଜା ହେଲେ । ତାଙ୍କ ପରେ ତାଙ୍କ ପୁତ୍ର ମହାରାଜା ପ୍ରତାପ ସିଂ ରାଜା ହେଲେ ଏବଂ ସେ ନିଃସନ୍ତାନ ଥିବାରୁ ତାଙ୍କର ଭଣଜା ମହାରାଜା ହରି ସିଂ ସିଂହାସନ ଆରୋହଣ କଲେ । ୧୯୪୭ରେ ଭାରତ ସ୍ଵାଧୀନ ହେବାପରେ ଅକ୍ଟୋବର ବାଇଶ ତାରିଖରେ ପାକିସ୍ଥାନ ଦ୍ଵାରା ପ୍ରେରିତ ହୋଇ ହଜାର ହଜାର ଖାକ୍‌ସର ସୈନ୍ୟ କାଶ୍ମୀର ଉପରେ ଆକ୍ରମଣ କଲେ ଏବଂ ମହାରାଜା ହରି ସିଂ ଅକ୍ଟୋବର ଛବିଶ ତାରିଖ ଦିନ ଭାରତ ସହିତ କାଶ୍ମୀରର ମିଶ୍ରଣ ପତ୍ରରେ ସ୍ଵାକ୍ଷର କରି ଏହାର ଦାୟିତ୍ଵ ଭାରତକୁ ସମର୍ପଣ କରିବାରୁ ଭାରତୀୟ ସୈନ୍ୟ କାଶ୍ମୀରରେ ଅବତରଣ କରି ପାକିସ୍ଥାନୀ ଅନୁପ୍ରବେଶକାରୀ ଓ ଆକ୍ରମଣକାରୀମାନଙ୍କୁ ପରାସ୍ତ କରି କାଶ୍ମୀରର ସ୍ଵାତନ୍ତ୍ର୍ୟ ଓ ଦେଶର ସାର୍ବଭୌମତ୍ଵ ପ୍ରତିଷ୍ଠା କରିଥିଲେ ।

 

ଏହାପରେ ଆହୁରି ଦୁଇଟି ଯୁଦ୍ଧ ସଂଘଟିତ ହୋଇଛି କାଶ୍ମୀର ଭୂଇଁରେ ଏବଂ ପ୍ରତ୍ୟେକ ଥର ପାକିସ୍ଥାନ ପରାସ୍ତ ହୋଇଛି । କିନ୍ତୁ ୧୯୪୭ କାଶ୍ମୀରର ଏକ ତୃତୀୟାଂଶ ଅଚଳ ଓ ଜନସଂଖ୍ୟା ପାକିସ୍ଥାନ କବଳରେ ରହିଯାଇଛି, ସେମାନଙ୍କୁ ଏଯାଏ ଉଦ୍ଧାର କରାଯାଇ ପାରିନାହିଁ ।

 

ପାକିସ୍ଥାନ କାଶ୍ମୀର ଅଧିକାର କରିବାଲାଗି ଓ ଏହାର ଦୁଇ ତୃତୀୟାଂଶ ଲୋକ ମୁସଲମାନ ହୋଇଥିବାରୁ ଏହା ପାକିସ୍ଥାନର ପ୍ରାପ୍ୟ ବୋଲି ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛି । କାଶ୍ମୀରବାସୀ ଧର୍ମମତ ନିର୍ବିଶେଷରେ ଧର୍ମନିରପେକ୍ଷ ଭାରତବର୍ଷରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କ ନେତୃତ୍ୱରେ ସେତେବେଳେ ଯେଉଁ ଶପଥ ନେଇଥିଲେ ତାହା ଆଜି ବି ଅକ୍ଷୁଣ୍ଣ ଓ ବଳବତ୍ତର ରହିଛି । କାଶ୍ମୀର ଯେ ଅଖଣ୍ଡ ଭାରତର ଏକ ଅଂଶ ଏବଂ ଭାରତୀୟ ଜାତୀୟତାର ପ୍ରତୀକ, ତାହା ଏବେ ସାରାବିଶ୍ଵରେ ପ୍ରମାଣିତ ଓ ପ୍ରତିଷ୍ଠିତ ।

 

ଦୁଇଟି ଚଳଚ୍ଚିତ୍ର ଦେଖି, ରାସ୍ତାରେ ବନିହାଲ ସୁଡ଼ଙ୍ଗ ପାର ହୋଇ ଶ୍ରୀନଗରରେ ପହଞ୍ଚିଲା ବେଳକୁ ରାତି ଏଗାରଟା ।

 

କିନ୍ତୁ କଷ୍ଟମସ୍‌ ଚେକ୍‌ ହୋଇଥିଲେ ଆହୁରି ଘଣ୍ଟାଏ ପୂର୍ବରୁ ପହଞ୍ଚିଥାଆନ୍ତା । ବନିହାଲ ପାସ୍‌ କାଶ୍ମୀର ଉପତ୍ୟକାର ପ୍ରବେଶ ଦ୍ଵାର । ଏହିଠାରୁ ପାର୍ବତ୍ୟ ଉଚ୍ଚନୀଚ ସକଳ ପଥ ପରିତ୍ୟାଗ କରି ସମତଳ ଉପତ୍ୟକାକୁ ଯିବାର ରାସ୍ତା ବନିହାଲ ପାସ୍‌ ପହଞ୍ଚିବା ବେଳକୁ ସୂର୍ଯ୍ୟ ରତ ରତ । ତା’ ଆଗରୁ ଗୋଟିଏ ସ୍ଥାନରେ ବସ୍‌ ଅଟକାଇଲା ପୋଲିସ୍‌ । କଷ୍ଟମସ୍‌ ବିଭାଗର କର୍ମଚାରୀ ଯାତ୍ରୀମାନଙ୍କର ଲଗେଜ ଖୋଲି ଖାନତଲାସ ଆରମ୍ଭ କରିଦେଲେ । ସନ୍ଦେହକରି ହଠାତ୍‌ ଜଣେ ଯାତ୍ରୀଙ୍କର ହୋଲଅଳକୁ ଖୋଲିବାରୁ ଅନେକ ବିଦେଶୀ ପୋଷାକ ଓ ସାମଗ୍ରୀ ମିଳିଲା । ସେହି ବ୍ୟକ୍ତି ମୋ ସାମ୍ନା ସିଟ୍‌ରେ ବସିଥିଲା । ପନ୍ଦର ହଜାର ଟଙ୍କା ଘୁସ୍‌ ଦବ ବୋଲି ଯାଚିଲା (ସେ ଆମକୁ ପରେ ଯାହା କହିଲା) କିନ୍ତୁ ସେମାନେ ରାଜି ହେଲେନି । ତାକୁ ଉହ୍ଲାଇ ଦେଇ ବସ୍‌ ଚାଲିଲା-। ପୁଣି ସେଇ ବ୍ୟକ୍ତି ସହିତ ଦେଖା ହେଲା ତିନିଦିନ ପରେ ପହଲଗାଁ ଯିବା ବସ୍‌ରେ । ପହଲଗାଁରେ ତା’ର ଦୋକାନ । ସେ କେସ୍‌ ଲଢ଼ିବ ବୋଲି ଫଏସଲା କରି ସାରିଥିଲା ସେତେବେଳକୁ-

 

ଶ୍ରୀନଗର ଅଜ୍ଞାତ ସ୍ଥାନ । ପୁଣି ସହରରେ କାଁ ଭାଁ ସାମ୍ପ୍ରଦାୟିକ ଗଣ୍ଡଗୋଳ ମଧ୍ୟେ ମଧ୍ୟେ ହେଉଥିବାର ଖବରକାଗଜରୁ ପଢ଼ିଥିଲୁ । ଶୀତ ଲାଗୁଥାଏ । ଆଉ ବାକ୍‌ସ ନ ଖୋଲି ବସ୍‌ରୁ ସବୁ ଜିନିଷ ଉତାରି ଖୋଜିଲୁ ଟାକ୍‌ସି । ସେତେବେଳକୁ ରାତି ବାରଟା । କେହି ମିଳିଲେ ନାହିଁ । ଶେଷରେ ଗୋଟେ ଟଙ୍ଗା ମିଳିଗଲା । ବୁଢ଼ା ଟଙ୍ଗାବାଲା ରାଜି ହେଲା–ରେଳବାଇ ରେଷ୍ଟ ହାଉସ୍‌କୁ ଯିବା ପାଇଁ । ପ୍ରାୟ ତିନି କିଲୋମିଟର ପଥ । ଠାଏ ଠାଏ ଅନ୍ଧାର, ରାସ୍ତାର ବତୀଖୁଣ୍ଟରେ ଆଲୁଅ ନାହିଁ । ଭୟ ଲାଗୁଥାଏ, କାଳେ ଯଦି ବିପଦର ସମ୍ମୁଖୀନ ହେବାକୁ ହୁଏ । କିନ୍ତୁ ଖୋଜି ଖୋଜି ସେ ଠିକ୍‌ ଆମ୍ଭମାନଙ୍କୁ ପହଞ୍ଚାଇ ଦେଲା ଠିକଣା ସ୍ଥାନରେ । ଫାଟକ ବନ୍ଦ ହୋଇ ସାରିଥାଏ କେତେବେଳୁ । ବହୁତ ଖୋଜାଖୋଜି ଡକାଡ଼କି କରି କରି ମୁନା ଓ ଗିରୀଶ ବାହାରକଲେ ଚୌକୀଦାରକୁ । ସେ କିନ୍ତୁ କୋଠରୀ ଖୋଲିବାକୁ ମନା କରି ପୁଣି ରେଜେଇ ଘୋଡ଼ି ଶୋଇ ପଡ଼ିଲା । ପୁଣି ଡକାଡ଼କି ଚାଲିଲା । ଶେଷରେ କେଆର ଟେର ସର୍ଦ୍ଦାରଜୀ ଉଠି ଆମକୁ ନେଇଗଲା ଉପର ମହଲାକୁ । ଆମ ପାଇଁ ଗୋଟେ ଲକ୍‌ଜୁରୀ ସୁଇଟ୍‌ ରିଜର୍ଭ କରା ହୋଇଥିଲା–ସେଥିରେ ଦୁଇଟି କାନ୍ଥକୁ କାନ୍ଥ ଲାଗି କାର୍ପେଟ ବିଛା ପ୍ରସାଧନ ଗୃହ ଓ ଶୋଇବା ପାଇଁ ଭବ୍ୟ ବ୍ୟବସ୍ଥା ସହ ଦୁଇଟି ଶୟନ କକ୍ଷ କୋଟିଏ ବସିବା ଓ ଖାଇବା କୋଠରୀ ଓ ଗୋଟିଏ ରୋଷେଇ ଘର । ପର୍ଯ୍ୟାପ୍ତ ଓ ଦାମୀ ଆସବାବ୍‌ । ଗ୍ୟାସ୍‌, ହିଟର ପ୍ରଭୃତିର ଅଭାବ ନାହିଁ । ରାତି ଦୁଇଟାରେ ଶୋଇଲାବେଳକୁ ମନେ ପଡ଼ୁଥିଲା ଜାହାଙ୍ଗୀରରେ ସ୍ଵପ୍ନର କାଶ୍ମୀରଂ କଥା.......ଯଦି କାହିଁ ସ୍ଵର୍ଗ ଥାଏ ତାହା ଏଇଠି......ଏଇଠି ।

 

ସେହି ଭୂସ୍ଵର୍ଗ କାଶ୍ମୀରକୁ ଆଖି ପୂରାଇ ପ୍ରତ୍ୟୁଷରେ ଦେଖିବା ପାଇଁ ବତୀ ବୁଜାଇ ଶୋଇ ପଡ଼ିଲୁ ନିଘୋଡ଼ ନିଦରେ ।

 

।। ଦୁଇ ।।

 

ରାତିର ମନୋରମ ନିଦ ଭାଙ୍ଗିବାବେଳକୁ ଝରକା ଦେଇ ଶ୍ରୀନଗରର ପ୍ରଥମ ପ୍ରଭାତ ଆଖିରେ ପଡ଼ିଲା । ଦେବଦାରୁ, ପାଇନ୍‌, ଚିନାର ଅନ୍ୟାନ୍ୟ ଚିରହରିତ୍‌ ବନସ୍ପତିମାନଙ୍କ ଉପରେ ଏବଂ ବିଶ୍ରାମ ଭବନର ହତା ଭିତରେ ଥିବା ଫୁଲ ବଗିଚାରେ ସେତେବେଳକୁ ଲୀଳା କରୁଥିଲା ଆଲୋକ । ଦିଗ ନିର୍ଣ୍ଣୟ କରି ଚାହିଁଲାବେଳକୁ ସୂର୍ଯ୍ୟ ଉଠିସାରିଥିଲେ ପୂର୍ବ ଦିଗରେ । ପାଖ କ୍ୟାଣ୍ଟିନରୁ ଚା’ ନେଇ ଆସିଲେ ମୁନା ଓ ଗିରୀଶ । ଚା’ ପିଇସାରିବା ବେଳକୁ ବସିବା ଘର ଭିତରକୁ ପ୍ରବେଶ କରି ସୁପ୍ରଭାତ ଜଣାଇଲେ ସର୍ଦ୍ଦାରଜୀ । ସେ ରେଳବାଇ ବିଶ୍ରାମ ଭବନ ଦାୟିତ୍ଵରେ ଥବା ଅଫିସର । ଗତ ରାତ୍ରିର ଅସୁବିଧା ଲାଗି ଦୁଃଖପ୍ରକାଶ କରି ସେଠାରେ ଆମର ରହଣି କିପରି ସୁଖପ୍ରଦ ହେବ ସେଥିପାଇଁ ଅୟୋଜନ କରିବାରେ ଲାଗିଗଲେ । ଅଳ୍ପ ସମୟ ମଧ୍ୟରେ ଆସିଲା ଗ୍ୟାସ ସିଲିଣ୍ଡର, ରନ୍ଧାବଢ଼ାର ସରଞ୍ଜାମ ଓ ବାସନପତ୍ର । ରାନ୍ଧି ଖାଇବା ପାଇଁ ମୁନା ଜୋର୍‌ଦେଇ ଗିରୀଶ ସହିତ ଯାଇ ପାଖ ବଜାରରୁ ପାଉଁରୁଟି, ଅଣ୍ଡା, ପରିବା, ଚାଉଳ, ଘିଅ ଓ ମସଲା ନେଇଆସିଲା ଏବଂ ପ୍ରାତଃଭୋଜନ ପରେ ଆମେ ବାହାରିପଡ଼ିଲୁ ଶ୍ରୀନଗର ସହର ବୁଲି ଦେଖିବା ପାଇଁ ।

 

ଶ୍ରୀନଗର ଏକ ସୁନ୍ଦର ସହର ଭାବରେ ଦେଶବିଦେଶରେ ପରିଚିତ । କିନ୍ତୁ କେତେକ ସ୍ଥାନରେ ରାସ୍ତା ଅପ୍ରଶସ୍ତ ଓ ମରାମତିର ଅପେକ୍ଷା କରୁଥିବା ଦୃଷ୍ଟିରେ ପଡ଼ିଲା । ଆହୁରି ଶୀଘ୍ର ଆମେ ଅନୁଭବ କଲୁ ସ୍ଥାନୀୟ ଲୋକଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସାନ୍ନିଧ୍ୟ ଏବଂ ଭଦ୍ର ବ୍ୟବହାର ।

 

ଶ୍ରୀନଗର ଜାମ୍ମୁ ଓ କାଶ୍ମୀର ରାଜ୍ୟର ରାଜଧାନୀ । ଏହା ଝେଲମ ନଦୀ କୂଳରେ ଅବସ୍ଥିତ । ଝେଲମ ନଦୀର ପ୍ରାଚୀନ ନାମ ବିତସ୍ତା । ସାପ ମହାଦେବଙ୍କୁ ବେଢ଼ିଲା ପରି ଝେଲମ ଶ୍ରୀନଗର ସହରକୁ ବେଢ଼ି ରହିଛି । ସହର ଭିତରଦେଇ ବହିଯାଇଛି ଏହି ସ୍ରୋତସ୍ଵିନୀ । ସହର ଭିତରେ ନଦୀ ଉପରେ ସାତଟି ପୁରୁଣା ଓ ଦୁଇଟି ନୂଆ ପୋଲ ଉପରଦେଇ ଲୋକମାନେ ଓ ଯାନବାହନ ନଦୀ ଅତିକ୍ରମ କରନ୍ତି । କେହି ଝେଲମ ନଦୀରେ ନୌକାବିହାର କଲେ ସହଜରେ ଏହି ସହରକୁ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବ ।

 

ଝେଲମ ନଦୀର ଉତ୍ପତ୍ତିସ୍ଥଳ ଭେରୀନାଗ । ଭେରୀନାଗର କୋଳରୁ କଳକଳ ନାଦ କରି ପ୍ରବାହିତ ହୋଇଛି ଏହି ନଦୀ । ତେଣୁ ଭେରୀନାଗ ଏକ ପବିତ୍ର ସ୍ଥାନ ଓ ପର୍ଯ୍ୟଟକ କେନ୍ଦ୍ର । ଭେରୀନାଗର ଚାରିପାଖରେ ଥିବା ଚତୁଷ୍କୋଣୀ ପୁଷ୍କରିଣୀର ଆକାର ପରିବର୍ତ୍ତନ କରି ମୋଗଲ ସମ୍ରାଟ ଜାହାଙ୍ଗୀର ଏହାକୁ ଏକ ଅଷ୍ଟକୋଣୀ ବଡ଼ ପୁଷ୍କରିଣୀରେ ପରିଣତ କରାଇଥିଲେ ଏବଂ ସେ ଏହାର ତଟଦେଶରେ ୧୬୧୨ ଖ୍ରୀଷ୍ଟାବ୍ଦରେ ଗୋଟିଏ ସୁନ୍ଦର ଉଦ୍ୟାନ ନିର୍ମାଣ କରାଇଥିଲେ । ଏହି ପାର୍ବତ୍ୟ ଝରଣା ଭାରତର ସର୍ବବୃହତ୍‌ ଏବଂ ଶ୍ରୀନଗରଠାରୁ ୭୮ କିଲୋମିଟର ଦୂରରେ ଅବସ୍ଥିତ ।

 

ଝେଲମ ନଦୀ ପ୍ରାଚୀନ କାବ୍ୟ ଓ ସାହିତ୍ୟରେ ବିତସ୍ତା ନାମରେ ପରିଚିତ । ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ କାଶ୍ୟପ ଋଷି କାଶ୍ମୀର ଉପତ୍ୟକାର ପୁନଃନିର୍ମାଣ କରାଇଥିଲେ । ସେଇ ପ୍ରାଚୀନକାଳରୁ ଶ୍ରୀନଗର ନିଜର ଅନିର୍ବଚନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଦ୍ଵାରା ଏଯାବତ୍‌ ଅଭିଭୂତ କରି ରଖିଛି ପର୍ଯ୍ୟଟକମାନଙ୍କୁ । ଶ୍ରୀନଗରର ଆଖପାଖ ଥରେ ବୁଲିଆସିଲେ କଳିଙ୍ଗ ଭାଷାରେ କହିବାକୁ ଇଚ୍ଛାହୁଏ ଯେ, ‘‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’

 

ଶ୍ରୀନଗର ସହରର ଇତିହାସ ଅତି ପ୍ରାଚୀନ । ଏହି ସହରର ନିର୍ମାଣ ସମ୍ରାଟ ଅଶୋକଙ୍କ ଦ୍ଵାରା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ହୋଇଥିବାର ପ୍ରମାଣ ମିଳେ । କେତେକ ସ୍ଥାନରେ କାଳର ମୂକସାକ୍ଷୀ ଭାବରେ ଏବେ ବି ରହିଛି ବୌଦ୍ଧକୀର୍ତ୍ତି । ଐତିହାସିକମାନେ କହନ୍ତି ଯେ ରାଜା ପ୍ରବରସେନା ଝେଲମ ନଦୀର କୂଳରେ ବର୍ତ୍ତମାନର ଶ୍ରୀନଗର ସହରକୁ ସ୍ଥାପନା କରିଥିଲେ । ଶ୍ରୀନଗର ସହର, ଏହାର ପରିବେଶ ଓ ପ୍ରକୃତି ପ୍ରଦତ୍ତ ଅନିର୍ବଚନୀୟ ଶୋଭା ଚିରକାଳ ପର୍ଯ୍ୟଟକ ଓ ଶାସକ ଉଭୟଙ୍କୁ ଆକର୍ଷଣ କରିଛି । ମୋଗଲ ସମ୍ରାଟମାନେ ଏହାର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ କାଶ୍ମୀର ଆସିଥିଲେ ଏବଂ ଯଦି ଭୂପୃଷ୍ଠରେ କେଉଁଠାରେ ସ୍ଵର୍ଗ ଥାଏ ଏହିଠାରେ ବୋଲି ଆନନ୍ଦରେ ଅଧୀର ହୋଇ ଘୋଷଣା କରିଥିଲେ । ମୋଗଲ ସମ୍ରାଟମାନେ ଶ୍ରୀନଗରର ଶ୍ରୀବୃଦ୍ଧି କରିବାକୁ ବହୁ ଅର୍ଥ ବ୍ୟୟ କରିଥିଲେ । ପ୍ରାୟ ତିନିଶହ ବର୍ଷ ପରେ ଶ୍ରୀନଗର ସହର ମୋଗଲମାନଙ୍କ ହାତରୁ ୧୯ ଶହ ଶତାବ୍ଦୀରେ ଶିଖ୍‌ ଶାସକମାନଙ୍କ ହାତକୁ ଚାଲିଯାଇଥିଲା ଏବଂ ତା’ପରେ ଇଂରେଜମାନେ ଭାରତବର୍ଷର ଶାସକ ହେବାପରେ ଏହା ସେମାନଙ୍କର ଲୀଳାଭୂମିରେ ପରିଣତ ହେଲା । ତେଣୁ କାଶ୍ମୀର ବହୁଧର୍ମ ଓ ସଂସ୍କୃତିର ଲୀଳାଭୂମି ଏବଂ ସମନ୍ଵୟ ସ୍ଥଳ । ଏସିଆ ମହାଦେଶର ହୃଦୟ ଭାବରେ ପରିଚିତ ଏଇ ସହରକୁ ନେଇ ରଚିତ ହୋଇଛି କେତେ କାବ୍ୟକବିତା, ଶୌର୍ଯ୍ୟବୀର୍ଯ୍ୟପୂର୍ଣ୍ଣ କେତେ କାହାଣୀ ଓ କିମ୍ବଦନ୍ତୀ । କାଶ୍ମୀର ଉପତ୍ୟକାର ପ୍ରାୟ ପଚସ୍ତରୀ ଭାଗ ଲୋକ ମୁସଲମାନ ଏବଂ ବାଇଶ ଭାଗ ହିନ୍ଦୁ ଓ ତିନିଭାଗ ବୌଦ୍ଧ । ବହୁ ସଂସ୍କୃତିର ସମନ୍ଵୟ ସ୍ଥଳ ଏଇ କାଶ୍ମୀର । ସେଥିପାଇଁ ଏଠାରେ ଜାତି ନୁହେ, ଜାତୀୟତା ପ୍ରାଧାନ୍ୟ ପାଇଛି ଯୁଗ ଯୁଗ । କାଶ୍ମୀର ଏକ କୃଷିପ୍ରଧାନ ରାଜ୍ୟ । କିନ୍ତୁ ପର୍ଯ୍ୟଟନ ଓ ହସ୍ତଶିଳ୍ପ ପାଇଁ ଏହା ବିଖ୍ୟାତ । ଏଥିରୁ କାଶ୍ମୀରବାସୀ ଅନେକ ଉପାର୍ଜନ କରନ୍ତି । ଏହି ପ୍ରାକୃତିକ ପରିବେଶରେ ଲୋକଶିଳ୍ପର ବିକାଶ ସୁନିପୁଣ ଓ ସୁଦୃଶ୍ୟ ହସ୍ତଶିଳ୍ପରେ ଯେ ପ୍ରକଟିତ ହେବ ଏହା ନିଃସନ୍ଦେହ । କାଠ ଉପରେ ସୂକ୍ଷ୍ମ କାରୁକାର୍ଯ୍ୟ, ପଶମଶିଳ୍ପର ବିକାଶ ଓ ହାତୀଦାନ୍ତ, ଗାଲିଚା ପ୍ରଭୃତି ପାଇଁ କାଶ୍ମୀର ଖ୍ୟାତି ଅର୍ଜନ କରିଛି । ଏଠାରେ ମିଳୁଥିବା ପଶମିନା ଶାଲ୍‌ ଓ ଶାହତୋଷ ଶାଲ୍‌ର ଚାହିଦା ଜଗତ ବିଖ୍ୟାତ । ହାତବୁଣା ଗାଲିଚା (ନାମଧାସ୍‌, ଗବ୍‌ବାସ) ଏବଂ ଚେନ୍‌ଲଗା କମ୍ବଳ ଅତି ଲୋଭନୀୟ । କାଶ୍ମୀର ଉପତ୍ୟକାର ପାର୍ବତ୍ୟ ଅଞ୍ଚଳରେ ମେଷପାଳକ ଭାବରେ ଗୁଜ୍ଜରମାନେ ବୁଲୁଥିବା ଦୃଷ୍ଟିଗୋଚର ହୁଏ । ଗୁଜ୍ଜରମାନେ ପ୍ରାୟ ଯାଯାବରମାନଙ୍କ ପରି । ଗୋଟିଏ ସ୍ଥାନରେ ବେଶୀଦିନ ରହିବା ଅଭ୍ୟାସ ନାହିଁ ସେମାନଙ୍କର । ପୁଣି ଲଡ଼ାକ ଉପତ୍ୟକା କାଶ୍ମୀରର ଅନ୍ୟ ଏକ ବରଫାବୃତ୍ତ ଅତ୍ୟୁଚ୍ଚ ଅଞ୍ଚଳ । ହିମାଳୟରେ ଅବସ୍ଥିତ ଏହି ଅଞ୍ଚଳର ଏକ ପାଖରେ ଚୀନ, ଏକ ପାଖରେ ରୁଷ, ଅନ୍ୟପାଖରେ ପାକିସ୍ଥାନ ଏବଂ ଦକ୍ଷିଣରେ ଭାରତ । ଏହାର ପ୍ରାୟ ପଞ୍ଚାନବେ ଭାଗ ଅଧିବାସୀ ବୌଦ୍ଧ । କିନ୍ତୁ ସେମାନଙ୍କର ଖାଦ୍ୟାଭ୍ୟାସରେ ଅନେକ ଉଦାରତା । ଏମାନଙ୍କ ବ୍ୟତୀତ ତିବ୍ଦତୀୟ, ୟାରକନ୍ଦି, କାଶ୍ମୀରୀ ଓ ପଞ୍ଜାବୀମାନେ ମଧ୍ୟ ଲଦାଖ ଅଞ୍ଚଳରେ ବସବାସ କରନ୍ତି ।

 

ଆମେ କାଶ୍ମୀରର ଇତିହାସ, ଏହାର ଲୋକଙ୍କର ଧର୍ମ, ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ପର୍ଯ୍ୟଟନ କେନ୍ଦ୍ରକୁ ଯାଇ କିଛି ପର୍ଯ୍ୟଟନ ସାହିତ୍ୟ ସଂଗ୍ରହ କଲୁ । କାଶ୍ମୀର ଏକଦା ଶୈବମାନଙ୍କର ଲୀଳାକ୍ଷେତ୍ର ଥିଲା । ଏବେ ମଧ୍ୟ କାଶ୍ମୀର ଉପତ୍ୟକାରେ ଶୈବ ମନ୍ଦିର କେବଳ ଭାରତ ନୁହେଁ ପୃଥିବୀ ପ୍ରସିଦ୍ଧ । ଅମରନାଥ ସର୍ବଶ୍ରେଷ୍ଠ ଶୈବକ୍ଷେତ୍ର । ମୁସଲମାନ ବହୁଳ କାଶ୍ମୀରରେ କିନ୍ତୁ କାଶ୍ମୀର ପଣ୍ଡିତ ବ୍ରାହ୍ମଣମାନଙ୍କ ସଂଖ୍ୟା ଅଧିକ ନ ହେଲେ ବି ସେମାନେ ବୁଦ୍ଧି ବଳରେ କାଶ୍ମୀରର ପ୍ରତିପତ୍ତିଶାଳୀ ଅଧିକାରୀ ଭାବରେ ପରିଚିତ । ସେହିପରି ଜାମ୍ମୁ ଅଞ୍ଚଳରେ ଡୋଗ୍ରାମାନଙ୍କର ପ୍ରାଧାନ୍ୟ । କାଶ୍ମୀର ଉପତ୍ୟକାର ପ୍ରଧାନ ପର୍ବ ଇଦ୍‌–ଉଲ୍‌–ଫିତର, ଇଦ୍‌–ଉଜ୍‌–ଜୁହା ଏବଂ ଦୀପାବଳୀ । କାଶ୍ମୀରବାସୀଙ୍କ ଖାଦ୍ୟରେ ମଧ୍ୟ କିଛି ସ୍ଵତନ୍ତ୍ରତା ଅଛି । ୱାଜୱାନ ବହୁସ୍ତର ବିଶିଷ୍ଟ ପ୍ରଖ୍ୟାତ ଭୋଜନ କାଶ୍ମୀରର । ଏହା ପର୍ବପର୍ବାଣୀ ବା କୌଣସି ବିଶେଷ ଉତ୍ସବରେ ପରିବେଷିତ ହୋଇଥାଏ । କାଶ୍ମୀରର ନୃତ୍ୟ ‘‘ଫୂମ୍ମି ଅମ୍‌’’ର ବିଶେଷତ୍ଵ ଏହି ଯେ ଗୋଟିଏ ପୁଷ୍ପ କଳି ଯେପରି ଧୀରେ ଧୀରେ ପ୍ରସ୍ଫୁଟିତ ହୁଏ ଏହା ମଧ୍ୟ ସେହିପରି ଧୀରେ ଧୀରେ ଆନନ୍ଦର ଶୀର୍ଷଦେଶକୁ ଯାଏ । ବସନ୍ତ ଋତୁରେ ଏହି ନୃତ୍ୟ ଚାରିଆଡ଼େ ଦେଖିବାକୁ ମିଳେ ।

 

କାଶ୍ମୀର ଯୁଗ ଯୁଗ ଧରି ପର୍ଯ୍ୟଟନ ଓ ବିଦେଶୀମାନଙ୍କୁ ପ୍ରଲୋଭିତ କରିଛି । ଏପ୍ରିଲ ଠାରୁ ଜୁନ୍‌ ଏବଂ ସେପ୍‌ଟେମ୍ବର, ଅକ୍ଟୋବର କାଶ୍ମୀର ଭ୍ରମଣ ପାଇଁ ସର୍ବୋତ୍କୃଷ୍ଟ ସମୟ । ଜୁଲାଇ ଓ ଅଗଷ୍ଟରେ ଅତ୍ୟଧିକ ବର୍ଷା ହେତୁ ଏବଂ ତା’ପରେ ବିଭିନ୍ନ ସ୍ଥାନରେ ହିମପାତ ହେତୁ ଅଗମ୍ୟ ହୋଇଯାଏ ବହୁ ସୁରମ୍ୟ ସ୍ଥାନ । କାଶ୍ମୀରର ଯେଉଁ ଅଂଶ ପାକିସ୍ଥାନର ଅଧିକାରରେ ଅଛି ତାହା ବାଦ୍‌ଦେଲେ ମଧ୍ୟ କାଶ୍ମୀରର ବର୍ତ୍ତମାନ କ୍ଷେତ୍ରଫଳ ୧,୩୮,୧୨୪ ବର୍ଗ କିଲୋମିଟର । ଅଧିକାଂଶ ଅଞ୍ଚଳ ପାର୍ବତ୍ୟ ଏବଂ ବହୁ ଦର୍ଶନୀୟ ଘାଟି ପାରହୋଇ ଅନେକ ମନୋରମ ସ୍ଥାନ ଦର୍ଶନ କରାଯାଇପାରେ । ଶ୍ରୀନଗର ସମ୍ରାଟ ଆକବରଙ୍କ ସମୟରେ (୧୫୮୬)ରେ ପୁନନିର୍ମିତ ହୋଇଥିଲା ।

 

ଆମେ ସହର ବୁଲିସାରି ବସ୍‌ରେ ଯାଇ ପହଞ୍ଚିଲୁ ବିଶ୍ୱବିଖ୍ୟାତ ଶାଲିମାର ବଗିଚାରେ । ଆମେ ସେଠାରେ ପହଞ୍ଚିବାର କିଛିଦିନ ପୂର୍ବରୁ ପ୍ରବଳ ବର୍ଷା ହୋଇଥିବାରୁ ରାସ୍ତା ବନ୍ୟାପ୍ଳାବିତ ଥିବାର ଦେଖିଲୁ । ରାସ୍ତାର ଦୁଇ କଡ଼ରେ ଚିନାର, ଦେବଦାରୁ, ପାଇନ ଗଛର ଶୋଭା । ଠାଏ ଠାଏ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ବଗିଚା । ଆମର ଯିବା ରାସ୍ତାରେ ଦେଖିଲୁ ନୈସର୍ଗିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ବିଶ୍ଵବିଖ୍ୟାତ ଅଠର ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଥିବା ଡାଲ ହ୍ରଦ । ଏହାର ପାଣି ଅତ୍ୟନ୍ତ ସ୍ଵଚ୍ଛ ଏବଂ ହ୍ରଦ ଭିତରେ ପର୍ଯ୍ୟଟକମାନଙ୍କୁ ନେଇ ବୁଲୁଥିବା ଅନେକ ଶିକାରା (ନୌକା) ମଧ୍ୟ ଦୃଷ୍ଟିରେ ପଡ଼ିଲା ଏବଂ ମନେପଡ଼ିଲା ମଧୁସୂଦନ ରାଓଙ୍କ କବିତା–
 

ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ,

ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।

 

ପ୍ରଥମେ ଆମେ ପହଞ୍ଚିଲୁ ନିଶାତବାଗରେ । ଡାଲହ୍ରଦ କୂଳରେ ଅବସ୍ଥିତ ଏହି ଉଦ୍ୟାନ ମୋଗଲ ସମ୍ରାଟମାନଙ୍କ ଦ୍ଵାରା ନିର୍ମିତ ଉଦ୍ୟାନମାନଙ୍କ ମଧ୍ୟରେ ସର୍ବବୃହତ । ଏହି ଉଦ୍ୟାନ ନୂରଜାହାନଙ୍କ ଭାଇ ଆସଫ ଖାଁ ନିର୍ମାଣ କରାଇଥିଲେ । ପୀରପଞ୍ଜାଲ ପର୍ବତମାଳାର ଅଞ୍ଚଳରେ ଅବସ୍ଥିତ ଏଇ ଉଦ୍ୟାନ ଅତ୍ୟନ୍ତ ସୁନ୍ଦର । ସାରି ସାରି ଗଛ ଦୁଇପାଖରେ, ମଝିରେ ଅବସ୍ଥିତ ପ୍ରବହମାନ ଜଳଧାର । ନିଶାତବାଗରେ ଅନେକ ଫୁଲର ସମ୍ମିଳିତ ରଙ୍ଗ, କହନ୍ତି ଜଳର ରୌପ୍ୟଧାରା ଓ ଫୁଆରା ଏବଂ ବନସ୍ପତିମାନଙ୍କର ସବୁଜିମା ମନଜିଣା ।

 

ଏହାପରେ ଗଲୁ ଚଶମା ସାହି । ନିଶାତବାଗ ଠାରୁ ଦୁଇ କିଲୋମିଟର ଏବଂ ଶ୍ରୀନଗର ଠାରୁ ନଅ କିଲୋମିଟର ଦୂରରେ ଅବସ୍ଥିତ ଏହି ଉଦ୍ୟାନ ଖ୍ରୀଷ୍ଟାବ୍ଦ ୧୬୩୨ରେ ମୋଗଲ ସମ୍ରାଟ ସାହାଜାହାନଙ୍କ ଆଦେଶ ଦ୍ଵାରା ତାଙ୍କର ସୁବେଦାର ଅଲିମର୍ଦାନ ଖାଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ରମଣୀୟ ଉଦ୍ୟାନର ଗୋଟିଏ ପ୍ରାନ୍ତରେ ନିର୍ଝରିଣୀରୁ ଅବିରତ ଝରୁଛି ବାରିଧାରା । ଏହାର ଜଳ ସ୍ଵଚ୍ଛ ଏବଂ ସେଥିରେ ମୁଖଦର୍ଶନ କରିବା ଅତି ସହଜ । ଏହି ପାଣି ସ୍ଵାସ୍ଥ୍ୟବର୍ଦ୍ଧକ ମଧ୍ୟ । ଏଠାରେ ଅବସ୍ଥିତ ପରୀମହଲ ଦ୍ଵାରା ସୁଖୋଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ରାତିରେ ସମଗ୍ର ଉଦ୍ୟାନ ଆଲୋକିତ ହୋଇ ସ୍ଵର୍ଗ ରାଜ୍ୟର ଶୋଭା ଓ ସ୍ନପ୍ନ ସୃଷ୍ଟି କରେ ।

 

ଏହାପରେ ଆମେ ଗଲୁ ଶାଲିମାରବାଗ । ୫୩୯ ମିଟର ଲମ୍ବା ତଥା ୧୮୩ ମିଟର ଚୌଡ଼ା ଶାଲିମାରବାଗ ପ୍ରାୟ ୪୦୦ ବର୍ଷର ପ୍ରାଚୀନ ଉଦ୍ୟାନ । ଏହି ଉଦ୍ୟାନ ମୋଗଲ ଶାସକମାନଙ୍କର ପ୍ରକୃତି ପ୍ରେମର ନିଦର୍ଶନ । ଏଠାରେ ମଖମଲ ଗାଲିଚା ପରି ବିଛା ହୋଇଥିବା ସବୁଜ ଘାସ ଉପରେ ଥରେ ବସି ପାଣିର ଫୁଆରା ଆଡ଼କୁ ଅନାଇଲେ ଇନ୍ଦ୍ରଧନୁର ଦୃଶ୍ୟ ଆଖି ଝଲସାଇ ଦିଏ । ଝରଣାର ପାଣି ବନ୍ଦୀ ହୋଇ ବହିଯାଉଛି ସିମେଣ୍ଟ ଶଯ୍ୟା ଉପରେ । ଦୁଇ ପାଖରେ ସୁନ୍ଦରୀ କାଶ୍ମୀର ତରୁଣୀ ଓ ପର୍ଯ୍ୟଟକମାନଙ୍କର ଭିଡ଼ । ଫଟୋଗ୍ରାଫ୍‌ ନବାପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା । ଗୋଟିଏ ବଗିଚାରେ ବସି ଓ ବିଭିନ୍ନ ଠାଣିରେ ଏବଂ ଜଳାଧାର ନିକଟରେ ଆମେ କାଶ୍ମୀର ବେଶରେ ଅନେକ ରଙ୍ଗୀନ ଫଟୋ ଉଠାଇଲୁ । ଫଟୋ ଗୁଡ଼ିକ ଅତ୍ୟନ୍ତ ସୁନ୍ଦର ହୋଇଛି ଏହା ନିଃସନ୍ଦେହ । ଏଠାରେ ପର୍ଯ୍ୟଟକ ଦ୍ଵାରା ପ୍ରଦର୍ଶିତ ଧ୍ୱନି ଓ ଆଲୋକ ଅନେକଙ୍କର ମୁଗ୍‌ଧ ଦୃଷ୍ଟି ଆକର୍ଷଣ କରେ । ଏହି ଉଦ୍ୟାନରେ ଗୋଟିଏ ମହଲ ମଧ୍ୟ ଅଛି ଯାହା ଜାହାଙ୍ଗୀର ନିଜ ପତ୍ନୀ ନୁରଜାହାନଙ୍କ ପାଇଁ ତିଆରି କରାଇଥିଲେ ।

 

ସବୁଠାରେ ପର୍ଯ୍ୟଟକମାନଙ୍କର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା । ଅନେକ ହୋଟେଲ ଓ ରେସ୍ତୋରାଁ । ବହୁ ପ୍ରକାର ଖାଦ୍ୟ ସାମଗ୍ରୀ ଓ କୋଲ୍‌ଡ଼ ଡ୍ରିଙ୍କସ୍‌ର ଅଭାବ ନାହିଁ । ସେଠାରେ ଗୋଟିଏ ରେସ୍ତୋରାଁରେ ବସି ଦକ୍ଷିଣ ଭାରତୀୟ ଦୋଷା ଓ ବରା ଖାଇଲୁ ।

 

ମଧ୍ୟାହ୍ନରେ ଫେରି ଆସିଲୁ ବିଶ୍ରାମ ଭବନ (Rest House)କୁ । ଭାତ, ଅଣ୍ଡା ତରକାରୀ, ସାଲାଡ଼ ଓ ଡାଲି ପରମ ତୃପ୍ତିର ସହିତ ଭୋଜନ କରି ଅଳ୍ପ ସମୟ ବିଶ୍ରାମ କରି ପୁଣି ବାହାରିଲୁ ଡାଲ ହ୍ରଦ ବୁଲି ଦେଖିବା ପାଇଁ । ଡାଲ ହ୍ରଦ ଭିତରେ ନେହେରୁ ପାର୍କ ବନ୍ୟାଜଳ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିଲା ବୋଲି ଆଉ ଭିତରକୁ ଯାଇପାରିଲୁ ନାହିଁ ।

 

ଡାଲ ହ୍ରଦ ପର୍ଯ୍ୟଟକମାନଙ୍କର ପ୍ରଧାନ ଦର୍ଶନୀୟ ସ୍ଥାନ । ସ୍ଵଚ୍ଛନୀରା ଏଇ ହ୍ରଦ ଶ୍ରୀନଗରର ନାମକୁ ସାର୍ଥକ କରୁଛି ଯୁଗ ଯୁଗ ଧରି । ଉପରେ ସ୍ଵଚ୍ଛ ସୁନୀଳ ଆକାଶ ତଳେ ଡାଲ ହ୍ରଦର ନୀଳ ଜଳରାଶି ସ୍ଵପ୍ନ ସୃଷ୍ଟିକରେ ପର୍ଯ୍ୟଟକର ମନରେ । ସବୁ ଶିକାରା (ନୌକା) ଗୁଡ଼ିକ ସୁସଜ୍ଜିତ । ଆମେ ଦରକଷି ଦୁଇଘଣ୍ଟା ପାଇଁ ମାତ୍ର ତିରିଶ ଟଙ୍କାରେ ପାଇଗଲୁ ଗୋଟିଏ । ବସିବା ପାଇଁ ରାଜକୀୟ ବ୍ୟବସ୍ଥା । ଶିକାରାରେ ବସିବାକ୍ଷଣି ତାହା ଛୁଟିଲା ହ୍ରଦର ପାଣି କାଟି କାଟି । ଅନେକ ଶିକାରା ପାଲ ମେଲାଇ ଭାସୁଥିଲେ ହ୍ରଦ ଭିତରେ । ହଠାତ୍‌ ତୀର ବେଗରେ ଗୋଟିଏ ଶିକାରା ଆସି ଲାଗିଲା ଆମ ଶିକାରାରେ । ତେଏର ଚଉଦ ବର୍ଷର ସୁନ୍ଦରୀ କିଶୋରୀ ଗୋଛାଏ ନୀଳକଇଁ ଆମ ଆଡ଼କୁ ଆଗେଇ ଦେଇ କହିଲା, ସାହେବ ଫୁଲ... । ଆମେ ହାମ ପଚାରିଲୁ । ସେ କହିଲା, ଆପକୀ ମର୍ଜି । ତା’ଠାରୁ ଟଙ୍କାଟିଏ ଦେଇ ଗୋଛାଏ କଇଁଫୁଲ ନେଇ ଚାଲିଲୁ ଆଗକୁ । ହ୍ରଦର ମଧ୍ୟସ୍ଥଳରେ ଅନେକଗୁଡ଼ିଏ ହାଉସ୍‌ବୋଟ । ହ୍ରଦ ଉପରେ ଏଇ ହାଉସ୍‌ବୋଟ ବା ଭାସମାନ ଗୃହଗୁଡ଼ିକ ଗୋଟିଏ ଗୋଟିଏ ଛୋଟ ହୋଟେଲ ସଦୃଶ୍ୟ । ରହିବା, ଖାଇବାର ସୁବ୍ୟବସ୍ଥା ପ୍ରତ୍ୟେକ ହାଉସ୍‌ବୋଟରେ । ଦିନକୁ ଦୁଇଶହ ପଚାଶ ଟଙ୍କାରୁ ହଜାର ଟଙ୍କା ଭଡ଼ା । ଖାଇବା ପାଇଁ ସ୍ଵତନ୍ତ୍ର ଦେବାକୁ ପଡ଼େ ।

 

ପ୍ରତ୍ୟେକ ହାଉସ୍‌ବୋଟରେ ସ୍ଵତନ୍ତ୍ର ନାମ । ବମ୍ବେକୁଇନ୍‌, ନୁରଜାହାନ, ଏମ୍ପେରେସ୍‌, ହେଭେନେସ୍‌ ପ୍ରଭୃତି । ଡାଲ ହ୍ରଦର ନେହେରୁ ପାର୍କର ଅନତିଦୂରରେ ଭାସମାନ ବଜାର । ଯେମିତି ଆମର ଶିକାରା ନିକଟକୁ ଆସିଛି ଡାକିଲେ ଦୋକାନୀମାନେ । ପଶମ ଦ୍ରବ୍ୟ, ଗାଲିଚା, କାଠ ଓ ହାତୀଦାନ୍ତର ନାନାଦି ସାମଗ୍ରୀ ଗଚ୍ଛିତ ଅଛି ପ୍ରତ୍ୟେକଟିରେ ।

 

ସେତେବେଳକୁ ସନ୍ଧ୍ୟା ହୋଇ ଆସୁଥାଏ; ପଡ଼ନ୍ତା ସୂର୍ଯ୍ୟର ଶେଷ ସୁନେଲୀ କିରଣ ବିଛେଇ ହୋଇ ପଡ଼ିଥାଏ । ହ୍ରଦର ଚତୁର୍ଦ୍ଦିଗରେ ସ୍ଵପ୍ନ ସୃଷ୍ଟି କରୁଥାଏ; ଡାଲ ହ୍ରଦ ସନ୍ଧ୍ୟା ହେବାବେଳକୁ ହ୍ରଦ ଭିତରେ ହାଉସ୍‌ବୋଟ୍‌ମାନଙ୍କରେ ନେହେରୁ ପାର୍କରେ ଓ ହ୍ରଦର ଚତୁର୍ଦ୍ଦିଗରେ ଥିବା ସହର ଓ ରାସ୍ତାରେ ଜଳିଉଠିଲା ଅଜସ୍ର ଆଲୋକ ।

 

ସେତେବେଳକୁ ମୁନା ଆବିଷ୍କାର କରିଥାଏ ମାଛ ଭଜା । ଡାଲ ହ୍ରଦର କୂଳରେ ରେସ୍ତୋରାଁ ଓ ରାସ୍ତାକଡ଼ରେ ନଦୀ ଓ ହ୍ରଦରୁ ଧରାଯାଇଥିବା ମାଛ ଭାଜି ବିକ୍ରି ହୁଏ ପ୍ରତିଦିନ । ହ୍ରଦକୂଳର ରେସ୍ତୋରାଁରେ ଲୋକମାନଙ୍କ ଭିଡ଼ ଦେଖି ଆମେ ଜାଣିଲୁ କାହିଁକି ବଙ୍ଗାଳୀମାନେ ଏତେ ସଂଖ୍ୟାରେ ଆସନ୍ତି କାଶ୍ମୀର ଭ୍ରମଣ ପାଇଁ ।

 

ତା’ପରଦିନ ଆମେ ବାହାରିଲୁ ଶଙ୍କରାଚାର୍ଯ୍ୟ ମନ୍ଦିର ଦର୍ଶନ ପାଇଁ । ଡାଲଲେକ ନିକଟରେ ଏକ ଛୋଟ ପାହାଡ଼ର ଶୀର୍ଷଦେଶରେ ନିର୍ମିତ ଏଇ ମନ୍ଦିର ବହୁ ପର୍ଯ୍ୟଟକଙ୍କ ଦର୍ଶନୀୟ ସ୍ଥାନ । ଶଙ୍କରାଚାର୍ଯ୍ୟ ଭାରତଭ୍ରମଣ ସମୟରେ ଏଠାକୁ ଆସି ଏହି ପାହାଡ଼ ଉପରେ ବିଶ୍ରାମ କରିଥିଲେ ବୋଲି କିମ୍ବଦନ୍ତୀ ଅଛି । ସେଥିପାଇଁ ଏହି ପାହାଡ଼ ଓ ତା’ଉପରେ ନିର୍ମିତ ମନ୍ଦିରକୁ ତାଙ୍କ ନାମ ଅନୁସାରେ ନାମକରଣ କରାଯାଇଛି । ଶଙ୍କରାଚାର୍ଯ୍ୟ ପାହାଡ଼ର ଶୀର୍ଷଦେଶରୁ ସମଗ୍ର ଶ୍ରୀନଗର ସହର, ଡାଲ ହ୍ରଦ ଓ ଚତୁର୍ଦ୍ଦିଗରେ ଅନନ୍ତକାଳରୁ ପ୍ରହରୀ ସଦୃଶ ଛିଡ଼ା ହୋଇଥିବା ଚିରହରିତ୍‌ ପର୍ବତମାଳା ଓ ବରଫାବୃତ୍ତ ପର୍ବତ ଶୃଙ୍ଗ, ମନ ଓ ନୟନକୁ ଆକର୍ଷଣ ଓ ଅଭିଭୂତ କରେ-। ସେଠାରେ ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଦର୍ଶନ କରି ଓ ସ୍ପଟିକ ଶିବଲିଙ୍ଗଙ୍କୁ ପୂଜାର୍ଚ୍ଚନା କରି ପୁଣି ଫେରି ଆସିଲୁ ଶ୍ରୀନଗରର ବିଶ୍ରାମକକ୍ଷକୁ ।

 

ଶ୍ରୀନଗର ଜଳବାୟୁ ସ୍ଵାସ୍ଥ୍ୟପ୍ରତି ଅତୀବ ଅନୁକୂଳ । ସେଥିଲାଗି ଶୀତ ଓ ବର୍ଷା ଋତୁ ଛାଡ଼ି ଅନ୍ୟ ସମୟରେ ଏଠାରେ ଭିଡ଼ ଜମେ ପର୍ଯ୍ୟଟକମାନଙ୍କର । ଶୀତଋତୁରେ ପ୍ରବଳ ତୁଷାରପାତ ହେବା ଫଳରେ ଶ୍ରୀନଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଛାଇଯାଏ ବରଫରେ । ଗୁଲମାର୍ଗ ପ୍ରଭୃତି ସ୍ଥାନରେ ସ୍କେଟିଂ କରିବାଲାଗି ଆସନ୍ତି ଖେଳାଳୀମାନେ । ଶ୍ରୀନଗରରେ ଅବସ୍ଥାନ କାଳରେ ସେଠାରେ ଲୋକଙ୍କର ସ୍ଵାଭାବିକ ଜୀବନଯାତ୍ରା, ଆତିଥେୟତା ଓ ପର୍ଯ୍ୟଟକମାନଙ୍କ ପ୍ରତି ଭଦ୍ର ବ୍ୟବହାର ଆମକୁ ବେଶ୍‌ ପ୍ରଭାବିତ କଲା । ଟାକ୍‌ସି, ଅଟୋରିକ୍‌ସା ଓ ଟଙ୍ଗାବାଲାମାନଙ୍କର ବ୍ୟବହାର ଆମ ରାଜ୍ୟର ଟ୍ୟାକ୍‌ସି ଓ ରିକ୍‌ସାବାଲାଙ୍କ ଅପେକ୍ଷା ନିଶ୍ଚିତଭାବେ ଭଲ । ଦର କଷାକଷି ମଧ୍ୟ କମ୍‌ ସେଠାରେ । ସମଗ୍ର କାଶ୍ମୀର ରାଜା କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ବେଶୀଭାଗ ନିର୍ଭର କରେ । କାଶ୍ମୀରବାସୀଙ୍କୁ ତୁଷ୍ଟ କରି ପାକିସ୍ଥାନ ପ୍ରତି ବିମୁଖ କରିବାଲାଗି ଚାଳିଶ ବର୍ଷ ହେଲା ଯେଉଁ ପ୍ରଚେଷ୍ଟା ହୋଇଆସୁଛି ତାହାରି ଫଳ ଇଏ । ତଥାପି ମଧ୍ୟେ ମଧ୍ୟେ ପାକିସ୍ଥାନ ପ୍ରତି ସମର୍ଥନ ଜଣାଇ ଗଣ୍ଡଗୋଳ କରନ୍ତି ଦଳେ । ଚାଉଳ ଦର ଏଗାର କେଜିକୁ ତିରିଶ ଟଙ୍କା, ବିଜୁଳି ଶକ୍ତିର ଦର ଉତ୍ପାଦନ ଖର୍ଚ୍ଚଠାରୁ ଅନେକ କମ୍‌, ଅନ୍ୟାନ୍ୟ ଜାଳେଣି ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦାମ୍‌ ମଧ୍ୟ ଅନୁରୂପ । ସେଥିପାଇଁ କାଶ୍ମୀରବାସୀ ଅଧିକରୁ ଅଧିକ ସ୍ଵାବଲମ୍ବୀ ନ ହୋଇ ସରକାରୀ ଅନୁଦାନ ଉପରେ ନିର୍ଭର କରନ୍ତି । ଏବେ ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ସରକାର ଅର୍ଥନୀତିରୁ ଏଇ ଅସମତଳ ଅବସ୍ଥା ଦୂର କରିବା ଲାଗି ପ୍ରୟାସୀ ।

 

ଶ୍ରୀନଗର ସହରର ସନ୍ଧ୍ୟା ଅତ୍ୟନ୍ତ ମନୋରମ । ଆମେ ବଜାର ବୁଲିଲାବେଳେ ପରିବା, ଫଳ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯେଉଁ ମୂଲ୍ୟରେ କ୍ରୟ କଲୁ ତାହା ଆମ ଓଡ଼ିଶା ବା କଲିକତାର ଦରଠାରୁ ଅତି ବେଶୀ ନୁହେଁ, ବରଂ ଅନେକ କ୍ଷେତ୍ରରେ ପ୍ରାୟ ସମାନ କହିଲେ ଚଳେ । କିନ୍ତୁ ପଶମ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳେ । ବଜାରରେ ଆମ୍ବ, ଚେରୀ, ଲିଚୁ ପ୍ରଭୃତି ଫଳର ଆମଦାନୀ ବେଶୀ ।

 

ଗୁଲମାର୍ଗ କାଶ୍ମୀର ଉପତ୍ୟକାର ପୁଷ୍ପୋଦ୍ୟାନ ଭାବରେ ରଚିତ । ଏହା ଶ୍ରୀନଗର ଠାରୁ ୫୬ କିଲୋମିଟର ଦୂରରେ ଅବସ୍ଥିତ । ଶ୍ରୀନଗରର ଉତ୍ତର ପଶ୍ଚିମରେ ଅବସ୍ଥିତ ଗୁଲମାର୍ଗ ମନୋରମ ସ୍ଥାନମାନଙ୍କ ମଧ୍ୟରେ ଅନ୍ୟତମ । ଫିର ଓ ପାଇନ ବୃକ୍ଷ ଦ୍ୱାରା ପରିବେଷ୍ଟିତ ଗୁଲମାର୍ଗର ଚତୁର୍ଦ୍ଦିଗରେ ପୁଷ୍ପ ଉଦ୍ୟାନ ଓ ନାନା ଜାତି ଓ ରଙ୍ଗର ଫୁଲ ମନପ୍ରାଣକୁ ପୁଲକିତ କରେ । ଗୁଲମାର୍ଗରେ ପ୍ରତି ଋତୁରେ ଉତ୍ସବ, ପ୍ରତି ମନ ଅଭିରାମ । ମଧ୍ୟେ ମଧ୍ୟେ ଅରଣ୍ୟର କୋଳରୁ କଳକଳ ନାଦକରି ବହିଯାଉଛି; ନିର୍ଝରିଣୀ । ଏହାର ପ୍ରାକୃତିକ ବିଭବ ଅତ୍ୟନ୍ତ ଚିତ୍ତାକର୍ଷକ-। ଗଲଫ୍‌ ଖୋଜିବାଲାଗି ଗୁଲମାର୍ଗକୁ ଆସନ୍ତି ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ-। ଏଠାରୁ ପର୍ବତାରୋହଣ କରିବାଲାଗି ମଧ୍ୟ ବିଭିନ୍ନ ପଥ ରହିଛି । ଗୁଲମାର୍ଗରେ ରହିବାପାଇଁ ଟୁରିଷ୍ଟ ବଙ୍ଗଳା ଓ ହୋଟେଲ ଅଛି । ଶ୍ରୀନଗରରୁ ସକାଳେ ଯାଇ ସନ୍ଧ୍ୟାକୁ ଫେରିବା ମଧ୍ୟ ସହଜ-। ଏଠାରୁ ଖିଲାମ୍‌ମାର୍ଗ, ଏନମାର୍ଗ, ଅଲପାଥେର ହ୍ରଦ ଓ ୟସମାର୍ଗ ଯିବାପାଇଁ ସୁବିଧା ଅଛି-

 

ଶ୍ରୀନଗରରେ ତିନିଦିନ ରହି ସବୁ ଦର୍ଶନୀୟ ସ୍ଥାନ ଦେଖିସାରି ଆମେ ପହଲଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲୁ କାଶ୍ମୀର ରାଜ୍ୟ ସଡ଼କ ପରିବହନ ବସ୍‌ରେ । ଏଠାରେ ବସ୍‌ ଗୁଡ଼ିକର ଅପେକ୍ଷାକୃତ ଭଲ ଅବସ୍ଥା ଓ ସମୟର ବେଶୀ ଏପାଖ ସେପାଖ ହୁଏ ନାହିଁ । ବସ୍‌ରେ ପୂର୍ବରୁ ଟିକଟ କରି ସ୍ଥାନ ସଂରକ୍ଷଣ କରିଥିଲୁ ।

 

ଶ୍ରୀନଗର ସହର ପାରହୋଇ ପହଲଗାଁ ଅଭିମୁଖରେ ଯିବାବେଳେ ଏଠାରୁ ୬୪ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟମନ୍ଦିର ମାର୍ତ୍ତଣ୍ଡ ଦୃଷ୍ଟିରେ ପଡ଼ିଲା । ଏହି ସୂର୍ଯ୍ୟ ମନ୍ଦିର ରାଜା ଲଳିତାଦିତ୍ୟ ମୁକ୍ତାପିଡ଼ଙ୍କ ଦ୍ୱାରା ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ।

 

ଶ୍ରୀନଗରଠାରୁ ପହଲଗାଁ ଯିବା ରାସ୍ତାରେ ସେଠାରୁ ପଞ୍ଚାବନ କିଲୋମିଟର ସ୍ଥାନରେ ଅବସ୍ଥିତ ଅନନ୍ତନାଗ ଓ ମଟନ । ଅନନ୍ତନାଗ ଏକ ପ୍ରଧାନ ବାଣିଜ୍ୟପୀଠ । ଏଠାରେ ଦୁଇଟି ଝରଣା ପ୍ରବାହିତ । ଲୋକକଥା ଅନୁସାରେ ଗୌତମ ଋଷି ଇନ୍ଦ୍ରଙ୍କୁ ଅଭିଶାପ ଦେବାଦ୍ୱାରା ତାଙ୍କ ଶରୀର ବିକଳାଙ୍ଗ ହୋଇଗଲା । ଏହା ପରେ ସେଥିରୁ ମୁକ୍ତ ହେବା ଲାଗି ଇନ୍ଦ୍ର ବିଷ୍ଣୁଙ୍କୁ ଆରାଧନା କରିବାକୁ ଗଲେ । ତାଙ୍କର ତପସ୍ୟାରେ ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ପ୍ରଥମେ ମଲକନାଗରେ ସ୍ନାନ କରିବା ପାଇଁ ଆଜ୍ଞା ଦେଲେ । ତାଙ୍କର ଶରୀରର ମଇଳା ଦ୍ୱାରା ଯେଉଁ ଗନ୍ଧକ ନିର୍ଗତ ହେଲା ତାହା ମଳିରେ ଏହି ଅନନ୍ତନାଗ । ଏହାହିଁ ଏବେ ଅନନ୍ତନାଗ ନାମରେ ବିଖ୍ୟାତ ।

 

ଅନନ୍ତନାଗର ରାଜନୈତିକ ବାତାବରଣ ସର୍ବଦା ଉଗ୍ର । ଏହାର ଅଧିବାସୀମାନେ ସଚେତନ ଓ ପ୍ରଧାନତଃ ବିପକ୍ଷବାଦୀ । ସେଠାରେ ଜଳପାନ ଶେଷ କରି ଅଗ୍ରସର ହେଲୁ ପହଲଗାଁ ଆଡ଼କୁ ।

 

ପହଲଗାଁକୁ ଯିବା ରାସ୍ତାରେ କୃଷି ପ୍ରଧାନ କାଶ୍ମୀର ଉପତ୍ୟକାର ସ୍ଵରୁପ ଆମ ଆଖି ଆଗରେ ଉଦ୍‌ଘାଟିତ ହେଉଥାଏ । ଚାଷୀମାନଙ୍କୁ ଲଙ୍ଗଳ ଲଗାଇ ବିହୁଡ଼ା ଓ ରୁଆ କାର୍ଯ୍ୟ କରୁଥିବା ଦେଖିଲୁ । କିନ୍ତୁ ଆମ ଚାଷୀଭାଇମାନଙ୍କ ପରି ସେମାନଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖି ନାହିଁ । ସମସ୍ତଙ୍କ ଶରୀର ପରିଧାନ ଦ୍ଵାରା ଆବୃତ । କିନ୍ତୁ ଆମର ଓ କାଶ୍ମୀରର କୃଷି ପ୍ରଣାଳୀରେ କୌଣସି ପରିବର୍ତ୍ତନ ଦେଖିଲୁ ନାହିଁ । ଗୋଟିକ ପରେ ଗୋଟିଏ ଗ୍ରାମ ଅତିକ୍ରମ କରିଯିବା ବେଳେ କାଠ ନିର୍ମିତ ଏକ ମହଲା, ଦୁଇ ମହଲା ଘରଗୁଡ଼ିକ ଦୃଷ୍ଟି ଆକର୍ଷଣ କରେ । କାଠରେ ନାନାବିଧ କାରୁକାର୍ଯ୍ୟ କାଶ୍ମୀରବାସୀଙ୍କ କଳା ପ୍ରେମର ପରିଚୟ ଦିଏ ।

 

ପହଲଗାଁ ଶ୍ରୀନଗରଠାରୁ ୯୩ କିଲୋମିଟର ଦୂରରେ ଅବସ୍ଥିତ । ସମୁଦ୍ରପତ୍ତନ ଠାରୁ ଏହାର ଉଚ୍ଚତା ୭୦୦୦ ଫୁଟ । ପହଲଗାଁ ଲିଡ଼ର ଓ ଶେଷନାଗ ନଦୀର ସଙ୍ଗମ ସ୍ଥଳରେ ବରଫାବୃତ୍ତ ପର୍ବତମାଳାର ପାଦଦେଶରେ ଫିର, ପାଇନ ଓ ଚିନାର ଅରଣ୍ୟ ମଧ୍ୟରେ ସୌନ୍ଦର୍ଯ୍ୟ ପସରା ମେଲାଇ ଅବସ୍ଥିତ । ଏହାର ଜଳବାୟୁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ଓ ମନୋରମ । ଯେଉଁମାନେ ପ୍ରକୃତିର ନୈସର୍ଗିକ ରୂପ, ଚାରିଦିଗରେ ଧ୍ୟାନମଗ୍ନ ଋଷିପରି ନିଶ୍ଚଳ ଚିତ୍ତରେ ଯୁଗଯୁଗ ଧରି ଛିଡ଼ା ହୋଇଥିବା ପର୍ବତମାଳାର ରୂପ ଦର୍ଶନ କରି ମୁଗ୍‌ଧ ମୋହିତ ହୋଇ ସଂସାରର ଚିଡ଼ଚିଡ଼ା କିଛିସମୟ ପାଇଁ ପାଶୋରି ଦେବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ପହଲଗାଁ ହେଉଛି ଏକ ଚିତ୍ତ ପ୍ରଶାନ୍ତ କରୁଥିବା ରମଣୀୟ ସ୍ଥାନ ।

 

ବସ୍‌ଷ୍ଟାଣ୍ଡରୁ ଓହ୍ଲାଇବାକ୍ଷଣି ଘେରିଗଲେ କୁଲିମାନେ । ଜଣେ କୁଲି ଆମର ସମସ୍ତ ସୁଟକେଶ ଓ ବିଛଣା ବୋହିନେବାର ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ । ସେତେବେଳକୁ ଅପରାହ୍ନ ଚାରିଟା । ଶୀତଳ ପବନର ଶୀତଳତା ବୃଦ୍ଧି ପାଇବାରେ ଲାଗିଥାଏ । ବସ୍‌ଷ୍ଟାଣ୍ଡରୁ ରେଳବାଇ ରେଷ୍ଟହାଉସ ପ୍ରାୟ ଦୁଇ କିଲୋମିଟର, ଅପେକ୍ଷାକୃତ ଏକ ଶାନ୍ତ ପରିବେଶରେ ଚିରସ୍ରୋତା ଖରସ୍ରୋତା ଲିଡ଼ର ନଦୀ କୂଳରେ । ଆମକୁ ଆଠ ନମ୍ବର କୋଠରୀ ମିଳିଲା । ଝରକା ଖୋଲିଲେ ଆଖି ଆଗରେ ଲିଡ଼ର ନଦୀ ଓ କାନ ପାଖରେ ତା’ର ଚିରନ୍ତନୀ ମଧୁର ସଙ୍ଗୀତ । ଉସମାନ୍‌ ମହମ୍ମଦ ରେଷ୍ଟହାଉସର କେଆରଟେକର । ବୟସ ପଞ୍ଚାବନ ପାଖାପାଖ‌ି । ପାଞ୍ଚଟି ସନ୍ତାନର ଜନକ । ସେ ଆମକୁ ସଙ୍ଖୋଳି ନେଇ କହିଲା, ସାହେବ ଆରାମ କିଜିଏ, ମୈ ଚଲତା ହୁଁ ।

 

ଚା’ ପିଇ ସାରିବା ବେଳକୁ ବେଳ ରତରତ । ଲିଡ଼ର ନଦୀ କୂଳରେ ଦଣ୍ଡେ ଛିଡ଼ାହୋଇ ଚାହିଁଲୁ ସମ୍ମୁଖର ପର୍ବତ ଚୂଡ଼ାକୁ । ସେତେବେଳକୁ ସୂର୍ଯ୍ୟଦେବଙ୍କର ଶେଷ ରଶ୍ମି ଅପସରି ଯିବାକୁ ଆରମ୍ଭ କରିଥାଏ । ସୂର୍ଯ୍ୟାସ୍ତ ପରେ ପରେ ରେଷ୍ଟହାଉସକୁ ଫେରି ଆସିଲୁ । ସେତେବେଳକୁ ରାତ୍ରି ଭୋଜନର ଆୟୋଜନ କରିବା ପାଇଁ ମୁନା ବରାଦ କରୁଥାଏ ଉସମାନ ଖାଁକୁ । ଗିରୀଶ ବଜାରରୁ ପରିବା, ଚାଉଳ, ପାଉଁରୁଟି, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବା ଲାଗି ତାଲିକା ଦେଇ ପଠାଇଦେଲା ଚୌକିଦାରକୁ ।

 

ପ୍ରଥମ ରାତି ଖାଇ ସାରିବାବେଳକୁ ପ୍ରାୟ ଦଶଟା । ସେତେବେଳକୁ କବାଟ ଝରକା ବନ୍ଦକରି ଆମେ ଥରୁଥାଉ ଶୀତରେ । ଉସ୍‌ମାନ ଖାଁ କିନ୍ତୁ କହିଲା, ‘‘କୋଇ ତକ୍‌ଲିଫ୍‌ ନେହିଁ ହୋଗା ସାହେବ, ବହୁତ୍‌ କମ୍ବଲ ହୈ । ହରେକ ଲିୟେ ଚାର ଚାର କମ୍ବଲ ଦେତା ହୁଁ ।’’ ସେ କମ୍ବଳ ଯୋଗାଇ ଦେଲା, ବିଛଣା ଲଗାଇ ଦେଲା । ମୁନା ଓ ଗିରୀଶ ତିନୋଟି କରି କମ୍ବଳ ନେଲେ ଆମେ ନେଲୁ ପାଞ୍ଚଟି କରି । ତଥାପି ପାଞ୍ଚଟି କମ୍ବଳ ତଳେ ଶୀତରେ ଥରୁଥାଏ ଦେହ, କମ୍ବଳ ଉପରେ ଯେପରି ଅଜାଡ଼ି ହୋଇ ପଡ଼ୁଥାଏ, ହିମାଳୟର ବରଫ ପାହାଡ଼ ।

 

ପହଲଗାଁର ପ୍ରଭାତ ଅତି ପ୍ରଶାନ୍ତ । ଲନ୍‌ରେ ବସି ଅନେଇଲେ ଦୂରରେ ବରଫମଣ୍ଡିତ ଯେଉଁ ପର୍ବତ ଚୂଡ଼ା ଦୃଷ୍ଟିରେ ପଡ଼େ, ସେଇଠାରେ ହିନ୍ଦୁମାନଙ୍କ ପରମ ତୀର୍ଥ ଅମରନାଥ । ସେଇ ଦେବ ଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ସକାଳର ସବୁ କାର୍ଯ୍ୟ ଶେଷକରି ଆମେ ବାହାରିଲୁ ପାର୍ବତ୍ୟ ପଥରେ ଭ୍ରମଣ କରିବା ଉଦ୍ଦେଶ୍ୟରେ । ଲିଡ଼ର ନଦୀକୁ ଅତିକ୍ରମ କରିବାଲାଗି କେତେ ସ୍ଥାନରେ ତିଆରି ହୋଇଛି କାଠପୋଲ । ନଦୀର ଏ ଦୁଇ କୂଳରେ ହୋଟେଲ, ହଲିଡ଼େ ହୋମ୍‌ ଓ ବଙ୍ଗଳା । ଏହାର ଚତୁର୍ଦ୍ଦିଗରେ ଚିରହରିତ୍‌ ଚିନାର ଗଛମାନଙ୍କର ଆକାଶଶ୍ଚୁମ୍ବୀ ଶୋଭା ମନକୁ ଉଲ୍ଲସିତ କରେ । ଉପରକୁ ଚାହିଁଲେ ଦୃଷ୍ଟିରେ ପଡ଼େ ପଥର ଓ ବରଫଢ଼ଙ୍କା ପର୍ବତ ଶୃଙ୍ଖାବଳି ।

 

ଅମରନାଥଙ୍କ ଦର୍ଶନ ପାଇଁ ପହଲଗାଁରୁ ଯାତ୍ରା ଆରମ୍ଭ କରିବାକୁ ହୁଏ । ଏଠାରୁ ଅମରନାଥର ଦୂରତ୍ଵ–ପଇଁଚାଳିଶ କିଲୋମିଟର । ଯାତ୍ରାପଥ ଦୁର୍ଗମ ଓ କ୍ଳେଶପୂର୍ଣ୍ଣ । କିନ୍ତୁ ଯୁଗ ଯୁଗ ଧରି ଏହି ଦୁର୍ଗମ ପଥ ଆହ୍ୱାନ କରୁଛି ମଣିଷକୁ । ମଣିଷର ଅପ୍ରତିହତ ଊର୍ଦ୍ଧ୍ଵମୁଖୀ ଚେତନା ସେଇ ଆହ୍ଵାନର ସମ୍ମୁଖୀନ ହୋଇ ତାକୁ ଟାଣି ନେଇଛି ସେଇ ପରମଙ୍କ ପାଖକୁ–ଯେଉଁଠି ସେ ଆବିଷ୍କାର କରିଛି ନିଜ ଭିତରେ ସେଇ ସତ୍ୟ, ଶିବ, ସୁନ୍ଦରଙ୍କୁ । ଉତ୍ତର ପୂର୍ବରେ ଅବସ୍ଥିତ ଅମରନାଥ ପର୍ବତମାଳା । ଅମରନାଥ ସମୁଦ୍ର ପତ୍ତନଠାରୁ ୧୨୩୧୯ ଫୁଟ ଉପରେ ଅବସ୍ଥିତ ଏବଂ ଏହାର ଗିରିଶୃଙ୍ଗ ଚିର ବରଫାବୃତ୍ତ । ଏହାର ୬୦ ଫୁଟ ଲମ୍ବ, ୨୮ ଫୁଟରୁ ୩୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପ୍ରାକୃତିକ ଗୁମ୍ଫାରେ ବରଫ ବା ହିମଲିଙ୍ଗ ବିରାଜମାନ । ଅମରନାଥର ଶିବଲିଙ୍ଗ ଏଥିପାଇଁ ପୃଥିବୀ ପ୍ରସିଦ୍ଧ । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାଦିନ ହଜାର ହଜାର ତୀର୍ଥଯାତ୍ରୀ ଆସନ୍ତି ଅମରନାଥଙ୍କୁ ଦର୍ଶନକରି ଆଧ୍ୟାତ୍ମିକ ଶକ୍ତି ଓ ପୁଣ୍ୟ ଅର୍ଜନ କରିବା ପାଇଁ । ପହଲଗାଁ ପରେ ଚନ୍ଦନବାଡ଼ି । ଚନ୍ଦନବାଡ଼ି ପର୍ଯ୍ୟନ୍ତ ଏଇ ପଥରେ ଜିପ୍‌ ମଧ୍ୟ ଯାଇପାରେ । ଏହା ପରେ କିନ୍ତୁ କେବଳ ପାଦରେ ଚାଲିବା ବା ଡୋଲିରେ ବା ଗଧ ପିଠିରେ ଯିବାକୁ ହୁଏ । ଚନ୍ଦନବାଡ଼ି ପରେ ଶେଷନାଗ, ବାବଜାନ, ପଞ୍ଚତରଣୀ ଏବଂ ତା’ପରେ ବିଶ୍ୱପ୍ରସିଦ୍ଧ ହିନ୍ଦୁମାନଙ୍କର ପରମତୀର୍ଥ ଅମରନାଥ । ଆହୁରି ଉପରକୁ ଗଲେ ଯୋଜିଲା ଗିରିପଥ ; ଯେଉଁ ପଥ ଦେଇ ବିଶ୍ଵବିଜୟ ଉଦ୍ଦେଶ୍ୟରେ ବିରାଟ ସୈନ୍ୟବାହିନୀ ନେଇ ଆସିଥିଲେ ମଙ୍ଗୋଲ ସମ୍ରାଟ ଚେଙ୍ଗିଜ ଖାଁ ।

 

ଆଉ ଆଗକୁ ଯିବାର ବେଳ ନାହିଁ । ଲିଡ଼ାର ନଦୀର ସ୍ୱଚ୍ଛ ହିମଶୀତଳ ଜଳଧାର ଓ ଏହାର କୁଳୁକୁଳୁ ନାଦ ଆହ୍ଲାଦିତ ପୁଲକିତ କଲା ମନ ଓ ପ୍ରାଣକୁ । ସେଇ ଫୁର୍ତ୍ତିରେ ବଜାର ବୁଲିଲୁ, ପଶମ ଚାଦର ଓ କମ୍ବଳ କିଣିଲୁ ; ଯାହାର ମୂଲ୍ୟ ଏପରିକି କଲିକତା ବଜାରରେ ବି ପ୍ରାୟ ଦୁଇଗୁଣ-। ପହଲଗାଁର ଚିରଶ୍ୟାମଳ ଅରଣ୍ୟ ଭିତର ଦେଇ ନୂତନର ଅନ୍ଵେଷଣ କରି ଅଜଣାକୁ ଜାଣିବାଲାଗି ଓ ଅଜେୟକୁ ଜୟ କରିବା ଲାଗି ଅଗ୍ରସର ହେଉଛି ମନୁଷ୍ୟ..... ତା’ର ଗତି କେବଳ ଉର୍ଦ୍ଧ୍ୱକୁ.....ଉର୍ଦ୍ଧ୍ୱକୁ । ପାହାଡ଼ ପର୍ବତ ଡେଇଁ ସେ ଚାଲିଛି ଅନନ୍ତ କାଳରୁ ଜୀବନରହସ୍ୟ ଉଦ୍‌ଘାଟନ କରିବା ପାଇଁ, ଜୀବନର ସ୍ୱାଦ ଆସ୍ୱାଦନ କରିବା ପାଇଁ ।

 

ସେଇ ଅଭିଳାଷ ପୁଣି ଜାଗ୍ରତ ହେଲା ମନରେ । କିନ୍ତୁ ଛୁଟି ସରିଆସୁଥିଲା ସେତେବେଳକୁ । ଫେରିବା ଲାଗି ପ୍ରସ୍ତୁତି ଚାଲିଲା । ଉସ୍‌ମାନ ଖାଁ କହିଲା ଆଉଥରେ ଆସିବେ ସାହେବ ପିଲାମାନଙ୍କୁ ସାଙ୍ଗରେ ନେଇ ।

 

ସେଇ ଉସ୍‌ମାନ ଖାଁ ମୁହଁରୁ ଶୁଣିଲୁ ଶୀତଦିନର କଥା । ସମସ୍ତ ପହଲଗାଁ ଓ ସେପାଖର ସବୁ ଅଞ୍ଚଳ ଢାଙ୍କିଯାଏ ବରଫରେ । ଉସ୍‌ମାନ ଖାଁ ସେତେବେଳେ ଚାଲିଯାଏ ନିଜ ଘରକୁ–ଚନ୍ଦନବାଡ଼ି । ବରଫ ଚାରିଆଡ଼େ । କିନ୍ତୁ ସଂଗ୍ରହ କରି ରଖିଥିବା ଜାଳେଣିରେ ଅଗ୍ନି ସଂଯୋଗ କରି ମାସାଧିକ କାଳ ଅତିବାହିତ କରନ୍ତି ସେମାନେ । ଏହା ସତ୍ତ୍ୱେ ପରଓ୍ୱା ନାହିଁ ଉସ୍‌ମାନ ଖାଁର । କଷ୍ଟ ନଥିଲେ ଜୀବନ କ’ଣ ଏଡ଼େ ସୁନ୍ଦର, ଏଡ଼େ ମଧୁର ହୁଅନ୍ତା ।

 

ଲିଡ଼ାର ନଦୀର କାଠପୋଲ ପାର ହୋଇ ଚାଲିଲୁ ବସ୍‌ଷ୍ଟାଣ୍ଡ ଆଡ଼କୁ ।

 

ବସ୍‌ରେ ବସିବା ପୂର୍ବରୁ ଆଉଥରେ ଦୃଷ୍ଟି ପ୍ରଦକ୍ଷିଣ କରି ଆସିଲା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ । ହିମପୂର୍ଣ୍ଣ, ଗିରିଚୂଡ଼ା, ଚିରଶ୍ୟାମଳ ଅରଣ୍ୟ ନିର୍ମେଘ ଆକାଶସବୁ ପୁଣି ଭାସିଉଠିଲା ଆଖି ଆଗରେ । ନମସ୍କାର କଲୁ ଅମରନାଥଙ୍କୁ ।

 

Unknown

ଶୋଭାମୟୀ ହାସ୍ୟମୟୀ କେରଳ

।। ଏକ ।।

 

ଏବେ କେରଳ ଯିବାପାଇଁ ଆଉ ମାନ୍ଦ୍ରାଜ ଟ୍ରେନ୍‌ ବଦଳ କରିବାକୁ ପଡ଼େ ନାହିଁ । ଗୁଆହାଟୀଠାରୁ ତ୍ରିଭେନ୍ଦ୍ରମ୍‌ ପର୍ଯ୍ୟନ୍ତ ସପ୍ତାହରେ ଥରେ ବିବେକାନନ୍ଦ ଏକ୍‌ସପ୍ରେସ ଚଳାଚଳ କରେ-। ମେଘମାଳା ଓ ସବୁଜ ଅରଣ୍ୟ ପରିଶୋଭିତ ବିଶାଳ ନଦ ବ୍ରହ୍ମପୁରର ଗୀତ ଗାଇ ଗାଇ ଗୁଆହାଟୀ ତ୍ରିଭେନ୍ଦ୍ରମ ଏକ୍‌ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚେ ପ୍ରତି ମଙ୍ଗଳବାର ସକାଳ ଛଅଟା ପନ୍ଦର ମିନିଟ୍‌ରେ । ଏଥିରେ ଭୋଜନ ଯାନ ଥିବାରୁ ଯେତେବେଳେ ଯେଉଁଠାରେ ଖାଦ୍ୟ ବା ପାନୀୟ ପ୍ରୟୋଜନ ହୁଏ ମିଳିଯାଏ; ଅବଶ୍ୟ ଦକ୍ଷିଣ ଭାରତୀୟ ରନ୍ଧନ ପ୍ରଣାଳୀ ଓ ଖାଦ୍ୟର ପ୍ରାଧାନ୍ୟ । ଦୋଷା, ବରା, ଇଟଲି, କଫି ବା ଚା’ ଏବଂ ମଧ୍ୟାହ୍ନ ବା ରାତ୍ରିଭୋଜନ ପାଇଁ ଭାତ ଓ ପୁରି ସହିତ ସମ୍ବର, ତରକାରୀ ଓ ଆଚାର ।

 

ଜନସାଧାରଣଙ୍କ ମଧ୍ୟରେ ଖ୍ୟାତିଲାଭ କରିଥିବା ଏହି ଏକ୍‌ସପ୍ରେସର ନାମ ବିବେକାନନ୍ଦ ଏକ୍‌ସପ୍ରେସ । କାରଣ ଏହା ପୂର୍ବଭାରତ ସହିତ ଦକ୍ଷିଣଭାରତର ଶେଷପ୍ରାନ୍ତକୁ ସଂଯୋଗ କରେ ଏବଂ ଭାରତୀୟ ସାଂସ୍କୃତିକ ନବଚେତନା ଓ ମାନବବାଦର ପ୍ରବର୍ତ୍ତକ ସ୍ଵାମୀ ବିବେକାନନ୍ଦ କେରଳର କନ୍ୟାକୁମା‍ରୀଠାରେ ତପସ୍ୟା କରିବା ଦ୍ୱାରା ଏହି ସ୍ଥାନର ମାହାତ୍ମ୍ୟର ସହିତ ତାଙ୍କର ଅମର ନାମ ସଂଯୁକ୍ତ ।

 

ବିବେକାନନ୍ଦ ଏକ୍‌ସପ୍ରେସ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଆମେ ପହଞ୍ଚି ସାରିଥିଲୁ ପ୍ଳାଟ୍‌ଫର୍ମରେ । ରିଜାର୍ଭେସନ ହୋଇସାରିଥିଲେ ଵି ମନରେ ଶଙ୍କା ଥାଏ କାଳେ କିଛି ଅଘଟଣ ଘଟିପାରେ ବୋଲି । ରେଳବାଇର ଲିଆସନ୍‌ ଅଫିସର ପରୋପକାରୀ ସୁଦର୍ଶନ ସାହାଣୀ କିନ୍ତୁ ଆଶ୍ଵାସନା ଦେଉଥାଆନ୍ତି, ସବୁ ଠିକ୍‌ ହୋଇଯିବ । କାଳେ କିଛି ବିଘ୍ନ ଘଟିପାରେ ସେଥିସକାଶେ ସେ ନିଜେ ଉପସ୍ଥିତ ଥାଆନ୍ତି ଷ୍ଟେସନରେ ।

 

ଅନେକ ଲଗେଜ ଆମ ସଙ୍ଗରେ । ବଡ଼ଝିଅ ସୌମ୍ୟା ଓ ବଡ଼ଜ୍ୱାଇଁ ଅଶୋକ ରହନ୍ତି ତ୍ରିଭେନ୍ଦ୍ରମରେ । ଚାଉଳ, ଚୂଡ଼ା, ମୁଗଡ଼ାଲି, ବିରି, ମିଠା, ମୁଢ଼ି ଇତ୍ୟାଦି ବହୁ ଦ୍ରବ୍ୟ ଥାଏ ସେମାନଙ୍କ ପାଇଁ । କେରଳରେ ସବୁ ମିଳେ; କିନ୍ତୁ ବଢ଼ି ବା ମୁଢ଼ି ମିଳେନି । ଓଡ଼ିଶାର ଭଜା ମୁଗଡ଼ାଲି ଦେଖିବାକୁ ବି ମିଳେନି । ଯାହାହେଉ ଟ୍ରେନ କେତେ ମିନିଟ୍‌ ବିଳମ୍ବରେ ପହଞ୍ଚିଲା ଏବଂ ସାହାଣୀବାବୁଙ୍କ ତତ୍ପରତାରୁ ସବୁ ଜିନିଷ ଗାଡ଼ି ଭିତରକୁ ଉଠାଇଦେଲେ କୁଲିମାନେ । ଆମେ ଖୁସି ହୋଇ ଧନ୍ୟବାଦ ଦବା ପୂର୍ବରୁ କିନ୍ତୁ ଆମର ଭ୍ରମ ତୁଟିଲା, ଦେଖିଲୁ ଯେ ଆମପାଇଁ ଥିବା ଚାରୋଟି ବର୍ଥ ସବୁ ଦଖଲ କରିନେଇଛନ୍ତି ଦଳେ ଯାତ୍ରୀ । ସେମାନେ କଲିକତାରୁ ଆସୁଥାଆନ୍ତି । ବହୁ କୁହାବୋଲା ପରେ ଗୋଟେ ବର୍ଥ ସେମାନେ ଛାଡ଼ିଲେ, ଆହୁରି ତିନୋଟି ବର୍ଥ ତଥାପି ତାଙ୍କ ଦଖଲରେ । ଆମେ ସ୍ଥାନ ସଂରକ୍ଷଣ କରିଥିବା ଦର୍ଶାଇଲୁ । ସେମାନେ ବି ଦର୍ଶାଇଲେ ଯେ, ସେମାନେ ସ୍ଵାଧୀନତା ସଂଗ୍ରାମୀ । ଦେଶ ପାଇଁ ଇଂରେଜମାନଙ୍କ ସହିତ ଲଢ଼ିଛନ୍ତି ସେମାନେ । ତେଣୁ ସେମାନଙ୍କର ପ୍ରାପ୍ୟ ଦେଶ ସ୍ୱୀକାର କରିବା ଦରକାର । ସମାଜ ସେମାନଙ୍କୁ ଚିହ୍ନିବା ଆବଶ୍ୟକ । ଯୁକ୍ତିତର୍କ ଦ୍ୱାରା କିଛି ଫଳ ହେଲାନାହିଁ । ସାହାଣୀବାବୁ ଛାଡ଼ିବାର ପାତ୍ର ନୁହଁନ୍ତି । କଣ୍ଡକ୍ଟରକୁ କହିଲେ ଏବଂ ଖୋର୍ଦ୍ଧା ରୋଡ଼୍‌ର ରେଳବାଇ ପୋଲିସ୍‌କୁ ଖବର ଦେଲେ । ଗାଡ଼ି ଛାଡ଼ିଦେଲା । କଅଣ ହେବ, ତାହା ଆମ ମନକୁ ଆନ୍ଦୋଳିତ କରୁଥାଏ । କଣ୍ଡକ୍ଟର ସେମାନଙ୍କ ପକ୍ଷରେ ଯୁକ୍ତି କରି କହିଲେ–କଅଣ କରିବି, ବହୁ ଦୂରରୁ ଆସୁଛନ୍ତି ସେମାନେ, ସେମାନଙ୍କୁ ଓହ୍ଲାଇଦେବି କିପରି ?

 

କିନ୍ତୁ ଜଟଣୀରେ ଗାଡ଼ି ପହଞ୍ଚିବାକ୍ଷଣି ରେଳବାଇ ପୋଲିସ ଇନିସ୍‌ପେକ୍ଟର ପହଞ୍ଚିଗଲେ-। ତାଙ୍କର ଅନୁରୋଧ ଆଦେଶ ପରି ଶୁଣାଗଲା । କଣ୍ଡକ୍ଟର ନେପଥ୍ୟେ ପଳାୟନ କଲେ ଏବଂ ସ୍ୱାଧୀନତା ସଂଗ୍ରାମୀମାନେ ଆମ ବର୍ଥ ଖାଲି କରିଦେଲେ । ସେମାନେ ଦେଶର ସ୍ୱାଧୀନତା ପାଇଁ ଦିନେ ଲଢ଼ିଥିଲେ; ତେଣୁ ସେମାନଙ୍କୁ ସମ୍ମାନ ଜଣାଇ ଆମେ ଚାରୋଟି ବର୍ଥରୁ ସେମାନଙ୍କୁ ଗୋଟେ ଛାଡ଼ିଦେଲୁ । ବାକି ତିନୋଟିରେ ଆମେ ଚାରିଜଣ । ସାଙ୍ଗରେ ଥାଆନ୍ତି ସୌମ୍ୟା ଓ ନାତୁଣୀ ସଂଘମିତ୍ରା (ପପି) । ଦିନ ଯେତିକି ବଢ଼ିଲା ଡବା ଭିତରର କରୁଣ ଦୃଶ୍ୟ ସେତିକି ପ୍ରତିଭାତ ହେଲା-। ଆଜିକାଲି ମାଗଣାରେ ଦେଶ ଭ୍ରମଣ କରିବା ପାଇଁ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ପ୍ରଥମଶ୍ରେଣୀ ବା ଶୀତତାପ ନିୟନ୍ତ୍ରିତ ଦ୍ୱିତୀୟ ଶ୍ରେଣୀ ଶୟନ ଯାନରେ ପ୍ରତ୍ୟେକ ସେହି ଏକ ଶ୍ରେଣୀରେ ଜଣେ ଲେଖାଏଁ ସହକାରୀ ସହିତ ଭ୍ରମଣ କରିବା ପାଇଁ ରେଳବାଇ ପାସ୍‌ ଦିଆଯାଏ । ତାହାରି ସୁଯୋଗ ନେଇ ମାନ୍ଦ୍ରାଜରୁ ଆନ୍ଦାମାନ ଦ୍ୱୀପପୁଞ୍ଜ ଭ୍ରମଣ ଉଦ୍ଦେଶ୍ୟରେ ଯାଉଥାଆନ୍ତି ବିହାରର ଦଳେ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ସହକାରୀବୃନ୍ଦ । ବାଦାମ ଚୋପା, ଆଇସ୍‌କ୍ରିମ୍‌ ଖୋଳ, କଦଳୀ ଚୋପା, କମଳା ଚୋପାରେ ଭର୍ତ୍ତି ବଗି ଭିତର । ସ୍ଵାଧୀନ ଦେଶର ସ୍ୱାଧୀନ ନାଗରିକ ଏପରି ଆଚରଣ କରିବା ସ୍ୱାଭାବିକ ବୋଲି ସମସ୍ତେ କହିଲେ । ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଵାଧୀନତା ସଂଗ୍ରାମୀ ।

 

କଥାବାର୍ତ୍ତା ଚାଲିଲା । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ, ତା’ପରେ ସ୍ଵାଧୀନତା ପ୍ରାପ୍ତି ଓ ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ପ୍ରଗତି ବିଷୟରେ ଆଲୋଚନା ହେଲା । ଜଣେ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଆମକୁ କହିଲେ, ସବୁ ଭଣ୍ଡାମୀ । ଏମାନଙ୍କର ବୟସ କଳନା କରିପାରୁଥିବେ-। ଏମାନଙ୍କ ମଧ୍ୟରୁ ଅଧେ ସ୍ଵାଧୀନତା ସଂଗ୍ରାମ ଦେଖିନାହାନ୍ତି, ସ୍ଵାଧୀନତା ପରେ ଜନ୍ମଗ୍ରହଣ କରି ସ୍ଵାଧୀନତାର ଫଳ ଭୋଗକରିବା ପାଇଁ ସଂଗ୍ରାମ କରୁଛନ୍ତି । ଅବଶ୍ୟ ଆଉ କେତେଜଣ ସ୍ୱାଧୀନତା ସଂଗ୍ରାମ ଦେଖିଛନ୍ତି; କିନ୍ତୁ ଜେଲ ଯାଇନାହାନ୍ତି କି ଲାଠିମାଡ଼ ଖାଇନାହାନ୍ତି-। ମୁଁ ଜେଲ ଯାଇଛି, ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ମିଶିଛି, ଲାଠିମାଡ଼ ଖାଇଛି । ଆମେ ସେଦିନ ଗୋଟେ ଆଦର୍ଶ ପଛରେ ଦଉଡ଼ୁଥିଲୁ, ଦେଶକୁ ମୁକ୍ତ କରିବାଲାଗି ସର୍ବସ୍ୱ ତ୍ୟାଗ କରିବାର ସଙ୍କଳ୍ପ କରିଥିଲୁ-। କିଏ ଜାଣିଥିଲା ଯେ ଦିନେ ଆମ ଭିତରୁ କେହି କେହି ସଂସଦ ସଦସ୍ୟ ବା ବିଧାନସଭା ସଦସ୍ୟ ହେବେ ! ପୁଣି କେହି କେହି ମନ୍ତ୍ରୀ ହେବେ ବା ଅନ୍ୟ କେହି ଲାଇସେନ୍‌ସ ପରମିଟ୍‌ ହାସଲ କରି ଦଲାଲୀ କରିବେ ! ଏବେ ସେଇ ସମୟର ଆଦର୍ଶ ଆଉ ନାହିଁ, ସେପରି ନେତା ବି ନାହାନ୍ତି-। ଚାରିଆଡ଼େ ଅବକ୍ଷୟ । ମୂଲ୍ୟବୋଧ ଧୂଳିସାତ୍‌ ହୋଇଯାଉଛି-

 

ତାଙ୍କୁ ନମସ୍କାର କରି କହିଲୁ, ଆପଣ ସାରାଦେଶର ନମସ୍ୟ । ସ୍ଵାଧୀନତା ସଂଗ୍ରାମୀମାନଙ୍କୁ କେବେ ଏ ଦେଶ ଭୁଲିପାରିବ ନାହିଁ ।

 

ସେ କହିଲେ–ଏସବୁ ଦେଖିଲା ପରେ ବି ଏପରି କହୁଛନ୍ତି ?

 

ସାତକଡ଼ିବାବୁ କହିଲେ, ବ୍ୟତିକ୍ରମ ତ ଅଛନ୍ତି । ଯିଏ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ, ତାଙ୍କର ଆଚରଣ ମଧ୍ୟ ଉତ୍ତମ; ଯେପରି ଆପଣ । ଆଦର୍ଶ ମୂଲ୍ୟବୋଧ ଆପଣଙ୍କ ଭିତରେ ବଞ୍ଚିଛି-। ତରୁଣମାନଙ୍କୁ ଅନୁପ୍ରାଣିତ କରନ୍ତୁ ।

 

ସେ କହିଲେ, ଏବେ ଆଉ କେହି ଆଦର୍ଶ ପଛରେ ଦଉଡ଼ୁନାହାନ୍ତି, ମୂଲ୍ୟବୋଧର ରକ୍ଷାଲାଗି ତ୍ୟାଗ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସହଜିଆ ଜୀବନଧାରା ଗ୍ରାସ କରୁଛି ଲୋକଙ୍କୁ । ନେତାମାନଙ୍କ ପରି ସମସ୍ତେ ଚାହାନ୍ତି ରାତାରାତି ବଡ଼ଲୋକ ହେବାପାଇଁ । ପୁତ୍ର, ପ୍ରପୋତ୍ରମାନଙ୍କ ପାଇଁ ସବୁ ସୁବିଧା କରିଯିବା ପାଇଁ । ଗାନ୍ଧିଜୀ ଏମାନଙ୍କ ପାଇଁ ଉତ୍ସର୍ଗ କଲେ ନିଜକୁ । ଏମାନେ ତାଙ୍କ ନାମ ବିକି ସୁଖରେ ଅଛନ୍ତି ।

 

କେତେ ପ୍ରକାର ଗଳ୍ପ, କେତେ ରାଜ୍ୟ ଓ ଅଞ୍ଚଳ ସମ୍ପର୍କରେ ଆଲୋଚନା । ଚିହ୍ନାପରିଚୟ ହେଲେ, କଥାଭାଷା ହେଲେ ମଣିଷ ମଣିଷ ମଧ୍ୟରେ ଯେଉଁ ଅଚିହ୍ନା ବାଡ଼ଥାଏ ତାହା ଭାଙ୍ଗିଯାଏ, ସମ୍ପର୍କ ସ୍ଥାପିତ ହୁଏ, ବନ୍ଧୁତ୍ୱ ଗଢ଼ି ଉଠେ । ସେ ମହାଶୟଙ୍କ ସହିତ ସେହି ସୂତ୍ରରେ ଗଢ଼ି ଉଠିଲା ବନ୍ଧୁତ୍ୱ ଏବଂ ଅନ୍ୟମାନଙ୍କ ସହିତ ମଧ୍ୟ ।

 

ମାନ୍ଦ୍ରାଜରେ ବୁଧବାର ଭୋରରୁ ଓହ୍ଲାଇଗଲେ ସେମାନେ । ତା’ପରେ ଆମେ ଫେରିପାଇଲୁ ଆଉ ଗୋଟିଏ ବର୍ଥ । ଦକ୍ଷିଣର ପ୍ରାଣକେନ୍ଦ୍ର ମାନ୍ଦ୍ରାଜ ସହର । ଦାକ୍ଷିଣାତ୍ୟର ସଂସ୍କାର, ଚଳଣି, ରୁଚି ଓ ସଂସ୍କୃତି ଏହିଠାରୁ ଦୃଷ୍ଟିଗୋଚର ହୁଏ ସର୍ବତ୍ର । ଓଡ଼ିଶା ପାର୍‌ ହେଲେ ତେଲୁଗୁ ଭାଷା, ତା’ପରେ ତାମିଲ ଏବଂ ତା’ପରେ ମାଲୟାଲମ୍‌ । ବୁଝିବାର ଉପାୟ ନାହିଁ କିଛି । କିନ୍ତୁ ସାମାନ୍ୟ ପାର୍ଥକ୍ୟ ସତ୍ତ୍ଵେ ଭାରତର ସବୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ କେତେ ଐକ୍ୟ, କେତେ ସମନ୍ୱୟ । ସବୁରି ଉତ୍ସ ସେହି ଭାରତୀୟ ସଂସ୍କୃତି ପ୍ରବହମାନ ଧାରା । ବହୁ ମଧ୍ୟରେ ଏକର ଅବବୋଧ ଭାରତୀୟ ଜୀବନଧାରାର ବୈଶିଷ୍ଟ୍ୟ । ଆକ୍ଷିରେ ପଡ଼ିଲା ଦକ୍ଷିଣଭାରତର ଲୋକମାନଙ୍କର ଚଳଣି ଓ ଶୃଙ୍ଖଳା । ଟ୍ରେନ୍‌ ଡବା ପରିଷ୍କାର ହୋଇଗଲା ମାନ୍ଦ୍ରାଜରେ । ଦୃଷ୍ଟିରେ ପଡ଼ିଲା କର୍ତ୍ତବ୍ୟରତ କର୍ମଚାରୀମାନଙ୍କର ସୌଜନ୍ୟତା ଓ ଶାଳୀନତା ।

 

ଗାଡ଼ି କେରଳ ସୀମା ଛୁଇଁଲା ବେଳକୁ ମଧ୍ୟାହ୍ନ ଅତିକ୍ରାନ୍ତ । ତା’ପରେ ଦୃଷ୍ଟିରେ ପଡ଼ିଲା ଚିର ସବୁଜମୟୀ, ଶୋଭାମୟୀ, ହାସ୍ୟମୟୀ କେରଳ, ଠିକ୍‌ କୈଶୋର ଓ ଯୌବନ ମଧ୍ୟରେ ଟଳମଳ ହେଉଥିବା ଚଳଚଞ୍ଚଳା କିଶୋରୀ ଭଳି । ସାଧାରଣ ଭାବରେ କେରଳର ଅଧିବାସୀ ସରଳ ଜୀବନଯାପନ କରନ୍ତି, ପରିଧାନର ପରିପାଟୀ ସ୍ୱଳ୍ପ ଏବଂ ପରିଷ୍କାର ଓ ପରିଚ୍ଛନ୍ନ । ଆଖିରେ ପଡ଼ିଲା ଗୁଆ, ନଡ଼ିଆ ଓ ରବର ବଗିଚା ଭିତରେ ଛୋଟ ଛୋଟ ଘର । ଅଧିକାଂଶ ପକ୍‌କା ଘର ବା ଟାଇଲ ଛପର । ଠାଏ ଠାଏ ନଡ଼ିଆ ଡାଳର ଛପର ଘର । କିନ୍ତୁ ଭିନ୍ନ ଭିନ୍ନ ରଙ୍ଗ ଦେଇ ଘରର ବାହାର କାନ୍ଥ, ପାରାପିଟ, ଦ୍ୱାରବନ୍ଧ, ଝରକା ଓ ଦରଜା ସଜାଇବା କେରଳୀମାନଙ୍କର ଅଭ୍ୟାସ । ସେଥିପାଇଁ ଗୁଆ, ନଡ଼ିଆ, ପଣସ, ରବର, କଦଳୀ ଗଛ ଘେରା ଘରଟିଏ ଦେଖିଲେ ମନେହୁଏ, ଛବି ସୁଟିଂ କରିବାଲାଗି ସତେଅବା କେହି ସୁନ୍ଦର ସେଟ୍‌ଟିଏ ତିଆରି କରିଛି ।

 

କେରଳ ଭାରତବର୍ଷର ଦକ୍ଷିଣ ପଶ୍ଚିମର ଶେଷ ସୀମାନ୍ତରେ । ଏହାର କ୍ଷେତ୍ରଫଳ ୩୮,୮୬୩ ବର୍ଗ କିଲୋମିଟର, ଯାହା ଭାରତବର୍ଷର ସ୍ଥଳଭାଗର ୧.୦୩ ଅଂଶମାତ୍ର । କିନ୍ତୁ ଏଠାରେ ଦେଶର ପ୍ରତିଶତ ୩.୭୧ ଭାଗ ଲୋକ ବସବାସ କରନ୍ତି । ତେଣୁ ଆୟତନ ତୁଳନାରେ ଜନସଂଖ୍ୟାର ଗଭୀରତା ସର୍ବାଧିକ । ଆମକୁ ଆଶ୍ଚର୍ଯ୍ୟ ଲାଗିଲା ଯେ ଓଡ଼ିଶାରେ ପ୍ରତି ବର୍ଗମାଇଲର ଲୋକସଂଖ୍ୟା ପ୍ରାୟ ଦୁଇଶହ ଥିଲାବେଳେ ଏଠାରେ ପ୍ରତି ବର୍ଗମାଇଲରେ ୬୫୪ ଜଣ ବସବାସ କରନ୍ତି । ଜନସଂଖ୍ୟାର ଏହି ଚାପ କିନ୍ତୁ କେରଳୀମାନଙ୍କୁ ଦରିଦ୍ର କରିନାହିଁ । ସେମାନଙ୍କର ଅପୂର୍ବ କର୍ମପ୍ରବଣତା ଯୋଗୁ ସାରା ଭାରତ ତଥା ପୃଥିବୀର ବିଭିନ୍ନ ଅଞ୍ଚଳରେ କେରଳୀମାନେ ବୁଦ୍ଧି ଓ ଶ୍ରମ ବଳରେ ଜୀବିକା ନିର୍ବାହ କରନ୍ତି । କେରଳର ମୁଖ୍ୟମନ୍ତ୍ରୀଙ୍କର ସଚିବ ଓଡ଼ିଆ ଆଇ.ଏ.ଏସ୍‌. ଅଫିସର ଚୌଧୁରୀ ସାହେବ କହିବାର ମନେଅଛି ଯେ ପ୍ରତିବର୍ଷ ମଧ୍ୟ ପ୍ରାଚ୍ୟ ଏବଂ ଅନ୍ୟାନ୍ୟ ଦେଶରୁ କେରଳୀମାନେ ପ୍ରାୟ ସାଢ଼େ ତିନିଶହ କୋଟି ଟଙ୍କା ପଠାଇଥାନ୍ତି । ନିଜ ରାଜ୍ୟକୁ ଦିନକୁ ପ୍ରାୟ କୋଟିଏ ଟଙ୍କା । ଏହି ବିପୁଳ ଉପାର୍ଜନ ରାଜ୍ୟ ଭିତରକୁ ଆସିବା ଦ୍ଵାରା ଜନଜୀବନ ଓ ଚଳଣି ସ୍ୱଚ୍ଛନ୍ଦ ହୋଇଛି, ବ୍ୟବସାୟ ଓ ବାଣିଜ୍ୟ ବୃଦ୍ଧିପାଇଛି । ଜୀବନଧାରଣର ମାନ ବଢ଼ିଥିଲେ ମଧ୍ୟ କେରଳୀମାନଙ୍କର ରୁଚି ଓ ଚଳଣିରେ ମିତବ୍ୟୟତା ସର୍ବତ୍ର ଲକ୍ଷ୍ୟ କରାଯାଏ-। ଅନାବଶ୍ୟକ ଭୋଜିଭାତ, ଅତ୍ୟାବଶ୍ୟକ ପୋଷାକ ପରିଧାନ ବା ଆଡ଼ମ୍ବରରେ ଖର୍ଚ୍ଚ କରନ୍ତି ନାହିଁ ସେମାନେ । ଋଣଂ କୃତ୍ୱା ଘୃତଂ ପିବେତ୍‌, ଓଡ଼ିଆ ଜାତିକୁ ବୋଧହୁଏ ଚାର୍ବାକ୍‌ ଶିକ୍ଷା ଦେଇଥିଲେ, ନଚେତ୍‌ ଶିଳ୍ପ ସ୍ଥାପନ କରିବାଲାଗି ଋଣ କରି ମଉଜ ମଜଲିସ୍‌ କରି ନିଜକୁ ଦେବାଳିଆ ଘୋଷଣା କରିବାର ଆନନ୍ଦ ପାଉଥାଆନ୍ତେ ଆମର ଉଦ୍ୟୋଗୀମାନେ ।

 

କେରଳର ଶିକ୍ଷିତ ଓ ସାକ୍ଷର ସଂଖ୍ୟା ଭାରତରେ ସର୍ବାଧିକ । ଘରେ ଘରେ ଗ୍ରାଜୁଏଟ୍‌ ବା କାରିଗରୀ କୌଶଳ ଜାଣିଥିବା ବ୍ୟକ୍ତି, ସାକ୍ଷର ସଂଖ୍ୟା ପ୍ରତିଶତ ସତୁରୀ । କେରଳର ରାଜଧାନୀ ତ୍ରିଭେନ୍ଦ୍ରମର ଶୋଭା ଚମତ୍କାର । ଜିଲ୍ଲା ସଂଖ୍ୟା ଚଉଦ । କେରଳର ଲମ୍ବା ୫୭୫ କିଲୋମିଟର ଏବଂ ଏହା ପଶ୍ଚିମଘାଟ ପର୍ବତମାଳାର ଶେଷ ସ୍ପର୍ଶ ପାଇ ଗୌରବାନ୍ୱିତ । ପ୍ରାୟ ଚଉରାଳିଶିଟି ଛୋଟ ବଡ଼ ନଦୀ ପ୍ରବାହିତ ଏ ରାଜ୍ୟରେ । ଏଥିରୁ ଏକଚାଳିଶଟି ନଦୀ ପଶ୍ଚିମାଭିମୁଖୀ । ସର୍ବୋଚ୍ଚ ଶୃଙ୍ଗର ଉଚ୍ଚତା ୨୭୭୫ ମିଟର ଏବଂ ଏହାର ନାମ ଆନ୍ନାମୁଡ଼ି ।

 

କେରଳର ଲୋକମାନେ ଅର୍ଥକାରୀ ଫସଲ କରି ଅଜସ୍ର ଅର୍ଥ ଉପାର୍ଜନ କରନ୍ତି । ରବର, କଫି, ଚା’, କାଜୁ, ଗୁଆ, ଲବଙ୍ଗ, ଗୁଜୁରାତି ଓ ତେଜପତ୍ର ପ୍ରଭୃତି ମସଲା ଓ ନଡ଼ିଆ ଚାଷ ପ୍ରଧାନ ଅର୍ଥକାରୀ ଫସଲ ।

 

ମଧ୍ୟାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଆମେ ପହଞ୍ଚିଲୁ କେରଳର ପ୍ରଧାନ ବନ୍ଦର ନଗରୀ କୋଚିନରେ । କୋଚିନ ଭାରତର ପ୍ରାକୃତିକ ବନ୍ଦରମାନଙ୍କ ମଧ୍ୟରୁ ଏକ ବଡ଼ ବନ୍ଦର । ଏହା ମଧ୍ୟ ନୌବାହିନୀର ଏକ ବଡ଼ କେନ୍ଦ୍ର ଭାବରେ ପ୍ରସିଦ୍ଧ ।

 

କୋଚିନ ଷ୍ଟେସନରେ ଗରମ ବରା ସହିତ କେରଳର ତାଜା କଫି ଖାଇ ଆମେ ବି ବେଶ୍‌ ସୁସ୍ଥ ଓ ପ୍ରଫୁଲ୍ଲ ଅନୁଭବ କଲୁ । ସେଇଠାରୁ ରେଳପଥ ଓ ସମୁଦ୍ର କେତେକ ସ୍ଥାନରେ ପାଖାପାଖି ତ ଆଉ କେଉଁଠାରେ ଟିକେ ଦୂରରେ । ନଦୀରେ ଭାସମାନ ନୌକା ସହିତ ଦୃଷ୍ଟିରେ ପଡ଼ୁଥାଏ ରାସ୍ତା ଉପରେ ଧାଉଁଥିବା ଅଜସ୍ର ମୋଟର ଗାଡ଼ି ।

 

କେରଳର ଶୋଭା ଅନୁପମ । ଭାରତମାତାର ଦକ୍ଷିଣ ପଶ୍ଚିମ କୋଳରେ ଆନନ୍ଦରେ ଲାଖିରହିଛି କେରଳ ଆରବ ସାଗରକୁ ଚାହିଁ । ଉଡ଼ାକଳରୁ ଓହ୍ଲାଇଲା ବେଳେ ବା ରେଳଗାଡ଼ିରେ ଗଳାବେଳେ ଆଖିରେ ପଡ଼େ ଉର୍ଦ୍ଧ୍ୱମୁଖୀ ନାରୀକେଳ ବନ ଓ ପଲ୍ଲବିତ ଶାଖା ପ୍ରଶାଖା ।

 

କେରଳର ନାମକରଣ ସମ୍ପର୍କରେ ଏକ ସୁନ୍ଦର ଲୋକକଥା ପ୍ରଚଳିତ । କେତେକଙ୍କ ମତରେ କେରମ (ମାଲୟାଲି ଶବ୍ଦର ଅର୍ଥ ନାରୀକେଳ)ରୁ କେରଳ ଶବ୍ଦର ଉତ୍ପତ୍ତି । ଆଉ କେତେକଙ୍କ ମତରେ ଆକୃତିରେ କୁରାଢ଼ୀ ପରି ଏହି ଭୂମିଖଣ୍ତ ପରଶୁରାମଙ୍କ ଦାନ । ଏହା ବିଶ୍ଵାସ କରାଯାଏ ଯେ, ପୃଥିବୀକୁ ନିକ୍ଷେତ୍ରିୟ କରିବାଲାଗି ସଂକଳ୍ପ କରି ସେ ବହୁ କ୍ଷତ୍ରୀୟ ରାଜା ମହାରାଜାଙ୍କୁ ହତ୍ୟା କରିବା ପରେ ଏହି ପାପର ପ୍ରାୟଶ୍ଚିତ୍ତ କରିବା ପାଇଁ ତାଙ୍କର ପରଶୁ ଅର୍ଥାତ୍‌ କୁରାଢ଼ୀକୁ ସମୁଦ୍ରକୁ ଫିଙ୍ଗି ଦେଇଥିଲେ ଏବଂ ସମୁଦ୍ର ଭୟରେ ଘୁଞ୍ଚି ଯାଇଥିଲା । ସମୁଦ୍ର ଘୁଞ୍ଚି ଯାଇଥିବା ଭୂମିର ନାମ ହେଲା କେରଳ ।

 

କେରଳକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ପାର୍ବତ୍ୟ ଅଞ୍ଚଳ, ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଏବଂ ମଧ୍ୟ ଅଞ୍ଚଳ । ପାର୍ବତ୍ୟ ଅଞ୍ଚଳ ପଶ୍ଚିମାଘାଟ ପର୍ବତମାଳାର ଏକ ଅଂଶ ଏବଂ ବହୁ ପର୍ବତ ଓ ଶୃଙ୍ଗ ଦ୍ୱାରା ପରିଶୋଭିତ । ଏହି ପାର୍ବତ୍ୟ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ବାଜି ଶୀତ ଦିନରେ ପ୍ରବଳ ବୃଷ୍ଟି ହୁଏ । ଏହି ଘଞ୍ଚ ଜଙ୍ଗଲ ନାନାଦି ପଶୁପକ୍ଷୀଙ୍କର ନିବାସସ୍ଥଳ ଏବଂ ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ । ପାଦଦେଶରେ କଫି ଓ ଚା’ ବଗିଚା । ପାର୍ବତ୍ୟ ଓ ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳ ଉର୍ବର ଏବଂ ସେଥିରେ ନଡ଼ିଆ, କଦଳୀ, ଗୁଆ, ଆମ୍ବ, ଗୋଲମରିଚ, ଅଦା, ଧାନ, ଟୋପିଓକା ପ୍ରଭୃତି ଚାଷ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରରୁ ପଶିଆସିଥିବା ଲୁଣାଜଳ ଦ୍ଵାରା ପ୍ଳାବିତ ଏବଂ ଠାଏ ଠାଏ ଆରବ ସାଗର ସହିତ ସଂଯୁକ୍ତ । କେରଳ ନଦୀ ମାତୃକା ରାଜ୍ୟ ଏବଂ ସମୁଦ୍ର ପଛୁଆ ଜଳରାଶି ଏହାକୁ ଆହୁରି ଚିତ୍ତାକର୍ଷକ କରିବାର ଅନ୍ୟତମ କାରଣ । କେରଳର ନଦୀମାନଙ୍କରେ ନୌକା ଚାଳନା ଅତୀବ ଜନପ୍ରିୟ ।

 

ଭାରତ ଭୂମିରେ ଅନ୍ୟ କୌଣସି ଅଞ୍ଚଳରେ ବିଦେଶୀମାନଙ୍କର ପାଦ ପଡ଼ିବା ପୂର୍ବରୁ କେରଳକୁ ସେମାନେ ଆସିଥିବାର ପ୍ରମାଣ ରହିଛି । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ମିଶର, ଚୀନ ଏବଂ ବାବିଲୋନ ସହିତ କେରଳର ବାଣିଜ୍ୟ ବ୍ୟବସାୟ ଥିବାର ପ୍ରମାଣ ମିଳେ । ପରେ ଡଚ୍‌, ଫ୍ରେଞ୍ଚ ଏବଂ ଇଂରେଜମାନେ ଏହି ବାଟଦେଇ ଭାରତରେ ପ୍ରବେଶ କରିଥିବାର ତଥ୍ୟ ଐତିହାସିକମାନେ ଦିଅନ୍ତି ।

 

ସେଥିପାଇଁ କେରଳକୁ ଖ୍ରୀଷ୍ଟାନ ପାଦ୍ରୀମାନେ ପ୍ରଥମେ ଆସି ଧର୍ମପ୍ରଚାର କରି ଗୀର୍ଜା ସ୍ଥାପନ କରିଥିଲେ । ତା’ପରେ ଯୋରୋରାଷ୍ଟ୍ରିଆନ୍‌ ଏବଂ ମୁସଲମାନମାନେ ଆସିଥିବା ଇତିହାସର ବିଷୟବସ୍ତୁ । ତେଣୁ କେରଳ ବହୁଧର୍ମ ଓ ଦେଶର ଲୋକମାନଙ୍କର ସଙ୍ଗମ ତଥା ସମନ୍ୱୟର ଭୂମି ଏବଂ ଏହାର ସାମ୍ପ୍ରତିକ ଜୀବନଧାରା ଅନୁଧ୍ୟାନ କଲେ ବହୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ପ୍ରଚଳିତ ଭ୍ରାତୃତ୍ଵ ଓ ସୁସମ୍ପର୍କ ମହାନ୍‌ ଭାରତୀୟ ସଂସ୍କୃତିର ଉଦାହରଣ ଓ ମାନବିକତାର ଫଳଶ୍ରୁତି ।

 

କେରଳର ଲୋକମାନଙ୍କର ଜୀବନଯାତ୍ରା ସହିତ ସେଠାର ଜଳବାୟୁ, ଭୂଗୋଳ ଓ ଇତିହାସର ନିବିଡ଼ ସମ୍ପର୍କ ରହିଛି । ବହୁ ଧର୍ମାବଲମ୍ବୀ ଥାଇ ମଧ୍ୟ କେରଳ ଧର୍ମନିରପେକ୍ଷତାର ମୌଳିକତା ବଜାୟ ରଖିଛି । ଏହାର ଲୋକମାନଙ୍କର ଚଳଣି ଓ ରୁଚିରେ ଏକ ସମନ୍ଵିତ ବିକାଶଧାରା ସୁସ୍ପଷ୍ଟ । କେରଳର ସୁଶ୍ୟାମଳ ବନରାଜି, ବିସ୍ତୃତ ବେଳାଭୂମି, ଚିରସ୍ରୋତା ନଦୀ ଏ ରାଜ୍ୟର ଅଧିବାସୀମାନଙ୍କୁ କରିଛି ପରିଶ୍ରମୀ, ବୁଦ୍ଧିମାନ ଏବଂ ଉଦାର । ସେମାନେ ଧର୍ମ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ ନଦେଖି ଧରିନେଇଛନ୍ତି ଯେ, ‘‘ଏକମ୍‌ ସଦ୍‌ବିପ୍ରା ବହୁଧା ବଦନ୍ତି ।’’

 

ସେଥିପାଇଁ କବିଗୁରୁ ରବୀନ୍ଦ୍ରନାଥ ବୋଧହୁଏ ଗାଇଥିଲେ–

 

ଏଇ ଭାରତେର ମହାମାନବେର ସାଗର ତୀରେ......

 

।। ଦୁଇ ।।

 

ଏକଦା ମସଲା ବ୍ୟବସାୟ କରିବାଲାଗି ଚୀନ, ଗ୍ରୀସ୍‌, ରୋମ, ହଲାଣ୍ଡ, ସିରିଆ ଓ ଆରବ ଦେଶର ସୌଦାଗରମାନେ କେରଳ ଉପକୂଳ ଦେଇ ଅଭ୍ୟନ୍ତରକୁ ପ୍ରବେଶ କରୁଥିଲେ ଦିନେ । ସେମାନେ ଛାଡ଼ିଯାଇଥିବା ସାଂସ୍କୃତିକ ପ୍ରଭାବ କେରଳର ଗୀର୍ଜା, ରାଜପ୍ରାସାଦ ଓ ଅନ୍ୟାନ୍ୟ କୋଠାବାଡ଼ିର ସ୍ଥାପତ୍ୟ କୌଶଳରେ ଦେଖିବାକୁ ମିଳେ । ଭାରତର ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସା ପଦ୍ଧତି କେରଳରେ ଯେପରି ପ୍ରସିଦ୍ଧି ଲାଭ କରିଛି ଅନ୍ୟତ୍ର ସେପରି ଘଟିନାହିଁ । ପୁଣି କେରଳର ଓନାମ ପର୍ବ ବଙ୍ଗୀୟମାନଙ୍କର ଦୁର୍ଗାପୂଜା ପରି ଆନନ୍ଦକୋଳାହଳ ମୁଖରିତ ।

 

ବ୍ରିଟିଶ ରାଜତ୍ଵକାଳରେ ତ୍ରାଭାଙ୍କୋର ଓ କୋଚିନ ନାମରେ ଦୁଇଟି ଦେଶୀୟ ରାଜ୍ୟ ଥିଲା । ଦୁଇ ରାଜ୍ୟର ମହାରାଜା ପ୍ରଜାବତ୍ସଳ ଥିଲେ ଏବଂ ପ୍ରଜାମାନଙ୍କର ସର୍ବବିଧ କଲ୍ୟାଣ ପାଇଁ ବହୁ ଜନ ହିତକର କାର୍ଯ୍ୟ କରି ଯାଇଛନ୍ତି । ପରେ ଏହି ଦୁଇ ରାଜ୍ୟର ସମିଶ୍ରଣ ଦ୍ୱାରା କେରଳ ରାଜ୍ୟ ଗଠିତ ହେଲା ନଭେମ୍ବର ପହିଲା ୧୯୫୬ରେ, ଏହି ବିଷୟ ଭାବୁ ଭାବୁ ଆମ ଆଗରେ ଭାସିଗଲା କୋଚିନର ଦୃଶ୍ୟ । ଓଡ଼ିଶାର କଟକ ପରି କୋଚିନ କେରଳର ପ୍ରଧାନ ବାଣିଜ୍ୟ ପେଣ୍ଠ । ଏହା ପୃଥିବୀର ଅନ୍ୟତମ ଶ୍ରେଷ୍ଠ ପ୍ରାକୃତିକ ବନ୍ଦର । କୋଚିନ ନୌବାଣିଜ୍ୟର ଇତିହାସ ଅତି ପ୍ରାଚୀନ । ବିଦେଶର ବହୁଦେଶ ସହିତ କୋଚିନ୍‌ର ସମ୍ପର୍କ ରହିଥିଲା । ବ୍ୟବସାୟ କରିବା ଲାଗି ଆସିଥିବା ଚୀନ, ଗ୍ରୀକ୍‌, ପର୍ତ୍ତୁଗୀଜ ଓ ଆରବ, ବ୍ରିଟିଶ, ହଲାଣ୍ଡ, ଫ୍ରାନ୍‌ସ ଓ ଆରବ ଦେଶର ସ୍ଥାପତ୍ୟ ଓ କଳାର ପ୍ରଭାବ କୋଚିନର ଗୀର୍ଜା, ମସ୍‌ଜିଦ ଓ ଅନ୍ୟାନ୍ୟ କୋଠାବାଡ଼ିର ନିର୍ମାଣ କୌଶଳରୁ ପ୍ରତୀୟମାନ ହୁଏ । କୋଚିନ୍‌ ଏକ ବୃହତ୍ତମ ପ୍ରାକୃତିକ ବନ୍ଦର ହୋଇଥିବାରୁ ଏହା ଆରବ ସାଗରର ରାଣୀ ଭାବରେ ପରିଚିତ । କୋଚିନ୍‌ ବନ୍ଦର ଓ ସହରର କ୍ଷେତ୍ରଫଳ ୫୩ ବର୍ଗ କିଲୋମିଟର । ଏହାର ଜନସଂଖ୍ୟା ପ୍ରାୟ ଛଅଲକ୍ଷ । ବାର୍ଷିକ ବୃଷ୍ଟିପାତ ହାରାହାରି ୨.୫୪ ସେଣ୍ଟିମିଟର ।

 

ପର୍ତ୍ତୁଗୀଜମାନଙ୍କ ଦ୍ଵାରା ୧୫୫୫ ଖ୍ରୀଷ୍ଟାବ୍ଦରେ ନିର୍ମିତ, ମାଟାନ୍‌ଚେରୀ ପ୍ରାସାଦ ସ୍ଥାପତ୍ୟ ଦୃଷ୍ଟିରୁ ପ୍ରସିଦ୍ଧ । ସେମାନେ ଏହି ପ୍ରାସାଦ କୋଚିନ ମହାରାଜାଙ୍କୁ ଭେଟି ଦେଇଥିଲେ । ଜୀଉମାନଙ୍କର ପ୍ରାର୍ଥନା ମନ୍ଦିର ମଧ୍ୟ ଏକ ଦର୍ଶନୀୟ ସ୍ଥାନ । ଏଠାରେ ଚୀନମାନଙ୍କ ଦ୍ୱାରା ନିର୍ମିତ ଓ ହସ୍ତାଙ୍କିତ ଟାଇଲ ବ୍ୟବହୃତ ହୋଇଥିବାର ଦେଖାଯାଏ ।

 

ଗାଡ଼ିରେ ଯାତ୍ରା କରୁଥିଲାବେଳେ ଶୁଣିଲୁ ପ୍ରସିଦ୍ଧ ଫେରିଆର ବନ୍ୟଜନ୍ତୁ ଅଭୟାରଣ୍ୟ ବିଷୟରେ, ଏହା ଥେକାଡ଼ିଠାରେ ଅବସ୍ଥିତ । ଏହି ବନ୍ୟଜନ୍ତୁ ଅଭୟାରଣ୍ୟର ଆରମ୍ଭ ହୁଏ ୧୯୩୪ରେ ଟ୍ରାଭାଙ୍କୋରର ତତ୍କାଳୀନ ମହାରାଜାଙ୍କ ସମୟରେ । ଏହାର ସମ୍ପ୍ରସାରଣ ଘଟେ ୧୯୫୦ରେ । କେରଳ ଓ ତାମିଲନାଡ଼ୁର ସୀମାନ୍ତରେ ପଶ୍ଚିମଘାଟର ପର୍ବତମାଳାର ଶହାଦ୍ରିଠାରେ ଏହା ଅବସ୍ଥିତ । ଏହାର ମନୋରମ ପ୍ରାକୃତିକ ଦୃଶ୍ୟ ଅପେକ୍ଷା ଏହାର ଆକର୍ଷଣୀୟ ଜଳବାୟୁ ପାଇଁ ମଧ୍ୟ ଏହା ପ୍ରସିଦ୍ଧ । ଏହା ସମୁଦ୍ର ପତ୍ତନଠାରୁ ୯୦୦ ମିଟରରୁ ୧୮୦୦ ମିଟର ଉଚ୍ଚରେ ଅବସ୍ଥିତ ।

 

ଏହି ପ୍ରସିଦ୍ଧ ବନ୍ୟଜନ୍ତୁ ଅଭୟାରଣ୍ୟ ତ୍ରିଭେନ୍ଦ୍ରମଠାରୁ ୧୫୩ କିଲୋମିଟର ଏବଂ କୋଚିନଠାରୁ ୧୯୩ କିଲୋମିଟର ଦୂରରେ । ଏଠାରେ ପ୍ରବଳ ବୃଷ୍ଟିପାତ ହୁଏ ବୋଲି ଘଞ୍ଚ ସବୁଜ ଅରଣ୍ୟ ଶୋଭା ଚମତ୍କାର । ବହୁ ଦୁଷ୍ପ୍ରାପ୍ୟ ବନସ୍ପତି, ଗୁଳ୍ମଲତା ଏହାର ବନ୍ୟସମ୍ପଦର ଅନ୍ତର୍ଗତ ।

 

କେରଳର ପ୍ରସିଦ୍ଧ ହାତୀମାନଙ୍କୁ ଦଳ ଦଳ ହୋଇ ବୁଲିବାର ଦେଖାଯାଏ ଅଭୟାରଣ୍ୟରେ । ଫେରିଆସି ହ୍ରଦରେ ନୌକାବିହାର କରିବାର ସୁବିଧା ଅଛି ଏବଂ ବଣଭୋଜି କରିବା ପାଇଁ ବହୁ ପର୍ଯ୍ୟଟକ ଆସନ୍ତି ଏଠାକୁ । ଏହାଛଡ଼ା ବହୁ ପ୍ରକାର ମାଙ୍କଡ଼, ସମ୍ବର, ହରିଣ ଦେଖିବାକୁ ମିଳନ୍ତି । ଭାଲୁ, ବଣ୍ୟ କୁକୁର ଓ ବନ୍ୟ ଘୁଷୁରି ମଧ୍ୟ ବହୁସଂଖ୍ୟାରେ ଦେଖାଯାଆନ୍ତି । ସୌଭାଗ୍ୟକ୍ରମେ ବାଘ, ଚିତା ମଧ୍ୟ ଦୃଷ୍ଟିରେ ପଡ଼ନ୍ତି ।

 

ବାଟରେ ଯିବାବେଳେ କେରଳର ପ୍ରସିଦ୍ଧ କାଜୁବାଦାମ ଓ କଫି ଖାଇଲୁ । ବହୁ ଯାତ୍ରୀଙ୍କ ସହିତ ଚିହ୍ନା ପରିଚୟ ମଧ୍ୟ ହେଲା । ସେମାନଙ୍କ ମୁହଁରୁ ଶୁଣିଲୁ କେରଳର ପ୍ରସିଦ୍ଧ ନୃତ୍ୟ କଥାକଲି ସମ୍ପର୍କରେ । କଥାକଲି ମାଲୟାଲମ ଶବ୍ଦ । କଥା ଅର୍ଥ ଗଳ୍ପ ଏବଂ କଲି ଅର୍ଥ ନାଟକ । ଏହା ଚାରିଶହ ବର୍ଷପୂର୍ବେ ସୃଷ୍ଟି ହୋଇଥିବାର ପ୍ରାମାଣିକ ଇତିହାସ ରହିଛି । କିନ୍ତୁ ଏଇ ଚାରିଶହ ବର୍ଷର ବହୁ ଉତ୍‌ଥାନ ପତନ ମଧ୍ୟରେ କଥାକଲି ନୃତ୍ୟଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି ।

 

ଲୋକକଥା ଅନୁସାରେ କୋଟ୍ଟାରକା‌ର ନାମରେ ଏକ ରାଜ୍ୟ ଥିଲା । ବୀର କେରଳ ବର୍ମନ ରାମନଟ୍ଟମ ନାମରେ ଏକପ୍ରକାର ନୃତ୍ୟ ସୃଷ୍ଟି କରିଥିଲେ । ସେହି ରାମନଟ୍ଟମ ରାମଚନ୍ଦ୍ରଙ୍କ ଉପରେ ଆଧାରିତ । କଥାକଲିର ବିଷୟ ମଧ୍ୟ ସେହି ରାମ ।

 

ଲୋକମାନେ କହନ୍ତି ଯେ ବୀର କେରଳ ବର୍ମନ ଦିନେ କୃଷ୍ଣନଟ୍ଟମ ସମ୍ପର୍କରେ ଶୁଣି, ଖୋଜିକୋଡ଼ର ପରାକ୍ରମୀ ରାଜାଙ୍କ ଦ୍ୱାରା ପ୍ରସ୍ତୁତ କୃଷ୍ଣଙ୍କ ସମ୍ପର୍କିତ ସେହି ନୃତ୍ୟ ସମ୍ପର୍କରେ ଶୁଣି ଅତୀବ ମୁଗ୍‌ଧ ହେଲେ । ଜୟଦେବଙ୍କର ପ୍ରସିଦ୍ଧ ଗୀତଗୋବିନ୍ଦ କାବ୍ୟ ଏହି ନୃତ୍ୟର ଆଧାର । କୃଷ୍ଣନଟ୍ଟମ ଦଳକୁ କୋଟ୍ଟାରକାରକୁ ପଠାଇବା ଲାଗି ବୀର କେରଳ ବର୍ମନ ଖୋଜିକୋଡ଼ର ରାଜାଙ୍କୁ ଯେଉଁ ଅନୁରୋଧ କରିଥିଲେ ତାହା ସେ ପ୍ରତ୍ୟାଖ୍ୟାନ କରିବାରୁ ସେଥିରେ ମର୍ମାହତ ହୋଇ ବୀର କେରଳ ବର୍ମନ ଶ୍ରୀ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ । ଏଥିରେ ସଫଳ ହୋଇ ସେ ରାମନଟ୍ଟମ ପ୍ରବର୍ତ୍ତନ କଲେ ।

 

କିନ୍ତୁ ରାମନଟ୍ଟମ ରାତାରାତି କଥାକଲିରେ ପରିଣତ ହୋଇନାହିଁ । ଅନେକ ନୃତ୍ୟ ବିଷାରଦଙ୍କ ବହୁବର୍ଷର ସାଧନା ଫଳରେ ରାମନଟ୍ଟମ ବର୍ତ୍ତମାନ ପ୍ରଚଳିତ କଥାକଲିରେ ପରିଣତ ହୋଇଅଛି । ଯେଉଁମାନେ ରାମନଟ୍ଟମର ସମୟୋଚିତ ସଂସ୍କାର କରି ଏହାକୁ କଥାକଲିରେ ପରିଣତ କଲେ ସେମାନଙ୍କ ମଧ୍ୟରେ ଥିଲେ କପିଳଗତ୍ତ ନାମ୍ବଦ୍ରି । କଥାକଲି କେରଳର ପ୍ରଚଳିତ ସମର ନୃତ୍ୟ ଦ୍ୱାରା ବହୁ ଭାବରେ ପରିଚିତ । କଥାକଲି ନୃତ୍ୟ କେରଳର ମହାନ୍‌ କଳା ଓ ସାଂସ୍କୃତିକ ପରମ୍ପରାକୁ ପ୍ରଭାବିତ କରେ । ଏହା କେବଳ ଏକ ନୃତ୍ୟ ନୁହେଁ, ଜୀବନର ମାର୍ଗ ମଧ୍ୟ । କଥାକଲି ଏକ ଧର୍ମୀୟ ନୃତ୍ୟ ଏବଂ ଆଧ୍ୟାତ୍ମିକତା ଉପରେ ଆଧାରିତ । କଥାକଲି ନୃତ୍ୟର ମୁଖା ଭାରତ ପ୍ରସିଦ୍ଧ । ଏହା କେରଳୀ କଳାର ଏକ ନିଦର୍ଶନ ।

 

କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଊନବିଂଶ ଶତାବ୍ଦୀରେ ଏହି ନୃତ୍ୟକୁ ଲୋକେ ପ୍ରାୟ ଭୁଲିଯାଇଥିଲେ । ଇଂରାଜୀ ଶିକ୍ଷା ଓ ଚଳଣିର ପ୍ରଭାବରୁ ଏହା ଘଟିଥିବା ଅନୁମାନ କରାଯାଏ-। କିନ୍ତୁ ତ୍ରିଭାଙ୍କୋରର ମହାରାଜା, ଭିକୃଷ୍ଣନ୍‌ ତାମ୍ପି ଏବଂ କବି ଭଲ୍ଲାଥୋଲ ନାରାୟଣ ମେନନଙ୍କ ପ୍ରଚେଷ୍ଟା ଦ୍ଵାରା ପରେ କଥାକଲିର ପୁନରୁଥାନ ସମ୍ଭବ ହେଲା । ଚେରୁଥୁରୁଥି ଠାରେ ଉଲ୍ଲାଥୋଲଙ୍କ ଦ୍ୱାରା ପ୍ରତିଷ୍ଠିତ କଳାମଣ୍ଡଳମ୍‌ ଏକାଡ଼େମୀ କଥାକଲି ଶିକ୍ଷାର ପ୍ରାଣକେନ୍ଦ୍ର ଏହି ନୃତ୍ୟକଳା ଜଗତକୁ କେରଳର ଅମୂଲ୍ୟଦାନ ।

 

ବିବେକାନନ୍ଦ ଏକ୍‌ସପ୍ରେସ୍‌ ଦୌଡ଼ୁଥାଏ । ଲକ୍ଷ୍ୟସ୍ଥଳ ତ୍ରିଭେନ୍ଦ୍ରମରେ ପହଞ୍ଚିବା ପାଇଁ । ସବୁ ସ୍ଥାନ ବୁଲି ଦେଖିବା ସମ୍ଭବ ହେବ କି ନାହିଁ ବୋଲି ପ୍ରଶ୍ନ ଉଠୁଥାଏ ମନରେ । ଆହୁରି ମନକୁ ସଚେତନ କରୁଥାଏ ଏଇ ମହାନ୍‌ ଦେଶର ସହସ୍ର ବର୍ଷର ଐତିହ୍ୟ ଓ ପରମ୍ପରା ।

 

ଜଣେ ଯାତ୍ରୀ କହିଲେ ଯେ ଫେରିଆସି ବନ୍ୟଜନ୍ତୁ ଅଭୟାରଣ୍ୟ ଦେଖିସାରି କାଲାଡ଼ି ଯିବା ଭଲ । ସେଠାରୁ ଏହାର ଦୂରତ୍ଵ ପ୍ରାୟ ୪୫ କିଲୋମିଟର । ଏହା ଏକ ତୀର୍ଥସ୍ଥାନ । ଏହିଠାରେ ଅଷ୍ଟଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ହିନ୍ଦୁ ଜଗତର ଦିଗ୍‌ବିଜୟୀ ଅଦ୍ଵୈତବାଦୀ ଶଙ୍କରାଚାର୍ଯ୍ୟ । ତାଙ୍କର ସ୍ମୃତି ରକ୍ଷାଲାଗି ଦକ୍ଷିଣାମୂର୍ତ୍ତି ମନ୍ଦିର ନିର୍ମିତ ହୋଇଛି ଏବଂ ଆଉ ଏକ ମନ୍ଦିର ଅଛି–ଜଗତଜନନୀ ଶାରଦାଙ୍କର । ଏହି ଦୁଇ ପବିତ୍ର ମନ୍ଦିର ଶୃଙ୍ଗେରୀ ମଠଦ୍ୱାରା ପରିଚାଳିତ ହୁଏ ।

 

ଆଦି ଶଙ୍କରାଚାର୍ଯ୍ୟଙ୍କ ନାମ ଉଚ୍ଚାରଣ କଲାକ୍ଷଣି ସର୍ବାଙ୍ଗରେ ତଡ଼ିତ ପ୍ରବାହ ପରି ଏକ ନୂତନ ଚେତନା ଖେଳିଯାଏ । ହିନ୍ଦୁ ଧର୍ମର ଘୋର ଆକ୍ଷେୟ ସମୟରେ ତାଙ୍କର ଆବିର୍ଭାବ । ଏହା ଥିଲା ବିଧିନିର୍ଦ୍ଦିଷ୍ଟ ଏବଂ ଏହାର ଆବଶ୍ୟକତା ଥିଲା ଐତିହାସିକ । ଆଦିଶଙ୍କର ହିନ୍ଦୁ ଧର୍ମର କେବଳ ସଂସ୍କାର କରି ନ ଥିଲେ ପୁରୀ, ବଦ୍ରିନାଥ, ଦ୍ୱାରକା ଓ ଶୃଙ୍ଗେରୀଠାରେ ମଠ ପ୍ରତିଷ୍ଠା କରି ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ତାଙ୍କର ଅବଦାନ ଚିରସ୍ମରଣୀୟ ।

 

ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ସେହି ଶ୍ରୀଭବାନୀ ଅଷ୍ଟକମ୍‌ ଝଂକୃତ ହେଲା ମନରେ ।

 

ନ ତାତୋ ନ ମାତା ନ ବନ୍ଧୁ ନ ଦାତା

ନ ପୁତ୍ର ନ ପୁତ୍ରୀ ନ ଭୃତ୍ୟ ନ ଭର୍ତ୍ତା,

ନ ଜାୟା ନ ବିଦ୍ୟା ନ ବୃତ୍ତି ମମୈବ

ଗତିସ୍ତ୍ଵଂ ଗତିସ୍ତ୍ଵଂ ସତ୍ଵମେକା ଭବାନୀ ।

ଭବାବ୍ୟବ ପାରେ ମହାଦୁଃଖ ଭୀରୁ

ପପାତ ପ୍ରକାମୀ ପ୍ରଲୋଭୀ ପ୍ରମତ୍ତ,

କୁସଂସ୍କାର ପାଶମ୍‌ ପ୍ରବଦ୍ଧ ସଦାହଂ

ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ୱମେକା ଭବାନୀ ।

 

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ମନେପଡ଼ିଲା ଅନେକ କଥା, ତାଙ୍କର ଦିଗ୍‌ବଳୟର ଅମର କାହାଣୀ । ତାଙ୍କ ପରେ ଆଉଜଣେ ସେହିଭଳି ପ୍ରବଳ ପ୍ରତାପୀ ଦିଗ୍‌ବିଜୟୀ ଧର୍ମସଂସ୍କାରକ ଜନ୍ମଗ୍ରହଣ କରନ୍ତେ କି ଏ କୁସଂସ୍କାରାଚ୍ଛନ୍ନ ଭାରତ ଭୂମିରେ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲାଣି କେତେବେଳୁ ।

 

ସବୁ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ପ୍ରାକୃତିକ ପରିବେଶ ସହିତ ଏକାତ୍ମ ହୋଇ ହୁଏ ନାହିଁ । ଛୋଟ ଛୋଟ ଷ୍ଟେସନ ପାର ହେଲାବେଳେ ନିଷ୍ପ୍ରଭ ଆଲୋକ ଦିଶୁଥାଏ ଝରକା ଦେଇ ।

 

ସହଯାତ୍ରୀମାନଙ୍କ ଠାରୁ ଶୁଣିଲୁ ଯେ ତ୍ରିଭେନ୍ଦ୍ରମ ଜିଲ୍ଲାର ଇତିହାସ ଅତି ପ୍ରାଚୀନ । ତ୍ରିଭେନ୍ଦ୍ରମ ନାମଟି ତିରୁବାନନ୍ଥପୁରମ୍‌ର ଅପଭ୍ରଂଶ । ଏହାର ଅର୍ଥ ବିଷ୍ଣୁଙ୍କର ଅନନ୍ତନାଗ ଉପରେ ଶୟନାବସ୍ଥା ତ୍ରିଭେନ୍ଦ୍ରମର ପଦ୍ମନାଭ ମନ୍ଦିର ବିଷ୍ଣୁଙ୍କର ଅନନ୍ତଶୟନର ବିଶାଳ ମୂର୍ତ୍ତି ପାଇଁ ବିଶ୍ୱପ୍ରସିଦ୍ଧ-। ଆହୁରି ଭରାକାଲ ନାମକ ଏକ ସ୍ଥାନର ନାମ ମହାଭାରତରେ ଦେଖିବାକୁ ମିଳେ । ଭରାକାଲରେ ଜନାର୍ଦ୍ଦନଙ୍କୁ ଦର୍ଶନ କରିବା ସକାଶେ ବଳରାମ ଆସିଥିବାର ଉଲ୍ଲେଖ ରହିଛି । ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଆୟସ ରାଜବଂଶ ରାଜତ୍ୱ କରୁଥିଲେ । ତାହା ପରେ ବେନାଦ ରାଜବଂଶର ରାଜତ୍ୱ ଆରମ୍ଭ ହେଲା । କିନ୍ତୁ ଆଧୁନିକ ଇତିହାସ ମାର୍ତ୍ତଣ୍ଡ ବର୍ମାଙ୍କ ପାଖରେ ଆରମ୍ଭ । ସେ (୧୭୨୯ରୁ ୧୭୫୮) ଆଧୁନିକ ତ୍ରିଭେନ୍ଦ୍ରମର ନିର୍ମାଣ ଭାବରେ ପ୍ରସିଦ୍ଧ । ତାଙ୍କରି ରାଜତ୍ୱ କାଳରେ ସାହିତ୍ୟ ଓ କଳାର ବିକାଶ ଘଟିଥିବାର ବହୁ ପ୍ରମାଣ ରହିଛି । ତାଙ୍କରି ସମୟର କଳା ଓ ସାହିତ୍ୟ ତଥା ନୃତ୍ୟଗୀତର କେନ୍ଦ୍ର ହୋଇ ଆସିଛି ତ୍ରିଭେନ୍ଦ୍ରମ । ମହାରାଜା ସ୍ଵାତୀ ଥିରୁମଲ (୧୮୨୯ ରୁ ୧୮୪୭) ମଧ୍ୟ ତାଙ୍କ ରାଜ୍ୟର ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତି ପାଇଁ ବହୁ କାର୍ଯ୍ୟ କରିଥିଲେ । ୧୮୩୪ରେ ଇଂରେଜୀ ବିଦ୍ୟାଳୟ ପ୍ରତିଷ୍ଠା ହୁଏ । ୧୮୩୬ରେ ଗୋଟିଏ ଚିକିତ୍ସାଳୟ ଓ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ର ନିର୍ମିତ ହୁଏ ତ୍ରିଭେନ୍ଦ୍ରମରେ । ଆଇଲ୍ୟାମଥିରୁମଲ (୧୮୬୦ ରୁ ୧୮୮୦)ଙ୍କ ସମୟରେ ଏକ ପୂର୍ଣ୍ଣାଙ୍ଗ କଳା କଲେଜ ପ୍ରତିଷ୍ଠା ହୁଏ ଏବଂ ଅନେକ ଇଂରାଜୀ, ମାଲାୟାଲମ୍‌ ବିଦ୍ୟାଳୟର ମଧ୍ୟ ସେ ପ୍ରତିଷ୍ଠାତା । ସେ ଉଦାରମନା ଏବଂ ପ୍ରଜାବତ୍ସଳ ଥିଲେ । ତାଙ୍କରି ରାଜତ୍ୱ କାଳରେ ୧୮୮୮ରେ ବିଧାନ ସଂସଦ ବା ଲେଜିସ୍‌ଲେଟିଭ କାଉନସିଲ ସ୍ଥାପିତ ହୁଏ । ଭାରତର କୌଣସି ଦେଶୀୟ ରାଜ୍ୟରେ ଏପରି ପଦକ୍ଷେପ ଏଇ ପ୍ରଥମ ୧୯୦୪ରେ ଶ୍ରୀମୂଲମ୍‌ ବିଧାନସଭାର ଆରମ୍ଭ ।

 

ମୂଲମ୍‌ ଥିରୁମଲଙ୍କ ରାଜତ୍ୱକାଳରେ ଭାରତୀୟ ଜାତୀୟ କଂଗ୍ରେସର ବାଣୀ ପହଞ୍ଚିଲା ତ୍ରିଭେନ୍ଦ୍ରମରେ । ୧୯୩୮ରେ ତ୍ରିଭେନ୍ଦ୍ରମ୍‌ଠାରେ ଜାତୀୟ କଂଗ୍ରେସର ଏକ ଶାଖା ପ୍ରତିଷ୍ଠିତ ହେଲା ଏବଂ ପ୍ରଥମ କଂଗ୍ରେସ ସମ୍ମିଳନୀରେ ଡକ୍ଟର ପଟ୍ଟାଭି ସୀତାରାମାୟା ସଭାପତିତ୍ୱ କରିଥିଲେ । ୧୯୩୧ରେ ଶ୍ରୀଚିତ୍ର ଥିରୁମଲ ବଳରାମ ବର୍ମାଙ୍କର ରାଜତ୍ୱ ଆରମ୍ଭ ହେଲା ଏବଂ ତାଙ୍କରି ରାଜତ୍ୱକାଳରେ ସର୍ବବିଧି ଉନ୍ନତି ହୋଇ ପାରିଥିଲା ।

 

ତ୍ରାଭାଙ୍କୋର ରାଜ୍ୟର ପ୍ରଥମ ଲୋକପ୍ରିୟ ମନ୍ତ୍ରୀମଣ୍ଡଳ ୧୯୪୮ ମାର୍ଚ୍ଚ ୨୪ ତାରିଖରେ ପଟ୍ଟମଥାନୁ ପିଲାଇଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ଗଠିତ ହୋଇଥିଲା, ରାଜ୍ୟ ପୁନର୍ଗଠନ କମିଶନ (୧୯୫୬)ର ସୁପାରିଶକ୍ରମେ ତ୍ରାଭାଙ୍କୋର ଓ କୋଚିନ ରାଜ୍ୟର ସମ୍ମିଶ୍ରଣ ଦ୍ଵାରା କେରଳ ରାଜ୍ୟ ଗଠିତ ହୋଇଥିଲା ୧୯୫୬ ନଭେମ୍ବର ପହିଲାରେ ।

 

॥ ତିନି ।।

 

ତ୍ରିଭେନ୍ଦ୍ରମରେ ପହଞ୍ଚିଲାବେଳକୁ ରାତି ପ୍ରାୟ ବାରଟା । ପ୍ଳାଟଫର୍ମରେ ଅପେକ୍ଷା କରିଥିଲେ ଅଶୋକବାବୁ ଆମ୍ଭମାନଙ୍କୁ ସଙ୍ଖୋଳିବା ପାଇଁ । ପପି ତା’ ବାପାଙ୍କୁ ଦେଖି ଖୁସିରେ ଡେଇଁପଡ଼ିଲା ତଳକୁ । ପ୍ରାୟ ଦୁଇମାସ ପରେ ଫେରୁଛି ସେ । ଏ ଭିତରେ ଘଟିଯାଇଥିବା ଘଟଣା ଅଜଣା ରହିଯାଇଛି । ସେ ଜାଣିନି ତା’ ସାଙ୍ଗମାନଙ୍କ ଓ ସ୍କୁଲ ସମ୍ପର୍କରେ ।

 

ତ୍ରିଭେନ୍ଦ୍ରମ ଷ୍ଟେସନ ହେଉ ବା କୋଚିନ କିମ୍ବା ଅନ୍ୟ କୌଣସି ସହର ହେଉ କେରଳରେ ଶ୍ରମିକମାନଙ୍କର ସଙ୍ଗଠନ ଅତ୍ୟନ୍ତ ଶକ୍ତିଶାଳୀ । ସେମାନଙ୍କୁ ବାଦଦେଇ ନିଜେ ପାରୁ ନଥବା କୌଣସି କାମ କରିବା ପ୍ରାୟ ଅସମ୍ଭବ । ଷ୍ଟେସନରେ କୁଲି ଅନେକ, ଦର ମଧ୍ୟ ନିର୍ଦ୍ଧାରିତ; କିନ୍ତୁ ସେମାନେ ତାହା ଗ୍ରାହ୍ୟ କରନ୍ତି ନାହିଁ । ଜଣେ ଯାହା କହିବ ଅନ୍ୟମାନେ ବି ଠିକ୍‍ ସେତିକି କହିବେ । ଟ୍ୟାକ୍‌ସି ଚାଳକମାନଙ୍କ ମଧ୍ୟରେ ବି ସେଇ ଐକ୍ୟ । ଜଣେ ଯାହା କହିବ ତାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ଅଶୋକବାବୁ କହିଲେ ଯେ ଜଣେ ଆଇ.ଏ.ଏସ୍‌. ଅଫିସର ବଦଳିହୋଇ ମାନ୍ଦ୍ରାଜରୁ ଜିନିଷପତ୍ର ସହ ଆସି ପହଞ୍ଚିଲେ ତ୍ରିଭେନ୍ଦ୍ରମରେ । ଜିନିଷପତ୍ର ଉତାରିବା ପାଇଁ କର୍ମଚାରୀମାନଙ୍କୁ ଆଦେଶ ଦେଲେ । କିନ୍ତୁ ବାଧାଦେଲା ଶ୍ରମିକ ସଙ୍ଗଠନ ଟ୍ରକ୍‌ର ମାଲ ଉତାରିବା ପାଇଁ ନିର୍ଦ୍ଧାରିତ ପରିମାଣର ଅର୍ଥ ନ ଦେଲେ ମାଲ ଖଲାସ କରିବେ ନାହିଁ ଏବଂ ପୁଣି ଏହା ବି ଜଣାଇଦେଲେ ସେମାନେ ଆଉ କାହାକୁ ଏଇ କାମ କରିବାକୁ ଦେବେ ନାହିଁ । ଆଇ.ଏ.ଏସ୍‌. ଅଫିସର ନାଲି ଆଖି ଦେଖାଇଲେ, ନିଜ ଇଚ୍ଛାନୁସାରେ ନିଜର କାମ କରିବା ତାଙ୍କର ମୌଳିକ ଅଧିକାର ଥିବା କଥା ବି କହିଲେ; କିନ୍ତୁ ଶ୍ରମିକମାନେ ତାହା କରାଇ ଦେଲେ ନାହିଁ । ସେମାନେ ଏହା ବି ଜଣାଇ ଦେଲେ ଯେ ଯଦି ସେ ତାଙ୍କ ସ୍ତ୍ରୀ ଓ ପୁତ୍ର ଜିନିଷପତ୍ର ନିଜେ ଟ୍ରକ୍‌ରୁ ଖଲାସ କରନ୍ତି ସେମାନେ ବାଧା ଦେବେ ନାହିଁ, କିନ୍ତୁ ଟ୍ରକ୍‌ର ମାଲ ଉତାରିବା ଲାଗି ଯେତିକି ଟଙ୍କା ନବା କଥା ସେମାନଙ୍କୁ ତାହା ଅଲବତ୍‌ ଦବାକୁ ହେବ । କେରଳର ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଅନେକ ବେଶୀ । ସେମାନେ ଦଳ ଅନୁସାରେ ବିଭିନ୍ନ ଶିବିରରେ ବିଭକ୍ତ ହେଲେ ବି ସଂଘବଦ୍ଧ ଶ୍ରମିକମାନଙ୍କର ଏକତାରେ ଆଞ୍ଚ ଆସିବା ଭଳି କିଛି କରାଇ ଦିଅନ୍ତି ନାହିଁ ।

 

କୁଲିମାନଙ୍କୁ ସେମାନଙ୍କ କହିବା ଅନୁସାରେ ଟଙ୍କା ଦବାକୁ ପଡ଼ିଲା । ଷ୍ଟେସନ ମାଷ୍ଟରଙ୍କ ପାଖରେ ଅଭିଯୋଗ କରି ଲାଭ ନାହିଁ । ଟ୍ୟାକ୍‌ସି ନେଇ ତାଙ୍କ ଘରେ ପହଞ୍ଚିଲାବେଳକୁ ରାତି ଗୋଟାଏ ପାଖାପାଖି ।

 

କେରଳର ସ୍ଵଚ୍ଛ, ସୁନୀଳ ନକ୍ଷତ୍ରଖଚିତ ଆକାଶରୁ ଝରିପଡ଼ିଥିଲା ଅନିର୍ବଚନୀୟ ଶାନ୍ତ ସ୍ନିଗ୍‌ଧ ଶୀତଳତା । ଆସିଲାବେଳେ ପବନରେ ଆନ୍ଦୋଳିତ ହେଉଥିବା ବନସ୍ପତିମାନଙ୍କର ଶାଖାପ୍ରଶାଖା ସ୍ଵାଗତ କରୁଥିଲେ ଆମ୍ଭମାନଙ୍କୁ । ରାସ୍ତା ପ୍ରାୟ ଜନଶୂନ୍ୟ । ଅଶୋକବାବୁ କହିଲେ ଯେ ମହିଳାମାନେ ବି ଏକା ଏକା ଯାଇପାରନ୍ତି ସହରରେ, ଭୟନାହିଁ । ଆମ ଝିଅ ସୌମ୍ୟା ତା’ ଝିଅ ପପି ନିର୍ଭୟରେ ରହନ୍ତି ସହରରେ, କେବେ କୌଣସି ଅପ୍ରୀତିକର ପରସ୍ଥିତିର ସମ୍ମୁଖୀନ ହୋଇ ନାହାନ୍ତି । କିନ୍ତୁ ଆମ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ଅଲଗା । ବିଖ୍ୟାତ ଓଡ଼ିଶୀ ସଙ୍ଗୀତଜ୍ଞ କାଶୀନାଥ ପୂଜାପଣ୍ଡା କରମଣ୍ଡଳ ଏକ୍‌ସପ୍ରେସରୁ ଓହ୍ଲାଇ ରାତି ଏଗାରଟାରେ ଅନାରକଲି ହୋଟେଲ ଦେଇ ରିକ୍‌ସାରେ ଯାଉଥିଲାବେଳେ ତିନିଜଣ ଯୁବକ ହଠାତ୍‌ ରିକ୍‌ସା ବନ୍ଦ କରାଇ ତାଙ୍କୁ ଘେରିଯାଇ କହିଲେ ଯାହା ପାଖରେ ଅଛି ବଢ଼ାଇ ଦବାପାଇଁ । ଜଣକର ଛୁରୀର ମୁନ ଲାଗିଥାଏ ତାଙ୍କ ଛାତି ଉପରେ । ଅଗତ୍ୟା ଅନ୍ୟନ୍ୟୋପାୟ ହୋଇ ସେ ନିଜ ପକେଟରେ ଥିବା ସତୁରୀ ଟଙ୍କା ଓ ହାତରୁ ଘଡ଼ିଟି ବାହାର କରି ବଢ଼ାଇଦେବା ପୂର୍ବରୁ ମୁହଁବୁଲାଇ ଦେଲାରୁ, ପଛରେ ଥିବା ଯୁବକ ତାଙ୍କୁ ଚିହ୍ନି ପାରି କହିଲା ଆବେ ସାର୍‌ ବେ.... । ତା’ପରେ ସେମାନେ ଅନ୍ତର୍ଦ୍ଧାନ ହୋଇଗଲେ ଗଳି ଭିତରେ । ଟଙ୍କା ଓ ଘଡ଼ି ରହିଗଲା କାଶୀବାବୁଙ୍କ ହାତରେ । ସେ କିନ୍ତୁ ଚିହ୍ନି ସାରିଥିଲେ ସେଇ ଟୋକାକୁ । ତାହାରି ଭଉଣୀର ସଙ୍ଗୀତ ଶିକ୍ଷକ ସେ । ଡେପୁଟି ସେକ୍ରେଟାରୀଙ୍କ କନ୍ୟା । ସେଦିନ ବିସ୍ମୟ ବିମୂଢ଼ ହୋଇ ଯାଇଥିଲେ କାଶୀବାବୁ ।

 

କେରଳର ଲୋକ ଚରିତ୍ରରେ ଭଦ୍ରାମୀ ଓ ସରଳତା ସର୍ବତ୍ର ପରିସ୍ଫୁଟ । ସେଠାରେ ବି ଚୋରି ଡକାୟତି ହୁଏ, ନାରୀଧର୍ଷଣ ବା ଅନ୍ୟାନ୍ୟ ଅପକର୍ମ ବି ହୁଏ; କିନ୍ତୁ ସର୍ବନିମ୍ନ ସାଧୁତା ପ୍ରତିଫଳିତ ହୁଏ ସେମାନଙ୍କ ଚରିତ୍ରରେ । କେଉଁଠାରେ କଅଣ ଓ କିପରି କାମ କରିବାକୁ ହୁଏ ତାହା ଜାଣନ୍ତି ସେମାନେ । ସେମାନଙ୍କର ଏହି ଚରିତ୍ରଗତ ବିଶେଷତ୍ଵ ଓ କର୍ମପ୍ରବଣତା ଯୋଗୁଁ ଭାରତରେ ଓ ପୃଥିବୀରେ ସର୍ବତ୍ର ସେମାନଙ୍କର ଆଦର । ଦିଲ୍ଲୀର କେନ୍ଦ୍ର ସଚିବାଳୟରେ ଯେପରି, ଆସାମ ବା ନାଗାଲାଣ୍ଡରେ ସେହିପରି କେରଳୀମାନେ ଆପେ ଆପେ ବାରିହୋଇ ପଡ଼ନ୍ତି ।

 

ଜିନିଷପତ୍ର ରଖୁଥିଲାବେଳେ ମନେପଡ଼ୁଥିଲା ଓଡ଼ିଶାର କଥା, ଓଡ଼ିଆ ଲୋକମାନଙ୍କ କଥା । କପିଳେନ୍ଦ୍ରଦେବଙ୍କ ପରେ ଓଡ଼ିଆର ଚରିତ୍ରରୁ ବିଶେଷତ୍ଵ ଲୋପ ପାଇଯାଇଛି । ସେମାନେ ସହଜରେ ଲୁଚିଯାଇ ପାରନ୍ତି ଜନଗହଳିରେ, ସଭାସ୍ଥଳିରେ ବା ବିଜ୍ଞାନ ପରୀକ୍ଷାଗାରରେ; ନିଜର ବିଶେଷତ୍ଵ ଓ ଉତ୍କର୍ଷତା ଲାଗି ବାରିହୋଇ ପଡ଼ନ୍ତି ନାହିଁ । ଆଉ ଯଦି କେତେବେଳେ ଚିହ୍ନାପଡ଼ନ୍ତି ତାହା ଅନ୍ୟ କାରଣ ପାଇଁ ।

 

ରାତି ବହଳ ହେଉଥିଲା ସହରରେ । କିନ୍ତୁ ନିଦ ଆସୁ ନଥିଲା ଆଖିକୁ ।

 

ତ୍ରିଭେନ୍ଦ୍ରମ ଇଂରେଜମାନେ ଦେଇଥିବା ନାମ । ଥିରୁଅନନ୍ତପୁରମ୍‌ ଏହାର ଅସଲ ନାମ-। ପଦ୍ମନାଭଙ୍କ ମନ୍ଦିରରେ ବିଷ୍ଣୁ ଅନନ୍ତଶୟନରେ ଶାୟିତ ମୁଦ୍ରାରେ ଅଧିଷ୍ଠିତ । ସେ ତ୍ରିଭେନ୍ଦ୍ରମର କୁଳଦେବତା । ଥିରୁଅନନ୍ତପୁରମ୍‌ରୁ ଅପଭ୍ରଷ୍ଟ ହୋଇ ତ୍ରିଭେନ୍ଦ୍ରମ ।

 

ପୃଥିବୀର ଇତିହାସରେ କେରଳସ୍ଥ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ପଶ୍ଚିମରୁ ଆସିଥିବା ବିଦେଶୀମାନେ କେରଳ ଉପକୂଳରେ ହିଁ ପ୍ରଥମେ ଭାରତ ଭୂଇଁରେ ପାଦ ରଖିଥିଲେ ଖ୍ରୀଷ୍ଟପୂର୍ବ ୧୦୦୦ ବର୍ଷ ପୂର୍ବର କଥା । ସୋଲୋମୋନଙ୍କର ଜାହାଜ ସେତେବେଳେ ତିନିବର୍ଷରେ ଥରେ ଲାଗୁଥିଲା କେରଳ ଉପକୂଳରେ । ଲବଙ୍ଗ, ନାରିକେଳ ଓ ହାତୀଦାନ୍ତ, ମୟୂର ପ୍ରଭୃତି ଥିଲା ପ୍ରଧାନ ବ୍ୟବସାୟ । କେରଳର ନାମ ମଧ୍ୟ ନାରୀକେଳରୁ ସୃଷ୍ଟି । ‘କେର’ ଅର୍ଥ ନାରୀକେଳ । ନାରୀକେଳରୁ କେରଳ । ଅନ୍ୟମାନଙ୍କ ମତରେ କେରଳ ତାମିଲ ଶବ୍ଦ ଚେରଳରୁ ସୃଷ୍ଟି । ‘ଚେରଳ’ ଶବ୍ଦର ଅର୍ଥ ପର୍ବତର ଗଡ଼ାଣିଆ ସ୍ଥାନ । ତାମିଲ ଆରବ ଓ ପାର୍ସୀ ଲେଖକମାନଙ୍କ ମତରେ ମାଲାବାର ଏବଂ ମାଲନଦର ଅର୍ଥ ପାହାଡ଼ ପର୍ବତର ଦେଶ ।

 

ଐତିହାସିକମାନଙ୍କ ମତରେ କେରଳର ଭୂମି ଉପରେ ଖ୍ରୀଷ୍ଟପୂର୍ବ ଚାରି ହଜାର ବର୍ଷ ପୂର୍ବେ ମଣିଷ ପ୍ରଥମେ ପଦାର୍ପଣ କରିଥିଲା । ମହେଞ୍ଜୋଦାରୋର ଏକ ଚିତ୍ରରୁ କେରଳ ସମ୍ପର୍କରେ ଯେଉଁ ତଥ୍ୟ ମିଳୁଛି ତାହା ସଠିକ୍‌ ପ୍ରମାଣିତ ହେଲେ ଖ୍ରୀଷ୍ଟପୂର୍ବ ୨୫୦୦ ବର୍ଷ ବେଳକୁ ଏହା ରାଜନୈତିକ ଓ ଭୌଗୋଳିକ ଅଞ୍ଚଳ ଭାବରେ ପ୍ରତିଷ୍ଠା ପାଇ ସାରିଥିଲା । ଆହୁରି ରାମାୟଣ ଓ ମହାଭାରତରେ ମଧ୍ୟ କେରଳର ଉଲ୍ଲେଖ ରହିଛି । ତୈତିରୀୟ ଆରଣ୍ୟକର ଚେରପାଦ ଓ ବୁଦ୍ଧ ଜାତକର ସେରି ମଧ୍ୟ କେରଳ ସମ୍ପର୍କୀତ ବୋଲି କୁହାଯାଏ । କେରଳ କାତ୍ୟାୟନ କୌଟିଲ୍ୟଙ୍କୁ ମଧ୍ୟ ଜଣାଥିଲା । ଏହା ଖ୍ରୀଷ୍ଟପୂର୍ବ ୩୫୦ ରୁ ୩୦୦ର କଥା । କିନ୍ତୁ କେରଳ ଲିପିବଦ୍ଧ ଇତିହାସ ଅଶୋକଙ୍କର ଶିଳାଲିପିରୁ ହିଁ ମିଳେ ଏବଂ ତାହା ଖ୍ରୀଷ୍ଟପୂର୍ବ ୨୫୭ର ବିଷୟ । ଏଥିରେ କେରଳକୁ ପ୍ରାକୃତରେ କେରଳପୁତ୍ତ (କେରଳ ପୁତ୍ର ସଂସ୍କୃତରେ) ଭାବରେ ଓ ତାମିଲରେ କେରଳମକନ (କେରମନ ବା ଏପରିକି କେର) ଭାବରେ ବର୍ଣ୍ଣନା କରାଯାଇଛି ।

 

କେରଳର ଇତିହାସ ଓ ଏହାର ପ୍ରାଚୀନତା ସମ୍ପର୍କରେ ଭାବୁ ଭାବୁ କେତେବେଳେ ନିଦ ଲାଗିଯାଇଥିଲା । ସକାଳୁ ନିଦ ଭାଙ୍ଗିଲାବେଳକୁ ବାହାରେ କଦଳୀପତ୍ର ଉପରେ ବର୍ଷା ପଡ଼ୁଥିବାର ଟୁପ୍‌ଟାପ୍‌ ଶବ୍ଦ ମାଙ୍ଗଳିକ ପରି ମନେହେଲା । ତ୍ରିଭେନ୍ଦ୍ରମ ସହରର ଅବସ୍ଥିତି ଏପରି ଯେ ଯେତେ ବର୍ଷା ହେଲେ ବି ବେଶୀ ସମୟ ରାସ୍ତା ଉପରେ ପାଣି ଜମେ ନାହିଁ, ଠିକ୍‌ ଭୁବନେଶ୍ୱର ପରି । ପାଣି ଗଡ଼ିଯାଏ ପ୍ରାକୃତିକ ଉପାୟରେ ।

 

ଚା’ ପିଇବାବେଳେ କାନ୍ଥରେ ଟଙ୍ଗା ହୋଇଥିବା କଥକଲି ନୃତ୍ୟର ପ୍ରସିଦ୍ଧ ମୁଖା ଦେଖାଇ ପପି କହିଲା–ଅଜା, ଆଈ ଦେଖ......ଓ ନାମ ଦିନ ଏଇ ନାଟ ଦେଖିବା । ଅଶୋକ ସୌମ୍ୟାଠାରୁ ଶୁଣିଲୁ କଥାକଲି ନୃତ୍ୟର ପ୍ରସିଦ୍ଧି, ମୋହିନୀ ଅଟ୍ଟମ ନୃତ୍ୟର ଗୀତିମୟତା ଓ ଥେୟାମ ନୃତ୍ୟର ପ୍ରଚଣ୍ଡତା ଓ ସମରନୃତ୍ୟ କାଲାରିପାୟଟ୍ଟୁ ସମ୍ପର୍କରେ ଚା’ ପିଇବା ସମୟରେ ସ୍ଥିର ହୋଇଗଲା ଯେ ସନ୍ଧ୍ୟା ପୂର୍ବରୁ ଯିବା କେରଳର ପୃଥିବୀପ୍ରସିଦ୍ଧ କୋଭଳମ୍‌ ସମୁଦ୍ରକୂଳକୁ ।

 

କୋଭଳମ୍‌ ଯିବାପାଇଁ ବସ୍‌ ଅଛି । ଟ୍ୟାକ୍‌ସି ବି ମିଳେ । ଯିବା ରାସ୍ତାର ଦୁଇ ପାଖରେ ନାରୀକେଳ ଗଛମାନଙ୍କର ଶୋଭା । ଠାଏ ଠାଏ ଆମ୍ବ, ପଣସ, କଦଳୀ ଓ ଗୁଆଗଛ । ତ୍ରିଭେନ୍ଦ୍ରମରୁ କୋଭଳମ୍‌ର ଦୂରତ୍ଵ ଅଠର କିଲୋମିଟର ।

 

ଆରବ ସାଗରର କୋଳରେ ପାହାଡ଼ର ପାଦଦେଶରେ କୋଭଳମ୍‌ ବେଳାଭୂମି । ସମୁଦ୍ର ଗଭୀର । ତେଣୁ ଢେଉ ଛୋଟ ଛୋଟ । ପୁରୀ ପରି ଅତିବେଶୀ ତରଙ୍ଗାୟିତ ଓ ଫେନିଳ ନୁହେଁ । କିନ୍ତୁ ସମୁଦ୍ରର ସୁନୀଳ ରୂପ ଦେଖିଲେ ମନ ଶାନ୍ତ ହୋଇଯାଏ । ପାହାଡ଼ କାଟି ହୋଟେଲ ତିଆରି ହୋଇଛି । ପଞ୍ଚତାରକା ହୋଟେଲ ଅନେକ । ଛୋଟ ଛୋଟ ହୋଟେଲ ଓ ରେସ୍ତୋରାଁ ବି ଅଛି । ରଙ୍ଗୀନ୍‌ ଛତାତଳେ ବା ସୁଇମିଂ ପୁଲ ନିକଟରେ ଉଲଗ୍ନପ୍ରାୟ ବିଦେଶୀ ପର୍ଯ୍ୟଟକମାନଙ୍କର ମେଳା । ସମୁଦ୍ର ସ୍ଥାନରେ ମତ୍ତ ଅନେକ । ବାଲି ଉପରେ ଶୋଇ ଆଉ କେତେକ ମୁଗ୍‌ଧ ଦୃଷ୍ଟିରେ ଅନାଇଥାଆନ୍ତି ଆରବ ସାଗର ଉପରେ ଲାଲ ଅବିର ବିଞ୍ଚି ବୁଡ଼ିଯାଉଥିବା ସୂର୍ଯ୍ୟକୁ । ଚେନାଚୂର, ଆଇସ୍‌କ୍ରିମ, ଲିମ୍‌କା, ଥମ୍‌ସଅପ୍‌ ଓ ବହୁପ୍ରକାର ପାନୀୟ । ଖୋଲା କଟେଜରେ ପାନପାତ୍ର ଧରି ବସିଥିବା ବିଦେଶୀ ଓ ଭାରତୀୟ ପର୍ଯ୍ୟଟକ । ଶୀତଳ ପବନ ସହିତ ଜଳକଣା ଲାଗି ଶୀତେଇ ଉଠୁଥାଏ ଶରୀର । ସାହେବ ଓ ମେମସାହେବମାନେ ସମୁଦ୍ର ଭିତରେ ଜଳକେଳିରେ ବ୍ୟସ୍ତ । ଆମେ ଅଳ୍ପ ପାଣି ଭିତରକୁ ଯାଇ ଛିଡ଼ାହୋଇ ଦେଖିଲୁ ଅଭୁଲା ଦୃଶ୍ୟ । ଭିତରକୁ ଯିବାପାଇଁ ସାହସ ହେଲା ନାହିଁ । ଅଚିହ୍ନା ନଈ, ଅଜଣା ସମୁଦ୍ରକୁ ବିଶ୍ଵାସ ନ କରିବା ଲାଗି ଶାସ୍ତ୍ର କହିଛି । ସମୁଦ୍ର ସ୍ନାନ, ସନ୍ତରଣ, ସିସ୍କାଟିଂ ପାଇଁ ସୁବିଧା ଅଛି । ଏହାଛଡ଼ା ସ୍ୱାସ୍ଥ୍ୟକେନ୍ଦ୍ର, ଯୋଗକେନ୍ଦ୍ର, ଆୟୁର୍ବେଦୀୟ ପଦ୍ଧତିରେ ଶରୀର ମାଲିସ୍‌ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କୋଭଳମ୍‌ର ସର୍ବାପେକ୍ଷା ଅଧିକ ଆକର୍ଷଣ ବିସ୍ତୃତ ସୁନୀଳ ସମୁଦ୍ର ଓ ସମୁଦ୍ରକୂଳରେ ପ୍ରସାରିତ ଶାଗୁଆ ନାରିକେଳ ବଣର ଅପରୂପ ଶୋଭା । ଏହା ସହିତ ସ୍ମିତହାସ୍ୟ ନୁହେଁ କି ଅଟ୍ଟହାସ୍ୟ ନୁହେଁ, ସମୁଦ୍ରର ମନମୁଗ୍‌ଧକର ଉଚ୍ଚକିତ ହାସ୍ୟ ଯାହା ପାଶୋରି ହୁଏନି ସହଜରେ ।

 

ତା’ ପରଦିନ ରବିବାର । ଆଗରୁ ସ୍ଥିର କରିଥିଲୁ ଶୈଳନିବାସ ପୁନମୁଡ଼ି ଯିବାପାଇଁ । ତ୍ରିଭେନ୍ଦ୍ରମରୁ ପୁନମୁଡ଼ିର ଦୂରତ୍ୱ ମାତ୍ର ଏକଷଠି କିଲୋମିଟର । ବସ୍‌ରେ ଯିବା ସହଜ । ବସ୍‌ର କଣ୍ଡକ୍ଟର ପର୍ଯ୍ୟଟକମାନଙ୍କର ଗାଇଡ଼ କାମ କରେ । ପୁନମୁଡ଼ି ମହାରାଜାଙ୍କ ଶାସନ କାଳରେ ଚମତ୍କାର ଦୃଶ୍ୟ ଓ ସ୍ଵାସ୍ଥ୍ୟକର ସ୍ଥାନ ବୋଲି ଶୈଳନିବାସରେ ପରିଣତ ହୋଇଥିଲା । ଏବେ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହା ସଂପ୍ରସାରିତ ହୋଇଛି । ବହୁ କଟେଜ, ହୋଟେଲ, ରେସ୍ତୋରାଁ ଖୋଲା ଯାଇଛି ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ । ଯିବାଆସିବା ବସ୍‌ଭଡ଼ା ଓ କଟେଜରେ ରହିବା, ଖାଇବା ମିଶି ଜଣ ପ୍ରତି ପଚାଶ ଷାଠିଏ ଟଙ୍କା ମଧ୍ୟରେ ଖର୍ଚ୍ଚ ହୁଏ ।

 

ପୁନମୁଡ଼ି ପାହାଡ଼ର ଶୀର୍ଷଦେଶରେ ଅବସ୍ଥିତ । ରାସ୍ତାରେ ଯିବାବେଳେ ଚା’ ବଗିଚାର ଦୃଶ୍ୟ । ଆହୁରି ଆଖିରେ ପଡ଼େ ବିସ୍ତୃତ ସବୁଜ ଅରଣ୍ୟର ଶୋଭା । ଝରଣା ପାଖରେ ଠାଏ ଠାଏ ଘନ ବୃକ୍ଷଲତା ଥିବା ସ୍ଥାନରେ ହନିମୁନ୍‌ ସେଣ୍ଟର, ସାଇଲେଣ୍ଟ ସେଣ୍ଟର, ପିକ୍‌ନିକ୍‌ ସେଣ୍ଟର । ବସିବାପାଇଁ ସିମେଣ୍ଟ ବେଞ୍ଚ । ବସ୍‌ରୁ ଓହ୍ଲାଇ କେତୋଟିରେ କିଛି କିଛି ସମୟ ବିଶ୍ରାମ କଲୁ । ଟିକେ ଦୂରରେ ସରୀସୃପ ଶାପଦ ରହୁଥିବା ଅଭୟାରଣ୍ୟ । ସେ ଭିତରକୁ ପ୍ରବେଶ ନିଷେଧ ।

 

ସବୁ ସ୍ଥାନ ଦେଖିସାରିଲା ବେଳକୁ ମଧ୍ୟାହ୍ନ ହୋଇଗଲା । ରେସ୍ତୋରାଁ ଆଦେଶ ଅନୁସାରେ ଭାତ, ସମ୍ବର, ତରକାରୀ, ରସମ, ଦହି, ପାପଡ଼, ଆଚାର ଦେଇଗଲା । ମଧ୍ୟାହ୍ନଭୋଜନ ପରେ କଟେଜରେ କିଛି ସମୟ ବିଶ୍ରାମ କରି ପୁଣି ଦେଖିଲୁ ପୁନମୁଡ଼ିର ଶାନ୍ତି ସମାହିତ ମନମୁଗ୍‌ଧକର ରୂପ । ଶୋଭାମୟୀ କେରଳର ଆକର୍ଷଣ ଅସୀମ । ହାସ୍ୟମୟୀ କେରଳର ସୌନ୍ଦର୍ଯ୍ୟ ଅବିସ୍ମରଣୀୟ ।

 

ପ୍ରୋଗ୍ରାମ ହେଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବୁଲିଯିବା ପାଇଁ । ଭାରତର ସ୍ୱାଧୀନତା ପରେ ଆମର ଇଞ୍ଜିନିୟର ଓ ବୈଜ୍ଞାନିକମାନେ ମହାକାଶ ଓ ପରମାଣୁ ଗବେଷଣା କ୍ଷେତ୍ରରେ ଯେଉଁ ଅପୂର୍ବ ସଫଳତା ପ୍ରଦର୍ଶନ କରିଛନ୍ତି, ତାହା ବିଶ୍ୱର ସର୍ବତ୍ର ପ୍ରଶଂସିତ । ସେମାନେ ଆମ ଦେଶର ଗର୍ବ ଓ ଗୌରବ । ପରମାଣୁ ଗବେଷଣା କ୍ଷେତ୍ରରେ ଯେପରି ଭାବାଙ୍କର ଅବଦାନ ସ୍ଵୀକୃତ ସେହିପରି ମହାକାଶ ଗବେଷଣାକ୍ଷେତ୍ରରେ ବିକ୍ରମ ସରାଭାଇଙ୍କ ଅବଦାନ ଅବିସ୍ମରଣୀୟ । ସ୍ୱାଧୀନ ଭାରତରେ ଉଚ୍ଚତର ବୈଜ୍ଞାନିକ ଗବେଷଣା ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଯେଉଁ ଦିଗ୍‌ଦର୍ଶନ ଦେଇଥିଲେ ତାହାରି ଫଳଶ୍ରୁତି ଏ ଦୁଇଟି ଅନୁଷ୍ଠାନ । ବିକ୍ରମ ସରାଭାଇ ଆଉ ନାହାନ୍ତି; କିନ୍ତୁ ଇସରୋ (ISRO) ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ର ତ୍ରିଭେନ୍ଦ୍ରମ୍‌ ଶାଖା ତାଙ୍କରି ନାମ ଅନୁସାରେ ବିକ୍ରମ ଭାଇ ସ୍ପେସ୍‌ ସେଣ୍ଟର ନାମରେ ପରିଚିତ । ଏଠାରେ ରୋହିଣୀ ଓ ଅନ୍ୟାନ୍ୟ ରକେଟ୍‌ର ନିର୍ମାଣ ଓ ପରୀକ୍ଷା ନିରୀକ୍ଷା ହୁଏ । ବାଙ୍ଗାଲୋରଠାରେ ଇସ୍‌ରୋର ଉପଗ୍ରହ ଯାନ ନିର୍ମାଣ କେନ୍ଦ୍ର ଓ ମହାକାଶ ବିଜ୍ଞାନର ମୁଖ୍ୟ କାର୍ଯ୍ୟାଳୟ । ଏହାଛଡ଼ା ଅହମଦାବାଦଠାରେ ଟ୍ରେନିଂ ସେଣ୍ଟର ଓ ଶ୍ରୀହରିକୋଟ୍ଟାଠାରେ ଉତ୍‌କ୍ଷେପଣ କେନ୍ଦ୍ର । ନାରୀକେଳ ଓ ଅନ୍ୟାନ୍ୟ ବୃକ୍ଷର ବଳୟ ମଧ୍ୟରେ ସମୁଦ୍ରକୂଳରେ ଏହି ଅନୁଷ୍ଠାନ । ଏହାର ପରିବେଶ ଅତ୍ୟନ୍ତ ମନୋରମ । ପ୍ରାୟ ତିନି ହଜାର ଇଞ୍ଜିନିୟର ଓ ବୈଜ୍ଞାନିକ କାର୍ଯ୍ୟ କରନ୍ତି ଏଠାରେ । ପାଣିପାଗ ଓ ଆକାଶର ଉପରିଭାଗ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାପାଇଁ ପ୍ରଥମେ ରୋହିଣୀ ରକେଟ୍‌ ଏଠାରୁ ଉତ୍‌କ୍ଷେପଣ କରାଯାଉଥିଲା, ଏବେ ମଧ୍ୟ କରାଯାଉଛି । ଏହାଛଡ଼ା ଦୂରଗାମୀ ଶକ୍ତିଶାଳୀ ରକେଟ୍‌ ମଧ୍ୟ ଏଠାରେ ନିର୍ମାଣ କରାଯାଉଛି । ନିକଟରେ ଶ୍ରୀହରିକୋଟ୍ଟାଠାରେ ଯେଉଁ ଦୂରଗାମୀ ଶକ୍ତିଶାଳୀ ରକେଟ୍‌ ସଫଳତାର ସହିତ ଛଡ଼ା ଯାଇଥିଲା ଏବଂ ଯାହା ଭାରତର ସାମରିକ ଓ ବୈଜ୍ଞାନିକ ଶକ୍ତି ସମ୍ପର୍କରେ ସମଗ୍ର ବିଶ୍ୱକୁ ଚମକାଇ ଦେଇଥିଲା । ଭାରତର ଯେ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ ଓ ପ୍ରୟୋଗ କରିବାର କ୍ଷମତା ରହିଛି, ତାହା ମଧ୍ୟ ଚାନ୍ଦିପୁରଠାରେ ନିକଟରେ ହୋଇଥିବା ପରୀକ୍ଷା ପ୍ରମାଣ କରିଦେଇଛି ।

 

ପପି ତା’ ବାପାଙ୍କୁ କହିଲା ରୋହିଣୀ ରକେଟର ଉତ୍‌କ୍ଷେପଣ ଦେଖାଇବା ପାଇଁ । ଅଶୋକବାବୁ ମହାକାଶ ଗବେଷଣା କେନ୍ଦ୍ରର ଜଣେ ପଦସ୍ଥ ଅଫିସର । ସୌମ୍ୟା, ପପି, ଆମେ ଦୁହେଁ ଅନୁମତି ପାଇଲୁ ରୋହିଣୀ ଉତ୍‌କ୍ଷେପଣ ଦେଖିବା ପାଇଁ । ଭୂଇଁ ତଳେ ଥିବା ନିରାପଦ ଗୃହରେ ବସି ସେଇ ଉତ୍‌କ୍ଷେପଣ ଦେଖିଲୁ । ଭୟଙ୍କର ଶବ୍ଦ କରି ରୋହିଣୀ ରକେଟ ଉପରକୁ ଉଠିଲା ଏବଂ ସଙ୍ଗେ ସଙ୍ଗେ ଆମର ମନେହେଲା ଯେ, ଭାରତର ଗର୍ବ ଓ ଗୌରବ ମଧ୍ୟ ଏହିପରି ଉପରକୁ ଉଠୁଛି ବିଶ୍ୱରେ । ଅନେକ ତରୁଣ ଇଂଜିନିୟର ଓ ବୈଜ୍ଞାନିକଙ୍କ ସହିତ ପରିଚୟ ହେଲା । ସେମାନେ ବିଦେଶରେ ବେଶି ଅର୍ଥ ଉପାର୍ଜନ କରିପାରି ଥାଆନ୍ତେ ବା ଆଇ.ଏ.ଏସ୍‌. ଭଳି ସିଭିଲ ସର୍ଭିସରେ ଯୋଗଦେଇ ସୁଖରେ ରହିପାରି ଥାଆନ୍ତେ; କିନ୍ତୁ ତାହା ନ କରି ସେମାନେ ବାଛିନେଇଛନ୍ତି ମହାକାଶ ଗବେଷଣା କେନ୍ଦ୍ରକୁ । ସେମାନଙ୍କ ପକ୍ଷରେ ଏହା ହିଁ ଦେଶ ସେବାର ଅପୂର୍ବ ସୁଯୋଗ । ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶର ବୈଜ୍ଞାନିକ, ଇଂଜିନିୟର, ଡାକ୍ତର ଓ ବିଶେଷଜ୍ଞମାନଙ୍କର ଆଦର ନାହିଁ । ଚାକିରିରେ ସେମାନେ ସବୁ ସୁବିଧା ସୁଯୋଗ ପାଆନ୍ତି ନାହିଁ, ପଦୋନ୍ନତି ମଧ୍ୟ ସହଜ ନୁହେଁ; ତଥାପି ଗବେଷଣା ସେମାନଙ୍କୁ ଅଟକାଇ ରଖିଛି । ଧ୍ୟାନମଗ୍ନ ଋଷିମାନଙ୍କର ଉଚ୍ଚତର ସାଧନା ପରି ସେମାନେ ବିମଗ୍ନ ଓ ତନ୍ମୟ କର୍ତ୍ତବ୍ୟରେ । ଏହା ହିଁ ଏ ଦେଶର ଗୌରବ ଓ ଉଚ୍ଚତମ ପରମ୍ପରା ।

 

କଫି ପିଇ ଫେରିଲାବେଳକୁ ତ୍ରିଭେନ୍ଦ୍ରମ ଉପରେ ସନ୍ଧ୍ୟା ବହଳ ହେଉଥିଲା ।

 

।। ଚାରି ।।

 

କେରଳର ପ୍ରାକୃତିକ ଶୋଭା ଯେପରି ଅନିର୍ବଚନୀୟ ଏବଂ ଏହାର ଅଧିବାସୀମାନେ ଝରଣା ପରି କର୍ମଚଞ୍ଚଳ ଓ ସରଳ; ସେହିପରି କେରଳର ସଂସ୍କୃତି ଓ ଐତିହ୍ୟରେ ସ୍ଥାପତ୍ୟ ଓ ସାହିତ୍ୟରେ ଯେଉଁ ଐଶ୍ୱର୍ଯ୍ୟ ଓ ସୌନ୍ଦର୍ଯ୍ୟ ପ୍ରତିଭାତ ହୁଏ ତାହା ବାଙ୍‌ମୟ ଜଗତର ବଡ଼ ଆକର୍ଷଣ-। କେରଳର ମନ୍ଦିରମାନଙ୍କ ସମ୍ପର୍କରେ ବହୁ ପୂର୍ବରୁ ଶୁଣିଥିଲି; କିନ୍ତୁ ଅଶୋକବାବୁ ଓ ସୌମ୍ୟା ସେ ବିଷୟରେ ଅଧିକ ସୂଚନା ଦେଇ କହିଲେ ଯେ, ତ୍ରିଭେନ୍ଦ୍ରମର ପଦ୍ମନାଭ ସ୍ଵାମୀଙ୍କ ମନ୍ଦିର, ସୂଚୀନ୍ଦ୍ରମ ଓ ଗୁରୁଭାୟୂର ମନ୍ଦିର ସବୁ ନ ଦେଖିଲେ କେରଳ ଦେଖା ସମ୍ପୂର୍ଣ୍ଣ ହେବ ନାହିଁ । ତ୍ରିଭେନ୍ଦ୍ରମରେ ଶୁଣିଲୁ ଯେ କେରଳରେ କୁଆଡ଼େ ୨୨୦୦ ଟି ମନ୍ଦିର ଅଛି । Stella Kramrisch ଲେଖିଛନ୍ତି ଯେ–ସମୁଦ୍ର ଓ ପର୍ବତଶ୍ରେଣୀ ମଧ୍ୟରେ, ଘଞ୍ଚ ସବୁଜ ଅରଣ୍ୟାନୀ ଓ ଉର୍ବରଭୂମି ମଧ୍ୟରେ ଏହି ଶୋଭାମୟୀ ବିଭାବମୟୀ ଦେଶରେ ୨୨୦୦ଟି ମନ୍ଦିର ରହିଛି ।

 

କେରଳର ମନ୍ଦିର ସବୁ ଦେଖିବାର ସୁଯୋଗ ହେବନାହିଁ; କିନ୍ତୁ କେତୋଟି ମନ୍ଦିର ଦେଖିବାର ଲୋଭ ସମ୍ବରଣ କରିହେଲା ନାହିଁ । ମନ୍ଦିର ଦେଖିବା ପୂର୍ବରୁ କେରଳର ଐତିହ୍ୟ ଓ ଇତିହାସ ଜାଣିବାକୁ ଇଚ୍ଛା ହେଲା । ଐତିହାସିକମାନଙ୍କ ମତରେ କେରଳରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ହେବା ଫଳରେ ବିଭିନ୍ନ ଧର୍ମ ଓ ଧାରଣା ସହିତ ଏହାର ସଂସ୍କୃତି ଓ ସ୍ଥାପତ୍ୟର ଅଭ୍ୟୁଦୟ ଘଟିଛି ।

 

କେରଳକୁ ଆର୍ଯ୍ୟମାନେ ଆସିବା ପୂର୍ବରୁ ଏହାଥିଲା ଦ୍ରାବିଡ଼ମାନଙ୍କର ଚରାଭୂଇଁ । ତେଣୁ ସେମାନଙ୍କର ବିଶ୍ୱାସ ଅନୁସାରେ ପୂଜାର୍ଚ୍ଚନା ହେଉଥିଲା । କିନ୍ତୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କେରଳକୁ ଆର୍ଯ୍ୟମାନେ ଆସିବାର ପ୍ରମାଣ ମିଳେ । ପ୍ରଥମେ ଆର୍ଯ୍ୟମାନଙ୍କ ସହିତ କେରଳକୁ ଆସିଲା ଜୈନଧର୍ମ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ (୩୨୧–୨୯୭ ଖ୍ରୀଷ୍ଟପୂର୍ବ) ଜୈନ ମୁନି ଭଦ୍ରବାହୁ ଏଠାକୁ ଆସି ଜୈନଧର୍ମର ପ୍ରସାର କରାଇଥିଲେ । ଏହା ସେତେବେଳେ କେରଳ ଶାସକମାନଙ୍କ ଦ୍ୱାରା ପୋଷକତା ପାଇ ଜନଜୀବନରେ ଆଦୃତ ହୋଇଥିଲା । ଏବେ କିନ୍ତୁ ଜୈନଧର୍ମର ପ୍ରଭାବ ଆଉ ନାହିଁ । ଯଦିବା କେରଳରେ ଅଦ୍ୟାପି କେତେକ ଜୈନଧର୍ମାବଲମ୍ବୀ ବସବାସ କରୁଛନ୍ତି ।

 

ଅଶୋକ କଳିଙ୍ଗ ବିଜୟ କରି ବୌଦ୍ଧଧର୍ମରେ ଦୀକ୍ଷିତ ହେବାପରେ ବୌଦ୍ଧଧର୍ମ କେରଳକୁ ଆସିଥିବାର ପ୍ରମାଣ ଐତିହାସିକମାନେ ଦିଅନ୍ତି । ବୌଦ୍ଧ ପରିବ୍ରାଜକ ଓ ଧର୍ମ ପ୍ରଚାରକମାନେ ସମୁଦ୍ର ପଥରେ ଓଡ଼ିଶା (ପୂର୍ବର କଳିଙ୍ଗ) ଉପକୂଳରୁ ଯେ ବୌଦ୍ଧଧର୍ମ ପ୍ରଚାର ପାଇଁ କେରଳ ଯାଇଥିଲେ ଏହା ମଧ୍ୟ ଐତିହାସିକମାନଙ୍କର ମତ । ଶାବରିମଲ ଉପରେ ଆୟାପ୍‌ପାଙ୍କର ଯେଉଁ ମନ୍ଦିର ଅଛି ବା ଆଉ କେତେକ ମନ୍ଦିର ପୂର୍ବେ ବୌଦ୍ଧକ୍ଷେତ୍ର ଥିବାର ପ୍ରମାଣ ମିଳୁଛି । କିନ୍ତୁ ଅଷ୍ଟମ ଓ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ବୌଦ୍ଧଧର୍ମ ହିନ୍ଦୁ ଧର୍ମର ପ୍ରଭାବ ଓ ପ୍ରସାର ଫଳରେ ବିଲୟ ଭଜିଲା । ଆଦିଶଙ୍କରଙ୍କଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା କହିଲେ ଚଳେ ।

 

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଆର୍ଯ୍ୟମାନେ କେରଳରୁ ଆସିଥିବାର ପ୍ରମାଣ ମିଳେ । ଉତ୍ତର ଭାରତରୁ ବ୍ରାହ୍ମଣମାନେ ଆସି ନାମ୍ବୁଦ୍ରି ବ୍ରାହ୍ମଣ ଭାବରେ କେରଳରେ କ୍ରମଶଃ ପ୍ରତିଷ୍ଠା ଲାଭ କଲେ । ସେମାନଙ୍କ ଆଗମନଦ୍ୱାରା ଜୈନ ଓ ବୌଦ୍ଧଧର୍ମର ପ୍ରସାର ବାଧା ପାଇଥିଲା, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

କେରଳରେ ଚେର ସାମ୍ରାଜ୍ୟ ସମୟରେ (୮୦୦–୧୧୦୨) ମଧ୍ୟରେ କୁଳଶେଖରମାନଙ୍କ ରାଜତ୍ୱକାଳରେ ହିନ୍ଦୁଧର୍ମର ଅପୂର୍ବ ଅଭ୍ୟୁଦୟ ଘଟିଥିବାର ବହୁ ପ୍ରମାଣ ରହିଛି-। ସେହି ସମୟରେ ଆଦିଶଙ୍କର (୭୮୮–୮୨୦)ଙ୍କ ପ୍ରଭାବ ବଳରେ ହିନ୍ଦୁ ଆଚାର ବିଚାର ଓ ଧର୍ମ ଦର୍ଶନରେ ବହୁ ସଂସ୍କାର ସାଧିତ ହେବା ଫଳରେ ବୌଦ୍ଧଧର୍ମ ଓ ଜୈନଧର୍ମ ସ୍ଥାନରେ ହିନ୍ଦୁଧର୍ମର ପୁନରୁତ୍‌ଥାନ ହୋଇଥିଲା । କେରଳରେ ଭକ୍ତିମାର୍ଗର ପ୍ରବକ୍ତା ଥିଲେ ଶୈବ ନୟନାରମାନେ-। ତେଷଠି ନୟନାରଙ୍କ ମଧ୍ୟରୁ ଭିରଳମିନ୍ଦ, ଚେରାମନ, ପେରୁମଲ ଏବଂ ଦ୍ଵାଦଶ ଆଲୱାର ଓ କୁଳଶେଖର କେରଳରେ ବସବାସ କରୁଥିଲେ । ସେମାନଙ୍କ ଦ୍ୱାରା ଭକ୍ତିମାର୍ଗର ପ୍ରସାର ଘଟିଥିଲା ଏବଂ ସେହି ସମୟରେ କେରଳର ସାହିତ୍ୟ, ସଂସ୍କୃତି, କଳା ଓ ସ୍ଥାପତ୍ୟ ସମୃଦ୍ଧ ହୋଇଥିଲା ଓ ସେମାନଙ୍କ ଦ୍ୱାରା ବହୁ ଭକ୍ତିସାହିତ୍ୟ ରଚିତ ହୋଇଥିଲା । କୁଳଶେଖର ଆଲୱାର ମୁକୁନ୍ଦମାଳା କାବ୍ୟ ସଂସ୍କୃତରେ ଏବଂ ପେରୁମଲ ତିରୁମୋଝି କାବ୍ୟ ତାମିଲରେ ରଚନା କରିଥିଲେ-

 

କିନ୍ତୁ ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ, ଆଦିଶଙ୍କରଙ୍କର ଅଦ୍ଵୈତବାଦ ‘‘ଏକମ୍‌ ସଦ୍‌ବିପ୍ରା ବହୁଧା ବଦନ୍ତି;’’ ଅର୍ଥାତ୍‌, ସତ୍ୟ ଏକ; କିନ୍ତୁ ଋଷିମାନେ ବହୁଭାବରେ ତାହା କହିଥାଆନ୍ତି । ଏହା ବେଦ ଓ ଉପନିଷଦର ଦର୍ଶନ ଉପରେ ପ୍ରତିଷ୍ଠିତ ହେଲେହେଁ ଶଙ୍କର ବୌଦ୍ଧଧର୍ମର ବହୁ ଲୋକପ୍ରିୟ ଆଚାର ବିଚାର ଆଣି ହିନ୍ଦୁଧର୍ମର ସଂସ୍କାର କରିଥିଲେ । ସେ ବୁଦ୍ଧଙ୍କ ଆଦର୍ଶ ଅନୁସରଣ କରି ହିନ୍ଦୁ ଧର୍ମକୁ ସଂଗଠିତ ଓ ଜନପ୍ରିୟ କରିବା ଲାଗି ବିଭିନ୍ନ ସ୍ଥାନରେ ମଠ ପ୍ରତିଷ୍ଠା କରିଥିଲେ । ସେଥିପାଇଁ କୁହାଯାଏ ଯେ ଶ୍ରୁତି ସ୍ମୃତି ପୁରାଣାନାମ୍‌, ଆଲୟମ୍‌ କରୁଣାଲୟମ୍‌, ନମାମି ଭଗବଦ୍‌ପାଦମ୍‌, ଲୋକ ଶଙ୍କରମ୍‌; ଅର୍ଥାତ୍‌ ଶଙ୍କରଙ୍କ ପାଦତଳେ ମୋର ନମସ୍କାର, ସେ ଶ୍ରୁତି, ସ୍ମୃତି ଓ ପୁରାଣର ଏବଂ କରୁଣାର ସେ ଆଧାର ଏବଂ ପୃଥିବୀର ସେ ମଙ୍ଗଳ ବିଧାନ କରନ୍ତି ।

 

ଏହା ଫଳରେ ହିନ୍ଦୁ ଆଚାର ବିଚାର ଓ ପୂଜାପଦ୍ଧତିର ବହୁଳ ପ୍ରସାର ଘଟିଥିଲା ଏବଂ ସେହି ସମୟରେ ମନ୍ଦିର ନିର୍ମାଣ ସହିତ ଦେବଦାସୀ ପ୍ରଥା ମଧ୍ୟ ପ୍ରଚଳିତ ହୋଇଥିଲା । ମନ୍ଦିରମାନଙ୍କରେ ପୂଜାର୍ଚ୍ଚନାର ଏକ ଅଂଶ ଭାବରେ ଦେବଦାସୀମାନଙ୍କର ନୃତ୍ୟନାଟିକା ଯଥା–କଥାକଲି, କୁଟିଆଟ୍ଟମ, ମୋହିନୀଆଟ୍ଟମ ପ୍ରଭୃତି ପ୍ରଚଳିତ ହେଲା ।

 

କେରଳର ମନ୍ଦିରମାନଙ୍କର ନିର୍ମାଣ କୌଶଳ ସ୍ଥାପତ୍ୟ ବିଦ୍ୟାର ଉତ୍କର୍ଷତା ସମ୍ପର୍କରେ ସୂଚନା ଦିଏ । ଦକ୍ଷିଣଭାରତର ନିର୍ମାଣ କୌଶଳ ଓ ପଦ୍ଧତି ଭିନ୍ନପ୍ରକାର ଥିଲା । ଆମ ଓଡ଼ିଶାର ସ୍ଥାପତ୍ୟ ଠାରୁ ତାହା ଭିନ୍ନ । କେରଳର ମନ୍ଦିରମାନଙ୍କର ବିଶେଷତ୍ୱ ସମ୍ପର୍କରେ ରୋନାଲଡ଼୍‌ ବରନିଅର (Ronald Bernier) ଲେଖିଛନ୍ତି ଯେ, ପ୍ରଥମେ କେରଳର ମନ୍ଦିରମାନଙ୍କର ଉର୍ଦ୍ଧ୍ୱମୁଖୀ ନିର୍ମାଣ ସତ୍ୟ ଆଜକୁ ମଣିଷର ନିରନ୍ତର ଉର୍ଦ୍ଧ୍ୱମୁଖୀ ଅଭୀପ୍‌ସାର ନିଦର୍ଶନ ।

 

କେରଳର ଜାତୀୟ ପର୍ବ ଓନାମ (Onam) ସମ୍ପର୍କରେ ସୂଚନା ଦେଇ ମିଷ୍ଟର ଆୟାର କହିଲେ ଯେ, ବିଷ୍ଣୁଙ୍କର ପଞ୍ଚମ ଅବତାର ନାମରେ ପ୍ରଖ୍ୟାତ ବାମନଙ୍କୁ ଉତ୍ସର୍ଗ କରାଯାଇଥବା ତ୍ରିକାକାର ମନ୍ଦିର ୬୦୪ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । କୋଚିନ ନିକଟସ୍ଥ ଇଡ଼ାପଲ୍ଲି ରାଜ୍ୟର ମୁଖ୍ୟମାନେ ଥିଲେ ଏହି ମନ୍ଦିରର ପୁରୋହିତ । ସେମାନଙ୍କ ସହିତ କୋଚିନ ରାଜବଂଶର ରାଜକନ୍ୟାମାନେ ବିବାହସୂତ୍ରରେ ଆବଦ୍ଧ ହେବାରୁ ଯେଉଁ ସମ୍ବନ୍ଧ ସ୍ଥାପିତ ହେଲା ତା’ର ସ୍ମୃତି ଭାବରେ ଅଗଷ୍ଟ–ସେପ୍‌ଟେମ୍ବର ମାସରେ ପାଳିତ ହେଉଥିବା ଓନାମ ପର୍ବ ପ୍ରସିଦ୍ଧି ଲାଭ କରିଥିଲା । କିନ୍ତୁ ୧୫ ଶହ ଶତାବ୍ଦୀରେ ଏହି ଦୁଇ ବଂଶ ମଧ୍ୟରେ ସମ୍ପର୍କ ଖରାପ ହେବାରୁ ଏଥିରେ ଶିଥିଳତା ଆସିଥିଲା । କିନ୍ତୁ ପରେ ପରେ ଇଡ଼ାପଲ୍ଲି ପରିବାର ସହିତ ଜାମୋରିନ ପରିବାର ସମ୍ପର୍କ ସ୍ଥାପନ କରିବାରୁ ତାହା ପୁଣି ପୁନରୁଜ୍ଜୀବିତ ହୋଇ ଜନଗଣଙ୍କ ମଧ୍ୟରେ କେରଳର ସର୍ବତ୍ର ପାଳିତ ହେଲା ।

 

ପଦ୍ମନାଭ ସ୍ୱାମୀ କେରଳର ଇଷ୍ଟଦେବତା ଭାବରେ ସର୍ବତ୍ର ମାନ୍ୟ । ବର୍ତ୍ତମାନ ଆମେ ଦେଖୁଥିବା ପଦ୍ମନାଭ ସ୍ୱାମୀଙ୍କ ମନ୍ଦିର ସମ୍ପର୍କରେ ଏକ ସୁନ୍ଦର କାହାଣୀ ଶୁଣାଇଲେ ଆୟାର ସାହେବ ।

 

ରାଜା ମାର୍ତ୍ତଣ୍ଡବର୍ମା ବିଚକ୍ଷଣ ରାଜନୀତିଜ୍ଞ ଓ ମହାନ୍‌ ଯୋଦ୍ଧା ଥିଲେ । ସେ ୧୭୨୯ ଖ୍ରୀଷ୍ଟାବ୍ଦରେ ତ୍ରାଭାଙ୍କୋରର ରାଜା ହେବା ପରେ ପରେ ରାଜ୍ୟବିସ୍ତାର ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କଲେ । ଗୋଟିକ ପରେ ଗୋଟିଏ ପ୍ରତିବେଶୀ ରାଜ୍ୟ ତାଙ୍କର ପଦାନତ ହେବାକୁ ଲାଗିଲା-। ଶେଷରେ ୧୭୫୦ ବେଳକୁ ତାଙ୍କର କ୍ଷୁଦ୍ର ରାଜ୍ୟ କୋଚିନ ଠାରୁ ନାଗରକୋଇଲ ଯାଏ ବିସ୍ତାର ଲାଭ କରିଥିଲା । ସେହି ଯୁଦ୍ଧଜନିତ ଦୁଷ୍କୃତି ଓ ପାପରୁ ପରିତ୍ରାଣ ପାଇବା ଉଦ୍ଦେଶ୍ୟରେ ରାଜା ତାଙ୍କର ସମସ୍ତ ଅଧିକାର ଓ ସମ୍ପଦ ପଦ୍ମନାଭ ସ୍ୱାମୀଙ୍କୁ ଅର୍ପଣ କଲେ ଏବଂ ତାଙ୍କର ସମର୍ପଣର ନିଦର୍ଶନ ସ୍ଵରୂପ ସେ ପଦ୍ମନାଭଙ୍କ ସିଂହାସନ ତଳେ ତାଙ୍କର ରାଜତରବାରୀ ରଖିଦେଲେ ଏବଂ ତା’ପରେ ସେହିଦିନଠାରୁ ସେ ପଦ୍ମନାଭଙ୍କ ଦାସ ଭାବରେ ରାଜ୍ୟଶାସନ କଲେ-। ଏହି ପ୍ରଥା ଆଜି ପର୍ଯ୍ୟନ୍ତ ଚଳିଆସୁଛି । ତ୍ରିଭେନ୍ଦ୍ରମର ରାଜା ଏବେ ବି ପ୍ରତିଦିନ ପଦ୍ମନାଭଙ୍କ ଦର୍ଶନ ପାଇଁ ଆସନ୍ତି ଏବଂ ପ୍ରଭୁଙ୍କ ଦାସ ଭାବରେ ତାଙ୍କର ସେବା ପୂଜା କରନ୍ତି । ମାର୍ତ୍ତଣ୍ଡ ବର୍ମାଙ୍କ ସମୟରେ କେରଳର ନାମ୍ବୁଦ୍ରି ଓ ପଟ୍ଟି ବ୍ରାହ୍ମଣମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସେମାନଙ୍କ ମନରୁ ଦୂର କରିବା ପାଇଁ ଆପୋଷ ଆରମ୍ଭ ହୋଇଥିଲା । ନାମ୍ବୁଦ୍ରିମାନଙ୍କୁ ଏକତ୍ର କରିବା ଲାଗି ପ୍ରତି ଛଅବର୍ଷରେ ଥରେ ‘ମୁରାଜପମ’ ବା ବେଦ ଆବୃତ୍ତି ବ୍ୟବସ୍ଥା କରାଯିବାର ବିଧାନ ଖଞ୍ଜାଯାଇଛି । ଏହା ଛପନ ଦିନ ଧରି ଚାଲେ ଏବଂ ମକରସଂକ୍ରାନ୍ତି ଦିନ ଲକ୍ଷେ ଦୀପ ଜାଳି ଏହାର ପରିସମାପ୍ତି କରାଯାଏ ।

 

ବର୍ତ୍ତମାନ ତ୍ରାଭାଙ୍କୋର ରାଜା ନାମକୁ ମାତ୍ର ଅଛନ୍ତି, ରାଜତ୍ୱ ନାହିଁ କି କ୍ଷମତା ନାହିଁ; ତଥାପି ରାଜା ପଦ୍ମନାଭ ସ୍ୱାମୀଙ୍କ ମନ୍ଦିର ତାଙ୍କର ସମ୍ପତ୍ତି ରୂପେ ଗଣ୍ୟ । ବ୍ୟୟସଙ୍କୋଚ କରାଯାଇଛି ସତ୍ୟ; କିନ୍ତୁ ପୂଜାର୍ଚ୍ଚନାରେ କୌଣସି ବାଧା ସୃଷ୍ଟି କରାଯାଇ ନାହିଁ ।

 

ପଦ୍ମନାଭ ସ୍ୱାମୀ ମନ୍ଦିର ସହରର ଏକ ଉଚ୍ଚସ୍ଥାନରେ ନିର୍ମିତ ଏବଂ ଏହାର ପୂର୍ବପାର୍ଶ୍ୱର ଗୋପୁରମ୍‌ ସାତତାଲା ବିଶିଷ୍ଟ ଏବଂ ଉପରିସ୍ଥ ଏକ ପାଗୋଡ଼ା ପରି । ତ୍ରିଭେନ୍ଦ୍ରମ୍‌ର ନାମ ତିରୁଅନନ୍ତପୁରମ୍‌; ଅର୍ଥାତ୍‌ ଅନନ୍ତଶୟନରେ ଶାୟିତ ବିଷ୍ଣୁଙ୍କର ଆବାସସ୍ଥଳୀ । ତ୍ରିଭେନ୍ଦ୍ରମ ଇଂରେଜମାନଙ୍କ ପ୍ରଦତ୍ତ ନାମ ।

 

ଏହା କେରଳର ପ୍ରଧାନ ମନ୍ଦିର ଏବଂ ଏହାର ନିର୍ମାଣ ଶୈଳୀରେ ଦ୍ରାବିଡ଼ ଓ ସ୍ଥାନୀୟ ନିର୍ମାଣ କୌଶଳ ପ୍ରତିଫଳିତ । ଏଠାରେ ପ୍ରଥମେ ଖ୍ରୀଷ୍ଟପୂର୍ବ ୩୦୦୦ ଶତାବ୍ଦୀରେ ମନ୍ଦିର ନିର୍ମାଣ କରାଯାଇ ପଦ୍ମନାଭଙ୍କୁ ପୂଜା କରାଯାଉଥିବା ପ୍ରବାଦ ପ୍ରଚଳିତ ଅଛି । କିନ୍ତୁ ମନ୍ଦିର ଗାତ୍ରରେ ଥିବା ସଂସ୍କୃତ ଶିଳାଲେଖରୁ ପ୍ରମାଣିତ ହୁଏ ଯେ, ବର୍ତ୍ତମାନର ମନ୍ଦିରର ନିର୍ମାଣ ୧୭୨୯ରେ ଆରମ୍ଭ ହୋଇଥିଲା ମାର୍ତ୍ତଣ୍ଡ ବର୍ମାଙ୍କ ଦ୍ଵାରା । ପ୍ରଧାନ ବିଗ୍ରହ ବାରଶହ ଶାଳଗ୍ରାମର ସମ୍ମିଶ୍ରଣରେ ଗଠିତ ବୋଲି କୁହାଯାଏ । ପଦ୍ମନାଭଙ୍କୁ ତିନିଦ୍ଵାର ଦେଇ ଦର୍ଶନ କରଯାଏ । ମୁହଁ ଦକ୍ଷିଣଦ୍ୱାର ଦେଇ, ନାଭି ମଧ୍ୟଦ୍ୱାର ଓ ପାଦ ଉତ୍ତର ଦ୍ୱାର ଦେଇ ଦର୍ଶନ କରାଯାଏ । ନାଭିରୁ ବ୍ରହ୍ମାଙ୍କ ଉତ୍ପତ୍ତି । ସେଥିପାଇଁ ସେ ପଦ୍ମନାଭ । ସେ ଯୋଗନିଦ୍ରାରେ ଶାୟିତ ଥିବା ଭାଗବତରେ ବର୍ଣ୍ଣନା କରାଯାଇଛି ।

 

ପଦ୍ମନାଭ ସ୍ୱାମୀ ମନ୍ଦିରର ଚତୁଃପାର୍ଶ୍ଵର ପଥ ଅତି ବିରାଟ । ଏହା ନିର୍ମାଣ କରିବାପାଇଁ ୪୦୦୦ ରାଜମିସ୍ତ୍ରୀ, ୬୦୦୦ ଶ୍ରମିକ, ଶହେ ହାତୀ ସାତମାସ ଲାଗି ଏହା ନିର୍ମାଣ କରିଥିଲେ । ମନ୍ଦିର ଶାଗୁଆନ କାଠଦ୍ୱାରା ନିର୍ମିତ ଏବଂ ପରେ ଏହାର ଚୂଡ଼ା ବା ଶୀର୍ଷଦେଶ ସୁନା ଦ୍ୱାରା ଢଙ୍କା ଯାଇଛି । ଏହି ପଥର ନାମ ଶ୍ରୀବାଲିପୁର । ସାତ ଏକର ଜମି ଉପରେ ମନ୍ଦିର ଓ ଏହାର ବେଢ଼ା । ଏହାର ସମ୍ମୁଖରେ ବିଶାଳ ଗୋପୁର ପୂର୍ବଉପକୂଳର ମନ୍ଦିର ଢାଞ୍ଚରେ ତିଆରି । ଗୋପୁରମ୍‌ ଓ ଅନ୍ୟାନ୍ୟ ସ୍ଥାନରେ ପୌରାଣିକ ଉପଖ୍ୟାନର ନାନାଦି ଚିତ୍ର । ପ୍ରଧାନ ଫାଟକ ପାଖରୁ ପ୍ରଧାନ ପୀଠ ପର୍ଯ୍ୟନ୍ତ ୩୨୪ଟି ଖମ୍ବ ରହିଛି । ପ୍ରତ୍ୟେକ ଖମ୍ବରେ ପ୍ରଦୀପ ହାତରେ ଥିବା ଜଣେ ନାୟର ବାଳିକାର ଚିତ୍ର ଖୋଦିତ ହୋଇଛି ।

 

ପଦ୍ମନାଭ ସ୍ୱାମୀ ମନ୍ଦିର ସମ୍ପର୍କରେ ବହୁ କିମ୍ବଦନ୍ତୀ, ପ୍ରବାଦ ଓ ଲୋକକଥା ପ୍ରଚଳିତ । ଗୋଟିଏ ପ୍ରବାଦ ଅନୁସାରେ ଜଣେ ତୁଲୁ ବ୍ରାହ୍ମଣଙ୍କ ଦ୍ୱାରା ପ୍ରଥମେ ଏହି ମନ୍ଦିର କଳିଯୁଗ ଆରମ୍ଭ ହେବାର ୯୫୦ ଦିନ ନିର୍ମିତ ହୋଇଥିଲା । ଏହା ବି କଥିତ ଅଛି ଯେ ଦିବାକର ମୁନିଙ୍କ ତପସ୍ୟାରେ ମୁଗ୍‌ଧ ହୋଇ ମହାବିଷ୍ଣୁ ତାଙ୍କୁ ବାଳକ ରୂପରେ ଦର୍ଶନ ଦେଲେ । ସେହି ବାଳକର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ମୁନି ତାଙ୍କୁ ପାଖରେ ରଖିବା ପାଇଁ ଇଚ୍ଛାପ୍ରକାଶ କରିବାରୁ ବାଳକ ଗୋଟିଏ ସର୍ତ୍ତରେ ରାଜି ହେଲେ ଯେ ମୁନି କେବେହେଁ ତାଙ୍କ ପ୍ରତି ଅପ୍ରସନ୍ନ ହେବେ ନାହିଁ । ଥରେ ଦିବାକର ମୁନି ଧ୍ୟାନମଗ୍ନ ଥିବାବେଳେ ବାଳକ ମୁନି ପୂଜିତ ଶାଳଗ୍ରାମ ଗିଳି ପକାଇବାରୁ ମୁନି ତାଙ୍କ ଉପରେ ବିରକ୍ତ ହେଲେ ଏବଂ ବାଳକ ଅନ୍ତର୍ଦ୍ଧାନ ହେବା ଆଗରୁ କହିଗଲେ, ମୋତେ ଯଦି ପୁନର୍ବାର ଦର୍ଶନ କରିବାକୁ ଇଚ୍ଛା କର ଅନନ୍ତକାଢ଼ୁ ବା ଅନନ୍ତଙ୍କ ଅରଣ୍ୟରେ ଦେଖିବାକୁ ପାଇବ । ଆହାର ନିଦ୍ରା ପରିତ୍ୟାଗ କରି ଦିବାକର ମୁନି ତାଙ୍କର ଅନୁସରଣ କଲେ । ଶେଷରେ ସେ ଏକ ଗଭୀର ଜଙ୍ଗଲରେ ଉପସ୍ଥିତ ହେଲେ ଏବଂ ସେହି ବାଳକ ଏକ ବୃକ୍ଷରେ ଅନ୍ତର୍ଦ୍ଧାନ ହୋଇଗଲେ । ସେହି ବୃକ୍ଷ ସଙ୍ଗେ ସଙ୍ଗେ ଭୂଲୁଣ୍ଠିତ ହେଲା ଏବଂ ତାହା ଅନନ୍ତଶୟନରେ ଶାୟିତ ମହାବିଷ୍ଣୁଙ୍କ ରୂପ ଧାରଣ କଲା । ଏହି ଦିବ୍ୟମୂର୍ତ୍ତି ପ୍ରାୟ ୧୩ କିଲୋମିଟର ଲମ୍ବା ବର୍ତ୍ତମାନର ପୀଠ । ସ୍ଥାନଠାରୁ ପାଞ୍ଚ କିଲୋମିଟର ଦୂରରେ ତିରୁବଲ୍ଲମଠାରେ ତାଙ୍କର ମସ୍ତକ ଏବଂ ଆଠ କିଲୋମିଟର ଦୂର ତିପ୍‌ପାପୁରଠାରେ ତାଙ୍କର ପାଦ ବିଦ୍ୟମାନ । ଏପରି ବିରାଟ ମୂର୍ତ୍ତି ଦେଖି ଦିବାକର ମୁନି ଭୟବିହ୍ୱଳ ହୋଇ ପଡ଼ିଲେ ଏବଂ ପ୍ରଭୁଙ୍କୁ ଛୋଟ ହୋଇଯିବା ପାଇଁ ପ୍ରାର୍ଥନା କଲେ । ଭଗବାନ ତାଙ୍କର ନିଷ୍ଠାରେ ସନ୍ତୁଷ୍ଟ ହୋଇ ନିଜ ରୂପକୁ ସଙ୍କୁଚିତ କଲେ । ସେହିଦିନୁ ଦିବାକର ମୁନିଙ୍କ ଅଞ୍ଚଳର ତୁଳୁ ବ୍ରାହ୍ମଣମାନେ ତାଙ୍କର ପୂଜାର୍ଚ୍ଚନା କରି ଆସୁଛନ୍ତି ।

 

ବର୍ଷକୁ ଦୁଇଟି ପ୍ରଧାନ ଉତ୍ସବ ମନ୍ଦିରରେ ପାଳିତ ହୁଏ । ଗୋଟିଏ ମାର୍ଚ୍ଚ–ଏପ୍ରିଲର ମୀନ ମାସରେ ଓ ଅନ୍ୟଟି ସେପ୍‌ଟେମ୍ବର–ଅକ୍ଟୋବରର ତୁଳା ମାସରେ । ଦଶଦିନ ଧରି ଉଭୟ ଉତ୍ସବ ପାଳିତ ହୁଏ । ପ୍ରଥା ଅନୁସାରେ ତ୍ରିଭେନ୍ଦ୍ରମରେ ବର୍ଷକୁ ଦୁଇଥର ଭେଟ୍ଟା (ଶିକାର) ଓ ଆରତ୍ତୁ (ବିସର୍ଜନ) ଶୋଭାଯାତ୍ରା କରାଯାଏ । ଏହି ଶୋଭାଯାତ୍ରା ପଛରେ ବିଶ୍ୱର ପାଳନକର୍ତ୍ତା ବିଷ୍ଣୁ ଶିକାର କରିବାକୁ ଯାଇ ଦୈତ୍ୟର ବିନାଶ କରିବା ପ୍ରତୀକ ବିଦ୍ୟମାନ । ଶୋଭାଯାତ୍ରାରେ ଶ୍ରୀପଦ୍ମନାଭ, ଶ୍ରୀକୃଷ୍ଣ ଓ ଶ୍ରୀନରସିଂହଙ୍କ ମୂର୍ତ୍ତି ନିଆଯାଏ । ଏହି ଶୋଭାଯାତ୍ରା ସୁନ୍ଦର ବିଳାସମ୍‌ ରାଜପ୍ରାସାଦଠାରେ ସମାପ୍ତ ହୁଏ । ମାର୍ତ୍ତଣ୍ଡ ବର୍ମାଙ୍କ ଜୀବନର ଏକ ସଙ୍କଟମୟ ଅଧ୍ୟାୟ ସହିତ ମଧ୍ୟ ଏହା ଜଡ଼ିତ ।

 

ପଦ୍ମନାଭଙ୍କ ଦର୍ଶନ କରିବା ପାଇଁ ଯିବା ପୂର୍ବରୁ ଅନ୍ୟାନ୍ୟ ଅଙ୍ଗବସ୍ତ୍ର ପରିତ୍ୟାଗ କରି ଖାଲିଦେହରେ ଲୁଙ୍ଗି ବା ଧୋତି ପିନ୍ଧି ଯିବାକୁ ହୁଏ । ଦର୍ଶନ ପାଇଁ ଗଲାବେଳେ ବା ସେଠାରେ ପୂଜାର୍ଚ୍ଚନା ସମୟରେ ପଣ୍ଡାମାନଙ୍କର ଦୌରାତ୍ମ୍ୟ ଦୃଷ୍ଟିଗୋଚର ହୁଏ ନାହିଁ । ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା ଉତ୍ତମ ।

 

ଅନନ୍ତ ଶୟନରେ ଥିବା ସେହି ବିଶ୍ୱପାଳକ ବିଷ୍ଣୁଙ୍କୁ ଦର୍ଶନ କରି ତାଙ୍କର ପ୍ରସାଦ ଓ ଚରଣାମୃତ ପାନକରି ଧନ୍ୟ ହେଲୁ ।

 

କନ୍ୟାକୁମାରୀ ତାମିଲନାଡ଼ୁରେ । ତ୍ରିଭେନ୍ଦ୍ରମ ଏହାର ପ୍ରବେଶ ପଥ । ତେଣୁ କନ୍ୟାକୁମାରୀ ନଗଲେ ଯେ ଭାରତଦର୍ଶନ ହୁଏ ନାହିଁ, ତଥା କେରଳର ଅନିର୍ବଚନୀୟ ପ୍ରାକୃତିକ ଶୋଭାର ଏକ ସମ୍ପୂର୍ଣ୍ଣ ଚିତ୍ର ମନରେ ଧରି ରଖାଯାଏ ନାହିଁ । ଏହା ପ୍ରାୟ ସମସ୍ୱରରେ କହିଲେ ବିଜନଦାସ, ଅଶୋକବାବୁ ଓ ଅନ୍ୟାନ୍ୟ ତରୁଣ ଓଡ଼ିଆ ବୈଜ୍ଞାନିକ ଓ ବିଶେଷଜ୍ଞମାନେ । କନ୍ୟାକୁମାରୀରେ ଆରବ ମହାସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର ଅପୂର୍ବ ସଙ୍ଗମ । କନ୍ୟାକୁମା‍ରୀର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଜଗତରେ ଅତୁଳନୀୟ । କେବଳ ଏତିକି ନୁହେଁ, ଏହିଠାରେ ପାର୍ବତୀ କନ୍ୟା ରୂପରେ ଶିବଙ୍କୁ ପତି ଭାବରେ ପାଇବା ପାଇଁ ଅନାଦିକାଳରୁ ତପସ୍ୟାରତ । ଏହି କନ୍ୟାକୁମାରୀରେ ପଦାର୍ପଣ କରି ମହାନ୍‌ ଭାରତବର୍ଷର ଏକକ ରୂପ ଓ ସମନ୍ୱିତ ସଂସ୍କୃତିକୁ କେବଳ କଳନା କରି ନଥିଲେ ସ୍ୱାମୀ ବିବେକାନନ୍ଦ, ଏହିଠାରେ ତପସ୍ୟା କରି ସେ ପାଇଥିଲେ ଅନୁପ୍ରେମ ସିଦ୍ଧି ।

 

ସୌମ୍ୟ ପ୍ରସ୍ତୁତ କଲା ସବୁ । ଶନିବାର ଅପରାହ୍ନରେ ବାହାରିପଡ଼ିଲୁ ଆମେ କନ୍ୟାକୁମାରୀ ଅଭିମୁଖରେ । କେରଳର ସଡ଼କ ପରିବହନ କରପୋରେସନ୍‌ର ବସ୍‌ ସମୟାନୁବର୍ତ୍ତିତା ରକ୍ଷାକରି ଠିକ୍‌ ସମୟରେ ଛାଡ଼ିଲା । ଆଗରୁ ଟିକେଟ କରି ସ୍ଥାନ ସଂରକ୍ଷଣ କରାଯାଇଥିଲା । ବସ୍‌ ଚାଲିଲା ନାରିକେଳ, ଗୁଆ ଓ ଅନ୍ୟାନ୍ୟ ସବୁଜ ଗଛବୃଚ୍ଛକୁ ଦୁଇ ପାଖରେ ରଖି । ଠାଏ ଠାଏ ଗ୍ରାମ, କେରଳୀମାନଙ୍କର ଉଦ୍ୟମଶୀଳତା ଓ ସେମାନଙ୍କର ପ୍ରାଣପ୍ରାଚୁର୍ଯ୍ୟ ଦୃଷ୍ଟିରେ ପଡ଼ୁଥାଏ ।

 

କନ୍ୟାକୁମାରୀରେ ପହଞ୍ଚିଲା ବେଳକୁ ସଞ୍ଜ ହୋଇ ସାରିଥାଏ । ଆମେ ସିଧା ଚାଲିଲୁ ବିବେକାନନ୍ଦ ହଷ୍ଟେଲ ଆଡ଼କୁ । ବିବେକାନନ୍ଦ ହଷ୍ଟେଲ ଏକ ସୁନ୍ଦର ସ୍ଥାନରେ ଦ୍ୱିତଳ ପ୍ରାସାଦରେ ଅବସ୍ଥିତ । କୋଠରୀ ମିଳିଗଲା । ପ୍ରତ୍ୟେକ କୋଠରୀ ସହିତ ପ୍ରସାଧନ ଗୃହ ସଂଲଗ୍ନ । ପ୍ରତ୍ୟେକ କୋଠରୀରେ ଦୁଇଟି ବିଛଣା । ଚବିଶ ଘଣ୍ଟା ପାଇଁ ଭଡ଼ା ଅତି ଅଳ୍ପ । କ୍ୟାଣ୍ଟିନ ଅଛି ଖାଇବା ପାଇଁ । ବିବେକାନନ୍ଦ କେନ୍ଦ୍ରର ଉଦ୍ୟୋକ୍ତା ଏକନାଥ ରାଣାଡ଼େଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଦୂରଦର୍ଶିତା ଯୋଗୁ ବିବେକାନନ୍ଦ କେନ୍ଦ୍ର, ବିବେକାନନ୍ଦ ହଷ୍ଟେଲ ପ୍ରଭୃତି ନିର୍ମିତ ହୋଇଛି କନ୍ୟାକୁମାରୀରେ । ଏହି କେନ୍ଦ୍ରରେ ଭାରତୀୟ ସଂସ୍କୃତି, ବେଦ ଓ ଶାସ୍ତ୍ର ଶିକ୍ଷା ଦିଆଯାଏ ସାଧକମାନଙ୍କୁ । ବ୍ରହ୍ମଚାରୀ ସାଧକମାନେ ଦେଶର ଅଖଣ୍ଡତା ଓ ଏକତାର ମନ୍ତ୍ରରେ ଦୀକ୍ଷିତ । ସ୍ୱାମୀଜୀଙ୍କ ପ୍ରବୁଦ୍ଧ ଉତ୍ତିଷ୍ଠତ ଜାଗ୍ରତ ଭାରତବର୍ଷ ପାଇଁ ସାଧନାରତ ସେମାନେ ।

 

ଠିକ୍‌ ସକାଳ ଚାରିଟାରେ ସୁପ୍ରଭାତମ୍‌ ସ୍ତୁତି ଶୁଣି ନିଦ ଭାଙ୍ଗିଗଲା । ସଜହେଲୁ ଯିବାପାଇଁ । ପାଞ୍ଚଟାରେ ପ୍ରଥମ ବସ୍‌ ଛାଡ଼େ କନ୍ୟାକୁମାରୀ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିବା ଯାତ୍ରୀମାନଙ୍କୁ ନେଇ । ସାଢ଼େ ପାଞ୍ଚଟାରେ ନ ପହଞ୍ଚିଲେ ସୂର୍ଯ୍ୟୋଦୟର ଶୋଭା ଦେଖିହୁଏ ନାହିଁ । ପ୍ରାତକୃତ୍ୟ ଓ ସ୍ନାନ ଶେଷକରି ବସ୍‌ରେ ବସିଲୁ ଆମେ । ବସ୍‌ ଚାଲିଲା କନ୍ୟାକୁମାରୀ ଅଭିମୁଖେ ।

 

ସମୁଦ୍ରକୂଳରେ ବସ୍‌ ରହିଲା । ମୂଳ ଭୂଖଣ୍ଡଠାରୁ ଅଳ୍ପ ଦୂରରେ ଏକ ବିରାଟ ଶିଳା ବା ମୁଣ୍ଡିଆ ଉପରେ ନିର୍ମିତ ହୋଇଛି ବିବେକାନନ୍ଦ କେନ୍ଦ୍ର/ଭାରତବର୍ଷକୁ ସ୍ୱାମୀଜୀଙ୍କ ଅବିସ୍ମରଣୀୟ ଦାନକୁ ଜୀବନ୍ତ କରି ରଖିବା ପାଇଁ ଏହା ନିର୍ମାଣ କରାଯାଇଛି । ସେହି ଶିଳା ଉପରେ ବସି ସ୍ୱାମୀଜୀ ତପସ୍ୟା କରିଥିଲେ । କଥିତ ଅଛି ଯେ ସ୍ୱାମୀ ବିବେକାନନ୍ଦ ଆସି ପହଞ୍ଚିଲେ କନ୍ୟାକୁମାରୀର ଶେଷ ଭୂଖଣ୍ଡରେ, ତପସ୍ୟାରତ ପାର୍ବତୀଙ୍କ ପାଦଚିହ୍ନ ଥିବା ସେହି ବିରାଟ ଶ୍ରୀପଦ ଶିଳା ଦର୍ଶନ କରି ଧନ୍ୟ ହେବାଲାଗି । ମଝିରେ ଶାର୍କ ପରିପୂର୍ଣ୍ଣ ସମୁଦ୍ର ପାରହେବା ପାଇଁ ସେ ଆବଶ୍ୟକୀୟ ଅର୍ଥଦେଇ ନ ପାରିବାରୁ ନୋଳିଆମାନେ ତାଙ୍କୁ ସେଠାକୁ ନ ନେବାରୁ ସେ ନିଜେ ପହଁରି ପହଁରି ୫୫୦ ଗଜ ଦୂରତ୍ୱ ଅତିକ୍ରମ କରିଥିଲେ ଏବଂ ତାଙ୍କର ଏତାଦୃଶ୍ୟ ସାହସ ଓ ସଙ୍କଳ୍ପ ଦେଖି ସେମାନେ ଅଭିଭୂତ ହୋଇ ପଡ଼ିଥିଲେ । ଯେଉଁ ଶିଳା ଉପରେ ପାର୍ବତୀ ଏକାଗ୍ର ଚିତ୍ତରେ ତପସ୍ୟା କରିଥିଲେ, ସେହି ଶିଳା ଉପରେ ବସି ତପସ୍ୟା କରିଥିଲେ, ବିବେକାନନ୍ଦ ଦେଶକୁ ଅଜ୍ଞତା, ଦାସତ୍ୱ ଓ ଦାରିଦ୍ର୍ୟ ମୁକ୍ତ କରିବା ପାଇଁ ।

 

ମୋଟରବୋଟ ପ୍ରସ୍ତୁତ ହୋଇ ରହିଥିଲା; ମାତ୍ର ଜଣ ପିଛା ଟଙ୍କାଏ ଲେଖାଏ ଦେଇ ଆମେ ଜେଟିରୁ ମୋଟରବୋଟ ଚଢ଼ିଗଲୁ ବିବେକାନନ୍ଦ କେନ୍ଦ୍ର ଦର୍ଶନ ସକାଶେ । ସେଠାରେ ଧ୍ୟାନ କରିବା ପାଇଁ ଗୋଟିଏ ବଡ଼ ହଲ୍ ଅଛି । ଯେଉଁ ସ୍ଥାନରେ ଛିଡ଼ା ହୋଇ ପାର୍ବତୀ ତପସ୍ୟା କରିଥିଲେ ଶିଳାର ସେହି ସ୍ଥାନ ଉପରେ, ଦୁଇଟି ପାଦଚିହ୍ନ ପର୍ଯ୍ୟଟକ ଓ ଭକ୍ତମାନଙ୍କର ଅର୍ଚ୍ଚନାର ସ୍ଥଳ । ପ୍ରଣାମ କଲୁ ଦେବୀ ପାର୍ବତୀଙ୍କୁ, ପ୍ରଣାମ କଲୁ ଚିରକୁମାରୀ କନ୍ୟାକୁମାରୀଙ୍କୁ ।

 

କନ୍ୟାକୁମାରୀଙ୍କ ସମ୍ପର୍କରେ କେରଳରେ ବହୁ ଲୋକକଥା, ଲୋକଗୀତି, ପରମ୍ପରା ପ୍ରଚଳିତ । କଥିତ ଅଛି ଯେ ଲକ୍ଷ୍ମଣ ଶକ୍ତିଭେଦ ଦ୍ୱାରା ଆକ୍ରାନ୍ତ ହେବାପରେ ଶ୍ରୀରାମଙ୍କର ଆଦେଶ ପାଇ ହନୁମାନ ସଞ୍ଜିବନୀ ପର୍ବତରୁ ଔଷଧ ଆଣିବା ପାଇଁ ଯାଇ ଲଙ୍କାରୁ ଫେରୁଥିବାବେଳେ କନ୍ୟାକୁମାରୀଠାରେ ସେହି ପର୍ବତରୁ କେତେପୂଳା ମାଟି ଖସିପଡ଼ିଥିଲା । ଏବେ ବି କୁହାଯାଏ ଯେ ସେହିଦିନରୁ କନ୍ୟାକୁମାରୀ ଅଞ୍ଚଳରେ ଥିବା ଛୋଟ ଛୋଟ ପାହାଡ଼ମାନଙ୍କରେ ଔଷଧ ପାଇଁ ଉପଯୁକ୍ତ ବହୁ ବିରଳ ବୃକ୍ଷଲତା ରହିଛି । ଆହୁରି ବି ଏହା ପୁରାଣରେ ବର୍ଣ୍ଣିତ ଅଛି ଯେ ମହାମୁନି ଅଗସ୍ତି ଏଠାରେ ଅଗସ୍ତ୍ୟ କୁଦମଠାରେ ରହୁଥିଲେ ଏବଂ କନ୍ୟାକୁମାରୀ ଆଖପାଖର ପାହାଡ଼ ଓ ଜଙ୍ଗଲରୁ ଔଷଧ ପାଇଁ ବିଭିନ୍ନ ଚେରମୂଳ ସଂଗ୍ରହ କରୁଥିଲେ । ତେଣୁ କନ୍ୟାକୁମାରୀ ଏକ ପବିତ୍ର ତୀର୍ଥସ୍ଥାନ । ଏଠାର ସମୁଦ୍ର ସଙ୍ଗମରେ ସ୍ନାନ କରିବା ଲାଗି ଦୂରଦୂରାନ୍ତରୁ ଆସନ୍ତି ଅସଂଖ୍ୟ ଧର୍ମପିପାସୁ । ଏହି ପବିତ୍ର କନ୍ୟାକୁମାରୀରେ ଦେଶକୁ ଦାରିଦ୍ର୍ୟ, ଅଜ୍ଞତା ଏବଂ ଦାସତ୍ଵର ବନ୍ଧନରୁ ମୁକ୍ତ କରିବା ପାଇଁ ତିନିଦିନ ଧରି ଏକାଗ୍ରଚିତ୍ତରେ ତପସ୍ୟା କରିଥିଲେ ସ୍ଵାମୀ ବିବେକାନନ୍ଦ । ତିନିଦିନ ତିନିରାତି ତପସ୍ୟାରତ ବିବେକାନନ୍ଦ ସେହିଠାରେ ଅନୁଭବ କଲେ ଉପନିଷଦର ଅମୃତମୟ ଅନନ୍ତକାଳର ବାଣୀ–ଜନସାଧାରଣଙ୍କର ନିଃସ୍ଵାର୍ଥପର ସେବା ହିଁ ଭଗବତ୍‌ପ୍ରାପ୍ତିର ସର୍ବୋତ୍ତମ ମାର୍ଗ । ସେ ଉପଲବ୍‌ଧି କଲେ କାହିଁକି ଗୌରବର ଉତ୍ତୁଙ୍ଗ ଶିଖରରୁ ଖସିପଡ଼ି ଦାରିଦ୍ର୍ୟ, ଦାସତ୍ଵ ଓ ଅଜ୍ଞତାରେ ସଢ଼ୁଛି ଭାରତବର୍ଷ । ସେହିଠାରେ ସେ ଘୋଷଣା କଲେ ଯେ କେବଳ ତ୍ୟାଗ ଓ ନିସ୍ଵାର୍ଥପର ସେବାଦ୍ଵାରା ହିଁ ଭାରତ ପୁଣି ନିଜର ହୃତଗୌରବ ଫେରିପାଇବ ।

 

ତା’ପରେ ପରେ ସେହି ପବିତ୍ର ଶ୍ରୀପଦ ଶିଳା, ବିବେକାନନ୍ଦଙ୍କ ଶିଳା ବା ପାହାଡ଼ ନାମରେ ପରିଚିତ । ୧୯୨୫ ମସିହାରେ ମହାତ୍ମାଗାନ୍ଧୀ କନ୍ୟାକୁମାରୀ ପରିଦର୍ଶନରେ ଆସି କନ୍ୟାକୁମାରୀ ଦର୍ଶନ ନାମକ ଅଗ୍ରଲେଖାରେ ଉଲ୍ଲେଖ କରିଥିଲେ ଯେ–‘‘ବିବେକାନନ୍ଦ ସେଠାରେ ଯାଇ ଶିଳା ଉପରେ ବସି ଧ୍ୟାନ କରିଥିଲେ । ସମୁଦ୍ର ତରଙ୍ଗର ମନ୍ଦ ମଧୁର ମୂର୍ଚ୍ଛନା ବୀଣାର ଝଙ୍କାର ଭଳି ଶୁଣାଯାଏ ଏବଂ ଏହା ଶୁଣିଲେ ଯେ କେହି ଧ୍ୟାନ କରିବା ପାଇଁ ଆଗେଇ ଆସିବ । ଏଠାରେ ମୋର ଆଧ୍ୟାତ୍ମିକ ଅନ୍ଵେଷଣ ଆହୁରି ଶକ୍ତିଶାଳୀ ହେଲା । ପାହାଚକୁ ଲାଗି ଶହେଲୋକ ବସିପାରିବା ଭଳି ଏକ ଉଚ୍ଚସ୍ଥାନ ଅଛି । ସେଠାରେ ବସି ଗୀତାପାଠ କରିବା ପାଇଁ ମୋର ଇଚ୍ଛା ହେଲା I କିନ୍ତୁ ଶେଷରେ ମୁଁ ସେହି ପବିତ୍ର ଇଚ୍ଛାସମ୍ବରଣ କରି ସେଠାରେ ନୀରବରେ ବସି ଗୀତା ଯିଏ ଶିକ୍ଷା ଦେଇଥିଲେ ତାଙ୍କୁ ଶାନ୍ତ ହୃଦୟରେ ଧ୍ୟାନ କଲି ।’’

 

ସେହି ବିବେକାନନ୍ଦ ପାହାଡ଼ ବା ଶିଳା ଉପରେ ସ୍ଵାମୀଜୀଙ୍କର ଅଗଣିତ ଭକ୍ତ ଭାରତର ଏହି ମହାନ୍‌ ସାଧକ ଓ ବରପୁତ୍ରଙ୍କର ସ୍ମୃତିରକ୍ଷା ଲାଗି ତାଙ୍କର ଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ଏହି ସ୍ମୃତି ମନ୍ଦିର ନିର୍ମାଣ କରିଥିଲେ । ଏହାର ପୁରୋଭାଗରେ ଥିଲେ ପରମଭକ୍ତ ସ୍ଵଦେଶପ୍ରେମୀ ଏକନାଥ ରାଣାଡ଼େ । ଦେବକୋଟ୍ଟାଇର ପ୍ରଖ୍ୟାତ ସ୍ଥପତି ଏହି କେନ୍ଦ୍ରର ପରିକଳ୍ପନା ତିଆରି କରିଥିଲେ । ବମ୍ବେର ଜେ.ଜେ.କଳା ବିଦ୍ୟାଳୟର ଶ୍ରୀ ଏନ୍.ଏଲ୍‌. ସୋନାଭାଦେକର ତାଙ୍କର ପ୍ରସ୍ତରମୂର୍ତ୍ତି ନିର୍ମାଣ କରିଥିଲେ ଏବଂ ଚିତ୍ର ଅଙ୍କନ କରିଥିଲେ ଶ୍ରୀ ଏସ୍‌.ଏମ୍‌. ପଣ୍ଡିତ । ଶ୍ରୀପଦମଣ୍ଡପ ଚୋଳ ସାମ୍ରାଜ୍ୟ ସମୟର ତାମିଲ ସ୍ଥାପତ୍ୟ ଅନୁସାରେ ନିର୍ମିତ । ମୁଖମଣ୍ଡପ, ବିବେକାନନ୍ଦ ମଣ୍ଡପ, ସଭାମଣ୍ଡପ, ଧ୍ୟାନମଣ୍ଡପ, ପ୍ରତିମାମଣ୍ଡପ ଦର୍ଶନୀୟ ସ୍ଥାନ । ଏହି ଶିଳା ସ୍ମାରକୀ ୧୯୭୦ ମସିହା ସେପ୍‌ଟେମ୍ବର ଦୁଇତାରିଖ ଦିନ ରାମକୃଷ୍ଣ ମିଶନର ସ୍ଵାମୀ ବୀରେଶ୍ଵରାନନ୍ଦଙ୍କ ଦ୍ଵାରା ସମର୍ପିତ ହୋଇଥିଲା ଏବଂ ଏହାପରେ ରାଷ୍ଟ୍ରପତି ଭି.ଭି.ଗିରି ଏହାକୁ ଔପଚାରିକ ଭାବେ ଉଦ୍‌ଘାଟନ କରିଥିଲେ ।

 

ସେଠାରୁ ଆମେ ଗଲୁ କନ୍ୟାକୁମାରୀ ପୂଜା ପାଉଥିବା ମନ୍ଦିରକୁ । ଏହି ମନ୍ଦିରରେ କନ୍ୟାକୁମାରୀଙ୍କର ଏକ ଅତି ସୁନ୍ଦର ପ୍ରସ୍ତର ମୂର୍ତ୍ତି ପୂଜିତ । ସ୍ଥଳପୁରାଣ ଅନୁସାରେ ପାର୍ବତୀ ଶିବଙ୍କୁ ସ୍ଵାମୀ ରୂପରେ ପାଇବା ଲାଗି ତପସ୍ୟା କଲେ । ବାଣାସୁର ତ୍ରିପୁର ବିଜୟ କରି ଦେବଲୋକ ଅଧିକାର କରିବାପାଇଁ ଅଭିଯାନ ଆରମ୍ଭ କଲାରୁ ଦେବତାମାନେ ଶିବଙ୍କୁ ପ୍ରାର୍ଥନା କଲେ ସେମାନଙ୍କୁ ବାଣାସୁରର କବଳରୁ ରକ୍ଷା କରିବା ପାଇଁ । ପୁରାଣ ଅନୁସାରେ ଶିବ ଦେବତାମାନଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ତାଙ୍କ ପ୍ରିୟତମା ମର୍ତ୍ତ୍ୟରେ କନ୍ୟା ରୂପରେ ଜନ୍ମଗ୍ରହଣ କରିବେ ଏବଂ ତାଙ୍କର ଅନନ୍ୟ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍‌ଧ କରିବ । କାମପରବଶ ହୋଇ ବାଣାସୁର ସେହି କନ୍ୟା ଆଡ଼କୁ ଅଗ୍ରସର ହେଲାରୁ ସେହି ଦିବ୍ୟ କନ୍ୟା ଯୁଦ୍ଧ କରି ବାଣାସୁରକୁ ପରାସ୍ତ ଓ ନିହତ କଲେ । ସେହି କାଳରୁ ଆଜି ପର୍ଯ୍ୟନ୍ତ ଲୋକନୃତ୍ୟ ମାଧ୍ୟମରେ ନବରାତ୍ରି ଉତ୍ସବ ସମୟରେ ଏହି ବୃତ୍ତାନ୍ତ ପ୍ରଦର୍ଶିତ ହୋଇଅଛି ।

 

ଅସୁରର ବିନାଶ ପରେ ଦେବୀ ଶିବଙ୍କ ପାଣିଗ୍ରହଣ ପାଇଁ ଅଭିଳାଷ କରନ୍ତେ, ଶିବ ସେଥିସକାଶେ ସମ୍ମତ ଥିଲେ ମଧ୍ୟ ନାରଦଙ୍କ ଚକ୍ରାନ୍ତ ଯୋଗୁ ଠିକ୍‌ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଦେବୀଙ୍କୁ ବିବାହ କରିବା ଲାଗି ପହଞ୍ଚିପାରି ନଥିଲେ । ଦେବୀ ଏଥିରେ ମର୍ମାହତ ହୋଇ ରାଗରେ ବିବାହ ପାଇଁ ସବୁ ଆୟୋଜନ ନଷ୍ଟ କରି ଦେଇଥିଲେ । ସମୁଦ୍ର କୂଳରେ ଥିବା ରଙ୍ଗୀନ ବାଲି ଏହି ବିବାହ ସାମଗ୍ରୀର ରୂପାନ୍ତର ବୋଲି ପ୍ରଚଳିତ ବିଶ୍ୱାସ । କନ୍ୟାକୁମାରୀଙ୍କ ପୂଜାର୍ଚ୍ଚନା ପରେ ଆମେ ଫେରିବା ଆଗରୁ ଏହା ବି ଶୁଣିଲୁ ଯେ, ଦେବୀଙ୍କ ନାକରେ ଥିବା ଅତ୍ୟୁଜ୍ଜ୍ୱଳ ଗୁଣା (ବହୁ ମୂଲ୍ୟବାନ ପଥର)ର ଆକର୍ଷଣରେ ସମୁଦ୍ରରେ ଯାଉଥିବା ବହୁ ଜାହାଜ ନଷ୍ଟ ହୋଇ ଯାଇଛି ।

 

ଆମେ ଆହୁରି ବି ଶୁଣିଲୁ ଯେ, ସୀତାଙ୍କୁ ଖୋଜି ଖୋଜି ଶ୍ରୀରାମଚନ୍ଦ୍ର କନ୍ୟାକୁମାରୀକୁ ଆସିଥିଲେ ଏବଂ ଦେବୀ ତାଙ୍କୁ ରାମେଶ୍ଵରମ୍‌ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଯାହାହେଉନା କାହିଁକି, ଏଡ଼େ ସୁନ୍ଦର ଦେବୀମୂର୍ତ୍ତି ଏ ପର୍ଯ୍ୟନ୍ତ ଭାରତର କୌଣସି ସ୍ଥାନରେ ଦେଖିବାର ସୌଭାଗ୍ୟ ହୋଇନାହିଁ ।

 

ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଆମେ ବଜାର ବୁଲି ଦେଖିଲୁ । ଏଠାରେ ସମୁଦ୍ରରୁ ମିଳୁଥିବା ବିଭିନ୍ନ ପଦାର୍ଥରୁ ପ୍ରସ୍ତୁତ ବହୁପ୍ରକାର ସାମଗ୍ରୀ ତିଆରି କରି ବିକ୍ରି କରାଯାଏ ଘର ସଜାଇବା ପାଇଁ । ଏଠାର ମସିଣା ଓ ଟେବୁଲ ମେଟ୍ ଅତ୍ୟନ୍ତ ସୁନ୍ଦର । ବିଭିନ୍ନ ଆକୃତିର ଶଙ୍ଖ (ଦକ୍ଷିଣାବର୍ତ୍ତ ସମେତ) କିଣିବାକୁ ମିଳେ ।

 

ଭୋକ ହେଲାଣି ସେତେବେଳକୁ । ହଷ୍ଟେଲକୁ ଫେରିବା ପୂର୍ବରୁ ଗଲୁ ଏକ ରେସ୍ତୋରାଁକୁ । ପେପର ଦୋସା (ପ୍ରାୟ ଅଠର ଇଞ୍ଚରୁ କୋଡ଼ିଏ ଇଞ୍ଚ ହେବ) ଅତ୍ୟନ୍ତ ସୁସ୍ଵାଦୁ । ତା’ ସାଙ୍ଗକୁ ଇଡ଼ିଆପମ । ଖାଇସାରି କେରଳର ପ୍ରସିଦ୍ଧ କଫି ପିଇ ବାହାରିଲାବେଳକୁ ପ୍ରାୟ ଏଗାରଟା ବାଜିଯାଇଥିଲା ।

 

କନ୍ୟାକୁମାରୀରୁ ତ୍ରିଭେନ୍ଦ୍ରମ ବା ତିରୁଅନନ୍ତପୁରମ୍‌କୁ ଫେରିବା ବାଟରେ ସୂଚୀନ୍ଦ୍ରମ । ଏହାର ମାହାତ୍ମ୍ୟ ପରେ ବର୍ଣ୍ଣନା କରିବାର ଅଭିଳାଷ ଦମନ କରି କେରଳ ଦେଖି ଆସିବାଲାଗି ସମସ୍ତଙ୍କୁ କହିବାକୁ ଇଚ୍ଛା ହେଉଛି ।

 

॥ ପାଞ୍ଚ ।।

 

କେରଳର ବର୍ଣ୍ଣାଢ଼୍ୟ ଦୃଶ୍ୟପରି ଏହାର ଜୀବନ, ଦର୍ଶନ ଓ ଦୃଷ୍ଟିକୋଣ ମଧ୍ୟ ମନକୁ ସ୍ପର୍ଶକରେ, ହୃଦୟକୁ ଅଭିଭୂତ କରେ । ନିଉଟନ କହିଲା ପରି ଆମେ ଯେପରି କଛି ଦେଖିନାହୁଁ, କିଛି ଜାଣିନାହୁଁ; କେବଳ ସମୁଦ୍ର ବେଳାଭୂମିରେ ପଡ଼ିଥିବା ଅସଂଖ୍ୟ ଉପଳଖଣ୍ଡରୁ ଗୋଟିଏ ଗୋଟିଏ କୁଢ଼ାଇ ନେଇଛୁ । ଏ ଦେଶ କେଡ଼େ ବିରାଟ ଏବଂ ବିଚିତ୍ର; ପୁଣି କେରଳର ଇତିହାସ ଓ ଐତିହ୍ୟ, ପରମ୍ପରା, ବିଶ୍ଵାସ ଓ ଧର୍ମ ଧାରଣା କେଡ଼େ ପ୍ରାଚୀନ ତାହା ଜାଣିବା ସମୟସାପେକ୍ଷ, ଦୁଷ୍କର; ତଥାପି ଆଉ ତିନୋଟି ସ୍ଥାନର ମହିମା ଲେଖିବା ପରେ ଏ ଭ୍ରମଣ କାହାଣୀରେ ଶେଷ ହେବ । ବହୁ ପାଠକ ପାଠିକା ଲେଖିଛନ୍ତି ଯେ, ଏଭଳି ଭ୍ରମଣ କାହାଣୀ ଭଲ ଲାଗୁଚି ପଢ଼ିବା ପାଇଁ, ପ୍ରତି ସଂଖ୍ୟାରେ ଭ୍ରମଣ କାହାଣୀ ପ୍ରକାଶ ପାଇବା ଉଚିତ । ଆମେ ସେମାନଙ୍କ ସହିତ ଏକମତ । ଏ ପୃଥିବୀକୁ ଆମେ ଚିହ୍ନୁନା, ଭାରତବର୍ଷକୁ ବି ଭଲଭାବରେ ଜାଣୁନା, ଓଡ଼ିଶାକୁ ବି ଭଲଭାବରେ ଦେଖିନାହୁଁ । ସବୁଠାରେ ଖୁନ୍ଦିହୋଇ ରହିଛି କେତେ କିମ୍ବଦନ୍ତୀ, ଗାଥା ଓ କାହାଣୀ, ଲୋକକଥା, ସ୍ଥାପତ୍ୟ ଓ ଚିତ୍ରକଳା । ଅମୃତାୟନ ମାଧ୍ୟମରେ ଯଦି ଏ ଦେଶର ବର୍ଣ୍ଣାଢ଼୍ୟ ଓ ବିପୁଳ ଐଶ୍ଵର୍ଯ୍ୟ, ସଂସ୍କୃତି ଓ ଜୀବନଧାରାକୁ ଆମେ ଚିହ୍ନାଇବା ଲାଗି ସୁଯୋଗ ସୃଷ୍ଟି କରିପାରୁ ତାହା ସମସ୍ତେ ସ୍ଵାଗତ କରିବେ ।

 

ହଁ, କେରଳ କଥା କହୁ କହୁ ଅନ୍ୟ ଆଡ଼କୁ ଚାଲି ଯାଇଥିଲୁ ।

 

ଦେବୀ ରଜସ୍ଵଳା ହୁଅନ୍ତି :–

 

କେରଳରେ ଏଭଳି ଦେବୀ ଅଛନ୍ତି ଯିଏ ନାରୀପରି ଋତୁ ଚକ୍ରରେ ଆବଦ୍ଧ । ଯିଏ ରଜସ୍ଵଳା ହୁଅନ୍ତି ପ୍ରତିମାସ, ଠିକ୍‌ ନାରୀପରି । ବିଚିତ୍ର ଏ କଥା ! ଅଦ୍ଭୁତ ଲାଗେ ଶୁଣିବାକୁ ! ଚେଙ୍ଗାନ୍ମୁରର ଭଗବତୀ ମନ୍ଦିର ବିଷୟ ଏଠାରେ କୁହାଯାଇପାରେ । ଏଠାରେ ପାର୍ବତୀ ଓ ମହାଦେବଙ୍କ ମନ୍ଦିର ଅଛି । ସୌନ୍ଦର୍ଯ୍ୟ ଲହରୀରେ ଉଲ୍ଲିଖିତ ଅଛି ଯେ, ପରମେଶ୍ଵରଙ୍କର ଶକ୍ତି (ଦେବୀ)ଙ୍କ ସହିତ ମିଳନରୁ ହିଁ ଏହି ବିଶ୍ଵଜଗତର ସୃଷ୍ଟି । ଶକ୍ତି ବ୍ୟତୀତ ସେ ଶକ୍ତିଶୂନ୍ୟ । ପରାଶକ୍ତି ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ଭାବରେ ପୂଜିତା । ଏମାନଙ୍କର ଆହୁରି ବିସ୍ତାରିତ ରୂପ ଦଶମହାବିଦ୍ୟା ଇତ୍ୟାଦି । ତାଙ୍କର ଅନେକ ନାମ ମଧ୍ୟରୁ ଅନ୍ନପୁର୍ଣ୍ଣା, ରାଜରାଜେଶ୍ଵରୀ, ଭୁବନେଶ୍ୱରୀ, ଲଳିତାମ୍ବିକା, ଦୁର୍ଗା, ଭଦ୍ରକାଳୀ ଇତ୍ୟାଦି । ଚେଙ୍ଗାନ୍ମୁରରେ ପୂଜିତ ଭଗବତୀ ଭୁବନେଶ୍ଵରୀ । ଦଶମହାବିଦ୍ୟାରୁ ଜଣେ ।

 

ଆହୁରି ବି ସୌନ୍ଦର୍ଯ୍ୟ ଲହରୀରେ କୁହାଯାଇଚି ଯେ–ଶିବ ଓ ଶକ୍ତିଙ୍କର ଚିରନ୍ତନ ମିଳନରୁ ଜଗତର ଉତ୍ପତ୍ତି । ଶିବ ଶକ୍ତିଠାରେ ଏବଂ ଶକ୍ତି ଶିବଠାରେ ପ୍ରତିଭାତ ।

 

ଲୋକକଥା ଅନୁସାରେ ଶିବ ଓ ପାର୍ବତୀ ଦକ୍ଷିଣକୁ ଆସିଲେ ରହିବା ପାଇଁ । ଆସିବା ପୂର୍ବର ଘଟଣା–କୈଳାସ ପର୍ବତରେ ପାର୍ବତୀ ଓ ପରମେଶ୍ଵରଙ୍କ ବିବାହ ସମ୍ପୂର୍ଣ୍ଣ ହେବା ସମୟରେ ତେତିଶ କୋଟି ଦେବତା ଏବଂ ଅସୁର ଏଠାରେ ଉପସ୍ଥିତ ଥିଲେ । ଏହି ଭାର ସହି ନପାରି ଉତ୍ତରଭାଗ ଟିକେ ଦବିଯିବାରୁ ପରମେଶ୍ଵର ସମତୁଲ ଅବସ୍ଥା ଫେରାଇ ଆଣିବା ଲାଗି ଦକ୍ଷିଣକୁ ଅଗସ୍ତି ଋଷିଙ୍କୁ ପଠାଇଲେ । ଅଗସ୍ତି ମନାକରି ପାରିଲେ ନାହିଁ; କିନ୍ତୁ ମନ ଖରାପ କଲେ ଯେ, ସେ ପରମେଶ୍ଵରଙ୍କ ବିବାହ ଉତ୍ସବ ଦେଖିବାରୁ ବଞ୍ଚିତ ହେଲେ । କିନ୍ତୁ ପରମେଶ୍ୱର ତାଙ୍କ ମନକଥା ବୁଝି ତାକୁ ଦିବ୍ୟଦୃଷ୍ଟି ଦେଲେ ଯାହାଦ୍ଵାରା ସେ ସବୁ ଦେଖିପାରିବେ । ସେ ତାଙ୍କୁ ଏହା ମଧ୍ୟ ଆଶ୍ଵାସନା ଦେଲେ ଯେ, ବିବାହ ପରେ ସେ ଓ ପାର୍ବତୀ ଦକ୍ଷିଣକୁ ଯାଇ ତାଙ୍କୁ ଦର୍ଶନ ଦେବେ ।

 

ଅଗସ୍ତି ଏହାପରେ ଦକ୍ଷିଣକୁ ଗଲେ ଏବଂ ତପସ୍ୟା କରିବା ପାଇଁ ସହାଦ୍ରି ବା ସୋନାଦ୍ରିଠାରେ ରହିଲେ । ଶିବ ବଚନବଦ୍ଧତା ରକ୍ଷା କରିବା ପାଇଁ ପାର୍ବତୀଙ୍କ ସହିତ ସେଠାରେ ଉପସ୍ଥିତ ହେଲେ । ସେଠାରେ ଥିବାବେଳେ ପାର୍ବତୀ ରଜସ୍ଵଳା ହେଲେ । ତା’ପରେ ଶୂଚୀସ୍ନାନ ପରେ ଶିବ ଓ ପାର୍ବତୀ ସେଠାରେ ଅଠେଇଶ ଦିନ ଅବସ୍ଥାନ କଲେ । ସେହି ସମୟରୁ ଏଯାଏ ଏହି ଅଦ୍ଭୁତ ଘଟଣା ଘଟୁଥିବାର ଓ ଦେବୀ ରଜସ୍ଵଳା ହେଉଥିବାର ବିଶ୍ଵାସ ଚଳିଆସୁଛି । ଭାରତର ଓ ଜଗତର ଏଭଳି ମନ୍ଦିର ଅନ୍ୟ କାହିଁ ନାହିଁ, ଯେଉଁଠାରେ ଅଧିଷ୍ଠାତ୍ରୀ ଦେବୀ ରଜସ୍ଵଳା ହୁଅନ୍ତି । ଦେବୀ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ମାଧବନ ନାମ୍ବୁଦ୍ରି କହନ୍ତି ଯେ, ପୂର୍ବେ ସମୟାନୁସାରେ ଦେବୀ ପ୍ରତି ମାସରେ ରଜସ୍ଵଳା ହେଉଥିଲେ; କିନ୍ତୁ ଏବେ ବର୍ଷକୁ ତିନି ଚାରିଥର ରଜସ୍ଵଳା ହୁଅନ୍ତି । ଏହି ତିନିଦିନ ମନ୍ଦିରର ପୂଜାର୍ଚ୍ଚନା ବନ୍ଦ ରହେ । ଏବଂ ଗୋଟିଏ ଛୋଟ ବିଗ୍ରହ ଅନ୍ୟ ଗୋଟିଏ କୋଠରୀରେ ପୂଜା ପାଆନ୍ତି । .

 

ରଜସ୍ଵଳା ହେବାର ତିନିଦିନ ପରେ ଦେବୀ ପମ୍ପା ନଦୀରେ ସ୍ନାନକରି ପ୍ରତ୍ୟାବର୍ତ୍ତନ କରନ୍ତି । ତେଣୁ ସେହିଦିନ ଅସଂଖ୍ୟ ନାରୀ ଭକ୍ତି ହାତରେ ପ୍ରଦୀପ ନେଇ ଏବେ ବି ସେଠାକୁ ସ୍ନାନ କରିବାକୁ ଯାଆନ୍ତି ଏବଂ ତାହା ଏକ ପବିତ୍ର ଦିନ ଭାବରେ ପାଳିତ ହୁଏ ।

 

ଏପରି ଲୋକକଥା ଅବିଶ୍ଵାସ କରିବା ଲୋକ ମଧ୍ୟ ଅଛନ୍ତି । ବ୍ରିଟିଶ ରାଜତ୍ଵ କାଳରେ କର୍ଣ୍ଣେଲ ମୁନରୋ ତ୍ରାଭାଙ୍କୋର ରାଜ୍ୟର ଦେବାନ ଥିଲେ । ସେତେବେଳେ ରାଣୀ ଲକ୍ଷ୍ମୀବାଇ (୧୮୧୦–୧୪) ରାଜତ୍ଵ । ରଜ୍ୟର ସବୁ ମନ୍ଦିରର ପରିଚାଳନା ସରକାର ହାତକୁ ନବାପାଇଁ ମନରେ ସିଦ୍ଧାନ୍ତ କରିଥିଲେ । ଦିନେ ସେ ଚେଙ୍ଗନ୍ମୁରର ଦେବୀ ମନ୍ଦିରକୁ ଆସି ଆୟ ଓ ବ୍ୟୟ ଇତ୍ୟାଦି ହିସାବ ପରୀକ୍ଷା କରୁଥିବାବେଳେ ଦେବୀ ରଜସ୍ଵଳା ହେଉଥିବା ଏବଂ ସେଥିସକାଶେ ଏକ ଉତ୍ସବ ହେଉଥିବା ବିବରଣୀ ପଢ଼ି ମନକୁ ମନ ହସିଲେ । ସେ କହିଲେ, ଏହା କେବଳ ଅବିଶ୍ଵାସ୍ୟ ନୁହେଁ, ଅତ୍ୟନ୍ତ ଅଶ୍ଳୀଳ ମଧ୍ୟ । ଏହାପରେ ଏଥିପାଇଁ ଥିବା ବଜେଟ ଟଙ୍କା ସେ କାଟିଦେଲେ ।

 

ଏହି ସମୟରେ ଦେବୀ ରଜସ୍ଵଳା ହେଲେ । ପ୍ରଥମଥର ପାଇଁ ପରମ୍ପରା ଅନୁସାରେ ସେହ ତ୍ରିପଟ୍ଟୁ ଉତ୍ସବ ହୋଇପାରିଲା ନାହିଁ । କିନ୍ତୁ ଅଦ୍ଭୁତ ବିପର୍ଯ୍ୟୟ ଘଟିଲା । କର୍ଣ୍ଣେଲ ମୁନରୋଙ୍କ ସ୍ତ୍ରୀଙ୍କ ପ୍ରଚୁର ରକ୍ତସ୍ରାବ ହେଲା ଏବଂ ପିଲାମାନେ ରୋଗାକ୍ରାନ୍ତ ହେଲେ । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ମୁନରୋଙ୍କ ସହକାରୀ ଦେବୀଙ୍କର ପ୍ରସନ୍ନତା ପାଇଁ ପଶ୍ଚାତାପ କରିବାକୁ ଅନୁରୋଧ କଲେ । ଅନନ୍ୟୋପାୟ ହୋଇ ମୁନରୋ ସେହିପରି କଲେ ଏବଂ ବଜେଟ ଟଙ୍କା ପୁନର୍ବାର ମଞ୍ଜୁର କରି ନିଜର ପାପକ୍ଷାଳନ ପାଇଁ ସାତଶହ ଟଙ୍କା ଉତ୍ସବ ପାଳନ କରିବା ପାଇଁ ଦାନକଲେ । ଆହୁରି ଏକ ସତ୍ୟ ଘଟଣା ଉଲ୍ଲେଖ କରାଯାଇପାରେ । ଏମ୍‌.ସି. ନାରାୟଣ ପିଲ୍ଲାଇ ଚେଙ୍ଗୁନ୍ମୁରର ତହସିଲଦାର ଥିବାବେଳେ ଉତ୍ସାହିତ ହୋଇ ୨୮ ଦିନ ଉତ୍ସବ ପାଳନ କରିବାଲଗି ବ୍ୟାପକ ଆୟୋଜନ କଲେ । କିନ୍ତୁ ୨୫ ଦିନ ଉତ୍ସବ ପାଳନ ପରେ ଦେବୀ ରଜସ୍ଵଳା ହେବାରୁ ଆଉ ତିନିଦିନ ଉତ୍ସବ ପାଳିତ ହୋଇପାରିଲା ନାହିଁ ।

 

ଆଉ ଗୋଟିଏ ଲୋକକଥା ମଧ୍ୟ ପ୍ରଚଳିତ ଅଛି । ଦକ୍ଷ ଯେଉଁ ଯଜ୍ଞର ଆୟୋଜନ କରିଥିଲେ ସେଠାରୁ ଜ୍ଵାଇଁ ଶିବଙ୍କୁ ଆମନ୍ତ୍ରଣ ନ କରି ଅପମାନ କରିବାରୁ ପାର୍ବତୀ ଯଜ୍ଞ କୁଣ୍ଡରେ ଝାସଦେଲେ ଏବଂ ତାହା ସହ୍ୟକରି ନପାରି ଶିବ ପାର୍ବତୀଙ୍କ ଅଗ୍ନିଦଗ୍‌ଧ ଶରୀରକୁ କାନ୍ଧରେ ନେଇ ପାଗଳ ପରି ବୁଲିଲେ । ସେଥିରୁ ତାଙ୍କୁ ମୁକ୍ତି ଦବାପାଇଁ ମହାବିଷ୍ଣୁ ସୁଦର୍ଶନ ଚକ୍ରଦ୍ଵାରା ପାର୍ବତୀଙ୍କର ଅଗ୍ନିଦଗ୍‌ଧ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ଯୋନିମଣ୍ଡଳ ଚେଙ୍ଗୁନ୍ମୁରଠାରେ ପଡ଼ିଥିଲା ଏବଂ ସେହି ସମୟଠାରୁ ଦେବୀ ସେଠାରେ ପୂଜିତା ଓ ରଜସ୍ଵଳା ହେବାକୁ ଲାଗିଲେ ।

 

ଶବରିମାଳା :–

 

ଶବରିମାଳାର ଆୟାପ୍‌ପାଙ୍କ ମନ୍ଦିର ଓ ଗୁରୁଭାୟୂର ଶ୍ରୀକୃଷ୍ଣ ମନ୍ଦିର କେରଳରେ ଅତି ପ୍ରସିଦ୍ଧ । ପଶ୍ଚିମଘାଟ ପର୍ବତମାଳାରେ ଏହି ମନ୍ଦିର ଅବସ୍ଥିତ । ଶ୍ରୀକୃଷ୍ଣ ଯେପରି କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ସର୍ବତ୍ର ହିନ୍ଦୁମାନଙ୍କର ଆରାଧ୍ୟ ଦେବତା, ସେହିପରି କେରଳୀମାନଙ୍କର ଆରାଧ୍ୟ ଦେବତା ଆୟାପ୍‌ପା ।

 

ଆୟାପ୍‌ପା କେରଳର ଧର୍ମ ସ୍ରଷ୍ଟା ଭାବରେ ଦକ୍ଷିଣରେ ପରିଚିତ । ପଶ୍ଚିମଘାଟ ପର୍ବତମାଳାରେ ପାଞ୍ଚଟି ମନ୍ଦିର ରହିଛି । ସେହିସବୁ ପରଶୁରାମଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବାର ଲୋକକଥା ରହିଛି । କୂଳଥୁପଝାଠାରେ ଆୟାପ୍‌ପା ବାଳକ ଭାବରେ, ଆର୍ଯ୍ୟନ୍‌କଭୁଠାରେ ବ୍ରହ୍ମଚାରୀ ଭାବରେ, ଅଚ୍ଚନକୋଭିଲଠାରେ ଗୃହସ୍ଥ ଭାବରେ, ତାଙ୍କ ଦୁଇ ସ୍ତ୍ରୀ ପୁମା ଓ ପୁସ୍କଳା ସହିତ ଏବଂ ଶବରିମାଳଠାରେ ବାନପ୍ରସ୍ଥ ଅବସ୍ଥାରେ ଓ ପୁନାମୂଳାମେଦୁଠାରେ କଣ୍ଢାମାଳ ନାମରେ ପୂଜିତ । ଶବରିମାଳାର ଠିକ୍‌ ବିପରୀତ ପୂର୍ବଦିଗରେ ଏହି ପୁନାମୂଲାମେଦୁ ଅବସ୍ଥିତ । ସେହିଠାରୁ ଆରମ୍ଭ ହୋଇ ଶବରିମାଳା ଉପରେ ପ୍ରତିବର୍ଷ ମକରସଂକ୍ରାନ୍ତି ଦିନ ଏକ ଦିବ୍ୟ ଆଲୋକ ଦୃଷ୍ଟିଗୋଚର ହୁଏ । ଏହି ଦିନ ସେଠାକୁ ସେହି ଆଲୋକ ଦେଖିବାପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକ ଆସନ୍ତି ।

 

ଏଥିପାଇଁ କେରଳରେ ଶବରିମାଳା ମନ୍ଦିର ଅତି ପ୍ରସିଦ୍ଧ । ଲକ୍ଷ ଲକ୍ଷ ଭକ୍ତଙ୍କର ଏଠାରେ ସମାବେଶ ଆହୁରି ମହତ୍ତ୍ଵପୂର୍ଣ୍ଣ ଘଟଣା ।

 

କେରଳର ଧର୍ମସ୍ରଷ୍ଟାର ଉଦ୍ଭବ ହିନ୍ଦୁଧର୍ମରେ ଅସାଧାରଣ ବିଷୟ । ପୁରାଣ ଓ ଇତିହାସ, କିମ୍ବଦନ୍ତୀ ଓ ଲୋକକଥା ମିଶିଯାଇଛି ଏକତ୍ର । ଆୟାପ୍‌ପା ବିଷ୍ଣୁ ଓ ଶିବଙ୍କର ମିଳନରୁ ସମ୍ଭୂତ ।

 

ଲୋକକଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ବିଷ୍ଣୁ ମୋହିନୀ ରୂପରେ ଅସୁରମାନଙ୍କୁ ମୋହିତ କରିବା ଲାଗି ଆବିର୍ଭାବ ହୋଇଥିଲେ । ସେହି ରୂପରେ ଶିବ ମୋହିତ ହୋଇଗଲେ ଏବଂ ଶିବ ଓ ବିଷ୍ଣୁରୂପକ ମୋହିନୀଙ୍କ ମିଳନରୁ ସ୍ରଷ୍ଟାର ସୃଷ୍ଟି ହେଲା । ତେଣୁ ସେ ହରିହର ପୁତ୍ର ନାମରେ ପ୍ରସିଦ୍ଧ ଏବଂ ଗଣେଶ ଓ କାର୍ତ୍ତିକେୟ ଦୁଇପୁତ୍ର ପରେ ସ୍ରଷ୍ଟା ହେଉଛନ୍ତି ଶିବଙ୍କର ତୃତୀୟ ପୁତ୍ର । କାଞ୍ଚି ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏ ପ୍ରସଙ୍ଗରେ କହନ୍ତି ଯେ, କରୁଣାର ଆଧାର ନାରାୟଣ ଏବଂ ଜ୍ଞାନର ଆଧାର ଶିବଙ୍କ ସମ୍ମିଳିତ ତେଜରୁ ଯେଉଁ ଆଲୋକ ଉଦ୍ଭାସିତ ହେଲା ସେଥିରୁ ଆୟାପ୍‌ପାଙ୍କ ଜନ୍ମ । ତାଙ୍କର ଅନ୍ୟତମ ସ୍ରଷ୍ଟା ବା ହରିହର ପୁତ୍ର । ତେଣୁ ବିଷ୍ଣୁ ଓ ଶିବଙ୍କର ଗୁଣସବୁର ପ୍ରତୀକ ହେଉଛନ୍ତି ଆୟାପ୍‌ପା । ସେ କାଳକ୍ରମେ କେରଳରେ ଜନ୍ମ ଗ୍ରହଣ କଲେ । ତାଙ୍କର ନାମ ହେଲା ମଣିକାନ୍ତ । ପମ୍ପା ନଦୀ କୂଳରୁ ପାଣ୍ଡଳମର ରାଜା ତାଙ୍କୁ ପାଇଥିଲେ । ସେ ସେହି ବାଳକକୁ ଯତ୍ନର ସହିତ ଲାଳନ ପାଳନ କଲେ । ତା’ପରେ ରାଜାଙ୍କ ଔରସରୁ ରାଣୀ ଗୋଟିଏ ପୁତ୍ର ସନ୍ତାନ ଜନ୍ମକଲେ ।

 

ସମୟକ୍ରମେ ମଣିକାନ୍ତଙ୍କୁ ଉତ୍ତରକାରୀ ଭାବରେ ସିଂହାସନରେ ଅଭିଷିକ୍ତ କରିବା ପାଇଁ ରାଜା ମନସ୍ଥ କରିବାରୁ ମଣିକାନ୍ତଙ୍କଠାରୁ ବୟସରେ ଛୋଟ ସେମାନଙ୍କ ନିଜ ପୁତ୍ର ରାଜା ନ ହେବାର ଆଶଙ୍କା କରି ରାଣୀ ନାନାଦି ଚକ୍ରାନ୍ତ କଲେ । ରାଣୀ ଅସୁସ୍ଥ ଥିବାର ବାହାନା କରି ମଣିକାନ୍ତଙ୍କୁ ବନୌଷଧି ଆଣିବାଲାଗି ପଠାଇଥିଲେ । ମଣିକାନ୍ତ ପ୍ରତିବାଦ ନକରି ଔଷଧ ଆଣିବା ପାଇଁ ବନକୁ ଗଲେ । ଅରଣ୍ୟରେ ବୁଲିଲାବେଳେ ମହିଷି ସହିତ ଯୁଦ୍ଧରେ ମଣିକାନ୍ତ ବିଜୟୀ ହେଲେ । ତା’ର ଶିରଚ୍ଛେଦ କଲେ । ତା’ପରେ ବାଘ ପିଠିରେ ବସି ପାଣ୍ଡଳମ ଆଡ଼କୁ ଚିତାବାଘର ଦୁଧ ନେଇ ଯିବାବେଳେ ରାଜା ଓ ପ୍ରଜାମାନେ ସେହି ଭୟଙ୍କର ଦୃଶ୍ୟ ଦେଖି ବିଚଳିତ ହେଲେ ଏବଂ ରାଜା ଜାଣିପାରିଲେ ଯେ, ସେ ତାଙ୍କର ପୁତ୍ର ବ୍ୟତୀତ ଅନ୍ୟ କେହି ନୁହେଁ । ସେ ଈଶ୍ଵରଙ୍କ ଅବତାର । ରାଜା ଅନୁତାପ କଲେ ଏବଂ ଭଗବାନ ତାଙ୍କୁ କ୍ଷମା କରି ନୀଳିମାଳା ପର୍ବତ ଉପରେ ପମ୍ପା ନଦୀ କୂଳରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଉପଦେଶ ଦେଲେ । ରାଜା ପମ୍ପା ନଦୀ କୂଳରେ ନିଳିମାଳାଠାରେ ମନ୍ଦିର ନିର୍ମାଣ କଲେ ।

 

ବର୍ତ୍ତମାନ ଶବରିମାଳାକୁ ଯାତ୍ରୀମାନେ ଗଲାବେଳେ ବାଘୁଣୀର ଦୁଧ ଆଣିବା ପାଇଁ ଯିବାର ସ୍ମୃତି ମନରେ ସଞ୍ଚାରିତ ହୁଏ । ପୂର୍ବକାଳରେ ଭଗବାନ ଯେଉଁ ଗଣ୍ଠିଲି ମୁଣ୍ଡରେ ବୋହି ବନକୁ ଆସିଥିଲେ ତା’ର ସ୍ମୃତିସ୍ଵରୂପ ତୀର୍ଥଯାତ୍ରୀମାନେ ଦୁଇ ଗଣ୍ଠିଲି ମୁଣ୍ଡ ଉପରେ ନିଅନ୍ତି । ଗୋଟିଏ ଗଣ୍ଠିଲିରେ ଭଗବାନଙ୍କ ନୈବେଦ୍ୟ ଦବା ସକାଶେ ଘୃତମିଶ୍ରିତ ନାରିକେଳ ଏବଂ ପଛ ଗଣ୍ଠିଲିରେ ବାଟରେ ଖାଇବା ପାଇଁ ଖାଦ୍ୟପଦାର୍ଥ ବନ୍ଧା ହୋଇଥାଏ ।

 

ଇତିହାସରୁ ଜଣାଯାଏ ଯେ, ଉଦୟନ ନାମରେ ଜଣେ ଭୟଙ୍କର ଦସ୍ୟୁ ଥିଲା । ତା’ର ଉତ୍ପାତରେ ସମଗ୍ର ପଶ୍ଚିମଘାଟ ପର୍ବତମାଳାର ଜନବସତି ଅଞ୍ଚଳ ଥରହର କମ୍ପୁଥିଲେ । ସେଇ ଦୁରାତ୍ମା କବଳରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଗ୍ରାମରେ ଦୁର୍ଗରକ୍ଷକ ରୂପେ ଆୟାପ୍‌ପାଙ୍କୁ ପୂଜା କରାଯାଉଥିଲା । ଆୟାପ୍‌ପା ଅବତାର ଭାବରେ ଜନ୍ମନେଇ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ମୋଚନ କରିଥିଲେ । ସେ ଶବରିମାଳା ପର୍ବତକୁ ଯାଇ ସେଠାରେ ମନ୍ଦିରର ପୁନଃନିର୍ମାଣ ଓ ସଂସ୍କାର କରି ସିଂହାସନ ନିକଟରେ ଅଦୃଶ୍ୟ ହୋଇଯାଇଥିଲେ । ସେ ସେହି ପରମଙ୍କଠାରେ ଲୀନ ହୋଇଯାଇଥିବା ଭକ୍ତମାନଙ୍କର ବିଶ୍ଵାସ । ଏହିପରି ଭାବରେ ଶବରିମାଳାଠାରେ ଧର୍ମସ୍ରଷ୍ଟାର ନିର୍ମାଣ ହୋଇଥିଲା । ଆୟାପ୍‌ପାଙ୍କୁ ଦୁଃଖ ଦୁର୍ଦ୍ଦଶା ବେଳେ ସ୍ମରଣ କଲେ ସଙ୍କଟମୋଚନ ହୁଏ ବୋଲି ଲୋକମାନଙ୍କର ବିଶ୍ୱାସ । ସେ କଳିଯୁଗର ବରଦ ଭାବରେ ପ୍ରସିଦ୍ଧ । ତେଣୁ ଲୋକମାନଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ।

 

ଶବରିମାଳାକୁ ଯିବାଲାଗି ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ ଏକଚାଳିଶ ଦିନ ବ୍ରତ ପାଳନ କରିବାକୁ ହୁଏ । ଏହି ସମୟରେ ସେମାନେ ନିଷ୍ଠାର ସହିତ ସାଂସାରିକ ସୁଖରୁ ବିରତ ରହିବାର ବିଧି ଅଛି । ତୀର୍ଥଯାତ୍ରା କଲାବେଳେ ‘ଶରଣମ୍‌’ ଉଚ୍ଚାରଣ କରି କରି ଯିବାର ନିୟମ । ଯେପରି ବଦ୍ରିନାଥ, କେଦାରନାଥକୁ ଯାଉଥିବା ଭକ୍ତମାନେ ଜୟ ବଦ୍ରି, ଜୟ କେଦାରନାଥ କହନ୍ତି । ଶବରିମାଳାକୁ ଯାଉଥିବା ତୀର୍ଥଯାତ୍ରୀ “ସ୍ଵାମୀୟେ ଶରଣମ୍‌ ଆୟାପ୍‌ପା’’ କହି କହି ଯାଆନ୍ତି । ସେତେବେଳେ ଶ୍ରୀକୃଷ୍ଣ ଗୀତାରେ ଅର୍ଜ୍ଜୁନଙ୍କୁ ଯେଉଁ ଉପଦେଶ ଦେଇଥିଲେ ତାହା ଏଠାରେ ପ୍ରଯୁଜ୍ୟ-। ‘‘ସର୍ବଧର୍ମାନ ପରିତାଜ୍ୟ ମାମେକଂ ଶରଣମ୍‌ ବ୍ରଜ ।’’ ସବୁ ଧର୍ମ ପରିତ୍ୟାଗ କରି ମୋଠାରେ ଶରଣ ନିଅ ।

 

ବଣ ଜଙ୍ଗଲ, ଉପତ୍ୟତା ଓ ପାହାଡ଼ ପର୍ବତ ଦେଇ ବଣ୍ୟଜନ୍ତୁ ପରିବେଷ୍ଟିତ ଦୀର୍ଘ ପଥ ଅତିକ୍ରମ କରିବାକୁ ହୁଏ । ଯେଉଁ ତିନୋଟି ପଥ ଅଛି ସେଥିମଧ୍ୟରୁ ଏରୂମେଲି ଦେଇ ଯାଉଥିବା ପଥ ୭୨ କିଲୋମିଟର ଦୀର୍ଘ ଓ କଷ୍ଟସାଧ୍ୟ । ଆୟାପ୍‌ପା ଏହି ପଥରେ ଆସିଥିବା ବିଶ୍ଵାସ ପ୍ରଚଳିତ ଥିବାରୁ ଏହି ପଥରେ ଯିବା ସବୁଠାରୁ କ୍ଳେଶକର ହେଲେ ମଧ୍ୟ ପବିତ୍ର ମନେ କରାଯାଏ ।

 

ଶବରିମାଳା ଦର୍ଶନରେ ପ୍ରତିବର୍ଷ ଭାରତର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସନ୍ତି । ଅଶୋକବାବୁ ଦୁଇଥର ଗଲେଣି ଓ ଭୁବନେଶ୍ୱରର ଓ.ଏମ୍‌.ସି.ର ଡେପୁଟି ଜେନେରାଲ ମ୍ୟାନେଜର କେ.ଏସ୍‌. ସାହୁ ସପରିବାର ତୀର୍ଥଯାତ୍ରାରୁ ଫେରି ନିଜ ନିଜର ବିଚିତ୍ର ଅନୁଭବ ବର୍ଣ୍ଣନା କରିଛନ୍ତି । ଏହି ଦୀର୍ଘପଥ ଊର୍ଦ୍ଧ୍ଵମୁଖୀ ଯାତ୍ରାର ପ୍ରତୀକ ଏବଂ ଆଧ୍ୟାତ୍ମିକ ଚେତନାରେ ସଞ୍ଜିବୀତ ହେବାଲାଗି ଏକାନ୍ତ ଅନୁକୂଳ । ଶବରିମାଳାର ଦ୍ଵାର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଉନ୍ନୁକ୍ତ । ସମସ୍ତଙ୍କ ମନରେ ଓ ପ୍ରାଣରେ ସମାନତାର ଚେତନା ସଞ୍ଚାରିତ ହୁଏ ବୋଲି ଏହା ସବୁଶ୍ରେଣୀର ଲୋକଙ୍କୁ ଆକର୍ଷଣ କରେ ।

 

ଗୁରୁଭାୟୁ :–

 

ଏହାପରେ ଗୁରୁଭାୟୁ ବିଷୟରେ ବର୍ଣ୍ଣନା କରିବା । ଏହା ଶ୍ରୀକୃଷ୍ଣଙ୍କ କ୍ଷେତ୍ର ବା ଭୂଲୋକ ବୈକୁଣ୍ଠ ନାମରେ ପରିଚିତ । ଶ୍ରୀକୃଷ୍ଣ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ତିନି ହଜାର ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିବାର ଅନୁମାନ କରାଯାଏ । ଅଧର୍ମର ବୃଦ୍ଧି ହେଲେ ଧର୍ମ ସଂସ୍ଥାପନ କରିବାଲାଗି ଭଗବାନ ଅବତାର ରୂପରେ ଜନ୍ମଗ୍ରହଣ କରନ୍ତି । ଶ୍ରୀକୃଷ୍ଣ ହିନ୍ଦୁ ଜଗତରେ ପୂର୍ଣ୍ଣବ୍ରହ୍ମଙ୍କ ପ୍ରତୀକ । ଜନ୍ମଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ଅଦ୍ଭୁତ ଚମତ୍କାରିତା ତାଙ୍କ ଲୀଳାଖେଳାରେ ପ୍ରକଟିତ ହୋଇଛି । ତାଙ୍କର ମହିମାର ପଟ୍ଟାନ୍ତର ନାହିଁ । ଭଗବତ ଗୀତାରେ ତାଙ୍କର ଅମରବାଣୀ ଅର୍ଜ୍ଜୁନଙ୍କୁ ଉପଦେଶ ଛଳରେ ଲିପିବଦ୍ଧ ହୋଇଛି । ତାଙ୍କରି କୃପାରୁ ଅଧର୍ମର ପ୍ରତୀକ କୌରବମାନଙ୍କୁ ଧର୍ମର ପ୍ରତୀକ ପାଣ୍ଡବମାନେ ପରାସ୍ତ କରି ଧର୍ମରାଜ୍ୟ ପ୍ରତିଷ୍ଠା କରିଥିଲେ । ସେହି ପରମପୁରୁଷଙ୍କ ଅବତାରତ୍ଵ ସମୟରେ ବିଭିନ୍ନ ସ୍ଥାନରେ ତାଙ୍କର ଲୀଳାଖେଳାର ସ୍ମୃତି ବହନ କରି ବହୁ ମନ୍ଦିର ପ୍ରତିଷ୍ଠିତ ହୋଇଛି । କେରଳର ଗୁରୁଭାୟୁଠାରେ ପ୍ରସିଦ୍ଧ ଶ୍ରୀକୃଷ୍ଣଙ୍କ ମନ୍ଦିର ଭୂଲୋକ ବୈକୁଣ୍ଠ ନାମରେ ପରିଚିତ ।

 

ଗୁରୁଭାୟୂର ମହିମା ସମ୍ପର୍କରେ ରାଜା ଜନ୍ମେଜୟଙ୍କୁ ଋଷି ଦତ୍ତାତ୍ରେୟ କହିଥିଲେ । ଜନ୍ମେଜୟ ଯୁଧିଷ୍ଠିରଙ୍କ ପୁତ୍ର ପରୀକ୍ଷିତଙ୍କ ପୁତ୍ର । ପରୀକ୍ଷିତ ବ୍ରାହ୍ମଣଙ୍କ ଦ୍ଵାରା ଅଭିଶାପ ପାଇ ତକ୍ଷକ ନାମକ ସର୍ପର ଦଂଶନରେ ମୃତ୍ୟୁବରଣ କରିଥିଲେ । ଜନ୍ମେଜୟ ସେହି କାରଣରୁ ସର୍ପ ଯଜ୍ଞ କରି ସର୍ପକୁଳର ବିନାଶ କରିବାରୁ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ । ଜନ୍ମେଜୟ ବହୁ ଚେଷ୍ଟାସତ୍ତ୍ୱେ ଆରୋଗ୍ୟ ଲାଭ ନ କରିବାରୁ ଋଷି ଦତ୍ତାତ୍ରେୟ ତାଙ୍କୁ ଗୁରୁଭାୟୁଠାରେ ଶ୍ରୀକୃଷ୍ଣ ଉପାସନା କରିବାଲାଗି ଉପଦେଶ ଦେଲେ । ଏକମନ ଏକପ୍ରାଣ ହୋଇ ସେ ତାହା ପାଳନ କରି ଶେଷରେ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦରୁ ରୋଗମୁକ୍ତ ହେଲେ ।

 

ଦତ୍ତାତ୍ରେୟଙ୍କ କଥାନୁସାରେ ଗୁରୁଭାୟୁରେ ଥିବା ମୂର୍ତ୍ତି ପ୍ରଥମରେ ବିଷ୍ଣୁଙ୍କ ଦ୍ଵାରା ପୂଜା ପାଉଥିଲେ । ଶ୍ରୀକୃଷ୍ଣ ସେହି ମୂର୍ତ୍ତିକୁ ଦ୍ଵାରକାକୁ ଆଣିଲେ । ଶ୍ରୀକୃଷ୍ଣ ସ୍ଵର୍ଗାରୋହଣ କରିବା ପୂର୍ବରୁ ନିଜର ଏକନିଷ୍ଠ ଭକ୍ତ ଉଦ୍ଧବଙ୍କୁ ଦ୍ଵାରକା ପାଣିରେ ବୁଡ଼ିଯିବା ପୂର୍ବରୁ ସେହି ମୂର୍ତ୍ତିଙ୍କୁ ଉଦ୍ଧାର କରିବା ପାଇଁ କହିଥିଲେ । ଉଦ୍ଧବ ସେହି କାମର ଦାୟିତ୍ଵ ଗୁରୁ ଏବଂ ଭାୟୁଙ୍କୁ ପ୍ରଦାନ କଲେ । ସେମାନେ ସେହି ମୂର୍ତ୍ତି ଉଦ୍ଧାର କରି ଅନ୍ୟ ଏକ ସ୍ଥାନରେ ସ୍ଥାପନ କରିବା ଲାଗି ସ୍ଥାନ ଅନ୍ଵେଷଣ କଲେ । ଶେଷରେ ପଦ୍ମଫୁଲପୂର୍ଣ୍ଣ ଏକ ହ୍ରଦ ତଟରେ ମୂର୍ତ୍ତି ସ୍ଥାପନ କରିବା ଲାଗି ନିଷ୍ପତ୍ତି କଲେ । ସେହି ହ୍ରଦର ଗୋଟିଏ ପାଖରେ ଶିବ ଓ ପାର୍ବତୀ ବିରାଜମାନ । ସେହି ସ୍ଥାନର ନାମ ଗୁରୁଭାୟୁ । ଗୁରୁ ଓ ବାୟୁ ଦୁହେଁ ମିଶି ସେହି ମୂର୍ତ୍ତି ଏଠାରେ ସ୍ଥାପନ କରିଥିବାରୁ ସ୍ଥାନର ନାମ ଗୁରୁବାୟୁ, ଯାହା ଦକ୍ଷିଣରେ ଗୁରୁଭାୟୁ ନାମରେ ଉଚ୍ଚାରିତ ହୁଏ । ଏହି ପୀଠ ଦକ୍ଷିଣ ଭାରତର ଦ୍ଵାରକା । ଏଠାରେ ପ୍ରତିଷ୍ଠିତ ମୂର୍ତ୍ତି ମହାବିଷ୍ଣୁଙ୍କର । ସ୍ଵର୍ଣ୍ଣ ରତ୍ନଖଚିତ ଅଳଙ୍କାର ଓ ତୁଳସୀମାଳ ତାଙ୍କ ଗଳାରେ ଶୋଭାପାଏ । ଲକ୍ଷ ଲକ୍ଷ ଲୋକଙ୍କର ବିଶ୍ୱାସ ଯେ ଗୋକୁଳରେ ଗାଈଗୋଠରେ ବଢ଼ିଥିବା ଶ୍ରୀକୃଷ୍ଣ ହିଁ ସେହି ଏବଂ ସେମାନଙ୍କୁ ସବୁ ସଙ୍କଟରୁ ସେ ପରିତ୍ରାଣ କରନ୍ତି । ଗୀତାରେ ଅର୍ଜ୍ଜୁନଙ୍କୁ ଭଗବାନ ଆଶ୍ୱାସନା ଦେଇ କହିଥିଲେ ଯିଏ ଅନନ୍ୟ ଚିତ୍ତରେ ସଦାବେଳେ ମୋତେ ଚିନ୍ତାକରେ ତା’ର ମଙ୍ଗଳ କରିବା ଦାୟିତ୍ଵ ମୋର । ଗୁରୁଭାୟୁରେ ପ୍ରତି ଭକ୍ତ ମନରେ ଏହି ବିଶ୍ଵାସ ଜାଗ୍ରତ ଯେ ତାଙ୍କୁ ଅନନ୍ୟ ଚିତ୍ତ ହୋଇ ଯିଏ ଡାକେ ତା’ର ପ୍ରାର୍ଥନା ସେ ପୂର୍ଣ୍ଣ କରନ୍ତି । ତେଣୁ ଏହି ଧାରଣା ଓ ବିଶ୍ଵାସ ଯୁଗ ଯୁଗ ଧରି ଶହ ଶହ କୋଶ ଦୂରରୁ ଆକର୍ଷଣ କରିଛି ଆର୍ତ୍ତ, ଅର୍ଥାଥି, ଜିଜ୍ଞାସୁ ଓ ଭାଗବତପ୍ରେମୀ ଭକ୍ତମାନଙ୍କୁ ।

 

“ନାରାୟଣିୟମ୍‌” କାବ୍ୟର ରଚୟିତା ମେପ୍‌ପାଟ୍ଟୁର ନାରାୟଣ ଭଟ୍ଟତିରି । ସେ ବାତରୋଗ ଭୋଗୁଥିବାବେଳେ ବହୁ ଚେଷ୍ଟା କରି ଆରୋଗ୍ୟ ନ ହେବାରୁ ଗୁରୁଭାୟୁକୁ ଆସି ପ୍ରଭୁଙ୍କୁ ପ୍ରାର୍ଥନା କରି ରୋଗମୁକ୍ତ ହେଲେ । ତା’ପରେ ତାଙ୍କରି ଅମୃତ ନାମ କୀର୍ତ୍ତନ କରିବା ଲାଗି ସେ ଏହି ସଂସ୍କୃତ କାବ୍ୟ ରଚନା କରିଥିଲେ । ଏଥିରେ ଭାଗବତର ସାରତତ୍ତ୍ଵ ଲିପିବଦ୍ଧ କରାଯାଇଛି । ଭଟ୍ଟତିରି ତାଙ୍କୁ ଦର୍ଶନ କରି କହୁଥିଲେ ‘ଅଗ୍ରେ ପଶ୍ୟାମି’ । ତାଙ୍କୁ ମୁଁ ଆଗରେ ଦେଖୁଛି । ପ୍ରାର୍ଥନା କରି ଏହିପରି ରୋଗମୁକ୍ତ ବା ସଙ୍କଟମୁକ୍ତ ହେବାର ବହୁ କାହାଣୀ, ଉଦାହରଣ ଲୋକମୁଖରେ ପ୍ରଚାରିତ ।

 

ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ସ୍ମୁତି ଏଠାରେ ଉଲ୍ଲେଖ କରାଗଲା–

 

କସ୍ତୁରୀ ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ତୁଭଂ,

ନାସାଗ୍ରେ ନବମୌକ୍ତିକଂ, କରତଳେ ବେଣୁ, କରେ କଙ୍କଣମ୍‌ ।

ସର୍ବାଙ୍ଗେ ହରଚନ୍ଦନଂ ଚ କଲାୟନ, କଣ୍ଠେ ଚ ମୁକ୍ତାବଳି

ଗୋପସ୍ତ୍ରୀପରିବେଷ୍ଟିତୋ ବିଜୟତେ ଗୋପାଳଚୂଡ଼ାମଣି ।

ସେଇ ଗୋପାଳ ଚୂଡ଼ାମଣି ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୋଟି କୋଟି ନମସ୍କାର ।

 

କେରଳରେ ଓଡ଼ିଆ :

 

କେରଳ ଯାତ୍ରା ଶେଷରେ ସେଠାରେ ବିଶେଷ କରି ତ୍ରିଭେନ୍ଦ୍ରମରେ ଯେଉଁ ଓଡ଼ିଆମାନେ ଜୀବିକାର୍ଜନ ସକାଶେ ବସବାସ କରୁଛନ୍ତି ସେମାନଙ୍କ ସହିତ ଏକତ୍ର ହେବାର ସୌଭାଗ୍ୟ ଯିଏ ଲାଭ କରିଛି, ସେ ତାହା କେବେ ଭୁଲିପାରିବ ନାହିଁ । ଡାକ୍ତର ଓ ଶ୍ରୀମତୀ ରାଉତ, ଡାକ୍ତର ଓ ଶ୍ରୀମତୀ ମିଶ୍ର, ବିଜନ ଦାସ ଓ ତାଙ୍କ ସ୍ତ୍ରୀ, ରଥ ଦମ୍ପତ୍ତି, ସତ୍ୟନାରାୟଣ ଦାଶ ଓ ତାଙ୍କ ସ୍ତ୍ରୀ, ପଟ୍ଟନାୟକ ଦମ୍ପତ୍ତି, ଚୌଧୁରୀ ଦମ୍ପତି, ପାଣିଗ୍ରାହୀ ପରିବାର, ଦୀପକଙ୍କର ଓ ଦାସ ଦମ୍ପତି, ସିଂ ଦମ୍ପିତି ଓ ଅଶୋକ ଏବଂ ସୌମ୍ୟା ରଥ ଏମାନେ କେରଳରେ ରହି କେରଳୀ ପାଲଟି ଯାଇଛନ୍ତି କର୍ମନିଷ୍ଠା, ସରଳତା ଓ ପ୍ରଫୁଲ୍ଲତାରେ; କିନ୍ତୁ ଓଡ଼ିଆ ରହିଯାଇଛନ୍ତି ଆତିଥେୟତାରେ, ସଂସ୍କୃତି ଓ ପରମ୍ପରାରେ । ତେଣୁ ଶ୍ରୀ ସୁରେନ୍ଦ୍ର ଦ୍ଵିବେଦୀ, ଡକ୍ଟର ବୈଦ୍ୟନାଥ ମିଶ୍ର, ଡକ୍ଟର ସନାତନ ରଥ, ଶ୍ରୀମତୀ ସଂଯୁକ୍ତା ଓ ଶ୍ରୀ ରଘୁନାଥ ପାଣିଗ୍ରାହୀ ଯିଏ ସେଠାକୁ ଯାଆନ୍ତି ସେମାନଙ୍କୁ ନିଜ ଘରର ଆତିଥେୟତା ଓ ଆନ୍ତରିକତା ଦ୍ଵାରା ମୁଗ୍‌ଧ କରାନ୍ତି ଏମାନେ । ଓଡ଼ିଆ ସିନା ଘରେ ସଂଘାଣିନାକି, କିନ୍ତୁ ପ୍ରବାସରେ ବିଦ୍ଵାନ, ପାରଙ୍ଗମ, ଯୋଗ୍ୟ ଓ ସଂସ୍କୃତିବନ୍ତ । ତ୍ରିଭେନ୍ଦ୍ରମର ପ୍ରାୟ ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୁଅନ୍ତି ସୌମ୍ୟା ଓ ସଂଘମିତ୍ରା (ପପି) ଗୀତ ନୃତ୍ୟ ପରିବେଷଣ କରିବା ପାଇଁ । ଏହା କଅଣ କମ୍‌ ସୌଭାଗ୍ୟ ଓ ଗୌରବର କଥା ! ତେଣୁ ଫେରିଲାବେଳେ ଆମେ ମନେ ମନେ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଶ୍ରଦ୍ଧା ଓ ଶୁଭକାମନା ଜଣାଇଲୁ । ମନରେ ଦୁଃଖ ହେଉଥାଏ ଯେ–ଶୋଭାମୟୀ ହାସ୍ୟମୟୀ କେରଳ ତା’ର ସବୁଜ ପରିବେଶ, ଖାଦ୍ୟପେୟ, ପ୍ରଫୁଲ୍ଲତା ଓ କର୍ମପ୍ରବଣତାଠାରୁ ବହୁଦୂରକୁ ଆମେ ଚାଲିଯାଉ । କିନ୍ତୁ ନିଜକୁ ଆଶ୍ଵାସନା ଦେଉଥାଏ ଯେ ଏଠାରେ ବି ଓଡ଼ିଆମାନେ ସମସ୍ତଙ୍କ ପରି ଆଗେଇ ଚାଲିଛନ୍ତି । ଏଇ ବିଚିତ୍ର ବିରାଟ ଭାରତବର୍ଷରେ ଓଡ଼ିଆମାନେ ଆଗକୁ ଯିବାପାଇଁ ପଣ କରି ଧାଉଁଛନ୍ତି । ସେମାନଙ୍କୁ ଉତ୍ସାହ ଦବାପାଇଁ କହିବାକୁ ଇଚ୍ଛା ହୁଏ–ହିପ୍‌ ହିପ୍‌ ହୁରେ.....

 

ଫେରିଲୁ ବିବେକାନନ୍ଦ ଏକ୍‌ସପ୍ରେସରେ । ସପ୍ତାହକୁ ଏଇ ଗୋଟିଏ ଟ୍ରେନ୍‌ ଗୁଆହାଟୀ ଓ ତ୍ରିଭେନ୍ଦ୍ରମ ମଧ୍ୟରେ ଭୁବନେଶ୍ଵର ଦେଇ । ରେଳବାଇ କର୍ତ୍ତୃପକ୍ଷ କରମଣ୍ଡଳକୁ ବଢ଼ାଇ ଦେଇଥିଲେ ତ୍ରିଭେନ୍ଦ୍ରମ ପର୍ଯ୍ୟନ୍ତ; କିନ୍ତୁ ମାନ୍ଦ୍ରାଜ ଲୋକଙ୍କ ପ୍ରବଳ ଆପତ୍ତି ଯୋଗୁ ତାହା ଛଅମାସ ପରେ ବନ୍ଦ ହୋଇଗଲା । ପୁଣି ସେପରି ସୁବିଧା ହେଲେ ଓଡ଼ିଶା ଓ କେରଳ ଆହୁରି ନିକଟତର ହେବେ ।

 

।। ଛଅ ।।

 

ମାଲୟାଲମ ସମ୍ବିଧାନ ସ୍ଵୀକୃତ ଏକ ସମୃଦ୍ଧ ଭାଷା ଆଠଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କେରଳ ତାମିଲକମର ଅଂଶ ଥିଲା ଏବଂ ଭାଷା ଥିଲା ତାମିଲ । ପାରାନର, ଇଲାଙ୍ଗେ ଓ ଆଦିକଲଙ୍କ ଭଳି ବିଶିଷ୍ଟ ତାମିଲ କବି କେରଳରେ ଜନ୍ମଗ୍ରହଣ କରିଥିଲେ । ମାଲୟାଲମର ଜନ୍ମ ୯ମ ଶତାବ୍ଦୀରେ ଏବଂ ଏହା ପୂର୍ବରୁ ଅନ୍ୟାନ୍ୟ ଦ୍ରାବିଡ଼ ଭାଷା ସୃଷ୍ଟି ହୋଇ ସାରିଥିଲା । ଆଦି ତାମିଲରୁ ମାଲୟାଲମର ଜନ୍ମ । କିନ୍ତୁ କାଳକ୍ରମେ ଏହି ଭାଷା ନିଜସ୍ଵ ବୈଶିଷ୍ଠ ଓ ମହିମାରେ ବିକଶିତ ହେଲା-। ଏହା ଉପରେ ସଂସ୍କୃତ ଓ ପ୍ରାକୃତର ପ୍ରଭାବ ଅନସ୍ୱୀକାର୍ଯ୍ୟ । ଏହାର ଆଦିଲିପି ବହିଷ୍କାର କରି ଦକ୍ଷିଣ ଭାରତରେ ବ୍ୟବହୃତ ସଂସ୍କୃତ ଲିପିଦ୍ଵାରା ମାଲୟାଲମ ଲିପିର ବିକାଶ ଘଟିଛି । ଆଦିକବି ତୋଲାନ ମନିପରଭଲମ ରୀତିରେ କାବ୍ୟ ରଚନା କରିଥିଲେ । ଏହା ଦଶମ ଏକାଦଶ ଶତାବ୍ଦୀର ଇତିହାସ । ତେଏର ଶହ ଶତାବ୍ଦୀ ଓ ଚଉଦଶହ ଶତାବ୍ଦୀରେ ମାଲାୟାଲମରେ ଦୁଇଟି ନିର୍ଦ୍ଦିଷ୍ଟ କାବ୍ୟରୀତି ପ୍ରବର୍ତ୍ତିତ ହେଲା–ଗୋଟିଏ ଚମ୍ପୂ ଏବଂ ଅନ୍ୟଟି ସନ୍ଦେଶ କାବ୍ୟ ନାମରେ ଚିହ୍ନିତ-। ମେଘଦୂତର ଅନୁସରଣ କରି ଉନ୍ମୁନିଲି–ସନ୍ଦେଶମ୍‌ ରଚିତ ହୋଇଥିଲା ? ୧୩୫୦ ରୁ ୧୩୬୫ ମଧ୍ୟରେ । ଏହା ଏକ ବିଖ୍ୟାତ କାବ୍ୟ । ତା’ପରେ ମଧ୍ୟଯୁଗରେ ଚମ୍ପୂ ଓ ଭକ୍ତି ସାହିତ୍ୟର ବିକାଶ ଘଟି ମାଲାୟାଲମ ସାହିତ୍ୟକୁ ସମୃଦ୍ଧ କରିଥିଲା । ପୁଣ୍ଟନମ୍‌ ନାମ୍ବୁଦ୍ରି କବି ଭାବରେ (୧୫୪୭–୧୬୪୦) ପ୍ରସିଦ୍ଧ ଥିଲେ । ସେ କୃଷ୍ଣ ଭକ୍ତ । ତାଙ୍କର କୃଷ୍ଣବର୍ଣ୍ଣାମୃତମ୍‌ ପ୍ରଭୃତି ପ୍ରସିଦ୍ଧ ଭକ୍ତିକାବ୍ୟ-। ଏହାପରେ ଅଟ୍ଟକଥାର ଜନ୍ମ । ଏକ ସ୍ଵତନ୍ତ୍ର ସାହିତ୍ୟଧାରା ଏଥିରୁ ସୃଷ୍ଟି ହେଲା । ପରେ ପରେ ମିଶନାରୀମାନେ ଆସିବା ଦ୍ଵାରା ପର୍ତ୍ତୁଗୀଜମାନଙ୍କ ଦ୍ଵାରା ମୁଦ୍ରଣ ଯନ୍ତ୍ର ସ୍ଥାପିତ ହେଲା ୧୫୭୭ ରେ-। ଆଧୁନିକ କେରଳ ସାହିତ୍ୟରେ ରାଜା ବର୍ମାଙ୍କ ପରେ ଉଲ୍ଲାଥୋଲ ମାଲାୟାଲମ ସାହିତ୍ୟକୁ ଜାତୀୟତାବାଦ ଦ୍ଵାରା ସମୃଦ୍ଧ କଲେ । ସେ ପ୍ରଚଣ୍ଡ ଜାତୀୟବାଦୀ କବି ଥିଲେ-। ଓଡ଼ିଆ ଉପନ୍ୟାସର ସମସାମୟିକ କେରଳର ପ୍ରଥମ ‘କୁନ୍ଦଲତା’ ଉପନ୍ୟାସ ୧୮୮୭ରେ ପ୍ରକାଶିତ ହୋଇଥିଲା; କିନ୍ତୁ ଏହାଠାରୁ ଉତ୍କୃଷ୍ଟ ଇନ୍ଦୁଲେଖା ଉପନ୍ୟାସ ୧୮୮୯ରେ ପ୍ରକାଶିତ ହୋଇଥିଲା । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠରେ ସାମନ୍ତବାଦୀ ଗ୍ରାମ୍ୟଜୀବନର ଚିତ୍ରପରି ଇନ୍ଦୁଲେଖାର ବିଷୟବସ୍ତୁ । ଆଧୁନିକ ମାଲାୟାଲମ ସାହିତ୍ୟ ବହୁ ରଥୀମହାରଥୀଙ୍କ ରଚନାରେ ସମୃଦ୍ଧ । ବାସ୍ତବବାଦ, ଅତିବାସ୍ତବବାଦ ଦ୍ଵାରା ପ୍ରଭାବିତ ଆଧୁନିକ ମାଲାୟାଲମ ସାହିତ୍ୟ । ସାକ୍ଷର ସଂଖ୍ୟା ବେଶୀ ବୋଲି କେରଳରେ ସାହିତ୍ୟର ପ୍ରସାର ଅଧିକ ଏବଂ ସଚେତନତା ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଅଧିକ ।

 

ତ୍ରିଭେନ୍ଦ୍ରମରେ ରହିବା ସମୟରେ ସହରର ପରିଷ୍କାର ପରିଚ୍ଛନ୍ନତା ସହିତ ଏହାର ସୁନ୍ଦର ସବୁଜ ପରିବେଶ ମୁଗ୍‌ଧ କରେ ଦର୍ଶକକୁ । ଏକାଧିକ ମୁଣ୍ଡିଆ ଉପରେ ନିର୍ମିତ ଏଇ ସହରରେ ଉଠାଣି ଓ ଗଡ଼ାଣି ବହୁତ । ସେଥିପାଇଁ ରିକ୍‌ସାର ଚଳଣି କମ୍‌ ଓ ଅଟୋରିକ୍‌ସା ଏବଂ ଟ୍ୟାକ୍‌ସିର ବ୍ୟବହାର ବେଶୀ । ଏହାଛଡ଼ା ଟାଉନ୍‌ ବସ୍‌ର ଚଳାଚଳ ସାଧାରଣ ଲୋକଙ୍କ ପାଇଁ ବେଶ୍‌ ଅନୁକୂଳ-

 

ତ୍ରିଭେନ୍ଦ୍ରମ ସହର ରାଜଧାନୀ ହୋଇ ମଧ୍ୟ ସବୁ ବଡ଼ ବଡ଼ ଅନୁଷ୍ଠାନ ଏଠାରେ ନାହଁ । କିନ୍ତୁ ତଥାପି ରାଜଧାନୀର ଆକର୍ଷଣ ଭିନ୍ନପ୍ରକାର । ଜନଜୀବନର ଚଳଣିରେ ସାଂସ୍କୃତିକ ଛାପ ବେଶ୍‌ ସ୍ପଷ୍ଟ । ସରଳତା ସହିତ ନିର୍ମଳତା, ସ୍ଵତଃସ୍ଫୁର୍ତ୍ତ ସ୍ଵାଭାବିକତା ଓ ସ୍ଫୁର୍ତ୍ତି କେରଳର ଜନଚରିତ୍ରର ଗୁଣ । କେରଳୀମାନେ ଭାବପ୍ରବଣ ନୁହନ୍ତି; କିନ୍ତୁ ଭାବଗ୍ରାହୀ । ଅଧ୍ୟବସାୟୀ ଓ କର୍ମଠ । ପୁରୁଷମାନଙ୍କର ଧଳା ଲୁଙ୍ଗି ଓ ଧଳା ଜାମା ତ ମହିଳାମାନେ ବିଭିନ୍ନ ରଙ୍ଗର ଶାଢ଼ି ପିନ୍ଧନ୍ତି । କିନ୍ତୁ ସେଥିରେ ଜାକଜମକ ଯେମିତି ନଥାଏ, ନଥାଏ ପ୍ରସାଧନର ବହୁଳତା । କେରଳର ସଂସ୍କୃତି କେରଳୀମାନଙ୍କର ଉଚ୍ଛ୍ୱସିତ ଜୀବନଧାରାରେ ପ୍ରତିଫଳିତ । ସେମାନେ ଓଡ଼ିଆ ଜାଣିଥିଲେ ବୋଧହୁଏ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସେଇ କବିତାର ସେଇ ପଦକ ଗାଉଥାଆନ୍ତେ–ଜୀବନପାତ୍ର ମୋ ଭରିଛି କେତେ ମତେ ନ ଦେଲ କିଛି ବୋଲି କହିବି କିହେ ଆଉ, ଜୀବନ, ପ୍ରିୟତମ ହରିଛ ମୋ ଭରମ ତରଣୀ ମୋର ତବ ଥରରେ ଭାସିଯାଉ । କେରଳର ଦୀର୍ଘ ସମୁଦ୍ର ଉପକୂଳ କେଉଟମାନଙ୍କର ଲୀଳାଭୂମି । ସୁନୀଳ ଆରବସାଗରରେ ପାଲଟାଣି ଡଙ୍ଗା ଭସାଇ ଦିଅନ୍ତି ସେମାନେ । ସମୁଦ୍ର ଉପର ଦେଇ ବହି ଆସୁଥ‌ିବା ଶୀତଳ ପବନରେ ଦୋଳି ଖେଳନ୍ତି ନାରୀକେଳ ଗଛର ସବୁଜ ଶାଖା । କେରଳର ଶୋଭାପରି ଏହାର ନରନାରୀ । ଜନସାଧାରଣଙ୍କ ଜୀବନଧାରା ସରଳ ହେଲେ ବି ପ୍ରାଣପ୍ରାଚୁର୍ଯ୍ୟରେ ପୂର୍ଣ୍ଣ । ସୁନ୍ଦର ପ୍ରାକୃତିକ ପରିବେଶ ବୋଧହୁଏ ଯୋଗାଇ ଦେଇଛି ଜୀବନକୁ ସରସ ଓ ସୃଜନଶୀଳ କରିବା ପାଇଁ ଅଫୁରନ୍ତ ଉତ୍ସ ।

 

ଏଇ ମନୋରମ ସୌନ୍ଦର୍ଯ୍ୟ ଓ ଜୀବନର ଅଭିରାମ ଶୋଭା ଅନୁପ୍ରାଣିତ କରିଥିଲା ରବି ବର୍ମାଙ୍କୁ । କେରଳ ଆର୍ଟ ମ୍ୟୁଜିୟମରେ ତାଙ୍କର ବହୁ ଚିତ୍ର ଆକର୍ଷଣ କରେ ଦର୍ଶକଙ୍କୁ । ରାଜପରିବାରରେ ଜନ୍ମ ରବି ବର୍ମାଙ୍କର; କିନ୍ତୁ ରାଜପ୍ରାସାଦର ପାଚେରୀ ଡେଇଁ ସେ ବାସ୍ତବ ଜୀବନର ଯେଉଁ ଚିତ୍ର ଦେଖିଥିଲେ ତାହାହିଁ ତାଙ୍କ କଳାର ଶ୍ରେଷ୍ଠ ନିଦର୍ଶନ । ଆହୁରି ବହୁ ଦର୍ଶନୀୟ ସ୍ଥାନ ଅଛି ତ୍ରିଭେନ୍ଦ୍ରମରେ । ସେଥିମଧ୍ୟରୁ ରାମକୃଷ୍ଣ ମିଶନ, ଚିଡ଼ିଆଖାନା, ଚିତ୍ରା ସ୍ନାୟବିକ ଚିକିତ୍ସାଳୟ, ହସ୍ତଶିଳ୍ପ କେନ୍ଦ୍ର ପ୍ରଭୃତି ଅନ୍ୟତମ । ଓଡ଼ିଆ ଡାକ୍ତର ଦାମୋଦର ରାଉତ ଓ ଡକ୍ଟର ମିଶ୍ର ବେଶ୍‌ ସୁପରିଚିତ ।

 

କମଳା ଦାସ ଭାରତର ଶ୍ରେଷ୍ଠ କବିମାନଙ୍କ ମଧ୍ୟରେ ଅନ୍ୟତମା । ତ୍ରିଭେନ୍ଦ୍ରମରେ ଘର ତାଙ୍କର । ଅଶୋକବାବୁ ଯୋଗାଯୋଗ କଲେ । ଆମେ କଥାଭାଷା ହେଲୁ ନିମନ୍ତ୍ରଣ କଲୁ ଓଡ଼ିଶା ଆସିବା ପାଇଁ । ସେ ମନେପକାଇ ଦେଇ କହିଲେ ଯେ ପୂର୍ବରୁ ଦୁଇଥର ସେ ଓଡ଼ିଶା ଆସିଛନ୍ତି । ପୁରୀ, ଚିଲିକା ବୁଲି ଦେଖିଛନ୍ତି ଏବଂ କବିତା ମଧ୍ୟ ଲେଖିଛନ୍ତି । ତାଙ୍କରି ମୁହଁରୁ ଶୁଣିଲୁ ଯେ ତାଙ୍କ ସ୍ଵାମୀ କିଛିବର୍ଷ ପୂର୍ବେ ଅନୁଗୁଳରେ ଚାକିରି କରୁଥିଲେ । ଆମର ନିମନ୍ତ୍ରଣ ରକ୍ଷାକଲେ ଏବଂ ସେ ଲେଖକ ସାମ୍ମୁଖ୍ୟର ବାର୍ଷିକ ଅଧିବେଶନକୁ ଆସିବା ପାଇଁ ସମ୍ମତ ହେଲେ । କେରଳରେ କିନ୍ତୁ ସେ ମାଧବୀ କୁଟ୍ଟୀ ନାମରେ ପରିଚିତ । ଭାରତର ସର୍ବାଧିକ ପ୍ରସାରିତ ମାଲାୟାଲମ ମନୋରମା ସହିତ ତାଙ୍କ ପରିବାର ସଂପୃକ୍ତ । ତା’ପରେ ଦେଖାହେଲା କେରଳ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଆୟାପ୍‌ସା ପାନ୍ନିକରଙ୍କ ସହିତ । ପାନ୍ନିକର ବେଶ୍‌ ସରଳ ପ୍ରକୃତିର । ୟୁନିଭରସିଟିରେ ତାଙ୍କ ବିଭାଗ ଖୋଜି ଖୋଜି ପହଞ୍ଚିଲାବେଳକୁ ସେ ବସିଥିଲେ ଅଫିସରେ ଧଳାଲୁଙ୍ଗି ଓ ଧଳା ଜାମା ପିନ୍ଧି । ମୁହଁର ଦାଢ଼ି ଦେଖି ଭାବିଲୁ ଖିଅର ହୋଇ ନାହାଁନ୍ତି ଦୁଇ ତିନିଦିନ । ପାନ୍ନିକର କିନ୍ତୁ ଅତ୍ୟନ୍ତ ନମ୍ର ଓ ଭଦ୍ର । ବହୁ ଆଲୋଚନା ହେଲା ଦୁଇ ରାଜ୍ୟର ସାହିତ୍ୟ ଓ ସାହିତ୍ୟିକମାନଙ୍କ ସମ୍ପର୍କରେ । ସେ କବି ସୀତାକାନ୍ତ ମହାପାତ୍ରଙ୍କର ଅନେକ କବିତା ଅନୁବାଦ କରିଛନ୍ତି ଇଂରାଜୀରେ-। ଦୁଇବର୍ଷ ତଳେ ବାଣୀବିହାରକୁ ଆସିଥିଲେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ସେମିନାରକୁ ଅଧ୍ୟାପକ ଜତୀନ୍ଦ୍ରମୋହନ୍ନ ମହାନ୍ତିଙ୍କ ନିମନ୍ତ୍ରଣ ରକ୍ଷାକରି । ଲେଖକ ସାମ୍ମୁଖ୍ୟର ମାସିକ ଆଲୋଚନାଚକ୍ରରେ ବି ଯୋଗ ଦେଇଥିଲେ ଅତିଥିଭବନରେ । ପାନ୍ନିକରଙ୍କ ଠାରୁ ଶୁଣିଲୁ କେରଳ ଲେଖକ ସମବାୟ ସମିତି ପ୍ରସଙ୍ଗରେ । ସମଗ୍ର ଭାରତବର୍ଷରେ ଏହା ଲେଖକମାନଙ୍କର ସର୍ବବୃହତ୍‌ ସମବାୟ ଅନୁଷ୍ଠାନ; ମାତ୍ର କେତୋଟି ବର୍ଷରେ ୭୦୩ ପୁସ୍ତକ ସମବାୟ ସମିତି ପ୍ରକାଶ କରିଛି । ଲେଖକମାନଙ୍କୁ ଶତକଡ଼ା କୋଡ଼ିଏ ଭାଗ ରୟାଲଟି ଦିଆଯାଏ-। ପ୍ରତି ଜିଲ୍ଲାରେ ସମବାୟ ସମିତିର ଅଫିସ ଓ କର୍ମଚାରୀ ଅଛନ୍ତି । କେରଳର ଲେଖକମାନେ ଆଉ ପ୍ରକାଶକମାନଙ୍କ ଦୟା ଉପରେ ନିର୍ଭରଶୀଳ ନୁହଁନ୍ତି । ସେମାନଙ୍କ ଶୋଷଣରୁ ବି ମୁକ୍ତ-। ସମିତିର ଅର୍ଥନୈତିକ ଅବସ୍ଥା ସ୍ଵଚ୍ଛଳ । ଆମ ଓଡ଼ିଶା କଥା ମନେପଡ଼ିଲା । ଆମ ଭୁବନେଶ୍ଵରର ଓଡ଼ିଶା ଲେଖକ ସମବାୟ ସମିତି ସାତବର୍ଷ ହେଲା ଗଠିତ ହେଲେ ବି ସେଇ ମା’ କୋଳର ଶିଶୁ ଅବସ୍ଥାରେ ରହିଯାଇଛି, ଗୁରୁଣ୍ଡି ଶିଖିନାହିଁ ଏଯାଏ–ଚାଲିବା ପ୍ରଶ୍ନ ଉଠୁନି । ଓଡ଼ିଆମାନଙ୍କର ଚରିତ୍ର ଦୋଷ ସର୍ବତ୍ର । ଲେଖକ ସମବାୟ ସମିତି ସେଥିରୁ ବାଦ୍‌ ପଡ଼ନ୍ତା କିପରି ।

 

ଅଶୋକ ଓ ସୌମ୍ୟାଙ୍କର ପଡ଼ୋଶୀ ଡକ୍ଟର ଆୟାର ଜାତିସଂଘରେ ପ୍ରାୟ କୋଡ଼ିଏ ବର୍ଷ କାର୍ଯ୍ୟ କରି ଅବସର ନେଇ ତ୍ରିଭେନ୍ଦ୍ରମରେ ଅଛନ୍ତି । ତା’ ପୂର୍ବରୁ ସେ କଲିକତାର ମହାଲନବିସଙ୍କ ଅନୁରୋଧରେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ କେତେବର୍ଷ ଅଧ୍ୟାପକ ଥିଲେ । ଶ୍ରୀମତୀ ଆୟାର ବଙ୍ଗୀୟ ରମଣୀ । କଲିକତାରେ ବିବାହ ହୋଇଥିଲା ଦୁହିଁଙ୍କର । ଏବେ ଅବସର ସମୟ କଟାନ୍ତି ତ୍ରିଭେନ୍ଦ୍ରମରେ । ଡକ୍ଟର ଆୟାର ଏବେ ବି ମଧ୍ୟେ ମଧ୍ୟେ ବିଦେଶ ଯାଆନ୍ତି ନିମନ୍ତ୍ରଣ ପାଇ । ଆମେ ୟୁନିଭରସିଟିରୁ ଫେରିଲାବେଳକୁ ଦେଖାହେଲା ଶ୍ରୀମତୀ ଆୟାରଙ୍କ ସହିତ । ସେ କାନ୍ଦ କାନ୍ଦ ହୋଇ କହିଲେ ବଙ୍ଗଳାରେ ଆମାର କପାଲ ମନ୍ଦ.....ମିଷ୍ଟର ଆୟାର ଏଇ ବୟସେ ଆମାକେ ଛାଡ଼ପତ୍ର ଦିତେ ଚାୟ......ଓକେ ପଇଁଷଠି, ଆମାର ଊନଷାଠ......ଓ କି କରବେ ଛାଡ଼ପତ୍ର ଦିୟେ ? ଆମି ବା କୋଥାୟ ଯାବ.....ଆମେ ତାଙ୍କୁ ସାନ୍ତ୍ୱନା ଦେଇ କହିଲୁ, ରାଗରେ କହି ଦେଇଥିବେ, ଆପଣ ଧୈର୍ଯ୍ୟ ଧରନ୍ତୁ ସବୁ ଠିକ୍‌ ହୋଇଯିବ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ନୂଆ ନୁହେଁ, ପୃଥିବୀର ସବୁଦେଶରେ ସବୁ ଗୃହରେ ହୁଏ । ତାଙ୍କୁ ସ୍ମରଣ କରାଇ ଦେଲୁ ଯେ “ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହେଚୈବ ବହ୍ଵାଡ଼ମ୍ବର ଲଘୁକ୍ରିୟା ।” ଏହାର ମର୍ମାର୍ଥ ହେଲା ଛେଳିମାନଙ୍କ ଯୁଦ୍ଧରେ ପ୍ରସ୍ତୁତି ବଡ଼; କିନ୍ତୁ ସିଙ୍ଗ ସହିତ ସିଙ୍ଗ ବାଜିଲେ ଉଭୟ ଦିଅନ୍ତି ପଛଘୁଞ୍ଚା । ଋଷିମାନେ ପାଣି ଆଞ୍ଜୁଳାଏ ଟେକିଦେଲେ ହୁଏ ଶ୍ରାଦ୍ଧ । ସକାଳେ ମେଘର ଆଡ଼ମ୍ବର ଓ ଘଡ଼ଘଡ଼ି ଦେଖିଲେ ବି ସକାଳର ମେଘ ବର୍ଷେ ନାହିଁ ବା ଛିଟାମାରି ଚାଲିଯାଏ । ଆଉ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳି ବି ସେହିପରି । ଆଡ଼ମ୍ବର ଅନେକ, କ୍ରିୟା କିନ୍ତୁ ଲଘୁ !

 

ସ୍ମିତହାସ୍ୟ ଖେଳିଗଲା ତାଙ୍କ ବିଷର୍ଣ୍ଣ ମୁଖମଣ୍ଡଳ ଉପରେ । ମେଘଢ଼ଙ୍କା ଚନ୍ଦ୍ରପରି ଦିଶିଲା ଶ୍ରୀମତୀ ଆୟାରଙ୍କ ମୁହଁ । କିଛି ସମୟ ପରେ ଗୋଟେ ବଡ଼ ପଣସ ଆମ ପାଇଁ ଦେଇଯାଇ କହିଲେ, ଏଖାନ କାର କାଂଠାଲ ଗୁଲୋ ଦେଖେତେ ସୁନ୍ଦର.....କିନ୍ତୁ ଖେତେ ଭାଲ ନୟ......ତଥାପି ଗାଛେର ଫଲ ଏକଲା ଖେତେ ନେଇଁ.... ।

 

ଆମେ ହସିଲୁ । ପରିହାସ କରି ଅଶୋକ କହିଲେ–ହିଁ ସେଥିପାଇଁ ବୋଧହୁଏ ଏତେବଡ଼ ପଣସଟା ଦେଇଗଲେ..... ।

 

ଶ୍ରୀମତୀ ଆୟାର ଆଉଦିନେ ନିମନ୍ତ୍ରଣ କରି ରବୀନ୍ଦ୍ର ସଙ୍ଗୀତ ଶୁଣାଇଲେ, ନିଜ ହାତରେ ତିଆରି ଜଳଖିଆ ଓ ମଦ ବି ଖୁଆଇଲେ (ଗୀତା ଛୁଇଁ ନାହାନ୍ତି–କେବଳ କଫିରେ ସନ୍ତୁଷ୍ଟ–ସାତକଡ଼ିବାବୁ ଏଇ ପ୍ରଥମ ଚାଖୁ ଚାଖୁ ପିଇଦେଲେ) ସୌମ୍ୟା ବି ଗୀତ ଗାଏ । ତ୍ରିଭେନ୍ଦ୍ରମରେ ଯେଉଁଠି ଯେବେ ସଙ୍ଗୀତ ସମାରୋହ ହେଲେ ଡାକରାପାଏ ସେ । ଟେଲିଭିଜନରେ ବି । ପପି ଓଡ଼ିଶୀ ନାଚେ । ତା’ ମାଆର ଶିକ୍ଷା । ଏବେ ଭାରତନାଟ୍ୟମ ଶିଖୁଛି । ଶ୍ରୀମତୀ ଆୟାର କହିଲେ, ସୌମ୍ୟା, ତୁମି ଆମାର କାଛେ ମଧ୍ୟେ ମଧ୍ୟେ....ଏସୋ......ତୋମାକେ ଭାଲ ଭାଲ ରବୀନ୍ଦ୍ର ସଂଗୀତ ଶିଖାବ......ଆର ମାଲୟାଲମ ସଙ୍ଗୀତ । ସୌମ୍ୟା କହିଲା–ଆସବୋ ମାସୀମା.....କିନ୍ତୁ ଆପନାର ସମୟ ହବେ ତ ।

 

ତ୍ରିଭେନ୍ଦ୍ରମରେ ଦିନ ବେଳ ଲମ୍ବା । ସମୟ ଶୋଇବସି ଚାଲେ ଯେପରି । ସନ୍ଧ୍ୟା ହୁଏ ସାଢ଼େ ସାତରେ । ଆମେ ବାହାରିଲୁ ‘ଓନାମ’ ଉତ୍ସବ ଦେଖିବା ପାଇଁ । କେରଳର ନବାନ୍ନ ଉତ୍ସବ ଓନାମ । କେରଳୀମାନଙ୍କର ଜାତୀୟପର୍ବ ଓନାମ । ରାସ୍ତାଘାଟ ମୁଖରିତ । ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଗୃହ, ଦୋକାନ ବଜାର ଓ ଘରଦ୍ଵାର ରଙ୍ଗୀନ ଆଲୋକମାଳାରେ ସୁଶୋଭିତ-। ରାସ୍ତା ଜନାକୀର୍ଣ୍ଣ I ଲୋକମାନଙ୍କ ପରିଧାନରେ ସୁନ୍ଦର ପରିପାଟୀ । ବିଭିନ୍ନ ସ୍ଥାନରେ ନୃତ୍ୟ ଗୀତର ସମାରୋହ । ଠାଏ ଠାଏ ନୌକାଚାଳନା ପ୍ରତିଯୋଗିତା । ଏ ଦୃଶ୍ୟ ଅଦ୍ଭୁତପୂର୍ବ । ଓନାମ ସମୟରେ ମାଲୟାଲିମାନଙ୍କର ଆମୋଦପ୍ରମୋଦ ଓ ଚଞ୍ଚଳତା ଦେଖି ମନେପଡ଼େ କଲିକତା ଓ କଟକର ଦୁର୍ଗାପୂଜା । ଦୁର୍ଭାଗ୍ୟର ବିଷୟ ଏହି ଯେ ଓଡ଼ିଶାର ଜାତୀୟ ପର୍ବ ବୋଲି କିଛି ନାହିଁ-। କୌଣସି ପର୍ବ ଓଡ଼ିଶାର ସର୍ବତ୍ର ଆଦୃତ ନୁହେଁ କେରଳର ଓନାମ ପରି, ମହାରାଷ୍ଟ୍ରର ଗଣପତି ପୂଜା ପରି ବା ଆସାମର ବିହୁବା ବଙ୍ଗଳାର ଦୁର୍ଗାପୂଜା ପରି । ଓଡ଼ିଶାର ସର୍ବତ୍ର ଏକ ପ୍ରକାର ଆହାର ମଧ୍ୟ ପ୍ରଚଳିତ ନୁହେଁ । ବିଭିନ୍ନ ଅଞ୍ଚଳର ଖାଦ୍ୟ ପ୍ରସ୍ତୁତି ଭିନ୍ନପ୍ରକାର । ଲୌକିକତା ଓ ପରିଧାନରେ ମଧ୍ୟ ଅସାମଞ୍ଜସ୍ୟ । ସଂସ୍କୃତି ଏକତ୍ରିତ କରେ ଲୋକମାନଙ୍କୁ । ବିଭିନ୍ନତା ମଧ୍ୟରେ ଏକତା ଆସିନି ଓଡ଼ିଆର ଜାତୀୟ ଜୀବନରେ । ସାହିତ୍ୟ ବା ସଂସ୍କୃତି ଏ କାମ କରିବାକଥା ତାହା ହୋଇପାରିନି-। ଭାବାତ୍ମକ ଏକତା ସେଥିପାଇଁ ଆସିନି ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଓଡ଼ିଆମାନଙ୍କ ମଧ୍ୟରେ-। ଏହା ହିଁ ବୋଧହୁଏ ଓଡ଼ିଶାର ଅନଗ୍ରସରତାର ଅନ୍ୟ ଏକ ପ୍ରଧାନ କାରଣ । ଆଉ ଗୋଟିଏ ବଡ଼ କାରଣ ସିଧାସଳଖ ଯୋଗାଯୋଗ ଓ ସାମାଜିକ ସମ୍ପର୍କରେ ଅଭାବ-। ଆହା ! ମଧୁସୂଦନ, ଗୋପବନ୍ଧୁ, ଗଙ୍ଗାଧର, ଫକୀରମୋହନ, କୃଷ୍ଣଚନ୍ଦ୍ର ଗଜପତି, ବିକ୍ରମଦେବ ଆଉଥରେ ଜନ୍ମଗ୍ରହଣ କରନ୍ତେ କି ! ଥରେ ସମସ୍ତେ ଗୋଟିଏ ସ୍ଵରରେ ଗାଆନ୍ତେ କି......ଉଚ୍ଚ ହେବାପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା । ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ, ଓଡ଼ିଆ ସଂସ୍କୃତିରେ ଏକତାର ଯେଉଁ ଉନ୍ମେଷଶୀଳତା ଲୁକ୍‌କାୟିତ ତାହା ପ୍ରକାଶ କରିବାର ବେଳ ଆସିଛି । ଦୁର୍ଗାପୂଜା, ଝାମୁଯାତ୍ରା, ଶୀତଳ ଷଷ୍ଠୀ, ରଜ ବା ମକର ସମଗ୍ର ଓଡ଼ିଶାବାସୀଙ୍କୁ ଏକ କରି ପାରିନାହିଁ; କିନ୍ତୁ ଜଗନ୍ନାଥଙ୍କ ରଥଯାତ୍ରାରେ ସେହି ସମ୍ଭାବନା ରହିଛି । ଓଡ଼ିଆ ପ୍ରାଣର ଉନ୍ମାଦନା ଓ ସ୍ପନ୍ଦନ ଓଡ଼ିଆ ସଂସ୍କୃତିର ଝଙ୍କାର, ଓଡ଼ିଆ ମନର ଉଦାରତାର ପ୍ରତୀକ ହେଉଛନ୍ତି ଜଗନ୍ନାଥ । ତାଙ୍କରି କୃପାରୁ ଗଙ୍ଗାରୁ କାବେରୀ–ଯାଏ ବ୍ୟାପିଥିଲା ଏ ଦେଶର ମହିମା । ତାଙ୍କରି କୃପାରୁ ପୁନଶ୍ଚ ଫେରିଆସିବ ହୃଦଗୌରବ । ବିଶ୍ଵର ସର୍ବତ୍ର ପ୍ରଗତି ଓ ଐକ୍ୟର ପ୍ରତୀକ ରଥଯାତ୍ରା ପ୍ରସିଦ୍ଧି ଓ ପ୍ରସାରଲାଭ କରୁଥିଲାବେଳେ ଓଡ଼ିଶାର ସର୍ବତ୍ର ଏହାକୁ ଜାତୀୟ ପର୍ବ ଭାବରେ ପାଳନ କରିବାର କୁଣ୍ଠା କେଉଁଠି ରହିଛି ଜାଣି ହେଉନି । ମନେ ରଖିବାକୁ ହେବ ଯେ ଜାତୀୟ ପର୍ବରୁ ହିଁ ଜାତୀୟତା ପାଏ ସୁଦୃଢ଼ ହେବାର ଉପାଦାନ ।

 

ସହରରୁ ଫେରିବାବେଳକୁ ରାତି ବହଳ ହେଉଥାଏ । ତ୍ରିଭେନ୍ଦ୍ରମର ସବୁଜ ଶାଖା ପ୍ରଶାଖା ମେଲାଇ ପ୍ରସନ୍ନ ଚିତ୍ତରେ ବସିଥିବା ଋଷିମାନଙ୍କ ପରି ଛିଡ଼ା ହୋଇଥିବା ବନସ୍ପତିମାନଙ୍କର ପ୍ରଶାନ୍ତି ସଞ୍ଚରିତ ହେଉଥିଲା ସର୍ବତ୍ର ।

 

ଖାଇପିଇ ଶୋଇବା ପୂର୍ବରୁ ମନେହେଲା ଓଡ଼ିଆ ଭାବରେ ଜନ୍ମିଛୁ ଯେତେବେଳେ ଓଡ଼ିଆ ଭାବରେ ହିଁ ମରିବାକୁ ହେବ । ଜନ୍ମ ଓ ମୃତ୍ୟୁ ମଧ୍ୟରେ ଯେଉଁ ଯାତ୍ରା ତାହା ହିଁ ତ ଜୀବନ । ସେଇ ଜୀବନ ସରସ ହେଉ, ସମୃଦ୍ଧ ହେଉ, ଗୌରବାନ୍ଵିତ ହେଉ । ଏକା ଏକା ବାଟ ନ ଚାଲି ଏକା ସାଙ୍ଗରେ ଚାଲିବାର ଉଦାରତା ଚଞ୍ଚଳ କରୁ ଚିତ୍ତକୁ, ଉନ୍ମତ୍ତ କରୁ ମନକୁ ।

 

ମନେପଡ଼ିଲା କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ସେଇ ପଦକ–

 

ବନ୍ଦେ ଉତ୍କଳ ଜନନୀ

ଚାରୁ ହାସ୍ୟମୟୀ ଚାରୁ ଭାଷମୟୀ

ଜନନୀ ଜନନୀ ଜନନୀ ।

 

ଶାନ୍ତ ଶୀତଳତାର ସ୍ନିଗ୍‌ଧ ପରଶ ଲାଗିଲା ଆଖିରେ, ସର୍ବାଙ୍ଗରେ । ଶୋଇପଡ଼ିଲୁ କେତେବେଳେ ଜାଣିହେଲା ନାହିଁ । ଆସନ୍ତାକାଲି ପ୍ରତୀକ୍ଷା କରୁଛି ଜଗତର‍....ଆସନ୍ତାକାଲିର ମଣିଷର..... ।

 

ପୁଣ୍ୟଭୂମି ଅଯୋଧ୍ୟା

॥ ଏକ ॥

 

ଦିଲ୍ଲୀ ଓ ଲକ୍ଷ୍ନୌ ଯିବାପାଇଁ ମନ ସ୍ଥିର କଲାଦିନୁ ଆମେ ଏହା ବି ନିଶ୍ଚୟ କରିଥିଲୁ ଯେ, ପୁଣ୍ୟଭୂମି ଅଯୋଧ୍ୟା ମଧ୍ୟ ଦର୍ଶନ କରି ଆସିବୁ । ନୀଳାଚଳ ଏକ୍‌ସପ୍ରେସ୍‌ରେ ସିଧା ଲକ୍ଷ୍ନୌ ନ ଯାଇ ଆମେ ଗଲୁ ଦିଲ୍ଲୀ । ସେଠାରେ ଦୁଇ ସପ୍ତାହ ଦୁଇ ପୁଅଙ୍କ ସହିତ ରହି ଗୋମତି ଏକ୍‌ସପ୍ରେସରେ ବାହାରିଲୁ ଲକ୍ଷ୍ନୌ ଅଭିମୁଖରେ । ଲକ୍ଷ୍ନୌ ଯିବାର ଆକର୍ଷଣ ବ୍ୟକ୍ତିଗତ । ମଝିଆ ବୋହୂ ସେଠାରେ ରେଳବାଇ ସୁରକ୍ଷା ବାହିନୀର କମାଣ୍ଡେଣ୍ଟ । ରେଳବାଇ ସୁରକ୍ଷା ବାହିନୀ ବି.ଏସ୍.ଏଫ୍‌., କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ପରି ଏକ ଫୋର୍ସ । ମଝିଆ ବୋହୂ ଜୟା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ଅଫିସର ପରି ଏହି ବିଭାଗରେ ନିଯୁକ୍ତି ପାଇଛି ।

 

ଗୋମତି ଏକ୍‌ସପ୍ରେସ ପହଞ୍ଚିଲା ରାତି ସାଢ଼େ ଦଶରେ । ଲକ୍ଷ୍ନୌ (ଚାରବାଗ) ଷ୍ଟେସନ ଭାବରେ ବିଖ୍ୟାତ । ଏହି ଷ୍ଟେସନର ନିର୍ମାଣ କୌଶଳ ମୋଗଲ ସ୍ଥାପତ୍ୟର ଏକ ଉଜ୍ଜ୍ୱଳ ନିଦର୍ଶନ । ବେଶ୍ ପ୍ରଶସ୍ତ ଓ ପରିଷ୍କାର ପରିଚ୍ଛନ୍ନ । ଲକ୍ଷ୍ନୌର ସୌନ୍ଦର୍ଯ୍ୟ ଓ ରୁଚି ଏହାର ଐତିହାସିକତା ପରି ପ୍ରସିଦ୍ଧ । ସେ ସମ୍ପର୍କରେ ଲେଖିବାର ପରିକଳ୍ପନା ରହିଛି । ଏହି ଭ୍ରମଣ କାହାଣୀ କେବଳ ଅଯୋଧ୍ୟା ଉପରେ ପର୍ଯ୍ୟବସିତ ।

 

ସଡ଼କ ପଥରେ ଲକ୍ଷ୍ନୌରୁ ଅଯୋଧ୍ୟାର ଦୂରତ୍ଵ ୧୩୫ କିଲୋମିଟର । ଫୈଜାବାଦ ଜିଲ୍ଲା ମହକୁମାଠାରୁ ମାତ୍ର ଦଶ କିଲୋମିଟର ଦୂରରେ ପବିତ୍ର ସରଯୂ ନଦୀ କୂଳରେ ଅବସ୍ଥିତ । ଗତ କେତେମାସ ଧରି ଅଯୋଧ୍ୟା ଉପରେ ସାରା ଭାରତର ଦୃଷ୍ଟି । ଭାରତବାସୀଙ୍କ ମନରେ ଗମ୍ଭୀର ଚିନ୍ତା, ଆଲୋଡ଼ନ ଓ ଉଦ୍‌ବେଗ । ଅଯୋଧ୍ୟା ଏବେ ବିବାଦର କେନ୍ଦ୍ର । ଏହାର ପବିତ୍ର ଭୂମି ହିଂସାକାଣ୍ଡ ଦ୍ଵାରା ରକ୍ତରଞ୍ଜିତ । ବିବାଦ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବା ଦୁଇ ଧର୍ମ ମଧ୍ୟରେ ନୁହେଁ, ଏହା ଉଭୟ ପକ୍ଷର ଦୁଇ ମତବାଦର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ । ବାତାବରଣ ଉତ୍ତେଜନାପୂର୍ଣ୍ଣ । ସରଯୂର ଶୀତଳ ସ୍ପର୍ଶ ମଣିଷର ବିଷାକ୍ତ ମନକୁ ଶାନ୍ତ ନିର୍ମଳ କରିପାରୁନି । ଏହିସବୁ କାରଣରୁ ଯାତ୍ରାର ନିରାପତ୍ତା ନେଇ ମନରେ ସଂଶୟ ଥିଲେ ବି ଶୁଭାରମ୍ଭ କରିବା ସ୍ଥିର ହୋଇଗଲା । ଜୟା ରେଳଯୋଗେ ଗୋଣ୍ଡା ଓ ସେଠାରୁ ଅଯୋଧ୍ୟା ଯିବାର ସବୁ ବ୍ୟବସ୍ଥା କରିଥିଲା; କିନ୍ତୁ ଶେଷରେ ସେଥିରେ ଅଧିକ ସମସ୍ତ ଦବାକୁ ପଡ଼ିବ ବୋଲି ଆମେ ଦୁହେଁ, ମଝିଆ ପୁଅ ଦିଲ୍ଲୀ ଆୟକର ବିଭାଗର ସହକାରୀ କମିଶନର ରାଜୀବ ଓ ଆମ ସାଙ୍ଗରେ ଯାଇଥିବା କୁଳମଣି (ତା’ ବାପା ଦେଇଥିବା ନାମ ପ୍ରତିକୂଳ) ବାହାରିଲୁ ସଡ଼କ ପଥରେ । ଜଣେ ସମ୍ପର୍କୀୟ ଶ୍ରୀବାସ୍ତବ ସାହେବଙ୍କ ଗାଡ଼ି ମିଳିଗଲା । ସେ ଘରେ ନ ଥିଲେ ବି ତାଙ୍କ ଗାଡ଼ିନେଇ ଯିବାପାଇଁ ପ୍ରସ୍ତାବ ଦେଲେ ଶ୍ରୀମତୀ ଶ୍ରୀବାସ୍ତବ । ୨୨ ତାରିଖ ଶୁକ୍ରବାର ସକାଳ ସାତଟାରେ ଶୁଭଯାତ୍ରା ଆରମ୍ଭ ହେଲା । ଗାଡ଼ି ଚାଳକ ଗୋଣ୍ଡା ଅଧିବାସୀ ନାଜିମୁଦ୍ଦିନ ।

 

ଉତ୍ତର ଭାରତର ଏହି ଅଞ୍ଚଳ ଉର୍ବର ଗାଙ୍ଗେୟ ସମତଳ ଭୂମିରେ ଅବସ୍ଥିତ । ଲକ୍ଷ ଲକ୍ଷ ବର୍ଷ ଧରି ଗଙ୍ଗା, ଗୋମତି, ଯମୁନା, ସରଯୂ ପ୍ରଭୃତି ନଦୀଦ୍ଵାରା ରାଶି ରାଶି ପଟୁ ମାଟି ହିମାଳୟର ପାର୍ବତ୍ୟ ଅଞ୍ଚଳରୁ ବହିଆଣି ଏହି ବିସ୍ତୃତ ଅଞ୍ଚଳକୁ କରିଛି ଉର୍ବର ଓ ସୃଜନଶୀଳତାରେ ପୃଥିବୀ ପ୍ରସିଦ୍ଧ । ନଦୀଗୁଡ଼ିକର ଦୁଇକଡ଼ରେ ଚଢ଼ିଉଠିଛି ଜନବସତି । ସଭ୍ୟତାର ବିକାଶ ହୋଇଛି ଏସବୁକୁ କେନ୍ଦ୍ର କରି । ସେତେବେଳେ ମଣିଷ ଆଉଜଣେ ମଣିଷକୁ ଚିହ୍ନୁଥିଲା ଓ ନିଜ ଗୋଷ୍ଠୀର ବୋଲି ତା’ର ସାନ୍ନିଧ୍ୟ ଓ ଆତ୍ମୀୟତା ଦ୍ଵାରା ନିଜକୁ ଧନ୍ୟ ମନେ କରୁଥିଲା । ଅତୀତର ସେଇ ମାନବୀୟ ସମ୍ପର୍କ ଗଙ୍ଗା ଓ ସରଯୂ ନଦୀର ପାଣି ସହିତ ବହିଯାଇଛି ଅନେକ ଦୂର । କ୍ରମଶଃ ମଣିଷ ଜାତି ବିଭକ୍ତ, ହୋଇଯାଇଛି ବିଭିନ୍ନ ଜାତି, ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟରେ । ମଣିଷ ସଭ୍ୟତାର ଯେତିକି ଅଗ୍ରଗତି ହୋଇଛି ମଣିଷର ସୃଜନଶୀଳତାର କୀର୍ତ୍ତି ଯେତିକି ଗଢ଼ିଉଠିଛି ପୃଥିବୀର ବିଭିନ୍ନ ଅଞ୍ଚଳରେ; ମଣିଷ ମନର ସଂକୀର୍ଣ୍ଣତା ଓ ସ୍ଵାର୍ଥପରତା ସେତିକି ଦୃଷ୍ଟିଗୋଚର ହୋଇଛି ତା’ର ମାନସିକତା ଓ ଆଚରଣରେ ।

 

ତେଣୁ ଆମେ ପ୍ରଶସ୍ତ ସଡ଼କର ଦୁଇପାଖରେ ଶସ୍ୟଖେତର ଶ୍ୟାମଳିମା ଆଖି ପୂରେଇ ଦେଖୁ ଦେଖୁ ବେଳେବେଳେ ସ୍ମରଣ କରୁଥିଲୁ ସେଇ ଅତୀତକୁ । ବିଶ୍ଵବ୍ରହ୍ମାଣ୍ଡର ସବୁ ପ୍ରାଣୀଙ୍କୁ ପ୍ରମାଣ କରି ପ୍ରାୟ ପାଞ୍ଚଶହ ବର୍ଷ ତଳେ ପରମ ସନ୍ଥ ଗୋସ୍ଵାମୀ ତୁଳସୀ ଦାସ ଗାଇଥିଲେ–

 

ଆବରି ଚାରି ଲାଖ ଚୌରାସୀ ।

ଜାତି ଜୀବ ଜଲଥଲ ନଭ ବାସୀ ।

ସୀୟ ରାମମୟ ସବ ଜଗ ଜାନୀ ।

କରଉଁ ପ୍ରନାମ ଜୋରି ଜୁଗପାନୀ ।

 

ଅର୍ଥାତ୍‌–ଚୌରାଶୀ ଲକ୍ଷ ଯୋନିରେ ଚାରି ପ୍ରକାର (ସ୍ଵେଦଜ, ଅଣ୍ଡଜ, ଉଦ୍ଦିଜ, ଜରାୟୁଜ) ଜୀବ ଜଳ, ପୃଥିବୀ ଓ ଆକାଶରେ ରହନ୍ତି । ଏମାନଙ୍କ ଦ୍ଵାରା ପୂର୍ଣ୍ଣ ଏହି ଜଗତକୁ ଶ୍ରୀ ସୀତା ରାମମୟ ମନେକରି ମୁଁ ଦୁଇହାତ ଯୋଡ଼ି ପ୍ରଣାମ କରୁଛି । ଏହି ବିଶ୍ଵ ମାନବୀୟ ଚେତନା କେବେ କେଉଁଠାରେ ହଜିଗଲା ତା’ର ଇତିହାସ ଲେଖାହୋଇନି ।

 

ଦୁଇ ପାଖର ଫୁଲଫୁଟା ସୋରିଷ ଖେତ, ଠାଏ ଠାଏ ହରଡ଼, ଆଖୁ, ଆଳୁ ଓ ଅଫିମ ଖେତ ଦେଖୁ ଦେଖୁ ସେଇ ଶାନ୍ତ, ସମତଳ, ଉର୍ଜସ୍ଵଳ ଭୂମିର ଚିତ୍ର ଫୁଟିଉଠୁଥାଏ ଆମ ମନରେ । କିଏ ଜାଣେ କେଉଁ ମଣିଷର ପ୍ରଥମ ପାଦ ପଡ଼ିଥିଲା ଏଇ ଭୂଇଁରେ ? କେଉଁଦିନ ଶିଶୁର ପ୍ରଥମ କୁଆଁ କୁଆଁ ଶବ୍ଦରେ ମୁଖରିତ ହୋଇ ଉଠିଥିଲା ଏଇ ସ୍ଥାନ ? କେଉଁ ଶୁଭ ମୁହୂର୍ତ୍ତରେ ପ୍ରଥମ ସମ୍ପର୍କ ଗଢ଼ି ଉଠିଥିଲା ମଣିଷ ଓ ମଣିଷ ମଧ୍ୟରେ ?

 

ପିଆଜ ଗଛର ଫୁଲପରି ଅଫିମ ଗଛର ଧଳାଫୁଲ । ନାଜିମୁଦ୍ଦିନ କହିଲେ–ହଜୁର, ଏଇ ଅଫିମ ଖେତ । ଅଫିମ ଚାଷ ବହୁ ଅଞ୍ଚଳରେ ହୁଏ ଫୈଜାବାଦ ଓ ଉତ୍ତରପୂର୍ବର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ । ଗଛର ଶିରା ଚିରିଦେଲେ ରସ ଝରେ । ସେଇ ରସ ନେଇ ଅଫିମ ତିଆରି କରାଯାଏ । ଅଫିମରୁ ଅନ୍ୟାନ୍ୟ ବହୁପ୍ରକାର ନିଶାଦ୍ରବ୍ୟ ମଧ୍ୟ ତିଆରି ହୁଏ । ଅଫିମ ଗଛର ଫଳରୁ ଯେଉଁ ଦାନା ବାହାରେ ତାହା ପୋସ୍ତ । ଓଡ଼ିଶା, ବଙ୍ଗଳା ଓ ଅନ୍ୟତ୍ର ପୋସ୍ତର ବ୍ୟବହାର ସର୍ବାଧିକ-

 

ଶସ୍ୟଶ୍ୟାମଳା ଭାରତବର୍ଷର ଏଇ ରୂପ ସମତା ଓ ଶାନ୍ତିର ପ୍ରଲେପ ଦେଇ ମନକୁ କରେ ପ୍ରଶାନ୍ତ ଓ ଉଦାର । ତଥାପି କାହିଁକି ଯୁଗ ଯୁଗ ଧରି ଶାନ୍ତି ଓ ମୈତ୍ରୀ ବଜାୟ ରଖି ଚଳିଆସୁଥିବା ମଣିଷମାନଙ୍କ ମଧ୍ୟରେ ଏତେ ଦ୍ଵନ୍ଦ୍ୱ ? ଏତେ ସଂକୀର୍ଣ୍ଣ ସ୍ଵାର୍ଥପରତା ? ଏହି ପ୍ରଶ୍ନ ଶୁଣାଯାଉଛି ସର୍ବତ୍ର; କିନ୍ତୁ ଉତ୍ତର ଶୁଣାଯାଉନି.... ।

 

ରାସ୍ତାରେ ଗାଡ଼ି ଛିଡ଼ାକରି ଜଳଖିଆ ଖାଇଲୁ । ଘରେ ତିଆରି କରି ପ୍ରେମ୍‌ ଯେଉଁ ସୁସ୍ଵାଦୁ ଜଳଖିଆ ଦେଇଥିଲା, ତାହା ଖାଇବାବେଳେ ମନେପଡ଼ୁଥିଲେ ଜୟା, ଆମ ନାତୁଣୀ ଶ୍ରୁତି ଓ ନାତି ସନ୍ଦୀପନ । ସେମାନେ ଆସିଥିଲେ ଆହୁରି ଆନନ୍ଦ ହୋଇଥାନ୍ତା ଏ ଯାତ୍ରା ।

Unknown

 

ଫୈଜାବାଦ ପାର ହେବାପରେ ଅଯୋଧ୍ୟା ସହରର ଦ୍ଵାରଦେଶରେ ପୋଲିସ ଗାଡ଼ି ଅଟକାଇଲା । ଆମେ ଆସିବାବେଳେ ଲକ୍ଷ୍ନୌର ପୋଲିସ ସୁପରିଟେଣ୍ଡେଣ୍ଟ (ରାଜୀବର ସାଙ୍ଗ)ଙ୍କୁ କହିଆସିଥିଲୁ କିଛି ଅସୁବିଧା ହେଲେ ସାହାଯ୍ୟ କରିବା ପାଇଁ । କାରଣ ଗତ କେତେମାସ ଧରି ଅଯୋଧ୍ୟାକୁ ଯିବା ଆସିବା କରିବା ଉପରେ କଟକଣା ଲାଗୁ କରାହୋଇଥିଲା । ଆମେ ଭାବିଲୁ ସେହି କାରଣରୁ ବୋଧହୁଏ ପୋଲିସ ଗାଡ଼ି ଅଟକାଇଲା । କିନ୍ତୁ ନା, ତାହା ଥିଲା ଅନ୍ୟ କାରଣରୁ । ଅଯୋଧ୍ୟା କଲେଜ ଛାତ୍ର ୟୁନିୟନର ନିର୍ବାଚନ ହେଉଥାଏ ସେଦିନ । ବାତାବରଣ ବେଶ୍‌ ସରଗରମ । କଲେଜ ଆଉ ଅଧ୍ୟୟନ ଓ ଚରିତ୍ର ଗଠନର କ୍ଷେତ୍ର ହୋଇ ରହିନାହିଁ । ରାଜନୀତି ପ୍ରବେଶ କରିଛି ସର୍ବତ୍ର । କଲେଜ ଆଗଦେଇ ଯାଇଥିବା ରାସ୍ତା ବନ୍ଦକରି ଦିଆଯାଇଥିଲା ଗଣ୍ଡଗୋଳ ହେବାର ଆଶଙ୍କା କରି । ଆମେ ବୁଲା ରାସ୍ତାରେ ଯାଇ ପହଞ୍ଚିଲୁ ଅଯୋଧ୍ୟାରେ । ଭାସିଆସିଲା ଜନକଣ୍ଠରୁ–ଜୟ ସିଆପତି ଶ୍ରୀରାମଚନ୍ଦ୍ରକୀ ଜୟ.....। ଆମେ ମଧ୍ୟ ହିନ୍ଦୁମାନଙ୍କର ପରମାରାଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ଦଶରଥ ତନୟ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଣାମ କରି ଉଚ୍ଚାରଣ କଲୁ–ସୀତାପତି ଶ୍ରୀରାମଚନ୍ଦ୍ରଙ୍କ ଜୟ...... ।

 

ଈଶ୍ଵର ବିଶ୍ଵାସ ମଣିଷ ହୃଦୟରେ ସ୍ଥାନ ପାଇଲାଦିନୁ ସବୁ ଦେଶରେ ଈଶ୍ଵରବିଶ୍ଵାସୀ ଲୋକମାନେ ସେଇ ସର୍ବଶକ୍ତିମାନ ସର୍ବତ୍ର ବିରାଜିତ ପରମେଶ୍ଵରଙ୍କୁ ଭିନ୍ନ ଭିନ୍ନ ନାମରେ ଡାକି ଆସୁଚନ୍ତି, ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରୁଚନ୍ତି । ସନ୍ଥକବି କବୀର ସେଇ ସର୍ବଶକ୍ତିମାନଙ୍କୁ ଐକ୍ୟ ଓ ସମନ୍ଵୟର ଉତ୍ସ ବୋଲି ଅଭିହିତ କରି ଗାଇଛନ୍ତି–

 

ମୁଝକୋ କାହାଁ ଢୁଁଡ଼େ ରେ ବନ୍ଦେ

ମେଁ ତୋ ତେରେ ପାସ ମେଁ ।

ନା ତୀରଥ ମେଁ ନ ମୂରତ ମେଁ

ନା ଏକାନ୍ତ ନିବାସ ମେଁ ।

ନା ମନ୍ଦିର ମେଁ ନା ମସଜିଦ୍‌ ମେଁ

ନା ମେଁ ବାସୀ କୈଳାସ ମେଁ

ମେଁ ତୋ ତେରେ ପାସ ମେଁ ବନ୍ଦେ

ମେଁ ତୋ ତେରେ ପାସ ମେଁ ।

 

ଅର୍ଥାତ୍‌–ମୋତେ କେଉଁଠାରେ ଖୋଜୁଛୁ ମଣିଷ, ମୁଁ ତୋ ପାଖରେ ଅଛି । ତୀର୍ଥରେ ନୁହେଁ, ମୂର୍ତ୍ତିରେ ନୁହେଁ, କୌଣସି ନିବାସରେ ନୁହେଁ । ମନ୍ଦିର ବା ମସ୍‌ଜିଦ୍‌ରେ ନୁହେଁ ବା କୈଳାସରେ ନୁହେଁ । ମୁଁ ତ କେବଳ ତୋ ପାଖରେ ଅଛି ତୋ ପାଖରେ ।

 

ତୁଳସୀ ଦାସ ଓ କବୀରଙ୍କ ପରି ସାଧୁସନ୍ଥ ସବୁ କୁଆଡ଼େ ଗଲେ ? ଏବେ ତ ଗଗନ ମଣ୍ଡଳ ଯୁଦ୍ଧଂଦେହିର ରେ ରେ କାର ରବରେ ପୂର୍ଣ୍ଣ ।

 

ଆମେ ସ୍ଥିରକଲୁ ପ୍ରଥମେ ସରଯୂ ନଦୀର ପବିତ୍ର ଜଳ ସ୍ପର୍ଶ କରି ଦେହ ଓ ମନକୁ ପବିତ୍ର କରି ଜନ୍ମସ୍ଥାନ ଦର୍ଶନ କରିବାକୁ ଯିବୁ । କାରଣ, ଏହି ନଦୀର ଗୁଣ ସମ୍ପର୍କରେ କବିରାଜ ସନ୍ଥ ତୁଳସୀ ଦାସ ନିଜକୃତ ରାମଚରିତ ମାନସର ବାଳକାଣ୍ଡରେ ଲେଖିଛନ୍ତି ଯେ–

 

ଚଲୀ ସଭଗ କବିତା ସରିତା ସୋ ।

ରାମ ବିମଲ ଜସ ଜଳ ଭରିତା ସୋ ।

 

ସରଯୂ ନାମ ସୁମଙ୍ଗଲ ମୂଲା ।

ଲୋକ ବେଦ ମତ ମଞ୍ଜୁଲ କୂଲା ।

 

ଅର୍ଥାତ୍‌–ଏଠାରେ କବିତା ପରି ପ୍ରବହମାନ ଏହି ନଦୀ ଶ୍ରୀରାମଙ୍କର ଯଶରୂପକ ଜଳଦ୍ଵାରା ପୂର୍ଣ୍ଣ । ଏହି ନଦୀର ନାମ ସରଯୂ, ଯାହା ସମ୍ପୂର୍ଣ୍ଣ ମଙ୍ଗଳଦାୟିନୀ । ଲୋକମତ ଓ ବେଦମତ ଏହାର ଦୁଇକୂଳ ।

 

ସରଯୂ କୂଳରେ ପାଦଦବାକ୍ଷଣି ମାଡ଼ିଆସିଲେ ମାଙ୍କଡ଼ମାନେ । ଯେଉଁଠାରେ ଶ୍ରୀରାମ ସେହିଠାରେ ହନୁମାନ । ପଣ୍ଡାମାନଙ୍କର ଭିଡ଼ । ଦୋକାନ ବଜାର ଗଢ଼ିଉଠିଛି କୂଳରେ ପୂଜା ସାମଗ୍ରୀ ବିକ୍ରୟ କରିବା ଉଦ୍ଦେଶ୍ୟରେ । ଜଣେ ପଣ୍ଡାଙ୍କୁ ନେଲୁ ସାଙ୍ଗରେ । ସରଯୂର ପୁଣ୍ୟଜଳ ଲାଗିବାକ୍ଷଣି ପୁଲକିତ ହେଲା ଶରୀର । ପୂର୍ବପୁରୁଷମାନଙ୍କୁ ସ୍ମରଣ କରି ତର୍ପଣ କଲୁ ।

 

ତୁଳସୀ ଦାସ ପୁଣି ଲେଖିଛନ୍ତି–

 

ନଦୀ ପୁନୀତ ସୁମାନସ ନନ୍ଦିନୀ ।

କଲିମଲ ତୃନ ତରୁ ମୂଲ ନିକାଂଦିନୀ ।

 

ଅର୍ଥାତ୍‌–ଏହି ସୁନ୍ଦର ମାନସ ସରୋବରର କନ୍ୟା ସରଯୂ ନଦୀ ଅତି ପବିତ୍ର ଅଟେ ଏବଂ କଳିଯୁଗର ଛୋଟ ବଡ଼ ପାପରୂପୀ ବୃକ୍ଷ ସବୁକୁ ଉପାଡ଼ି ଦିଏ ।

 

ଏହି ପବିତ୍ର ନଦୀ କୂଳରେ ଅବସ୍ଥିତ ଅବଧ ବା ଅଯୋଧ୍ୟାର କୀର୍ତ୍ତି ଓ ଗାରିମା ମଧ୍ୟ ଅସାମାନ୍ୟ । ସନ୍ଥ ତୁଳସୀ ରାମଚରିତ ମାନସରେ ଲେଖିଛନ୍ତି–

 

ଶ୍ରୋତା ତ୍ରିବିଧ ସମାଜ ପୁର ଗ୍ରାମ ନଗର ଦୁହୁଁ କୂଳ ।

ସଂତସଭା ଅନୁପମ ଅବଧ ସକଳ ସୁମଙ୍ଗଲ ମୂଲ ।

 

ଅର୍ଥାତ୍‌–ତିନିପ୍ରକାର ଶ୍ରୋତାମାନଙ୍କ ସମାଜ ଏହି ନଦୀର ଦୁଇ କୂଳରେ ଅବସ୍ଥିତ ଗୃହ, ଗ୍ରାମ ଓ ନଗର ଏହାର ଅନ୍ତର୍ଗତ ଏବଂ ସନ୍ଥମାନଙ୍କର ସଭା ଆହୁରି ସୁନ୍ଦର ଓ ମଙ୍ଗଳମୟ । ସେହି ସ୍ଥାନ ହିଁ ଏହି ଅନୁପମ ଅଯୋଧ୍ୟା ।

 

ଅଯୋଧ୍ୟା ସହିତ ସରଯୂ ନଦୀର ସମ୍ପର୍କ ଅବିଚ୍ଛିନ୍ନ । ନଦୀର ପ୍ରବାହ ପରି ସମୟ ବି ବହିଯାଉଛି ଏକ ଅଲଂଘ୍ୟ ନିୟମର ନିର୍ଦ୍ଦେଶ ଅନୁସାରେ । ଉତ୍କର୍ଷତା ଲାଭ କରିବା ଉଦ୍ଦେଶ୍ୟରେ ଆଗକୁ ଯିବାର ଅଭିଯାନରୁ ହିଁ ସଭ୍ୟତାର ସୃଷ୍ଟି ।

 

ସରଯୂ ନଦୀରେ ତର୍ପଣ ଶେଷ କରି ପହଞ୍ଚିଲୁ ଚତୁର୍ଦ୍ଧାମ ମନ୍ଦିରରେ । ସେଠାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରି କୃତାର୍ଥ ହେଲୁ । ବଦ୍ରିନାଥଜୀ, ରାମେଶ୍ଵର ଓ ଦ୍ଵାରକାଜୀଙ୍କୁ ମଧ୍ୟ ସେହି ଚତୁର୍ଦ୍ଧାମରେ ପୂଜାର୍ଚ୍ଚନା କରନ୍ତି ଭକ୍ତମାନେ ।

 

ଏହାପରେ ଗଲୁ ରାମାୟଣ ଭବନ । ଏହି ମନ୍ଦିରର କାନ୍ଥରେ ସମଗ୍ର ବାଲ୍ମୀକି ରାମାୟଣ ମାର୍ବଲ ପଥର ଉପରେ ଲେଖା ହୋଇଛି । ପ୍ରଶସ୍ତ ସଭାଗୃହରେ ହଜାରେରୁ ଅଧିକ ଦର୍ଶକ ବସି ପ୍ରବଚନ ଶୁଣିବାରେ ବ୍ୟବସ୍ଥା ଅଛି । ଏହି ମନ୍ଦିରର ଶିଳାନ୍ୟାସ ଉତ୍ସବରେ ପୁରୀର ଗଙ୍ଗା ଦାସଜୀ ମହାରାଜ ପୁରୋଧା ଭାବରେ ଯୋଗ ଦେଇଥିବାର ମାର୍ବଲ ଫଳକରେ ଖୋଦିତ ହୋଇଛି ।

 

ଏହାଛଡ଼ା ବାବା ମଣିରାମ ଦାସଜୀଙ୍କ ଛାଉଣୀ ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ସ୍ଥାନ । ସମବେତ ଭୋଜନ କରିବା ପାଇଁ ସ୍ଥାନ, ଇନ୍ଧନଶାଳା ଓ ଯାତ୍ରୀମାନଙ୍କ ରହିବାସ୍ଥାନର ନିର୍ମାଣ ଏବେ ଚାଲିଛି । ଏସବୁ ମନ୍ଦିର ଛଡ଼ା ଅନେକ ପୁରାତନ ଓ ଜୀର୍ଣ୍ଣ ମନ୍ଦିରର ସଂସ୍କାର କାର୍ଯ୍ୟ ଚାଲିଥିବାର ମଧ୍ୟ ଦୃଷ୍ଟିଗୋଚର ହେଲା ।

 

ଏହାପରେ ଆମେ ଗଲୁ ହନୁମାନ ଗଢ଼ୀ ବା ହନୁମାନ ଗଡ଼ । ହନୁମାନ ଅଯୋଧ୍ୟାର ଦୁର୍ଗରକ୍ଷକ । ହନୁମାନଙ୍କ ମୂର୍ତ୍ତି ଏଠାରେ ପୂଜା ପାଆନ୍ତି । ବହୁ ଜନସମାଗମ ହୁଏ । ମିଷ୍ଟାନ୍ନ କିଣି ଭୋଗ ଦେଲୁ । ପ୍ରସାଦ ନେଇ ଫେରିବାବେଳେ ସବୁଆଡ଼ୁ ତଡ଼ିଆସିଲେ ମାଙ୍କଡ଼ମାନେ । ଗୋଟିଏ ମାଙ୍କଡ଼ ଡି‍ଆଁ ମାରି କୁଳମଣି ହାତରୁ ଭୋଗ ଖଲା ଛିଡ଼ାଇନେଲା ଆଖିପିଛୁଳାରେ ।

 

ଏହାପରେ ଗଲୁ କନକ ଭବନ । ଦ୍ଵାପର ଯୁଗର ରାଜା କୁଶ ଏଠାରେ ରାମ ଓ ସୀତାଙ୍କର ମନ୍ଦିର ନିର୍ମାଣ କରିଥିବା କୁହାଯାଏ । ସୀତାଙ୍କ ନାମରେ ଏକ କୂଅ ମଧ୍ୟ ଅଛି । କୁହାଯାଏ ଯେ ସୀତା ରାମଙ୍କୁ ବିବାହ କରି ଶ୍ଵଶୁର ଘରକୁ ଆସିବା ପରେ କୈକେୟୀ ତାଙ୍କୁ ଏଠାରେ ଥିବା ଭବନ ଉପହାର ଦେଇଥିଲେ ।

 

ଏହାପରେ ଆମେ ଗଲୁ ଜନ୍ମସ୍ଥାନ ଦର୍ଶନ କରିବା ପାଇଁ । ଏଇ ଜନ୍ମସ୍ଥାନ ନେଇ କେତେ କଳି, କେତେ ଦଙ୍ଗାହାଙ୍ଗାମା । ଦେଶବ୍ୟାପୀ ଅଶାନ୍ତି ।

 

ପ୍ରଥମେ ଏଠାରେ ଆମେ ଯାହା ଦେଖିଲୁ ସେତିକି ବର୍ଣ୍ଣନା କରି ତା’ପରେ ଜନ୍ମସ୍ଥାନ ବିବାଦର ଇତିହାସ, ଏଥି ସହିତ ସମ୍ପୃକ୍ତ ନାନା ଘଟଣାବଳୀର ଅବତାରଣା କରିବୁ ।

 

ଅଯୋଧ୍ୟାର ରାଜା ଦଶରଥଙ୍କ ପ୍ରଥମ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିବାର ବୃତ୍ତାନ୍ତ ବାଲ୍ମୀକି ରାମାୟଣ ଓ ପରବର୍ତ୍ତୀ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ଏସବୁର ଐତିହାସିକତା ପ୍ରମାଣଯୋଗ୍ୟ କି ନୁହେଁ ତାହା ପରେ ବିଚାର କରାଯିବ; କିନ୍ତୁ ଏଠାରେ ବର୍ତ୍ତମାନ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ବାବର ପାନୀପଥ ଯୁଦ୍ଧରେ ବିଜୟଲାଭ କରିବା ପରେ ରାଜ୍ୟବିସ୍ତାର କରିବାବେଳେ ଯେବେ ଅଯୋଧ୍ୟାରେ ଡେରା ପକାଇଥିଲେ, ସେତେବେଳେ କୁଆଡ଼େ ଜନ୍ମସ୍ଥାନରେ ଥିବା ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ଭାଙ୍ଗି ସେହି ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ କରିଥିଲେ । ପାଞ୍ଚଶହ ବର୍ଷ ପରେ ସେହି ସ୍ଥାନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ବିଶ୍ଵହିନ୍ଦୁ ପରିଷଦ ନେତୃତ୍ଵରେ ହିନ୍ଦୁମାନେ ସଙ୍କଳ୍ପବଦ୍ଧ । ଏଥିରୁ ବିବାଦର ସୂତ୍ରପାତ ।

 

ଅଯୋଧ୍ୟାରେ ପ୍ରବେଶକଲୁ ଆଶା ଓ ଆଶଙ୍କା ମଧ୍ୟରେ । ଶହ ଶହ ସଶସ୍ତ୍ର ପୋଲିସଙ୍କୁ ପ୍ରତ୍ୟେକ ଛକ ଓ ଗଳି–ଉପଗଳିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାଲାଗି ମୁତୟନ କରାଯାଇଛି । ଆମକୁ ଲକ୍ଷ୍ନୌର ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ଆଶ୍ଵାସନା ମିଳିଥାଏ । ତେଣୁ ସବୁ ପୋଲିସ୍‌ ବ୍ୟୁହଭେଦ କରି ନିର୍ବିଘ୍ନରେ ଜନ୍ମସ୍ଥାନ ପାଖରେ ପହଞ୍ଚିଲାବେଳକୁ ଦିନ ବାଆରଟା । ଗୋଟିଏ ପଟରେ ଜନ୍ମସ୍ଥାନ ଓ ମସଜିଦ୍‌ ଆଡ଼କୁ ଯିବାପାଇଁ ରାସ୍ତା । ଆଉ ତିନିପାଖରୁ ଆସିଥିବା ପ୍ରବେଶପଥ ଲୁହା ଅର୍ଗଳି ଦ୍ଵାରା ବନ୍ଦ । ସବୁଠାରେ ସଶସ୍ତ୍ର ପୋଲିସ । ପୋଲିସ ବ୍ୟୁହ ଭେଦକରି ମୁଖ୍ୟ ପ୍ରବେଶପଥ ଦେଇ ଅର୍ଗଳି ପାର ହେବା ପୂର୍ବରୁ ପୋଲିସ ଆମର ଆପାଦ ମସ୍ତକ ସର୍ଚ୍ଚ କଲେ, କାଳେ କୌଣସି ମାରଣାସ୍ତ୍ର ଗୁପ୍ତସ୍ଥାନରେ ରଖିଥାଇପାରୁ ଏଥିପାଇଁ ମେଟାଲ ଡିରେକ୍ଟର ଦ୍ଵାରା ପରୀକ୍ଷା କଲେ । ଏହିପରି ତିନୋଟି ସ୍ଥାନରେ ପରୀକ୍ଷା ସରିବା ପରେ ଭିତରକୁ ପ୍ରବେଶ କଲୁ । ପ୍ରତି ଦଳରେ ଦଶଜଣରୁ ବେଶୀ ଯିବା ନିଷେଧ । ସ୍ତ୍ରୀ ଓ ପୁରୁଷଙ୍କ ଭିନ୍ନ ଭିନ୍ନ ଦଳ । ଆମେ ଯାଇ ବାବରି ମସ୍‌ଜିଦ୍‌ ନିକଟରେ ପହଞ୍ଚିଲୁ । ମସ୍‌ଜିଦ୍‌ ଗର୍ଭଘରେ ‘ରାମଲାଳା’ଙ୍କ ସିଂହାସନ । ୧୯୪୯ ପୂର୍ବରୁ ଏଠାରେ ବିଗ୍ରହ ନଥିଲେ । ମସ୍‌ଜିଦ୍‌ରେ ମଧ୍ୟ ଦୀର୍ଘକାଳ ଧରି କୌଣସି ନମାଜ ପଢ଼ା ହେଉ ନଥିଲା । ୧୯୪୯ ମସିହା ଡିସେମ୍ବର ତେଇଶ ତାରିଖ ଦିନ ଏଠାରେ ବିଗ୍ରହ ସ୍ଥାପନ ହେବାପରେ ବିବାଦର ସୂତ୍ରପାତ ହେଲା । ଅଦାଲତରେ ମୋକଦ୍ଦମା ଆରମ୍ଭ ହେଲା ଓ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତ ଆଦେଶ ଦେଲେ । ସେହିଦିନୁ ସେଠାରେ ପୂଜାର୍ଚ୍ଚନା ଓ ଅଖଣ୍ଡ ନାମକୀର୍ତ୍ତନ ଚାଲିଛି । ଏହାର କୋଡ଼ିଏ ପଚିଶ ଫୁଟ ଦୂରରେ ଶିଳାନ୍ୟାସ କରାଯାଇଛି । ସେଠାରେ ସବୁ ରାଜ୍ୟରୁ ଓ ବିଦେଶରୁ ଆସିଥିବା ଶିଳାଥିବାର ଦେଖିଲୁ । କିନ୍ତୁ ଓଡ଼ଶାର ଶିଳାଟି କେଉଁଠି ଥିଲା ଦୃଷ୍ଟିଗୋଚର ହେଲା ନାହିଁ । ପୂଜାର୍ଚ୍ଚନା ସାରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଓ ସହାବସ୍ଥାନର ମାର୍ଗ ଦେଖାନ୍ତୁ ବୋଲି ପ୍ରାର୍ଥନା କଲୁ ।

 

ଜନ୍ମସ୍ଥାନ ଚାରିପଟେ ଜଗିରହିଥିବା ପୋଲିସମାନଙ୍କର ବ୍ୟବହାର ଭଦ୍ର ଓ ସହଯୋଗମୂଳକ । ଦର୍ଶନସାରି ବାହାରକୁ ଆସି ସାମ୍ନାରେ ଥିବା ଗୋଟିଏ ଦୋକାନରୁ ଲିମ୍‌କା କିଣି ପିଇଲୁ । ଦୋକାନର ମାଲିକ ଦୁଇ ଶିଖ୍‌ ଭାଇ । ସେମାନଙ୍କୁ ହିଂସାକାଣ୍ଡ ସମ୍ପର୍କରେ ପଚାରିଲୁ-। ସେମାନଙ୍କ ଦୋକାନରେ ଆଉ ଦୁଇଜଣ ସ୍ଥାନୀୟ ଲୋକ ଥିଲେ । ସେମାନେ କହିଲେ ଚାରି ପାଞ୍ଚହଜାର ଲୋକ ପୋଲିସ୍‌ ଗୁଳିରେ ନିହତ । ଆମେ କହିଲୁ ଏଗାର ବାଆର ମରିଥିବା ଖବରକାଗଜରୁ ପ୍ରକାଶ । ଶେଷରେ ସେମାନେ ସଂଖ୍ୟା ହ୍ରାସ କରି କହିଲେ ଯାହାହେଲେ ବି କେତେଶହ ହୋଇଥିବେ ।

 

ଅଯୋଧ୍ୟାର ଗୁଜବରେ ପରଲାଗିଛି । ଏକ ଅତି ସହଜରେ ଏକଶହ ହୋଇଯାଏ । ଉଭୟ ପକ୍ଷରୁ ଅସତ୍ୟ ଓ ଅର୍ଦ୍ଧସତ୍ୟ ବିବରଣୀ ଆଗନ୍ତୁକମାନଙ୍କୁ ବିଚଳିତ କରେ ।

 

ଶେଷରେ ସେମାନଙ୍କର ବ୍ୟକ୍ତିଗତ ମତ ଜାଣିବାକୁ ଚାହିଁଲାରୁ ସର୍ଦ୍ଦାରଜୀ ସ୍ମିତହାସ୍ୟ କରି କହିଲେ–ସବ୍‌ ପଲିଟିକ୍‌ସ ଭାଇସାହେବ !

 

ଲିମ୍‌କା ପିଇବା ଶେଷ ହୋଇଥିଲା । ଆମେ କହିଲୁ–ରାଜନୀତି ସବୁଠାରେ ପ୍ରବେଶ କରି ଗଲାଣି । ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଗୁରୁଦ୍ଵାର ସେଥିରୁ ବାଦ୍‍ଯାଇନି । ଏପରିକି ପରିବାର ବି ରାଜନୀତି ଦ୍ଵାରା ବହୁଧା ବିଭକ୍ତ ।

 

ପୁଣ୍ୟଭୂମି ଅଯୋଧ୍ୟାର ପ୍ରାଚୀନତା ଓ ଐତିହାସିକତା ଉପରେ ଆଗାମୀ ସଂଖ୍ୟାରେ ଲେଖିବୁ । ଫେରିବା ବାଟରେ ମନେପଡ଼ୁଥିଲା ପ୍ରଖ୍ୟାତ ପଣ୍ଡିତ ସୁନୀତି ଚାଟାର୍ଜୀଙ୍କ ମତ–ପ୍ରତ୍ୟେକ ହିନ୍ଦୁର ହୃଦୟରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମ ।

 

ବିଶ୍ୱାସ ଓ ଯୁକ୍ତିସାପେକ୍ଷ ସିଦ୍ଧାନ୍ତ ଏକ ନୁହେଁ । ଧର୍ମର ଉତ୍ପତ୍ତି ବିଶ୍ୱାସରୁ । ଯୁକ୍ତିରୁ ଜନ୍ମ ବିଜ୍ଞାନ । ତେବେ ସେ ଯାହାହେଉନା କାହିଁକ, ଶୀରାମ ଓ ଶ୍ରୀକୃଷ୍ଣ ଅବତାର ଭାବରେ ସହସ୍ର ସହସ୍ର ବର୍ଷ ଧରି ପୂଜିତ ଓ ବନ୍ଦିତ । ରାମ ଓ କୃଷ୍ଣ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା । କିନ୍ତୁ ସେହପରି ମୁସଲମାନମାନଙ୍କର ବିଶ୍ଵାସ ଉପରେ ସେମାନଙ୍କର ଧର୍ମ ଗଢ଼ିଉଠିଛି । ଆମର ବିଶ୍ଵାସ ଓ ସେମାନଙ୍କର ବିଶ୍ଵାସ ମଧ୍ୟରେ ସହାବସ୍ଥାନ କ’ଣ ସମ୍ଭବ ନୁହେଁ ? ଅଯୋଧ୍ୟା ଓ ଫୈଜାବାଦର ଅନେକ ସ୍ଥାନରେ ଶହଶହ ବର୍ଷ ଧରି ପାଖାପାଖି ଛିଡ଼ା ହୋଇଥିବା ମନ୍ଦିର ଓ ମସ୍‌ଜିଦ୍‌ ଦେଖି ଧାରଣା ହୁଏ ଯେ ସହାବସ୍ଥାନ ସମ୍ଭବ । କାରଣ ସନ୍ଥକବି ଚଣ୍ଡୀଦାସଙ୍କ ମତରେ ‘ସବାର ଉପରେ ମାନୁଷ ସତ୍ୟ’ । ମଣିଷ ହିଁ ସମସ୍ତଙ୍କ ଉପରେ ବଡ଼ ସତ୍ୟ । ସନ୍ଥ ତୁକାରାମଙ୍କ ବାଣୀ ମଧ୍ୟ ସେହିପରି । କିନ୍ତୁ ଏହା ସତ୍ତ୍ୱେ ରାମ ଓ ରହିମଙ୍କୁ ଖୋଜୁଥିବା ମଣିଷ ବାଟବଣା ହୁଏ କାହିଁକି ? ଧର୍ମ ନାମରେ ମଣିଷ ପରସ୍ପରକୁ ନିଗୃହୀତି ଓ ଲାଞ୍ଛିତ କରେ କାହିଁକି ? ଇତିହାସ ପ୍ରଚୁର ଦୃଷ୍ଟାନ୍ତ ଦିଏ ଏପରି ଲାଞ୍ଛନାର । ଯେଉଁ ମଣିଷକୁ ଅମୃତର ପୁତ୍ର ଭାବରେ ସମ୍ବୋଧନ କରାଯାଇଛି ଓ ଯେଉଁ ମଣିଷମାନଙ୍କୁ ଗୋଟିଏ ଲକ୍ଷ୍ୟହାସଲ କରିବା ନିମନ୍ତେ ସମାନ ଭାବରେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରି ଅଗ୍ରସର ହେବାଲାଗି ବୈଦିକ ସାହିତ୍ୟରେ ଉପଦେଶ ଦିଆଯାଇଛି; ସେହି ମଣିଷମାନେ ଏବେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଭିନ୍ନ ଭିନ୍ନ ବାଟରେ ଚାଲିବା ଲାଗି ଚାହାଁନ୍ତି ।

 

।। ଦୁଇ ।।

 

ଅଯୋଧ୍ୟାର ଖ୍ୟାତି ତ୍ରେତା ଯୁଗରୁ । ଏବେ କଳିଯୁଗ ଚାଲିଛି । ଲକ୍ଷ୍ନୌରୁ ଆସିବାବେଳେ ନିଜାମୁଦ୍ଦିନ କହୁଥିଲେ ଯେ ଧର୍ମ ନଷ୍ଟ ହୋଇଗଲାଣି, ଯିଏ ଯାହା ହାତରେ ଚଉଦପା । ନୀତିନିୟମ ଆଉ ଚଳୁନାହିଁ, ଆଇନ ପ୍ରତି ଆସ୍ଥା ତୁଟିଗଲାଣି ଲୋକମାନଙ୍କ ମନରୁ । ପ୍ରତିବେଶୀମାନଙ୍କ ମଧ୍ୟରେ ଯୁଗ ଯୁଗ ଧରି ଯେଉଁ ପ୍ରୀତି ଏବଂ ପାରମ୍ପରିକ ସହଯୋଗ ଓ ସଦିଚ୍ଛା ଥିଲା ତାହା ଏବେ ଆଉ ଦେଖାଯାଉ ନାହିଁ । ସେ ପୁଣି କହୁଥିଲେ ଯେ ମଣିଷମାନେ ସେହିପରି ଅଛନ୍ତି ସାହେବ, କିନ୍ତୁ ସେମାନଙ୍କର ଚରିତ୍ର ଓ ଚାଲିଚଳନ ବଦଳିଗଲାଣି । ଧର୍ମଭୟ ଆଉ ନାହିଁ ।

 

ଅଯୋଧ୍ୟାର ରାଜା ଶ୍ରୀରାମଚନ୍ଦ୍ର । ସେ କ’ଣ କେବଳ ଅଯୋଧ୍ୟାର ରାଜା ଥିଲେ ? କୋଟି ହୃଦୟର ରାଜା ସେ । ତ୍ରେତା, ଦ୍ୱାପର, କଳି, ତିନିଯୁଗର ସେ ମଉଡ଼ମଣି । ବାପା ଗାଉଥିବା ପଦିଏ କବିତା ଏବେ ବି ମନେଅଛି । ଅନେକଙ୍କର ମନେଥିବ ।

 

ରାମକହୋ ମନ କାମ ସରେ

ରଘୁନାଥ ବିନା ଦୁଃଖ କୌନ ହରେ ।

 

ରାମ କହିଲାକ୍ଷଣି ଅଭିଷ୍ଟ ସିଦ୍ଧି । ରଘୁନାଥଙ୍କୁ ସ୍ମରଣ କଲାକ୍ଷଣି ସବୁ ଦୁଃଖର ଶେଷ । କିନ୍ତୁ କୋଟି ହୃଦୟର ଦେବତା ଦଶରଥ ତନୟ ଶ୍ରୀରାମଚନ୍ଦ୍ର କେଉଁଠାରେ ଜନ୍ମିଥିଲେ ତାହାନେଇ ଏବେ ବିବାଦ ଲାଗିଚି ଦେଶରେ । କେହି କେହି ସେ ଜନ୍ମିଥିବା ସ୍ଥାନରେ ବାବର ମନ୍ଦିର ଭାଙ୍ଗି ମସ୍‌ଜିଦ୍ ‍ତିଆରି କରିଥିଲେ ବୋଲି କହୁଥିଲାବେଳେ ଆଉ କେତେକ କହନ୍ତି ଯେ ଶ୍ରୀରାମ ଜନ୍ମହେବାର, ଅଯୋଧ୍ୟାରେ ରାଜତ୍ଵ କରିବାର ଓ ଲଙ୍କା ବିଜୟର ଐତିହାସିକ ପ୍ରମାଣ କିଛି ନାହିଁ । ପ୍ରଖ୍ୟାତ ଭାଷାବିଦ୍‌ ସ୍ଵର୍ଗୀୟ ଡକ୍ଟର ସୁନୀତି କୁମାର ଚାଟାର୍ଜୀଙ୍କ ମତରେ ରାମ ଓ କୃଷ୍ଣ ଐତିହାସିକ ପୁରୁଷ ନୁହନ୍ତି, ସେମାନଙ୍କ ଜନ୍ମ କୋଟି କୋଟି ହନ୍ଦୁମାନଙ୍କ ହୃଦୟରେ । ବିଶ୍ୱଭାରତୀ ବିଶ୍ଵବିଦ୍ୟାଳର ପୂର୍ବତନ କୁଳପତି ଡକ୍ଟର ନିମାଇ ସାଧନ ବସୁ ମଧ୍ୟ ସେଦିନ ଭୁବନେଶ୍ୱରରେ ଲେଖକ ସାମ୍ମୁଖ୍ୟର ମାସିକ ଆଲୋଚନାଚକ୍ରରେ ଏହି ବିବାଦୀୟ ମତ ଉପସ୍ଥାପିତ କରିଗଲେ । ଆମେ ଦୁହେଁ ସେଠାରେ ଥିଲୁ, ଯୁକ୍ତିତର୍କ ହେଲା; କିନ୍ତୁ ଅନେକ ନିମାଇବାବୁଙ୍କ ସହ ଏକମତ ହୋଇପାରିଲେ ନାହିଁ । ତାଙ୍କ ମତରେ ସତ୍ୟ ଓ ବିଶ୍ଵାସ ମଧ୍ୟରେ ଅନେକ ତଫାତ୍‌ । ବିଶ୍ଵାସ ଦ୍ଵାରା କୌଣସି ବିଷୟର ସତ୍ୟତା ପ୍ରତିପାଦିତ ହୁଏନାହିଁ; ବରଂ ଯାହା ସତ୍ୟ, ପରୀକ୍ଷା ନିରୀକ୍ଷା ଉପରେ ପ୍ରତିଷ୍ଠିତ ତାହା ଯଦି ବିଶ୍ୱାସରେ ପରିଣତ ହୁଏ ଜନଜୀବନ ହୁଏ ଉଜ୍ଜ୍ୱଳ । ଏ ବିଷୟ ଚର୍ଚ୍ଚା କରିବାର ଇଏ ସ୍ଥାନ ନୁହେଁ, ପରେ ସେ ବିଷୟରେ ଆଲୋଚନା କରାଯିବ ।

 

କିନ୍ତୁ ଲକ୍ଷ ଲକ୍ଷ ଲୋକମାନଙ୍କ ପରି ଆମ ମନରେ ନାନାଦି ପ୍ରଶ୍ନ ଜାତ ହେବ ସ୍ଵାଭାବିକ-। ସତହେଉ ବା ସତ ନ ହେଉ ଯାହା ହଜାର ହଜାର ବର୍ଷଧରି ବିଶ୍ୱାସରେ ପରିଣତ ହୋଇ ସଂସ୍କୃତି ଓ ସଂସ୍କାର ରୂପରେ ଜନଜୀବନରେ ଅଭିମାନ ସୃଷ୍ଟି କରିଛି ତାହା ମିଛ ବୋଲି ଉଡ଼ାଇ ଦେଇହୁଏ ନାହିଁ । ଏପରିକି ଐତିହାସିକ ଦୃଷ୍ଟିରୁ ମଧ୍ୟ ଏହାର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ବିଚାର ଏଯାଏ ହୋଇନାହିଁ । ତେଣୁ ସତ୍ୟାସତ୍ୟ ଉପରେ ଆଲୋଚନା ନକରି, ପ୍ରମାଣ ଖୋଜିବାଲାଗି ସମୟ ନଷ୍ଟ ନକରି ଯାହା ବିଶ୍ଵାସ ଉପରେ ପ୍ରତିଷ୍ଠିତ ଏବଂ ପରବର୍ତ୍ତୀ କାଳରେ ଯେଉଁ ଅଯୋଧ୍ୟା ନାନା ଉତ୍‌ଥାନ ପତନ ମଧ୍ୟଦେଇ ଗତି କରି ଆସିଛି, ସେ ବିଷୟରେ ସ୍ଥାନୀୟ ଅଧିବାସୀମାନଙ୍କୁ ଯେଉଁ ରୋମାଞ୍ଚକାରୀ ଇତିହାସ ଏବେ କୁହାଯାଉଛି ସେ ସମ୍ପର୍କରେ ଉଲ୍ଲେଖ କରାଯାଉ ।

 

ବଜରଙ୍ଗବାଲି ଅଯୋଧ୍ୟାର ଦୁର୍ଗରକ୍ଷକ । ଜୟ ହନୁମାନଜୀ କି ଜୟ ନାଦରେ କମ୍ପୁଥାଏ ଗଗନ ପବନ । ଆମେ ପାହୁଚ ଦେଇ ଓହ୍ଲେଇ ଆସିଲାବେଳେ ଶ୍ରୀରାମ ଜନ୍ମଭୂମି ସମ୍ପର୍କିତ କୌଣସି ଭଲ ବହି ପାଇଲୁ ନାହିଁ । ଗୋଟିଏ ଚଟି ବହି ଆଖ‌ିରେ ପଡ଼ିଲା । ‘ଶ୍ରୀରାମ ଜନ୍ମଭୂମି’ର ରୋମାଞ୍ଚକାରୀ ଇତିହାସ । ଲେଖକ ସ୍ଵର୍ଗୀୟ ବାବା ରାମଲଖନ ଶରଣ । ସହକାରୀ ପ୍ରେସ୍‌, ବଜାଜା–ଫୈଜାବାଦରେ ୧୯୯୦ରେ ପ୍ରକାଶିତ । ଏହା ଏକ ଐତିହାସିକ ପୁସ୍ତକ ନୁହେଁ; କିଛି ଇତିହାସ, କିଛି କାହାଣୀ ଓ କିମ୍ବଦନ୍ତୀ ପରି ମନେହୁଏ । ଏହି ପୁସ୍ତକର ମୁଖବନ୍ଧ ଲେଖିଚନ୍ତି ଲୋକସଭାର ଭୂତପୂର୍ବ ସଂସଦ ସଦସ୍ୟା ଶ୍ରୀମତୀ ଶକୁନ୍ତଳା ନାୟର । ୧୯୯୦ ଅକ୍ଟୋବର ମାସ ୩୦ ତାରିଖ ଓ ନଭେମ୍ବର ଦୁଇ ତାରିଖ ଅଯୋଧ୍ୟାରେ ଯେଉଁ ହିଂସାକାଣ୍ଡ ଘଟିଗଲା ଏହା “ଶ୍ରୀରାମ ଜନ୍ମଭୂମି ରକ୍ତରଞ୍ଜିତ ଇତିହାସ’’ ଭାବରେ ଲିପିବଦ୍ଧ ହୋଇଛି । ତେଣୁ ଏପରି ଏକ ପୁସ୍ତକ ବିଶ୍ଵାସଯୋଗ୍ୟ ନ ହୋଇପାରେ; କିନ୍ତୁ ସେଥିରେ ସନ୍ନିବେଶିତ କେତେକ ତଥ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ ।

 

ଗୋଟିଏ ବିଷୟ ନିଷ୍ପକ୍ଷ ଭାବରେ ନିର୍ମଳ ମନରେ ବିଚାର କରାଗଲେ ପ୍ରକୃତ ସତ୍ୟ ଉଦ୍‌ଘାଟିତ ହୁଏ । କିନ୍ତୁ ରାମଜନ୍ମଭୂମି–ବାବରୀ ମସ୍‌ଜିଦ୍‌ ନେଇ ଉଭୟ ପକ୍ଷରୁ ଯେଉଁ ଅସତ୍ୟ ବା ଅର୍ଦ୍ଧସତ୍ୟର ଅବତାରଣା କରାଯାଉଛି ତାହା ସତ୍ୟ ଉଦ୍‌ଘାଟନରେ ସହାୟକ ହେବନାହିଁ । ଆମ ଦୃଷ୍ଟିକୁ ଆସିଥିବା ନିମ୍ନୋକ୍ତ କବିତା ଏଠାରେ ଉଲ୍ଲେଖ କରାଯାଇପାରେ–

 

ବାବର କୀ ବାବରୀ କ୍ରିୟା କା ପ୍ରତିଶୋଧ ଲେଙ୍ଗେ

ସଂସ୍କୃତି କୀ ଲୋକ କା ପ୍ରତୀକ ଠିକ୍‌ ଯୋଡ଼େଙ୍ଗେ ।

କର୍ମହୀନ କାୟର କଳଙ୍କୀ କ୍ରୁର କର୍ମିୟୋଁକେ

କୁଟୀଳ, କୁନୀତି କେ ଦୂରୁହ ଦୁର୍ଗ ତୋଡ଼େଙ୍ଗେ ।

ପ୍ରାଣ କେ ଭି ମୂଲ୍ୟ କୋ ଚୁକାଏଙ୍ଗେ ସହର୍ଷ କିନ୍ତୁ

ଶ୍ରୀରାମ କୀ ପବିତ୍ର ଜନ୍ମଭୂମି କୋ ନ ଛୋଡ଼େଙ୍ଗେ ।

 

ଭାଷାବିଦ୍‌ ଓ ଐତିହାସିକମାନଙ୍କ ମତରେ ରାମାୟଣ ଖ୍ରୀଷ୍ଟପୂର୍ବ ୧୫୦୦ ରୁ ୨୦୦୦ ବର୍ଷ ପୂର୍ବେ ରଚିତ ହୋଇଥିଲା । କେହି କେହି ଏହା ଖ୍ରୀଷ୍ଟପୂର୍ବ ୫୦୦ ରୁ ୧୦୦୦ ବର୍ଷ ମଧ୍ୟରେ ରଚିତ ହୋଇଥିବାର ଅନୁମାନ କରନ୍ତି । ସେ ଯାହାହେଉ ଲୋକବିଶ୍ଵାସ ଓ ପୁରାଣ ଅନୁସାରେ ଦଶରଥତନୟ ଶ୍ରୀରାମଚନ୍ଦ୍ର, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ, କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ଗର୍ଭରୁ ଜନ୍ମଗ୍ରହଣ କରି ଏହି ଭୂମିକୁ ପବିତ୍ର କରିଥିଲେ । ଏଠାରେ କାଳକ୍ରମେ ହିନ୍ଦୁ ସମ୍ରାଟମାନଙ୍କ ଦ୍ଵାରା ମନ୍ଦିର ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ । କିରାତ ଓ ହୁନମାନଙ୍କ ଆକ୍ରମଣ ଫଳରେ ମନ୍ଦିର ପ୍ରତି ଯେତିକି ଦୃଷ୍ଟିଦବା କଥା ସେଥିରେ ବାଧା ପଡ଼ିଥିଲା । ଖ୍ରୀଷ୍ଟପୂର୍ବ ଏକଶହ ବର୍ଷ ପୂର୍ବେ ଏହି ଅଞ୍ଚଳ ଦୀପ୍ତିମାନ ସମ୍ରାଟ ବିକ୍ରମାଦିତ୍ୟଙ୍କ ଅଧୀନରେ ଥିଲା ଏବଂ ତାଙ୍କରି ପ୍ରଚେଷ୍ଟାରୁ ବିଶାଳ ମନ୍ଦିର ନିର୍ମିତ ହୋଇଥିଲା । ପ୍ରଚଳିତ ଲୋକକଥା ଅନୁସାରେ ସେତେବେଳେ ଚାରୋଟି ପ୍ରଧାନ ମନ୍ଦିର ଥିଲା–ଗୋଟିଏ ଜନ୍ମଭୂମି ଅଯୋଧ୍ୟାରେ, ଗୋଟିଏ ସୂର୍ଯ୍ୟମନ୍ଦିର କାଶ୍ମୀରରେ, ଗୋଟିଏ କନକ ଭବନ ଓ ଚତୁର୍ଥଟି ପ୍ରଭାସପଟ୍ଟଠାରେ ।

 

୧୫୨୮ ଖ୍ରୀଷ୍ଟାବ୍ଦରେ ଫତେପୁରସିକ୍ରୀ ନିକଟରେ ଚିତୋରର ରାଜା ସଂଗ୍ରାମ ସିଂହଙ୍କ ଦ୍ଵାରା ପରାଜିତ ହୋଇ ମୋଗଲ ସମ୍ରାଟ ବାବର ଅଯୋଧ୍ୟାକୁ ପଳାଇ ଆସିଲେ । ସେତେବେଳେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ବାବା ଶ୍ୟାମାନନ୍ଦ ନାମରେ ଜଣେ ସିଦ୍ଧମହାତ୍ମା ବସବାସ କରୁଥିଲେ । ସେତେବେଳେ ସାଧାରଣ ଜନଜୀବନରେ ଧର୍ମବିଦ୍ଵେଶ ପ୍ରାୟ ନଥିଲା କହିଲେ ଚଳେ-। ବାବାଙ୍କ ପ୍ରଭାବରେ ପଡ଼ି ହଜରତ କଜଲ ଅବ୍‌ବାସ ମୁସା ଆଶିକାନେ ବଲନ୍ଦର ଶାହ ନାମକ ଜଣେ ମୁସଲମାନ ଫକୀର ତାଙ୍କଠାରୁ ଯୋଗଶିକ୍ଷା କଲେ । କିଛି ସମୟ ପରେ ସେହି ମୁସଲମାନ ଫକୀରଙ୍କ ପ୍ରସିଦ୍ଧି ବୃଦ୍ଧି ପାଇଲା । ଏହାପରେ ଜଲାଲଶାହ ନାମକ ଆଉ ଜଣେ ଫକୀର ଆସି ଶ୍ୟାମାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ ।

 

ଫତେପୁରସିକ୍ରୀଠାରେ ଶୌଚନୀୟ ଭାବେ ପରାଜିତ ହୋଇ ବାବର ଆସି ଅଯୋଧ୍ୟାରେ ପହଞ୍ଚିଲେ । ସେଠାରେ ସେହି ଦୁଇ ଫକୀରଙ୍କ ସହିତ ସମ୍ପର୍କ ସ୍ଥାପିତ ହେଲା । ସେମାନଙ୍କ ଦ୍ଵାରା ବିଜୟୀ ହେବାର ଆଶୀର୍ବାଦ ନେଇ ପୁଣି ଯୁଦ୍ଧ କରିବା ପାଇଁ ଫେରିଗଲେ । ରାଣାପ୍ରତାପଙ୍କ ସହିତ ତାଙ୍କର ପ୍ରବଳ ଯୁଦ୍ଧ ହେଲା ଏବଂ ଏଥିରେ ବାବର ବିଜୟୀ ହେଲେ । ତା’ପରେ ସେ ପୁଣି ଅଯୋଧ୍ୟା ଫେରିଆସିଲେ । ଶ୍ରୀରାମ ଜନ୍ମଭୂମି ଉପରେ ଲିଖିତ କ୍ଷୁଦ୍ର ପୁସ୍ତକରେ ଏହା ବି ସୂଚାଇ ଦିଆଯାଇଛି ଯେ ବାବର ଅଯୋଧ୍ୟାରେ ରହିବା ସମୟରେ ଜନ୍ମଭୂମିରେ ପ୍ରତିଷ୍ଠିତ ମନ୍ଦିର ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ କରାଇଥିଲେ । ବାବା ଶ୍ୟାମାନନ୍ଦ ଦିବ୍ୟ ପ୍ରତିମାମାନଙ୍କୁ ନେଇ ସରଯୂ ନଦୀରେ ଭସାଇ ଦେଇ ଉତ୍ତରାଖଣ୍ଡ ଚାଲିଗଲେ ।

 

ଅଯୋଧ୍ୟାର ସେହି ମନ୍ଦିର ଅତି ପ୍ରସିଦ୍ଧ ଥିଲା । ଏହା ଚାରିପାଖରେ ଉଦ୍ୟାନ ଥିଲା । ସେଠାରେ ଥିବା କୂଅର ଖ୍ୟାତି ଥିଲା ଲୋକମାନଙ୍କ ମଧ୍ୟରେ । କୁହାଯାଏ ଯେ ରାଜା ଯଯାତି ସେହ କୂଅର ପାଣିରେ ସ୍ନାନକରି ଯୁବକତ୍ୱ ଲାଭ କରିଥିଲେ । ଅଗ୍ନି କୋଣରେ ଥିବା କୂଅ ଆଠକୋଶ ବିଶିଷ୍ଟ ଥିଲା ଏବଂ ଏହା ସୀତା କୂଅ ନାମରେ ବିଖ୍ୟାତ । ଏହି କୂଅ ମହାରାଜା ଦଶରଥ ରାଣୀ କୌଶଲ୍ୟାଙ୍କ ପାଇଁ ନିର୍ମାଣ କରାଇଥିଲେ । ଏହାର ପ୍ରଥମ ନାମ ଥିଲା ଜ୍ଞାନକୂପ । ମିଥିଳେଶ ରାଜନନ୍ଦୀନି ସୀତାଙ୍କୁ ବିବାହ କରି ରାମଚନ୍ଦ୍ର ଅଯୋଧ୍ୟା ବାହୁଡ଼ି ଆସିଲେ । ବଧୂ ଦର୍ଶନ କରି କୌଶଲ୍ୟା ଏହି କୂଅ ସୀତାଙ୍କୁ ଉପହାର ଦେଇଥିଲେ । ତେଣୁ ଏହାର ପରବର୍ତ୍ତୀ ନାମହେଲା ସୀତା କୂପ । ଏବେ ବି ଏହି ନାମ ପ୍ରଚଳିତ ଏବଂ ବହୁଲୋକ ତାହା ଦର୍ଶନ କରନ୍ତି ।

 

ବାବର ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କରି ଅବସ୍ଥାନ କରୁଥିବା ସମୟରେ ଫୌଜାବାଦ ନିକଟସ୍ଥ ଭିଟୀ ରାଜ୍ୟର ରାଜା ମହତାବ ସିଂହ ସସୈନ୍ୟ ତୀର୍ଥଯାତ୍ରା କରୁଥିଲେ । ମନ୍ଦିର ସ୍ଥାନରେ ମସ୍‌ଜିଦ୍‌ ତିଆରି ହୋଇଥିବା ସୂଚନା ପାଇ ସେ ଦଳବଳ ନେଇ ଅଯୋଧ୍ୟା ଫେରିଆସିଲେ । ମୋଗଲ ସେନାଙ୍କ ସହିତ ତାଙ୍କର ଯୁଦ୍ଧ ହେଲା ଏବଂ ଶେଷରେ ସେ ପରାଜିତ ହେଲେ ।

 

ମନ୍ଦିର ବିଂଧ୍ଵସ ହେବାପରେ ସେଠାରେ ମସ୍‌ଜିଦ୍ ନିର୍ମାଣ କରାଯାଇଥିବା କୁହାଯାଏ । ଇଂରେଜ ଐତିହାସିକ ବେଡ଼୍‌ କନିଂହମ ଲକ୍ଷ୍ନୌ ଗେଜେଟିଅରର ୨୬ ଓ ୩ ପୃଷ୍ଠାରେ ମନ୍ଦିର ସ୍ଥାନରେ ମସଜିଦ୍‌ କରାଯାଇଥିବା ଲେଖିଥିବାର ଉପରୋକ୍ତ ପୁସ୍ତକରେ ଲିପିବଦ୍ଧ କରାଯାଇଛି । ଜନ୍ମଭୂମି ଦଖଲ କରିବା ପାଇଁ ବାରବାର ଯୁଦ୍ଧ ହୋଇଥିବା କୁହାଯାଏ । ସେଠାରେ ଓଡ଼ିଆ ଓ ଫରାସୀ ଭାଷାରେ ସୀତା ପାକସ୍ଥାନ ଲେଖାଥିବାର ଅନୁମାନ କରଯାଏ । ଓଡ଼ିଆ ଭାଷାରେ ସେଠାରେ କିପରି ଲେଖାଗଲା ତାହା ଆଦୌ ସ୍ପଷ୍ଟ ନୁହେଁ ।

 

ପରେ ହିନ୍ଦୁମାନେ ଚହର ଦିବାରୀ ଭାଙ୍ଗି ସେହି ସ୍ଥାନରେ ଏକ ଚବୁତରା ନିର୍ମାଣ କରି ମୂର୍ତ୍ତି ସ୍ଥାପନ କରିଥିଲେ । ରାଜା ବୀରବଲ ଓ ରାଜା ତୋଡ଼ରମଲଙ୍କ ପରାମର୍ଶ ଅନୁସାରେ ମୋଗଲ ସମ୍ରାଟ ଆକବର ହିନ୍ଦୁମାନଙ୍କ ପୂଜାର୍ଚ୍ଚନାରେ ହସ୍ତକ୍ଷେପ କରି ନଥିଲେ । ହିନ୍ଦୁମାନଙ୍କର ପୂଜା ପ୍ରାର୍ଥନାରେ କୌଣସି ପ୍ରକାର ବିଘ୍ନ ସୃଷ୍ଟି ନ କରିବା ପାଇଁ ଆକବର ଆଦେଶ ଦେଇଥିବା କୁହାଯାଏ । ତାଙ୍କ ପରେ ସମ୍ରାଟ ଜାହାଙ୍ଗୀର ଓ ଶାହାଜାହାନଙ୍କ ସମୟରେ ମଧ୍ୟ ସେଠାରେ ଶାନ୍ତି ବିରାଜମାନ କରୁଥିଲା । କିନ୍ତୁ ଆଉରଙ୍ଗଜେବଙ୍ଗ ରାଜତ୍ୱକାଳରେ ସେନାପତି ଜାବାଜଖାଁଙ୍କ ନେତୃତ୍ୱରେ ଅଯୋଧ୍ୟା ଉପରେ ପୁଣି ଆକ୍ରମଣ ହେଲା ଏବଂ ବହୁ କ୍ଷୟକ୍ଷତି ହେଲା । ବହୁ ସୈନ୍ୟ ଓ ଲୋକ ନିହତ ହେଲେ । ଏହି ସମ୍ବାଦ ଗୁରୁଗୋବିନ୍ଦ ସିଂହଙ୍କୁ ଜଣାଇ ସାହାଯ୍ୟ ପ୍ରାର୍ଥନା କରି ବାବାଂବୈଷ୍ଣବ ଦାସ ପତ୍ର ଲେଖିଥିଲେ । ଗୁରୁଗୋବିନ୍ଦ ସିଂହ ସୈନ୍ୟସାମନ୍ତ ସହିତ ମୋଗଲ ସୈନ୍ୟର ମୁକାବିଲା କଲେ । ଏଥିରେ ହିନ୍ଦୁମାନଙ୍କର ବିଜୟ ହେଲା ଏବଂ ଏହାପରେ କେତେ ବର୍ଷ ଶାନ୍ତି ବିରାଜମାନ କଲା । କେତେବର୍ଷ ପରେ ମୋଗଲ ସୟଦ ମନ୍ଦିର ଆକ୍ରମଣ କରି ଚବୁତରା ନଷ୍ଟଭ୍ରଷ୍ଟ କରିଥିଲେ । ନବାବ ସଦତ ଅଲ୍ଲୀଙ୍କ ସମୟରେ ଜନ୍ମଭୂମି ହସ୍ତଗତ କରିବା ପାଇଁ ଘନଘୋର ସଂଗ୍ରାମ ହୋଇଥିଲା । ପରେ ୧୮୫୩ରେ ମୀର ଅଲ୍ଲୀ ଓ ରାମଶରଣ ଦାସଙ୍କ ସମ୍ମିଳିତ ଉଦ୍ୟମରେ ଜନ୍ମଭୂମି ହସ୍ତଗତ କରିବାପାଇଁ ଯୁଦ୍ଧ ହୋଇଥିଲା । ଏହାପରେ ମଧ୍ୟେ ମଧ୍ୟେ ଏପରି ଗଣ୍ଡଗୋଳ ଇଂରେଜ ରାଜତ୍ୱ କାଳରେ ମଧ୍ୟ ଚାଲିଥିଲା । ସର୍ବମୋଟ ୩୭ ଥର ଆକ୍ରମଣ ହୋଇଥିବା ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।

 

ଏ ବିଷୟରେ ଆମେ କେତେକ ବୁଦ୍ଧିଜୀବୀଙ୍କ ସହିତ ମଧ୍ୟ ଆଲୋଚନା କଲୁ । ଗୋଟିଏ ବିଷୟ ଅତି ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଅତୀତରେ କ’ଣ ଘଟିଛି ବା କ’ଣ ଘଟିନାହିଁ ସେସବୁର ନିଷ୍ପକ୍ଷ ପ୍ରାମାଣିକ ଇତିହାସ ଏଯାଏ ଲେଖାଯାଇ ନାହିଁ । ଇଂରେଜମାନେ ଭାରତର ଯେଉଁ ଇତିହାସ ଲେଖିଯାଇଛନ୍ତି ତାହା ନିର୍ଭୁଲ ବୋଲି ମଧ୍ୟ କୁହାଯାଇ ନପାରେ । ଆହୁରି ବି ଏହାର ଅନେକ ପ୍ରମାଣ ମିଳୁଛି ଯେ ଇଂରେଜ ଶାସକ ଭାରତର ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନଙ୍କୁ ବିଭକ୍ତ କରି ଏ ଦେଶକୁ ଦୁର୍ବଳ ଓ ଖଣ୍ଡ ଖଣ୍ଡ କରିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି କେତେକାଂଶରେ ସଫଳ ମଧ୍ୟ ହୋଇଥିଲେ । ପାକିସ୍ଥାନ ରାଷ୍ଟ୍ର ଗଠନ ସେହି ପ୍ରଚେଷ୍ଟାର ଫଳ ।

 

କିନ୍ତୁ ଏହାବୋଲି କୌଣସି କାର୍ଯ୍ୟକୁ ସୁହାଇଲା ଭଳି ଇତିହାସକୁ ବିକୃତ କରାଯାଇ ନପାରେ । ବାବର ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ କରି ନଥିବା କେତେକ କହୁଥିଲାବେଳେ ଆଉ କେତେକ ମନ୍ଦିର ଭାଙ୍ଗି ମସ୍‌ଜିଦ ନିର୍ମାଣ କରିଥିବା କହନ୍ତି । କିନ୍ତୁ ଯଦି ବାବର ଏପରି କରିଥିବା ସତ୍ୟ ବୋଲି ପ୍ରମାଣିତ ହୁଏ; ତେବେ ମୁସଲମାନମାନଙ୍କ ଉପରେ ସେଥିପାଇଁ ଦୋଷ ଲଦି ଦିଆଯାଇ ନପାରେ-। କାରଣ ବାବରଙ୍କ ପୂର୍ବରୁ ମୁସଲମାନ ଧର୍ମ ଏ ଦେଶକୁ ଆସିଥିଲା ଏବଂ ଭାରତବର୍ଷ ଉଦାରତାର ସହିତ ଯେପରି ବହୁଧର୍ମ, ବହୁ ଦର୍ଶନ ଓ ମତବାଦକୁ ସ୍ଥାନଦେଇ ସମନ୍ୱୟର ସଂସ୍କୃତି ସୃଷ୍ଟି କରିଛି, ସେହିପରି ମୁସଲମାନ ଧର୍ମର ପ୍ରବେଶ ଓ ପ୍ରସାରକୁ ମଧ୍ୟ ବିରୋଧ କରିନାହିଁ । ବାବର ଇତିହାସର ସର୍ବଶ୍ରେଷ୍ଠ ପୁରୁଷ ମଧ୍ୟ ନୁହନ୍ତି । ତେଣୁ ତାଙ୍କର କୁକୀର୍ତ୍ତିଲାଗି ପାଞ୍ଚଶହ ବର୍ଷ ପରେ ମୁସଲମାନମାନଙ୍କୁ ଦୋଷ ଦିଆଯିବା ସ୍ପୃହଣୀୟ ନୁହେଁ ।

 

ସେହିପରି ଐତିହାସିକ ପ୍ରମାଣ ଆଉ ବା ନଥାଉ, ରାମାୟଣର ବର୍ଣ୍ଣିତ ବିଷୟବସ୍ତୁ ସତ୍ୟ ହେଉ ବା କାହାଣୀ ହେଉ; ସେଥିରେ ମୁଣ୍ଡ ନପୂରାଇ ଯେଉଁ ବିଶ୍ୱାସ ବଳରେ ଗୋଟିଏ ନୂତନ ଧର୍ମଧାରା, ଜୀବନ ମାର୍ଗ ଗଢ଼ି ଉଠିଥିଲା ଆଦର୍ଶ ଭାବରେ ଏବଂ ଜନଜୀବନକୁ ଶତାବ୍ଦୀ ଶତାବ୍ଦୀ ଧରି ପୃଷ୍ଠ କରି ଆସିଛି ତାହା ଅପ୍ରାସଙ୍ଗିକ ବୋଲି ମଧ୍ୟ କୁହାଯାଇ ନ ପାରେ । କୌଣସି ବାସ୍ତବତା ନଥାଇ ବାଲ୍ମିକୀ ଓ ବ୍ୟାସ ଯଦି ରାମାୟଣ ଓ ମହାଭାରତ ପରି ଅମର ଗ୍ରନ୍ଥ ରଚନା କରିପାରିଲେ ଯାହା ପଞ୍ଚାଅଶୀ କୋଟି ଲୋକଙ୍କୁ ଆଜି ଅନୁପ୍ରାଣିତ କରୁଛି ସତ୍ୟ ଓ ନ୍ୟାୟ, ସମତା ଓ ଉଦାରତା ଉପରେ ପ୍ରତିଷ୍ଠିତ ଏକ ସମାଜର ପ୍ରତିଷ୍ଠା କରିବା ପାଇଁ ପ୍ରେରଣାର ଉତ୍ସ ହୋଇଆସିଛି; ତାହାହେଲେ ଏହା ସ୍ଵୀକାର କରିବାକୁ ହେବ ଯେ ତର୍କ ଓ ତଥ୍ୟ ଉପରେ ପ୍ରତିଷ୍ଠିତ ସତ୍ୟ ଅପେକ୍ଷା ବିଶ୍ଵାସ ଉପରେ ପ୍ରତିଷ୍ଠିତ ଏକ ଆଦର୍ଶ, ଏକ ଉଚ୍ଚତର ଚେତନା ମଣିଷ ଜୀବନକୁ ମନୋରମ ଓ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଯଦି ହଜାର ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପ୍ରେରଣା ଯୋଗାଇ ଆସିଛି ତାହାହେଲେ ଏହା ହିଁ ଗ୍ରହଣଯୋଗ୍ୟ ।

 

ଏହି କାରଣରୁ ପୁଣି ଶ୍ରୀରାମ କେଉଁଠାରେ ପ୍ରକୃତରେ ଜନ୍ମଗ୍ରହଣ କରିଥିଲେ ସେ ବିଷୟରେ ନ ମାତି, ଆପୋଷ ବୁଝାମଣା ଓ ସଦିଚ୍ଛା ଦ୍ୱାରା ଯଦି ଏହି ସମସ୍ୟାର ସମାଧାନ କରାଯାଇପାରେ ତାହା ଭାରତୀୟ ଦର୍ଶନ, ଜୀବନଧାରା ଓ ସଂସ୍କୃତି ପକ୍ଷରେ ଅଧିକ ସ୍ପୃହଣୀୟ । ସାଲିସ ଦ୍ୱାରା ନୁହେଁ, ଆଦାନପ୍ରଦାନ ଦ୍ୱାରା ଏକ ନୂତନ ପରିବେଶ ସୃଷ୍ଟି କରାଯାଇପାରେ, ଯେଉଁଠାରେ ସବୁଧର୍ମର ସମନ୍ୱୟ ଓ ଅଭିବୃଦ୍ଧି ସମ୍ଭବ । ରାମାୟଣ କୌଣସି ଶେଷ ଧର୍ମପ୍ରଚାର ପାଇଁ ଲେଖାହୋଇ ନଥିଲା କି କୌଣସି ମତବାଦର ପ୍ରସାର ଲାଗି ରାମରାଜ୍ୟର କଳ୍ପନା କରା‌ଯାଇ ନଥିଲା । ସମାଜ ଓ ରାଷ୍ଟ୍ରଗଠନରେ ଯେପରି, ବ୍ୟକ୍ତି ଓ ବ୍ୟଷ୍ଟିର ସଙ୍ଗଠନରେ ମଧ୍ୟ ସେହିପରି ରାମାୟଣ ସୃଷ୍ଟି କରିଛି ଏକ ନୂତନ ଭିତ୍ତିଭୂମି, ସଂସାର ଜ୍ୱାଳା ଓ ଯନ୍ତ୍ରଣାରେ ନିପୀଡ଼ିତ ଲୋକମାନଙ୍କୁ ଯୋଗାଇ ଦେଇଛି ଅସରନ୍ତି ପ୍ରେରଣା ଓ ଜୀବନାଦର୍ଶର ଏକ ଅସରନ୍ତି ଉତ୍ସ ।

 

ତେଣୁ ଆଉ ତର୍କରେ ନ ମାତି ଆମେ ମନକୁ ମନ କହିଲୁ–ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ବିରୋଧ ନାହିଁ, ବରଂ ଅଛି ସଂଗତି ଓ ସଂହତିର ଉତ୍ସ । ସବୁଧର୍ମର ସମନ୍ୱୟରେ ହିଁ ମାନବ ଧର୍ମର ବିକାଶ ଓ ମାନିବିକତାର ପ୍ରତିଷ୍ଠା ।

 

ପୁଣ୍ୟଭୂମି ଅଯୋଧ୍ୟାର ମାଟି ସ୍ପର୍ଶ କରି ଶରୀର ଓ ମନରେ ଯେଉଁ ରୋମାଞ୍ଚ ହୋଇଥିଲା ତାକୁ ସମ୍ବଳ କରି ପ୍ରତ୍ୟାବର୍ତ୍ତନ କଲୁ ଲକ୍ଷ୍ନୌ । କାନରେ ପଡ଼ୁଥିଲା ଅନେକ କଣ୍ଠର ବାଣୀ–ଜୟ ସିଆପତି ଶ୍ରୀରାମଚନ୍ଦ୍ର କୀ ଜୟ.....ଆମେ ଯୋଗକଲୁ ଜୟ ରାମ ରହିମ କୀ ଜୟ ।

 

(ଏବେ ଆଉ ବାବରି ମସ୍‌ଜିଦ୍‌ ନାହିଁ, (୧୯୯୨) ଡିସେମ୍ବର ଛଅ ତାରିଖ ଦିନ ଏହା ଧରାଶାୟୀ ହୋଇଛି । ତା’ପରେ ଦେଶରେ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା ଓ ଅପ୍ରୀତିକର ଘଟଣାସବୁ ଘଟିଗଲା, ସେଥିରେ ଏ ଦେଶର ମର୍ଯ୍ୟାଦା ବଢ଼ିନାହିଁ । ଅନେକ ନିରୀହ ସାଧାରଣ ଲୋକ ନିହତ ହୋଇଛନ୍ତି ଦଙ୍ଗାରେ । ସେମାନଙ୍କୁ ଆମର ଶ୍ରଦ୍ଧାଞ୍ଜଳି । ଦେଶର ଏକତା ଓ ଅଖଣ୍ଡତା ସମସ୍ତଙ୍କର କାମ୍ୟ ହେଉ ଏହା ଆମର ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା ।)

 

ଲକ୍ଷ୍ନୌ

।। ଏକ ।।

 

ଲକ୍ଷ୍ନୌ ସମ୍ଭ୍ରାନ୍ତମାନଙ୍କର ସହର । କେତେଥର ଯାଇଛୁ ସେଇ ସୁନ୍ଦର ସହରକୁ; କିନ୍ତୁ ସବୁଥର ପ୍ଳାଟଫର୍ମର ଯାତ୍ରୀପରି ତରତର । ହାତରେ ସମୟ ନଥାଏ ବୁଲିବା ପାଇଁ, ନିରେଖି ନିରେଖି ଦେଖିବା ପାଇଁ ଏବଂ ଏଇ ସହରର ଚଳଣିରେ, ଜନସାଧାରଣଙ୍କ କଥାଭାଷାରେ ଓ ପୂରାତନ ସ୍ଥାପତ୍ୟରେ ଲେସିହୋଇ ରହିଥିବା ଇତିହାସ ଓ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ । ଜଣେ ବନ୍ଧୁ ଯୋଗେଶ (ପ୍ରବୀଣ)ଜୀଙ୍କ ପଂକ୍ତି ଏ କବିତା ଆବୃତ୍ତି କଲେ ଲକ୍ଷ୍ନୌର ମହିମା କରିବା ପାଇଁ–

 

ଲଖନଉ ହୈ ତୋ ମହଜ, ଗୁମ୍ୱଦୋ ମୀନାର ନହୀଁ

ସିରର୍ଫ ଏକ ସହର ନହୀଁ, କୁଛ ଓ ବାଜାର ନହୀଁ

ଇସକେ ଆଞ୍ଚଲ ମେଁ ମହବତ କେ ଫୁଲ ଖିଲତେ ହେଁ,

ଇସକୀ ଗଲିୟୋଁ ମେଁ ଫରିସ୍ତେଁ । କେ ପତେ ମିଲତେ ହେଁ I

 

ତାଙ୍କରି ଭାଷାରେ ଲକ୍ଷ୍ନୌ କୌଣସି ନଗରଠାରୁ ଅଧିକ କୌଣସି ସଂସ୍କୃତିର ନାମ, ଏକ ଜୀବନଧାରାର ନାମ । ଏହି ସହରର ଗଳିଗଳିରେ କାବ୍ୟ, ସଙ୍ଗୀତ, ସୌନ୍ଦର୍ଯ୍ୟ ଓ ପ୍ରେମର ହଜାର ହଜାର କାହାଣୀ ଲେସି ହୋଇ ରହିଛି ।

 

ତେଣୁ ଯେତେବେଳେ କଥାପଡ଼ିଲା ଲକ୍ଷ୍ନୌ ଯିବା କି ନାହିଁ ମନା କରିବାର ଉପାୟ ନଥିଲା । ଏବେ ତ ଆହୁର ଗୋଟେ ବଡ଼ ଆକର୍ଷଣ ସେଠାରେ । ଆମ ମଝିଆବୋହୂ (ରାଜୀବର ସ୍ତ୍ରୀ) ଜୟା ଅଳ୍ପଦିନ ପୂର୍ବେ ଜଏନ୍‌ କରିଥାଏ ଉତ୍ତରପୂର୍ବ ରେଳବାଇର ଡିଭିଜନାଲ ସିକ୍ୟୁରିଟି କମିଶନର ଭାବରେ । ପୁଅ ଦିଲ୍ଲୀରେ; କିନ୍ତୁ ନାତି ନାତୁଣୀ (ସିଦ୍ଧାର୍ଥ ଓ ଶ୍ରୁତି) ସେମାନଙ୍କ ମା’ ପାଖରେ । ଖାଲି ଏତିକି ଦୁଃଖ ହେଲା ଯେ ସାନପୁଅ ଚିନ୍ତୟାଂଶୁ ଦିଲ୍ଲୀ ଛାଡ଼ି ଆମ ସହିତ ଯାଇପାରିଲା ନାହିଁ, ଆମେ ଦୁହେଁ ଓ ରାଜୀବ ଫେବୃୟାରୀ କୋଡ଼ିଏ ତାରିଖ ଅପରାହ୍ନ ଚାରିଟା ସମୟରେ ଯାତ୍ରା ଆରମ୍ଭ କଲୁ ଗୋମତୀ ଏକ୍‌ସପ୍ରେସରେ । ନୂଆଦିଲ୍ଲୀରୁ ଲକ୍ଷ୍ନୌ ପ୍ରାୟ ସାତ ଘଣ୍ଟାର ବାଟ । ଶୀତତାପ ନିୟନ୍ତ୍ରିତ ଚେଆରକାର ବା ଚୌକୀଯାନରେ ପଚସ୍ତରୀ ଜଣ ଯାତ୍ରୀ ସ୍ଵଚ୍ଛନ୍ଦରେ ବସିବାର ବ୍ୟବସ୍ଥା । ଏପରି ଦୁଇଟି ବଗିରେ କାନପୁର ଓ ଲକ୍ଷ୍ନୌ ଯିବାପାଇଁ ଯେଉଁମାନେ ବସିଥିଲେ ସେମାନଙ୍କ ଦେହ ମୁହଁ ଓ ପରିଧାନରୁ ଖସିପଡ଼ୁଥାଏ ପ୍ରାଚୁର୍ଯ୍ୟ । ମନେ ପଡ଼ିଯାଉଥାଏ ଓଡ଼ିଶାର କଥା । ବନ୍ୟା, ବାତ୍ୟା, ମରୁଡ଼ି ପ୍ରପୀଡ଼ିତ, ରାଜନୈତିକ ଅଦୂରଦର୍ଶିତା ଦ୍ଵାରା ନିପୀଡ଼ିତ ଦରିଦ୍ର ଓଡ଼ିଆ କଷ୍ଟେମଷ୍ଟେ ବଞ୍ଚିଛି । ଛାରପୋକପରି ତା’ ଦେହର ରକ୍ତ ଶୋଷୁଛନ୍ତି ନେତା, ଅମଲା, ଠିକାଦାର ଓ ଦଲାଲମାନେ । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ଦୈନ୍ୟ ଚତୁର୍ଦ୍ଦିଗରେ ।

 

ଚୌକୀଯାନରେ ଜଳଖିଆ, ଆଇସ୍‌କ୍ରିମ, ଚା’, କଫି, ଥଣ୍ଡା ପାନୀୟ ଚାହିଁବାମାତ୍ରେ ମିଳେ । କେତେଜଣ ବସୁ ବସୁ ଆରମ୍ଭ କରିଦେଲେ ଖାଇବା । ଜୀବନ ଗତିଶୀଳ ଏଠାରେ । ବଞ୍ଚିବା ପାଇଁ ଏଠାରେ ପ୍ରତିମୁହୂର୍ତ୍ତରେ ଲଢ଼େଇ ହୁଏନି ।

 

ରେଳପଥର ଉଭୟ ପାର୍ଶ୍ଵରେ ସମତଳଭୂମି । ଯମୁନା ନଦୀ ପଛରେ ପଡ଼ିଗଲାଣି । ଶସ୍ୟକ୍ଷେତର ପ୍ରସାରିତ ରୂପ ଦେଖି ପୂରିଯାଉଥାଏ ଆଖି । ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିବାପରେ ଆରାମରେ ଲାଗିଆସେ ଆଖିପତା । କେତୋଟି ସିଟ୍‌ ଛାଡ଼ି ଯୁବତୀଟିଏ ଯୁବକ ଉପରେ ମଥାରଖି ସ୍ଵପ୍ନ ଦେଖୁଥାଏ ଭବିଷ୍ୟତର । ପ୍ରେମିକ–ପ୍ରେମିକା ବା ସ୍ଵାମୀ–ସ୍ତ୍ରୀ ହେବେ ବୋଧହୁଏ । କିଛି ସମ୍ପର୍କ ନ ଥାଇପାରେ ବି......ଖାଲି ଏଇମିତି......ତାରୁଣ୍ୟର ସାନ୍ନିଧ୍ୟତ ଚୁମ୍ବକ ପରି ଆକର୍ଷଣ କରେ ପରସ୍ପରକୁ ।

 

ଗରମ ସିଙ୍ଗଡ଼ା ପରେ ପରେ ଦେଇଗଲା କଫି । ଯାତ୍ରୀମାନଙ୍କ ମଧ୍ୟରେ ଜମିଯାଏ ଆଳାପ ଆଲୋଚନା । ରାଜନୀତି ସବୁସ୍ତରକୁ ବ୍ୟାପିଗଲାଣି । ଉତ୍ତରପ୍ରଦେଶ ବାଦଶାହା ଓ ପ୍ରଧାନମନ୍ତ୍ରୀମାନଙ୍କର ପ୍ରଦେଶ । ମୁଲାୟମ ସିଂ ଯାଦବଙ୍କ ରାଜତ୍ଵ ସମ୍ବନ୍ଧରେ ହେଉଥିବା ଚର୍ଚ୍ଚା କାନରେ ପଡ଼ୁଥାଏ ଆମର । ସେ ମୁସଲମାନଙ୍କ ପ୍ରତି ଅଧିକ ସଦୟ ବୋଲି ହିନ୍ଦୁ ମୌଳବାଦୀମାନେ ତାଙ୍କ ନାମ ଦେଇଛନ୍ତି ମୌଲାନାସିଂ ଯାଦବ । କାନରେ ପଡ଼ୁଥାଏ ଅଲିଗଡ଼ର ଓଡ଼ିଆ ଜିଲ୍ଲାପାଳ ଏ.କେ.ମିଶ୍ରଙ୍କ ସୁନାମ । ଉତ୍ତରପ୍ରଦେଶର ତରୁଣ ଆଇ.ଏ.ଏସ୍‌. ଅଫିସରମାନଙ୍କ ମଧ୍ୟରେ ସେ ଅଧିକାର କରିଛନ୍ତି ଏକ ବିଶେଷ ସ୍ଥାନ । ନିରପେକ୍ଷ ଓ ସଚ୍ଚୋଟ ଅଫିସର ଭାବରେ ସର୍ବତ୍ର ପରିଚିତ । ସମାଜର ସହଯୋଗୀ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଜ୍ଵାଇଁ । ଅକ୍ଟୋବର ନଭେମ୍ବର ମାସରେ ଅଯୋଧ୍ୟାରେ ରାମଜନ୍ମଭୂମି–ବାବରୀ ମସ୍‌ଜିଦ୍‌ ନେଇ ଯେଉଁ ହିଂସାକାଣ୍ଡ ଘଟିଗଲା ଲୋକମାନଙ୍କ ମନରୁ ଲିଭି ନଥାଏ ତା’ର ସ୍ମୃତି । ମୁଲାୟମଜୀ କହୁଥାନ୍ତି ଯେ ସାରା ଭାରତବର୍ଷ ପକ୍ଷରୁ ଲଢ଼ୁଛନ୍ତି ସେ ଧର୍ମନିରପେକ୍ଷତାର ଲଢ଼େଇ । ଏପରିକି ଟ୍ରେନ୍‌ରେ ଯିବାବେଳେ କାନରେ ପଡ଼ୁଥାଏ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବିବାଦ ସମ୍ପର୍କରେ । କାହାଣୀ ଏହି ସହିତ ସାଧାରଣ ଲୋକର ସମ୍ପର୍କ ନ ଥିଲେ ବି ଗଳ୍ପ ଗୁଜବ ଶୁଣି ଲାଗୁଥାଏ ଯେପରି ଏଇ ବିବାଦ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ଵ ଅପେକ୍ଷା ବଡ଼ ହୋଇ ଉଠିଛି ।

 

ଲକ୍ଷ୍ନୌର ଚାରବାଗ ଷ୍ଟେସନରେ ଗାଡ଼ି ପହଞ୍ଚିଲା ପନ୍ଦର ମିନିଟ ବିଳମ୍ବରେ । ଶୀତ ସରି ନଥାଏ । ଘୋଡ଼ାଘୋଡ଼ି ହୋଇ ବସିଲୁ ଯାଇ ଗାଡ଼ିରେ । ଷ୍ଟେସନକୁ ଆସିଥିଲା ଜୟା ସଙ୍ଖୋଳି ନବାପାଇଁ । ଗାଡ଼ି ଚଳାଇ ଆମ୍ଭମାନଙ୍କୁ ବିବେକାନନ୍ଦ ରୋଡ଼ସ୍ଥିତ ରେଳବାଇ କଲୋନୀକୁ ନବାବେଳେ ଡ୍ରାଇଭର ନିଜାମୁଦ୍ଦିନ କହିଲା, ସାହେବ ଲକ୍ଷ୍ନୌ ଆପକୋ ଆଚ୍ଛା ଲଗେଗା.....ବାଦଶାହ ଔର ସରାଫତୋ କେ ସହର ହୈ ଲକ୍ଷ୍ନୌ.....ବଡ଼ା ଇମାମବରା, ଛୋଟା ଇମାମବରା ହଜରତଗଞ୍ଜ ବାଜାର ଜରୁର ଦେଖିଏଗା ହଜୁର ।

 

ଆମେ ଆସି ପହଞ୍ଚିଲୁ ରେଲବାଇ କଲୋନୀରେ । ଲକ୍ଷ୍ନୌର ପରିବେଶ ଶୀଘ୍ର ଶାନ୍ତିରେ ଶୁଆଇଦେଲା ଆମକୁ ।

 

ପ୍ରାଚୀନତା :

 

ସକାଳ ହେଲାକ୍ଷଣି ଶୁଣିଲୁ ଲକ୍ଷ୍ନୌର ପ୍ରାଚୀନତା ସମ୍ପର୍କରେ । ଏହା ଅବଧ ରାଜ୍ୟର ଅଂଶ । ଅଯୋଧ୍ୟାର ଅପଭ୍ରଂଶ ଶବ୍ଦ ଅବଧ । ଅଯୋଧ୍ୟା ପୁରାଣ ପ୍ରସିଦ୍ଧ ।

 

ଅଯୋଧ୍ୟା ମଥୁରା ମାୟା କାଶୀକାଞ୍ଚି ଅବନ୍ତିକା

ପୁରୀ ଦ୍ଵାରବତୀ ଚୈବ ସତ୍ପୈତା ମୋକ୍ଷଦାୟିକା ॥

 

ଅଯୋଧ୍ୟା (ଅଜ୍ + ଯୁଦ୍ଧ) ବ୍ରହ୍ମାଙ୍କ ଅଜେୟନଗର ବା ଅ + ଯୁଦ୍ଧ= ଅଜେୟ ଅପରାଜିତା ନଗରୀ ଭାବରେ ପୁରାଣ ପ୍ରସିଦ୍ଧ । ଅବଧ ନରେଶ ଭାବରେ ରାମଚନ୍ଦ୍ର ହିନ୍ଦୁ ଜଗତରେ ପରିଚିତ । ଅବଧ ରାଜ୍ୟର ଅଂଶ ଲକ୍ଷ୍ନୌ । ଦୁଇଭାଇ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପରି ।

 

ହୁଏନ୍‌ସା ତାଙ୍କ ଭ୍ରମଣକାହାଣୀରେ ଉଲ୍ଲେଖ କରିଛନ୍ତି ଯେ ଏହାର ପ୍ରାଚୀନ ନାମ କୋଶଳ ବା କୌଶଳ । ‘ରଘୁବଂଶ' କାବ୍ୟର ପଞ୍ଚମ ଓ ଦଶମ ସର୍ଗରେ କାଳୀଦାସ ଉତ୍ତର କୌଶଳର ନାମ ଉଲ୍ଲେଖ କରିଛନ୍ତି । ଏହି କୋଶଳ ରାଜ୍ୟରେ ଗୋମତୀ ନଦୀ ପ୍ରବାହିତ । ସନ ୧୮୪୭–୪୮ରେ ଲକ୍ଷ୍ନୌର ରେସିଡ଼େଣ୍ଟ ଶାସକ ମେଜର ବାର୍ଡ଼ ‘ଅବଧର ଲୁଣ୍ଠନ’ ପୁସ୍ତକରେ ଅବଧର ସମୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି । ଅବଧର ସୀମା ହିମାଳୟର ତରାଇ ଇଲାକାଠାରୁ ଗଙ୍ଗାତଟ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଲକ୍ଷ୍ନୌ କ୍ଷେତ୍ରକୁ ପୁରାଣରେ ନୈମିଷ କୁହାଯାଉଥିଲା ଏବଂ ଅଯୋଧ୍ୟା ତୀର୍ଥକ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଏଠାରେ ଲଳିତାଦେବୀ, ପଟ୍ଟଣ ଦେବୀଙ୍କ ଶାନ୍ତିପୀଠ ଅବସ୍ଥିତ । ଏଠାରେ ଶ୍ରାବସ୍ଥି; ଲଖନାବତୀ ପରି ପ୍ରାଚୀନ ସ୍ଥାନ ଥିଲା ଯାହା ଏବେ ଫୌଜାବାଦ ଓ ଲକ୍ଷ୍ନୌ ନାମରେ ପରିଚିତ । ରାମାୟଣରେ ପ୍ରସିଦ୍ଧ ଭଗବାନ ଶ୍ରୀରାମଙ୍କ ସାନଭାଇ ଲକ୍ଷ୍ମଣଙ୍କ ନାମ ଅନୁସାରେ ଏହା ସ୍ଥାପିତ ହୋଇଥିବାରୁ କାଳକ୍ରମେ ଏହା ଲକ୍ଷ୍ମଣପୁରରୁ ଲକ୍ଷ୍ନୌ ହୋଇଥିବା ବିଶ୍ଵାସ କରାଯାଏ ।

 

ପ୍ରଥମ ଅଯୋଧ୍ୟା ନରେଶ ଭାବରେ ମନୁ ପ୍ରସିଦ୍ଧ । ତା’ପରେ ଇକ୍ଷ୍ୱାକୁ, କକୁତସ୍ଥ, ଭଗୀରଥ, ହରିଶ୍ଚନ୍ଦ୍ର, ରଘୁ, ଦଶରଥ ଓ ରାମଚନ୍ଦ୍ରଙ୍କ ପରି ପୁରାଣ ପ୍ରସିଦ୍ଧ ମହାନ୍‌ ପୁରୁଷମାନଙ୍କ ସହ ଅବଧର ସମ୍ବନ୍ଧ । ରାମଚନ୍ଦ୍ରଙ୍କ ରାମରାଜ୍ୟ ଏହି ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲା । ଇକ୍ଷ୍ୱାକୁବଂଶୀ ଏବଂ ଏହାର ପ୍ରଥମ ତୀର୍ଥକର ଆଦିନାଥ ଋଷଭଦେବଙ୍କର ଜନ୍ମ ଏହି ପବିତ୍ର ଭୂମିରେ ହୋଇଥିଲା । ସନାତନ ଧର୍ମକୁ ଛାଡ଼ି ଜୈନଧର୍ମର ଚବିଶ ତୀର୍ଥକରଙ୍କ ମଧ୍ୟରୁ ବାଇଶ ଜଣଙ୍କର ଜନ୍ମ ହୋଇଥିଲା ଏହି ଅଞ୍ଚଳରେ । ବୌଦ୍ଧଧର୍ମ ମଧ୍ୟ ଏହି ଅଞ୍ଚଳରେ ପୁଷ୍ପଳଲାଭ କରିଥିଲା । କାରଣ ସେତେବେଳେ ବୁଦ୍ଧଙ୍କ ଜନ୍ମସ୍ଥାନ କପିଳାବାସ୍ତୁ ଓ କୁଶୀନଗର କୋଶଳ ରାଜ୍ୟର ଅଧୀନରେ ଥିଲା । ପରେ ସମ୍ରାଟ ଚନ୍ଦ୍ରଗୁପ୍ତ ଅଯୋଧ୍ୟାର ପୁନରୁଦ୍ଧାର କରିଥିଲେ ।

 

ଅଯୋଧ୍ୟାର ଖ୍ୟାତି ବହୁକାଳ ପର୍ଯ୍ୟନ୍ତ ରହିଥିଲା । ୧୩ଶ ଶତାବ୍ଦୀରେ ଅମୀର ଖୁସରୋ ଅଯୋଧ୍ୟାରେ ରହିଂ ନିଜର ଫାରସୀ ହିନ୍ଦୀର ସୁପ୍ରସିଦ୍ଧ ଶବ୍ଦକୋଷ ରଚନା କରିଥିଲେ ।

 

ଅବଧରେ ସାହିତ୍ୟର ସରସଧାରା ପ୍ରଚଳିତ ଥିଲା । ଷୋହଳ ଶହ ଶତାବ୍ଦୀରେ ଶେରଶାହସୁରୀଖଙ୍କର ରାଜତ୍ୱକାଳରେ ମୋହମ୍ମଦ ଜାୟସୀ “ପଦମାବତ” ନାମକ ପ୍ରସିଦ୍ଧ କାବ୍ୟ ରଚନା କରିଥିଲେ । ଅବଧ ଅଞ୍ଚଳର କଥିତ ଭାଷା ବା ବୋଲି ଅବଧୀ ନାମରେ ପରିଚିତ । ମୁସଲମାନ ସୁଫି କବିମାନେ ଅବଧୀ ଭାଷାରେ କାବ୍ୟରଚନା କରି ଏହାର ମହତ୍ତ୍ଵ ଆହୁରି ବଢ଼ାଇ ଦେଇଥିଲେ । କୁତବନ, ମଂଟ୍‌ନ, ଜାୟସୀ, ଉସ୍‌ମାନ, ଶେଖନବୀ, କାସିମ ମୋହମ୍ମଦ ଓ ନୁରନବୀ ଅବଧୀରେ ଆଧ୍ୟାତ୍ମିକ ଓ ପ୍ରେମ ଗାଥା ରଚନା କରିଥିଲେ । ଏସବୁରେ ହିନ୍ଦୁ ରାଜକୁମାର ଓ ରାଜକୁମାରୀମାନେ ଥିଲେ ନାୟକ ଓ ନାୟିକା । ଏସବୁ ରଚନାରେ ହିନ୍ଦୁ ଆଚାର ଓ ସଂସ୍କାରର ପ୍ରଚୁର ଉଲ୍ଲେଖ ରହିଛି । ତୁଳସୀ ଦାସଙ୍କ ଅନୁକରଣ କରି ମୋହମ୍ମଦ ଜାୟସୀ ନିଜ କବିତା ଲେଖିଥିଲେ । ଗୋସ୍ଵାମୀ ତୁଳସୀ ଦାସଙ୍କର ବଂଶ ଅବଧର ପୂର୍ବାଞ୍ଚଳରେ ସରଯୂ ନଦୀ କୂଳରେ ଅବସ୍ଥାନ କରୁଥିଲେ । ତାଙ୍କ ଗୁରୁ ନରହରି ଦାସଙ୍କ ପବିତ୍ର ଆଶ୍ରମ ଅବଧ ଖଣ୍ଡର ଗେଣ୍ଡାଠାରେ ଥିଲା । ତୁଳସୀ ଦାସ ରାମଚରିତ ମାନସରେ ଅଧିକାଂଶ ଭାଗ ଅଯୋଧ୍ୟାରେ ଥିବା ସମୟରେ ଲେଖିଥିଲେ । ତାଙ୍କରି ଭାଷାରେ “ଅବଧପୁରୀ ୟହ ଚରିତ ପ୍ରକାଶ” । ରାମଚରିତ ମାନସ ଅବଧୀରେ ଲିଖିତ ଏପରି ଏକ ଗ୍ରନ୍ଥ ଯାହା ଉତ୍ତରଭାରତରେ ପଞ୍ଚମବେଦ ଭାବରେ ବିଖ୍ୟାତ । ଅବଧୀରେ ପଟୁଥିଲେ ମଧ୍ୟ ତୁଳସୀଦାସ ବ୍ରଜ ଭାଷାରେ ମଧ୍ୟ କୃତିତ୍ଵ ଅର୍ଜନ କରିଥିଲେ । ଅବଧୀ ଭାଷାରେ କବୀର ମଧ୍ୟ ଲେଖିଛନ୍ତି । ତାଙ୍କ ରଚିତ “ନିର୍ଗୁଣ” ଅବଧର ସରସ ସାହିତ୍ୟ ପ୍ରବାହର ଆଉ ଏକ ମାଇଲଖୁଣ୍ଟ । ଏବେ ବି ଲକ୍ଷ୍ନୌ, କାନପୁର, ଫତେହପୁର, ଏହ୍ଲାବାଦ, ମିର୍ଜାପୁର, ବସ୍ତି, ଅଜମଗଡ଼ ତଥା ଜଉନପୁର ଅଞ୍ଚଳରେ ଅବଧୀ ପ୍ରଚଳିତ । ଉତ୍ତରପ୍ରଦେଶର ପୂର୍ବପ୍ରାନ୍ତର ଜିଲ୍ଲାମାନଙ୍କରେ ଭୋଜପୁରୀ ଓ ଅବଧୀ ମିଳିମିଶି ବୁନ୍ଦେଲଖଣ୍ଡ ଇଲାକାରେ ବୁନ୍ଦେଲୀ ସହିତ ମିଶିଯାଇଛନ୍ତି । ଅବଧୀର ଲୋକ ସାହିତ୍ୟ ଭାରତର ସର୍ବଶ୍ରେଷ୍ଠ ଲୋକ ସାହିତ୍ୟ ଭାବରେ ସ୍ଵୀକୃତ-। ଶାସ୍ତ୍ରୀୟ ସଙ୍ଗୀତର ରଚନାରେ ଏବଂ ଠୁମରି, ଦାଦରା ପ୍ରଭୃତି ଏବଂ ଇସଲାମି କୱାଲୀ, ନାତୋଁ, ହମଦୋଁ, ମରସିଆଁ ଓ ନୋହୋଁରେ ଏହି ଭାଷା ବହୁଳ ଭାବରେ ପ୍ରୟୋଗ କରାଯାଇଛି-

 

ମଧ୍ୟଯୁଗରେ ଅବଧ ସୁଫି ସନ୍ଥମାନଙ୍କର କେନ୍ଦ୍ରସ୍ଥଳରେ ପରିଣତ ହୋଇଥିଲା । ମହମ୍ମଦ ଗଜନବୀଙ୍କ ଭଣଜା ସୟଦ ସାଲାର ମସୁଦ ଗାଗୀଙ୍କ ବାର ବର୍ଷ ରାଜତ୍ଵକାଳରେ ଅବଧ ଆକ୍ରମଣ କରି ଇସଲାମଧର୍ମ ପ୍ରଚାରର ଶୁଭାରମ୍ଭ ହୋଇଥିଲା । ସୁଫି ସନ୍ଥମାନେ ଏହି ପ୍ରକ୍ରିୟାକୁ ପ୍ରସାରିତ କରିଥିଲେ । ମୋଗଲ ଶାସନ କାଳରେ ଲକ୍ଷ୍ନୌ, ଖୈରାବାଦ, ଦରିଆବାଦ, ବହରାଇଚ, ବିଲଗ୍ରାମ, ମୋହାନ ଓ ନବାବଗଞ୍ଜ ଏ ସମୟର ପ୍ରମୁଖ କେନ୍ଦ୍ର ଥିଲା ।

 

ଗୋମତୀ ନଦୀ କୂଳରେ ଅବସ୍ଥିତ ଲକ୍ଷ୍ନୌ ସହରର ଦକ୍ଷିଣରେ ଦୁଇଟି ପାହାଡ଼ । ଏହା କୁହାଯାଏ ଯେ ପ୍ରଥମେ ବ୍ରାହ୍ମଣମାନେ ଆସି ଗୋଟିଏ ପାହାଡ଼ର ପାଦଦେଶରେ ବସତି ସ୍ଥାପନ କଲେ ଏବଂ ପୂଜାର୍ଚ୍ଚନା ପାଇଁ ଏକ ମନ୍ଦିର ନିର୍ମାଣ କଲେ; କିନ୍ତୁ ମୋଗଲ ସମ୍ରାଟ ଆଉରଙ୍ଗଜେବ ସେଇ ମନ୍ଦିର ଧ୍ଵଂସ କରି ଏହା ସ୍ଥାନରେ ଏକ ମସ୍‌ଜିଦ୍‌ ନିର୍ମାଣ କରାଇଥିଲେ । ଏହି ମସ୍‌ଜିଦ୍‌ର ଦକ୍ଷିଣରେ ଚଉକ ବା ପ୍ରଧାନ ବଜାର । ଶାହା ମୀନା ନାମକ ଜଣେ ସନ୍ଥ ୧୪୫୦ରେ ଆସି ଲକ୍ଷ୍ନୌରେ ବସବାସ କଲେ । ସେ ହିନ୍ଦୁ, ଓ ମୁସଲମାନ ଉଭୟ ଧର୍ମର ଲୋକମାନଙ୍କର ପ୍ରିୟ ଥିଲେ । ତାଙ୍କର ମୃତ୍ୟୁପରେ ତାଙ୍କର କବରସ୍ଥାନ ଏକ ତୀର୍ଥକ୍ଷେତ୍ରରେ ପରିଣତ ହେଲା । ୧୫୪୦ରେ ହୁମାୟୁନ ମୋଗଲ ସାମ୍ରାଜ୍ୟ ଗଠନ କରି ଲକ୍ଷ୍ନୌ ଆସି ଚଉକଠାରେ ଅବସ୍ଥାନ କରୁଥିଲେ । ଏହିଠାରେ ଆକବରଙ୍କ ସମୟରେ ଆକବରୀ ଗେଟ୍‌ ନିର୍ମାଣ କରାଯାଇଥିଲା ।

 

ଚଉକର ପଶ୍ଚିମରେ ହୁସେନ ଅଲ୍ଲୀଙ୍କ କବର ଅବସ୍ଥିତ । ସେ ଆକବରଙ୍କ ସେନାପତି ଥିଲେ ଏବଂ ୧୬୦୦ ମସିହାରେ ମୃତ୍ୟୁବରଣ କରିଥିଲେ ।

 

ଚଉକର ପୂର୍ବରେ ପରେ ଗଢ଼ିଉଠିଥିଲା ଫିରିଙ୍ଗି ମହଲ । ଇଷ୍ଟଇଣ୍ଡିଆ କମ୍ପାନୀର କର୍ମଚାରୀମାନେ ଏହି ଅଞ୍ଚଳରେ ବସବାସ କରୁଥିଲେ । ଏହି ଅଞ୍ଚଳରେ ଏବେ ବି ଫିରିଙ୍ଗି ମହଲ ରହିଛି ।

 

୧୭୦୭ରେ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ମୃତ୍ୟୁ ଆସନ୍ନ ସମୟରେ ପାରସ୍ୟ (ଇରାନ)ର ନିଶାପୁରର ଜଣେ ସମ୍ଭ୍ରାନ୍ତ ଆସି ପହଞ୍ଚିଲେ । ତାଙ୍କ ନାମ ସାଦତ ଖାଁ । ସେ ବରହନୁଲ ମୁଲକ ନାମରେ ମଧ୍ୟ ପରିଚିତ । ସେ ଅବଧର ନବାବୀ ବଂଶର ପ୍ରତିଷ୍ଠାତା । ସେ ସିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତେଣୁ ସେ ଯେତେବେଳେ ଜାଣିଲେ ଯେ ଆଉରଙ୍ଗଜେବ ମଧ୍ୟ ସିଆ, ଦିଲ୍ଲୀ ଦରବାରକୁ ଗଲେ ଚାକିରି କରିବା ପାଇଁ, ସେଠାରେ ତାଙ୍କର ପରିଚୟ ଓ ପ୍ରତିଭା ଦେଖି ୧୭୧୯ରେ ତାଙ୍କୁ ଫୌଜଦାର ଭାବରେ ନିଯୁକ୍ତି ଦିଆଗଲା ଏବଂ ଆଗ୍ରା ତାଙ୍କ ଅଧୀନରେ ରହିଲା । ନିର୍ମମ ଭାବରେ ଶାସନ କରି ଲୋକମାନଙ୍କ ମଧ୍ୟରେ ଭୟର କାରଣ ହୋଇ ଉଠିଲେ । ତାଙ୍କର ଦକ୍ଷତାରେ ପ୍ରୀତ ହୋଇ ମୋଗଲ ଦରବାର ପକ୍ଷରୁ ତାଙ୍କୁ ତିନିବର୍ଷ ପରେ ଅବଧର ଶାସକ ଭାବେ ନିଯୁକ୍ତ କରାଗଲା । ସେତେବେଳେ ବହୁ ଅଧା ସ୍ଵାଧୀନ ସାମନ୍ତ ଓ ରାଜାମାନେ ଅବଧର ବିଭିନ୍ନ ଅଞ୍ଚଳ ଶାସନ କରୁଥିଲେ । ପ୍ରତ୍ୟେକଙ୍କର ସୈନ୍ୟସାମନ୍ତ ଓ ପ୍ରଶାସନ ଥିଲା । ତେଣୁ ଅବଧର ଶାସକ ସେମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରୁଥିଲେ ହେଁ ସାଦତ ଖାଁ କଳାକୌଶଳ ଓ ଦକ୍ଷତା ବଳରେ ସେମାନଙ୍କୁ ଶୀଘ୍ର ପଦାନତ କରି ଲକ୍ଷ୍ନୌ ଦଖଲ କରି ନିଜ ଶାସନର ମୂଳଦୁଆ ପକାଇଲେ । ପ୍ରଥମେ ସାମନ୍ତମାନଙ୍କ ଠାରୁ ରାଜତ୍ଵ ସଂଗ୍ରହ କରି ସେ ଦିଲ୍ଲୀ ଦରବାରକୁ ପଠାଇଥିଲେ; କିନ୍ତୁ ପରେ ଦିଲ୍ଲୀ ଦରବାର ଶକ୍ତିହୀନ ହୋଇପଡ଼ିବାରୁ ସେ ଆଉ ରାଜସ୍ୱ ନ ପଠାଇ ନିଜର ରାଜକୋଷ ବୃଦ୍ଧି କରିବାକୁ ଲାଗିଲେ । ସଫଦରଜଙ୍ଗ ତାଙ୍କ ପୁତୁରା ଏବଂ ତାଙ୍କୁ ସେ ଉପଶାସକ ନିଯୁକ୍ତ କଲେ । ସଫଦରଜଙ୍ଗ ସାଦତ ଖାଁଙ୍କ ଝିଅକୁ ବିବାହ କରିଥିଲେ । ୧୭୩୯ରେ ସଦାତ ଖାଁଙ୍କର ମୃତ୍ୟୁ ହୁଏ । ତା’ପରେ ସଫଦରଜଙ୍ଗ ଶ୍ୱଶୁରଙ୍କ ସ୍ଥାନରେ ନବାବ ହେଲେ ଏବଂ ୧୭୫୪ ପର୍ଯ୍ୟନ୍ତ ଅବଧର ଶାସନ ତାଙ୍କ ହାତରେ ଥିଲା । ୧୭୫୪ରେ ତାଙ୍କର ମୃତ୍ୟୁପରେ ତାଙ୍କ ପୁଅ ସୂଜା–ଉଦ୍‌ଦୁଲ୍ଲା ଅବଧର ଶାସନଭାର ଗ୍ରହଣ କଲେ-। ସୂଜାଙ୍କ ସହିତ ଇଷ୍ଟଇଣ୍ଡିଆ କମ୍ପାନୀର ଗୁପ୍ତଚର ଲୁସିଙ୍ଗଟନ ସାକ୍ଷାତ କରି ତାଙ୍କ ସହିତ ଇଂରେଜମାନେ ବନ୍ଧୁତ୍ଵ ସ୍ଥାପନ କରିବା ପାଇଁ ଇଚ୍ଛା କରୁଥିବା ଜଣାଇଲେ । ସେହି ସମୟରେ ଫରାସୀମାନେ ମଧ୍ୟ ଭାରତରେ ବାଣିଜ୍ୟ କରୁଥିଲେ ଏବଂ କ୍ରମଶଃ ଇଂରେଜମାନଙ୍କ ଆଧିପତ୍ୟ ବୃଦ୍ଧି ପାଉଥିବାରୁ ସେମାନଙ୍କ ବିରୁଦ୍ଧରେ ଭାରତୀୟ ରାଜା ଓ ସାମନ୍ତମାନଙ୍କୁ ସାହାଯ୍ୟ କରୁଥିଲେ-। କିନ୍ତୁ ସିପାହୀ ବିଦ୍ରୋହ ପରେ ଇଂରେଜମାନଙ୍କର ପ୍ରଭୂତ୍ଵ ସମଗ୍ର ଭାରତରେ ବ୍ୟାପିଗଲା ଏବଂ ୧୭୬୪ରେ ବକ୍‌ସର ଯୁଦ୍ଧରେ ନବାବ ଓ ତାଙ୍କ ଫରାସୀ ବନ୍ଧୁମାନେ ପରାସ୍ତ ହେବାରୁ ଇଂରେଜମାନଙ୍କର ପ୍ରଭାବ ଆହୁରି ବୃଦ୍ଧି ପାଇଲା ।

 

ସୂଜା ପରାସ୍ତ ହେବାପରେ ତାଙ୍କୁ ବରଖାସ୍ତ କରିବା ପାଇଁ ଇଂରେଜମାନେ ମୋଗଲ ଦରବାର ଉପରେ ଚାପ ପ୍ରୟୋଗ କଲେ । ସୂଜାଙ୍କ ଶାସନର ଅବସାନ ଘଟିଲା ଏବଂ ତାଙ୍କ ପ୍ରାସାଦ ମେଜର କାରନକ୍‌ ଦଖଲ କରିନେଲେ । କିନ୍ତୁ ସୂଜା ଚତୁରତାର ସହିତ ମରାଠାମାନଙ୍କ ବିରୁଦ୍ଧରେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ସେମାନଙ୍କ ସହ ସନ୍ଧି କଲେ ଏବଂ ଇଂରେଜମାନେ ତାଙ୍କୁ ପୁଣିଥରେ ଅବଧର ନବାବ ଘୋଷଣା କଲେ । ସେହି ଚୁକ୍ତି ଅନୁସାରେ ସୂଜା ଇଂରେଜମାନଙ୍କୁ ପଚାଶ ହଜାର ଟଙ୍କା ଦେଲେ । ୧୭୭୩ ରେ ତାଙ୍କ ସହିତ ଦ୍ଵିତୀୟ ଚୁକ୍ତି ହେଲା ଇଂରେଜମାନଙ୍କର ଏବଂ ସୂଜା ବାଧ୍ୟ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଞ୍ଚଲକ୍ଷ ଟଙ୍କା ଦେଇଥିଲେ ।

 

ମୋଗଲମାନଙ୍କ ସମୟ ଓ ମହା ଅବରୋଧ :

 

ମହମ୍ମଦ ଗଜନୀଙ୍କ ଆକ୍ରମଣ ପରେ ଲକ୍ଷ୍ମଣପୁର ନାମ ବଦଳ କରି ଲକ୍ଷ୍ନୌ ଦିଆଯାଇଥିଲା । ମୋଗଲ ବାଦଶାହ ଆଉରଙ୍ଗଜେବଙ୍କ ମୃତ୍ୟୁପରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଯାଇଥିଲା । ତେଣୁ ପାରସ୍ୟର ନାଦିରଶାହ ଦିଲ୍ଲୀ ଆକ୍ରମଣ କରି ମୟୂର ସିଂହାସନ ଅପହରଣ କରିନେଇ ଯାଇଥିଲେ । ଏହା ପରେ ପରେ ପ୍ରାୟ ୧୭୭୫ ମସିହା ଠାରୁ ଲକ୍ଷ୍ନୌର ବିକାଶ ଦ୍ରୁତ ଗତିରେ ହୋଇଥିଲା । ନବାବ ଆସଫ୍‌ଉଦ୍ଦୌଲା ଫୈଜାବାଦରୁ ଲକ୍ଷ୍ନୌକୁ ଅବଧର ରାଜଧାନୀ ଉଠାଇ ଆଣିଥିଲେ । ଲର୍ଡ଼ ହାଷ୍ଟିଂସ୍‌ ଅବଧର ତତ୍କାଳୀନ ନବାବ ଗାଜୀଉଦ୍ଦିନଂ ହାଇଦରଙ୍କୁ ନବାବ ପଦରୁ ଅବଧର ରାଜା ଭାବରେ ୧୮୧୯ ମସିହାରେ ପଦୋନ୍ନତି ଦେଇଥିଲେ-। ସେହି ସମୟରୁ ଲକ୍ଷ୍ନୌ ନବାବମାନଙ୍କର ସହର ଭାବରେ ବିଶ୍ୱରେ ପରିଚିତ ହୋଇ ଆସୁଛି । ଅବଧ ରାଜ୍ୟ ୧୮୫୭ ମସିହାରୁ ଅବଧ ଇଂରେଜ ଶାସନ ଅଧୀନକୁ ଆସିଲା । ତା’ ପୂର୍ବରୁ ଅବଧର ନବାବ ଥିଲେ ୱାଜୀଦ ଅଲ୍ଲୀ ଶାହା । ସିପାହୀ ବିଦ୍ରୋହ ପ୍ରତି ତାଙ୍କର ସମର୍ଥନ ଥିବା ମନେକରି ଲର୍ଡ଼ ଡେଲହାଉସୀ ତାଙ୍କୁ ଗାଦିଚ୍ୟୁତ କରିଥିଲେ ।

 

ସିପାହୀ ବିଦ୍ରୋହର ସୂତ୍ରପାତ ମୂଳରେ ଏକାଧିକ କାରଣ ଥିଲା । ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନେ ସେମାନଙ୍କର ଧର୍ମଗତ ସ୍ଵାଧୀନତା ଇଂରେଜମାନଙ୍କ ଦ୍ଵାରା କ୍ଷୁଣ୍ଣ ହେଉଥିବା ସନ୍ଦେହ କରୁଥିଲେ । ପ୍ରଜାମାନେ ସାଧାରଣ ଭାବରେ ବିଦେଶୀ ଶାସନ ବିରୁଦ୍ଧରେ ଅସନ୍ତୁଷ୍ଟ ଥିଲେ । ସିପାହୀମାନଙ୍କ ମଧ୍ୟରେ ଧର୍ମଗତ ଓ ସାଧାରଣ ଅସନ୍ତୋଷ କାରଣରୁ ଇଂରେଜ ବିରୋଧୀ ମନୋଭାବ ଦୃଢ଼ ହେଉଥିଲା । ଯେତେବେଳେ ୧୮୫୬ର ଫେବୃୟାରୀ ମାସରେ ଅବଧର ପ୍ରଶାସନ ଇଂରେଜମାନଙ୍କ ହାତକୁ ଗଲା ସେତେବେଳେ ସେମାନଙ୍କର ଆଚରଣ ସର୍ବସାଧାରଣଙ୍କର ସନ୍ଦେହର କାରଣ ହେଲା ଏବଂ ସାଧାରଣ ଲୋକେ ମନେକଲେ ଯେ, ଏବେ ଇଂରେଜମାନେ ସେମାନଙ୍କ ଧର୍ମ ଉପରେ ଆକ୍ରମଣ କରିବେ । ଏହି ଅସନ୍ତୋଷ କ୍ରମଶଃ ଘନୀଭୂତ ହେଲା । ୧୮୫୭ ମାର୍ଚ୍ଚ ମାସ ୨୦ ତାରିଖ ଦିନ ଲକ୍ଷ୍ନୌରେ ଅବଧର କମିଶନର ଭାବରେ ସାର୍‌ ହେନରୀ ଲରେନ୍‌ସ ଅବସ୍ଥାପିତ ହେଲେ । ୧୮୫୭ ମସିହାର ମେ ମାସ ୧୨ ତାରିଖରେ ମିରଠଠାରେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ଏବଂ ତା'ପରେ ବିଦ୍ରୋହୀମାନେ ଆକ୍ରମଣ କରି ଦିଲ୍ଲୀ ଦଖଲ କରିନେଲେ । ଲକ୍ଷ୍ନୌର ଗୁରୁତ୍ଵ ଅନୁଭବ କରି ସାର୍ ହେନରୀ ଏହାର ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ନେଲେ । ଲକ୍ଷ୍ନୌ ଚାରିପାଖରେ ସୈନ୍ୟ ମୁତୟନ କରାଗଲା । କିନ୍ତୁ ସିପାହୀ ଓ ଉତ୍ତ୍ୟକ୍ତ ଜନସାଧାରଣ କମିଶନରଙ୍କ ସମେତ ସହରକୁ ୮୯ ଦିନ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଅବରୁଦ୍ଧ କରି ରଖିଲେ । ସୌଭାଗ୍ୟକୁ ଇଂରେଜ ସେନାଛାଉଣୀରେ ଦୀର୍ଘଦିନ ଚଳିବା ପାଇଁ ଖାଦ୍ୟସାମଗ୍ରୀ ମହଜୁଦ ଥିଲା । ବଡ଼ଲାଟ କମିଶନର ସାର୍ ହେନରୀ ଲରେନ୍‌ଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ ବିଦ୍ରୋହୀମାନଙ୍କ ସହିତ ସଶସ୍ତ୍ର ମୁକାବିଲା କରିବା ପାଇଁ । ସେହି ବର୍ଷ ମେ ମାସ ତିରିଶ ତାରିଖ ଦିନ ଗୋମତୀ ନଦୀ ସେପାଖରେ ଥିବା ମେରିଆଓ କ୍ୟାଣ୍ଟନମେଣ୍ଟର ୭୧ ନମ୍ବର ଛାଉଣୀର ସିପାହୀମାନେ ବିଦ୍ରୋହ ଘୋଷଣା କଲେ । ଜୁନ୍‌ ତିରିଶ ତାରିଖ ଦିନ ଅବରୋଧ ଆରମ୍ଭ ହେଲା । ଏହି ଯୁଦ୍ଧରେ ସାର୍ ହେନରୀ ଗୁରୁତର ଭାବରେ ଆହତ ହେଲେ । ତାଙ୍କ ପରେ ବ୍ରିଗେଡ଼ିଅର ଜେ.ଇ. ଇଂଗଲିସଙ୍କୁ ସେନାବାହିନୀର କ୍ଷମତା ହସ୍ତାନ୍ତର କରାଗଲା । ଅବରୁଦ୍ଧ ଲକ୍ଷ୍ନୌରେ ସେତେବେଳେ ୧୯୩୦ ଜଣ ଇଂରେଜ ଓ ଭାରତୀୟ ଅଫିସର, ସାତଶହ ଚାଳିଶ ଜଣ ଇଂରେଜ ଓ ୭୦୦ ଭାରତୀୟ ସିପାହୀ ଏବଂ ୧୫୦ ଅଣସୈନିକ ସ୍ୱେଚ୍ଛାସେବୀ । ଏହାଛଡ଼ା ୨୩୭ ଜଣ ମହିଳା, ୨୬୦ ଜଣ ଶିଶୁ ଏବଂ ଲାମାଟିନାର କଲେଜର ପଚାଶ ଜଣ ବାଳକ ଏବଂ ୨୭ ଜଣ ସାଧାରଣ ନାଗରିକଙ୍କୁ ମିଶାଇ ସର୍ବମୋଟ ୨୯୯୦ ଜଣ ଥିଲେ ।

 

ଜୁନ୍ ତିରିଶ ତାରିଖରୁ ସେପ୍‌ଟେମ୍ବର ପଚିଶ ତାରିଖ ପର୍ଯ୍ୟନ୍ତ ସତାଅଶି ଦିନ ଅବରୋଧ ଭିତରେ ପ୍ରାୟ ବନ୍ଦୀପରି ରହିଥିଲେ ଇଂରେଜ ଓ ସେମାନଙ୍କର ସୈନ୍ୟସାମନ୍ତ । ରାତିଦିନ ଗୋଳାବର୍ଷଣ ଚାଲୁଥାଏ । ସେପ୍‌ଟେମ୍ବର ୨୫ ତାରିଖରେ ଜେନେରେଲ ଆଉଟରାମ ଓ ହ୍ୟାଭ୍‌ଲକ୍ ବହୁ ସୈନ୍ୟସାମନ୍ତ ସହ ସୈନ୍ୟଛାଉଣୀକୁ ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବା ପାଇଁ ପ୍ରବଳ ଯୁଦ୍ଧ ଆରମ୍ଭ କଲେ; କିନ୍ତୁ ସେଥିରେ ସଫଳ ହୋଇ ନଥିଲେ । ଆହୁରି ୫୩ ଦିନ ପର୍ଯ୍ୟନ୍ତ ଅବରୋଧ ଚାଲିଥିଲା ଏବଂ ସେମାନଙ୍କଠାରୁ ସାର୍‌ କଲିନ କ୍ୟାମ୍ପବେଲ ଦାୟିତ୍ଵ ଗ୍ରହଣ କରିଥିଲେ-। ଶେଷରେ ୧୪୦ ଦିନ ଅବରୋଧ ପରେ ନଭେମ୍ବର ସତର ତାରିଖ ଦିନ ଲକ୍ଷ୍ନୌ ଅବରୋଧ ମୁକ୍ତ ହେଲା । ଏହି ଯୁଦ୍ଧରେ ୨୯୯୪ ଜଣଙ୍କ ମଧ୍ୟରୁ ସମସ୍ତଙ୍କୁ ମିଶାଇ କେବଳ ୯୬୯ ଜଣ ବଞ୍ଚିଯାଇଥିଲେ । ସିପାହୀ ବିଦ୍ରୋହକୁ ପଦଦଳିତ କରି ଇଷ୍ଟଇଣ୍ଡିଆ କମ୍ପାନୀ ସ୍ଥାନରେ ଭାରତରେ ରାଣୀ ଭିକ୍ଟୋରିଆ ଇଂରେଜୀ ଶାସନ ପ୍ରବର୍ତ୍ତନ କଲେ ଏବଂ ଇଂଲଣ୍ଡର ରାଣୀ ଭାରତବର୍ଷର ସର୍ବମୟକର୍ତ୍ତ୍ରୀ ବୋଲି ଘୋଷିତ ହେଲେ । ତା’ପରେ ପରେ ଉତ୍ତର ଭାରତର ଶାସନକୁ ସୁଦୃଢ଼ କରିବା, ସୈନ୍ୟ ଚଳାଚଳର ସୁବିଧା କରିବା ଓ ଲକ୍ଷ୍ନୌର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଲକ୍ଷ୍ନୌରେ ଶାସନ ସୁଦୃଢ଼ କଲେ ଇଂରେଜମାନେ ।

 

ଇଂରେଜ ଶାସନ ଅବ୍ୟାହତ ରହିଥିଲା ୧୭୪୭ ମସିହା ଅଗଷ୍ଟ ଚଉଦ ତାରିଖ ପର୍ଯ୍ୟନ୍ତ । ସିପାହୀ ବିଦ୍ରୋହର ତ୍ୟାଗ ଫଳରେ ସେହି ସମୟରୁ ଆରମ୍ଭ ହୋଇଥିବା ସ୍ଵାଧୀନତା ସଂଗ୍ରାମ, ଶେଷରେ ସଫଳ ହେଲା ସ୍ଵାଧୀନତା ପ୍ରାପ୍ତି ଦିବସରେ । ଲକ୍ଷ୍ନୌର ଶାସନ ନବାବମାନଙ୍କଠାରୁ ଇଂରେଜ ଓ ସେମାନଙ୍କଠାରୁ ସ୍ଵଦେଶର ଲୋକ ପ୍ରତିନିଧିମାନଙ୍କ ହାତକୁ ଆସିଲା ।

 

ତେଣୁ ଲକ୍ଷ୍ନୌର ସଂସ୍କୃତିର ହିନ୍ଦୁ, ମୁସଲମାନ ଓ ଇଂରେଜ ଜୀବନଧାରାର ଛବି ବାରିହୋଇ ପଡ଼ୁଥିବାବେଳେ ଏଇ ସହରର ସ୍ଵତନ୍ତ୍ର ଜୀବନଧାରା, ସଂସ୍କୃତି ଓ ଦୃଷ୍ଟିକୋଣର ମୋଗଲ ବାଦଶାହା ଓ ନବାବମାନଙ୍କର ବଡ଼ପଣିଆର ଗାରିମା ସହିତ ସମ୍ଭ୍ରାନ୍ତମାନଙ୍କର ଚଳଣୀର ଛାପ ସୁସ୍ପଷ୍ଟ । ସ୍ଥାପତ୍ୟ, ସାହିତ୍ୟ ଓ ସଙ୍ଗୀତରେ ଲକ୍ଷ୍ନୌର ସ୍ଵକୀୟ ସମ୍ଭ୍ରାନ୍ତପଣିଆ ଏହାର ସଂସ୍କୃତିକୁ କରିଛି ଜୀବନ୍ତ ଓ ଅମର । ଏହାକୁ ହିନ୍ଦୁ, ମୁସଲମାନ ଜୀବନଧାରାର ସମନ୍ଵୟ ବୋଲି ମଧ୍ୟ କୁହାଯାଇପାରେ ।

 

ଲକ୍ଷ୍ନୌର ଏଇ ସାଂସ୍କୃତିକ ବିଶେଷତ୍ୱ, ଏଠାରେ ବସବାସ କରୁଥିବା ଲୋକମାନଙ୍କର ମାନବୀୟ ଉଦାରତା, ସେମାନଙ୍କର ଦୃଷ୍ଟିକୋଣର ବିସ୍ତୃତି ଏହାକୁ କରିଛି ମହାନ୍‌, ସୁନ୍ଦର ଓ ଆକର୍ଷଣୀୟ । ଏହାହିଁ ଲକ୍ଷ୍ନୌର ସଙ୍ଗୀତ ଓ ନୃତ୍ୟ (ଲକ୍ଷ୍ନୌ ଘରାନେ) ଏଥିପାଇଁ ଭାରତ ତଥା ଜଗତ ପ୍ରସିଦ୍ଧ । ବଜାରରେ ବା ରାସ୍ତାରେ, ବୈଠକଖାନା ବା ସାଧାରଣ ଯେ କୌଣସି ସ୍ଥାନରେ ଲକ୍ଷ୍ନୌବାସୀଙ୍କ ମୁହଁରୁ ସ୍ଵତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହୁଏ–‘ପହଲେ ଆପ’, ‘ଆଇୟେ ହଜୁର’, ‘ଫରମାଇୟେ ଜନାବ’, ‘ଆପକେ କ୍ୟା ହାଜିର ହେ’, ‘ଏକ ନଜର ଡାଲିୟେ’ ଇତ୍ୟାଦି ।

 

ସେଇ ସନ୍ଧ୍ୟାରେ ହଜରତଗଞ୍ଜ ବଜାରରେ ଶ୍ରୁତି ଓ ରାଜୀବଂ ସହିତ ବୁଲିବାବେଳେ ଏଇ ସଂସ୍କୃତିର ବ୍ୟବହାରିକ ଦିଗ ଦୃଷ୍ଟିରେ ପଡ଼ିଲା ଆମର । ଆମ ପାଇଁ ଫଳରସ ଆଣିବା ପାଇଁ ରାଜୀବ ହାତ ବଢ଼ାଇଥିଲାବେଳେ ଜଣେ ପିଲା ତା’ ଆଗରେ ଛିଡ଼ା ହୋଇଯିବାରୁ ଦୋକାନୀ କହିଲା–ବଦତମୀଜ, ମେହେମାନୋକେ ସାମନେ ଆ ଯାତେ ହୋ.... ।

 

ବ୍ରିଟିଶମାନେ ସେତେବେଳେ ଲକ୍ଷ୍ନୌର ସୌନ୍ଦର୍ଯ୍ୟ ଦେଖି ଅକ୍‌ସଫୋର୍ଡ଼, ଡ୍ରେସ୍‌ଡ଼େନ୍‌ ଓ ଲେଲିନଗ୍ରାଡ଼୍‌ ମନେପକାଉଥିଲେ । ନବାବୀ ଗୌରବ ଓ ଗର୍ବର ଅଭ୍ୟୁତ୍‌ଥାନ ଘଟିଥିଲା ଏଠାରେ । ଯେପରି ସାହିତ୍ୟ ଓ ସଙ୍ଗୀତରେ ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ଵୟ ଘଟିଥିଲା, ସେହିପରି ସ୍ଥାପତ୍ୟରେ ଇଣ୍ଡୋୟୁରୋପୀୟ ସମନ୍ୱିତ ଶୈଳୀ ପ୍ରସାରଲାଭ କରିଥିଲା । ଲକ୍ଷ୍ନୌର ପ୍ରଶସ୍ତ ରାସ୍ତା, ଭାବର ବଜାର, କାରୁକାର୍ଯ୍ୟପୂର୍ଣ୍ଣ ହସ୍ତଶିଳ୍ପ, ମନୋହର ଉଦ୍ୟାନ ଏବଂ ବିଶେଷ ଭାବରେ ଜନସାଧାରଣଙ୍କ ଚଳଣୀରେ ପରିସ୍ଫୁଟ ସମ୍ଭ୍ରାନ୍ତପଣିଆ ଦର୍ଶକମାନଙ୍କୁ ଆକର୍ଷଣ କରେ । ଥରେ ଲକ୍ଷ୍ନୌ ସହର ବୁଲିଆସିଲେ ମନ ପୁଲକିତ ହୁଏ ଏହି କାରଣରୁ ।

 

॥ ଦୁଇ ॥

 

ପୂର୍ବରୁ କହିଛୁ ଯେ ଲକ୍ଷ୍ନୌ ସମ୍ଭ୍ରାନ୍ତମାନଙ୍କର ସହର । ଏହାର ଏକ ସ୍ଵକୀୟ ସାଂସ୍କୃତିକ ବୈଶିଷ୍ଟ୍ୟ ଅଛି । ୧୮୭୫ରେ ଲକ୍ଷ୍ନୌ ଆସିଥିଲେ ଉଇଲିଅମ୍‌ ଏଚ୍ ରସେଲ । ତାଙ୍କ ଶବ୍ଦରେ, ‘‘ଏହା କ'ଣ କେବଳ ଅବଧର ଏକ ସହର ? ନିଜେ ବିଶ୍ୱାସ କରିବା ପାଇଁ ମୁଁ ଆଖି ରଗଡ଼ି ଦେଖେ-। ନା......ଏହା ରୋମ୍‌ ନୁହେଁ, ଏଥେନ୍‌ସ ମଧ୍ୟ ନୁହେଁ, କନ୍‌ଷ୍ଟାଣ୍ଟିନୋପଲ ମଧ୍ୟ ନୁହେଁ-। ଆଉ କୌଣସି ସହର ଏହାପରି ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ନାହିଁ । ମୁଁ ଏହାକୁ ଯେତେ ଦେଖୁଚି ଏହାର ସୌନ୍ଦର୍ଯ୍ୟ ମୋତେ ଆହୁରି ବେଶୀ ସମ୍ମୋହିତ କରୁଚି ।’’

 

ଲକ୍ଷ୍ନୌର ସୁନ୍ଦର ନୂଆ ଓ ପୁରୁଣା କୋଠାଗୁଡ଼ିକର ପାରମ୍ପରିକ ଦରକାରୀ ଝଲକ ଏବେ ମଧ୍ୟ ବିଦ୍ୟମାନ । ଗୋମତୀ ନଦୀର ଉଭୟପାର୍ଶ୍ଵରେ ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜବଂଶ ସମୟରେ ଗଢ଼ିଉଠିଥିଲା ଏଇ ସହର । ଏଥିପାଇଁ ଏହାର ପ୍ରାଚୀନତା ତଥା ନବାବ ଓ ଇଂରେଜ ଅମଳର ଆଧୁନିକତାର ସମ୍ମିଶ୍ରଣ ଜନ୍ମ ଦେଇଚି ଅଭିଜାତ ପରମ୍ପରାକୁ ।

 

ଅବଧର ପ୍ରାଚୀନତା ପୁରାଣ ପ୍ରସିଦ୍ଧ । ମନୁ ମହାରାଜ, ଇକ୍ଷ୍ୱାକୁ, କକୁସ୍ଥ, ଭାଗୀରଥ, ହରିଶ୍ଚନ୍ଦ୍ର, ରଘୁ, ରାମଚନ୍ଦ୍ରଙ୍କର ପରି ମହାନ୍ ରାଷ୍ଟ୍ରନାୟକମାନଙ୍କ ସହିତ ଅବଧ ବା ଅଯୋଧ୍ୟାର ସମ୍ଭନ୍ଧ । ବାଲ୍ମୀକି ରାମାୟଣ ଅନୁସାରେ ଅଯୋଧ୍ୟା ସର୍ବପ୍ରଥମ ମନୁ ସ୍ଥାପନ କରିଥିଲେ ।

 

ମନୁନା ମାନବେଦ୍ରେଣ ସା ପୁରୀ ନିର୍ମିତା ସ୍ୱୟମ୍‌ ।

 

(ବାଲ୍ମୀକୀ ରାମାୟଣ–ବାଳକାଣ୍ଡ, ୫–୬)

 

ସ୍କନ୍ଦ ପୁରାଣ ଅନୁସାରେ ଏହା ସୁଦର୍ଶନ ଚକ୍ର ଉପରେ ଅବସ୍ଥିତ । ଅବଧ ଶବ୍ଦ ଗଠନର ବିଶ୍ଳେଷଣ କରି କୁହାଯାଇଛି ଯେ–‘ଅ’କାର ବ୍ରହ୍ମା, ‘ଯ’ ବିଷ୍ଣୁ ‘ଧ’କାର ରୁଦ୍ର ଅଟନ୍ତି । ତେଣୁ ଅଯୋଧ୍ୟା ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସମନ୍ୱିତ ରୂପ । ତେଣୁ ପ୍ରାଚୀନ କାଳର ଧର୍ମ ଓ ସଂସ୍କୃତିର ମହାନ୍‌ ଧାରା ପ୍ରବାହିତ ଏହି ଅଞ୍ଚଳରେ । ରାମଚନ୍ଦ୍ରଙ୍କ ସାନଭାଇ ଲକ୍ଷ୍ମଣଙ୍କ ନାମ ଅନୁସାରେ ସ୍ଥାପିତ ଏହି ସହର ସେଥ‌ିପାଇଁ ଭାରତ ଓ ଜଗତ ପ୍ରସିଦ୍ଧ ।

 

ନବାବମାନଙ୍କ ସମୟରେ ଲକ୍ଷ୍ନୌର ଜନଜୀବନରେ ଯେଉଁ ସମ୍ଭ୍ରାନ୍ତ ଛାପ ପଡ଼ିଲା ତାହା ଆଚରଣଗତ ହୋଇଗଲା ସମୟକ୍ରମେ । ତେଣୁ ଲକ୍ଷ୍ନୌକୁ “ପହଲେ ଆପ” ବା “ଆପଣ ପ୍ରଥମେ’’ର ସହର କୁହାଯାଏ । ଆଗନ୍ତୁକ ଏଠାରେ ଅପରିଚିତ ନୁହେଁ, ତାକୁ ଅଗ୍ରାଧିକାର ଦେଇ ମାନ୍ୟତା ଦିଆଯାଏ । ପୂର୍ବରୁ ସୂଚନା ଦେଇଛୁ ଯେ ଲକ୍ଷ୍ନୌର ସଙ୍ଗୀତ ଓ ନୃତ୍ୟର ବୈଶିଷ୍ଟ୍ୟ ଅଛି । ଭାରତୀୟ ସଙ୍ଗୀତ ଓ ନୃତ୍ୟକୁ ଅବଧର ଅବଦାନ ସ୍ମରଣୀୟ । ଏଠାରେ ପୂର୍ବର ‘କସକ୍‌’ ଓ ପଶ୍ଚିମର ‘ତଡ଼ପ’ ଏକତ୍ରିତ ହୁଅନ୍ତି । ଏହାର ସୁଷ୍ପଷ୍ଟ ସୂଚନା ମିଳେ ବେଗମ ଅଖତାରଙ୍କ ସ୍ୱର ଯୋଜନାରେ । ଠୁମରୀ, ଦାଦରା ଓ ଗଜଲ ଗାୟକାଙ୍କ ଦୁଇଶହ ବର୍ଷ ପୂର୍ବେ ଏହାର ଉଦ୍ଭବ ହୋଇଥିଲା । ସେହିପରି କଥକ ଅଯୋଧ୍ୟାର ମନ୍ଦିରରୁ ସୃଷ୍ଟି ହୋଇ ନବାବମାନଙ୍କର ଦରବାରକୁ ଆସିଥିଲା । କାଳିକା, ବିନ୍ଦାଦୀନ, ଠାକୁର ପ୍ରସାଦ, ଅଚ୍ଛନ ମହାରାଜ, ଶମ୍ଭୁ ମହାରାଜ, ଲଚ୍ଛୁ ମହାରାଜ ଏବଂ ଆଜିର ବିଖ୍ୟାତ ବିରଜୁ ମହାରାଜ କଥକ ନୃତ୍ୟର ପ୍ରସିଦ୍ଧ ଗୁରୁ ।

 

ଲକ୍ଷ୍ନୌର ନବାବମାନଙ୍କର ସହର ଭାବେ ପ୍ରସିଦ୍ଧ । ନବାବ ଆସଫୁଦ୍ଦୌଲା ୧୭୩୫ ରୁ ୧୭୯୭ ପର୍ଯ୍ୟନ୍ତ କ୍ଷମତାସୀନ ଥିଲେ । ସେ ୧୭୭୫ରେ ଫୈଜାବାଦ୍ ଛାଡ଼ି ଲକ୍ଷ୍ନୌ ଆସିଲେ ଏବଂ ସେହିଦନରୁ ଲକ୍ଷ୍ନୌ ଅବଧର ରାଜଧାନୀ ହେଲା । ଦିଲ୍ଲୀ ଓ୍ୱାଜୀରଙ୍କ କନ୍ୟା ଶମସୁନ୍ନିସାଙ୍କୁ ସେ ୧୭୬୯ରେ ବିବାହ କରିଥିଲେ । ଆସଫୁଦ୍ଦୌଲାଙ୍କ ସମୟରେ ଅନେକ ବଡ଼ ବଡ଼ ଭବନ ଓ ଉଦ୍ୟାନ ନିର୍ମିତ ହୋଇଥିଲା । ଥରେ ଅକାଳ ପଡ଼ିବାରୁ ଦୁର୍ଭିକ୍ଷ ପ୍ରପୀଡ଼ିତ ପ୍ରଜାମାନଙ୍କୁ କାମଧନ୍ଦା ଯୋଗାଇ କିଛି ଉପାର୍ଜନ କରିବାର ବ୍ୟବସ୍ଥା କରିବା ଲାଗି ସେ ବଡ଼ା ଇମାମ ନିର୍ମାଣ କରିଥିଲେ । ଲକ୍ଷ୍ନୌର ରୁମୀ ଦରଓ୍ୱାଜେ ଭୁଲଭୁଲାୟା, ଶୀସ ମହଲର ଦୌଲତଖାନା, ଆସଫୀ କୋଠୀ, ବିବିୟାପୁର କୋଠୀ, ଏଶବାଗ, ଚାରବାଗ, ମୁସାବାଗ ଆଦି ମଧ୍ୟ ତାଙ୍କରି ସମୟରେ ନିର୍ମିତ ହୋଇଥିଲା । ସେ ଦାନୀ ଓ ଉଦାର ସ୍ଵଭାବର ଥିଲେ । ତେଣୁ ପ୍ରବାଦ ରହିଯାଇଛି–

 

ଜିସ୍‌କେ ଦେ ନ ମୌଲା.....

ଉସ୍‌କୋ ଦେ ଆସଫୁଦ୍ଦୌଲା ।

 

ତାଙ୍କରି ସମୟରେ ପ୍ରସିଦ୍ଧ ଫରାସୀ ଜେନେରେଲ କ୍ଳାଡ଼୍‌ ମାର୍ଟିନ, ଆସି ଲକ୍ଷ୍ନୌରେ ଅବସ୍ଥାନ କଲେ ଏବଂ ‘ଲା କନ୍‌ସଷ୍ଟ୍ରେସିଆ’ (ଏବର ଲାମାର୍ଟିନିଅର ଭବନ) ନିର୍ମାଣ କରାଇଥିଲେ-। ୧୨ ସେପ୍‌ଟେମ୍ବର ୧୭୯୭ରେ ନବାବଙ୍କର ମୃତ୍ୟୁ ହେଲା ଏବଂ ତା’ପରେ ତାଙ୍କ ପୁତ୍ର ଓ୍ୱାଜୀର ଅଲୀ ଆସିଫଜାହ ଗାଦୀରେ ବସିଲେ । ସେ ଇଂରେଜମାନଙ୍କର ଶତ୍ରୁ ଥିଲେ । ତେଣୁ ଇଂରେଜମାନେ ଚକ୍ରାନ୍ତ କରି ତାଙ୍କୁ ଗାଦୀରୁ ଅପସାରିତ କଲେ ଏବଂ ତାଙ୍କୁ ବିବିୟାପୁର କୋଠୀରେ ବନ୍ଦୀ କଲେ । ତା’ପରେ ତାଙ୍କୁ ଦେଢ଼ଲକ୍ଷ ଟଙ୍କା ପେନସନ ଦେଇ ବନାରସ ପଠାଇଦେଲେ । ଏହା ସତ୍ତ୍ୱେ ୱାଜୀର ଶାନ୍ତ ହେଲେ ନାହିଁ ଏବଂ ବନାରସର ଇଂରେଜ ରେସିଡ଼େଣ୍ଟ ମିଷ୍ଟର ଚେରୀଙ୍କୁ ହତ୍ୟା କଲେ । ସେଠାରୁ ତାଙ୍କୁ ଇଂରେଜମାନେ ମହାଶୂର ରାଜ୍ୟର ବେଲୁରକୁ ପଠାଇଦେଲେ । ଟିପୁ ସୁଲତାନ ସେତେବେଳେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହୋଇ ବନ୍ଦୀ ହୋଇଥିଲେ । ୧୮୧୭ରେ ୱାଜୀରଙ୍କ ମୃତ୍ୟୁ ହେଲା ।

 

ଏହାପରେ ସଆଦତ ଅଲୀ ଖାଁ ୧୭୯୮ରୁ ୧୮୧୪ ପର୍ଯ୍ୟନ୍ତ ନବାବ ହେଲେ । ସେ ଫେବୃଆରୀ ଏକୋଇଶ ତାରିଖ ୧୭୯୮ରେ ଗାଦୀନାସୀନ ହୋଇଥିଲେ । ୱାଜୀର ଅଲୀଙ୍କ ସ୍ଥାନରେ ଇଂରେଜମାନେ ବିବିୟାପୁର କୋଠୀରେ ତାଙ୍କୁ ଲକ୍ଷ୍ନୌର ନବାବ କରିଥିଲେ । କିନ୍ତୁ ସେ ଅତି ଦକ୍ଷତାର ସହିତ ୧୬ ବର୍ଷ କାଳ ଅବଧି ଶାସନ କରିଥିଲେ । ଇଂରେଜମାନେ ନବାବଙ୍କ ଶତ୍ରୁମାନଙ୍କ ସହିତ ଚକ୍ରାନ୍ତ କରି ୧୮୧୪ ଜୁଲାଇ ଏଗାର ତାରିଖରେ ତାଙ୍କୁ ବିଷପାନ କରାଇବା ଦ୍ଵାରା ତାଙ୍କର ମୃତ୍ୟୁ ହୋଇଥିଲା ।

 

ତାଙ୍କପରେ ବାଦଶାହ ଗାଜୀଉଦ୍ଦିନ ହୈଦର ୧୮୧୪ରୁ ୧୮୨୭ ପର୍ଯ୍ୟନ୍ତ ନବାବ ହେଲେ । ସେ ଅବଧର ପ୍ରଥମ ବାଦଶାହା ଭାବରେ ଦିଲ୍ଲୀ ବାଦଶାହଙ୍କ ଠାରୁ ନିଜର ସ୍ଵାତନ୍ତ୍ର୍ୟ ପୋଷଣ କରିଥିଲେ । ସେ ପ୍ରତିଭାବାନ ଓ ପ୍ରତିପତ୍ତିଶାଳୀ ପୁରୁଷ ଥିଲେ । ସେ ଗଙ୍ଗା ନଦୀର ପାଣି ଲକ୍ଷ୍ନୌ ପର୍ଯ୍ୟନ୍ତ ଆଣିବା ପାଇଁ କେନାଲ ଖୋଳାଇଥଲେ, କିନ୍ତୁ ଇଂରେଜମାନେ ତାହା କରିବାକୁ ଦେଲେ ନାହିଁ । ଏହି କେନାଲ ଗାଜୀଉଦ୍ଦିନ ହୈଦର କେନାଲ ଭାବରେ ପରିଚିତ । ଛତ୍ତର ମଞ୍ଜିଲ ମଧ୍ୟ ତାଙ୍କରିଦ୍ୱାରା ନିର୍ମାଣ କରାଯାଇଥିଲା । ଦିଲାରାମ କୋଠୀ ଓ ବିଲାୟତି ବାଗ ତାଙ୍କର ଅନ୍ୟତମ କୀର୍ତ୍ତି । ତାଙ୍କ ପିତାଙ୍କ ପ୍ରିୟ ଆବାସସ୍ଥାନ ମୋତି ମହଲ, ମୁବାରକ ମଞ୍ଜିଲ ଓ ଶାହା ମଞ୍ଜିଲ ନିର୍ମାଣ କରାଇଥିଲେ । ଦକ୍ଷିଣର ମନ୍ଦିରମାନଙ୍କରେ ପ୍ରଚଳିତ ଦେବଦାସୀ ପ୍ରଥା ପରି ତାଙ୍କ ବେଗମ ଇଦ୍‌ଗାହମାନଙ୍କରେ ସେହପରି ପ୍ରଥାର ପ୍ରଚଳନ କରାଇଥିଲେ । ଗାଜୀଉଦ୍ଦିନ ହୈଦର ଯେଉଁ ପ୍ରସିଦ୍ଧ ଶାହମଜଫ ଇମାମ ବଡ଼ା ମଧ୍ୟ ନିର୍ମାଣ କରାଇଥିଲେ । ସେଠାରେ ସନ ୧୮୨୭ ଅକ୍ଟୋବର ଅଠର ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେଇ ଶାହନଜଫରେ ତାଙ୍କର ତିନି ବେଗମଙ୍କ ନାମ ଅନୁସାରେ ସରଫରାଜ ମହଲ, ମୁବାରକ ମହଲ ଓ ମମତାଜ ମହଲ ନିର୍ମାଣ କରାଇଥିଲେ ।

 

ତାଙ୍କ ପରେ ନସୀରୁଦ୍ଦିନ ହୈଦର ୧୮୨୭ରୁ ୧୮୩୭ ପର୍ଯ୍ୟନ୍ତ ଦଶବର୍ଷ ବାଦଶାହ ଥିଲେ । ସେ ବାଦଶାହ ବେଗମଙ୍କ ଦାସୀର ପୁତ୍ର ଥିଲେ । ସେ ଆଜନ୍ମରୁ ବିଳାସବ୍ୟସନରେ ପାଳିତ ହୋଇଥିବାରୁ ରଣକୌଶଳ ଜାଣି ନ ଥିଲେ ଓ ଇଂରେଜମାନଙ୍କ ଆଧିପତ୍ୟ ସବୁସ୍ତରରେ ମଥାପାତି ସହି ନେଉଥିଲେ । ତାଙ୍କ ଶାସନ କାଳରେ କଦମରସୁଲ, ଗୁଲିସ୍ତାନେ ଇରମ, ଛୋଟୀ ଛତ୍ତର ମଞ୍ଜିଲ, ଦର୍ଶନ ବିଳାସ କୋଠୀ, ତାରବାଲୀ କୋଠି, ବାଦଶାହବାଗ, ଲାଲବାଗ ଓ ନବୀନ ବରାଦରୀ ନିର୍ମାଣ କରାଇଥିଲେ । ତାଙ୍କଦ୍ୱାରା ଦରୁଲସଫା (ଔଷଧାଳୟ), ଶିୟା (ଅନାଥାଳୟ) ଏବଂ ନରୁଖାସର ବିଧବା ଆଶ୍ରମ ନିର୍ମିତ ହୋଇଥିଲା । ବିଷପାନ କରି ସେ ୧୮୩୭ରେ ମୃତ୍ୟୁବରଣ କରିଥିଲେ ।

 

ଏହାପରେ ବାଦଶାହ ହେଲେ ମୁହମ୍ମଦ ଅଲ୍ଲୀଶାହ (୧୮୩୭–୧୮୪୨) ତାଙ୍କର ପାଞ୍ଚବର୍ଷ ରାଜତ୍ଵ କାଳରେ ସେ ଲକ୍ଷ୍ନୌର ଦୁସେଙ୍କାବାଦକୁ ହିନ୍ଦୁସ୍ଥାନର ବେବିଲୋନ କରି ଦେଇଥିଲେ । ତାଙ୍କର ଆଉ ଏକ ଅକ୍ଷୟକୀର୍ତ୍ତି ଛୋଟା ଇମାମବଡ଼ାର ନିର୍ମାଣ । ଶାହଜାଦୀକା ମକବରା, ସତଖଣ୍ଡା ପ୍ରାସାଦ, ଗେଁଦଖାନା, ହୁସେନାବାଦର ବାରାଦରୀ ଓ ତାଲାବ (ପୋଖରୀ) ମଧ୍ୟ ଦର୍ଶନଯୋଗ୍ୟ ସ୍ଥାନ ।

 

ସନ ୧୮୪୨ ମଇ ଉଣେଇଶ ତାରିଖ ଦିନ ତାଙ୍କର ମୃତ୍ୟୁ ହେଲା ।

 

ଏହାପରେ ଅମଜଦ ଅଲ୍ଲୀଶାହ ଆଉ ପାଞ୍ଚବର୍ଷ (୧୮୪୬ରୁ ୧୮୪୭) ଶାସନ‌ ଗାଦୀରେ ବସିଥିଲେ । ସେ ଅତି ଧାର୍ମିକ ପ୍ରକୃତିର ଥିଲେ । ତାଙ୍କ ବେବମ ତାଜ ଆରା ମଲକା ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ପାଖରେ ନିଜ କନ୍ୟାର ଅର୍ଜି ଦାଖଲ କରିବା ପାଇଁ ୟୁରୋପ ଯାଇଥିଲେ ଓ ପାରିସଠାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶାସନ କାଳରେ ଲକ୍ଷ୍ନୌ ନିକଟରେ ଗୋମତୀ ନଦୀ କୂଳରେ ଏକ ଲୁହାର ପୋଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ବିଧାନସଭା, ରାଜଭବନ ଥିବା ପ୍ରସିଦ୍ଧ ହଜରତଗଞ୍ଜ ଇଲାକା ତାଙ୍କରି ସମୟରେ ସ୍ଥାପିତ ହୋଇଥିଲା । ଲକ୍ଷ୍ନୌଠାରୁ କାନପୁର ପର୍ଯ୍ୟନ୍ତ ଏକ ପକ୍‌କା ସଡ଼କ ମଧ୍ୟ ସେ ନିର୍ମାଣ କରାଇଥିଲେ । ୧୯୪୭ ଫେବୃଆରୀ ୧୩ ତାରିଖରେ ତାଙ୍କର ମୃତ୍ୟୁ ହେଲା ।

 

ଶେଷ ବାଦଶାହ ଭାବରେ ୱାଜିଦ ଅଲ୍ଲୀ ଶାହ ୧୮୪୭ ରୁ ୧୮୫୬ ପର୍ଯ୍ୟନ୍ତ ରାଜସିଂହାସନରେ ବସିଥିଲେ । ସେ କବି ଓ ରସିକ ଥିଲେ । ତାଙ୍କ ସମୟରେ ସଙ୍ଗୀତ ଓ କଳାପାଇଁ ଲକ୍ଷ୍ନୌର ଖ୍ୟାତି ଶୀର୍ଷବିନ୍ଦୁକୁ ଉଠିଥିଲା । ସେ କେସରବାଗରେ ଅଧିକାଂଶ ସମୟ ଅତିବାହିତ କରୁଥିଲେ । ତାଙ୍କ ପ୍ରଧାନ ବେଗମ ଆଲମ ଆରା ମଧ୍ୟ କଳାପ୍ରେମୀ ଥିଲେ । ଏହା ବି ଆମେ ଶୁଣିଲେ ଯେ ତାଙ୍କର ତିନିଶହ ପଞ୍ଚଷଠି ବେଗମ ଥିଲେ ଓ ପ୍ରତିଦିନ ସେ ଜଣେ ବେଗମଙ୍କ ସହିତ ରହୁଥ‌ିଲେ । ସେ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ପ୍ରସିଦ୍ଧ କୌସରବାଗ ନିର୍ମାଣ କରାଇଥିଲେ-। ଏହାଛଡ଼ା ତାଙ୍କ ସମୟରେ ସିକନ୍ଦରାବାଦ, ସଫେଦ ବାରାଦରୀ, ଚୌକ ରଗୋଲ ଦରୱାଜା ଓ ମଛଲୀବାଲୀ ବାରାଦରୀ ନିର୍ମିତ ହୋଇଥିଲା ।

 

ସେ କବିତା ରଚନା କରିବା ଓ ସାହିରା ଆୟୋଜନ କରିବାରେ ବ୍ୟସ୍ତ ରହିବାରୁ ଶାସନ ପ୍ରତି ବିଶେଷ ଦୃଷ୍ଟି ଦେଇପାରୁ ନ ଥିଲେ । ଏହାର ସୁଯୋଗ ନେଇ ତାଙ୍କୁ ଶାସନ ଚଳାଇବା ଲାଗି ଅସମର୍ଥ ବୋଲି ଇଂରେଜମାନେ ଘୋଷଣା କରିଥିଲେ ଏବଂ ୧୮୫୬ ମସିହା ଫେବୃୟାରୀ ତେର ତାରିଖ ଦିନ ତତ୍କାଳୀନ ଇଂରେଜ ଶାସକ ଜେମସ୍‌ ଆଉଟରାମ ତାଙ୍କୁ ଶାସନ ପାଇଁ ଦାୟୀକରି ୧୨ ଲକ୍ଷ ଟଙ୍କା ଦେଇ ନଜରବନ୍ଦୀ ଭାବରେ କଲିକତା ପଠାଇ ଦେଇଥିଲେ; ସେ ସ୍ୱଦେଶପ୍ରେମୀ ଓ କବି ଥିବାରୁ ବେଶ୍‌ ଲୋକପ୍ରିୟ ଥିଲେ । ତେଣୁ ତାଙ୍କୁ ଅପସାରଣ କରିବାପରେ ଲକ୍ଷ୍ନୌରେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ୱାଜୀଦ ଅଲ୍ଲୀ ଶାହଙ୍କ ବେଗମ ହଜରତ ମହଲ ନାବାଳକ ପୁତ୍ର ମିର୍ଜା ରମଜାନଙ୍କୁ ଗାଦୀନାସୀନ କରି ପରୋକ୍ଷରେ ଶାସନଭାର ନିଜ ହାତକୁ ନେଇଥିଲେ ଏବଂ ଇଂରେଜମାନଙ୍କ ବିରୁଦ୍ଧରେ ଅସନ୍ତୋଷ ବ୍ୟାପୀ ଯାଇଥିଲା । କିନ୍ତୁ କୂଟନୀତିରେ ପାରଙ୍ଗମ ଇଂରେଜମାନଙ୍କ କୌଶଳ ଯୋଗୁ ବିଦ୍ରୋହ ସଫଳ ହୋଇ ନଥିଲା ଏବଂ ବେଗମ ହଜରତମହଲ ଅବଧ ସୀମା ପାରହୋଇ ନେପାଳ ଚାଲିଯାଇଥିଲେ-। ସେଠାରେ ୧୮୭୯ ସାଲରେ ତାଙ୍କର ମୃତ୍ୟୁ ହେଲା ।

 

ନବାବ ୱାଜୀଦ ଅଲୀ ଶାହଙ୍କୁ କଲିକତାସ୍ଥ ମାଟିଆବୁରୁଜ ଅଞ୍ଚଳରେ ଅବସ୍ଥିତ (ଏବେ ଦକ୍ଷିଣ–ପୂର୍ବ ରେଳବାଇର ହେଡ଼ ଅଫିସ ଥିବା ଗାର୍ଡ଼େନରିଚର) ଏକ କୋଠାଘରେ ନଜରବନ୍ଦୀ କରି ରଖାଯାଇଥିଲା ଓ ସନ୍ଧ୍ୟାବେଳେ ଘୋଡ଼ା ଗାଡ଼ିରେ ବସି ସହର ଭ୍ରମଣ କରିବାକୁ ଯିବାଲାଗି ତାଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ ହାୟ ! ସେ ବାଦଶାହ ବୋଲି ଇଂରେଜମାନେ ତାଙ୍କୁ କହୁଥିଲେ ବି ପ୍ରକୃତରେ ସେ ଥିଲେ କ୍ଷମତାରହିତ ନଜରବନ୍ଦୀ ।

 

କିନ୍ତୁ ୱାଜୀଦ ଅଲୀଙ୍କୁ ୧୮୫୬ ଫେବୃଆରୀ ମାସ ସାତ ତାରିଖ ଦିନ ଗାଦିଚ୍ୟୁତ କରିବା ପରେ ଯେଉଁ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା, ତାହା ସିପାହୀ ବିଦ୍ରୋହ ବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱିତ କରିଥିଲା କହିଲେ ଚଳେ । ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନେ ବାଦଶାହଙ୍କ ସପକ୍ଷରେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାଲାଗି ତତ୍ପର ହୋଇଉଠିଥିଲେ ଏବଂ ଉତ୍ତରଭାରତ ଓ ଅନ୍ୟାନ୍ୟ ଅଞ୍ଚଳରେ ୧୮୫୭ରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ବିଦ୍ରୋହ ଖେଳିଯାଇଥିଲା ଏହା ଥିଲା ତାହାର ଅନ୍ୟତମ କାରଣ ।

 

ଇତିହାସ ସେଥିପାଇଁ ଏଡ଼େ ରୋମାଞ୍ଚକର ଓ ଇତିବୃତ୍ତି ଜାଣିବା ଏଡ଼େ ଆକର୍ଷଣୀୟ । ଲକ୍ଷ୍ନୌ ସହର ଓ ଅବଧ ଅଞ୍ଚଳର ସମ୍ପର୍କରେ ଜାଣିବା ଲାଗି ଏହି ଅଞ୍ଚଳରେ ପ୍ରାଚୀନତା ଐତିହାସିକ ମହତ୍ତ୍ୱ ଓ ଆଧୁନିକ ପରିବେଶ ସମ୍ପର୍କରେ ସମ୍ୟକ୍‌ ଜ୍ଞାନ ରଖିବା ଆବଶ୍ୟକ । ସେଥ‌ିପାଇଁ ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ବର୍ଣ୍ଣନାତ୍ମକ ବିଷୟ ଉଲ୍ଲେଖ ନକରି ଆମେ ଅତୀତକୁ ପୁନରୁଜ୍ଜୀବିତ କରିବା ପାଇଁ ଇଚ୍ଛା କଲୁ ।

 

॥ ତିନି ॥

 

ପୂର୍ବରୁ କହିଛୁ ଯେ ଲକ୍ଷ୍ନୌର ପ୍ରାଚୀନ ନାମ ଲକ୍ଷ୍ମଣ‌ପୁର । ପ୍ରାଗ୍‌ଐତିହାସିକ ଯୁଗର ଓ ପୁରାଣ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋତ୍ତମ ଅଯୋଧ୍ୟା ନରେଶ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ ଭ୍ରାତା ଲକ୍ଷ୍ମଣଙ୍କ ନାମ ଅନୁସାରେ ଏହି ନଗରର ନାମ ରଖାଯାଇଥିଲା ଲକ୍ଷ୍ମଣପୁର । ଏହା ପ୍ରାଚୀନକାଳରୁ ଏକ ସାଂସ୍କୃତିକ ଓ ଐତିହାସିକ କେନ୍ଦ୍ର ଭାବରେ ପ୍ରସିଦ୍ଧିଲାଭ କରିଥିଲା । ପରେ ମହମ୍ମଦ ଗଜନୀଙ୍କ ଶେଖ ଓ ପଠାଣ ସୈନ୍ୟମାନଙ୍କ ମଧ୍ୟରୁ ଅନେକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନ କରି ଏଠାରେ ବସବାସ କରି ରହିଯାଇଥିଲେ ? ସେମାନେ ଲକ୍ଷ୍ମଣପୁରର ନାମ ବଦଳରେ ଏହାର ନାମ ରଖିଲେ ଲକ୍ଷ୍ନୌ । ଆଉରଙ୍ଗଜେବଙ୍କ ଧର୍ମାନ୍ଧତା ଓ ଅଦୂରଦର୍ଶିତା ଯୋଗୁ ମୋଗଲ ସାମ୍ରାଜ୍ୟ କେବଳ ଦୁର୍ବଳ ହୋଇ ନ ଥିଲା, ଏହାର ପତନ ତ୍ୱରାନ୍ୱିତ ହୋଇଥିଲା । ତେଣୁ ୧୭୦୭ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବଙ୍କ ମୃତ୍ୟୁପରେ ପାରସ୍ୟ (ଏବର ଇରାନ)ର ଆକ୍ରମଣକାରୀ ନାଜିର ଶାହ ଦିଲ୍ଲୀ ଲୁଣ୍ଠନକରି ମୟୁର ସିଂହାସନ ନେଇ ଯାଇଥିଲେ । ତା’ପରେ ୧୭୩୫ ଖ୍ରୀଷ୍ଟାବ୍ଦରୁ ଲକ୍ଷ୍ନୌ ବିସ୍ତାର ଅପ୍ରତିହତ ହୋଇଥିଲା । ଲର୍ଡ଼ ଡେଲହାଉସିଙ୍କ ଦ୍ଵାରା ଅବଧର ନବାବ ଓ ୱାଜିଦ ଅଲ୍ଲୀ ଶାହ ନିର୍ବାସିତ ହେବାପରେ ନବାବମାନଙ୍କର ପ୍ରଭାବ ହ୍ରାସ ପାଇଲା ।

 

ରାଜୀବ କହିଲା ଯେ ଏବର ଲକ୍ଷ୍ନୌର ଜନସଂଖ୍ୟା ପ୍ରାୟ ବାରଲକ୍ଷ ଏବଂ ଏହା କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି । ଐତିହାସିକ ତଥ୍ୟ ଜାଣିସାରିବା ପରେ ନିଜାମୁଦ୍ଦିନ କହିଲେ, ସାହେବ ! ଅବ୍‌ ସହର ଘୁମ୍‌ନା ଚାହିୟେ.... ।

 

ଆମେ ଦୁହେଁ ରାକୀବ, ଜୟା, ଶ୍ରୁତି ଓ ନିଜାମୁଦ୍ଦିନ ସହିତ ସହର ବୁଲି ଆସିବାପାଇଁ ବାହାରିଲୁ । ଗୋଟେ ଜିପ୍ ଯୋଗାଡ଼ ହେଲା । ରସ୍ତାରେ ଯିବାବେଳେ ମୁଜାଉଦ୍ଦିନ ଉତ୍ସାହର ସହିତ କହୁଥାଆନ୍ତି, ସାହେବ ! ଗୋମତୀ ନଦୀ ଓ ଗାଜିଉଦ୍ଦିନ ହାଇଦର ନହର ସହର ଏକ ଅନ୍ଦର ଘୁମଗୟେ ହୈଁ......ସେ ଆମକୁ ପ୍ରଥମେ ବଡ଼ା ଇମାମବରା ଯିବାପାଇଁ ପରାମର୍ଶ ଦେଲେ ।

 

ବଡ଼ ଇମାମବରା । ନବାବ ଅସଫୁଦୁଲ୍ଲାଙ୍କ ଇମାମବରା ନାମରେ ମଧ୍ୟ ପରିଚିତ । ‘ଇମାମବରା’ ଶବ୍ଦର ଅର୍ଥ ହେଲା ବଂଶର ମୂଳପୁରୁଷମାନଙ୍କୁ ଉତ୍ସର୍ଗ କରାଯାଇଥିବା ପ୍ରାସାଦ । ଲକ୍ଷ୍ନୌର ସିହା ମୁସଲମାନମାନେ ମହରମ ପାଇଁ ଏପରି ଏକ ସୌଧ ଉତ୍ସର୍ଗ କରିଥିଲେ । ମୁସଲମାନ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ପରବର୍ତ୍ତୀ ଧର୍ମଗୁରୁ ଅଲ୍ଲୀଙ୍କ ପୁତ୍ରମାନଙ୍କ ଶହୀଦ ଦିବସ ଉଦ୍‌ଯାପନକୁ ‘ମହରମ୍’ କୁହାଯାଏ । କିନ୍ତୁ ମୁସଲମାନଙ୍କ ମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ଅନୁସାରେ ୬୦ ହିଜରୀ ବା ୬୩୩ ଖ୍ରୀଷ୍ଟାବ୍ଦରେ ଅଲ୍ଲୀଙ୍କ ଦୁଇପୁତ୍ର ହାସାନ ହୋସେନ କରବାଲାର ମରୁପ୍ରାନ୍ତରେ ନିହତ ହୋଇଥିଲେ ।

 

ବଡ଼ା ଇମାମବରର ଆକାର ପ୍ରକାଣ୍ଡ । ଏହାର ଶିଳ୍ପରୀତି ଚମତ୍କାର । ଏଇ ବିରାଟ ସୌଧର ନର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥଲା ୧୭୮୪ ଖ୍ରୀଷ୍ଟାବ୍ଦରେ । ସେତେବେଳେ ଅବଧରେ ଅକାଳ ବା ଦୁର୍ଭିକ୍ଷର ସମୟ । ଲୋକମାନଙ୍କୁ କାମ ଯୋଗାଇଦବା ପାଇଁ ଇମାମବରାର ନିର୍ମାଣ ହାତକୁ ନିଆଯାଇଥିଲା । ଏପରି କାହାଣୀ ପ୍ରଚଳିତ ଅଛି ଯେ ଦୁର୍ଭିକ୍ଷ ପ୍ରପୀଡ଼ିତ ଧନୀ ଲୋକମାନେ ଲଜ୍ଜାରେ କାମ କରିବାକୁ ଆସୁ ନଥିଲେ ବୋଲି ରାତିରେ ସେମାନଙ୍କୁ କାମରେ ନିଯୁକ୍ତ କରାଯାଉଥିଲା ଏବଂ ଯେପରି ସେମାନେ ଯଥେଷ୍ଟ କାମ ପାଇବେ ଏହା ନିଶ୍ଚିତ କରିବାପାଇଁ ରାତିର କାମ ଦିନବେଳେ ଭାଙ୍ଗି ଦିଆଯାଉଥିଲା ।

 

ବଡ଼ା ଇମାମବରାର ପ୍ରତିଷ୍ଠାତା ନବାବ ଅସଫଉଦୁଲ୍ଲାଙ୍କର ମୃତଦେହ ମଧ୍ୟସ୍ଥଳରେ ସମାଧିସ୍ଥ କରାଯାଇଛି । ଏଇ ପ୍ରକୋଷ୍ଠ ବା ହଲ୍‌ ପୃଥିବୀର ସର୍ବବୃହତ୍‌ ଖିଲାଣଯୁକ୍ତ ହଲ୍‌ ବୋଲି କୁହାଯାଏ । କୈଫିୟତଉଲ୍ଲା ଏହା ସୌଧର ଥିଲେ ପ୍ରଧାନ ସ୍ଥାପତି । ଏଇ କେନ୍ଦ୍ରୀୟ କକ୍ଷରେ ଗୋଟିଏ ପଥରର ମଞ୍ଚ ଅଛି । ଏଥିରେ ନବାବ ଅସଫ୍‌–ଉଦ୍ଦୌଲାଙ୍କ ସମାଧି । ଏହାର ଚାରିପାଖରେ ରୂପାନିର୍ମିତ ଧଡ଼ି ଏବଂ ତା’ ଉପରେ ମଖମଲ ବିଛଣା । ସେଥିରେ ସୁନାର କାରୁକାର୍ଯ୍ୟକରା ଜରି ମଧ୍ୟ ଲଗାଯାଇଛି ।

 

କେନ୍ଦ୍ରୀୟ କକ୍ଷର ଦୈର୍ଘ୍ୟ ୧୬୩ ଫୁଟ, ପ୍ରସ୍ଥ ୫୩ ଫୁଟ, ଉଚ୍ଚତା ୪୯ ଫୁଟ, କାନ୍ଥର ପ୍ରସ୍ଥ ୧୬ ଫୁଟ । ଏହି କକ୍ଷରେ ଅନେକ ପ୍ରଦୀପ ଓ ମହମବତୀ ଜାଳି ଦିଆଗଲେ ରଙ୍ଗିନ କାଚ ମଧ୍ୟଦେଇ ଆଲୋକ ବିଚ୍ଛୁରିତ ହୁଏ, ଚତୁର୍ଦ୍ଦିଗରେ କୋରାନ ପାଠ ସମୟରେ ଏହା କରାଯାଏ । ଏହି ସୌଧର ନିର୍ମାଣ କୌଶଳ ଚମତ୍କାର । ଏଥିରେ କାଠ ବ୍ୟବହାର କରାଯାଇ ନାହିଁ । ଇମାମବରା ସୌଧ ତିନି ମହଲା ଏବଂ ତାକୁ ଉପରକୁ ଯିବାପାଇଁ ଏକ ଗୁପ୍ତପଥ ଅଛି । ଏହି ପଥରେ ଗଲେ ଭୁଲ୍‌ଭୁଲାୟା ବା ଯେଉଁଠି ପଥ ଭୁଲ କରାଯାଏ ସେଠାରେ ପହଞ୍ଚି ହୁଏ । ଭୁଲ୍‌ଭୁଲାୟା ରାସ୍ତା ସବୁ ଏପରି ଛନ୍ଦାଛନ୍ଦି ଯେ ଏବଂ ଏହାର ନିର୍ମାଣ କୌଶଳ ଏପରି ଚତୁରତାର ସହିତ କରାଯାଇଛି ଯେ ଜଣେ ବିଚକ୍ଷଣ ଅଭିଜ୍ଞ ବ୍ୟକ୍ତି ମଧ୍ୟ ପଥ ଭୁଲ କରିବା ସ୍ଵାଭାବିକ । ସେ କାଳରେ ଦରବାରରେ ନାନା ପ୍ରକାର କୂଟକପଟ ଲାଗି ରହିଥିଲା । କେହି ଗୋପନରେ ପ୍ରବେଶ କରି କାଳେ ଅନିଷ୍ଟ କରିପାରେ ଏହା ଆଶଙ୍କା କରି ବୋଧହୁଏ ଏପରି ଭୁଲ୍‌ଭୁଲାୟା ନିର୍ବାଣ କରାଯାଇଛି । ଭୁଲ୍‌ଭୁଲାୟାରୁ କକ୍ଷ ଉପରେ ଥିବା ଗେଲେରୀକୁ ରାସ୍ତା ଅଛି । ଆମେ ସମସ୍ତେ ଏଇ ଗେଲେରୀ ପଥ ଦେଇ ଚାରିପାଖ ପରିକ୍ରମା କଲୁ । ଗାଇଡ଼ ସମୀର ଆମର ବିଚକ୍ଷଣତା ପରୀକ୍ଷା କରିବା ଲାଗି ଭୁଲ୍‌ଭୁଲାୟାର ଗୋଟିଏ ସ୍ଥାନରେ ଛାଡ଼ିଦେଇ ସେହି ସ୍ଥାନକୁ ଫେରି ଆସିବାକୁ କହିଲା; କିନ୍ତୁ ବହୁ ଚେଷ୍ଟାକରି ମଧ୍ୟ ଆମେ କେହି ତାହା କରିପାରିଲୁ ନାହିଁ । ତିରିଶ ଫୁଟ ଦୂରରେ ରହି ଗୋଟିଏ ଦିଆସିଲି କାଠି ଜାଳିଲେ ସେଇ ଶବ୍ଦ କାନ୍ଥରେ ପ୍ରତିଧ୍ଵନିତ ହୋଇ ଶୁଣାଯାଏ ସମୀର ପ୍ରାୟ ତିରିଶ ଫୁଟ ଦୂରରେ ଛିଡ଼ା ହୋଇ ଆମ ସହିତ କାନ୍ଥରେ ମୁହଁ ରଖି କଥାବାର୍ତ୍ତା କଲା ଓ ଶବ୍ଦ କାନ୍ଥରେ ପ୍ରତିଧ୍ଵନିତ ହୋଇ ଯାହା କହିଲା ଆମ ପାଖକୁ ତାହା ଅବିକଳ ଭାସିଆସିଲା । ଯେପରି ଆମେ ଟେଲିଫୋନ୍‌ରେ କଥା ହେଉଥିଲୁ । ଅତି ନିମ୍ନ ସ୍ଵରରେ ନ ଶୁଣି ପାରିବା ଭଳି କହିଲେ ମଧ୍ୟ ଏହା ଶୁଣାଯାଇଥିଲା । ନିର୍ମାଣ କୌଶଳର ଏହା ଆଉ ଏକ ଚମତ୍କାରିତା ।

 

ନବାବ ଅସଫଉଦ୍ଦୌଲା ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି ବ୍ୟବସ୍ଥା କରିଯାଇ ନଥିଲେ । କେବଳ ମହରମ ସମୟରେ ହୁସେନଙ୍କ ଶହୀଦ ଦିବସରେ ଶୋକ ପାଳନ କରାଯାଏ । ଲେଫ୍‌ଟନାଟ୍‌ ଏଚ୍.ଏନ୍‌.ନିୱେଲ ମହରମ ସମ୍ପର୍କରେ ଲେଖିଥିଲେ ଯେ ଇମାମବରା ଏକ ବଡ଼ ଯାଦୁଘର ସଦୃର୍ଶ । ବର୍ଷକୁ ଥରେ ମହରମ ସମୟରେ ଏହା ମୁଖରିତ ହୋଇଉଠେ । ଆଲୋକମାଳାରେ ସଜ୍ଜିତ ଅପରୂପ ଦିଶେ ଇମାମବରା । ଶିଆମାନେ ଶୋକ ପାଳନ କରି ମହରମ ସମୟରେ ତାଜିଆ ବାହାର କରନ୍ତି । ଅନେକ ଛାତିରେ ହାତପିଟି ବା ଚାବୁକରେ ଦେହକୁ ରକ୍ତାକ୍ତ କରି ଶୋକ ପ୍ରକାଶ କରନ୍ତି । ଦଶ ଦିନଧରି ଯେଉଁ ଉପବାସ କରାଯାଏ ତାହା ଅସରଫ୍‌ ନାମରେ ପରିଚିତ । ତୁର୍କୀ ଆରବ ଅଞ୍ଚଳର କରବାଲାଠାରେ ହୁସେନଙ୍କ ଶହୀଦ ହେବାର ସ୍ମାରକୀ ବହନ କରି ମହରମ ପାଳିତ ହୁଏ । ସାରା ମୁସଲମାନ ଜଗତରେ ମୁସଲମାନ ଧର୍ମ ଅନୁସାରେ ଚନ୍ଦ୍ରର ଗତି ଅନୁସାରେ ବର୍ଷ ଗଣନା କରଯାଏ, ଏହି ସମୟରେ ତିନିଜଣ ଇମାମ ଯଥା ଅଲ୍ଲୀ, ହୁସେନ ଏବଂ ହାସାନଙ୍କ ଶହୀଦ ହେବାର ସ୍ମୃତି ଜାଗ୍ରତ ହୁଏ ମନରେ ।

 

ରୁମିଦରୱାଜା : ବଡ଼ ଇମାମବରାର ପଶ୍ଚିମ ଫାଟକ ତୁର୍କୀ ଗେଟ୍‌ ବା ରୁମିଦରୱାଜା ନାମରେ ବିଖ୍ୟାତ ।

 

ହୁସେନାବାଦ ବଗିଚା : ଏଠାରେ ଘଣ୍ଟାଘରର ଉଚ୍ଚତା ୨୧୧ ଫୁଟ ଏବଂ ୨୦ ଫୁଟ ଚଉଡ଼ା । ଏହାର ନିର୍ମାଣ ସମୟ ୧୮୮୧ ସେତେବେଳର ଅବଧର ନବାବ ମହମ୍ମଦ ଅଲୀ ଶାହାଙ୍କ ଛତିଶ ଲକ୍ଷ ଦାନଦ୍ଵାରା ନିର୍ମିତ ହୋଇଥିଲା ।

 

ଛୋଟ ଇମାମବରା–ଆଉ ଏକ ଅନନ୍ୟ କୀର୍ତ୍ତି ହେଲା ଛୋଟ ଇମାମବରା । ଆକାରରେ ଛୋଟ ହେଲେ ମଧ୍ୟ ଅତି ସୁନ୍ଦର । ‘ଆଲୋକର ପ୍ରାସାଦ' ଭାବରେ ମଧ୍ୟ ଏହା ବିଖ୍ୟାତ-। ମହମ୍ମଦ ଅଲ୍ଲୀ ଶାହା ଏହା ୧୮୩୯ରେ ନିର୍ମାଣ କରାଇଥିଲେ । ଏହାର ପ୍ରବେଶ ପଥରେ ଇସଲାମୀୟ ଶିଳ୍ପ ନୈପୁଣ୍ୟର ପରିଚୟ ମିଳେ । ଆରବୀୟ ଶିଳ୍ପରୀତିରେ ପ୍ରାଚୀର ଦେହରେ ପ୍ରଚୁର ପରିମାଣରେ କାରୁକାର୍ଯ୍ୟ କରାଯାଇଛି । କକ୍ଷଗୁଡ଼ିକ ମଧ୍ୟରେ ରହିଛି ବହୁ ସମାଧି-। ଭିତରେ ଉଚ୍ଚ ମଞ୍ଚ ଉପରେ ଗୋଟିଏ ରୌପ୍ୟନିର୍ମିତ ତାଜିଆ ରହିଛି ଏବଂ ମଶରୀଢ଼ଙ୍କା ଗୋଟିଏ ଝୁଲା ମଧ୍ୟ ଅଛି । ଏସବୁ ଭିତରେ ଭୂତପୂର୍ବ ନବାବଙ୍କର ମୁକୁଟ ଓ ଅନ୍ୟାନ୍ୟ ଦର୍ଶନୀୟ ବସ୍ତୁ ରଖାଯାଇଛି । ଶେଷ କକ୍ଷଗୁଡ଼ିକରେ ମହମବତୀ ଦ୍ଵାରା ନିର୍ମିତ କେତେଗୁଡ଼ିଏ ତାଜିଆ ଅଛି-। ଏହି ଇମାମବରାରେ କୋରାନର କେତେକ ଅଂଶ ଲିଖିତ ଆକାରରେ ରଖାଯାଉଛି । ଏହାର ଛାତ ମଧ୍ୟ ଖିଲାନଯୁକ୍ତ ଓ କାଚନିର୍ମିତ ଆଲୋକମାଳା ଦ୍ଵାରା ସଜ୍ଜିତା । ମହରମ ସମୟରେ ଆଲୋକମାଳାରେ ସଜ୍ଜିତ ଛୋଟ ଇମାମବରା ଦେଖିବା ପାଇଁ ବହୁ ଦର୍ଶକ ଆସନ୍ତି ।

 

ଏହା ବ୍ୟତୀତ ମହମ୍ମଦ ଅଲ୍ଲୀ ଶାହାଙ୍କ ଦ୍ଵାରା ନିର୍ମିତ ଜାମା ମସଜିଦ୍ ମଧ୍ୟ ଏକ ଦର୍ଶନୀୟ ସ୍ଥାନ । ତାଙ୍କ ମୃତ୍ୟୁପରେ ଏହାର ନିର୍ମାଣ ବେଗମ ମୁଲକା ଜାହାନ ସମ୍ପୂର୍ଣ୍ଣ କରିଥିଲେ । ଏହାର ନିର୍ମାଣ କୌଶଳ ଉଲ୍ଲେଖଯୋଗ୍ୟ ।

 

ଫେରିବାବେଳେ ଭିକ୍‌ଟୋରିଆ ପାର୍କ ଦେଖିଲୁ । ତା’ପରେ ଚୌକ ବଜାରରେ କିଛି ସମୟ ଅତିବାହିତ କରି ଲକ୍ଷ୍ନୌର ବିଖ୍ୟାତ ଚିକନ ପାଇଜାମା ଓ ପଞ୍ଜାବୀ କିଣିଲୁ ସମସ୍ତଙ୍କ ପାଇଁ ।

 

କାଇଜର ବାଗ ପ୍ରାସାଦ–ଲକ୍ଷ୍ନୌର କାଇଜର ବାଗ ପ୍ରାସାଦ ମଧ୍ୟ ଏକ ଦର୍ଶନୀୟ ସ୍ଥାନ-। ଏହା ଅବଧର ଶେଷ ନବାବ ୱାଜୀର ଅଲ୍ଲୀ ଶାହଙ୍କ ଦ୍ଵାରା ନିର୍ମିତ ହୋଇଥଲା । ସେତେବେଳେ ଏହାର ନିର୍ମାଣ ପାଇଁ ୮୩ ଲକ୍ଷ ଟଙ୍କା ବ୍ୟୟ ହୋଇଥଲା । ଏହାଛଡ଼ା ସଫେଦ ବରାଦରୀ ରୋଶନ ଉଦ୍ଦୌଲା କୋଠୀ, ବିଧାନସଭା ଓ ରାଜଭବନ, ନବାବ ସାଦତ ଅଲ୍ଲୀ ଖାଁଙ୍କ କବର, ଲକ୍ଷ୍ନୌ ବିଦ୍ୟାଳୟରେ ଲାମାଟନାର କଲେଜ, ସିକନ୍ଦରବାଗ, ବନାରସୀବାଗର ଚିଡ଼ିଆଖାନା, ଶାହାନଜଫଶୁରସିଦ ମଞ୍ଜିଲ, ଦିଲଖୁସା, ଆଲମବାଗ, ବିବିଆପୁର ପ୍ରାସାଦ, ବିଲାୟତିବାଗର ଚାରବାଗ ରେଲୱେ ଷ୍ଟେସନ ପ୍ରଭୃତି ଉଲ୍ଲେଖଯୋଗ୍ୟ ସ୍ଥାନ । ଜନଜୀବନରେ ଯେପରି ସାହିତ୍ୟ, କଳା ଓ ସ୍ଥାପତ୍ୟରେ ମଧ୍ୟ ସେହପରି ମୁସଲିମ ସଂସ୍କୃତିର ଛାପ ସୁସ୍ପଷ୍ଟ । ହିନ୍ଦୁ, ଓ ମୁସଲମାନ ଜୀବନଧାରାର ମନୋମୁଗ୍‌ଧକର ସମନ୍ଵୟ ଘଟି ଯେଉଁ ସମନ୍ଵିତ ସାଂସ୍କୃତିକ ଧାରା ପ୍ରବାହିତ ହୋଇଛି ଅବଧରେ ସେଥିରେ ବିଭିନ୍ନତାର ବୈଚିତ୍ର୍ୟ ସହିତ ସମନ୍ଵୟ ଓ ସଂହତିର ଅନେକ ଆକର୍ଷଣ ବିଦ୍ୟମାନ । କିନ୍ତୁ ତଥାପି ସିଆ ଓ ସୁନ୍ନୀ ମୁସଲମାନମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ଓ ମତାନ୍ତର ଯେପରି ବେଳେ ବେଳେ ଉଗ୍ର ରୂପ ଧାରଣ କରିବା ଯେପରି ଦୁଃଖଦାୟକ, ସେହିପରି ଦୁଃଖଦାୟକ ଧର୍ମକୁ ଭିତ୍ତି କରି ସର୍ବତ୍ର ଗଢ଼ିଉଠୁଥ‌ିବା ସାଂପ୍ରଦାୟକ ଚିନ୍ତାଧାରା । ସୁଖର ବିଷୟ ଏହି ଯେ ଲକ୍ଷ୍ନୌର ଜନଜୀବନରେ ସାଂପ୍ରଦାୟିକ ସଦ୍‌ଭାବର ଏକ ମହାନ୍‌ ପରମ୍ପରା ଜାତୀୟ ସଂହତିକୁ ସୁଦୃଢ଼ କରିବାରେ ସହାୟକ ହୋଇଛି ।

 

ହିନ୍ଦୁ ବସ୍ତି ଓ ପୂଜା ପଦ୍ଧତି–ଲକ୍ଷ୍ନୌର ଗଣେଶଗଞ୍ଜ ସହରର ପୁରୁଣା ହିନ୍ଦୁ ବସ୍ତି, ଏହା ପାଖେ ପାଖେ ଗଢ଼ିଉଠିଚି ମୁସଲମାନ ମହଲ୍ଲା । ହିନ୍ଦୁ ଅଧିବାସୀ ସଂଖ୍ୟାଧିକ ହେତୁ ଏଠାରେ କେତେକ ପୁରୁଣା ମନ୍ଦିର ରହିଛି । ଉତ୍ତର ଭାରତରେ ମଧ୍ୟ ଦିନେ ଦେବୀପୂଜା ପ୍ରଚଳିତ ଥିଲା । ପ୍ରତ୍ୟେକ ମାଙ୍ଗଳିକ ଅବସରରେ ଭୂମି ପୂଜାର ପ୍ରଥା ପ୍ରଚଳିତ ଅଛି । ବସୁନ୍ଧରାକୁ ଲକ୍ଷ୍ମୀରୂପେ ପୂଜା କରାଯାଏ । ଗୁପ୍ତ ଯୁଗରେ ବିଷ୍ଣୁ ବିଗ୍ରହ ସହିତ ଶ୍ରୀଦେବୀ ଏବଂ ଭୂଦେବୀ ପ୍ରତିଷ୍ଠିତ ହୋଇଥିଲେ । ଭୂଦେବୀଙ୍କ ସ୍ମୃତିରେ ଗୋଟିଏ ପ୍ରସିଦ୍ଧ ଶ୍ଳୋକ ଅଛି–

 

ସମୁଦ୍ର ବସନେ ଦେବୀ, ପର୍ବତ ସ୍ତନ ମଣ୍ତଳେ,

ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ, ପାଦସ୍ପର୍ଶ କ୍ଷମସ୍ଵମେ ।

 

ଅବଧର ଗ୍ରାମମାନଙ୍କରେ ଭୂମି ଦେବୀଙ୍କର ଛୋଟବଡ଼ ଅସଂଖ୍ୟ ମନ୍ଦିର ଦେଖାଯାଏ । ଏହି ଭୈରବଙ୍କ ମନ୍ଦିରରେ ବଟୁଭୈରବଙ୍କ ପୂଜାର୍ଚ୍ଚନା କରାଯାଏ । ନବାବ ଅସଫୁଦ୍ଦୌଲା ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅନେକ ଅର୍ଥ ସାହାଯ୍ୟ କରିଥିଲେ ।

 

ଲକ୍ଷ୍ନୌର ଲୁଚିରହିଥବା ସାଂସ୍କୃତିକ ପରମ୍ପରାର ପୁନରୁଦ୍ଧାର ସକାଶେ ଉଦ୍ୟମ ଆରମ୍ଭ ହୋଇଛି । ଗଳି, ଉପଗଳିରେ କବିମାନଙ୍କର ଥିଲା ବୈଠକଖାନା । ଶୈର, ଗଜଲ ପ୍ରଭୃତି ରଚନା କରି ଜନଜୀବନକୁ ସଜୀବନ୍ତ କରି ରଖୁଥିଲେ ସେମାନେ । ଏସବୁ ସ୍ମରଣ କଲେ ମନକୁ ଆସେ ବିଖ୍ୟାତ ନାରୀ କବି ଡକ୍ଟର ରମା ସିଂହଙ୍କ ଏକ କବିତା–ବୀତ ଯାତା ଯୁଗ/ବନା ଇତିହାସ ରହିତା ହୃଦୟ କା ହରକଂପ/ବୀତି ବାତ କହତା ।

 

ନବାବ ୱାଜୀଦ ଅଲ୍ଲୀ ଶାହାଙ୍କ ସମ୍ପର୍କରେ ଅବଧରେ ବହୁ ଲୋକକଥା ଓ କାହାଣୀ ପ୍ରଚଳିତ । ସେ ସ୍ଵଦେଶୀ ଥିଲେ ଏବଂ ସାହିତ୍ୟ ପ୍ରତି ତାଙ୍କର ଅସୀମ ଅନୁରାଗ ଥିଲା । ପରବର୍ତ୍ତୀ କାଳରେ ସେ ପ୍ରବାଦ ପୁରୁଷରେ ପରିଣତ ହେଲେ ।

 

ତାଙ୍କର ସିଂହାସନରେ ଅଧିଷ୍ଠିତ ହେବାବେଳେ କେତେକ ଅପଶକୁନ ଦେଖାଯାଇଥିଲା-। ତେଣୁ ୧୮୪୭ ମସିହା ଫେବୃଆରୀ ବା’ର ତାରିଖ ଦିନ ଏଥିପାଇଁ ସ୍ଵତନ୍ତ୍ର ଭାବରେ ନମାଜ ପଢ଼ିବାର ବ୍ୟବସ୍ଥା ହେଲା । ୱାଜୀଦ ଅଲ୍ଲୀ ଶାହାଙ୍କ ମଥାରେ ମୁକୁଟ ପିନ୍ଧାଇ ଦବାବେଳେ ତାହା ସିଂହାସନ ବାଜି ତଳେ ପଡ଼ି ଯାଇଥିଲା । ଏକଥା ମଧ୍ୟ ପ୍ରଚଳିତ ଅଛି ଯେ ଏହି କାରଣରୁ ରାଜ୍ୟାଭିଷେକ ଦିନ ସେ ନିର୍ଦ୍ଦିଷ୍ଟ ସିଂହାସନରେ ବସି ନଥଲେ । ସେଥିରେ ଗୋଟିଏ ସାପ ଲୁଚି ରହିଛି ବୋଲି ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା । ଏହା ସତ ହେଉ ବା ମିଛ ହେଉ ଅପଶକୁନ ସତ ହେଲା ଏବଂ ୧୮୫୬ ମସିହା ଫେବୃଆରୀ ଚାରି ତାରିଖ ଦିନ ସେ ଇଂରେଜମାନଙ୍କ ଦ୍ଵାରା ଗାଦିଚ୍ୟୁତ ହେଲେ । ସେତେବେଳେ ସିପାହୀ ବିଦ୍ରୋହର ପ୍ରସ୍ତୁତି ଆରମ୍ଭ ହୋଇଥାଏ । ୱାଜୀଦ ଅଲ୍ଲୀ ଶାହା ବିଦ୍ରୋହର ସମର୍ଥକ ଭାବରେ ଜଣାଶୁଣା ।

 

ସେ ଲକ୍ଷ୍ନୌ ଛାଡ଼ି କାନପୁର ପର୍ଯ୍ୟନ୍ତ ଯିବାକୁ ଚାହୁଁ ନଥିଲାବେଳେ ତାଙ୍କୁ କଲିକତା ନେଇ ସେଠାରେ ନଜରବନ୍ଦୀ ଭାବରେ ରଖାଗଲା । ଲକ୍ଷ୍ନୌରୁ ସେ ବିଦାୟ ନେଲାବେଳେ ଯେଉଁ କବିତା ରଚନା କରିଥିଲେ ତା’ର କିୟଦଂଶ ଏଠାରେ ଉଦ୍ଧାର କରୁଛୁ–

 

ଦୋସ୍ତେଁ । ଶାଦ ରହୋ ତୁମକୋ ଖୁଦା କୋ ସୋଁପା,

ହମନେ ଅପନେ ଦିଲେ ନାଜୁକ କୋ ଜଫା କୋ ସୋଁପା ,

କେସରୀ ବାଗ ଜୋ ହୈ ଉସକା ସବା କୋ ସୋଁପା;

ଦରୋଜୀବାର ସେ ହସରତ ସେ ନଜର କରନ୍ତେ ହୈ

ଖୁସି ରହୋ ଅହଲେ ବତନ ହମ ତୋ ସଫର କରତେ ହେଁ ।

ସାରେ ଅବ ସହର ସେ ହୋତା ହୈ ୟେ ଅଖତର ଛଖସତ

ଆଗେ ବସ୍ ଅବ୍‌ ନହୀଁ କହନେ କୀ ହୈ ମୁଝକୋ ଫୁରସତ୍,

ହୋ ନ ବରବାଦ ମେରେ ମୁଲ୍ଲ କୀ ୟାରବ ଖିଲକତୁ

ଦଗେ୍ ଜୀବାର ୟେ ହସରତ ସେ ନଜର କରତେ ହୈ ।

ଖୁସ୍ ରହୋ ଅହଲେ ବତନ ହମ ତୋ ସଫର କରତେ ହେଁ ।

 

(ଗୁଲଦସ୍ତାଏ ଅବଧ–କୁଲାକୀ ଦାସ ଦୋହାବଳୀରୁ ଉଦ୍ଧୃତ)

 

ଗଙ୍ଗାନଦୀ ଜଳ ପଥରେ ବନାରସରୁ କଲିକତା ସେ ଯାତ୍ରା କରିଥିଲେ । କାଶ୍ମୀର ମହାରାଜା ଏହି କାରଣରୁ ହୋଲି ଓ ଦୀପାବଳୀ ଧୁମଧାମ ସହିତ ପାଳନ ନ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ । ଲୋକମାନେ ତାଙ୍କୁ ଏହାରି କାରଣ ପଚାରିବାରୁ ସେ ଏକ ଶୈର ଶୁଣାଇଥିଲେ ।

 

ଶାଦ କ୍ୟା ଖାକ୍‌ ହୋ, କିସ୍‌ସେ କହେଁ କିସ ରାମ ମେଁ ହେଁ I

ଅପନୀ ସରକାର କେ ଲୁଟ ଜାନେ କେ ମାତମ ମେଁ ହେଁ ।।

 

ଉର୍ଦ୍ଦୁ ଭାଷା ଓ ସାହିତ୍ୟ : ଲକ୍ଷ୍ନୌ ତଥା ସମଗ୍ର ଅବଧରେ ହିନ୍ଦୀ ଭାଷାଭାଷୀ ହିନ୍ଦୁମାନଙ୍କ ମଧ୍ୟରେ ଉର୍ଦ୍ଦୁ ପ୍ରତି ପ୍ରବଳ ମମତା ଓ ଦୁର୍ବଳତା ଥିଲା ଏବଂ ଏବେ ମଧ୍ୟ ଅଛି । ଉର୍ଦ୍ଦୁ ଏକ ବିଦେଶୀ ଭାଷା ନୁହେଁ, ଏହି ଦେଶରେ ଏହାର ଜନ୍ମ । ଏହା ମୁସଲମାନଙ୍କ ଭାଷା ନୁହେଁ ଅନେକ ହିନ୍ଦୁ ମଧ୍ୟ ଏହି ଭାଷା କହନ୍ତି ଓ ଏଥିରେ ବ୍ୟୁତ୍ପତ୍ତି ହାସଲ କରିଛନ୍ତି । ଏହି ସାଂସ୍କୃତିକ ଧାରା ଗଙ୍ଗା ଓ ଯମୁନାର ମିଶ୍ରିତ ଧାରାପରି ଲୋଭନୀୟ ଓ ପବିତ୍ର । ଏପରିକି ରାମଚରିତ ମାନସ ପରି ପବିତ୍ର ଗ୍ରନ୍ଥ ମଧ୍ୟ ଉର୍ଦ୍ଦୁ ଓ ହିନ୍ଦୀରେ ଅନୁବାଦିତ ହୋଇଥିଲା । ଏହି ରଚନା ସବୁରେ ସାହିତ୍ୟିକ ମୂଲ୍ୟାଙ୍କନ ହୋଇ ନାହଁ ସତ; କିନ୍ତୁ ଭାଷାପ୍ରତି ଲୋକପ୍ରୀତିର ଏହା ଅନ୍ୟ ଏକ ନିଦର୍ଶନ । ଭଗବାନ ଶ୍ରୀରାମଚନ୍ଦ୍ର ଯେତେବେଳେ ମିଥିଳା ନରେଶଙ୍କ ଉପବନକୁ ଫୁଲ ତୋଳିବା ପାଇଁ ଗଲେ ସେତେବେଳେ ମାଳୀ ମୁହଁରେ ଏହି ରଚନା କିପରି ପ୍ରାଣସ୍ପର୍ଶୀ ହୋଇଥିଲା ଏହି ପଂକ୍ତି ତା’ର ପ୍ରମାଣ ଦିଏ–

କାଁଟେ ହୈଁ, ଦେଖ ଲିଜିୟେ ଫୁଲୋଁ କେ ସାଥ ମେଁ,

ଚୁମ ଜାୟେ କୋଇ ଖାର ନ ସରକାର ହାଥ ମେଁ

ମାଲୀ ଖଡ଼େ, ହୈଁ ସାମନେ ସବ ହାଥ ଜୋଡ଼ତେ

କାଁଟୋ ମେଁ ଫୁଲ କିସଲିୟେ ପିଏର ଆପ ତୋଡ଼ତେ

କରେଁ ବିନତୀ ହଜାରୋଁ ଖଡ଼େ ମାଲୀ... ।

ଆଉ ଏକ ସ୍ଥାନରେ–

ଅବଧପୂର ଲାଲ ରଘୁବର କୋ

ମୁବାରକ ହୋ ମୁବାରକ ହୋ ।

ଏ ସେହରା ଆପକେ ସର ପର

ମୁବାରକ ହୋ ମୁବାରକ ହୋ ।

X X X

ମୁବାରକ ଜାନକୀ ଜୀ କୋ

ଅଯୋଧ୍ୟା ସା ନଗର ହୋଏ ।

ଜନକପୁର ଆପକୋ ରଘୁବର

ମୁବାରକ ହୋ ମୁବାରକ ହୋ ।

 

ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର କେବଳ ହିନ୍ଦୁ ଜଗତରେ ନୁହେଁ ସାରା ମାନବ ଜାତିର ଶ୍ରଦ୍ଧା ଅର୍ଜନ କରିଥିଲେ । ଉର୍ଦ୍ଦୁରେ ରାମକଥା ରଚିତ ହେବାଦଦ୍ଵାରା ମୁସଲମାନ–ହିନ୍ଦୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିଲା । ଆଜି ଅଯୋଧ୍ୟାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିରହିଥିବା ମନାନ୍ତର ଓ ମତାନ୍ତର ଦେଖି ସେଇ ପୁରୁଣା ସମୟ ମନେପଡ଼େ ।

 

ମୈଖିଲୀ ଶରଣ ଗୁପ୍ତଙ୍କ ଭାଷାରେ–

 

ରାମ ତୁମ୍‌ହାରା ଚରିତ ସ୍ଵୟଂ ହୀ କାବ୍ୟ ହୈ

କୋଇ କବି ବନ ଜାଏ ସହଜ ସମ୍ଭାବ୍ୟ ହୈ ।

 

ସମ୍ରାଟ ଆକବରଙ୍କ ଶାସନକାଳରେ ବଂଦାଧୁନୀଙ୍କ ଦ୍ଵାରା ରାମାୟଣ ପାରସ୍ୟ ଭାଷାରେ ଅନୁବାଦିତ ହୋଇଥିଲା । ପରେ ହିନ୍ଦୀ ଓ ପାରସୀ ଭାଷାର ସମିଶ୍ରଣରୁ ଯେତେବେଳେ ଉର୍ଦ୍ଦୁଭାଷା ଜନ୍ମନେଲା, ସେତେବେଳେ ଉର୍ଦ୍ଦୁ ଭାଷାରେ ରାମକଥା ଲେଖାହେବା ଏକ ଅସ୍ଵାଭାବିକ୍‌ ନଥିଲା । ଭାଷା ଧର୍ମ, ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନୁହେଁ । ଏହା ସାର୍ବଜନୀନ । ଏହାର ଉଦାହରଣ ବାଂଲାଦେଶ । ଅଧିକାଂଶ ଲୋକ ମୁସଲମାନ ହୋଇଥଲେ ସୁଦ୍ଧା ସେମାନଙ୍କର ଭାଷା ବଙ୍ଗଳା, ସଂସ୍କୃତି ହିନ୍ଦୁ ଓ ମୁସଲମାନ ମିଶ୍ରିତ ଇନ୍ଦୋନେସିଆର ମଧ୍ୟ ସେହିପରି ।

 

ଦିଲ୍ଲୀର ସମ୍ଭ୍ରାନ୍ତ ବସ୍ତିର ନାମ ଯଥା ରକାବଗଂଜ, ଦରିଆଗଂଜ ତାଲକୋଟରା, ଫୁଲକୋଟରା ପରି ଲକ୍ଷ୍ନୌରେ ପ୍ରଥମ କଟରା ମହମ୍ମଦ ଶାହା ରଙ୍ଗିଲେଙ୍କ ଶାସନ କାଳରେ ମଧ୍ୟ ସେହିପରି ନାମକରଣ କରାଯାଇଛି । ଲକ୍ଷ୍ନୌ ସହରରେ ଅବଧର ସୁବେଦାର ଗିରିଧର ନାଗାଙ୍କ ରାଣୀ ସ୍ଥାପନ କରିଥିବାରୁ ଏହାର ନାମ ରାଣୀ କଟରା ଅଟେ । ଅବଧର ପ୍ରଥମ ନବାବ ସହାଦତ ଖାଁ ବରହାନୁଲଙ୍କ ସେନା ବାହିନୀର ଅଫିସର ଅବୁତ୍‌ରାଓ ଖାଁଙ୍କ କଟରା ଏବେ ମଧ୍ୟ ଲକ୍ଷ୍ନୌର ବିଦ୍ଵାନମାନଙ୍କ ନିବାସସ୍ଥାନ ।

 

ଲକ୍ଷ୍ନୌର ବାଗ ବଗିଚା, କୂଅ ଓ ପୁଷ୍କରିଣୀ, ନଦୀଘାଟ, ପୋଲ ସହିତ ମଧ୍ୟ ଇତିହାସ ଜଡ଼ିତ । ଲକ୍ଷ୍ନୌର ଯେଉଁ ମହଲ୍ଲାରେ କୂଅ ଅଛି ଏହାର ନାମ ସେଇ ମହଲ୍ଲା ଅନୁସାରେ ହୋଇଛି । ଲାଲ କୂଅ, ଛାଛି କୂଅ ଇତ୍ୟାଦି । କପ୍ତାନ କୂଅ ଓ ଭୋଳାନାଥ କୂଅ, କାଶ୍ମୀର ବ୍ରହ୍ମଣ ରାଜା ବକ୍‌ସୀଙ୍କ ଖାନଦାନ ସହିତ ସମ୍ପୃକ୍ତ । ସେହିପରି ପୁଷ୍କରିଣୀଗୁଡ଼ିକର ନାମ ସହିତ ଏହାର ଇତିହାସ ଜଡ଼ିତ । ଟୀକାୟତ ରାଓ ତାଲାବ, ପାଣ୍ଡେ କା ତାଲାବ, ଗୁଇନ ତାଲାବ, ଗଗନୀ ଶୁକ ତାଲାବ, ଫତେହ ଅଲ୍ଲୀ ତାଲାବ ଇତ୍ୟାଦି । ଲକ୍ଷ୍ନୌରେ ଲିଖନା ପାର୍ସୀର ଶିରକାଟି ଶେଖଜାଦା ଯେଉଁ ନାଳରେ ଫିଙ୍ଗି ଦେଇଥଲେ ତାହା ଶିରକଟା ନାଳ ନାମରେ ଅଦ୍ୟାବଧି ପରିଚିତ । ମୁସଲମାନ ନାମପରି ହିନ୍ଦୁ ନାମରେ ବହୁ ସଂସ୍ଥା, ସ୍ଥାନ, ଅନୁଦାନ ରହିଛି । ତରମନୀଗଞ୍ଜ (ତ୍ରିବେଣୀ ଗଞ୍ଜ) ଶିବପୁରୀ, ରାମଗଞ୍ଜ, ଲକ୍ଷ୍ମଣ ଗଞ୍ଜ, ଗଣେଶଗଞ୍ଜ, ଭବାନୀଗଞ୍ଜ ସହିତ ଇସଲାମ ବାଡ଼ି, ଖୁଦାଗଞ୍ଜ, ହୁସେନବାଡ଼ି, ହୁସେନଗଞ୍ଜ, ହୁସେନବାଦ, ଅବ୍ୱୋସବାଗ ପ୍ରଭୃତି ।

 

ଲକ୍ଷ୍ନୌର ମହାନତା ଅନେକ ପରିମାଣରେ ଗୌତମୀ ନଦୀ ଉପରେ ନିର୍ଭର କରେ । ଲକ୍ଷ୍ନୌ ଜିଲ୍ଲାରେ ପ୍ରବେଶ କରି ଗୌତମୀ ଲକ୍ଷେଶ୍ଵରୀ ମନ୍ଦିର ନିକଟରେ ଆଉ ଆଗକୁ ଯିବାବେଳେ ଡାହାଣ ପାଖରେ ଅଖହଦୀ ନଦୀ ଗୌତମୀ ସହିତ ମିଶି ସଙ୍ଗମ ସୃଷ୍ଟି କରିଛି । ରାମଚରିତ ମାନସରେ ଗୌତମୀ ନଦୀ ସମ୍ବନ୍ଧରେ ଲେଖାଅଛି–

 

ପହୁଁଚେ ଯାୟ ଧେନୁମତି ତୀରା

ହରଷି ନହାନେ ନିରମଲ ନିରା ।

 

ଏହାପରେ ଗଉଘାଟ ପଡ଼େ । ଏହା ଲକ୍ଷ୍ନୌର ପ୍ରାଚୀନ ଇତିହାସର ସାକ୍ଷ୍ୟ ପ୍ରଦାନ କରେ । ରାଜପୁତ ଯୁଗର ହିନ୍ଦୁ, ରାଜାମାନଙ୍କର ଗଡ଼, ଘାଟ ଓ ମନ୍ଦିର ଏବେ ମଧ୍ୟ ବିଦ୍ୟମାନ । ଆହୁରି ଗଉଘାଟଠାରେ ସୁଫି ଦାର୍ଶନିକ ଓ ଭକ୍ତ ନସରୁଲ୍ଲା ଶାହା ନିଜର ଡେରା ସ୍ଥାପନ କରିଥିଲେ-। ନସରୁଲ୍ଲା ଶାହାଙ୍କ ରୋଜା ଷୋହଳ ଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଅବଧର ପ୍ରଥମ ନବାବ ସଆଦତ ଖାଁ ବରହାନ ଲକ୍ଷ୍ନୌ ପ୍ରବେଶ କଲାବେଳେ ଗଉଘାଟ ଦେଇ ଗୋମତୀ ନଦୀ ପାର ହୋଇଥିଲେ । କୁହାଯାଏ ଯେ ସେଇ ସମୟରେ ଗୋଟିଏ ମାଛ ପାଣିରୁ ଡିଆଁ ମାରି ଉପରେ ପଡ଼ିଥଲା । ଏହା ଶୁଭ ସୂଚନା ଭାବି ସେ ମାଛ ପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ତାଙ୍କ କୋଠୀରେ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଲକ୍ଷ୍ୟସ୍ଥଳରେ ମାଛ ମୋହର ଆଙ୍କି ଦିଆଯାଇଥିଲା-। ଏବେ ମଧ୍ୟ ମାଛ ସହିତ ଲକ୍ଷ୍ୟଭେଦ ଉତ୍ତରପ୍ରଦେଶ ସରକାରଙ୍କ ରାଜକୀୟ ଚିହ୍ନ-। ଆହୁରି ମତ୍ସ୍ୟ ଚିହ୍ନ ମଧ୍ୟ ଭାରତର ହିନ୍ଦୁ ରାଜାମାନଙ୍କର ଧ୍ଵଜ, ମୁଦ୍ରା ପ୍ରଭୃତିରେ ଅଙ୍କିତ ହୋଇଥବା ବହୁଳ ଭାବରେ ଦେଖାଯାଏ । ଗୋମ‍ତୀ ନଦୀର ଆଉ ଏକ ପୋଳ କାଠ ନିର୍ମିତ ଓ ବର୍ଷାଋତୁ ବାଦ ଅନ୍ୟ ଋତୁରେ ବ୍ୟବହୃତ ହୁଏ । ଗଉଘାଟଠାରୁ କୁଡ଼ିଆ ଘାଟ ପର୍ଯ୍ୟନ୍ତ ଗୋମତୀ ନଦୀର ଯାତ୍ରା ତିନି ମାଇଲ ଅଟେ । ଏଠାରେ ଗୋମତୀ ତଟରୁ ପୁରୁଣା ଲକ୍ଷ୍ନୌର ଦୃଶ୍ୟ ଉପଭୋଗ କରିହୁଏ ।

 

ଲକ୍ଷ୍ନୌକୁ କେହି କେହି ନବାବ ଓ ସମ୍ଭ୍ରାନ୍ତମାନଙ୍କର ସହର କହନ୍ତି ତ ଆଉ କେହି କେହି ଉଦ୍ୟାନ ସହର କହନ୍ତି; କିନ୍ତୁ ଲକ୍ଷ୍ନୌର ଗମ୍ବୁଜ, ମୀନାର ଓ ସ୍ଥାପତ୍ୟ ଦେଖି ଏହାକୁ ଏକ ନୂତନ ସଂସ୍କୃତିର ସହର ବୋଲି ମଧ୍ୟ ଅଭିହିତ କରାଯାଏ । ଲକ୍ଷ୍ନୌ ହିନ୍ଦୁ ଓ ମୁସଲମାନ ସଂସ୍କତିର ସମ୍ମିଶ୍ରଣରେ ନୂତନ ଐକ୍ୟ ଓଁ ସଂହତିର ସନ୍ଦେଶ ଦିଏ । ପୁଣି ହୁସେନାବାଦର ଘଣ୍ଟାଘର ଆଉ ଏକ ସ୍ମୃତି ଜାଗ୍ରତ କରେ ।

 

କୌଣସି କବି ସେଥିପାଇଁ ଗାଇଥିଲେ–

 

ଜିକ୍ର ଲିଖନେ କେ ଲିୟେ ଉସ ଗୈରତ ଶମସାଦକା ।

ହୋ କଲମ ଜୈସେ କି ଘଣ୍ଟାଘର ହୁସେନବାଦ କା ।

 

ଆମେ ଅନେକ ବୁଲିଲୁ, କିନ୍ତୁ ଲକ୍ଷ୍ନୌ ଦେଖା ଶେଷ ହେଲା ନାହିଁ କି ହୋଇପାରିବ ନାହିଁ । ଏଠାରେ ନୂତନ ଓ ପୁରାତନର ସମନ୍ଵୟ ଘଟି ତାହାକୁ କରିଛି ଚିତ୍ତଜୟୀ ଓ କାଳନବର୍ତ୍ତୀ । ଲକ୍ଷ୍ନୌର ସଂସ୍କୃତି ଓ ବାଣୀ ଆମକୁ ସଦା ଉଦ୍‌ବୁଦ୍ଧ କରୁଛି । ଏହା ଦେଶର ଐକ୍ୟ ସଂହତି, ସଦ୍‌ଭାବ ଓ ସଦିଚ୍ଛାର ସଙ୍ଗୀତ ଗାଇ ଗାଇ ବିପୁଳ ପୃଥିବୀରେ ନିରବଧି କାଳ ବକ୍ଷରେ ନିଜର ସ୍ଥାନ ନିଶ୍ଚିତ କରି ନେଇଛି । ଲକ୍ଷ୍ନୌ ଛାଡ଼ିବାବେଳେ ମନେ ପଡ଼ିଲା ଓ ଏହାର ଆତିଥ୍ୟ ଓ ସମ୍ଭ୍ରାନ୍ତପଣିଆ-। ସବା ଆଗରେ ଅତିଥି ।

 

ଲକ୍ଷ୍ନୌ ଛାଡ଼ିଲୁ ନୀଳାଚଳ ଏକ୍‌ସପ୍ରେସରେ । ସେତେବେଳେ ମୁହଁରୁ ବାହାରିଗଲା–ସଲାମ ଲକ୍ଷ୍ନୌ........ସଲାମ ।

Image